ପଘା
ପଘା
ପଘା ଛିଣ୍ଡେଇ ମୁକ୍ତ ହେଇଯିବାର ଅନ୍ୟନାମ ଅସାମାଜିକତା !!
★★★★★★★★★
ବସନ୍ତ ଋତୁ ବିଷୟରେ ଝିଅକୁ ବୁଝେଇବାର ସମସ୍ତ ଚେଷ୍ଟା କରି ଥକିଗଲା ଶୀର୍ଷା । ନବ ପଲ୍ଲବ ଆଉ ପୁଷ୍ପ ସମ୍ଭାରର ଋତୁରାଜ ସଂକ୍ରାନ୍ତରେ କେମିତି ବୁଝିବ ଝିଅ ?...
ପଳାଶ , ତମାଳ , ବକୁଳ ଫୁଲକୁ କି ଝିଅ ଚିହ୍ନି ପାରେ ? ଏଇ ସୁବାସିତ ପୁଷ୍ପ ସମ୍ଭାର କଥା କେମିତି ଅନୁଭବ କରିବ ଅନଭି !...ତା' ଲାଗି ଫୁଲ ତ ଏବେ ବର୍ଷ ତମାମ କେବେ ଆର୍କିଡ୍ କେବେ କସମସ୍ , କେବେ ବ୍ୟଗନଭେଲିଆ । ଏମାନଙ୍କୁ ବେଶ ଚିହ୍ନିଛି ସେ । ଗୋଲାପ , ଡାଲିଆ , ଜିନିଆବି ଚଳିବ ଏସବୁ ପାର୍କରେ । କିନ୍ତୁ ପଳାଶ , ବକୁଳ ଆଃ ! ..............
ଶୀର୍ଷା ଗୁଗୁଲର ସାହାଯ୍ୟ ନେଇ ଦେଖେଇଲା ସବୁ ଫୁଲ ଗୁଡିକୁ । ଏଗୁଡିକ ଆମ ନିଜ ମାଟିର । ଅପୂର୍ବ ସୌନ୍ଦର୍ଯ୍ୟ ଆଉ ସୁଗନ୍ଧର ମାଲିକାନା ଏମାନଙ୍କ ପାଖରେ । କିନ୍ତୁ ଅନଭି ଟିକିଏ ମଧ୍ୟ ଆକର୍ଷିତ ହେଲା ନାହିଁ ସେଇ ନିର୍ଜୀବ ସ୍କ୍ରିନ ଉପରେ ଦିଶୁଥିବା ଚିତ୍ର ପ୍ରତି ।
ବଡ଼ ଯନ୍ତ୍ରଣା ହେଲା ଶୀର୍ଷା କୁ ଓଃ ! ଶୀର୍ଷା ର ଝିଅ ବସନ୍ତକୁ ନେଇ ସ୍ୱପ୍ନାବିଷ୍ଟ ହେଇପାରୁନି । ମଳୟର ସୁଗନ୍ଧକୁ ଅନୁଭବି ପାରୁନି । ବଉଳର ଆମନ୍ତ୍ରଣକୁ
ବୁଝିପାରୁନି । ଜାଣି ପାରୁନି ବସନ୍ତକୁ ଋତୁରାଜ କହିବାର ତାତ୍ପର୍ଯ୍ୟ !................
ଶୀର୍ଷା ପୁଣି ଚେଷ୍ଟା କଲା , ଦେଖେଇଲା ଆମ୍ବ ବଉଳଟେ ତୋଳି ଆଣି । କହିଲା ,
'' ଦେଖ ତ କେତେ ସୁନ୍ଦର ବାସ୍ନା । ଏଇ ଫୁଲ ପେନ୍ଥା ଭିତରେ ରସାଳ ଆମ୍ବର ସଂକେତ । କେତେ ସ୍ୱାଦ କେତେ ସ୍ୱପ୍ନ ! ''
ଝିଅ ଏବେ ମମିକୁ ବୋକା ଆଖିରେ ଦେଖିଲା । ଯେମିତି କହୁଛି " ମମି ପ୍ଲିଜ ଆଇ ହାଭ୍ ଟୁ ପେନ୍ ଏ କ୍ରିଏଟିଭ ରାଇଟିଂ !''
ଶୀର୍ଷା ଏବେ ନିଜକୁ ସମ୍ଭାଳି ନେଲା । ଫେରେଇ ଆଣିଲା ନିଜ ଭିତରର କୋମଳ ଅନୁଭବ ସବୁକୁ ସହରର ନିର୍ଜୀବ କଂକ୍ରିଟ ପୃଥୁବୀକୁ । ବସିଗଲା ସ୍ଥିର ହେଇ ଆଉ ଡାକିଲା ଝିଅର ଇଚ୍ଛା ମୁତାବକ କ୍ରିଏଟିଭ ରାଇଟିଂ ।............
ଏଇ ଅନୁଭବ ;ଆକ୍ତାମାକ୍ତା , ତୀବ୍ର ଯନ୍ତ୍ରଣା, ଅବ୍ୟକ୍ତ ମରମ ତଳର ଗହନ କଥା ଶୀର୍ଷା ଭିତରେ ଅନେକ ଦିନ ତଳୁ । ତା'ର ଇଚ୍ଛା ସବୁ ଜୋର ଜବରଦସ୍ତ କରି ଭାବ ଶୁନ୍ୟ କରିବାର ଅପ୍ରାଣ ଚେଷ୍ଟା ପରେ ମଧ୍ୟ ସୁଯୋଗ ମାତ୍ରେ ସେସବୁ ଉତୁରି ଆସନ୍ତି ଏମିତି । ଝିଅ ହେଉ ବା ଉତ୍ପଳ ଉଭୟ କିନ୍ତୁ କାଣିଚାଏ ବୁଝି ପାରନ୍ତି ନାହିଁ ତା' ଭିତରର ଏଇ ଅସହାୟତା କଥା ।
କେବେ ଦୂର ଦିଗନ୍ତରେ ବର୍ଷାର ଆଗମନ ହେଲେ ଶୀର୍ଷା ଖୋଜେ ତରଙ୍ଗାୟିତ ମୟୂରର ଦୃଶ୍ୟକୁ ବିକଳ ହେଇ । ଇଚ୍ଛା କରେ ଧାଇଁ ଯିବ କେଉଁ ଗୋଟେ ଅଜଣା ବନାନୀ ଭିତରକୁ ଆଉ ଝୁମିବ ସେଇ ମଦମତ୍ତ ମୟୁର ସହ ତାଳରେ ତାଳ ମିଶେଇ । ସେ ଜାଣେ ତା' ପାଦରେ ଅଛି ଠିକ ସେମିତି ଚଳଚଞ୍ଚଳତା , ତା' ଭିତରେ ଅଛି ଠିକ ସେମିତି ମାଦକତା , ତା' ଆଖିରେ ଅଛି ଠିକ ସେମିତି ଆକର୍ଷଣ । ଯାହା ଅନ୍ୟକୁ ମନ୍ତ୍ରମୁଗ୍ଧ କରିବାକୁ ବେଶ ସମର୍ଥ ।
କିନ୍ତୁ ଉତ୍ପଳ ବର୍ଷା ହେଲେ ମାପନ୍ତି ଜଳର ପରିମାଣ , ହିସାବ କରନ୍ତି ବନ୍ୟାର ସମ୍ଭାବନା , ଖୋଜ ଖବର ନିଅନ୍ତି ଜଳ ବନ୍ଦୀ ଲୋକ ମେଞ୍ଚାକଙ୍କର । ସେ କାହିଁକି ଏତେ ବାସ୍ତବଧର୍ମୀ ବୁଝି ପାରେନା ଶୀର୍ଷା ।
ବର୍ଷାକୁ ଘଡ଼ିଏ ମନଭରି ଜୀଇଁବାର ଇଚ୍ଛା ନଥାଏ ତାଙ୍କ ଭିତରେ ସେଥିରୁ ବରଞ୍ଚ
ସେ ଯାବତୀୟ ସମସ୍ୟା ଖୋଜି ବୁଲନ୍ତି ।
ସେମିତି ଶୀତ ସନ୍ଧ୍ୟାରେ ଶୀର୍ଷା ଇଚ୍ଛା କରେ ଘଡ଼ିଏ ନୁଆଁଣିଆ ଚାଳିଆ ଘର ଛୋଟ ଚା' ଦୋକାନରେ ବସି କାଚ ଗିଲାସରେ ଚା' ସହ ବିସ୍କୁଟ ଖାଇବାକୁ । ସେଇ ଶୀତକୁ ବେଶ ଦମ୍ଭର ସହ ଟକ୍କର ଦେଉଥିବା ଚା' ଗିଲାସ ପ୍ରତି ଅହେତୁକ ମୋହ ଶୀର୍ଷା ଭିତରେ । କିନ୍ତୁ ଉତ୍ପଳ କେବେ ସିସିଡି ବ୍ୟତୀତ ଅନ୍ୟ କେଉଁଠି ହ୍ୟାଙ୍ଗ ଆଉଟ୍ କରିବା କଥା କଳ୍ପନା ମଧ୍ୟ କରନ୍ତି ନାହିଁ । ସେ ଯେ ନିର୍ଦ୍ଦିଷ୍ଟ କ୍ଲାସର ମଣିଷ , ଏମିତି ବେପରୁଆ ଭାବେ ଚାଳିଆ ଦୋକାନରେ
" ଓଃ ମାଇଁ ଗଡ଼ !''.............
ରୁଦ୍ର ସନ୍ୟାସୀ ନିଦାଘ ଗ୍ରୀଷ୍ମକୁ ନେଇ ଶୀର୍ଷା ସବୁଠାରୁ ଅଧିକ ସମ୍ବେଦନଶୀଳ । ଭାରି ଇଚ୍ଛା ହୁଏ ସେଇ ସମୟରେ ଟିକେ ପତ୍ରପଡା ଯିବାକୁ । ତା' ନିଜ ଭିଟାମାଟିରେ ଥିବା ସେଇ ଇଂରେଜ ଅମଳର ପୁରୁଣା କଡ଼ି ବରଗା ଘରେ ଟିକେ ରହିବାକୁ । ବେଶ ଶିତଳତା ସେଇ ଘରେ । ଚାରିପଟେ ସୁନ୍ଦର ମଲ୍ଲି , ସୁଗନ୍ଧରାଜ , ଆମ୍ବ ପଣସ ଆଉ ଦେବଦାରୁ ଗଛର ସମାବେଶ । ସବୁଠାରୁ ଲୋଭନୀୟ ବାଡ଼ିର କାଗଜି ଲେମ୍ବୁ । ଗୋଟିଏ ଲେମ୍ବୁ ରୁ ଅତି କମରେ ଚାରି ଗିଲାସ ସ୍ୱାଦିଷ୍ଟ ଲେମ୍ବୁ ପାଣି । ଆଜିର କୋଲ୍ଡ ଡ୍ରିଂକ୍ସ ଠାରୁ ଢେର ସ୍ୱାଦିଷ୍ଟ ଢେର ଉପାଦେୟ ।
ସାନ ଖୁଡୀଙ୍କ ବାପ ଘରୁ ଆସିଥିଲା ସେଇ ଲେମ୍ବୁ ଚାରା । ଅସୁବିଧା ଦିନରେ କେହି ସେଇ ଲେମ୍ବୁ ଗଛ ପାଖ ମାଡିବେ ନାହିଁ ବୋଲି ଖୁଡୀଙ୍କ ତାଗିଦ ଏବେବି ମନେ
ପଡେ ।
ସେଠିକୁ ଗଲେ କେମିତି ଗୋଟେ ଆତ୍ମ ତୃପ୍ତି ମିଳେ । ନିଜପଣର ଆକର୍ଷଣ ବାରି ହେଇଯାଏ । ସକାଳୁ ସକାଳୁ ତାଜା ପଇଡ
ପାଣି ସହ ନିଦ ଭାଙ୍ଗି ଦିନ ଦିପହରେ ପୋଖରୀ ମାଛ ସହ ସଜ ପଖାଳ ଖିଆର ନିର୍ମଳ ଆନନ୍ଦ ମିଳେ ।
ଉତ୍ପଳ କିନ୍ତୁ କେବେ ଯାଇ ନାହାନ୍ତି
ସେଠିକୁ । ବାହାଘର ପରେ ଖୁଡୀ ସଠିକ ଭାବେ ଜୋଇଁ ଡାକରା କରିନଥିଲେ ବୋଲି ସେଠିକୁ ଯିବାକୁ ବାରଣ କରି ଦେଇଛନ୍ତି ଶାଶୁ । ବାସ୍ ଆଜ୍ଞାବହ ପୁତ୍ର ମା' କଥା ଶିରୋଧାର୍ଯ୍ୟ କରି ରଖିଛନ୍ତି ଅବାହ କାଳରୁ ।
*****************
ଶୀର୍ଷାର ପୃଥିବୀର ରୂପରେଖ ଓ ଉତ୍ପଳଙ୍କ ପୃଥିବୀର ସ୍କେଚ୍ ଭିତରେ ଢେର
ପାର୍ଥକ୍ୟ । ଶୀର୍ଷା ସ୍ୱପ୍ନ ବିଭୋର ସୁକୁମାରୀ ଝିଅ ଆଉ ଉତ୍ପଳ ରୁକ୍ଷ ବାସ୍ତବତା ସହ ଜୁଝୁଥିବା ଯନ୍ତ୍ର ।
ତାଙ୍କ ହାଇ କ୍ଲାସ୍ ଜୀବନରେ ମଣିଷ ଗୋଟେ ରେସ୍ କୋର୍ସ ଦୌଡୁ ଥିବା ଘୋଡ଼ା । ଯାହା ଉପରେ ଲାଗିଛି କୋଟି କୋଟି ଟଙ୍କାର ବାଜି । ସେ ନାହିଁ ନିଜ ଇଚ୍ଛା ବା ସ୍ୱପ୍ନ ର ଅକ୍ତିଆରରେ । ସେ ଅଛି ରେସ୍ କୋର୍ସ ର ସେଇ ଜର୍କୀ ହାତରେ । ଯେମିତି ଦୌଡେଇବ ସେମିତି ଦୌଡ଼ ଲଗେଇବାକୁ ପଡିବ । ଏଠି ଏତେ ଭାବୁକ ହେବାକୁ କାହାକୁ ଫୁରସତ ଅଛି ।
ଉତ୍ପଳଙ୍କ ନିଜସ୍ୱ ଫ୍ୟାକ୍ଟ୍ରି ଅଛି । ସେ ଜଣେ ପ୍ରତିଷ୍ଠାବାନ୍ ଯୁବ ଶିଳ୍ପପତି । ତାଙ୍କର ହଜରେ କାମ , ଅଗଣିତ ମିଟିଂ , ଅସଂଖ୍ୟ ପ୍ରୋଜେକ୍ଟ , ଗଣ୍ଡା ଗଣ୍ଡା କ୍ଲାଏଣ୍ଟ । ତାଙ୍କୁ ବର୍ଷା , ବୈଶାଖ , ବସନ୍ତର ହିସାବ କରିବାକୁ ବେଳ କାହିଁ ???...........
ସେଥିପାଇଁ ସେ ଶୀର୍ଷାକୁ ବୁଝିବାକୁ ଅସମର୍ଥ ହେବେ ହିଁ ହେବେ । ଏଇଟା ଏକଦମ ସ୍ୱାଭାବିକ । ଶୀର୍ଷା ଏତକ ବୁଝିବା ଜରୁରୀ । ଦୁଇଟି ମଣିଷ ଭିତରେ ଚିନ୍ତା ଓ ଚେତନା ଗତ ବିଭେଦ ସୃଷ୍ଟିର ନିଜସ୍ୱ
ନିୟମ । ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ।
ନିଜ ଏକମାତ୍ର ଝିଅ କୁ ନିଜ ଭଳି କ୍ଲାସିକ କରି ଗଢିବାର ଇଚ୍ଛା ମଧ୍ୟ ବେଶ ସ୍ୱାଭାବିକ ।ସହରର ସବୁଠାରୁ ଦାମୀ ସ୍କୁଲ ରେ ପଢ଼ୁଥିବା ଅନଭି ଭିତରେ ତେଣୁ ଉତ୍ପଳଙ୍କ
ପ୍ରତି ଛବି । ସେ ମଧ୍ୟ ବେଶ ବାସ୍ତବବାଦୀ । ଜୀବନ କୁ ଢେର ହିସାବ କିତାବ ତା' ଭିତରେ । ମମି ଭଳି ଇମୋସନଲ୍ ଫୁଲ୍ ନୁହେଁ ସେ । ତେଣୁ ମମି ଠୁ ସେ ମଧ୍ୟ ବେଶ
ଦୂରରେ ।
ଶୀର୍ଷା କିନ୍ତୁ ଏଇ ଜୀବନ ଭିତରେ
ସମୟେ ସମୟେ ଟିକେ ଅଧିକ ଆନମନା ହୁଏ । ଏଇ ମୁଖା ପିନ୍ଧା ଅଭିନୟ ଭିତରୁ ମୁକୁଳି ଯାଇ ନିଜ ନିଜତ୍ବ ସହ ଆଖି ମିଶେଇବାର ଇଚ୍ଛା ବଳବତୀ ହୁଏ । ସେ ଘରୁ ବାହାରି ଯାଏ । ଯେବେ ଏମିତି
ସ୍ୱଇଚ୍ଛାରେ କିଛି କରିବାକୁ ଥାଏ ଶୀର୍ଷା ନିଏନି ଘରର କୌଣସି ଗାଡି ବା କୌଣସି
ଡ୍ରାଇଭର । ସେମାନେ ସବୁ ଉତ୍ପଳଙ୍କ ସ୍ପାଇ
ଭଳି , ଜଣା ଅଛି ତାକୁ । ସେଇ ମୁହୂର୍ତରେ ବୁକ୍ କରେ ଗାଡି ଟ୍ରାଭେଲ ଏଜେନ୍ସିରୁ ।
ଶୀର୍ଷା ଯାଏନି ହୋଟେଲ , ପବ୍ , ମଲ୍ କି ଫିଲ୍ମ । ସେ ଘୁରେ ସହର ଉପକଣ୍ଠ ନଦୀ ପଠାରେ । ତୋଳେ ଭଇଁଚ କୋଳି , କଣ୍ଟେଇ କୋଳି , ବେତ କୋଳି । ସେ ଯାଏ ପାତ୍ରପଡା ପିଇବାକୁ ପଇଡ ପାଣି । ଖୁଡୀଙ୍କ
ବଢ଼ନ୍ତା ବୟସ ପାଇଁ ନେଇଯାଏ ନାରାୟଣୀ ତେଲ , ସୁଗାର ଫ୍ରି ବିସ୍କୁଟ , ସେଉ , ବେଦେନା । ଆଉ ବେଳେ ବେଳେ ଯାଏ ସାର୍ଥକଙ୍କ ପେଣ୍ଟିଂ ସ୍କୁଲ ।
ସହରର ଚାକଚକ୍ୟଠୁ ଢେର ଦୂରରେ ସାର୍ଥକ ଚଳାନ୍ତି ନିଜର ସ୍କୁଲ । ଗଢ଼ନ୍ତି କିଛି ଭିନ୍ନ କାରୀଗର । ସବୁପିଲାଏ ତାଙ୍କର
ଭିନ୍ନକ୍ଷମ । ବଡ଼ କରୁଣ ଲାଗେ ସେଇ ଅଧାଗଢା ଶରୀର ଧାରୀ କାରୀଗର ଗୁଡିକୁ ଦେଖି । କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ତାଙ୍କରି ହାତ ଗଢ଼ା ପରିପୂର୍ଣ୍ଣ ଚିତ୍ର ଗୁଡାକ ଦେଖି ।
ଅନଭିର ଡ୍ରଇଂ ଟିଚର ପ୍ରତି ଶୀର୍ଷାର ଏଇ ଆକର୍ଷଣ ବେଶ ସମ୍ମୋହକ । ସେ ବୁଝନ୍ତି ଶୀର୍ଷା ଭିତରର ମଣିଷକୁ । ଅନେକ ଚମତ୍କାର ପୋଟ୍ରେଟ ଆଙ୍କି ପାରନ୍ତି ଶୀର୍ଷାକୁ ନେଇ । ସେଥିରେ ଥାଏ ଗୋଟେ ଭିନ୍ନ ଉନ୍ମାଦନା ।
ବର୍ଷା ସହ ଭିଜୁଥିବା ଶୀର୍ଷା ଆଙ୍କି ପାରନ୍ତି ସାର୍ଥକ ବେଶ ଜୀବନ୍ତ ଭାବେ । ସେଇତକ
ପାଇଁ ଅପେକ୍ଷା ରୁହେ ବର୍ଷଣ ମୁଖର ମୁହୂର୍ତ୍ତର । ଭିଜେ ଶୀର୍ଷା ସାର୍ଥକଙ୍କ ନିର୍ଦେଶରେ ଗୋଟେ ପିକ୍ଚର୍ ପେରଫେକ୍ଟ୍ ଲୁକ୍ ପାଇଁ ।
ଶୀତୁଆ ସନ୍ଧ୍ୟାରେ ଚାଳି ଭିତରେ ଚା' ଗିଲାସ ସହ ଚିତ୍ରଣ କରିପାରନ୍ତି ସାର୍ଥକ ଶୀର୍ଷାକୁ ବଡ଼ ନିଖୁଣ ଭାବେ । ଉଭୟ ବାହାରି ଯାଆନ୍ତି ଗୋଟେ ବସ୍ତି କଡ଼ର ଛୋଟ ଚା' ଚାଳି ଭିତରକୁ । ସେଇଠୁ ସେଇ ଅନୁଭବକୁ ସାଇତି ନେବାପାଇଁ।
ପତ୍ରପଡା କଡ଼ି ବାରଗା ଘରକୁ ମଧ୍ୟ ଆସନ୍ତି ସାର୍ଥକ ଚିତ୍ରରେ କଏଦ କରିବାକୁ
ଶୀର୍ଷାକୁ ଲେମ୍ବୁ ତୋଳୁ ଥିବାର ।
ସେଇ ମୁହୂର୍ତ୍ତରେ ଶୀର୍ଷା ସାର୍ଥକଙ୍କ ଭିତରେ ଗୋଟେ ଉତ୍ପଳଙ୍କ ଉପସ୍ଥିତି ଅନୁଭବ
କରେ । ବେଶ ତୃପ୍ତି ଦିଏ ସେଇ ଭାବନା ।
ହଜି ଯାଏ ଶୀର୍ଷା ସେଇ କାଳ୍ପନିକ ପୃଥିବୀରେ । ରଙ୍ଗ ଆଉ ରୂପର ଅପୂର୍ବ ସମାବେଶରେ । ଜିଇଁ ହେଉନଥିବା ମୁହୂର୍ତ୍ତ ମାନଙ୍କୁ ଅନୁଭବ କରିପାରେ ସେଇ ପେଣ୍ଟିଂ ଭିତରେ । ସମୟ କେମିତି ବିତିଯାଏ ବୁଝା ପଡେନା । ସେଠୁ ଫେରିଆସିବାକୁ କେବେ ଇଚ୍ଛା ହୁଏନା ।
ଖୁବ୍ ଗପ ଯୋଡନ୍ତି ଦୁହେଁ ବିଖ୍ୟାତ ଚିତ୍ରକରଙ୍କର । କେବେ ପିକାସୋ ତ କେବେ ଦା' ଭିନ୍ସି ପୁଣି କେବେ ଆଦିମ୍ ମିଲର୍ । ପିକାସୋଙ୍କ ପ୍ରେୟସୀ ଫେରନାଣ୍ଡଙ୍କ ଭଳି ଶୀର୍ଷା ସାଜେ ସାର୍ଥକଙ୍କ ସୃଜନର
ପ୍ରାଣକର୍ତ୍ତୀ ।
କେଉଁ ଏକ ନିଭୃତ କୋଣରେ ସେଇଠି ଗୋଟେ ନିର୍ଜୀବ ପେଣ୍ଟିଂ ହେଇ ରହିଯିବାକୁ ଇଚ୍ଛା ହୁଏ । ବାସ୍ ହଜିଯାଉ ଶୀର୍ଷା , ନିଋଦ୍ଦିଷ୍ଟ ହେଇଯାଉ । ଖୋଜନ୍ତୁ ସଭିଏଁ ଉତ୍ପଳ , ଅନଭି , ତା' ପାପା ମମି ।
ମଣିଷ ପ୍ରକୃତରେ ଖୋଜେ ଏମିତି ନିଜକୁ ସବୁବେଳେ । ସଭିଙ୍କୁ ଲୋଡ଼ା ଏକାନ୍ତ ବ୍ୟକ୍ତିଗତ ମୁହୂର୍ତ୍ତ କିଛି । ଯାହା ଆମେ ଜୀଉଁ କେବଳ ନିଜ ପାଇଁ । ସାର୍ଥକଙ୍କ ସହ ବିତୁ ଥିବା ସେଇ ମୁହୂର୍ତ୍ତ ସବୁ ଅମ୍ଳଜାନ ଭଳି ଅତ୍ୟାବଶ୍ୟକ । ସେସବୁ ବିନା ଜିଇଁବା ବୋଧେ ଅସମ୍ଭବ !......
ଘେରାଏ ଏମିତି ବୁଲି ଆସେ ଶୀର୍ଷା ଯେବେ ଉତ୍ପଳ ରୁହନ୍ତି ବିଦେଶ ଗସ୍ତରେ । ଅନଭି ହୁଏତ ଜାଣେ ବା ଜାଣେ ନାହିଁ । କିନ୍ତୁ ପ୍ରତିରୋଧ କରେ '' ମମି ଦିସ୍ ଇଜ୍ ନଟ୍ ଫେୟାର୍ ୟୁ ସୁଡ଼ ନଟ୍ ଗୋ ଏଲୋନ ।'' ବଳିଷ୍ଠ ଶୁଭେ ଝିଅର ସ୍ୱର । କେବେ କେମିତି ଭୟ ମଧ୍ୟ ଲାଗେ । ଉତ୍ପଳଙ୍କୁ ଯଦି ଝିଅ କୁହେ ଏମିତି ମମି ବାହାରକୁ ଯାଇଥିଲା ତାକୁ ନନେଇ । ତେବେ ?.......
*****************
ଶୀର୍ଷା ଏଇ ଗତକାଲି ଯାଇଥିଲା ସାର୍ଥକଙ୍କ ପାଖକୁ ଟିକେ ବସନ୍ତ ଋତୁର ଅନୁଭବ ନେଇ । କିନ୍ତୁ ଫେରିଲା ମୁଠେ ଅବ୍ୟକ୍ତ ଯନ୍ତ୍ରଣା ସହ। ସାର୍ଥକ ବନ୍ଦ କରୁଛନ୍ତି ନିଜର ସ୍କୁଲ । ଚାଲି ଯିବେ ସେ ଦିଲ୍ଲୀ । ସେଠି ଗୋଟେ ଭଲ ଜବ୍ ହେଇଯାଇଛି ତାଙ୍କର ।
ବେଶ ଶକ୍ତ ଭାବେ କେବଳ ଖୁଣ୍ଟରେ ବନ୍ଧା ପଶୁ ଭଳି ଆମେ । ପଘା ଦଉଡ଼ି ଟିକେ ଲମ୍ବ କରିପାରୁ ଆବଶ୍ୟକତା ଅନୁଯାୟୀ । ସେଇ ଲମ୍ବ ଦଉଡି ସାମୟିକ ମୁକ୍ତିର ଛଳନା
କରେ । ଆମେ ମୁହୂର୍ତ୍ତକ ପାଇଁ ସୁଖୀ ହେଇଯାଉ । ନୂଆ ଦୂରତାକୁ ଛୁଇଁ ଦେଇ ଉତ୍ଫୁଲ୍ଲିତ ହେଉ । କିନ୍ତୁ ଜଣା ନଥାଏ ପଘାଟା ଏବେବି ବନ୍ଧା ହେଇଛି ।
ଲମ୍ବ ବଢିଥିବା ପଘା କେବଳ ନୂଆ ଛନଛନିଆ ଘାସ ପତ୍ର ଖୋଇବାର ଗୋଟେ ସୁଯୋଗ । ସେଥିରେ ବନ୍ଧା ପ୍ରାଣୀଟାର ଶରୀର ଅଧିକ ଲୋଭନୀୟ ହେବ । କଂସେଇ ଅଧିକ ଦାମ ଦେବ । ଏତତ ବ୍ୟତୀତ ଆଉ ଅଧିକ କୌଣସି ଉପଲବ୍ଧୀ ନଥାଏ ପ୍ରକୃତରେ ।
ଫେରନ୍ତା ରାସ୍ତାରେ ଶୀର୍ଷା ଭିତରେ ଏଇ ଅନୁଭବ ଆଲୋଡିତ ହେଉଥିଲା । ସେ ଶୀର୍ଷା କେବଳ ଆଉ କେବଳ ଶୀର୍ଷା । ସେ ହୁଏତ ଖୋଜିପାରେ ନିଜକୁ ଏମିତି ସାରା ଜୀବନ କିନ୍ତୁ ମୁକ୍ତ ହେଇପାରିବ ନାହିଁ କେବେବି ।
ସାର୍ଥକ ତୁମେ ସୁଖୀ ହୁଅ , ସମୃଦ୍ଧ ହୁଅ , ଆହୁରି ପ୍ରସିଦ୍ଧ ହୁଅ । ଆଉ କାହା ଜୀବନର ସବୁଜ ବନାନୀ ହୁଅ ........
*******************
ବାସନ୍ତୀ ସକାଳ ଭାରି ମାଖୁନା , ଗୋଟେ ମନ୍ଦ ମଳୟର ହଲ୍କା ଶୀତୁଆ ଛୁଆଁରେ ବଡ଼ ମିଠା । ଶୀର୍ଷା ଉଠିଲା ନିଜ ସ୍ୱପ୍ନ ଭିତରୁ ଆଉ ନିରିଖେଇ ଦେଖିଲା ଦୂର ଆକାଶକୁ , ସାର୍ଥକ ବିହୀନ ଆକାଶ । ଭିନ୍ନ କିଛି ଅଛି କି ଏଇ ଆକାଶରେ ?..........
ଖୋଜିଲା ଆଖି , କିନ୍ତୁ ନାଁ ସେମିତି ହିଁ ଥିଲା ଆକାଶ , ପୃଥୁବୀ , ଫୁଲ ,ଫଳ ,ପକ୍ଷୀ କୁଜନ । ବଦଳି ନଥିଲା ବାହ୍ୟ ପୃଥିବୀ କିନ୍ତୁ କେତେ ନିଃସ୍ୱ ହେଇଯାଇଥିଲା ମନ ଆହାଃ !....
ବେଡ଼ ପାଖରେ ଥିଲା ସୁଦୃଶ୍ୟ ଗିଫ୍ଟ ପ୍ୟାକ ଟେ । ବୋଧେ ଉତ୍ପଳ ଫେରିଛନ୍ତି ଗତ ରାତିରେ । ଶୀର୍ଷା ଗିଫ୍ଟଟା ଖୋଲି ଦେଖିଲା , ଆଶ୍ଚର୍ଯ୍ୟ ଚକିତ କରି ସେଥିରୁ ମିଳିଲା ପେଣ୍ଟିଂ ଟେ , ଠିକ ତା' ଭଳି ନଦୀ ସହ ଏକାତ୍ମ ହେଇଯାଇଥିବା ଝିଅର ।
ସ୍ତବ୍ଧ ଥିଲା ହୃଦ ସ୍ପନ୍ଦନ , "ସାର୍ଥକ ତୁମେ ଅଛ ସବୁବେଳେ ମୋ ସହ ମୋ ଭିତରେ ସତେ !" ଗୁଣୁଗୁଣୁ ହେଉଥିଲା ଶୀର୍ଷା । ପଘାଟା ଖୋଲି ଯାଇଥିଲା କିଛି ମୁହୂର୍ତ୍ତ ପାଇଁ ହୁଏତ ; ସେମିତି ସ୍ନିଗ୍ଧ ଚମକ ଖେଳୁଥିଲା ଶୀର୍ଷା ଆଖିରେ ।