Bauribandhu Lenka

Tragedy

4  

Bauribandhu Lenka

Tragedy

ଶେଷ ଶ୍ରାବଣ

ଶେଷ ଶ୍ରାବଣ

6 mins
309



ବିଭାଘର ହେବାର ପାଞ୍ଚ ପୂରି ଛଅ ବର୍ଷ ଚାଲୁଛି । ହେଲେ ଶ୍ରାବଣୀର କୋଳରେ ପିଲା ବକଟେ ଦେଲନି ଠାକୁରେ । ନିଜ ସ୍ୱାମୀଙ୍କଠୁ ଆରମ୍ଭ କରି ଶାଶୁ ଶଶୁର ପର୍ଯ୍ୟନ୍ତ ସମସ୍ତଙ୍କର ତା ଉପରେ ରାଗ । ସିଏ ବା କଣ କରିବ ଯେ ? ଶାଶୁ ଆକୁ ତାକୁ ଦେଖେଇ କେତେ କଣ କହି ଯାଉଛନ୍ତି । ହେଲେ ସେ ସବୁ ଶୁଣି ସେ ନିରବରେ ରହେ । ପିଲାପିଲି ହେବାଟା କଣ ତା ହାତର କଥା ? ଆଜିକାଲି ଡାକ୍ତରୀ ବିଜ୍ଞାନ ବହୁତ ଉନ୍ନତି କଲାଣି । ଏଥିପାଇଁ ତା'ର ସ୍ୱାମୀଙ୍କର କଣ କିଛି କର୍ତ୍ତବ୍ୟ ନାହିଁ ? ବିଭାଘର ପାଞ୍ଚ ବର୍ଷ ବିତିଗଲାଣି ଦିନେ ହେଲେ ବି କହି ନାହାଁନ୍ତି କି ଚାଲ ଯିବା ଡାକ୍ତରଙ୍କ ସହିତ ଟିକଏ ପରାମର୍ଶ କରି ଆସିବା । ତଥାପି ମୁହଁ ଖୋଲି ସେ ସ୍ୱାମୀ ସୌରଭଙ୍କୁ ଦୁଇ ତିନି ଥର କହି ସାରିଛନ୍ତି କିନ୍ତୁ ତା'ର ଫଳ ଏପର୍ଯ୍ୟନ୍ତ କିଛି ମିଳିଲାନି ।

ସୌରଭ ଭୁବନେଶ୍ୱରରେ ସେକ୍ରଟାରିଏଟ୍ ରେ ଚାକିରି କରେ । କ୍ୱାର୍ଟର ମଳି ନଥିବାରୁ ଭଡାଘରେ ଏକା ରହୁଛି । ପ୍ରତି ଶନିବାର ଦିନ ଘରକୁ ଆସି ସୋମବାର ସକାଳେ ଭୁବନେଶ୍ୱର ଫେରିଯାଏ । ବାପା ମାଆଙ୍କର ବୟସ ବି ହେଲାଣି । ତଥାପି ବାପା ତା'ର ଚାଷବାସ କଥା ବୁଝନ୍ତି । ଏ ବର୍ଷ ଦଶହରାକୁ ଶନିବାର ଓ ରବିବାରକୁ ମିଶେଇ ପାଞ୍ଚ ଦିନ ଛୁଟି ମିଳିଛି ସୌରଭକୁ । ସେ ଗାଆଁକୁ ଆସିଛି । ସେ ପାଞ୍ଚ ଦିନ ଘରେ ରହିବ କିନ୍ତୁ ଶ୍ରାବଣୀର ମନରେ ଟିକିଏ ହେଲେ ବି ଖୁସି ନାହିଁ । ସବୁବେଳେ କେତେ ଶୁଣିକରି ସହିବ ? ଯାହା ହେଲେ ବି ରକ୍ତ ମାଂସର ଶରୀରଟା ନା ? ସୌରଭର ସ୍କୁଲ୍ ସମୟର ସାଙ୍ଗ ମଳୟ ମଧ୍ୟ ଗାଆଁକୁ ଆସିଛି । ସେ ବାଙ୍ଗାଲୋରରେ ଗୋଟିଏ ଆଇ. ଟି. କମ୍ପାନୀରେ କାମକରେ ।

ସୌରଭ ଘରେଥିବା କଥା ଜାଣି ମଳୟ ତାଙ୍କ ଘର ଆଡେ ବୁଲି ଆସିଛି । ଦୁଇ ବନ୍ଧୁ ବହୁ ବର୍ଷପରେ ପରସ୍ପକୁ ଭେଟି ଖୁସିରେ ବିଭୋର । ଦୁଇଜଣ ଯାକ ଖଟ ଉପରେ ବସି ଅନ୍ତରଙ୍ଗ ଆଳାପ ଆରମ୍ଭ କରିଦେଲେ । ସୌରଭ ଟିକିଏ ଅଭିମାନ କରି କହିଲା ," କେତେ ଅନ୍ତରଙ୍ଗ ଥିଲେ ଆମ୍ଭେ । ସ୍କୁଲ୍ କୁ ଏକାଠି ଯିବାଠାରୁ ଆରମ୍ଭ କରି ସବୁସ୍ଥାନରେ ସବୁ ସମୟରେ ଆମେ ପ୍ରାୟ ଏକତ୍ର ରହୁଥିଲେ । ସ୍କଲ୍ ପାଠ ପରେ ପରେ ଆମେ ପରସ୍ପର ଠାରୁ ଦୂରେଇ ଗଲେ । ତୁ BJB କଲେଜରେ ପଢିଲୁ ଆଉ ମୁଁ ଘରୁ ଯିବା ଆସିବା କରି ଗାଆଁ ପାଖ କଲେଜରେ ପଢିଲି । ପରସ୍ପର ସହିତ ଆଉ ମଶି ପାରିଲେନି । ଆଜି ପରିକା ସେତେବେଳେ ମୋବାଇଲ୍ ଫୋନ୍ ର ପ୍ରଚଳନ ନଥିଲା । ତେଣୁ ଚିଠି ମାଧ୍ୟମରେ ହିଁ ଯାହା ଖବର ଆଦାନ ପ୍ରଦାନ ଚାଲିଥିଲା । ଚିଠି ଦେଇଥିଲି ମୋ ବିଭାଘରକୁ ଆସିବା ଲାଗି କିନ୍ତୁ ଆସିଲୁ ନାହିଁ । କିଛିଦିନ ପରେ ଚିଠି ଦେବା ବି ବନ୍ଦ ହୋଇଗଲା । ହଉ ସେ ସବୁ ମନ ପକେଇ ଲାଭ କଣ ବହି ଯାଇଥିବା ପାଣି କେବେ କଣ ଲେଉଟି ଆସିବ ? "

ସୌରଭ ଏକା ନିଶ୍ୱାସେକେ ତା ମନ ଭିତରର ସବୁ କଥା କହି ପକେଇଲା । ସୌରଭର କଥା ଶୁଣି ମଳୟ ମନେ ମନେ ଲଜ୍ଜିତ ହୋଇ ଦୁଃଖ ପ୍ରକାଶ କଲା । ସେ ଜାଣିଥିଲା ଯେ ଯେତେ ଯାହା ବାହାନା ଦେଖେଇଲେ ବି କିଛି ଲାଭ ହେବ ନାହିଁ ଶେଷରେ ସୌରଭ ପଚାରିଲା କଣ ଏକା ଆସିଛୁ ନା ପରିବାର ସହ ।

"ଏକା ଆସିଛି " ବୋଲି କହିଲା ମଳୟ । ଏକା ଆସିବା କଥା ଶୁଣି ସୌରଭ ପୁଣି ପଚାରିଲା " କାହିଁକି କଣ ଅସୁବିଧା ହେଲା କି ?" "ନାହିଁ ସେ ବିଷୟରେ କଣ ବା ତତେ କହିବି ? କହିଲେ ଗୋଟାଏ ମହାଭାରତ ହେବ । ତୁ ବୋଧେ ଜାଣିଥିବୁ ସେ ଝିଅଟି ଅଣଓଡିଆ ବୋଲି । ଗୋଟିଏ ଅଫିସ୍ ରେ ଆମେ କାମ କରୁ । କାମ କରିବା ଭିତରେ ତା ସହିତ ସମ୍ପର୍କ ଘନିଷ୍ଟ ହୋଇଗଲା । ତେଣୁ ପରସ୍ପର ସହିତ ବିବାହ କରିବାକୁ ସ୍ଥିର କଲୁ । ଘରେ ଅଣଓଡିଆ ଝିଅ ବୋଲି ଜାଣି ଆଦୌ ରାଜି ହେଲେ ନାହିଁ । ତାଙ୍କ ପରିବାର ମଧ୍ୟ ଏହି ବିବାହରେ ଆଦୌ ସହଯୋଗ କଲେନାହିଁ । ଶେଷରେ ଆମେ ଦୁହେଁ ରେଜେଷ୍ଟ୍ରି ବିବାହ କରିନେଲୁ । ବେଦୀରେ ବସି ବାହା ହେବାର ସୌଭାଗ୍ୟ ବୋଧେ ଆମ ଭାଗ୍ୟରେ ନଥିଲା । ଦୀର୍ଘ ତିନି ବର୍ଷ ପରେ ଏକୁଟିଆ ଘରକୁ ଆସିଛି । ତାକୁ ଆଣିଥିଲେ କାଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ତାକୁ ଆଣିଲି ନାହିଁ । ଘରେ ବାପାଙ୍କ ଦେହ ଭଲ ନାହିଁ । ଘରକୁ ଆସିବାର ମୁଖ୍ୟ କାରଣ ହେଉଛି ବାପାଙ୍କୁ ଦେଖିବା । ବାହାଘର ପରେ ଆମର ପୁଅଟିଏ ହୋଇଛି । ତାକୁ ପ୍ରାୟ ଦେଢ ବର୍ଷ ପାଖାପାଖି ହେବ । ଆଉ ତୋ ଖବର କଣ କହ । ଘରେ ପିଲାଙ୍କର ପାଟି ତୁଣ୍ଡ କିଛି ଶୁଭୁନାହିଁ । ଭାଉଜଙ୍କୁ ଟିକେ ଦେଖେଇବୁ ନା ନାହିଁ ?"

" ଆରେ ଏ କଣ କହୁଛୁ ? ତୁ ଆସୁ ଆସୁ ଆମେ ଗପସପରେ ବ୍ୟସ୍ତ ରହିଗଲେ । ତୋ ସହିତ ତା'ର ଆଗରୁ ଦେଖା ହୋଇନି । ତେଣୁ ସଂକୋଚ କରି ସେ ଏ ଘରକୁ ଆସିନି । ତା ଛଡା ତୁ ମୋର ସବୁଠୁ ଭଲ ସାଙ୍ଗ ବୋଲି ସିଏ ବି ଜାଣିନାହିଁ ।"

—"କାଇଁ ମାଉସୀ କଣ ମୋତେ ଚିହ୍ନି ନାହାନ୍ତି ? ସେ ବି ତ କହି ପାରିଥାଆନ୍ତେ " ବୋଲି ମଳୟ କହିଲା ।

— ହଁ କହି ପାରିଥାଆନ୍ତା କିନ୍ତୁ ସେ ସବୁ କଥା କଣ କହିବି ତତେ । କଥାରେ କହନ୍ତି "କହିଲେ କୁଳ କୁଟୁମ୍ବଙ୍କୁ ଲାଜ ନ କହିଲେ କୁଳ ଭାସି ଯାଉଛି " ।

ମଳୟ ସଙ୍ଗେ ସଙ୍ଗେ କହିଲା ," ଏମିତି ବୁଲେଇ ବଙ୍କେଇ କହିଲେ ମୁଁ କିଛି ବୁଝି ପାରିବିନି । ସିଧା କଥାଟା କହୁନୁ "।

— " କଣ ଆଉ କହିବି ? ଏବେ ତୁ ନିଜେ ପରା କହୁଥିଲୁ ପିଲାଛୁଆଙ୍କ ପାଟି କାହିଁକି ଶୁଭୁନି ବୋଲି ?

ସେଇଟା ହିଁ ଆଜି ସବୁ ଅନର୍ଥର କାରଣ । ପିଲାଝିଲା କିଛି ହେଉ ନାହାଁନ୍ତି ବୋଲି ବୋଉ ବାପା ସମସ୍ତେ ଶ୍ରାବଣୀ ଉପରେ ଖପା । ଶ୍ରାବଣୀ ତୋ ଭାଉଜ , ସିଏ ବା ଏଥିର କଣ କରି ପାରିବ ? ମୁଁ ମଧ୍ୟ ସମୟେ ସମୟେ ଭାରସାମ୍ୟ ହରେଇ ତାକୁ କଣ ନା କଣ କହିଦେଉଛି । ତୁ ନିଜେ କହ ମୁଁ ଏଥିରେ କଣ କରି ପାରିବି ? ବୋଉକୁ ସପୋର୍ଟ କରିବି ନା ସ୍ତ୍ରୀକୁ ସପୋର୍ଟ କରିବି ? ସବୁବେଳେ ଅଶାନ୍ତ ମନରେ ରହିବାକୁ ପଡୁଛି ।"

ମଳୟ ସୌରଭ କଥା ଶୁଣି କହିଲା , " ତୁ ପରା ଭୁବନେଶ୍ୱରରେ ରହୁଛୁ ? ଯୁଗ ଯାଇ କୋଉଠି ମାରିଲାଣି ,ତୁ ଯେଉଁଠି ଥିଲୁ ସେଇଠି ରହିଯାଇଛୁ । ମେଡିକାଲ୍ ସାଇନ୍ସ କେତେ ଅଗ୍ରଗତି କଲାଣି ସେ ବିଷୟରେ ତୋର କିଛି ବି ଜ୍ଞାନ ନାହିଁ ? କେବେ ଏ ସମ୍ବନ୍ଧରେ ଡାକ୍ତରଙ୍କ ସହିତ ପରାମର୍ଶ କରିଛୁ ? ହଉ ସେ ସବୁ ଛାଡ ଆସନ୍ତା କାଲି ତୁମେ ଦୁଇଜଣ ପ୍ରସ୍ତୁତ ହୁଅ ଭୁବନେଶ୍ୱର ଯିବାପାଇଁ । ମୁଁ ବି ତୁମ ସାଙ୍ଗରେ ଯିବି ସେଠାରେ ଡାକ୍ତରଙ୍କ ସହିତ ଏ ସମ୍ବନ୍ଧରେ କଥା ହେବା ।

ସେଇ ଅନୁସାରେ ପରଦିନ ସକାଳେ ତିନିଜଣ ସାଙ୍ଗ ହୋଇ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ରେ ପହଞ୍ଚିଲେ । ସେଠାରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କର କହିବା ଅନୁସାରେ treatment ରେ ରହିଲେ । ଭଗବାନଙ୍କ କୃପାରୁ ବର୍ଷକ ମଧ୍ୟରେ କନ୍ୟା ସନ୍ତାନଟିଏ ଜନ୍ମ ହେଲା । ଏ ସମ୍ବନ୍ଧର ସୌରଭ ମଳୟକୁ ଫୋନ୍ ରେ ଜଣେଇବା ସହିତ ଧନ୍ୟବାଦ ମଧ୍ୟ ଦେଇଥିଲା ।

ଶ୍ରାବଣୀ ଗର୍ଭାବସ୍ଥାରେ ଥିବାବେଳେ ଶାଶୁ ତା'ର ସମସ୍ତ ଖବର ଅନ୍ତର ବଝୁଥିଲେ । ଏଠାର କୁଟା ସେଠାକୁ ଉଠେଇବାକୁ ଦେଉନଥିଲେ । ଶାଶୁଙ୍କର ଏପରି ପରିବର୍ତ୍ତନ ଦେଖି ଶ୍ରାବଣୀର ମନ ବହୁତ ଖୁସି ହୋଇ ଯାଇଥିଲା । କିନ୍ତୁ କନ୍ୟା ସନ୍ତାନଟିଏ ହେବାପରେ ଶାଶୁଙ୍କର ରୂପ ପୁଣି ପୂର୍ବ ଅବସ୍ଥାକୁ ଫେରିଯାଇଥିଲା । ଯାହାର ଭାଗ୍ୟରେ ଦୁଃଖ ହିଁ ଲେଖା ହୋଇଛି ତାକୁ କିଏ ବା ବଦେଳେଇ ପାରିବ ? ପରିବାରର ସମସ୍ତେ ଯଦି ଜଣକ ଉପରେ ରାଗ ସୁଝେଇବେ, ସିଏ କେତେ ଅବା ସହିବ ?

ସମୟ ଗଡି ଚାଲାଥାଏ । ଏହା ଭିତରେ ଝିଅକୁ ପ୍ରାୟ ଦଶ ମାସ ହୋଇଗଲାଣି । ଶ୍ରାବଣ ମାସ । ଲଗାଣ ବର୍ଷା ଲାଗି ରହିଥାଏ । ଗାଆଁକୁ ଲାଗି ବହି ଯାଉଥିବା ଦେବୀ ନଦୀରେ ବନ୍ୟା ଜଳ ଦୁଇ କୂଳ ଖାଇ ବହି ଚାଲିଥାଏ । ବର୍ଷା ହେତୁ ରାତିହେଲେ କେହି କାହା ଘରକୁ ଯାଉ ନଥାନ୍ତି । ସେଦିନ ରାତିରେ ହଠାତ୍ ଝିଅର ଦେହ ଖରାପ ହୋଇଗଲା । ବାତ ମାରିଲା ପରି ଖାଲି ହିକା ଟେକୁଥାଏ । ଶ୍ରାବଣୀ ଡରିଯାଇ ଶାଶୁମାଆଙ୍କୁ ଡାକିଲା । ହେଲେ ଝିଅକୁ ସେମାନେ ବଞ୍ଚାଇ ପାରିଲେ ନାହିଁ । ଖବର ପାଇ ସୌରଭ ଅତ୍ୟନ୍ତ ଭାରାକ୍ରାନ୍ତ ମନରେ ଛୁଟି ନେଇ ଗାଆଁକୁ ଆସି ସମସ୍ତ କ୍ରିୟାକର୍ମ ସାରି ଭୁବନେଶ୍ୱର ଫେରିଗଲା ।

ଯେତେବେଳେ ଦୁଃଖ ଆସେ ସଙ୍ଗରେ ତାର ସହଚର ମାନଙ୍କୁ ଧରିକରି ଆସିଥାଏ । ଶ୍ରାବଣୀର ଭାଗ୍ୟରେ ବୋଧେ କେବଳ ଦୁଃଖ ହିଁ ଲେଖାଥିଲା । ଝିଅ ଚାଲିଗଲା ପରେ ଶାଶୁମା ଙ୍କୁ କାରଣ ମିଳିଗଲା ବିଭିନ୍ନ ପ୍ରକାର ଉଲୁଗୁଣା ଦେବାପାଇଁ । ଦିନେ ମୁହେଁ ମୁହେଁ କହିଦେଲେ ," ପିଲାପିଲି ତ ହେଉ ନଥିଲେ କେତେ ଓଷଧି ମୋଷଧି ଖାଇଲା ପରେ ଝିଅଟିଏ ଠାକୁରେ ଦେଇଥିଲେ ଯେ ତାକୁ ବି ଖାଇବସିଲୁ । ଛାଡପତ୍ର ନେଇ ବାପ ଘରକୁ ଚାଲି ଯାଉନୁ କାହିଁକି ? ତୁ ନଯିବା ପର୍ଯ୍ୟନ୍ତ ସୌରଭ କଣ ଆଊଥରେ ବିବାହ କରିପାରିବ ? ନହେଲେ ଏ ଘରର କୁଳ ରକ୍ଷା ହେବ କିପରି ? ଶ୍ରାବଣୀର ମୁଣ୍ଡରେ ପୁଣି ଅକାଳରେ ବଜ୍ରପାତ ହେଲା । ଛାଡପତ୍ର ନେଇ ସେ କଣ କରିବ ? ବାପଘର ବି ସେମିତି ଚଳିଲାବାଲା ନୁହଁନ୍ତି । ଆଖିକୁ ଆଉ ତା'ର ନିଦ ଆସିଲାନାହିଁ । ବହୁତ ଚିନ୍ତା କଲା ପରେ ସ୍ଥିର କଲା ଯେଏଭଳି ଏକ ଅଲୋଡା ଜୀବନକୁ ରଖି ଲାଭ ବା କଣ ? ବର୍ଷଣ ମୁଖର କିଟ୍ ମିଟ୍ ଅନ୍ଧାର ରାତିରେ ସେ ପହଞ୍ଚିଗଲା ଦୁଇକୂଳ ଖାଇ ପ୍ରଖର ବେଗରେ ବହୁଥିବା ଦେବୀ ନଦୀର ବନ୍ଧ ଉପରେ । ଆଉ କିଛି କ୍ଷଣ ଭିତରେ ସବୁକିଛି ଶେଷ ହୋଇ ଯାଇ ଥିଲା ।

ସକାଳେ ଶ୍ରାବଣୀର ବେଡ୍ ଉପରେ ଛୋଟ କାଗଜ ଖଣ୍ଡିକରେ ଲେଖାଥିଲା ଶ୍ରାବଣ ମାସରେ ଜନ୍ମ ହୋଇଥିଲି ବୋଲି ବାପା ମାଆ ଶ୍ରଦ୍ଧାରେ ନାଁ ରଖିଥିଲେ ଶ୍ରାବଣୀ ବୋଲି । ମୋ ପାଇଁ ଶ୍ରଦ୍ଧା ବୋଲି କିଛି ନାହିଁ । ବିବାହ ପରବର୍ତୀ ଜୀବନରେ ମୁଁ କେବଳ ଦୁଃଖର ପାହାଡ ହିଁ ଦେଖିଛି । ମୁଁ ଆଉ ସହି ପାରୁନି ତେଣୁ ସମସ୍ତଙ୍କୁ ଛାଡି ମୁଁ ସବୁଦିନ ପାଇଁ ଚାଲିଯାଉଛି ଯେଉଁଠିକୁ ଥରେ ଗଲେ ଆଉ କେହି ଫେରନ୍ତି ନାହିଁ । ଜନ୍ମ ନେଇଥିଲି ଏହି ଶ୍ରାବଣ ମାସରେ ଆଉ ଆଜିର ଏହି ଶ୍ରାବଣ ହିଁ ମୋ ପାଇଁ ଶେଷ ଶ୍ରାବଣ । ହଁ ମୋର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହନ୍ତି ।

ଇତି

ଶ୍ରାବଣୀ


Rate this content
Log in

Similar oriya story from Tragedy