Bauribandhu Lenka

Others

3.8  

Bauribandhu Lenka

Others

ତୁଣ୍ଡି

ତୁଣ୍ଡି

3 mins
454



ରବିବାର ଦିନ ସକାଳୁ ସକାଳୁ ମାଛ ଆଣିବା ପାଇଁ ଯାଇ ଦେଖେତ ମାଛ ବିକାଳି ମାନଙ୍କ ସାମ୍ନାରେ ବହୁତ ଗହଳି । କରୋଣା ପାଇଁ ଚାଲିଥିବା ଲକ୍ ଡାଉନ୍ ର ନିୟମ ସାମାଜିକ ଦୂରତାକୁ କେହି ମାନୁ ନାହାଁନ୍ତି । ଅବଶ୍ୟ ସମସ୍ତେ ମୁହଁରେ ଗୋଟିଏ ଗୋଟିଏ ତୁଣ୍ଡି ବାନ୍ଧିଛନ୍ତି । ମୁଁ ପ୍ରାୟ ଗୋଟିଏ ନିର୍ଦ୍ଦିଷ୍ଟ ଲୋକ ପାଖରୁ ମାଛ ଆଣେ ବୋଲି ତା ସହିତ ଭଲଭାବେ ପରିଚୟ ହୋଇଯାଇଛି । ତା'ରି ପାଖରେ ଯାଇ ପହଞ୍ଚିଗଲି । ଦେଖେତ ଜଣେ ଭଦ୍ରଲୋକ ତାଙ୍କଠାରୁ ମାଛ କିଣୁଛନ୍ତି । ସେ ବି ମୁହଁରେ ତୁଣ୍ଡି ବାନ୍ଧିଛନ୍ତି । ମାଛ ବିକାଳି ସହ ତାଙ୍କ କଥାବାର୍ତ୍ତାରୁ ସ୍ୱରଟା ଫଣୀବାବୁଙ୍କ ସ୍ୱର ପରି ଲାଗିଲା । ତଥାପି ସନ୍ଦେହର ସହିତ ପଚାରିଲି ଆପଣ ଫଣୀବାବୁ ନା ? ଇତି ମଧ୍ୟରେ ସେ ଓ ମୁଁ ମୁହଁର ତୁଣ୍ଡି ତଳକୁ ଖସେଇ ଦେଇଥିଲୁ । ତେଣୁ ଆଉ ସନ୍ଦେହର ଅବକାଶ କିଛି ରହିଲା ନାହିଁ । ସେ ମୋ ପଟକୁ ମୁହଁ କରି ହ୍ୟାଣ୍ଡ୍ ସେକ୍ କରିବା ପାଇଁ ହାତ ବଢେଇ କହିଲେ , " ଆରେ ବିନୟ ବାବୁ ବଡ ଭାଗ୍ୟର କଥା ଆପଣଙ୍କ ସହ ଏପରି ଅଚାନକ ଦେଖା ହୋଇଗଲା । ଆଉ ଆପଣଙ୍କ ଖବର କଣ ସବୁ କୁହନ୍ତୁ ।"


ମୁଁ ପଚାରିଲି, " ଆପଣ ବୋଧେ ଏହି ପାଖାପାଖି କୋଉଠି ରହୁଛନ୍ତି । ରିଟାୟରମେଣ୍ଟ ପରେ ଯୋଗାଯୋଗ ନଥିବାରୁ କାହାରି ଖବର କେହି ରଖିପାରୁ ନାହେଁ । ସହଜେ ତ ଏ ତୁଣ୍ଡି ବନ୍ଧା କାରଣରୁ ଆମେ କେହି କାହାକୁ ଚିହ୍ନି ନପାରି ମାଛ ନେଇ ନିଜ ନିଜ ବାଟରେ ଯାଇଥାନ୍ତେ । ଯୋଗକୁ ମାଛବାଲା ସହ ଆପଣଙ୍କ କଥାବାର୍ତ୍ତାରୁ ମୁଁ ଚିହ୍ନିପାରି ପଚାରିବାରୁ ଏବେ କଥାବାର୍ତ୍ତା ହେଉଛେ । "

ମୋ କଥା ନ ସରୁଣୁ ଫଣୀବାବୁ କହିଲେ , " ଆପଣ ଯେଉଁ ତୁଣ୍ଡି ବନ୍ଧା କଥା କହିଲେ , ପ୍ରକୃତରେ ଏଇଟା ବଡ ଅସୁବିଧା ସୃଷ୍ଟି କଲାଣି । ଏ କରୋଣା ଏତେ ଶୀଘ୍ର ଗଲା ପରିକା ଲାଗୁନାହିଁ । ଦେଖିବ ସବୁବେଳେ ତୁଣ୍ଡି ପିନ୍ଧି ପିନ୍ଧି କିଛିଦିନ ପରେ ସମସ୍ତଙ୍କ ମୁହଁରେ ତୁଣ୍ଡିରେ ଘୋଡେଇ ହୋଇ ରହୁଥିବା ଅଂଶଟିର ରଙ୍ଗ ବଦଳିଯିବ । ସମସ୍ତଙ୍କ ମୁହଁର ରଙ୍ଗ ଦୁଇ ପ୍ରକାର ହୋଇ ଅସୁନ୍ଦର ଦିଶିବ । ଯେଉଁମାନେ ଦାଢି ରଖୁଛନ୍ତି ସେମାନେ ଏହି ଚିହ୍ନରୁ ରକ୍ଷା ପାଇଯିବେ । କେବଳ ନାକ ଓ ପାଟିକୁ ଘୋଡେଇବା ପାଇଁ ତୁଣ୍ଡି ନକରି ପୂରା ମୁହଁକୁ ଘୋଡେଇବା ପାଇଁ ତୁଣ୍ଡି କରିଲେ ପୂରା ମୁହଁର ରଙ୍ଗ ଗୋଟିଏ ପ୍ରକାର ରହିବ । କଣ ଆଉ କହିବି ବିନୟ ବାବୁ, ମତେ କାହିଁକି ଏ ବେଳ କାଳ ଆଉ ଭଲ ଲାଗୁନାହିଁ । ସବୁ ପ୍ରକାର ଅଶୁଭ ସୂଚନା ଦେଖା ଦେଉଛି । ଏ ସବୁ ମଣିଷର ପୂର୍ବ କର୍ମର ଫଳ । ଏହି ମଣିଷ ଦିନେ ବଳଦ ମାନଙ୍କ ମୁହଁରେ ତୁଣ୍ଡି ବାନ୍ଧି କାମ କରାଊଥିଲା କାରଣ ବଳଦ ମୁହଁ ଖୋଲାଥିଲେ ତା ଆଖିରେ ଖାଇବା ଜିନିଷ ପଡିଲେ ସେଇଆଡକୁ ଟାଣିନେବ ବୋଲି । ସେଥିପାଇଁ ବଳଦ ମୁହଁରେ ବିଭିନ୍ନ ପ୍ରକାରର ତୁଣ୍ଡି ବାନ୍ଧୁଥିଲେ ମାଲିକମାନେ ମୋର ପିଲାଦିନେ ମୁଁ ଯାହା ଦେଖିଛି ଆମ ବଳଦଙ୍କ ପାଇଁ ବେତରେ ତିଆରି ତୁଣ୍ଡି ରଖାଯାଇଥିଲା । ସେ ବେତ ତିଆରି ହେଉ ବା ଜାଲର ତୁଣ୍ଡି ହେଉ ବଳଦର ଦୁଃଖ କମ ବେଶି ହୁଏନାହିଁ । ଯା ହେଉ ବଳଦମାନେ ଏତେକାଳ ଯାଏ ମଣିଷର ସେବା କରି ସେ କଷ୍ଟରୁ ମୁକ୍ତି ପାଇଗଲେ କାରଣ ଆଉ ଚାଷବାସରେ ଆଜିକାଲି ବଳଦଙ୍କର ଆବଶ୍ୟକ ପଡୁନାହିଁ । ଚାଷକାମ ଟ୍ରାକ୍ଟର ଓ ଅନ୍ୟ କୃଷି ଯନ୍ତ୍ରପାତି ଦ୍ୱାରା କରାଯାଉଛି । ବଳଦ ସିନା ତୁଣ୍ଡି ବନ୍ଧାରୁ ମୁକ୍ତି ପାଇଗଲେ ହେଲେ ମାଲିକ ମଣିଷ ଏବେ ତୁଣ୍ଡି ବାନ୍ଧିବା ଅଭ୍ୟାସ କରୁଛି । ଦେଖାଯାଉ ଏ ତୁଣ୍ଡିବନ୍ଧା କେବେ ବନ୍ଦ ହେବ ନା ମଣିଷର ଡ୍ରେସ୍ କୋଡ୍ ର ଏକ ଅଙ୍ଗ ଭାବେ ସବୁଦିନ ପାଇଁ ରହିଯିବ । "


ଯାହାହେଉ ଭଲ କଥାଟିଏ କହିଲେ ଫଣୀବାବୁ । ଆପଣ ଏ ବିଷୟରେ ଏତେ କଥା ଚିନ୍ତା କରିସାରିଲେଣି ? ହଉ ଏଇ ପାଖରେ ତ ରହୁଛନ୍ତି । କେତେବେଳେ ସୁବିଧା ଦେଖି ମ୍ୟାଡାମ୍ ଙ୍କୁ ଧରି ଆମ ଘରଆଡେ ଆସିବେ ।



Rate this content
Log in