ବନ୍ଧୁ ସହ ଜଗବନ୍ଧୁ
ବନ୍ଧୁ ସହ ଜଗବନ୍ଧୁ
ସେବାନିବୃତ୍ତ ହେବାପରେ ନିଜ ଗାଆଁରେ ରହିବା ପାଇଁ ସ୍ଥିର କରିଥିଲା ଅରବିନ୍ଦ । ତେଣୁ ଗାଆଁରେ ଭାଙ୍ଗିରୁଜି ଯାଇଥିବା ଘରଟିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଇ ସେଠାରେ ଘରଟିଏ ତିଆରି କରେଇଲା । ଘରେ ସବୁ ପ୍ରକାର ସୁବିଧା ରଖାଯାଇଥିଲା । ଅବସର ନେବା ପରେ ପରେ ନିଜର ଆସବାସ ପତ୍ର ଧରି ଗାଆଁକୁ ପଳେଇ ଆସିଲା । ପରିବାର କହିଲେ ସେ ପତି ପତ୍ନୀ ଦୁଇଜଣ । ପୁଅ ବୋହୂ ସେମାନଙ୍କର ଚାକିରି ଜାଗା ବାଙ୍ଗାଲୋରରେ ରହୁଛନ୍ତି । ଅରବିନ୍ଦ ମୋର ପିଲାଦିନରୁ ସାଙ୍ଗ । ଏକା ଗାଆଁର ପିଲା । ମେଟ୍ରିକ୍ ପର୍ଯ୍ୟନ୍ତ ଏକାଠି ଏକା କ୍ଳାସରେ ପଢିଛୁ । ସେ କ୍ଳାସ୍ ରେ ପୋଜିସନ୍ ରଖୁଥିଲା ସ୍କୁଲ୍ ପାଠ ପରେ ଆମେ ଅଲଗା ଅଲଗା ହୋଇଯାଇଥିଲୁ । ମୁଁ ବି ଯଦିଓ ଅବସର ନେଇ ସାରିଛି ଗାଆଁରେ ସ୍ଥାୟୀ ଭାବରେ ରହୁନାହିଁ । ପ୍ରତି ମାସରେ ଆମେ ପତି ପତ୍ନୀ ଥରେ ଗାଆଁକୁ ଯାଉଛୁ । ଦୁଇ ତିନି ଦିନ ରହି ଜମିବାଡି ଓ ଅନ୍ୟାନ୍ୟ ବିଷୟ ବୁଝାବୁଝି କରି ଭୁବନେଶ୍ୱର ଫେରି ଆସୁଛୁ ।
ଦୋଳ ସମୟରେ ଗାଆଁରେ ପ୍ରାୟ ଆଠ ଦିନ ରହିବାକୁ ହୁଏ । ଆମ ଦାଣ୍ଡର ତିନିଟା ଠାକୁର ଭିନ୍ନ ଭିନ୍ନ ତିଥିରେ ଭୋଗ ଖାଇଥାନ୍ତି । ତେଣୁ ଭୋଗଖିଆ ନ ସରିବା ପର୍ଯ୍ୟନ୍ତ ରହିବାକୁ ହିଁ ପଡିଥାଏ । ସେଇ ସମୟରେ ଗାଆଁର ଲୋକମାନଙ୍କ ସହ ମିଶିବା, କଥାବାର୍ତ୍ତା କରିବା ଓ ସେମାନଙ୍କ ଘରକୁ ଯିବାର ସୁଯୋଗ ମିଳିଥାଏ । ଏବେ ଗାଆଁରେ ମୋ ବୟସର ଲୋକ କେହି ନାହାଁନ୍ତି କହିଲେ ଚଳେ । ଯେଉଁମାନେ ମୋ ବୟସର, ସେମାନେ ପ୍ରାୟ ସହରରେ ଘରଦ୍ୱାର କରି ରହିଛନ୍ତି । ଜମିବାଡି ଭାଗବଖରା ଲଗେଇ ଦେଇଛନ୍ତି । ଯିଏ ଭାଗ କରିଛନ୍ତି ଯାହା ଦେଲେ ସେଇଥିରେ ହିଁ ସେମାନେ ଖୁସି । କେତେବେଳେ କେମିତି ମଲା ମୃତିକିଆରେ ଗାଆଁକୁ ଆସିଥାନ୍ତି ନହେଲେ ନାହିଁ । ସେ ଯାହାହେଉ ଏଥର ମୋର ସମୟ କଟେଇବା ପାଇଁ ଅସୁବିଧା ହେବନାହିଁ । ଅରବିନ୍ଦ ଏବେ ଯେହେତୁ ଗାଆଁରେ ରହୁଛି ତା ସହିତ କଥାବାର୍ତ୍ତା ହୋଇ ସମୟ କଟିଯିବ ।
ଦୋଳ ସମୟ ଆସିଗଲା ହେଲେ ଗାଆଁକୁ ଯିବାପାଇଁ ଟିକେ ଅସୁବିଧା ହୋଇଗଲା । କରୋଣା ଲାଗି ଯିବା ଆସିବାରେ ସରକାର କଟକଣା ଲଗେଇଦେଲେ । ଠାକୁରଙ୍କ ଭୋଗ ଖାଇବାରେ କୌଣସି କଟକଣା ନାହିଁ । ଯାହାହେଲେ ବି ଯିବାକୁ ପଡିବ । ଅନ୍ଧାରୁଆରୁ ଉଠି ଆମେ ସ୍ୱାମୀ ସ୍ତ୍ତୀ ଦୁଇଜଣ କାର୍ ନେଇ ସକାଳ ଛଅଟା ସୁଦ୍ଧା ଗାଆଁରେ ପହଞ୍ଚିଗଲୁ । ପୁଣି ଫେରିଲା ବେଳକୁ ଦେଖାଯିବ ।
ସମୟ ପ୍ରାୟ ଅପରାହ୍ନ ପାଞ୍ଚଟା ହେବ । ବସି ବସି ବିରକ୍ତ ଲାଗିବାରୁ ଭାବିଲି ଅରବିନ୍ଦ ଘରଆଡେ ଯାଇ ବୁଲି ଆସିବି । ଦେଖିଲି ଭଲ ଘର ଖଣ୍ଡିଏ କରିଛି ଅରବିନ୍ଦ । ଘର ସାମ୍ନାକୁ ଲମ୍ବା କରି ପୋର୍ଟିକ ଗୋଟିଏ ବାହାର କରିଦେଇଛି ଆଉ ତଳଟାକୁ ମାର୍ବଲ ପକେଇ ଦେଇଛି । ଘର ଚାରିପଟେ କମ୍ପାଉଣ୍ଡ ୱାଲ୍ ଉଠେଇ ଦେଇଛି । ସାମ୍ନାରେ କମ୍ପାଉଣ୍ଡ ୱାଲ୍ କୁ ଲାଗି ଫୁଲ ଗଛ ସବୁ ଲାଗିଛି । ବହୁତ ସୁନ୍ଦର ହୋଇଛି ଜାଗାଟି ।
ଯାଇ ଦେଖେ ତ ପତି ପତ୍ନୀ ଦୁଇଜଣ ଜାକ ପୋର୍ଟିକ ତଳେ ଚେୟାର ପକେଇ ବସିଛନ୍ତି । ମତେ ଦେଖି ଅରବିନ୍ଦ ଆସେ ଆସେ ବୋଲି ଡାକିଲା । ମୋ ଆସିବା ଦେଖି ପତ୍ନୀ ତା'ର ଘର ଭିତରକୁ ପଳେଇ ଗଲେ । ପିଲାଦିନର ପୁରୁଣା ସାଙ୍ଗ ବହୁବର୍ଷ ପରେ ଦେଖାହେଲା । ମୁହାଁ ମୁହିଁ ହୋଇ କଥା ହେବା ପାଇଁ ବସିଗଲୁ । ମୁଁ
ପଚାରିଲି ," ତୁ କଣ ଗାଆଁରୁ ଗଲା ପରେ ଆଉ ଜମା ଗାଆଁ ଆଡେ ଆସିନୁ ?"
ଅରବିନ୍ଦ କହିଲା , " ଅନେକ ଥର ଆସିଛି । ଯେବେ ବି ଆସିଛି ଦିନେ ବା ଦୁଇ ଦିନ ରହି ଫେରି ଯାଇଛି । ବାପା ବୋଉ ଏଠାରେ ରହୁଥିଲେ । ବାପା ଆଗ ଚାଲିଗଲେ । ସେ ଯିବା ପରେ ବୋଉକୁ ମୁଁ ସାଥିରେ ନେଇଗଲି । ସେ ବି ବାପା ଯିବା ପରେ ବେଶିଦିନ ରହିଲାନି । ବାପାଙ୍କ ଯିବା ବର୍ଷେ ନ ପୂରୁଣୁ ସେ ବି ଆମକୁ ଛାଡି ଚାଲିଗଲା । ତା ଯିବା ପରେ ଗାଆଁ ଆଡେ ପ୍ରାୟ ଯିବା ଆସିବା ନଥିଲା କହିଲେ ଚଳେ । ଜମିବାଡି ଭାଗ ଦେଇ ଦେଇଛି । ମୁଁ ତ ଦରକାର ବେଳେ ଆସି ପାରୁନି । ସେ ତା ଇଚ୍ଛାରେ ଯାହା ଦେଉଛି । ଏବେ ତ ଗାଆଁରେ ରହିଲିଣି । ଜମିବାଡି ଉପରେ ନଜର ରହିବ । ଘର ପଛ ବାଡିରେ ଆମ୍ବ ପଣସ ନଡିଆ ଆଉ ଅନ୍ୟ ସବୁ ଗଛ ମିଶି ପ୍ରିୟ ଶହେ ଉପରେ ହେବ । ସବୁ ଭୂତ ଖାଉଛନ୍ତି । କିଏ କେତେବେଳେ ଗଛ କାଟି ନେଲାଣି ତ କିଏ ଡାଳ । ଯାହାକୁ ପଚାରିଲେ ସମସ୍ତେ ଚୁପ୍ ଚାପ ରହୁଛନ୍ତି । ସମସ୍ତେ ତ କିଛି ନା କିଛି ନେଇଛନ୍ତି । କିଏ କାହା ନାଆଁ କହିବେ ବା କିପରି ? ହଉ ଛାଡ ସେ ସବୁ କଥା । ଆମେ ଦୁହେଁ ଆଉ କେତେଦିନ ବା ରହିବୁ । ପୁଅ ତ ଗାଆଁ ଘର କଣ ଭୁବନେଶ୍ୱର ଘରେ ଆସି ରହିବ କି ନାହିଁ ମୋର ସନ୍ଦେହ । ଭୁବନେଶ୍ୱର ଘରଆଡେ ତୁ ତ କେବେ ଯାଇନୁ । ଦୁଇ ମହଲା ଘରଟିଏ କରିଛି । ତଳେ ଆମେ ରହୁଥିଲୁ ଆଉ ଉପର ମହଲାଟା ଭଡା ଦେଇଛୁ । ଏତେ ବଡ ଘରକୁ ଆମେ ମାତ୍ର ଦୁଇଜଣ ଲୋକ । ସେଥିପାଇଁ ତାକୁ ଭଡାଦେଇ ଦେଲି ଆଉ ଗାଆଁରେ ରହିବାକୁ ସ୍ଥିର କଲି । ଭୁବନେଶ୍ୱରରେ ଆଉ ଦୁଇଟି ପ୍ଳଟ ପଡିଛି । ବହୁତ କମ୍ ଦାମ୍ ରେ କିଣିଥିଲି । ଏବେ ୬୦/୭୦ ଲକ୍ଷରୁ କମ ହେବନାହିଁ । ଏ ସବୁ ଯେତେ ଥାଇ ଲାଭ କଣ ? ପୁଅର କଥା ଶୁଣି ରାତିରେ ମତେ ନିଦ ହେଉନି । ତା'ର ଇଚ୍ଛା ମୁଁ ଏ ସବୁ ସମ୍ପତ୍ତି ଧୀରେ ଧୀରେ ବିକ୍ରି କରିଦେବା ଠିକ୍ ହେବ । ସେ ଏ ସବୁର ଦାୟିତ୍ୱ ନେଇ ପାରିବ ନାହିଁ ।"
ଅରବିନ୍ଦର କଥା ଶୁଣି ତାକୁ ଆଶ୍ୱାସନା ଦେଇ କହିଲି
, "ଏ ସବୁ କାହିଁକି ଏତେ ଚିନ୍ତା କରି ରାତି ଅନିଦ୍ରା ହେଉଛୁ ? ଏ ସମସ୍ୟା କେବଳ ତୋର ଏକା ନୁହେଁ । ଆମ୍ଭମାନଙ୍କ ପିଢିରୁ ଏ ସମସ୍ୟା ଆରମ୍ଭ ହେଲା । ଆଗକୁ ଆଉ କଣ କଣ ହେବ ତା'ର ଯଦି କଳ୍ପନା ଆମେ କରିବା, ପାଗଳ ହୋଇଯିବା । ତୋର ମନେ ଥିବକି ନାହିଁ ,କିନ୍ତୁ ମୋର ଯାହା ମନେ ପଡୁଛି ଆମେ ସପ୍ତମ କି ଅଷ୍ଟମ ଶ୍ରେଣୀରେ ପଢିଲା ବେଳେ ଗାଆଁ ଗଣ୍ଡା ଚାରିଆଡେ କାନ୍ଥବାଡରେ ପରିବାର ନିୟନ୍ତ୍ରଣ ପାଇଁ ଚିତ୍ର ସହ ସ୍ଳୋଗାନ ଲେଖାଯାଇଥିଲା
ଆମେ ଦୁଇ ଆମର ଦୁଇ
ଛୋଟ ପରିବାର ସୁଖୀ ପରିବାର
ସେ ସମୟର ସେହି ଛୋଟ ପରିବାର କରିବାର ଫଳ ଆଜି ଆମକୁ ଭୋଗିବାକୁ ପଡୁଛି । ଆଗେ ଗୋଟିଏ ଗୋଟିଏ ମିଳିତ ପରିବାରରେ ୨୦ ରୁ ୨୫ ଲୋକ ରହୁଥିଲାବେଳେ ଏବେ ଆମର ଏହି ଛୋଟ ପରିବାରରେ ମାତ୍ର ୨ କିମ୍ବା ୩ ରୁ ଅଧିକ ନାହାଁନ୍ତି । ବାପା , ମାଆ ଗୋଟିଏ ଜାଗାରେ ତ ପୁଅ ବୋହୂ ଓ ନାତି ନାତୁଣୀ ଅନ୍ୟ ଗୋଟିଏ ଜାଗାରେ । ସେତେବେଳେ ଏହାର ଦୂରଗାମୀ ପ୍ରଭାବ ଉପରେ କେହି ଚିନ୍ତା କଲେ ନାହିଁ । ମିଳିତ ପରିବାରରେ ଘରର ସବୁ କଥା ଯଦିଓ ଘରର ମୁଖିଆ ବୁଝୁଥିଲେ ତାଙ୍କୁ କୌଣସି କାର୍ଯ୍ୟ ମୁଣ୍ଡ ଉପରେ ବୋଝ ପରି ଲାଗୁ ନଥିଲା । ଘରେ କିଏ କେଉଁ କାମ ତୁଲେଇ ଦେଉଥିଲା ତାହା ଜଣା ପଡୁନଥିଲା । ବାହା, ବ୍ରତ, ମୄତିକିଆ ଆଦି କାର୍ଯ୍ୟରେ ସବୁ କାମ ସୁରୁଖୁରୁରେ କିପରି ହୋଇ ଯାଉଥିଲା ତାହା ଜଣାପଡୁ ନଥିଲା । ଏବେ ଏହି ଛୋଟ ପରିବାର ରେ ସବୁ ଦାୟିତ୍ୱ ବାପା ମାଆଙ୍କ ଉପରେ ନ୍ୟସ୍ତ । ମଣିଷ ମନର ସବୁ ସ୍ୱପ୍ନ କଣ ସାକାର କରିହୁଏ । ନିଜେ ପରିଶ୍ରମ କରି ଅର୍ଜିଥିବା ସମ୍ପତ୍ତି କିଏ ଖାଇବେ ବୋଲି ଭାବିକରି ମନ ଦୁଃଖ କରିବା ଆଦୌ ଠିକ୍ ନୁହେଁ । ତୋ ଘର ପଛପଟେ ଯେଉଁ ଆମ୍ବ ପଣସ ନଡିଆ ବାରି କଥା କହଥିଲୁ , ସେ ସମ୍ପତ୍ତି କଣ ତୁ କମେଇଥିଲୁ । ତେଣୁ ସେସବୁକୁ ନେଇ ମୁଣ୍ଡ ଭାରି କରବା ଆଦୌ ଠିକ୍ ନୁହେଁ ।"
ଏହି ସମୟରେ ଅରବିନ୍ଦର ସ୍ତ୍ରୀ ଗରମ ପକୁଡି ଓ ତା ସହିତ ମୁଢି କିଛି ଗୋଟିଏ ଟ୍ରେ ରେ ଆଣି ସାମ୍ନାରେ ପଡିଥିବା ଟି-ପୟ୍ ଉପରେ ରଖିଦେଲେ ।
ବହୁଦିନ ପରେ ମୁଢି ପକୁଡି ଖାଇବାକୁ ମିଳିଲା । ଗାଆଁରେ ଥିଲାବେଳେ ବୋଉ ମୁଢି ପକୁଡି ଗୁଡିଆଣି ଠାରୁ କିଣିକରି ଦେଉଥିଲା । ମୁଢି ପକୁଡି ସରିଲା ବେଳକୁ ଚା ଆସି ପହଞ୍ଚିଲା । ଚା ପିଇବା ବେଳେ ଅରବିନ୍ଦ ମୋ ଖବର କଣ ବୋଲି ପଚାରିଲା । ଚାକିରି ସମୟରୁ ଆରମ୍ଭ କରି ଅବସର ନେବା ପର୍ଯ୍ୟନ୍ତ ସବୁକଥା ସଂକ୍ଷେପରେ କହୁ କହୁ ରାତି ପ୍ରାୟ ଆଠଟା ହୋଇଯାଇଥିଲା । ଅରବିନ୍ଦକୁ ସପତ୍ନୀକ ଆମଘର ଆଡେ ଯିବାକୁ କହି ମୁଁ ସେଠାରୁ ଘରକୁ ଫେରି ଆସିଥିଲି ।
ଦୋଳ ସମୟ ହୋଇଥିବାରୁ ଗାଆଁମାନଙ୍କରେ ଏକ ଆଧ୍ୟାତ୍ମିକ ବାତାବରଣ ଥାଏ । ରାତିରେ ବିଭିନ୍ନ ଗ୍ରାମରେ ମେଳଣ ଅନୁଷ୍ଠିତ ହେଉଥାଏ । ସକାଳ ପାହିଲା ବେଳକୁ ଠାକୁରମାନେ ଲୋକମାନଙ୍କର ଦାଣ୍ଡକୁ ଭୋଗ ଖାଇବାକୁ ଯାଇଥାନ୍ତି ।
ସେଦିନ ପୂର୍ଣ୍ଣମୀର ପୂର୍ବଦିନ ଥାଏ । ସକାଳୁ ଆମ ଦାଣ୍ଡରେ କଚେରୀ ଦୋଳ ଆସି ଭୋଗ ଖାଇବାରଥାଏ । ତେଣୁ ପୂର୍ବଦିନ ରାତିରେ ସାଇର ପିଲାମାନଙ୍କୁ କହି ଦାଣ୍ଡକୁ ଭଲ ଭାବେ ସଫାକରିବା , ବେଦୀ ତିଆରି କରିବା , ବେଦୀ ଉପରେ ଛାମୁଡିଆ ବାନ୍ଧିବା କାମ ସବୁ ସରିଥାଏ । ସକାଳୁ ସକାଳୁ ଅନ୍ଧାରଥାଏ ଦଲେଇପାରିରେ ଠାକୁରଙ୍କ ଘଣ୍ଟ ଶୁଭିବାରୁ ମୁଁ ତରବରରେ ଉଠି ପୀଢା, କୀର୍ତନିଆଙ୍କ ବସିବା ପାଇଁ ତାର୍ପୋଲିନ୍, କଳସ, ଦୀପ ଓ ବେଦୀ ଉପରେ ମୁରୁଜ
ପକାଇବାର ବ୍ୟବସ୍ଥା କରିଲି । ପ୍ରାୟ ଦଶ ମିନିଟ୍ ପରେ ଠାକୁର ଆସିବାର ଘଣ୍ଟ , ଘଣ୍ଟା ଧ୍ୱନୀ ଶୁଭିଲା । ଠାକୁର ଆସି ଆମ ଦାଣ୍ଡରେ ବିଜେକଲେ । ଏକ ଆଧ୍ୟାତ୍ମିକ ପରିବେଶ । ଆଉ ଅନ୍ଧାର ନଥାଏ । ଠାକୁରଙ୍କ ପରିଚାଳନା ଦାୟିତ୍ୱରେ ଥିବା ଭଦ୍ରବ୍ୟକ୍ତି ଜଣକ ମୋ ଠାରୁ ବୟସରେ ବହୁତ ସାନ । ସେ ମତେ ନମସ୍କାର କରି କହିଲେ , " ଆପଣଙ୍କ ଦାଣ୍ଡରେ ସକାଳ ହୋଇଗଲା । ନନା ଗାଧୋଇବେ , କୀର୍ତ୍ତନିଆମାନେ ମଧ୍ୟ ଗାଧୋଇବାକୁ ଯିବେ । ତାପରେ ଠାକୁର ସ୍ନାନ କଲାପରେ ପୂଜା ଆଦି ହେବ । ଆପଣ ବଡ ଭାଗ୍ୟବାନ ଯେ ଆଜି ଆପଣଙ୍କ ଦାଣ୍ଡରେ ଠାକୁର ସ୍ନାନ କରିବେ । ଏବେ ଆମେ ସମସ୍ତେ ଘରକୁ ଯାଇ ଘଣ୍ଟାଏ ଭିତରେ ଫେରୁଛୁ । ଆପଣ ଇତିମଧ୍ୟରେ ଠାକୁରଙ୍କ ପାଇଁ ନୂଆ ବସ୍ତ୍ରର ବ୍ୟବସ୍ଥା କରନ୍ତୁ । ମନ ବହୁତ ଖୁସି ହୋଇଗଲା । ଏ ସବୁ ମୋର କଳ୍ପନା ଭିତରେ ନଥିଲା । ସଙ୍ଗେ ସଙ୍ଗେ ନିଜେ ବାଇକ୍ ନେଇ ଦୋକାନକୁ ଯାଇ ତିନି ଖଣ୍ଡ କୁମ୍ଭପକା ଧଡିଥିବା ଗାଗୁଛା କିଣି କରି ଆଣିଲି । ଠାକୁରଙ୍କର ଦୁଇଖଣ୍ଡ ଓ ନନାଙ୍କ ପାଇଁ ମଧ୍ୟ ଖଣ୍ଡିଏ ନେଇ ଆସିଲି । ଘରେ ସମସ୍ତଙ୍କ ପାଇଁ ମୃଦୁ ପାନୀୟ ଓ ଯେ ଚାହିଁବେ ଚା'ର ବ୍ୟବସ୍ଥା ମଧ୍ୟ ହୋଇଥାଏ । ସମସ୍ତେ ଯଥା ସମୟରେ ଫେରି ଆସିଲେ । କୀର୍ତ୍ତନ ଆରମ୍ଭ ହେଲା । ନନା ଠାକୁରଙ୍କୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇଲେ । ନିଜେ ମଧ୍ୟ ନୂଆ ଗାମୁଛାଟି କାନ୍ଧରେ ପକାଇଲେ । ଇତି ମଧ୍ୟରେ ଅରବିନ୍ଦ ବି ଆମ ଦାଣ୍ଡରେ ଊପସ୍ଥିତ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରୁଥାଏ । ସାଇର ସମସ୍ତ ଲୋକ ଓ ପିଲାମାନେ ରୁଣ୍ଡ ହୋଇ ଥାନ୍ତି । ଘଣ୍ଟ ଘଣ୍ଟା ଓ କୀର୍ତ୍ତନରେ ଦାଣ୍ଡ ଫାଟି ପଡୁଥାଏ । ଭୋଗ ପୂଜା ପରେ କୀର୍ତ୍ତନିଆ ଭାଇମାନେ ଆମ ଘରଭିତରକୁ ଯାଇ କିଛି ସମୟ ପାଇଁ କୀର୍ତ୍ତନ କରିବାକୁ ଇଚ୍ଛା ପ୍ରକାଶ କଲେ । ଏତ ବଡ ଖୁସିର କଥା । ପ୍ରାୟ ପନ୍ଦର ମିନିଟ ପର୍ଯ୍ୟନ୍ତ ସେମାନେ ଘର ଭିତରେ ନାମ କୀର୍ତ୍ତନ କଲେ। ମୁଁ ଖୁସିରେ ସେମାନଙ୍କୁ କିଛି ଦକ୍ଷିଣା ମଧ୍ୟ ଦେଲି ।
ଠାକୁରଙ୍କ ସହିତ ଆସିଥିବା ପରିଚାଳକ ସମସ୍ତଙ୍କ ଉପସ୍ଥିତିରେ ଆସି କହିଲେ, " ଆଜି ଏକ ନୂତନ ପରମ୍ପରା ସୃଷ୍ଟିହେଲା । ଆଜି ଯାହା ବି ହେଲା ସବୁ ତାଙ୍କରି ଇଚ୍ଛାରେ ହୋଇଛି । ଇଚ୍ଛାମୟ ସେ,ତାଙ୍କ ଇଚ୍ଛା ସବୁବେଳେ ପୂର୍ଣ୍ଣ ହୋଇଥାଏ । "
ଗାଆଁର ଗୋଟିଏ ପିଲା ,ହିସାବରେ ସେ ପୁତୁରା ହେବ ,ସେ ମଧ୍ୟ କୀର୍ତ୍ତନ କରେ । ସେ ସଙ୍ଗେ ସଙ୍ଗେ କହି ପକେଇଲା, " ଏ ସବୁ ଯାହା ଘଟିଲା ତାହା ଭକ୍ତର ଇଚ୍ଛା ପୂରଣ ପାଇଁ ଭଗବାନ କଲେ । ଦାଦାଙ୍କର ଭକ୍ତି କବିତା ସଂକଳନ ଯଦି କେହି ପଢିବେ, ସେ ସବୁ ଜାଣିପାରିବେ । ସେଥିରେ ଥିବା ଏକ ଭକ୍ତି ଗୀତର ପ୍ରକୃତ ରୂପାୟଣ ଆଜି ଭଗବାନ କରି ଦେଖେଇଦେଲେ । ସେହି ଭକ୍ତିଗୀତଟିକୁ ସେ ମଧ୍ୟ ସଙ୍ଗେ ସଙ୍ଗେ ଗାଇବା ଆରମ୍ଭ କରି ଦେଇଥିଲା ।
" କାଳିଆରେ ତତେ ଦେଖିବାକୁ ପୁରୀ
ଯାଇଛି ଅନେକ ଥର
କେବେ କଣ ତୋର ଇଚ୍ଛା ହୁଏ ନାହିଁ
ଆସିବାକୁ ମୋର ଘର
ବନ୍ଧୁ ବୋଲି ଭାବି ଶୁଣାଇଛି ତତେ
ମୋ ଘର ଦୁଃଖ କାହାଣୀ
ସବୁ ତ ଶୁଣିଲୁ ପଦେ କହିଲୁନି
ସେଇ ପୁରୁଣା ଚାହାଣି
ଶୁଣି ଶୁଣାଇଲେ ବନ୍ଧୁଭାବ ସିନା
ବୁଝନ୍ତା ଏ ମନ ମୋର
କାଳିଆରେ ତତେ ଦେଖିବାକୁ
ବନ୍ଧୁଭାବରେ ମୋ ରହିଲା କି ଊଣା
ମୁଁ ତ ଜାଣିପାରୁନାହିଁ
ତୁ କଲେ କପଟ ଜାଣିବାର ବାଟ
ପାଇବି କେଉଁଠୁ ମୁହିଁ
ରଖିଛି ଭରସା ପୂର୍ଣ୍ଣ ହେବ ଆଶା
ଆସିବୁ ଦିନେ ମୋ ଘର
କାଳିଆରେ ତତେ ଦେଖିବାକୁ
ଭକ୍ତିଗୀତଟି ଶୁଣି ସମସ୍ତେ ଅଭିଭୂତ ହୋଇ ପଡିଥିଲେ ।ଭଗବାନ ଏପରି କରିପାରନ୍ତି ବୋଲି ସମସ୍ତେ ନିଜ ଆଖିରେ ଦେଖିଥିଲେ ସେଦିନ ।
ଅରବିନ୍ଦ ମୂଳରୁ ଶେଷଯାଏ ଏ ସବୁ ଦେଖୁଥିଲେ । ଠାକୁର ଗଲାପରେ ତାକୁ ଘରକୁ ଡାକି ଭୋଗ ଖାଇବାକୁ ଦେଲି । ସେ କିନ୍ତୁ ନିଜ ମନର କଥା ପ୍ରକାଶ ନକରି ରହିପାରିଲା ନାହିଁ । ପ୍ରଶଂସାରେ ପୋତି ପକାଉ ଥାଏ ମୋତେ । ଧନ ସମ୍ପତ୍ତି ପଛରେ ଗୋଡେଇ ସେ ଯେଉଁ ଭୂଲ କରିଛି ସେଥିପାଇଁ ଅନୁତାପ କରୁଥାଏ ।
ଏହି ମିଛ ସଂସାରରେ ସେହି ଭଗବାନ ହିଁ ଏକମାତ୍ର ସତ୍ୟ ବୋଲି ବାରମ୍ବାର କହୁଥାଏ ।
" ତୁ ଆଜି ତାଙ୍କୁ ବନ୍ଧୁଭାବ ଓ ପ୍ରେମଭକ୍ତି ବଳରେ ନିଜର ଘରଯାଏ ନେଇ ଆସି ପାରିଛୁ । ଏହାଠାରୁ ବଳି ବଡ କଥା ଆଉ କଣ ହୋଇ ପାରେ" ବୋଲି ଭାବ ବିହ୍ୱଳ ହୋଇ କହି ପକେଇଲା ସେ ।
"ସେତିକି ନୁହେଁ ଅରବିନ୍ଦ ମୁଁ ଆଜି ମୋର ଅତି ପ୍ରିୟ ପୁରୁଣା ବନ୍ଧୁକୁ ଦୀର୍ଘ ୪୫ ବର୍ଷ ପରେ ସାକ୍ଷାତ ହେବା କଣ ବଡ କଥା ନୁହେଁ " ବୋଲି କହଥିଲି ମୁଁ ।
ଦୋଳପର୍ବ ଖୁସିରେ ସମାପନ ହୋଇଗଲା । ତାଲାବନ୍ଦ ଉଠି ନଥାଏ । ଆମେ ପୁଣି ସେଇ ଅନ୍ଧାରୁଆରୁ ଉଠି କାର ନେଇ ସକାଳ ଛଅଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚି ଯାଇଥିଲୁ ।