ପ୍ରତିଦାନ ======
ପ୍ରତିଦାନ ======
ଆଜି ମାଟ୍ରିକ୍ ରେଜଲ୍ଟ ବାହାରିବାର ଅଛି । ପରୀକ୍ଷା ଦେଇଥିବା ପିଲାମାନେ ସ୍କୁଲରେ ଗହଳି କରିଛନ୍ତି ରେଜଲ୍ଟ ଜାଣିବା ପାଇଁ। ସ୍କୁଲ ଯଦିଓ ଗ୍ରୀଷ୍ମ ଛୁଟି ପାଇଁ ବନ୍ଦ ରହିବା କଥା ରେଜଲ୍ଟ ବାହାରିବ ବୋଲି ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କେତେଜଣ ଶିକ୍ଷକ ସ୍କୁଲରେ ଉପସ୍ଥିତ ଅଛନ୍ତି । ରାମ ସାର୍ ବୋର୍ଡ ଅଫିସ୍ ଯାଇଛନ୍ତି ରେଜଲ୍ଟ ଆଣିବା ପାଇଁ । ପ୍ରାୟ ଚାରିଟା ପାଞ୍ଚଟା ସୁଦ୍ଧା ଆସି ପହଁଚିବେ ବୋଲି ସମସ୍ତେ ତାଙ୍କ ଅପେକ୍ଷାରେ ଅଛନ୍ତି । କିଛି ପରୀକ୍ଷାର୍ଥୀ ରେଜଲ୍ଟ କାଳେ ଖରାପ ହେବା ଆଶଙ୍କାରେ ମନ ଦୁଃଖ କଲାପରି ଲାଗୁଛନ୍ତି । ଆଉ ପାଞ୍ଚ ଦିନ ପରେ ରଜ । ରେଜଲ୍ଟ ଭଲ ନହେଲେ ରଜଟା ପାଣିଚିଆ ହୋଇଯିବ । ଏତେ ପିଲା ଆସିଛନ୍ତି ହେଲେ ରଙ୍କର ଦେଖା ନାହିଁ । ସେ ନିଦକରେ ଘରେ ଶୋଇଛି । ସେ ତ କ୍ଲାସରେ ଟପର ହୁଏ । ରେଜଲ୍ଟ ପାଇଁ ତାର ଭୟ ନାହିଁ ହେଲେ ଓଡ଼ିଶାରେ ବେଷ୍ଟେନ୍ତ୍ ଦଶ ଜଣଙ୍କ ଭିତରେ ସେ ରହିବ କି ନାହିଁ ସେଇଟା କେବଳ ଜାଣିବା କଥା । ବେଷ୍ଟେନ୍ତ୍ ପାଇଲେ କି ଫେଲ୍ ହେଲେ ତାକୁ କିଛି ଫରକ ପଡ଼ିବନି କାରଣ ତାକୁ କଲେଜରେ ପଢେଇବାକୁ ତା ବାପାଙ୍କର ଆର୍ଥିକ ସମ୍ବଳ ନାହିଁ ।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରାମ ସାର୍ ଆସି ପହଞ୍ଚିଗଲେ । ରେଜଲ୍ଟ ସିଟ୍ ଓ ମାର୍କ ସିଟ୍ ରହିଥିବା ପ୍ୟାକେଟଟିକୁ ପ୍ରଧାନ ଶିକ୍ଷକଙ୍କୁ ବଢ଼େଇଦେଲେ । ପ୍ରଧାନ ଶିକ୍ଷକ ଆଉ ଡେରି ନକରି ପ୍ୟାକେଟଟିକୁ ଖୋଲିଲେ ଓ ନିଜେ ରେଜଲ୍ଟ ସିଟକୁ ପଢି ଶୁଣାଇଲେ । ସମୁଦାୟ ପଞ୍ଚାବନ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଆଠ ଜଣ ପ୍ରଥମ ଶ୍ରେଣୀ, ୩୨ଜଣ ଦ୍ବିତୀୟ ଶ୍ରେଣୀ, ୧୩ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ଏବଂ ମାତ୍ର ଦୁଇ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ପିଲାଙ୍କ ମଧ୍ୟରେ ରଙ୍କ ବେଷ୍ଟେନ୍ତ୍ ପାଇଛି ଏବଂ ସମଗ୍ର ଓଡ଼ିଶାରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ସ୍କୁଲର ଏପରି ଅଭୂତପୂର୍ବ ସଫଳତା ଦେଖି ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ଓ ସେଠାରେ ଥିବା ପିଲାମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଗ୍ରାମାଞ୍ଚଳରେ ରହିଥିବା ଏହି ସ୍କୁଲ ଏପରି ରେଜଲ୍ଟ କରିବ ବୋଲି କେହି ବି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ । ରଙ୍କର ବେଷ୍ଟେନ୍ତ୍ ପାଇବା ସ୍କୁଲ ପାଇଁ ଏକ ଗୌରବର କଥା । ତାକୁ ବଧେଇ ଜଣାଇବା ପାଇଁ ତାକୁ ଡ଼ାକିବା ପାଇଁ ପ୍ରଧାନ ଶିକ୍ଷକ କହିଲେ ।
ରଙ୍କ କିନ୍ତୁ ସେଠାରେ ଉପସ୍ଥିତ ନଥିଲା । ରଙ୍କର ଘର ସ୍କୁଲ ନିକଟରୁ ବେଶୀ ଦୂର ହୋଇ ନଥିବାରୁ ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ଓ ସେଠାରେ ଉପସ୍ଥିତ ଥିବା ପିଲାମାନେ ରଙ୍କକୁ ଅଭିନନ୍ଦନ ଜଣାଇବା ପାଇଁ ତା ଘରକୁ ଯିବା ଲାଗି ବାହାରି ପଡିଲେ । ରଙ୍କର ଘର ନିକଟରେ ସ୍କୁଲର ସମସ୍ତ ଶିକ୍ଷକ ଓ ପିଲାମାନଙ୍କର ଗହଳି ଦେଖି ଗାଁର ପିଲାମାନେ ଓ କିଛି ବୟସ୍କ ଲୋକ ମଧ୍ୟ ସେଠାରେ ରୁଣ୍ଡ ହୋଇଗଲେ । ରଙ୍କର ବେଷ୍ଟେନ୍ତ ପାଇବା ଓ ସ୍କୁଲର ଭଲ ରେଜଲ୍ଟ ବିଷୟରେ ଜାଣି ସମସ୍ତେ ଖୁସିରେ କରତାଳି ମାରି ରଙ୍କକୁ ଅଭିନନ୍ଦନ ଜଣାଇଲେ । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବାବୁ ଘର ଭିତରକୁ ଯାଇ ରଙ୍କକୁ କୁଣ୍ଢେଇ ପକାଇଲେ ଓ ତାର ଏହି ଅଭୂତପୂର୍ବ ସଫଳତା, ସ୍କୁଲ୍ ପାଇଁ ଅତ୍ୟନ୍ତ ଗୌରବର ବିଷୟ ହୋଇଥିବାରୁ ସେ ତାକୁ ଅଭିନନ୍ଦନ ଜଣେଇବା ସହ ବହୁତ ବହୁତ ଆଶୀର୍ବାଦ ମଧ୍ୟ କଲେ ।
ରଙ୍କ, ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ମାନଙ୍କର ପାଦ ଛୁଇଁ ପ୍ରଣାମ ଜଣେଇ କହିଲା-
" ଆଜି ମୋର ଏହି ସଫଳତାର ଶ୍ରେୟ ମୁଁ ମୋର ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କୁ ଦେଉଛି । ମୋ ପାଇଁ ସେମାନଙ୍କର ଅକୁଣ୍ଠ ପରିଶ୍ରମ ମୋତେ ଆଜି ଏହି ସଫଳତା ଦେଇ ପାରିଛି । ମୁଁ ସେମାନଙ୍କ ପାଖରେ ଚିର ଋଣୀ ହୋଇ ରହିବି । "
ଏଇ ସମୟରେ ରଙ୍କର ବାପା ରଘୁ ଆସି ସବୁ ସାର୍ ମାନଙ୍କୁ ନମସ୍କାର କରି କହିଲେ-
" ଆପଣମାନେ ମୋ ପରି ଏକ ଗରିବର ଦୁଆରେ ପାଦ ପକେଇ ମୋତେ ଧନ୍ୟ କରିଦେଲେ । ମୁଁ ମୋର ହୃଦୟରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଆପଣମାନେ କିଛି ସମୟ ଅପେକ୍ଷା କରନ୍ତୁ, ମୁହଁ ମିଠା କରିଯିବେ । "
ପ୍ରଧାନ ଶିକ୍ଷକ ରଘୁକୁ ଟିକେ ଦୂରକୁ ଡାକି ନେଇ ପଚାରିଲେ- ରଙ୍କର ପଢିବା ବ୍ୟବସ୍ଥା କଣ କରୁଛ ?
- " ସାର୍ ! ଆପଣ ତ ଜାଣନ୍ତି ମୋର ଅବସ୍ଥା । ମୋର ସମ୍ବଳ କାହିଁ ତାକୁ କଟକ କି ଭୁବନେଶ୍ୱର ଭଳି ସହରରେ ପାଠ ପଢେଇବାକୁ ? ସ୍କୁଲଟା ଘର ପାଖରେ ଥିବାରୁ ଘରୁ ଖାଇ ପିଇ ଯାଇ ମାଟ୍ରିକଟା ପାସ୍ କରିଦେଲା । ଏବେ ଘରେ ରହି ମୋତେ ଚାଷ ବାସରେ ସାହାଯ୍ୟ କରିବ । ମୋର ନିଜର ତ ବହୁତ କମ ଜମି । କିଛି ଭାଗଦିଆ ଚାଷ କରିଛି । ସେ ତ ଆଗରୁ କାମଦାମ କରିନି, ଯେତିକି ପାରିବ କରିବ । ଝିଅ ଦୁଇଟି ବଡ । ତାଙ୍କ ତଳେ ଏ ରଙ୍କ । ବାହାଘର ଜୁଟିବାରୁ ବହୁତ କମ ବୟସରେ ଝିଅ ଦୁଇଜଣଙ୍କୁ ତୋଳାକନିଆ କରି ବାହା କରିଦେଇଛି । ଏ ଟୋକାଟା ଯଦି ଚାକିରି ବାକିରି ଖଣ୍ଡେ ପାଇଯାଏ ଆମର ଦୁଃଖ ଦୂର ହୋଇଯିବ । ଆଉ କଣ ବା ଅଧିକ ଆପଣଙ୍କୁ କହିବି ?"
ଏକ ଭାରାକ୍ରାନ୍ତ ମନ ନେଇ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବାବୁ ଘରକୁ ଫେରିଲେ ଓ ଅନ୍ୟ ଶିକ୍ଷକ ଓ ପିଲାମାନେ ନିଜ ନିଜର ଘରକୁ ଫେରିଗଲେ । ଚାରିଆଡେ ଖବର ଖେଳିଗଲା ରଘୁଆ ପ୍ରଧାନ ପୁଅ ବେଷ୍ଟେନ୍ତ୍ ପାଇଛି ।
ଲୋକମାନେ କଥା ହେଉଥିଲେ-
ଦେଖୁଛ ପଙ୍କ ଭିତରେ କେମିତି ପଦ୍ମ ଫୁଟିଛି । ଆମେ ହଜାର ହଜାର ଖର୍ଚ୍ଚ କରି ପିଲାକୁ ଟିଉସନ କରେଇ ପାସ୍ ଟେ କରିବା କଷ୍ଟ ହେଉଛି କିନ୍ତୁ ରଘୁଆ ଗଣ୍ଡ ମୂର୍ଖ ଓ ଅତି ଗରିବ ହୋଇ ବି ତା ପୁଅ ବେଷ୍ଟେନ୍ତ୍ ପାଉଛି ।
ସୁରେନ୍ଦ୍ର ବାବୁ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା । ଘରେ ପହଞ୍ଚି ଦେଖନ୍ତି ତ ସାନଭାଇ ଦେବ ତା'ର ସ୍ତ୍ରୀ ଓ ଝିଅ ଲୀନୁକୁ ଧରି ଆସି ପହଞ୍ଚିଛନ୍ତି । ସୁରେନ୍ଦ୍ର ବାବୁ ଯାଇ ସୋଫା ଉପରେ ବସି ପଡିଲେ । ଦେବ , ତା'ର ସ୍ତ୍ରୀ ଓ ଝିଅ ଲୀନୁ ଆସି ମୁଣ୍ଡିଆ ମାରିଲେ । ଦେବକୁ ବସିବାକୁ କହି କେତେବେଳେ ଆସି ପହଞ୍ଚିଲ ବୋଲି ପଚାରିଲେ । ରଙ୍କର କଥା ସୁରେନ୍ଦ୍ର ବାବୁଙ୍କ ମୁଣ୍ଡରେ ଖେଳୁଥିଲା । ସାନଭାଇ ସହ କଥାବାର୍ତ୍ତା କରିବା ସମୟରେ ସେ ଚିନ୍ତିତ ଥିଲା ପରି ଲାଗୁଥିଲେ । ଏ କଥା ଦେବ ବାବୁ ଲକ୍ଷ୍ୟ କରି ପଚାରିଲେ -
" ଭାଇ କଣ ଅସୁବିଧା ହୋଇଛିକି ? ତମ ମୁହଁରୁ ଜଣାପଡୁଛି ତମେ କଥା ହେଲାବେଳେ ଅନ୍ୟ କିଛି ବିଷୟରେ ଭାବୁଛ । "
- " ନାଇଁ ସେମିତି କିଛି ହୋଇନି । ଆଜି ମୋ ପାଇଁ ଏକ ବହୁତ ଭଲ ଦିନ । ଆଜି ମାଟ୍ରିକ୍ ରେଜଲ୍ଟ ବାହାରିଲା । ଆମ ସ୍କୁଲ୍ ବହୁତ ଭଲ ରେଜଲ୍ଟ କରିଛି । ମୋ ସମୟରେ ସ୍କୁଲର ଗୋଟିଏ ପିଲା ବେଷ୍ଟେନ୍ତ୍ ପାଇଛି । ଆଗରୁ ଆମ ସ୍କୁଲରୁ କୌଣସି ପିଲା ଏହି ଗୌରବ ହାସଲ କରି ନଥିଲେ । ଗୋଟିଏ ଗ୍ରାମାଞ୍ଚଳର ସ୍କୁଲ ହୋଇ ଏପରି ରେଜଲ୍ଟ କରିବା ଛୋଟିଆ କଥା ନୁହେଁ । ସେଇ ପିଲାର ଘରକୁ ଆମେ ସମସ୍ତେ ମିଶି କରି ଯାଇଥିଲୁ ତାକୁ ଭିନନ୍ଦନ ଜଣେଇବା ସହିତ ଖୁସି କରେଇବା ପାଇଁ । ସେଇଠୁ ଏକ ଚିନ୍ତାଗ୍ରସ୍ତ ମନ ନେଇ ଘରକୁ ଫେରୁଛି । ସତରେ ଲୋକେ ଯାହା କୁହନ୍ତି -ଯାହାର ନାକ ଅଛି ତା'ର ଗୁଣା ନାହିଁ ଆଉ ଯାହାର ଗୁଣା ଅଛି ତା'ର ନାକ ନାହିଁ - କଥାଟି ପୂରା ସତ । ଯେଉଁ ପିଲା ଲାଗି ଆମେ ଖୁସିରେ ଫାଟି ପଡ଼ୁଥିଲୁ ସେ ପିଲାର ଖୁସି ଆଜି କିଏ ଛଡେଇ ନେଇଛି । ସେ ବଣମଲ୍ଲି ପରି ବଣରେ ଫୁଟି ଝଡିଯିବ । ତା'ର ମହକ କାହା ପାଖରେ ପହଞ୍ଚି ପାରିବ ନାହିଁ । ତା ବାପା ପାଖରେ ସମ୍ବଳର ଅଭାବ ତାକୁ କଟକ କିମ୍ବା ଭୁବନେଶ୍ୱରରେ ପଢେଇବା ପାଇଁ । ସ୍କୁଲରେ ସେପରି କିଛି ଫଣ୍ଡ ନାହିଁ ଯେଉଁଥିରୁ କିଛି ଅର୍ଥ ସାହାଯ୍ୟ କରି ଗୋଟିଏ ଗରିବ ମେଧାବୀ ଛାତ୍ରକୁ ପଢ଼ାଇବା ପାଇଁ । ତାରି କଥା ମୁଣ୍ଡକୁ ବାରମ୍ବାର ପଶି ଆସୁଛି । ତା ପାଇଁ କିଛି କରି ପାରୁ ନଥିବାରୁ ନିଜକୁ ଦୋଷୀ ବୋଲି ଅନୁଭବ କରୁଛି । ହଉ ତା ଭାଗ୍ୟରେ ଯାହା ଲେଖାଥିବ ତାହା ହିଁ ଘଟିବ । ଆମେ ଯେତେ ବାଡେଇ ପିଟିହେଲେ କିଛି ଲାଭ ହେବ ନାହିଁ ।"
ଦେବେନ୍ଦ୍ର ବାବୁ ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କରେ ଏକ ଅଫିସର ଭାବରେ କାମ କରନ୍ତି । ଭୁବନେଶ୍ୱରର ବିଜେବି ନଗରରେ ଗୋଟିଏ ଭଲ ଘର କରିଛନ୍ତି । ତାଙ୍କର ଝିଅ ଲୀନୁ ନବମ ଶ୍ରେଣୀରେ ପଢେ ।
ଭାଇଙ୍କ କଥା ଶୁଣିବା ପରେ ସେ କହିଲେ-
" ଭାଇ ତମେ ଯେଉଁଥି ପାଇଁ ଚିନ୍ତିତ ମୁଁ ସେହି ବିଷୟରେ ଗୋଟେ ପ୍ରସ୍ତାବ ରଖୁଛି । ଯଦି ତମ ମନକୁ ପାଇବ ମୋତେ ଜଣେଇବ । ତମେ ତ ଜାଣିଛ ଆମ ଲୀନୁ ଏବେ ନବମ ଶ୍ରେଣୀରେ ପଢୁଛି । ତା'ର ଆଭରେଜ ଷ୍ଟାଣ୍ଡାର୍ଡ । ତା ପାଇଁ ମୁଁ ଗୋଟିଏ ଟିଉଟରର ବ୍ୟବସ୍ଥା କରିଛି। ସେ ଘରକୁ ଆସି ମାଥ୍ ଓ ସାଇଁନ୍ସ ଦୁଇଟି ସବଜେକ୍ଟ ପଢ଼ାଉଛନ୍ତି । ସେଥିପାଇଁ ମୁଁ ପ୍ରତି ମାସରେ ତାଙ୍କୁ ଚାରି ହଜାର ଟଙ୍କା ଦେଉଛି । ସପ୍ତାହରେ ସେ ଚାରି ଦିନ ଆସନ୍ତି । ସେ ପିଲା ଯଦି ଆମ ଲୀନୁକୁ ଏ ଦୁଇଟି ସବଜେକ୍ଟରେ ଗାଇଡ଼୍ କରିପାରିବ ବୋଲି ତମର ହୃଦବୋଧ ହେଉଛି ତେବେ ସେ ଆମ ଘରେ ଖାଇ ପିଇ ରହି ପାରିବ ଓ ପାଖରେ ବିଜେବି କଲେଜରେ ଖୁସିରେ ପଢି ପାରିବ । ମୋର ଦୁଇ ଦୁଇଟା ଘର ଖାଲି ପଡିଛି। ଏଥିରେ ମୁଁ ତାକୁ କିଛି ଦୟା ଦେଖାଉ ନାହିଁ । ତମେ ଯଦି ବୁଝି କରି କହିବ, ମୁଁ ସେ ଟିଉଟର ଙ୍କୁ ଛଡେଇ ଦେବି ।"
ଦେବେନ୍ଦ୍ର ବାବୁଙ୍କ କଥା ଶୁଣିଲା ପରେ ସୁରେନ୍ଦ୍ର ବାବୁଙ୍କର ମୁଣ୍ଡ ହାଲୁକା ହୋଇଗଲା । ମନେ ମନେ ଭାବିଲେ ମଣିଷ ଚାହିଁଲେ କିଛି କରି ପାରିବନି ଯଦି ଭଗବାନଙ୍କର ଇଚ୍ଛା ନଥାଏ । ବୋଧେ ଦେବକୁ ଭଗବାନ ଦେବଦୂତ ଭାବେ ପଠେଇଛନ୍ତି । ଆଉ କାଳ ବିଳମ୍ବ ନକରି ସେ ଦେବକୁ କହିଲେ -
"ବହୁତ ଭଲ କଥା। ରଙ୍କ ବହୁତ ଭଲ ଭାବରେ ତାକୁ ପଢ଼େଇ ପାରିବ । ଅଳ୍ପ କିଛି ଦିନ ଭିତରେ ତମେ ନିଜେ ଦେଖି ପାରିବ ଲୀନୁର କି ପ୍ରକାର ପରିବର୍ତ୍ତନ ହେଉଛି । ରଙ୍କ ନିଶ୍ଚୟ ଯିବ । ତୁ ସେ ଟ୍ୟୁଟରଙ୍କୁ ମନା କରିଦେ ଆଉ ନଆସିବାକୁ ।"
ରଙ୍କ ଦେବେନ୍ଦ୍ର ବାବୁଙ୍କ ଘରେ ରହି ବିଜେବି କଲେଜରେ ସାଇନ୍ସରେ ଆଡ଼ମିସନ କରି ତା'ର କଲେଜ ପାଠ ଆରମ୍ଭ କରି ଦେଇଛି । ରଙ୍କ ଦେଖିବାକୁ ବହୁତ ସୁନ୍ଦର । ଗୋରା ତକ ତକ ପିଲାଟା । ଯିଏ ଦେଖିବ ନିଶ୍ଚୟ ଟିକେ ଚାହିଁବ । ଦେବେନ୍ଦ୍ର ବାବୁଙ୍କ ସ୍ତ୍ରୀ ତାକୁ ପୁଅ ପରିକା ଦେଖୁଛନ୍ତି । ପ୍ରଥମରୁ ସେ ତାକୁ କହିଦେଇଛନ୍ତି ଯେ ତାଙ୍କ ପାଖରେ ଆଦୌ ଲାଜ ନକରିବାକୁ । ଯେତେବେଳେ ଯାହା ଦରକାର ବିନା ସଂକୋଚରେ କହିବାକୁ କହିଛନ୍ତି । ରଙ୍କ ମଧ୍ୟ ବହୁତ ବୁଝିଲା ସୁଝିଲା ପିଲା । ସେ ପାଠ ପଢିବା ଲାଗି ତାଙ୍କ ଘରକୁ ଆସିଛି । ସେ ଯଦି କିଛି ଭୁଲ କାମ କରି ବସେ ତେବେ ନିଜ ବେକରେ ନିଜେ କୁରାଢ଼ୀ ମାରିଲା ପରି ହେବ । ତେଣୁ ନିଜେ ସଂଯତ ରହି ସବୁ କାମ କରିବାକୁ ନିଷ୍ପତି ନେଇଛି ।
ଏ ଭିତରେ ଦୁଇ ତିନି ମାସ ବିତିଗଲାଣି । ରଙ୍କ କଲେଜରେ ବେଷ୍ଟେନ୍ତ ପିଲା ଭାବେ ସମସ୍ତଙ୍କର ଚିହ୍ନା ହୋଇଗଲାଣି । କ୍ଲାସରେ ବି ତା'ର ଭଲ ପ୍ରଦର୍ଶନ ପାଇଁ ଅଧ୍ୟାପକମାନେ ତାକୁ ଭଲ ଭାବେ ଚିହ୍ନି ଗଲେଣି । ସ୍କୁଲରେ ଲୀନୁର ମଧ୍ୟ ପାଠ ପଢ଼ାରେ ବହୁତ ପରିବର୍ତ୍ତନ ଆସିଛି । ରଙ୍କ ଠାରୁ ଭଲ ଗାଇଡାନ୍ସ ପାଇ ତା'ର ଆତ୍ମବିଶ୍ୱାସ ବହୁତ ବଢ଼ି ଯାଇଛି । ଲୀନୁର ହଠାତ ଏପରି ଚେଞ୍ଜ ହେବାଟା ଶିକ୍ଷକମାନେ ମଧ୍ୟ ଲକ୍ଷ୍ୟ କରିଛନ୍ତି । ସ୍କୁଲରେ ଛଅ ମାସିଆ ପରୀକ୍ଷାରେ ଲୀନୁ ସମସ୍ତଙ୍କୁ ପଛରେ ପକେଇ ପ୍ରଥମ ସ୍ଥାନ ଅଧିକାର କରିଛି । ଲୀନୁର ପାଠପଢ଼ାରେ ଦେବେନ୍ଦ୍ର ବାବୁ ଓ ତାଙ୍କ ସ୍ତ୍ରୀ ବହୁତ ଆନନ୍ଦିତ । ରଙ୍କ ପାଇଁ ଏ ସବୁ ସମ୍ଭବ ହୋଇପାରିଛି ବୋଲି ସେମାନେ ଅନୁଭବ କରିଛନ୍ତି । ସ୍ୱାମୀ ସ୍ତ୍ରୀ ନିଜ ମଧ୍ୟରେ କଥା ହୋଇଛନ୍ତି କି ନିଶ୍ଚୟ ଏ ଭବିଷ୍ୟତରେ ଭଲ ମଣିଷଟିଏ ହେବ । ଲୀନୁ ପାଇଁ ସେ ଉପଯୁକ୍ତ ପାତ୍ରଟିଏ, ହେଲେ ଏବେ ସେ ସମୟ ଆସିନାହିଁ । ଏ ସମ୍ୱନ୍ଧରେ ଲୀନୁ କିମ୍ବା ରଙ୍କ ସାମାନ୍ୟତମ ହିଂଟ୍ସ ଯେପରି ନପାଆନ୍ତି, ସେଥିପାଇଁ ଦୁହେଁ ସତର୍କ ରହିବାକୁ ଠିକ କରିଛନ୍ତି । ସମୟ ଗଡିଚାଲେ । ଲୀନୁ ପ୍ରଥମେ ପ୍ରଥମେ ରଙ୍କ ପାଖରେ ଯେପରି ଲାଜ କରୁଥିଲା ଏବେ ଆଉ ସେପରି ନାହିଁ । ଆଜିକାଲି ଦୁଇଜଣ ଯାକ ବହୁତ ଫ୍ରି ରେ କଥା ହେଉଛନ୍ତି । ଯୌବନର ପ୍ରଥମ ପାହାଚରେ ପାଦ ଦେଇଛି ଲୀନୁ । ମନରେ ତା'ର ଅସୁମାରୀ ସ୍ୱପ୍ନ । ରଙ୍କକୁ ସେ ତା'ର ହୃଦୟରେ ସ୍ଥାନ ଦେଇ ସାରିଲାଣି । ଲୀନୁର ବିଭିନ୍ନ ସମୟର ଇଙ୍ଗିତକୁ ରଙ୍କ ଠିକ ବୁଝିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହିଁ । ସେ ଭଲ ଭାବେ ଜାଣେ ଯେ ତା'ର ମୂଳ ଲକ୍ଷ୍ୟ ହେଉଛି ପାଠ ପଢିବା । ସେ ଚାହେଁନି ତା'ର କୌଣସି ଭୁଲ ପାଇଁ ଦେବେନ୍ଦ୍ର ବାବୁଙ୍କ ପରିବାର ବଦନାମ ହୁଅନ୍ତୁ ।
ରଙ୍କ ପ୍ରି-ୟୁନିଭର୍ସିଟି( ସେତେବେଳେ ପ୍ରି-ୟୁନିଭର୍ସିଟି ଥିଲା) ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ସହିତ ୟୁନିଭର୍ସିଟିରେ ପୋଜିସନ ମଧ୍ୟ ରଖିଛି । ଲୀନୁ ମଧ୍ୟ ବାର୍ଷିକ ପରୀକ୍ଷାରେ କ୍ଲାସରେ ପ୍ରଥମ ହୋଇଛି । ତା'ର ଏପରି ସଫଳତା ପାଇଁ କ୍ଲାସରେ ସବୁ ପିଲାଙ୍କ ମଧ୍ୟରେ ଆଲୋଚନା ହେଉଛି ।
ଦଶହରା ଓ ଦୁର୍ଗାପୂଜା ପାଇଁ ସ୍କୁଲ କଲେଜ ସବୁ ଛୁଟି ହୋଇଛି । ଘରୁ ଆସିବା ଦିନଠାରୁ ରଙ୍କ ଗାଁକୁ ଯାଇନି । ଛୁଟି ହୋଇଥିବାରୁ ସେ ଦେବେନ୍ଦ୍ର ବାବୁଙ୍କ ପାଖକୁ ଯାଇ କହିଲା -
" ଅଙ୍କଲ ଏବେ ପୂଜା ଛୁଟି ହୋଇଛି। ଆପଣ ଯଦି ଅନୁମତି ଦିଅନ୍ତେ ଟିକେ ଗାଁ ଆଡ଼େ ଯାଇ ବୁଲିଆସନ୍ତି।"
- ତମେ ଏକା ଏକା ଯିବ ଆଉ ଆମକୁ ଡ଼ାକିବନି ଯିବାପାଇଁ ?
- ଆପଣମାନେ ସମସ୍ତେ ଗଲେ ତ ବହୁତ ଭଲ ଲାଗନ୍ତା ।
- ଠିକ ଅଛି ତମେ ଏକା କଣ ଯିବ ଆମେ ସମସ୍ତେ ମିଶିକରି ଯିବା ଓ ଗାଁର ପୂଜା ଦେଖିକରି ଫେରି ଆସିବା ।
ପରଦିନ ସକାଳେ ସମସ୍ତେ ନିତ୍ୟକର୍ମ ସାରି ବାହାରି ପଡିଲେ ଗାଁ ଅଭିମୁଖେ । ଦେବେନ୍ଦ୍ର ବାବୁ ନିଜେ ଡ୍ରାଇଭ୍ କରନ୍ତି । ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ-
ତମେ ଫ୍ରଣ୍ଟ ସିଟକୁ ଆସିଯାଅ, ସେ ଦୁଇ ଜଣ ପଛ ସିଟରେ ବସନ୍ତୁ ।
ତାହା ହିଁ ହେଲା । ଗାଡି ଗାଁ ଅଭିମୁଖେ ଚାଲିଲା । ଲୀନୁ ମନେ ମନେ ବହୁତ ଖୁସି । ଆଜି ତାକୁ ଗୋଟେ ସୁଯୋଗ ମିଳିଛି ରଙ୍କ ପାଖରେ ବସିକରି ଯିବା ପାଇଁ । ପୁଣି ବାପାଙ୍କ ଅନୁମତିରେ । ବାପା ମା ଦୁଇ ଜଣ ଜାଣନ୍ତି ଯେ ଲୀନୁ ଗାଡ଼ିରେ ବସିଲେ ତା'ର ଘୁମେଇବା ଆରମ୍ଭ ହୋଇଯିବ । କିଛି ବାଟ ଅତିକ୍ରମ କଲା ପରେ ଲୀନୁ ଘୁମେଇବା ଆରମ୍ଭ କରିଦେଲା ଓ ଶେଷରେ ରଙ୍କର କାନ୍ଧ ଉପରେ ମୁଣ୍ଡ ରଖି ଶୋଇଗଲା । ରଙ୍କର ଛାତି ଥରହର । ସେ କଣ କରିବ ତାକୁ ବୁଦ୍ଧି ସୁଝିଲା ନାହିଁ । ଏ ଦୃଶ୍ୟ ଯଦି ଅଙ୍କଲ କିମ୍ବା ଆଣ୍ଟିଙ୍କ ଆଖିରେ ପଡେ ସେ କଣ ଭାବିବେ ଆଉ ତା ପରେ କଣ କଣ ଘଟିବ ସେ ଚିନ୍ତା କରି ପାରିଲା ନାହିଁ । ସେ ପଛ ପଟେ ହାତ ରଖି ଲୀନୁର ପିଠିକୁ ଆଙ୍ଗୁଠିରେ ଠେଲିବାରେ ଲାଗିଲା । କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ଲୀନୁ କେଉଁ ପ୍ରକୃତରେ ଶୋଇଥିଲା ଯେ ଉଠିଯିବ । ସେ ଆଖି ଖୋଲି ଟିକେ ସ୍ମାଇଲ ଦେଇ ପୁଣି ଶୋଇଗଲା । ରଙ୍କ ଜାଣିନେଲା ଯେ ଲୀନୁ ଜାଣି ଜାଣି ଏପରି କରୁଛି । ସେ ପୁରା ଛାନିଆରେ ଭଗବାନଙ୍କୁ ଡାକି ଆଖି ବୁଜି ଶୋଇବାର ଅଭିନୟ କଲା । ଲୀନୁ ତାକୁ ଭଲ ପାଏ ସେ କଥା ସେ ଜାଣି ସାରିଛି କିନ୍ତୁ ସେ କିପରି ଭାବରେ ନିଜର ସମ୍ମତି ଜଣେଇବ ତାହା ଆଜି ପର୍ଯ୍ୟନ୍ତ କରିପାରିନି । ସେ ସବୁ ସମୟ ଉପରେ ଛାଡି ଦେଇଛି । ଗାଁରେ ଥିଲେ ସେ କେଉଁ ଅବସ୍ଥାରେ ଥାନ୍ତା ସେ କଥା ସେ ଭଲ ଭାବରେ ଜାଣେ । ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା କେବଳ ମରିଚିକା ପଛରେ ଦୌଡିବା ପରି ହେବ । ଇତି ମଧ୍ୟରେ ଗାଡି ଗାଁ ପାଖାପାଖି ହୋଇଗଲା । ପ୍ରଥମେ ରଙ୍କର ଗାଁ ପଡୁଥିବାରୁ ତାକୁ ବାଟରେ ଓହ୍ଲେଇ ଦେଲେ ଓ ପରଦିନ ତାଙ୍କ ଘରକୁ ଆସିବାକୁ ଦେବେନ୍ଦ୍ର ବାବୁ କହିଲେ ।
ପୂଜା ସମୟ ହୋଇଥିବାରୁ ଘରେ ସମସ୍ତେ ଥିଲେ । ଆଗରୁ ଖବର ପାଇଥିବାରୁ ସମସ୍ତଙ୍କ ପାଇଁ ଲଞ୍ଚ ର ବ୍ୟବସ୍ଥା ହୋଇଥିଲା । ଖାଇ ସରିବା ପରେ ଦୁଇ ଭାଇ ବସି ଭଲ ମନ୍ଦ କଥାବାର୍ତ୍ତା ହେଲେ । ସୁରେନ୍ଦ୍ର ବାବୁ ରଙ୍କ ବିଷୟରେ ପଚାରିଲେ । ଦେବେନ୍ଦ୍ର ବାବୁ ନିଜର ଖୁସି ପ୍ରକଟ କରି କହିଲେ -
ଭାଇ ଯାହା ଲୋକେ କହନ୍ତି ଯେ "ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ " ଏହା ଅକ୍ଷରେ ଅକ୍ଷରେ ସତ୍ୟ । ତମେ ଠିକ୍ ପିଲାଟିଏ ଚିହ୍ନି କରି ମୋତେ ଦେଇଛ । ସେ ପିଲା ଲାଗି ଲୀନୁ ଏବେ ତା କ୍ଲାସରେ ପ୍ରଥମ ହେଉଛି । ସେ ନିଜେ ବି ୟୁନିଭର୍ସିଟି ରେ ପୁଣି ପୋଜିସନ ରଖିଛି |
- ହଁ ସେ ପିଲାକୁ ମୁଁ ଭଲ ଭାବରେ ଜାଣେ । ନିଶ୍ଚୟ ତା'ର ଭବିଷ୍ୟତ ଉଜ୍ଜ୍ୱଳ ମୟ । ବହୁତ ଉପରକୁ ସେ ଯିବ ଯଦି ସପୋର୍ଟ ପାଏ ।
- ଆଉ ଗୋଟିଏ କଥା ଭାଇ ଅନେକ ଦିନ ହେଲାଣି ମୁଁ ଗୋଟିଏ କଥା ତମକୁ କହିବା ପାଇଁ ଭାବି ଭାବି କହି ପାରୁନି । ଆଜି କିନ୍ତୁ ମୁଁ ନିଶ୍ଚୟ କହିବା ପାଇଁ ଆସିଛି । ତମେ ତ ଜାଣିଛ ଭାଇ ମୋର ପୁଅ ନାହାନ୍ତି । ଲୀନୁ ହିଁ ମୋର ଝିଅ ଓ ପୁଅ । ମୁଁ ଭୁବନେଶ୍ୱରରେ ଘର କରିଛି । ଗାଁକୁ ଆସି ରହିବାର ସମ୍ଭାବନା ନାହିଁ କହିଲେ ଚଳେ । ଲୀନୁ ବାହା ହୋଇ ଗଲା ପରେ ଆମେ ଘରକୁ ଦୁଇ ଜଣ । ଆମ ପରେ ସେଇ ଲୀନୁ ହିଁ ଭୋଗ କରିବ ସେ ଘରକୁ । ମୋର ଏ ଗାଁ ଘର କି ଜମି ବାଡିରୁ କୌଣସି ଭାଗ ନେବାର ନାହିଁ । ତମର ତ ଆଉ ବେଶି ଦିନ ଚାକିରି ନାହିଁ । ମୋର ବି ଆଉ ସାତ ବର୍ଷ ରହିଲା ରିଟାୟର କରିବାକୁ । ତମେ ଏ ପୁରୁଣା ଘରକୁ ଭାଙ୍ଗି ନୂଆ ଘର କରିଦିଅ । ତମେ ଯେତେବେଳେ କହିବ ମୁଁ ଆସି ମୋ ଭାଗଟା ତମ ନାଆଁରେ କରିଦେବି ।
-ଏଥିପାଇଁ ଏତେ ଚିନ୍ତା କରିବା କଣ ଦରକାର । ଯେତେବେଳେ ଯାହା ହେବାରଥିବ ହେବ ବୋଲି କହିଲେ ସୁରେନ୍ଦ୍ର ବାବୁ |
ପରଦିନ ସକାଳେ ରଙ୍କ ସବୁ କାମ ଛିଣ୍ଡେଇ ସୁରେନ୍ଦ୍ର ସାରଙ୍କ ଘରକୁ ପଳେଇ ଆସିଲା । ସାରଙ୍କ ପାଦ ଛୁଇଁ ପ୍ରଣାମ କଲା । ସାର ରଙ୍କକୁ ବହୁତ ଆଶୀର୍ବାଦ କଲେ । ସମସ୍ତେ ସାଙ୍ଗ ହୋଇ ପୂଜା ମଣ୍ଡପ ଆଡେ ବୁଲି କରି ଘରକୁ ଫେରି ଆସିଲେ । ଘରେ ସମସ୍ତେ ଲଞ୍ଚ କଲା ପରେ ଭୁବନେଶ୍ୱର ଫେରି ଆସିଲେ ।
ସମୟ ବିତିବା ସହ ଲୀନୁ ଓ ରଙ୍କର ସମ୍ପର୍କ କ୍ରମଶଃ ନିବିଡ଼ ହେବାରେ ଲାଗିଲା । ରଙ୍କ କିନ୍ତୁ କେବେହେଲେ ଲକ୍ଷ୍ମଣ ରେଖା ଟପି କରି ଆଗକୁ ଗୋଡ଼ ପକେଇ ନାହିଁ । ଲୀନୁ ପାଇଁ ସେ ଭୁବନେଶ୍ୱର ଛାଡି ଅନ୍ୟ ଜାଗାରେ ଇଞ୍ଜିନିୟରିଙ୍ଗ କରିବାକୁ ଗଲାନାହିଁ । ସେ ଗଲେ ଭାରି ଲୀନୁର ପାଠ ପଢ଼ାରେ କାଳେ ଅସୁବିଧା ହେବ, ସେଥିପାଇଁ ସେ କୀଟ୍ ୟୁନିଭର୍ସିଟିରେ ବି. ଟେକରେ ଆଡ଼ମିସନ କଲା ।
ଏ ଭିତରେ କିଛି ବର୍ଷ ବିତି ଯାଇଛି | ରଙ୍କ ବି.ଟେକ୍ କଲାପରେ IAS ପାଇ ଜାଜପୁର ଜିଲ୍ଲାର ଜିଲ୍ଲାପାଳ ରୂପେ କାର୍ଯ୍ୟରତ | ଜିଲ୍ଲାପାଳ ହେଲାପରେ ରଙ୍କର ଷ୍ଟାଟସ୍ ବଦଳି ଯାଇଛି | ଲୀନୁ ପିଜି କଲା ପରେ ରମାଦେବୀ ମହିଳା କଲେଜରେ ଅଧ୍ୟାପିକା ଭାବରେ ଅଧ୍ୟାପନା କରୁଛି | ସୁରେନ୍ଦ୍ର ବାବୁ ଓ ଦେବେନ୍ଦ୍ର ବାବୁ ଅବସର ନେଲାପରେ ଏବେ ଘରେ ରହୁଛନ୍ତି |
ରଙ୍କ କଲେଜରେ ପାଠପଢା ଆରମ୍ଭ କଲାବେଳେ ତା'ର ମାନସିକ ସ୍ଥିତି କଣ ଥିଲା କେବଳ ଜାଣେ ଭୁକ୍ତଭୋଗୀ ହିଁ ଅନୁମାନ କରିପାରିବ । ଦେବେନ୍ଦ୍ର ବାବୁ ତା'ର ସହାୟତା କରିନଥିଲେ ତା'ର ବେଷ୍ଟେନ୍ତ୍ ପାଇବାର ମୂଲ୍ୟ କିଛି ରହିନଥାନ୍ତା । ବାପା ତାର ଯେପରି ଚାଷବାସ କରୁଛି ସେ ମଧ୍ୟ ସେହିପରି ଚାଷ ବାସ କରି ପେଟ ପୋଷିଥାନ୍ତା । ସେହି ସମୟରେ ସେ ସ୍ଥିର କରିଥିଲା ଭବିଷ୍ୟତରେ ଭଗବାନ ଯଦି ତାକୁ କିଛି କରିପାରିବାର ସାମର୍ଥ୍ୟ ଦିଅନ୍ତି ତେବେ ସେ ନିଶ୍ଚିତ ଭାବେ ମେଧାବୀ ଗରିବ ପିଲାଙ୍କର ଉଚ୍ଚ ଶିକ୍ଷା ପାଇଁ ତାଙ୍କ ସ୍କୁଲରେ ଏକ ସ୍ଥାୟୀ ପାଣ୍ଠିର ବ୍ୟବସ୍ଥା କରିବ । ଭଗବାନ ତା ଇଚ୍ଛା ପୂରଣ କରିଛନ୍ତି । ତେଣୁ ଦିନେ ରଙ୍କ ଯାଇ ପହଞ୍ଚିଗଲା ସୁରେନ୍ଦ୍ର ସାରଙ୍କ ଘରେ । ସାରଙ୍କୁ ଏ ବିଷୟରେ କହିବା ପରେ ସାର ବହୁତ ଖୁସି ହୋଇ ଗଲେ ଏବଂ ଦୁଇ ଜଣ ସାଥି ହୋଇ ସ୍କୁଲରେ ପହଞ୍ଚିଗଲେ । ସ୍କୁଲର ପ୍ରଧାନ ଶିକ୍ଷକ ଏ ବିଷୟ ଜାଣି ନିଜର ଖୁସି ପ୍ରକଟ କଲେ । ରଙ୍କ ପାଞ୍ଚ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଧାନ ଶିକ୍ଷକଙ୍କ ହସ୍ତରେ ଦେଲା ପରେ ସାରଙ୍କ ସହିତ ଫେରି ଆସିଲା ।
ସୁରେନ୍ଦ୍ର ସାର ରଙ୍କର ଏହି କାର୍ଯ୍ୟରେ ବହୁତ ଖୁସି ହୋଇ କହିଲେ -
" ତୋର ମାଟ୍ରିକ ପାସ୍ କଲାପରେ ଆଗକୁ ପଢିବା ପାଇଁ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ସେ ସମୟରେ ମୁଁ ଭାବିଥିଲି ଯଦି ସ୍କୁଲର କିଛି ପାଣ୍ଠି ଏଥିପାଇଁ ଥାନ୍ତା ତାହାଲେ ଗରିବ ମେଧାବୀ ପିଲାଙ୍କର ପଢିବା ପାଇଁ ସାହାଯ୍ୟ କରିହୁଅନ୍ତା । ଯାହେଉ ତୁ ଆଜି ମୋର ସେହି ଇଛାକୁ ପୂରଣ କରିଛୁ ।"
ସାରଙ୍କ କଥା ଶୁଣି ରଙ୍କ ନିଜ ଭିତରେ ଏକ ଆତ୍ମତୃପ୍ତି ଅନୁଭବ କରିଥିଲା ।
ଲୀନୁର ବିଭାଘର ପ୍ରସ୍ତାବ ବିଭିନ୍ନ ସ୍ଥାନରୁ ଆସୁଛି କିନ୍ତୁ ଲୀନୁ ସଫା ସଫା କହିଦେଇଛି ଯେ ସେ ଏବେ ବିବାହ କରିବାକୁ ପ୍ରସ୍ତୁତ ନୁହେଁ । ଦେବେନ୍ଦ୍ର ବାବୁ ଓ ତାଙ୍କର ସ୍ତ୍ରୀ ଲୀନୁର ବାହାଘର ପାଇଁ ଚିନ୍ତିତ । ସେମାନେ ନିଜ ମନ ଭିତର କଥା ରଙ୍କକୁ କହି ପାରୁ ନାହାନ୍ତି । ରଙ୍କ ଓ ଲୀନୁ ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ ମଧ୍ୟ କେହି କାହାକୁ ଏ ପର୍ଯ୍ୟନ୍ତ ପ୍ରପୋଜ୍ କରି ନାହାନ୍ତି । ଦେବେନ୍ଦ୍ର ବାବୁ କିମ୍ବା ତାଙ୍କ ସ୍ତ୍ରୀ ସିଧା ଶଳଖ ରଙ୍କକୁ ଏ ସମ୍ବନ୍ଧରେ କହିଵା ଉଚିତ ହେବ ନାହିଁ ବୋଲି ଭାବୁଛନ୍ତି । ସମସ୍ତେ ସମୟ ଉପରେ ସବୁ ଛାଡି ଦେଇଛନ୍ତି ।
ଦିନେ ରଙ୍କ ନିଜ ଅଫିସ ପ୍ରକୋଷ୍ଠରେ କୌଣସି ଗୁରୁତ୍ତ୍ଵପୂର୍ଣ ବିଷୟରେ କିଛି ଆଲୋଚନାରେ ବ୍ୟସ୍ତ ଥିବା ସମୟରେ ଫୋନ ରିଙ୍ଗ ହେଲା । ଫୋନରେ ଶୁଣିବାକୁ ପାଇଲେ -
ମୁଁ ସୁରେନ୍ଦ୍ର ସାରଙ୍କ ପୁଅ କହୁଛି । ବାପାଙ୍କ ଦେହ ଅତ୍ୟନ୍ତ ସିରିୟସ୍ । ସେ ଆପଣଙ୍କୁ ଦେଖିବାକୁ ଚାହୁଁଛନ୍ତି । ଆପଣ ଶୀଘ୍ର ଆସି ପହଞ୍ଚିବେ ବୋଲି ଆଶା କରିବି ।
- ନିଶ୍ଚୟ ଆସୁଛି ବୋଲି କହି ଫୋନ ରଖି ଦେଇ ସାଙ୍ଗେ ସାଙ୍ଗେ ଭୁବନେଶ୍ୱର ଅଭିମୁଖେ ବାହାରି ପଡିଲା ।
ପ୍ରାୟ ଅଢେଇ ଘଣ୍ଟା ଭିତରେ ରଙ୍କ ସାରଙ୍କ ଘରେ ପହଁଞ୍ଚିଗଲା । ପହଞ୍ଚି କରି ଦେଖେ ତ ଦେବେନ୍ଦ୍ର ବାବୁ ତାଙ୍କ ସ୍ତ୍ରୀ ଓ ଲୀନୁ ଏବଂ ତା'ର ବାପା ଓ ବୋଉ ସମସ୍ତେ ଆଗରୁ ଆସି ସେଠାରେ ଉପସ୍ଥିତ ଅଛନ୍ତି । ରଙ୍କ ଠିକ୍ ଜାଣି ପାରିଲା ସାରଙ୍କ ଏହା ଶେଷ ସମୟ ।
ସାରଙ୍କ ପାଦ ଛୁଇଁ " ସାର୍ ମୁଁ ରଙ୍କ ଆସିଛି" ବୋଲି କହିଲା । ସାର୍ ଆଖି ଖୋଲି ତାଙ୍କ ମୁଣ୍ଡ ପାଖକୁ ଆସିବାକୁ କହିଲେ । ରଙ୍କ ମୁଣ୍ଡ ପାଖରେ ବସିଲା ପରେ ସାର୍ କହିଲେ -
" ଦେଖ ବାବୁ ବହୁତ ଦିନରୁ ଭାବିଥିବା ଗୋଟିଏ କଥା ମୁଁ ତୋତେ କହିବାକୁ ଚେଷ୍ଟା କରି ମଧ୍ୟ କହିପାରି ନାହିଁ । ମୋ ହାତରେ ଆଉ ସମୟ ବହୁତ କମ । ମନ ଭିତରେ ରଖିଥିବା କଥାଟି ଯଦି ନକହି ଚାଲିଯାଏ ମୋର ଆତ୍ମା ଶାନ୍ତି ପାଇବ ନାହିଁ । ମୁଁ ନିଜକୁ ମଧ୍ୟ ଦୋଷୀ ବୋଲି ଭାବିବି । ମୋର ଏଇ ଶେଷ ସମୟରେ ତୋତେ ଏତିକି କହୁଛି କି ତୁ ଲୀନୁକୁ ତୋର ଜୀବନ ସାଥୀ ଭାବେ ଗ୍ରହଣ କରିବୁ । ଏହା ହିଁ ମୋର ଶେଷ ଇଚ୍ଛା ।"
ସମ୍ମତି ଜଣାଇବା ପାଇଁ ରଙ୍କ ସାରଙ୍କ ଦୁଇ ପାପୁଲିକୁ ନିଜ ହାତରେ ଜାବୁଡି ଧରି ନିଜର ମୁଣ୍ଡରେ ଲଗାଇଲା । ସମସ୍ତେ ଏ ସବୁ ଦେଖି ବହୁତ ଖୁସି ହୋଇଗଲେ । ସବୁଠାରୁ ବେଶି ଖୁସି ଥିଲା ଲୀନୁ । ଯେଉଁଥିପାଇଁ ଦେବେନ୍ଦ୍ର ବାବୁ ଆଉ ତାଙ୍କ ସ୍ତ୍ରୀ କଣ କରିବେ ବୋଲି କିଛି ସ୍ଥିର କରି ନପାରି ସବୁ ସମୟ ଉପରେ ଛାଡି ଦେଇଥିଲେ ତାହାର ଏକ ରୋଚକ ସମାଧାନ ବଡ଼ଭାଇ ସୁରେନ୍ଦ୍ର ବାବୁ କ୍ଷଣକ ମଧ୍ୟରେ କରିଦେଲେ । ଏହି ଖୁସି କିନ୍ତୁ ବେଶୀ ସମୟ ପାଇଁ ରହିଲା ନାହିଁ । ସମସ୍ତଙ୍କୁ ଶୋକାଭିଭୂତ କରି ସୁରେନ୍ଦ୍ର ବାବୁ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରି ଚିର ନିଦ୍ରାରେ ଶୋଇଗଲେ । ମୁଁହରେ ତାଙ୍କର ଲାଖି ରହିଥିଲା ଅସରନ୍ତି ଆତ୍ମତୃପ୍ତିର ଖିଏ ସ୍ମିତହାସ ।
*******
ବାଉରିବନ୍ଧୁ ଲେଙ୍କା
ଦି ପର୍ଲ ରେସିଡେନ୍ସି, ଦୁର୍ଗାମାଧବ ନଗର,
ଭୁବନେଶ୍ୱର, ୯୮୫୩୫୩୫୮୪୪
