STORYMIRROR

Nityananda Nandi

Fantasy Inspirational

4  

Nityananda Nandi

Fantasy Inspirational

ପେନ୍ ପାଲ

ପେନ୍ ପାଲ

5 mins
379


ହଠାତ ଗୋରା ତକ୍ ତକ୍ ଲୋକଟିକୁ ଦେଖି ମୁଁ ଅବାକ୍ ହୋଇ ଗଲି। ପୁଣି ଆମ ଗେଟ ପାଖରେ। ସାଥିରେ ଆମ ଗାଆଁର କିଛି ଲୋକ ଓ ଛୁଆମାନେ। ବାଟ କଢ଼େଇ ନେଇ ଆସିଛନ୍ତି ଆମ ଘରକୁ। 

ପିଲାମାନେ ଚିତ୍କାର କଲେ, ମଉସା ଗେଟ ଖୋଲ। ମୃତ୍ୟୁଞ୍ଜୟର କିଏ ଜଣେ ସାଙ୍ଗ ସ୍ପେନରୁ ଆସିଛନ୍ତି।

କିଛି ବୁଝି ନ ପାରି ମୁଁ ଗେଟ ପର୍ଯ୍ୟନ୍ତ ଯାଇ ତାଙ୍କୁ ପାଛୋଟି ନେଇ ଆସିଲି। ଗାଆଁ ଲୋକଙ୍କୁ କହିଲି ତମେ ସବୁ ଯାଅ। ମୁଁ ବୁଝୁଛି। 

ପଚାରିଲି ତମେ କିଏ ??

ମୋ ଭାବଭଙ୍ଗିରୁ ମୋ ଭାଷା ବୁଝିବା ଛଡା କିଛି ଉପାୟ ନ ଥିଲା ତା ପାଖରେ।

ମାର୍ଟିନ 

କାହିଁକି ଆସିଛ ?

କିଛି ବୁଝି ନ ପାରି ହସିଦେଲା ସେ।

ହାତରେ ଇଙ୍ଗିତ କଲି କାହିଁକି ଆସିଛ, କୋଉଠୁ ???

ବେଶ୍ ବୁଝି ପାରିଲା ବୋଧେ।

ଆଇ କେମ୍ ଫ୍ରମ ସ୍ପେନ। ମୃତ୍ୟୁଞ୍ଜୟ ମାଇଁ ଫ୍ରେଣ୍ଡ୍। ପେନ୍ ପାଲ। ଥାର୍ଟି ଇଅର୍ ବେକ। ଆଇ ଏମ ଅନ ଟୁର ଟୋ ଇଣ୍ଡିଆ। ଆଇ ୱାଣ୍ଟ ଟୋ ସି ମାଇଁ ଫ୍ରେଣ୍ଡ୍ ମୃତ୍ୟୁଞ୍ଜୟ। ହି ଇଜ୍ ନଟ ଆକ୍ଟିଭ ଇନ୍ ସୋସିଆଲ ମିଡ଼ିଆ ଇଟ ସିମ୍ସ୍......


ଇଂଲିଶ ମୁଁ ନ ବୁଝି ପାରିଲେ ବି ଅନୁମାନ କରି ପାରିଲି ସେ ଜଣେ ବିଦେଶୀ, ମୋ ପୁଅର ପିଲାଦିନର ପତ୍ରବନ୍ଧୁ।

ତାକୁ ନେଇଗଲି ମୋ ପୁଅର କୋଠରୀ କୁ।

ଫଟୋ ଦେଖେଇ କହିଲି ଇଏ ମୋ ପୁଅ।

ହାଇ ମୃତ୍ୟୁଞ୍ଜୟ !

ଟେବୁଲ୍ କାଚ ତଳେ ପେନ୍ ପାଲ ଲିଷ୍ଟରେ ନିଜ ନାଁ ଦେଖି ଖୁସି ହୋଇଗଲା ମାର୍ଟିନ।

କହିଲା "ୟେସ ଅଙ୍କଲ ଦିସ୍ ଇଜ୍ ମି, ମାର୍ଟିନ"

ହାତ ଇଙ୍ଗିତରେ ପଚାରିଲା, ମୃତ୍ୟୁଞ୍ଜୟ ?

ମୃତ୍ୟୁଞ୍ଜୟ ମରିଯାଇଛି, ମାର୍ଟିନ ହସିଲା

ବୁଝିଲି, ମାର୍ଟିନ ମୋ କଥା ବୁଝି ପାରିଲାନି ବୋଲି !

ମୃତ୍ୟୁଞ୍ଜୟ ଆଉ ଦୁନିଆରେ ନାହିଁ। ପୁଣି ଥରେ ପଚାରିଲା ହୁୟାର ଇଜ୍ ମୃତ୍ୟୁଞ୍ଜୟ ? ଆଉ ସମ୍ଭାଳି ପାରିଲିନି, ଭୋ ଭୋ ହୋଇ କାନ୍ଦି ପକେଇଲି।

ସେ ବୋଧେ ବୁଝି ପାରିଲା ମୃତ୍ୟୁଞ୍ଜୟ ଆଉ ଦୁନିଆରେ ନାହିଁ ବୋଲି। ସେ ଅବାକ ହୋଇ ଅନେଇଲା ମୋ ମୁହଁକୁ। ନିଶବ୍ଦ କିଛି ମୁହୂର୍ତ୍ତ ସାଥିରେ କୋହ ଆଉ ଭାବପ୍ରବଣତା ମିଶିଗଲେ ଆହୁରି ଦୁଃଖଦ ହୋଇଉଠେ କାହାଣୀର ପ୍ରଚ୍ଛଦ ପଟ। ସେମିତି କିଛି ଘଟିଗଲା ମୃତ୍ୟୁଞ୍ଜୟର କୋଠରୀ ଭିତରେ। କଲିଜାକୁ ପଥର କରି କଥାଟିକୁ ସହିବା ବୋଧେ କଷ୍ଟଥିଲା ମାର୍ଟିନ ପାଇଁ। ବିଦେଶୀ ହୃଦୟ ହେଲେ କଣ ହେଲା ! ମଣିଷ ତ ! ତା ଆଖିରୁ ଲୁହ ବୋହିବା ଦେଖି ତା ହାତ ଧରି ମୁଁ ସାନ୍ତ୍ଵନା ଦେଲି।


ଇଜ୍ ଦେଆର ଏନି ବସ ଟୋ ଭୁବନେଶ୍ୱର, ଅଙ୍କଲ ।ବୁଝିଲି, ଭୁବନେଶ୍ୱର ଯିବାକୁ ବସ୍ ଅଛି କି ନାହିଁ ସେ ପଚାରୁଛି।

ନୋ, କାଲି ମର୍ଣିଂରେ ଅଛି ବୋଲି କହିଲି। ଅଳ୍ପସମୟ ଭିତରେ ଆନ୍ତରିକତା ବଢ଼ିଗଲା ମାର୍ଟିନ ପାଇଁ। ମୋ ପୁଅର ପତ୍ରବନ୍ଧୁ ବୋଲି, କେଜାଣି। ଏମିତି ଛାଡି ଦେବାକୁ ଇଚ୍ଛା ହେଲା ନାହିଁ। ତାକୁ ଇଙ୍ଗିତରେ କହିଲି, ରାତିରେ ତୁମେ ଆମ ଘରେ ଶୋଇଯାଅ। 

ପୁଅ ପାଇଁ ଆଣିଥିବା ରେ-ବାନ ଚଷମା ଆଉ ଟୋପି ମୋ ହାତରେ ଧରେଇ ଦେଲା। କହିଲା "ଫର ମୃତ୍ୟୁଞ୍ଜୟ" ।

ଲୁହ ଆଉ ଥରେ ଆଖି ବନ୍ଧ ଡେଇଁ ଆସିବା ପୂର୍ବରୁ କାହିଁକି କେଜାଣି ମୁଁ ନିଜକୁ ନିୟନ୍ତ୍ରଣ କରିନେଲି।


ପିନ୍ଧିବାକୁ ଲୁଙ୍ଗି ଦେଇ କହିଲି ଏମିତି ପିନ୍ଧିବାକୁ ହୁଏ।

ଅନେକ କଷ୍ଟରେ ଲୁଙ୍ଗି ପିନ୍ଧିଲା ମାର୍ଟିନ। ମୃତ୍ୟୁଞ୍ଜୟର ମା ଦୂରରୁ ଦେଖି ହସୁଥିଲେ... ରାତିରେ ଘର ଭିତରେ ବସି ଅନେଇ ରହିଥିଲା ମୃତ୍ୟୁଞ୍ଜୟକୁ। ଯାଇ ଦେଖିଲି, ଇଂଲିଶରେ କିଛି ଲେଖା ଟେବୁଲ୍ କାଚ ତଳେ ରଖିଛି।

ପରେ ବୁଝିଲି ସେ ଲେଖିଥିଲା "ସବୁ ପେନ୍ ପାଲ ଭିତରେ ତୁ ସବୁଠୁ ପ୍ରିୟ ଥିଲୁ ମୃତ୍ୟୁଞ୍ଜୟ, ଗୋଟାଏ ଚିଠିରେ ତୁ ଲେଖିଥିଲୁ ନା.. ଭାରତକୁ କେବେ ବୁଲିବାକୁ ଆସିଲେ ଆମ ଘରକୁ ନିଶ୍ଚୟ ଆସିବୁ, ଦେଖ୍ ! ତୋ କଥା ମୁଁ ରଖିଛି। ମୁଁ ଆସିଛି ତୋ ଘରକୁ, କିନ୍ତୁ ତୋ ଅନୁପସ୍ଥିତିରେ। ମୁଁ ତୋତେ ବହୁତ ଭଲ ପାଏ ମୃତ୍ୟୁଞ୍ଜୟ। ସ୍ୱର୍ଗରେ ଶାନ୍ତିରେ ଥା ।"


ଭାତ, ଡାଲି, ଆଳୁ ଭଜା ଖାଇଲା ମୋ ସାଥିରେ। କେମିତି ଖାଇବାକୁ ହୁଏ ଜାଣି ନ ଥିଲା ସେ। ମୋତେ ଦେଖି ଦେଖି ଭାତରେ ଡାଲି ଗୋଳେଇ ଗୋଳେଇ ଖାଇଲା। ଖାଲି ହସୁଥାଏ ଠିକ୍ ମୋ ପୁଅ ପରି।

ମଶାରୀ ଟାଣି ଦେଲି ତା ଶୋଇବା ଜାଗାରେ। ଶୋଇଗଲା ସେ। ରାତିରେ କେତେବେଳେ ଲାଇନ୍ ଯାଇଛି ମୁଁ ଜାଣିନି। ଭାରି ଗରମ ଥିଲା ରାତିଟା। ଯାଇ ଦେଖିଲି ମାର୍ଟିନ ଶୋଇ ଯାଇଛି ନିଘୋଡ଼ ନିଦରେ। ଦେହଟା ପୁରା ଝାଳେଇ ଯାଇଛି। ଚେୟାର ଉପରେ ବସି ତାଳପତ୍ର ପଙ୍ଖା ବିଞ୍ଚେଇଲି, ମାର୍ଟିନକୁ ଟିକିଏ ଆରାମ ଲାଗିବ। ଅଳ୍ପ ସମୟ ସମ୍ପର୍କ ଭିତରେ ମାର୍ଟିନ ଭିତରେ ମୁଁ ମୃତ୍ୟୁଞ୍ଜୟକୁ ଦେଖୁଥିଲି। ବାପା ପଙ୍ଖା କରିଦିଅ, ଭାରି ଗରମ ହେଉଛି। ଛୋଟ ବେଳେ ଭାରି ଜିଦ୍ କରୁଥିଲା ମୃତ୍ୟୁଞ୍ଜୟ। କେଣ୍ଡେଲ କେବେ ସମ୍ପୂର୍ଣ୍ଣ ଜଳି ପାରେନି, କିଛି ଲାଖି ରହେ ଭୂଇଁ ଉପରେ। ମୋ ଭିତରେ ଲୁଚି ରହିଥିବା କିଛି ସ୍ନେହ ସୁପ୍ତ ଆଗ୍ନେୟ ଗିରି ପରି ହଠାତ୍ କାହିଁକି କେଜାଣି ବିସ୍ଫୋରିତ ହେଲା, ମୁଁ ବି ଜାଣି ନ ଥିଲି। ସ୍ନେହ ତରଳିବାକୁ ଅବା କେତେ ସମୟ ଆଉ ଲାଗେ ! ଏକ ଭାବପ୍ରବଣ ମନର ଉଷ୍ମତା ହିଁ ଯଥେଷ୍ଟ ପ୍ରାୟ। 


ସକାଳୁ ଉଠିବା ଆଗରୁ ମୃତ୍ୟୁଞ୍ଜୟର ମା ଦୁଇବାଲ୍ଟି ଥଣ୍ଡା ପାଣି ଘର ଅଗଣାରେ ଥିବା ଗାଧୋଇବା ଘରେ ରଖି ଦେଇଥିଲା ମାର୍ଟିନ ପାଇଁ। ମାର୍ଟିନ ଗାଧୋଇ ପାଧୋଇ ରେଡି ହୋଇଗଲା। ମୋ ହାତରେ ଗୋଟାଏ ଗିଫ୍ଟ ଚେକ୍ ଧରେଇ ଦେଇ କହିଲା ଅଙ୍କଲ ! ୱାନ ଲାଖ ଡଲାର ଫର ୟୁ। ସେତେବେଳେ ତାର ମୂଲ୍ୟ ମୁଁ ଜାଣି ନ ଥିଲି କେତେ ଟଙ୍କା। ମୋ ପୁଅ ବଞ୍ଚିଥିଲେ ସାରା ଜୀବନରେ ପ୍ରାୟ ଏତେ ଟଙ୍କା ପାଇ ନ ଥାଆନ୍ତି ପୁଅ ପାଖରୁ। ମୁଁ ମୋ ସ୍ନେହ ଶ୍ରଦ୍ଧା ବିକିବାକୁ ଚାହୁଁ ନ ଥିଲି କାହା ପାଖରେ। ପ୍ରତିବାଦ କରିଥିଲି ଏଇ ଗିଫ୍ଟ ଚେକ ପାଇଁ। ତା ଗଳାରେ ଛନ୍ଦି ଛନ୍ଦି ଯାଉଥିବା ଭାବ ପ୍ରବଣତା ଆଗରେ ମୁଁ ହାରିଗଲି। କହିଲା, ଅଙ୍କଲ ! ଆଇ ଏମ୍ ଡୋଇଂ ଏ ବିଗ୍ ଜବ। ଇଉ ଲଷ୍ଟ ଇଅର ସନ ! ପ୍ଲିଜ୍ ଆକ୍ସେପ୍ଟ ଇଟ୍। ଖାଲି ଏତିକି ବୁଝିଲି ସେ ଗିଫ୍ଟ ପାଇଁ ଜିଦ୍ କରୁଛି। ମୁଁ ଜାଣି ନ ଥିଲି କାଲି ରାତିରେ ହାତ ପଙ୍ଖା ପବନ ସାଥିରେ କିଛି ସ୍ନେହ ବି ତା ଦେହରେ ନେସି ଯାଇଛି। ମୋ ପୁଅ ପରି ଆଉ ଜଣେ ସ୍ନେହ ପିପାସୁ ମୋ ଭିତରେ ନିଜର ଅଧିକାର ବିସ୍ତାର କରି ଚାଲିଥିଲା ବୋଲି ମୁଁ ଅନୁଭବ କଲି। ଧରିନେଲି ତା ପାଖରୁ କାଗଜଟିକୁ। 


ଲାଗୁଥିଲା କେମିତି ମୃତ୍ୟୁଞ୍ଜୟର ଶବ ଫେରି ଆସିଛି ମଶାଣିରୁ। ଚନ୍ଦନ ବୋଳା ମୃତ୍ୟୁଞ୍ଜୟ ଶରୀରଟି ଆଉ ଥରେ ମହକୁଛି ! ଏତେ ଦିନ ପରେ ସବୁ ଦିନ ପାଇଁ ଭୁଲି ଯାଇଥିବା କଥାଟି ଅସ୍ତ ବ୍ୟସ୍ତ କରି ଦେଉଛି ମନଟାକୁ। ମାର୍ଟିନ ଯିବା ପରେ କେମିତି ବୁଝେଇବି କେଜାଣି ମୃତ୍ୟୁଞ୍ଜୟର ମାଆକୁ..। ପଥରକୁ କଲିଜା କରି କେମିତି ବୁଝେଇ ବି ଯେ ମାର୍ଟିନ ଆମ ମୃତ୍ୟୁଞ୍ଜୟ ର ପତ୍ରବନ୍ଧୁ ବୋଲି।


ବସ୍ ଷ୍ଟପ ଅଧା କିଲୋମିଟର ଆମ ଘରଠୁ। ସାଇକେଲରେ ବସେଇ ନେଇଗଲି। ଏଇ ବୟସରେ, ପୁଣି ଜଣେ ହୃଷ୍ଟ ପୃଷ୍ଠ ଲୋକ। କଷ୍ଟ ହେଲେ ବି ଲାଗୁଥିଲା ଯେମିତି ଅତି ନିଜର କେହି ଜଣେ କାଲିଠୁ ଆସି ହୃଦୟ ଭିତରେ ଘର କରି ସାରିଲାଣି। କଲିଜାଟି ଥରେ ସ୍ନେହରେ ନେସି ହୋଇଗଲେ ସାରା ପୃଥିବୀଟା ହାଲୁକା ଲାଗେ। ଇଛାହୁଏ ଦୁଇ ହାତରେ ଟେକି ନେବାକୁ।  

 

ମୃତ୍ୟୁଞ୍ଜୟର ମା ଗୋଟାଏ ବେଗରେ ବାଡ଼ି ଆମ୍ବ ଆଉ ଜାମରୋଳ ଭର୍ତ୍ତି କରି ଦେଇଥିଲେ ମାର୍ଟିନ ପାଇଁ। ମାର୍ଟିନକୁ ବଢେଇ ଦେଲି ବସ ଆସିବା ଆଗରୁ। କହିଲି ଆଣ୍ଟି ଦେଇଛନ୍ତି। କିଛି ନ ବୁଝି ପାରି ଖୁସି ହୋଇ ଧରିନେଲା ସେ ମୋ ହାତରୁ। କହିଲା " ଅଙ୍କଲ ! ଦା ଆଫେକ୍ସନ୍ ଆଇ ଗଟ ଫ୍ରମ୍ ଇଉ ଇଜ ଏ ଡ୍ରିମ୍ ଇନ୍ ଆୱାର କନ୍ଟ୍ରି, ଇଣ୍ଡିଆ ଇଜ୍ ଗ୍ରେଟ" ବୁଝି ପାରିଲି ନାହିଁ, ସେ କଣ କହିଲା। ଆମ ଉପରେ ବହୁତ ଖୁସି ଥିଲା ବୋଧେ !

ବସ ଆସିଲା, ବସ ଭିତରକୁ ଯାଇ ମୋବାଇଲରେ ମୋ ଫଟୋ ନେଉଥିଲା ବେଳେ ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି। ଏକ ଅସହାୟ ମଣିଷ ପରି ହାତ ହଲାଉଥିଲି ମାର୍ଟିନ ଆଡ଼କୁ। ଚଳନ୍ତି ବସ ଭିତରୁ ମୋର ଭିଡିଓ କରୁଥିଲା ବୋଧେ। ଚାହୁଁ ଚାହୁଁ ବସଟା ଝାପସା ଝାପସା ଲାଗୁଥିଲା ମୋ ଆଖିକୁ। ଅଦୃଶ୍ୟ ବି ହୋଇଗଲା ଆଖି ପିଛୁଳାକେ। ମୃତ୍ୟୁଞ୍ଜୟକୁ ହରେଇବାର ତିରିଶ ବର୍ଷ ପରେ ହାତ ପା'ନ୍ତାରେ ଆଉ ଜଣେ ଅତି ନିଜର କେହି ଜଣେ ଆତ୍ମୀୟକୁ ପୁଣି ଥରେ ହରେଇଦେଲି। 

ଦେଖାଯାଉ ଆସିବ ତ କହିଛି !



Rate this content
Log in

Similar oriya story from Fantasy