ABhimanyu Panda

Romance Tragedy

3  

ABhimanyu Panda

Romance Tragedy

ଫେରିଆସ

ଫେରିଆସ

8 mins
664



ସେଦିନ ବସରେ ବହୁତ ଭିଡ଼ । ସୋରିଷ ବି ତଳେ ପଡ଼ିବନି । ବହୁତ ଧସ୍ତାଧସ୍ତି ରେ ମୁଁ ବସ୍ ର ପଛ ଗେଟରେ ଚଢ଼ିଲି କଲେଜ ଯିବା ଲାଗି । ନୂଆ ନୂଆ କଲେଜ ଯାଉଥାଏ , ପ୍ରାୟ ଦୁଇମାସ ହେବ । ଯିବା ସମୟ ଆଉ ଯିବାର ସାଧନ ସବୁଦିନ ସମାନ । ଗାଡ଼ି ଚାଲିବାର କିଛି ସମୟ ପରେ ମୁଁ ନିଜକୁ ଗୋଟେ କୋଣରେ ମୂର୍ତ୍ତିମନ୍ତ କରିସାରିଥିଲି । କୋଳାହଳ ଭିତରେ ମୋର କିଛି ସାଙ୍ଗଙ୍କ ସହିତ କଥାବାର୍ତ୍ତା ମସ୍ତି ମଜା ଚାଲିଥାଏ । 


 ହଠାତ ମୋ ଆଖି ଯୋଡ଼େ ସୁନ୍ଦର ଆଖିରେ ମିଶିଲା । ବଡ଼ ଗୋଲ ଗୋଲ ଆଖି , ଅଧା ଚାନ୍ଦର ଭୃଳତା ,ବାଃ !ଚମତ୍କାର ,ମୋ ଲାଗି ସେ ଆଖି ଯୋଡିକର ସୌନ୍ଦର୍ଯ୍ୟ ଅଭୁଲା !! ମୁଁ ବାରମ୍ବାର ଚେଷ୍ଟା କଲେ ବି ସେ ଆଖିର ଅଧିକାରିଣୀ ର ମୁହଁ ଦେଖି ପାରୁନଥାଏ । ମନ ବିଚଳିତ ହେଉଥାଏ ପୂର୍ଣ ଚେହେରା ସହ ସେ ଆଖି ଦୁଇଟିକୁ ଦେଖିବାକୁ । ବାରମ୍ବାର ସେ ସୁନ୍ଦର ଆଖି ସହିତ ମୋ ଆଖି ମିଶୁଥିଲା ତା' ସହିତ ମୋ ହୃଦୟର ସ୍ପନ୍ଦନ ବି ବଢ଼ି ବଢ଼ି ଚାଲିଥିଲା । ମନର ଏଇ ଟଣା ଓଟରା ଭିତରେ ମହିଳା କଲେଜ ସାମ୍ନାରେ ଗାଡ଼ି ଅଟକିଲା । ସେଇ ସୁନ୍ଦର ଆଖିର ଅଧିକାରିଣୀ ସେଇଠି ଓହ୍ଲେଇଗଲେ । ହଜାରେ ଚେଷ୍ଟା ପରେ ମଧ୍ୟ ମୁଁ ତାଙ୍କର ପୂର୍ଣ୍ଣ ଚେହେରା ଦେଖିପାରିଲିନି । ପଛରୁ କମର ଯାଏ ଲମ୍ବିଥିବା ତାର ସେ କଳା କେଶ । ଆଉ କାନ୍ଧରେ ପଡ଼ିଥିବା କଳା ରଙ୍ଗର ଚୁନୀ । ଇଛା ହେଉଥିଲା ସେଇଠି ରହି ତା'ସହ ଦିପଦ କଥା ହେବି । ତା ' ସୁନ୍ଦର ଆଖିକୁ ବାରମ୍ବାର ଦେଖିବି କଥା ହେବା ଛଳରେ । ବେଶି କିଛି ଭାବିବା ପୂର୍ବରୁ ,ଗୁରୁଗମ୍ଭୀର ଗର୍ଜନ କରି ବସ୍ ଆଗେଇ ଚାଲିଲା ତାର ଗନ୍ତବ୍ୟ ସ୍ଥଳରେ । ମୁଁ ଗାଡ଼ିର ଯାତ୍ରୀ ଥିଲି ସତ ହେଲେ ମୋ ମନ ପ୍ରାଣ ସେଇ ଆଖିଯୋଡ଼ିକ ପାଖରେ ରହିଯାଇଥିଲା । 


   ଏ ଭିତରେ ପ୍ରାୟ ପନ୍ଦର ଦିନ ବିତିଯାଇଥିଲା ,ସେ ଆଖି ନା ମତେ ଶୋଇ ଦେଉଥିଲା ନା ମୁଁ ପାଠ ପଢ଼ାରେ ଏକାଗ୍ର ହେଇ ପାରୁଥିଲି । ମୁଁ ମୋ ନିଜ ଅଜାଣତରେ ସେ ଆଖିର ପ୍ରେମିକ ହେଇସାରିଥିଲି । ସବୁ ଦେବତା ଆଉ ମନ୍ଦିରରେ ମାନସିକ କରିଥିଲି ,ଆଉ ଥରେ ସେ ଆଖି ସହିତ ଆଖି ମିସେଇବା ଲାଗି । 


    ପୁରା ମନେଅଛି ସେଦିନର ସେ ବର୍ଷା ସକାଳ ,ମୁଁ ବର୍ଷାରେ ଭିଜି ବସ୍ ଭିତରକୁ ଆସିଲି । ଗାଡ଼ି ପ୍ରାୟ ଖାଲିଥାଏ ସେଦିନ । ବସିବା ଆଗରୁ ରୁମାଲ ବାହାର କରି ମୋ ଓଦା ମୁଣ୍ଡକୁ ପୋଛିବା ସମୟରେ ନଜର ପଡ଼ିଲା ଗୋଟେ ସୁନ୍ଦରୀ ଝିଅ ଉପରେ । ତା ମୁଣ୍ଡର କେଶ ଆଉ କାନ୍ଧରେ ଚୁନୀ ପକେଇବା ଶୈଳି ମୋ ମନରେ ଉତ୍ସୁକତା ବଢ଼େଇ ଦେଲା । ଝିଅଟି ମତେ ନଦେଖି ଚୁପଚାପ ବସିଥାଏ । ମୁଁ ପଚାରିଦେଲି କୁଆଡ଼େ ଯିବେ ? ଝିଅଟି ମୋ ଆଡ଼କୁ ଚାହିଁ କିଛି ନ କହି ମୁହଁ ଫେରେଇ ନେଲା । ମୋ ଖୋଜିବାର ଅନ୍ତ ହେଇଯାଇଥିଲା । ସେଇ ଢଳ ଢଳ ବଡ଼ ଆଖି ,ଓଃ କି ସୁନ୍ଦର ସେ ଆଖି । ମୁଁ ଖୁସି ହେଉଥିଲି କି ମୋ ମନରେ ଏକ ଅଜଣା ଭୟ ସୃଷ୍ଟି ହେଉଥିଲା !!ମୁଁ କିଛି ବି ଜାଣି ପାରୁନଥିଲି ? ସବୁ ଦେବାଦେବୀଙ୍କୁ ମନେ ମନେ ଧନ୍ୟବାଦ ଜଣାଇ ,ଆଉ ଟିକେ ଆଗକୁ ବଢ଼ିବାକୁ ପୁଣି ମାନସିକ କରିଦେଲି । 


      ଗାଡ଼ି ତା ଗନ୍ତବ୍ୟରେ ଆଗକୁ ବଢ଼ିଲା । ମୋ ମନ ଅଶାନ୍ତ ହେଉଥିଲା । ଝିଅଟି ମୋ ପ୍ରଶ୍ନର ଉତ୍ତର ଦେଇ ନଥିଲା । କିଛି ସମୟପରେ ଝିଅଟି ଓହ୍ଲେଇଯିବ ,ଏ କଥା ବାରମ୍ବାର ମନକୁ ଆଘାତ ଦେଉଥାଏ । ନା ଆଜି କଥା ହେବି ଯେମିତି ହେଲେ । ମୋର ସବୁ ସାଙ୍ଗମାନଙ୍କର ପ୍ରେମିକା ଅଛନ୍ତି । ସମସ୍ତେ ମୋ ରୂପ ଗୁଣର ଚର୍ଚ୍ଚା ମଧ୍ୟ କରନ୍ତି । ଅତ୍ୟଧିକ ଲାଜୁଆ ଆଉ ନିରବ ସ୍ଵଭାବ ଲାଗି ମୁଁ ମୋ ସାଙ୍ଗ ମାନଙ୍କର ବ୍ୟତିକ୍ରମ ଥିଲି । ଏ ଭିତରେ ଗାଡ଼ି ଝିଅଟିର ଗନ୍ତବ୍ୟରେ ପହଁଚିଲା । ସେ ଝିଅ ଓହ୍ଲେଇ ବା ସହ ମୁଁ ବି ଗାଡ଼ି ବାହାରେ ଥିଲି । ମନରେ ବହୁତ ସାହସ ବାନ୍ଧି ପଚାରିଲି । ତମ ନାଁ କଣ ? ଝିଅଟି ରାଗିଯାଇ ମୋ ଆଡ଼େ ଚାହିଁଲା ,ଆଉ କହିଲା ମତେ ପିଛା କରିବା ବନ୍ଦ କର !! ମୁଁ ଲଜ୍ଜିତ ହେଲି ,ମନରେ ବହୁତ କଥା କହିବାରେ ଥିଲେ ବି ନିରବ ରହିଲି । ଏକ ଲୟରେ ତାର ଯିବା ବାଟକୁ ଚାହିଁ ରହିଲି ଯେ ପର୍ଯ୍ୟନ୍ତ ସେ ମୋ ଆଖିରୁ ଅଦୃଶ୍ୟ ନ ହେଇଛି । ଇଚ୍ଛା ହେଲା ଆଜି ଆତ୍ମହତ୍ୟା କରିଦେବି ,ପୁଣି ଇଚ୍ଛା ହେଲା ନିଜ ରକ୍ତରେ ଏ କାନ୍ଥ ବାଡ଼ରେ ତାର ନାଁ ଲେଖିଦେବି । ଏମିତି କେତେ କଣ ଭାବି ଚାଲିଥାଏ । ଏ ଭିତରେ ତିନି/ଚାରି ଅସଢ଼ା ବର୍ଷା ମୋ ଉପରେ ଦାଉ ସାଧି ସାରିଲେଣି । ବହୁତ ମନ ଦୁଃଖରେ ଘରକୁ ଫେରିଲି ସେଦିନ ।

 

       ବର୍ଷାରେ ଭିଜିଥିବାରୁ ଜରରେ ପଡ଼ିଲି ପ୍ରାୟ ଗୋଟେ ମାସ । ଏମିତି ଗୋଟେ ଦିନ ,ଗୋଟେ ଘଣ୍ଟା ଯାଇନି ,ଯେବେ ମୁଁ ସେ ଅପରିଚିତା ଝିଅର ସୁନ୍ଦର ଆଖିକୁ ଆଉ ତାର ସୁନ୍ଦର ରୂପକୁ ମନେ ନ ପକେଇଛି । ଦିନେ ମୋର ଜଣେ ସାଙ୍ଗ ମତେ ଦେଖିବାକୁ ଆସିଲା ,କଥା ଛଳରେ କହିଲା ଆରେ ତୋ ବିଷୟରେ ଗୋଟେ ଝିଅ ମତେ ପଚାରୁଥିଲା ? ତୁ ଜରରେ ପଡିଛୁ ବୋଲି କହିଲି ।। ତାର ନାଁ କଣ ? ମୁଁ ଜାଣିବାକୁ ଚାହିଁଲି ,ମୁଁ ପଚାରି ପାରିନି ହେଲେ ସେ ମହିଳା କଲେଜର । ମୋ ଜର ଆଉ ଜରରେ ଆସିଥିବା ଦୁର୍ବଳତା କ୍ଷଣିକ ଭିତରେ ଉଭାନ ହେଇଗଲା । ମନରେ ଚଳଚ୍ଚିତ୍ରର ସବୁ ରୋମାଣ୍ଟିକ ଚରିତ୍ରରେ ନିଜକୁ ନିଜେ ଦେଖିଲି । 


       ଏମିତି ସବୁଦିନ ଗାଡ଼ିରେ ଦେଖାହୁଏ । ମୁଁ ଜାଣିଶୁଣି ସେ ଝିଅର ପାଖାପାଖି ରୁହେ । କେବେବି ଆଉ ସାହସ କରିନି କଥା ହେବାକୁ ,ସେ ଝିଅ କିନ୍ତୁ କଣେଇ କଣେଇ ମତେ ସବୁଦିନ ଦେଖେ । ଆଖିରେ ଆଖି ମିଷେ ଆମର ସବୁଦିନ । ଜଣେ ବନ୍ଧୁ ମତେ କହିଲେ କି ଗୋଟେ ଜନ୍ମଦିନ ଭୋଜିକୁ ଯିବା ଆଉ ତତେ ବି ନିମନ୍ତ୍ରଣ ଅଛି । ସେ ମତେ କହିଛି ତତେ ସାଙ୍ଗରେ ନେଇଯିବାକୁ । ମୁଁ କିଛି ନ ପଚାରି ମୋର ସାଙ୍ଗସହ ଚାଲିଲି ଭୋଜିଖାଇବାକୁ । 


      ଆମ ପୂର୍ବରୁ ଆଉ କିଛି ଅତିଥି ପହଞ୍ଚି ସାରିଥିଲେ ,ଘରଟି ବେଲୁନ ଆଉ ଲାଇଟରେ ସଜ୍ଜା ହେଇଥିଲା । ହଠାତ ମୋ ନଜର ପଡ଼ିଲା ମୋର ସ୍ୱପ୍ନର ନାୟିକା ଉପରେ ,ନୀଳ ରଙ୍ଗର ଏକ ସୁନ୍ଦର ଡ୍ରେସରେ ପରି ଲାଗୁଥିଲା । ହେଲେ ସେ କଣ ଅତିଥି ଏଇ ଭୋଜିରେ ? ମୋ ମନ ଭିତରର ଖୁସି କହିଲେ ନ ସରେ । ମନେ ମନେ ଭଗବାନଙ୍କୁ ଆଉ ମୋର ସେ ଅଜଣା ବନ୍ଧୁ ଯାହାର ଆଜି ଜନ୍ମଦିନରେ ମୁ ନିମନ୍ତ୍ରିତ ଅତିଥି ଦୁଇଜଣଙ୍କୁ ଧନ୍ୟବାଦ ଜଣାଇଲି । ମୁଁ ଜାଣିଶୁଣି ମୋର ମନର ନାୟିକା ପାଖରୁ ଦୂରତା ରଖୁଥାଏ । ମୋ ପଛରୁ ଆବାଜ଼ ଆସିଲା , ଅନିଲ ତମେ ସେଦିନ ବର୍ଷାରେ ଭିଜି ମାସେ କାଳ ଜରରେ ଶୋଇଲ ନାଇଁ ? ମୁଁ ବୁଲି ଚାହିଁଲି ,ମୋ ଆଶ୍ଚର୍ଯ୍ୟର ସୀମା ରହିଲାନି !! ମୋ ମନର ମାନସୀ ମତେ ଏ ପ୍ରଶ୍ନ କରୁଥିଲା । ଆଜି କାହାର ଜନ୍ମ ଦିନରେ ଅତିଥି ହେଇଛ ? ତାର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହିଲି ,ମୁଁ ଜାଣିନି । ମୋର ସାଙ୍ଗକୁ ଦେଖେଇ କହିଲି କି ସେ ମତେ ଡାକିଛି । 


      ଆଜି ମୋର ଜନ୍ମଦିନ ଆଉ ମୁଁ ଡାକିଛି ତମକୁ ମୋର ନାଁ କହିବାକୁ ,ଏତିକି କହି ଫିକ କରି ହସିଦେଲା । ତାର ସେ ଶବ୍ଦ ଆଉ ହସର ଚଇତି ତରଙ୍ଗରେ ,ମୋ ଭିତରେ ରୋମାଞ୍ଚ ଭରିଦେଲା । ମତେ କାହିଁକି ଡାକିଛ ? ମୋ ପ୍ରଶ୍ନ ନ ସରୁଣୁ ,ଉତ୍ତର ମିଳିଲା ଖାଲି ନାଁ ପଚାରିବ ନା ଆଉକିଛି କହିବ ବି ? ତମେ ମତେ ବହୁତ ଭଲ ଲାଗ ,ତମ ଆଖି ଓଃ ! ମୋ ଆଖିରୁ ନିଦ ହଜେଇ ଦେଇଛି ,ତମ କେଶ ତ , ମୋ କଥା ଅଧାରୁ ଝିଅଟି କହିଲା ଥାଉ ଥାଉ ବହୁତ ଗଲେଣି ମୋ ରୂପ ଚର୍ଚ୍ଚା କଲା ବାଲା ,ତମେ ଆଉ ଶାୟର ହୁଅନି । I love you । ଭୋଜିର କୋଳାହଳ ଭିତରେ ତାର ଏ ଶବ୍ଦଗୁଡିକ ମତେ ସ୍ତବ୍ଧ କରିଦେଇଥିଲା । ଆଶ୍ଚର୍ଯ୍ୟ ,ଚକିତ ଆଉ ଅବର୍ଣ୍ଣନୀୟ ଖୁସି ଅନୁଭବ କରୁଥିଲି । ମୋ ନୀରବତା ଭାଙ୍ଗି ସେ ପୁଣି କହିଲା ,ଆରେ ଏତେ ଆଶ୍ଚର୍ଯ୍ୟ କଣ ହେଉଛ ? ମୁଁ ସତରେ ତମକୁ ବହୁତ ଭଲ ପାଉଛି ,ନିଜଠୁ ବି ଅଧିକ କିନ୍ତୁ ଶୁଣ ମତେ କେବେବି ଛାଡି ଯିବନି । ଆଉ ତମେବି ଜଲଦି ଜଲଦି ମତେ ମୋ ଶବ୍ଦ ଫେରେଇ ଦିଅ । ଇଛା ହଉଥିଲା ତାକୁ ଜୋରରେ ଭିଡିଧରିବି ମୋ ଛାତିରେ । ଖୁସିରେ ଜୋରରେ କାନ୍ଦିବି ତାକୁ ମୋ ବାହୁରେ ଆବଦ୍ଧ କରି । ମନର ସବୁ ଇଚ୍ଛା ମନରେ ରଖି ମୁଁ କେବଳ I love you too କହିଲି । ଜନ୍ମଦିନର ଭୋଜି ପରେ ବହୁତ ଖୁସିରେ ମୁଁ ଫେରିଲି ,କିଛି ସମୟ ପୂର୍ବରୁ ଯିଏ କେବଳ ମୋର ଭାବନାରେ ଥିଲା ଏବେ ସେ ମୋର ସବୁ ଭାବନାର ବର୍ତମାନ ହେଇଯାଇଥିଲା । 


   ଆରମ୍ଭ ହେଇଗଲା ଆମର ପ୍ରେମ ପର୍ବ । ଘଣ୍ଟା ଘଣ୍ଟା ଫୋନରେ କଥାବାର୍ତ୍ତା ଚାଲିଲା । ସବୁଦିନ ଦେଖା ସାକ୍ଷାତ । ସାରା ଜୀବନ ଏକାଠି ରହିବାର ପ୍ରତିଶୃତି । ସବୁ ସୀମା ଲଙ୍ଘିଯାଇଥିଲୁ ଆମେ ଦୁହେଁ । ଶିଳ୍ପା ଆଉ ଅନୀଲ ର ପ୍ରେମ ଚର୍ଚ୍ଚା କଲେଜରୁ ଛକ , ବଜ଼ାର ହେଇ ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଉଭୟଙ୍କୁ ଉଭୟଙ୍କ ପରିବାର ତରଫରୁ ଗାଳି ଆଉ ତାଗିଦ । ଆମେ କିନ୍ତୁ ଥିଲୁ ଅମାନିଆ ପ୍ରେମ ପକ୍ଷୀ । କେବଳ ଉଡିବା ହିଁ ଜାଣିଥିଲୁ । 


     କିଛିଦିନ ପରେ ମୋର ରେଜଲ୍ଟ ବହୁତ ଖରାପ ଆସିଲା । ମୁଁ ଶିଳ୍ପାକୁ କହିଲି ଦେଖ ଆମକୁ ଏ ପ୍ରେମରେ ପୂର୍ଣ୍ଣଛେଦ ପକେଇବାକୁ ପଡ଼ିବ । ମୁଁ ତମଠୁ ଦୁରେଇବାକୁ ଚାହୁଁଛି । ମତେ ଭୁଲିଯାଅ । ମୁଁ ଏ ସବୁ ମଜ଼ାକ ରେ କହିଥିଲି ଆଉ ସେ କିଛି ଉତ୍ତର ବି କରିନଥିଲା । 

ରାତି ୧୧ ରେ ଫୋନ ଆସିଲା ଶିଳ୍ପା ଡାକ୍ତରଖାନାରେ ଅଛି ବିଷ ପିଇଦେଇଛି । ମୁଁ ଆତ୍ମହରା ହେଇଗଲି ,ଗୋଟେ ସାଙ୍ଗକୁ ଧରି ଡାକ୍ତରଖାନାରେ ପହଞ୍ଚିଲି । ସେ ସମସ୍ତଙ୍କୁ ମୋ ଆସିବା କଥା ପଚାରୁଥିଲା ମୁଁ ପହଁଚିଲା ପରେ ଅଭିମାନ କରି ମତେ ଦେଖିବନି ବୋଲି କହିଲା , ମୁଁ କିଛି ନକହି ତାକୁ ମୋ ହୃଦୟରେ ଭିଡ଼ି ଧରିଲି । କେବେ ତାକୁ ଏମିତି କହିବିନି କି କେବେ ଛାଡ଼ିବିନି ବୋଲି ପ୍ରତିଶ୍ରୁତି ଦେଲି ।  


     ଭଗବାନଙ୍କ ଦୟାରୁ ଶିଳ୍ପା ଜଲଦି ଠିକ ହେଇ ଫେରିଲା ଡାକ୍ତରଖାନାରୁ, ପୂର୍ବପରି ଆମେ ପୁଣି ଉଭୟେ ଉଭୟଙ୍କ ପ୍ରେମରେ ହଜିଗଲୁ । କୌଣସି ସୀମା , କିଛି ବନ୍ଧନ ନଥିଲା ଆମ ପାଇଁ । ଏ ଭିତରେ ସାତ ବର୍ଷ ବିତିଯାଇଥିଲା ,ଝଗଡ଼ା ହଉ ,ଅଭିମାନ କରୁ ଉଭୟେ ଉଭୟଙ୍କ ଉପରେ ,କେବଳ କେଇଘଣ୍ଟା ପାଇଁ , ବହୁତ ଖୁସିରେ କଟୁଥିଲା ସମୟ ସବୁ । ପାଠପଢ଼ା ପରେବି ଆମ ପ୍ରେମ ସମୁଦ୍ରରେ କେବେ ଭଟ୍ଟା ପଡିନି ବରଂ ଜୁଆର ଆହୁରି ବଢ଼ିଛି ,ମଝିରେ ମଝିରେ ଶିଳ୍ପା କୁହେ , ଅନୀଲ ମତେ ଲାଗୁଛି ମୁଁ ଶେଷ ପର୍ଯ୍ୟନ୍ତ ତମ ସାଙ୍ଗରେ ରହି ପାରିବିନି ,ମୁଁ ତାକୁ ଗାଳି କରେ ଆଉ ,ଏମିତି ନ କହିବାକୁ ବି କୁହେ ,। ସେ କିନ୍ତୁ ମଝିରେ ମଝିରେ ଏମିତି କହିଚାଲେ ।


          ସେଦିନ ସକାଳେ ଆମେ ଫୋନରେ କଥା ହେଇଥିଲୁ ,ସେ ତାର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଛି ବୋଲି କହିଲା , ଗୋଟେ ବାହାଘର ଭୋଜି ଅଛି । ମୁଁ ବି ମୋ କାମରେ ବ୍ୟସ୍ତ ଥାଏ ସେଦିନ , ମୋ ସାଙ୍ଗ ମତେ କହିଲା ,ଅନୀଲ ଶିଳ୍ପାର ଆକ୍ସୀଡେଣ୍ଟ ହେଇଛି , ସେ ଡାକ୍ତରଖାନାରେ ଅଛି । ହଠାତ ମୋ ମସ୍ତିଷ୍କ କାମ କରିବା ବନ୍ଦ କରିଦେଲା , ମୋ ଧମନୀରେ ରକ୍ତସଞ୍ଚାଳନ ଶିଥିଳ ପଡିଯାଇଥିଲା , ମୁଁ କିଂ କର୍ତ୍ତବ୍ୟ ବିମୁଢ଼ ହେଇ ଚିନ୍ତା କରିବାର ସାମର୍ଥ୍ୟ ହରାଇ ବସିଥିଲି । ସାଙ୍ଗ ସହିତ ମୁଁ ଡାକ୍ତରଖାନାରେ ପହଞ୍ଚିଲି । ଡାକ୍ତରଖାନା ବାହାରେ ଗୋଟେ ଆମ୍ବୁଲାନ୍ସ ଜଣେ ରୋଗୀକୁ ବଡ଼ ଡାକ୍ତରଖାନା ନବାକୁ ଠିଆ ହେଇଥାଏ । ଭିଡ଼ ଭିତରୁ ଅନୀଲ ,ଅନୀଲ ଡାକ ମୋ କାନକୁ ବ୍ୟତିବ୍ୟସ୍ତ କରୁଥିଲା ,ଏ ତ ମୋର ଶିଳ୍ପାର ସ୍ୱର । ଭିଡକୁ ଆଡ଼େଇ ମୁଁ ପହଞ୍ଚିଲି ଶିଳ୍ପା ପାଖରେ , ଅନୀଲ ଶୁଣ , ମୁଁ କହୁଥିଲିନା ମୁଁ ସାରା ଜୀବନ ରହିପାରିବିନି ତମ ସହ ! ଦେଖ ମିଛ ନୁହଁ , ମୋ ଆଖି ତମକୁ ଭାରି ଭଲଲାଗେ ନା , ଦେଖ ଦେଖ ,ହେଇ ନିଅ ମୋର ଲମ୍ବା ଲମ୍ବା କେଶକୁ ଦେଖ ,ଶକ୍ତିହୀନ ଶିଳ୍ପା ତାର ଝାଉଁଳା ଆଖିକୁ ବଡ଼ କରିବାକୁ ବୃଥା ଚେଷ୍ଟା କରୁଥିଲା , ହାତରେ ତାର ଲମ୍ବା କେଶକୁ ଟାଣୁଥିଲା ମତେ ଦେଖେଇବ ବୋଲି ,। ମୁଁ ଆଉ ଫେରିବିନି ଅନୀଲ ,। ଶବ୍ଦ ବାହାର କରିବାର ଶକ୍ତି ନଥିଲା ମୋର ,ଈଶାରାରେ ଚୁପ ରହିବାକୁ କହିଲି । ତାକୁ ଶୀଘ୍ର ଡାକ୍ତରଖାନାକୁ ନେଇଯିବାକୁ ବି କହିଲି । ବହୁତ ଚେଷ୍ଟା କରି ବଡ଼ ପାଟିରେ କହିଲି । ତମକୁ ଅପେକ୍ଷା କରିଛି ଶିଳ୍ପା ,ଜଲଦି ଫେରିଆସ ।

 

         ପ୍ରାୟ ଦୁଇଘଣ୍ଟା ପରେ ଖବର ଆସିଲା ଶିଳ୍ପା ଆଉ ଏ ଦୁନିଆରେ ନାହିଁ । କେମିତି ବିଶ୍ୱାସ କରିବି ମୁଁ ! ମିଛ କହୁଛନ୍ତି ସମସ୍ତେ । ମତେ ଖବର ଦଉଛନ୍ତି ତାକୁ ଶେଷଥର ଦେଖିଯିବ ଆସ । ରାଗିବାକୁ ଇଚ୍ଛା ହଉଛି ମୋର । ଝଗଡ଼ା କରିବି ମୁଁ ତା ସହ ମୋ ସହ ଯୁକ୍ତି କରିବା ଲାଗି ତାକୁ ଉଠିବାକୁ ପଡ଼ିବ ଶେଷ ବିଛଣାରୁ । ତାର ଯାତ୍ରା ସମ୍ପୂର୍ଣ କରିବାକୁ ତାକୁ ପୁଣି ଆସିବାକୁ ପଡ଼ିବ । ଉତ୍ତର ଦେବାକୁ ପଡ଼ିବ ତାକୁ କଣ ପାଇଁ ଏ ମିଛ ପ୍ରତିଶୃତି ସବୁ ଦେଇଥିଲା ମତେ । 


         ଶେଷ ଶଯ୍ୟାରେ ନିରବ ଆଉ ଅନନ୍ତ ଶାନ୍ତିରେ ଶୋଇଛି ଶିଳ୍ପା , ସେ ଢଳ ଢଳ ବଡ଼ ବଡ଼ ଆଖି ଦୁଇଟି ବନ୍ଦ ଅଛି ଯେ । ମୁଁ ସେ ଆଖିରେ ପଡିଥିବା ପଲକ ଟେକି ଦେଖିବାକୁ ବହୁବାର ଅସଫଳ ଚେଷ୍ଟା କଲି । ଶିଳ୍ପା ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ।ମୋ ସାଙ୍ଗର କଥାରେ ଇତସ୍ତତଃ ମନ ମୋର ତଟସ୍ଥ ହେଲା । ମୋରି ଆଖି ଆଗରେ ପଞ୍ଚତତ୍ୱରେ ବିଲୀନ ହେଇଗଲା ଶିଳ୍ପା । ମୋ ଠୁ ବହୁଦୂରକୁ ଚାଲିଗଲା । ସବୁଥର ଝଗଡ଼ା ପରେ ସେ ହିଁ ମତେ ବୁଝାଏ । ସେହିଁ ଆଗ କଥା ହୁଏ । ପୁଅ ପିଲାର ଅହଂ ଭାବ ମତେ କଠୋର କରେ ତା ଆଗରେ ,ଏବେ ସେ ସବୁର ପ୍ରତିଶୋଧ ନଉଛି ଶିଳ୍ପା । ମୁଁ ଯେତେ ଯାହା ପଚାରିଲେ ବି ଯେତେ ଥର ମନେଇଲେ ବି ତା ଅଭିମାନ ସରୁନି । ତା ବଡ଼ ଆଖିରେ ସେ ଆଉ ମୋ ଆଡେ ଚାହୁଁନି । ମତେ କିନ୍ତୁ ସେ ଆଖି ଆଜି ବି ଶୁଆଇ ଦଉନି । ଅସମ୍ଭବ ହେଲେବି ଲାଗୁଛି ଯେମିତି ଶିଳ୍ପା ଫେରିଆସିବ । ଆଉ ପୁଣିଥରେ ଡେଣା ଲଗାଇ ଆମେ ମୁକ୍ତ ଆକାଶରେ ଉଡ଼ିବୁ ଆଖିରେ ଆଖି ମିଶେଇ ।

            


Rate this content
Log in

Similar oriya story from Romance