Bauribandhu Lenka

Inspirational Others

4  

Bauribandhu Lenka

Inspirational Others

ଅନ୍ଧ ଥରେ ବାଡି ହଜାଏ

ଅନ୍ଧ ଥରେ ବାଡି ହଜାଏ

7 mins
243



ସେ ଦିନ ରାତି ପ୍ରାୟ ନଅଟା ହେବାକୁ ଯାଉଥାଏ ।ମୋବାଇଲର ରିଙ୍ଗ୍ ଶୁଣି ଦେଖେତ ରାଧିକା ମ୍ୟାଡାମ୍ କରୁଛନ୍ତି । ଫୋନ୍ ରିସିଭ୍ କଲା ପରେ ଶୁଣିବାକୁ ମିଳିଲା , "ଜୟ ଜଗନ୍ନାଥ ମୁଁ ରାଧିକା କହୁଛି । ଅସମୟରେ ଆପଣଙ୍କୁ ଡିଷ୍ଟର୍ବ କଲି ।"

କଣ ହେଲା ବୋଲି ପଚାରିବାରୁ ସେ କହିଲେ, " ଆଗରୁ ଯେଉଁ ପୁରୀ କାର୍ଯ୍ୟକ୍ରମ ବାତ୍ୟା ସମ୍ଭାବନା ଥିବାରୁ ସ୍ଥଗିତ କରାଯାଇଥିଲା ସେଇଟି ଏଇ ଚାରି ତାରିଖରେ ହେବ । ସେଦିନ ରବିବାର ପଡୁଛି । ଆପଣ ଯିବେ କି ନାହିଁ କନଫର୍ମ କରନ୍ତୁ । "

ଆଗରୁ ଯେହେତୁ ହଁ ଭରିଥିଲି ଏବେ କିପରି ମନା କରିପାରିଥାନ୍ତି । ଆମେ ପତି ପତ୍ନୀ ଉଭୟେ ଯିବୁ ବୋଲି କହିବାରୁ , ସେ ବହୁତ ଖୁସି ହୋଇଗଲେ । କିନ୍ତୁ ଜଣେ ଡ୍ରାଇଭର୍ ଯୋଗାଡ କରିଦେବା ଲାଗି ତାଙ୍କୁ ଦାୟିତ୍ୱ ଦେଲି । ସେ ମଧ୍ୟ ରାଜି ହୋଇଗଲେ ।


         ଫୋନ୍ ରଖିଲା ପରେ ପତ୍ନୀ ପଚାରିଲେ ପୁରୀରେ ତାଙ୍କର କଣ ପ୍ରୋଗ୍ରାମ ଅଛିକି ?

ମୁଁ କହିଲି ସେ ହେଉଛନ୍ତି " ଜ୍ଞାନ ବିକାଶ " ସଂସ୍ଥାର ଓଡିଶା ରାଜ୍ୟ ସଂପାଦକ । ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ଦେଶରେ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଅମୃତ ମହୋତ୍ସବ ପାଳନ କରୁଛନ୍ତି । " ଜ୍ଞାନ ବିକାଶ ଏକ ଜାତୀୟ ସ୍ତରର ସଂସ୍ଥା ହୋଇଥିବାରୁ ସେମାନେ ଏହି ଉତ୍ସବକୁ ବନ୍ଧୁମିଳନ, ଆଲୋଚନା ଚକ୍ର ଓ ଦେଶାତ୍ମବୋଧକ କବିତା ପାଠ କରି ପାଳନ କରିବେ । ସେହି ଉତ୍ସବରେ ଯୋଗ ଦେବା ପାଇଁ ସେ ମୋତେ ନିମନ୍ତ୍ରଣ କରିଛନ୍ତି । ପ୍ରଥମେ ପୁରୀରେ ଏବଂ ପରେ ପରେ ରାଜ୍ୟ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଅନୁଷ୍ଠୁିତ ହେବ । "


ମୋ କଥା ଶୁଣି ପତ୍ନୀ ମୋର କହିଲେ , "ମୋର ଜଗନ୍ନାଥଙ୍କ ନିକଟରେ ମାନସିକ କରିଥିଲି । ଯାହା ହେଉ ସେ କାମଟା ବି ପୂରଣ ହୋଇଯିବ ।"


            ଡ୍ରାଇଭର୍ ଠିକ୍ ହୋଇଯିବା ବିଷୟ ମ୍ୟାଡାମ୍ ଜଣାଇ ଦେଇଥିଲେ । ତା'ର ପାଉଣା ବାବଦକୁ ସେ ଆଠ ଶହ ଟଙ୍କା ନେବ ବୋଲି ମଧ୍ୟ କହିଥିଲେ । ସେ ଡ୍ରାଇଭର୍ ତାଙ୍କର ସିଧା ସଳଖ ପରିଚିତ ନଥିଲା । ତାଙ୍କର ଜଣେ ଚିହ୍ନା ଡ୍ରାଇଭର୍ ମାଧ୍ୟମରେ ସେ ତାକୁ ଯୋଗାଡ କରିଥିଲେ । ପ୍ରୋଗାମ ଦିନ ସକାଳ ଛଅଟାରୁ ଭୁବନଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଆଗ ଜଗନ୍ନାଥ ଦର୍ଶନ କଲାପରେ କାର୍ଯ୍ୟକ୍ରମ ହେଉଥିବା ସ୍ଥାନକୁ ଯିବା ବୋଲି ସ୍ଥିର ହେଲା ।


             ରବିବାର ଦିନ ଠିକ୍ ଛଅଟା ବେଳକୁ ଡ୍ରାଇଭର୍ ଆମ ଘର ନିକଟରେ ପହଞ୍ଚି ଯାଇଥିଲା । ଆମେ ପ୍ରଥମେ ରାଧିକା ମ୍ୟାଡାମ୍ ଓ ପରେ ଗ୍ୟାରେଜ୍ ଛକରୁ ଶିବାଶିଷ ବାବୁଙ୍କୁ ଉଠେଇ ପୁରୀ ଅଭିମୁଖେ ଯାତ୍ରା କଲୁ । ଶିବାଶିଷ ବାବୁ ସେହି ସଂସ୍ଥାର ଓଡିଶା ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି । ସେହି ଦୃଷ୍ଟିରୁ ମ୍ୟାଡାମ୍ ଓ ଶିବାଶିଷ ବାବୁ ସେ ସ୍ଥାନରେ ଶୀଘ୍ର ପହଞ୍ଚିବା କଥା ।


ପ୍ରାୟ ସକାଳ ଆଠଟା ପନ୍ଦର ସୁଦ୍ଧା ଆମେ ପୁରୀରେ ପହଞ୍ଚିଗଲୁ । ପାର୍କିଙ୍ଗ୍ ପାଖ ଟ୍ରାଫିକ୍ ପୋଷ୍ଟ ଆଗକୁ ଗାଡି ଛାଡିଲା ନାହିଁ । ସେଇଠାରୁ ଡ୍ରାଇଭର ଗାଡିକୁ ୟୁଟର୍ଣ୍ଣ କରି ସାଇଡ୍ କରି ରଖି କହିଲା—" ମୁଁ ପାର୍କିଙ୍ଗ୍ ରେ ଗାଡି ନରଖି ଏଇଠି ରଖିଦେଉଛି । ଆପଣମାନେ ଶୀଘ୍ର ଦର୍ଶନ କରି ଆସିବାକୁ ତର ତର ହେଉଛନ୍ତି କାରଣ ଆପଣମାନଙ୍କୁ କାର୍ଯ୍ୟକ୍ରମରେ ସମୟ ପୂର୍ବରୁ ଯୋଗ ଦେବାର ଅଛି । ଗାଡି ପାର୍କିଙ୍ଗରେ ରଖିଲେ ସମୟ ନଷ୍ଟ ହେବ । ଜୋତା ଓ ମୋବାଇଲ୍ ବି ଗାଡିରେ ରଖିଦିଅନ୍ତୁ ନହେଲେ ସେ ସବୁ ରଖିବାକୁ ଲମ୍ବା ଲାଇନ୍ ରେ ଠିଆ ହେବାକୁ ପଡିବ । ହଁ ମତେ ଶହେ ଟଙ୍କା ଖଣ୍ଡେ ଦେଇଥାନ୍ତୁ । ଯିଦି କେହି ଟୋକା ଟୋକାଳିଆ ଏଠି କାହିଁକି ଗାଡି ରଖିଛୁ ବୋଲି କହନ୍ତି ତାହେଲେ ତାଙ୍କୁ କିଛି ଟଙ୍କା ଦେଇଦେବି । ଆପଣମାନେ ଶୀଘ୍ର ଦର୍ଶନ କରି ଏଇଠିକୁ ଫେରନ୍ତୁ ।"


ସେ ଠିକ୍ କହୁଛି ଭାବି ଆମେ ସେଇଆ କଲୁ । ତା ହାତରେ ଶହେ ଟଙ୍କା ଧରେଇ ଆମେ ମନ୍ଦିର ପାଖରେ ଯାଇ ପହଞ୍ଚିଲୁ । ମନ୍ଦିର ଭିତରେ ପ୍ରବେଶ କଲାପରେ ଜାଣିବାକୁ ପାଇଲୁ ଯେ ଦର୍ଶନ ଦୁଇ ତିନି ଘଣ୍ଟା ଡେରି ହେବ । କାରଣ ହେଉଛି ମନ୍ଦିର ଭିତରେ କଣ ମାରା ହୋଇଯାଇଛି । ବିଧି ବିଧାନ ଅନୁସାରେ ମହାସ୍ନାନ ହେଲା ପରେ ଦର୍ଶନ ପାଇଁ ଅନୁମତି ଦିଆଯିବ ।

ମନେ ମନେ ଭାବିଲି ଆମେ ଯେତେ ଚାହିଁଲେ କଣ ହେବ ଯେ ପର୍ଯ୍ୟନ୍ତ କାଳିଆର ଡୋରି ନଲାଗିଛି ସେ ପର୍ଯ୍ୟନ୍ତ ତାଙ୍କ ଦର୍ଶନ ମିଳିବା ସମ୍ଭବ ନୁହେଁ । ଠିକ୍ କଲୁ ବେଢା ଭିତର ଦେବାଦେବୀଙ୍କୁ ଦର୍ଶନ କରି function ପାଖକୁ ପଳେଇଯିବା । Function ସରିଲା ପରେ ସେପଟେ ସମୁଦ୍ର କୂଳରେ ଟିକେ ବୁଲି ପୁଣି ଦର୍ଶନ ପାଇଁ ମନ୍ଦିରକୁ ଆସିବା । କେବଳ ପାର୍ଶ୍ୱ ଦେବାଦେବୀ ମାନଙ୍କୁ ଦର୍ଶନ କରି ଆମେ ଗାଡି ରଖାଯାଇଥିବା ସ୍ଥାନକୁ ଫେରି ଆସିଲୁ । ସେଠାରେ ପହଞ୍ଚି ଦେଖୁତ ଗାଡି ନାହିଁ । ନିରାଟ ଖରା ହେଉଥାଏ । ଖାଲି ଗୋଡରେ ଚାଲିବା ବହୁତ କଷ୍ଟ । ସେହି ପାଖରେ ବଡ ଛତାଟିଏ ପୋତି ଖଜା ବିକ୍ରି କରୁଥିବା ଜଣେ ଲୋକଙ୍କ ଛତା ତଳେ ଠିଆ ହେଲୁ । ସେ ଖଜା ବିକାଳି ଏବଂ ପାଖରେ ଥିବା ସମସ୍ତ ଦୋକାନୀ ମାନେ ଆମର ଅସୁବିଧା ବିଷୟରେ ଜାଣିଗଲେ । ରାଧିକା ମ୍ୟାଡାମଙ୍କୁ ମୋର ପତ୍ନୀ ବାଧ୍ୟ କରି କାର୍ଯ୍ୟକ୍ରମ ସ୍ଥଳକୁ ଅଟୋ ଭଡା କରି ପଳେଇ ଯିବାକୁ କହିଲେ । ଶିବାଶିଷ ବାବୁଙ୍କୁ ମୁଁ ଯେତେ କହିଲେ ବି ସେ ଗଲେ ନାହିଁ । କାଳେ ପାର୍କିଙ୍ଗ୍ ରେ ଗାଡି ରଖିଥିବ ବୋଲି ଭାବି ପାର୍କିଙ୍ଗ୍ ଏରିଆ ଭଲ ଭାବେ ଖୋଜିଲୁ କିନ୍ତୁ ଗାଡି ତା ଭିତରେ ନଥିଲା । ଖଜା ବିକାଳି ଆମର ଏ ଅସୁବିଧା ଦେଖି ତାର ସାଇକେଲ୍ ଓ ଚପଲ ହଳକ ଦେଇ କହିଲା କେହି ଜଣେ ଟିକେ ବଡଦାଣ୍ଡରେ ଦୂର ବାଟଯାଏ ଯାଇ ଦେଖି କରି ଆସନ୍ତୁ । ଶିବାଶିଷ ବାବୁ ଯାଇକରି ବୁଲି ବୁଲି ଆସିଲେ ହେଲେ ଗାଡିକୁ ପାଇଲେ ନାହିଁ । ମୁଁ ଭାବିଲି ସେ ଲୋକ ଗାଡିକୁ ନେଇ ବୋଧେ ଫେରାର୍ ହୋଇଗଲା । ତେଣୁ ଆଉ ବିଳମ୍ବ ନକରି ଥାନାରେ ଯାଇ ରିପୋର୍ଟ କରିବା ପାଇଁ ଶିବାଶିଷ ବାବୁଙ୍କୁ କହୁଥାଏ । ସେହି ସମୟରେ ସେ ଖଜା ବିକାଳି ମନା କରି କହିଲା ," ଆପଣ ଥାନାକୁ ଗଲେ ଥାନାବାଲା ଆପଣଙ୍କୁ ସେଠି ବସେଇଦେବ । ମଲାଠାରୁ ଘୋଷରା ଅଧିକ ହୋଇଯିବ । ଆଉକିଛି ସମୟ ଅପେକ୍ଷା କରନ୍ତୁ ।


           ଇତି ମଧ୍ୟରେ ରାଧିକା ମ୍ୟାଡାମ୍ ସେଠାରେ

ପହଞ୍ଚି ଅନ୍ୟଜଣଙ୍କର ମୋବାଇଲ୍ ରୁ ଡ୍ରାଇଭର ଯୋଗାଡ କରିଦେଇଥିବା ଲୋକକୁ ସମସ୍ତ ଘଟଣା ଜଣେଇଲା ପରେ ସେ ଲୋକ ଫୋନ୍ କରି ସେ ଡ୍ରାଇଭରକୁ ଗାଳି ଗୁଲଜ କରି ଶୀଘ୍ର ଆମ ପାଖକୁ ଆସିବାକୁ କହିଥିଲା ।


କିଛି ସମୟ ପରେ ନାଲି କାର୍ ଟିଏ ଆସୁଥିବାର ଦେଖାଗଲା ଆଉ ସେଇଟି ଆମରି ଗାଡିଥିଲା । କାର୍ ଟି ଆମ ପାଖରେ ଆସି ଠିଆ ହେଲା । ପୋଲିସ୍ ଆସିବାକୁ ଦେଉ ନଥିଲା ତେଣୁ ସେଠି ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ଗଳି ଭିତରେ ଗାଡିଟି ରଖି ପୋଲିସ ଛାଡିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା ବୋଲି ଡ୍ରାଇଭର୍ ତା'ର explanation ଦେଉଥାଏ ।

ତମେ ସେ ଆଡେ କାହିଁକି ଯାଇଥଲ ବୋଲି ପଚାରିବାରୁ ସେ କହିଲା , " ମୋତେ ସେଠାରେ ଗାଡି ରଖେଇ ଦେଲେ ନାହିଁ ତେଣୁ ଗାଡିକୁ ମୁଁ ପାର୍କିଙ୍ଗ୍ ରେ ରଖିବା ପାଇଁ ୟୁଟର୍ଣ୍ଣ ନେଇ ଆସିବାକୁ ଯାଇଥିଲି ।"


       ମୁଁ କିନ୍ତୁ ମନେ ମନେ ବହୁତ ରାଗି ଯାଇଥିଲି । ଶିବାଶିଷ ବାବୁ ମୋତେ ତାକୁ କିଛି ନକହିବା ପାଇଁ ବାରଣ କଲେ କାରଣ  ସେହି ଲୋକ ଆମକୁ ପୁଣି ଭୁବନେଶ୍ୱର ନେଇକରି ଫେରିବାର ଅଛି । ଯଦି ବାଟରେ କିଛି ବଦମାସି କରିବ ତାହେଲେ ଆମେ ହଇରାଣ ହୋଇଯିବା । ସେଥିପାଇଁ ମୁଁ ତାକୁ କିଛି ନ କହି ଚୁପ୍ ରହିଲି ।


କାର୍ଯ୍ୟକ୍ରମରେ ପହଞ୍ଚିବାରେ ବହୁତ ଡେରି ହୋଇଗଲା । କାର୍ଯ୍ୟକ୍ରମ ସରିବା ପରେ ମଧ୍ୟାହ୍ନ ଭୋଜନରେ ବି ଅସୁବିଧା ହେଲା । ଆୟୋଜକମାନେ ଅବଢା ବରାଦ କରିଥିଲେ କିନ୍ତୁ ମହାପ୍ରଭୁଙ୍କର ମହାସ୍ନାନ ହୋଇଥିବାରୁ ଅବଢା ବାହାରିବା ବହୁତ ଡେରି ହେବ ବୋଲି ସୂଚନା ମିଳିଲା । ପାଖରେ ସମୁଦ୍ର କୂଳରେ ଥିବା କୌଣସି ଏକ ହୋଟେଲରେ ଖାଇକରି ଆସିବାକୁ ବାହାରିପଡିଲୁ । ଖାଇ ସାରିବା ପରେ ହୋଟେଲ୍ ସାମ୍ନାରେ ଥିବା ଏକ ଡ୍ରେସ୍ ଦୋକାନକୁ ଡ୍ରାଇଭର୍ ଯାଇ ତା'ର ଝିଅ ପାଇଁ ଗୋଟି ଡ୍ରେସ୍ କିଣି କରି ଆଣି ମୋତେ ପାଞ୍ଚ ଶହ ଟଙ୍କା ଦେବାକୁ ଅନୁରୋଧ କଲା । ମୋ ଠାରୁ ଟଙ୍କା ନେଇ ଦୋକାନରେ ଦେଇ ଆସିବା ପରେ ଆମେ ପୁନଶ୍ଚ କାର୍ଯ୍ୟକ୍ରମ ସ୍ଥାନକୁ ଫେରିଗଲୁ । ସେଠାରେ ପହଞ୍ଚିବା ପରେ ପରେ ଅବଢା ଆସି ପହଞ୍ଚିଲା । ଖାଇସାରି ଫେରି ଥିବାରୁ ପୁଣି ଥରେ ଖାଇବା ସମ୍ଭବ ନଥିଲା । କିନ୍ତୁ ମହାପ୍ରସାଦ ଖାଇବାକୁ ମନା କରାଯାଏ ନାହିଁ ବୋଲି ଅଳ୍ପ ଟିକିଏ ଟିକିଏ ସେଠାର ବସି ଭୋଜନ କରି ସମୁଦ୍ର କୂଳ ବାଟ ଦେଇ ଫେରିଲୁ । ଡ୍ରାଇଭର୍ ଡ୍ରେସ୍ କିଣିଥିବା ଦୋକାନ ପାଖରେ ଗାଡି ରଖି ଡ୍ରେସ୍ ଟି ସାନ ହେବ ବୋଲି କହି ଫେରେଇ ଦେଇ ଟଙ୍କା ନେଇ ଆସିଲା ଓ ଆମେ ମନ୍ଦିର ଅଭିମୁଖେ ଚାଲିଲୁ । ଏଥର କିନ୍ତୁ ଗାଡିକୁ ପାର୍କିଙ୍ଗ୍ ରେ ରଖିଲୁ । ସମସ୍ତେ ଗାଡିରେ ଜୋତା ମୋବାଇଲ୍ ଗାଡି ଭିତରେ ରଖିଲେ । ମୁଁ କିନ୍ତୁ ମୋବାଇଲ୍ ଛାଡି ଯିବାକୁ ଚାହିଁଲି ନାହିଁ କାରଣ ଅନ୍ଧ ଥରେ ବାଡି ହଜେଇଥାଏ । ମୋବାଇଲ୍ ଛାଡି କରି ଯାଇଏତେ ଏତେ ଅସୁବିଧା ଭୋଗିଲା ପରେ ପୁଣି ସେହି କାମ କରିବାକୁ ମୋର ମନ ଚାହିଁଲା ନାହିଁ ।


ଏଥର ମନ୍ଦିରରେ ପହଞ୍ଚିଲା ପରେ ମହାପ୍ରଭୁଙ୍କର ଏକ ସୁନ୍ଦର ଦର୍ଶନ ମିଳଲା । ବୋଧହୁଏ ମହାପ୍ରଭୁ

ଆମକୁ ଆଉ କଷ୍ଟ ଦେବାକୁ ଚାହିଁଲେ ନାହିଁ । ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରି ଆମେ ଗାଡି ପାର୍କିଙ୍ଗ୍ ପାଖକୁ ଫେରି ଆସିଲୁ । ଏତେ ବଡ ପାର୍କିଙ୍ଗ୍ ରେ ଗାଡି କେଉଁ ଜାଗାରେ ରଖିଛି ଜାଣିବାଟା କଷ୍ଟ । ମୋବାଇଲ୍ ପାଖରେ ଥିବାରୁ ମୁଁ ଡ୍ରାଇଭରକୁ ଫୋନ୍ କଲି ଓ ଗାଡି ପାଖରେ ବିନା ବିଳମ୍ବରେ ପହଞ୍ଚିଗଲୁ । ଏହି ସମୟରେ ଶିବାଶିଷ ବାବୁ କହିଲେ ," ସାର୍ ଆପଣ ମୋବାଇଲ୍ ପାଖରେ ରଖିଥିବାରୁ ଆମେ ସହଜରେ ଗାଡି ପାଖରେ ପହଞ୍ଚିଗଲେ ନହେଲେ ସମୟ ଗୁଡିଏ ଏଠି ନଷ୍ଟ ହୋଇଥାନ୍ତା । ପରେ ପରେ ଆମେ ଫେରିଆସି ଭୁବନେଶ୍ୱରରେ ପହଞ୍ଚି ଯାଇଥିଲୁ ।


ଡ୍ରାଇଭରକୁ ଆଉ ତିନି ଶହ ଟଙ୍କା ଦେଇ ବିଦା କଲି । ଗଲାବେଳେ ସେ କହିଲା , " ସାର୍ ଆଗକୁ ଯେତେବେଳେ ଦରକାର ପଡିବ ମୋତେ କାହା ମାଧ୍ୟମରେ ନ ଯାଇ ସିଧା ସଳଖ ଫୋନ୍ କରିବେ । ପ୍ରକୃତରେ ମୋର ପାଉଣା ଛଅ ଶହ ଟଙ୍କା । ଅବଶିଷ୍ଟ ଦୁଇ ଶହ ଟଙ୍କା ମୋତେ ମଧ୍ୟସ୍ଥିକୁ ଦେବାକୁ ହେବ । ହଉ ସାର୍ ନମସ୍କାର " କହି ସେ ଚାଲି ଯାଇଥିଲା ।

ସେ ପର୍ଯ୍ୟନ୍ତ ପତ୍ନୀ ମୋର ଚୁପ୍ ଚାପ ଥିଲେ । ଘର ଭିତରେ ପଶୁ ପଶୁ ସେ କହିଲେ, " ସେ ଡ୍ରାଇଭର୍ ଟା ଆଜି ତମକୁ ଭଲ କରି ପାନେ ଚଖେଇଲା । କେମିତି ତମେ ଚୁପ ଚାପ୍ ପକେଟରୁ ଟଙ୍କା ବାହାର କରି ଦେଇଦେଲ ? ପ୍ରଥମତଃ କହିବାକୁ ଗଲେ ସେ କେବଳ ଧୂର୍ତ୍ତ ନୁହେଁ ମହାଧୂର୍ତ୍ତଟିଏ । ଗାଡି ବାହାରେ ରଖିବାକୁ କହିଲା ବେଳେ ଆମେ ତା କଥାରେ ରାଜି ହୋଇଯିବାଟା ଆଉ ତାର କଥା ମାନି ଜୋତା, ମୋବାଇଲ୍ ଗାଡି ଭିତରେ ଛାଡି ଦେଇ ଯିବା ଆମ ମାନଙ୍କର ଏକ ବିରାଟ ଭୁଲ୍ । ତା'ର ଉଦ୍ଦେଶ୍ୟ ଆମ ମଧ୍ୟରୁ କେହି ବି ଠଉରେଆ ପାରିଲେ ନାହିଁ କିପରି ? ସେ ନିଶ୍ଚିତ ଭାବେ ପୁରୀରୁ କୌଣସି ନିକଟସ୍ଥ ଜାଗାକୁ ପାସେଞ୍ଜର ପାଇକରି ସର୍ଟ ଟ୍ରିପ୍ ଗୋଟେ କରିଛି । ତାକୁ ଯିଏ ଜୁଟେଇଥିଲା ତା ଠାରୁ ଫୋନ୍ କଲ୍ ପାଇବା ପରେ ସେ ଶୀଘ୍ର ଆସିବାକୁ ଚେଷ୍ଟା କରିଛି ହେଲେ ଆମପାଇଁ ସେଇଟା ବହୁତ ବିଳମ୍ବ ହୋଇଗଲା । ପୋଲିସ୍ ଅଟକେଇଲା ବୋଲି କହିବାଟା ସମ୍ପୂର୍ଣ୍ଣ ମିଛଥିଲା କାରଣ ସେ ଦିଗରୁ ଲଗାତାର ଗାଡିମାନ ଆସୁଥିବାର ଆମେ ସମସ୍ତେ ନିରୀକ୍ଷଣ କରୁଥିଲେ । ସେ ଭୁଲ କାମ କରିଥିବା ସତ୍ତ୍ୱେ ତାକୁ କେହି କିଛି ନକହିବାଟା ତା ପାଇଁ ମଧ୍ୟ ଚିନ୍ତାର ବିଷୟ ଥିଲା । ତେଣୁ ସେ କିପରି ଆଗତୁରା ଟଙ୍କାଟା ନେଇଯିବ ସେଥିପାଇଁ ମନେ ମନେ ପ୍ଳାନ କରି ଝିଅ ପାଇଁ ଡ୍ରେସ୍ କିଣିବା ବାହାନାରେ ପାଞ୍ଚଶହ ଟଙ୍କା ନେଇଗଲା ଓ ପରେ ଡ୍ରେସ୍ ଟା ସାନ ହେବ ବୋଲି କହି ଡ୍ରେସ୍ ଫେରେଇ ଦେଇ ଦୋକାନୀଠାରୁ ଟଙ୍କା ନେଇ ଆସିଲା । ତା ହିସାବରେ ସେ ଆଗରୁ ନେଇଥିବା ଶହେ ଟଙ୍କା ଓ ଇଏ ପାଞ୍ଚ ଶହ ମିଶେଇଲେ ତାର ପାଉଣା ବାବଦକୁ ଛଅ ଶହ ଟଙ୍କା ହୋଇଗଲା । ମଧ୍ୟସ୍ଥିକୁ କହିଥାଆନ୍ତା ଯେ ସେମାନେ ଛଅ ଶହ ଟଙ୍କା ଦେଲେ ବୋଲି । କେମିତି ଏ ସବୁ କଥା ତମମାନଙ୍କର ମୁଣ୍ଡକୁ ଷ୍ଟ୍ରାଇକ୍ କଲା ନାହିଁ ମୁଁ ସେହି କଥା ଭାବୁଛି । ପ୍ରକୃତରେ ଆଜି କାଲି ଯିଏ ନରମ ହେଲା ସେ ଠକାମୀରେ ପଡିଲା ।"

ହଉ ଭୁଲି ଯାଅ ସେ କଥା ବୋଲି ପତ୍ନୀଙ୍କୁ କହି ସେ ଅଧ୍ୟାୟ ସମାପ୍ତ କରିବାକୁ କହିଥିଲି ।

                *********


         


Rate this content
Log in

Similar oriya story from Inspirational