ମଳମୁକ୍ତ ଗ୍ରାମ ସହ ମଳଯୁକ୍ତ ସହର
ମଳମୁକ୍ତ ଗ୍ରାମ ସହ ମଳଯୁକ୍ତ ସହର
====================
ନବ ବାବୁ ଭୁବନେଶ୍ବରେ ରହନ୍ତି କିନ୍ତୁ ଏଇ କିଛି ଦିନ ହେଲା ସସ୍ତ୍ରୀକ ପୁନେ ଆସିଛନ୍ତି । ପୁନେରେ ପୁଅ ବୋହୁ ଓ ନାତି ରହୁଛନ୍ତି । ପୁଅ ବାଧ୍ୟ କରିବାରୁ ଆସିଛନ୍ତି କିଛିଦିନ ରହିକରି ଯିବେ । ଏଠି ଆସି ସମୟ କିପରି କଟେଇବେ ତାଙ୍କ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଛି । ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ତେଣୁ ଘରଟା ଭିତରେ କେତେ ସମୟ ବସି ଟିଭି ଚ୍ୟାନେଲ୍ ଏପଟ ସେପଟ କରି ଦେଖିବେ ? ଆସୁ ଆସୁ ପୁଅର ନିର୍ଦେଶ ସବୁଦିନେ ସକାଳେ ଓ ସନ୍ଧ୍ୟାରେ ଚାଲିବାକୁ ଯିବାପାଇଁ । ସେଥିପାଇଁ ନବ ବାବୁ ସକାଳୁ ସକାଳୁ ଚାଲିବା ପାଇଁ ବାହାରି ପଡିଛନ୍ତି ।
ସକାଳୁ କୁଣ୍ଡା ଝାଡିଲା ପରି ଟିକେ ବର୍ଷା ହୋଇ ଛାଡି ଯାଇଛି । କାଳେ ପୁଣି ବର୍ଷା ହୋଇପାରେ ସେଥିପାଇଁ ହାତରେ ଫୋଲ୍ଡିଙ୍ଗ ଛତାଟା ବି ଧରିଛନ୍ତି । ଫୁଟ୍ ପାଥରେ କିଛି ବାଟ ଚାଲି ଚାଲି ଯିବା ପରେ ସାମନା ଆଡୁ ତାଙ୍କ ଭଳି ଜଣେ ବୟସ୍କ ଲୋକ ଆସୁଥିବାର ଦେଖିଲେ । ସେ ଯେତେ ନିକଟ ହେଉଥାଆନ୍ତି ମୁହଁଟା ଚିହ୍ନା ଚିହ୍ନା ଲାଗୁଥାଏ । ପାଖରେ ପହଞ୍ଚି ଭଦ୍ରବ୍ୟକ୍ତି ଜଣକ ଅଟକି ଯାଇ କହିଲେ," ଆରେ ନବ ବାବୁ ନମସ୍କାର । ଆପଣ କଣ ଏଠି କେବେଠାରୁ ? ବିଶ୍ବାସ ହେଉନି ମୁଁ ସତରେ ନବ ବାବୁଙ୍କ ସଙ୍ଗରେ ନା ଆଉ କାହା ସଙ୍ଗରେ କଥା ହେଉଛି ।"
ନବ ବାବୁ ସଙ୍ଗେ ସଙ୍ଗେ ତାଙ୍କ ସହ ହାତ ମିଳେଇ କହି ଉଠିଲେ , " ହଁ ରବି ବାବୁ ବଡ଼ ଭାଗ୍ୟ ମୋର ଆଜି । ହଠାତ୍ ବହୁଦିନ ପରେ ଆପଣଙ୍କ ସହ ପୁନେରେ ଅଚାନକ ଭାବେ ଭେଟ ହୋଇଯିବ ବୋଲି ମୁଁ କେବେ ବି କଳ୍ପନା କରି ନଥିଲି । ହଉ ଏବେ ଆପଣ ଆସନ୍ତୁ ମୋ ସହିତ । ଆଗରେ ସେ କଣମୁଣ୍ଡରେ ଯେଉଁ ଚାହା ଦୋକାନଟି ଅଛି ସେଇଠି ବସି ଚା ପିଇବା ଆ ଉ ଟିକେ କଥା ବି ହେବା । ରିଟାୟରମେଣ୍ଟ୍ ପରେ ଏଇଟି ପ୍ରଥମ ଥର ପାଇଁ ଦେଖା ହେଲା " ।
ରବି ବାବୁ ଓ ନବ ବାବୁ ଚାଲି ଚାଲି ସେ ଚା ଦୋକାନରେ ପହଞ୍ଚି ଗଲେ । ଚା ଦୋକାନୀକୁ ଦୁଇଟି କମ ଚିନି ବାଲା ଚା କଡ଼ା କରି ତିଆରି କରିବାକୁ କହି ଦୁଇ ବନ୍ଧୁ କଥାବାର୍ତ୍ତା ରେ ଵ୍ୟସ୍ତ ରହିଗଲେ ।
କଥାବାର୍ତ୍ତା ଭିତରେ ନବ ବାବୁ ପଚାରିଲେ , " କଣ ରବି ବାବୁ ପୁନେରେ ପୁଅ ରହୁଛି ? "
"ହଁ ପୁଅ ତା'ର ପରିବାର ଧରି ପ୍ରାୟ ୭/୮ ବର୍ଷ ହେବ ଏଇ ପୁନେରେ ରହୁଛି ।"
ସଂଗେ ସଂଗେ ନବ ବାବୁ କହିଲେ , " ହଁ ଭଲ ହେଲା ଆର ବର୍ଷକୁ ଆଗରୁ କଥା ହୋଇ ଏକ ସମୟରେ ଆସିବା । ଏକାଠି ଆସିଲେ ଏଠାରେ ଆଉ ଏକୁଟିଆ ଲାଗବନି ।"
- ଆପଣ ଯାହା କହୁଛନ୍ତି ଠିକ୍ ଯେ ହେଲେ ମୋର ଆଉ ଆସିବାକୁ ଆଦୌ ଇଚ୍ଛା ନାହିଁ ବୋଲି କହିଲେ ରବି ବାବୁ ।
କାଇଁ କିଛି ଅସୁବିଧା ହେଲା କି ବୋଲି ପଚାରିଲେ ନବ ବାବୁ ।
" ନାହିଁ ସେପରି କିଛି ନୁହେଁ, ହେଲେ ମତେ କାହିଁକି ଭୁବନେଶ୍ବର ପରିକା ଏଠି ଭଲ ଲାଗୁନାହିଁ " ।
ହୁଏତ ରବି ବାବୁ ଖୋଲିକରି କିଛି କହିବାକୁ ଚାହୁଁ ନଥିଲେ । ନବ ବାବୁ ବି ତାଙ୍କୁ ସେ ସମ୍ଭନ୍ଦରେ ଆଉ କିଛି ପଚାରିଲେ ନାହିଁ । ହଠାତ୍ ରବି ବାବୁ କଥାର ମୋଡ଼ ବଦଳାଇ କହିବା ଆରମ୍ଭ କଲେ -
"ଆଚ୍ଛା ନବ ବାବୁ ଆପଣ ଭୁଶନେଶ୍ବରରେ ରହୁଛନ୍ତି ଆଉ ମୁଁ ବି ସେହି ଭୁବନେଶ୍ବରରେ ବହୁଦିନ ହେଲାଣି ରହୁଛି । ଆପଣ ଜାଣିଥିବେ ଭୁବନେଶ୍ବର ଆଉ ପୁନେ ଦୁଇଟି ଯାକ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯାଇଛି । ଦୁଇଟି ଯାକ ସହରକୁ ଯଦି ତୁଳନା କରାଯାଏ ଆପଣ କାହାକୁ ଭଲ ବୋଲି କହିବେ ? "
ରବି ବାବୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବ ବାବୁ କହିଲେ , " ଦେଖନ୍ତୁ ଭୁବନେଶ୍ବର ମୋର ନିଜର ସହର ହେଲେ ବି ମୁଁ ତା'ର ପ୍ରଶଂସା କରି କହିବି ତା ନୁହେଁ । ପ୍ରକୃତରେ ଯେଉଁଟା ଭଲ ତାକୁ ସମସ୍ତେ ଭଲ କହିବେ ଆଉ ଯେଉଁଟା ଖରାପ ସେଇଟାକୁ ଖରାପ ହିଁ କହିବେ । ତେବେ ମୋତେ ପୁନେର କ୍ଳାଇମେଟ୍ ଭାରି ଭଲ ଲାଗେ । ଖରାଦିନେ ପୁନେରେ ଖାଲି ଫ୍ୟାନ୍ ରେ ଚଳି ଯାଉଛି ହେଲେ ଭୁବନେଶ୍ବରଟା ତ ପୂରା ହଟ୍ ଚାମ୍ବର ପରିକା । ଦିନ ରାତି ୨୪ ଘଣ୍ଟା ଏସି ନ ଲଗେଇଲେ ରହି ହେବ ନାହିଁ । ଏହି ଦୃଷ୍ଟିରୁ ପୁନେ ମୋତେ ଖରାଦିନେ ଆସିବାକୁ ଭଲ ଲାଗେ । "
ରବି ବାବୁ ଆଉ ଥୟ ଧରି ରହି ପାରିଲେ ନାହିଁ । ଭୁବନେଶ୍ବରର ନିନ୍ଦା କଥା ସେ ଆଦୌ ସହି ପାରିଲେ ନାହିଁ । ସାଙ୍ଗେ ସାଙ୍ଗେ କହିବାକୁ ଆରମ୍ଭ କଲେ -
" ଆଚ୍ଛା ନବ ବାବୁ ଆପଣ ତ ଜାଣିଛନ୍ତି ଆମ ପ୍ରଧାନ ମନ୍ତ୍ରୀ
କିଛି ବର୍ଷ ପୂର୍ବରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ଉଦ୍ଦେଶ୍ୟ ହେଉଛି ସାରା ଦେଶର ପରିବେଶକୁ ସ୍ବଚ୍ଛ ରଖିବା । ଏହାକୁ ସଫଳ କରିବା ପାଇଁ ମାଗଣା ସୌଚାଳୟ ଗ୍ରାମର ପ୍ରତି ପରିବାରକୁ ସରକାରଙ୍କ ତରଫରୁ ଦିଆଯାଇଛି । ଅବଶ୍ୟ ଗାଁ ମାନଙ୍କରେ କିଛି ଲୋକ ଟଙ୍କା ପାଇକରି ମଧ୍ୟ ସୌଚାଳୟ କରିନାହାଁନ୍ତି ଆଉ କିଛି ଲୋକ ନିଜର ଆଗରୁ ଥିବା ସୌଚାଳୟକୁ ଦେଖେଇ ଟଙ୍କା ପକେଟରେ ପକେଇ ଦେଇଛନ୍ତି । ପ୍ରତି ଗ୍ରାମର ଦୁଇ ମୁଣ୍ଡରେ ମଳମୁକ୍ତ ଗ୍ରାମ ବୋଲି ଲେଖାହୋଇ ଫଳକ ଲଗା ଯାଇଛି । ସେ ଯାହାହେଉ ଗାଁ ଗୁଡିକ ଏକ ପ୍ରକାର ମଳମୁକ୍ତ ହୋଇଛନ୍ତି ବୋଲି କହିବାକୁ ପଡିବ । କିନ୍ତୁ ସହର ଗୁଡିକ ଏବେ ମଳଯୁକ୍ତ ହେଲା ପରି ଲାଗୁଛି । ଆମ ଭୁବନେଶ୍ବରରେ ଏ ବିଷୟ ମୋ ଦୃଷ୍ଟିକୁ ଆସି ନଥିଲା । କିନ୍ତୁ ପୁନେରେ ମୁଁ ଯାହା ଦେଖୁଛି ସହରଟା ମଳଯୁକ୍ତ ହୋଇଗଲାଣି । ଅବଶ୍ୟ ମଣିଷ ମଳ ନୁହେଁ । ଏ ସବୁ ବିଶେଷ କରି ପୋଷା କୁକୁର ମାନଙ୍କର ମଳ । ସକାଳେ ଆଉ ସନ୍ଧ୍ୟାରେ ମୁଁ ପ୍ରାୟ ପ୍ରତିଦିନ ଚାଲିବାକୁ ଆସୁଛି । ଚାଲିବାକୁ ହେଲେ ଫୁଟ୍ ପାଥରେ ହିଁ ଚାଲିବାକୁ ପଡିବ କାରଣ ଫୁଟ୍ ପାଥ ତଳକୁ ଉଭୟ ପାର୍ଶ୍ବରେ କାର୍ ଗୁଡିକ ପାର୍କିଂ କରାଯାଇଛି ଓ ଅବଶିଷ୍ଟ ରାସ୍ତାରେ ଗାଡି ଚଳାଚଳ ହେଉଛି । ଫୁଟ୍ ପାଥରେ ଚାଲିଲା ବେଳେ ତଳକୁ ଅନେଇ ଚାଲିବାକୁ ପଡିବ ନଚେତ୍ ବିଲାତି କୁକୁରଙ୍କ ମଳକୁ କେତଥର ଚକଟିବେ କହି ହେବ ନାହିଁ । ଆଜି ନବ ବାବୁ ମୁଁ ଆସିବା ବେଳେ ଟିକିଏ ଅନ୍ୟମନସ୍କ ହୋଇଯାଇଛି ଆଉ ଠିକ୍ ସେହି ସମୟ ଭିତରେ ମୁଁ ଗୋଟାଏ ଯାଗାରେ ସେ କୁକୁର ମଳକୁ ମାଡିଦେଲି । ସେତିକ ବେଳଠୁ ମୋର ମୁଡ୍ ପୂରା ଖରାପ ହୋଇ ଯାଇଛି । ପ୍ରଶାସନର କିଛି ଦାୟିତ୍ବ ନାହିଁ ଖାଲି ନାମକୁ ମାତ୍ର ସ୍ମାର୍ଟ ସିଟି କହିଲେ ଲାଭ କଣ ? କେବଳ ପୋଷା କୁକୁର ନୁହଁନ୍ତି ,ବୁଲା କୁକୁରଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ସେମାନଙ୍କ ପାଦୁର୍ଭାବ ମଧ୍ୟ ବିପଦଜନକ । ହଁ ନବ ବାବୁ ମୁଡ୍ ଟା ଠିକ୍ ନଥିଲା ତ ସେଥିପାଇଁ କହିଦେଲି ଆଉ ପୁନେ ଆସିବିନି ବୋଲି । ଆସନ୍ତା ବର୍ଷ ଏଇ ଖରାଦିନେ ଆଗରୁ କଥା ହୋଇ ଆସିବା । "
ହଉ ଠିକ୍ ଅଛି ବୋଲି କହି ନବ ବାବୁ ଘରକୁ ଫେରିଲେ ।
ସତରେ ଆମେ ବହୁତ ବଡ଼ ବଡ଼ ଯୋଜନା କରି ଟଙ୍କା ଖର୍ଚ୍ଚ କରୁଛେ ହେଲେ ଏପରି ଛୋଟ ଛୋଟ କଥା ପ୍ରତି ଦୃଷ୍ଟି ଦେଉନାହେଁ ।
**********
ବାଉରିବନ୍ଧୁ ଲେଙ୍କା
ଦି ପର୍ଲ ରେସିଡେନ୍ସି , ଦୁର୍ଗାମାଧବ ନଗର
ଭୁବନେଶ୍ବର 9853535844
Published in parjyabekshyak on 21.07.2421.07.24
