STORYMIRROR

Siddhartha Sankar Tripathy

Romance Action Inspirational

3  

Siddhartha Sankar Tripathy

Romance Action Inspirational

ପୌରୁଷତ୍ବ

ପୌରୁଷତ୍ବ

5 mins
230


  ସମ୍ୱିତ୍, ଏ ସମ୍ୱିତ୍......

 କଣ କରୁଛ ? ଆଜି ଗ୍ଯାରେଜ ଯିବନାହିଁ କି ,ପଚାରୁଥିଲା ସ୍ମିତା।

ନା ସ୍ମିତା, ଆଜି ଯିବିନାହିଁ କହିଲା ସମ୍ୱିତ୍। ଆରପଟ ବଖରାରୁ ସମ୍ୱିତର କଣ୍ଠରେ କୋହ ଅନୁମାନକରି ଦୌଡି ଆସିଲା ସ୍ମିତା। ପାଖକୁ ଆସି ଚମକି ଉଠିଲା ସ୍ମିତା। ଆରେ ଏ....କଣ ତମ ଆଖିରେ ଲୁହ।

ସମ୍ୱିତର ଉତ୍ତର ଥିଲା ବାଧା ଦିଅନି ସ୍ମିତା, ବୋହିଯିବାକୁ ଦିଅ ଏ କାପୁରୁଷ ଗୁଡାକୁ। ସେଦିନ ତମର କେଇବୁନ୍ଦା ଲୁହ ମୁଁ ତ ଅଟକାଇବାକୁ ଚେଷ୍ଟା କରିନଥିଲି ବରଂ ନିଆଁରେ ଘିଅ ଢାଳି ନିରୀହ କାଠଗୁଡିକୁ ପାଉଁଶରେ ପରିଣତ କଲାପରି ତମର କେଇଟୋପା ଲୁହକୁ ମୁଁ ବନ୍ୟାରେ ପରିଣତ କରିଦେଇଥିଲି।

କିଛି ବୁଝିବାକୁ ବାକି ନଥିଲା ସ୍ମିତାର। ଆରେ ବତିଶି ବର୍ଷ ତଳର ଅତୀତକୁ ଆଜି ବି ଜାବୁଡିଧରି ବସିଛ କାହିଁକି ? ଆଜି ସନତ ଆସୁଛି। ଏମିତିକା ଦିନରେ ମନଦୁଃଖ କରନାହିଁ। ଅତୀତ ଅତିକ୍ରାନ୍ତ, ଭବିଷ୍ୟତ ଅଦେଖା, ବର୍ତ୍ତମାନକୁ ନେଇ ଆମର ସୁନ୍ଦର ସଂସାର ଗତିଶୀଳ ଏହି ପରିପକ୍ବ ବୟସରେ ବି।

ସ୍ମିତା ଆଜିପରା ଆମର ବିବାହବାର୍ଷିକୀ ।ପ୍ରଥା ଅନୁସାରେ ମତେ ମୋ କାମ କରିବାକୁ ଦିଅ କହି ଲମ୍ବ ହୋଇ ସ୍ମିତାର ପାଦତଳେ ପଡିଗଲା ସମ୍ୱିତ ।ସ୍ମିତା କହିଲା, ହେଲା ବାବା ହେଲା... ପ୍ରଥମେ ପ୍ରଥମେ ରାଣ ଦେଲ ଓ ମୁଁ ବାଧ୍ଯ ହୋଇ ମାନିନେଲି। କିନ୍ତୁ... ଜୀବନସାରା ଏମିତି ମତେ ପାପରେ ଭାଗିକରି ନର୍କଗାମୀ କରାଇବ କି ?

ହସିଉଠିଲା ସମ୍ୱିତ ।କଣ କହିଲ ସ୍ମିତା ? ପାପ...ପାପରେ ଭାଗି...

ଜାଣିଛ ସ୍ମିତା ଆଜି ରାଜ୍ୟରେ ଧର୍ଷଣ, ନାରୀ ନିର୍ଯ୍ୟାତନାର ହାର ବଢୁଛି କାହିଁକି ? କେବଳ ତମପରି ନାରୀମାନଙ୍କ ପାଇଁ। ସୁନ୍ଦର ଭାବରେ ପ୍ରବନ୍ଧ ଲେଖୁଛ, ନାରୀ ଅବଳା, ଦୁର୍ବଳା ନୁହେଁ ।ନାରୀ ହିଁ ସୀତା, ନାରୀ ହିଁ ଦୁର୍ଗା।

ଜାଣିଛ ସ୍ମିତା ଯେଉଁଦିନ ଏହି ପ୍ରବନ୍ଧ ଭିତରୁ ବାହାରି ନାରୀଟିଏ ନିଜକୁ ଅନୁଶୀଳନ କରି ଦୃଢମନା ହେବ ସେଇଦିନ ଏଇ କିଛି କାମୁକ ପ୍ରତାରକ ପୁରୁଷ ନିଶ୍ଚୟ ମହିଷାସୁର ପରି ବଳି ପଡିବେ।

    ତମେ ତ ତାର ନିଦର୍ଶନ। କଣ ଭୁଲିଗଲ ସେଦିନର କଥା ? ସ୍ମିତା କହିଲା ଓହୋ, ତମେ ଗଲ ଆଜି ପୁଅଟା ଆସିବ ବଜାରରୁ ସଉଦା ଓ ଆମିଷ ନେଇଆସିବ।

ହଁ ଭରି ଉଠିଚାଲିଗଲେ ସମ୍ୱିତ ।ଗଲାବେଳେ କହିଲେ, ଏଇତ ସନତ। ବାପା କେତେବେଳୁ ଆସି ଠିଆ ହୋଇଛୁ ? ଘରକୁ ଯାଆ। ସମ୍ୱିତଙ୍କୁ ପ୍ରଣାମ କରି ସନତ ଘର ଭିତରକୁ ପ୍ରବେଶ କଲା। ପ୍ରଣାମ କରି ବସିଗଲା ମାଆ ପାଖରେ। କହିଲା, ମାଆ ମୁଁ ବର୍ତ୍ତମାନ ସାବାଳକ। ମୁଁ ଦେଖିଛି ବାପା ତତେ ପ୍ରଣାମ କରୁଥିଲେ। ଆଜି ତତେ ସେ ରହସ୍ଯ ମୋ ସାମ୍ନାରେ ଉନ୍ମୋଚନ କରିବାକୁ ହେବ।

   ଦୀର୍ଘଶ୍ବାସ ଛାଡି ମାଆ କହିଲେ ହଉ ବସ। ଲୁଗାକାନିରେ ମୁହଁ ପୋଛି ଆରମ୍ଭ କଲେ ସ୍ମିତା ::

ଖୋଲିଗଲା ଅତୀତର ପୃଷ୍ଠା ::


ମଙ୍ଗରାଜପୁର ଛୋଟିଆ ଗାଆଁଟିଏ।ପ୍ରେମର ଅର୍ଥ ଜାଣିନଥିବା ପୁଅଟିଏ ଓ ଝିଅଟିଏ ପଡି ଯାଇଥିଲେ ପ୍ରେମଜାଲରେ। ପ୍ରେମ ଥିଲା ଅନାବିଳ, ଅନାସକ୍ତ। ନା ଥିଲା ନିରୋଳା ସ୍ଥାନରେ ମିଳନ ନା ଥିଲା ସୁଯୋଗର ସଦୁପଯୋଗ କରି ଆଲିଙ୍ଗନ। କେବଳ ଦୁହେଁ ଦୁହିଁଙ୍କୁ ଦେଖି ହସିଦିଅନ୍ତି ଓ ଅପୁର୍ବ ଶିହରଣ ଖେଳିଯାଏ ଶରୀରରେ। ସେହି ପୁଅଟି ଥିଲା ଲାଜୁଆ ସମ୍ୱିତ ଓ ଝିଅଟି ଥିଲା ସ୍ପଷ୍ଟବାଦୀ, ନିର୍ଭିକ ସୁନ୍ଦରୀ ସ୍ମିତା।

 ଗାଆଁ ସାରା ଟୋକା ସାହସ କରିପାରୁନଥିଲେ ସ୍ମିତାର ସାମ୍ନା କରିବାକୁ। ସମ୍ୱିତ ସ୍ମିତାର ମନଦିଆନିଆକୁ ଲକ୍ଷ୍ୟ କରୁଥିଲା ସମ୍ୱିତର ଅନ୍ତରଙ୍ଗ ସାଙ୍ଗ ରାକେଶ। ଏମିତି କଥାଛଳରେ ରାକେଶ ସମ୍ୱିତକୁ ସ୍ମିତା ବିଷୟରେ ପଚାରିବସିଲା। ସମ୍ୱିତ କହିଲା ସ୍ମିତାକୁ ଦେଖିଲେ ମନଟା ଆନନ୍ଦରେ ପୁରିଉଠେ।

ରାକେଶ କହିଲା, ଆବେ ଗାଉଁଲି ମଫ ସେଇଟା ହିଁ ପ୍ରେମ। ତୁ ଯଦି ସ୍ମିତାକୁ ଜୀବନ ସଙ୍ଗିନୀ କରିବାକୁ ଚାହୁଁ ତାହେଲେ ତାକୁ ଏକାନ୍ତରେ ପ୍ରସ୍ତାବ କରେ ନଚେତ ସ୍ମିତା ହୁଏତ ଆଉ କାହାର ହୋଇଯିବ।

    ରାକେଶ ପୁଣି କହିଲା, ଆସନ୍ତା ମାସରେ ପାଖ ଗାଆଁରେ ମେଳା ଲାଗିବ। ସେଇ ଗାଆଁର ଅନତି ଦୁରରେ ଝାଉଁ ଜଙ୍ଗଲଟିଏ ଅଛି। ସେଇଠାକୁ ସ୍ମିତାକୁ ଆମନ୍ତ୍ରଣ କରେ। ଯଦି ସ୍ମିତା ତତେ ଭଲପାଉଥିବ ସେ ନିଶ୍ଚୟ ରାଜିହେବ ଓ ସେଇଦିନ ତୁ ତୋ ମନକଥା ସ୍ମିତାକୁ କହିଦେବୁ। ଖୁସିରେ ହଁ ଭରିଲା ସମ୍ୱିତ ଓ କହିଲା, ସବୁ ଠିକ୍ ଯେ ସାଙ୍ଗ ସେଦିନ ତୁ ମୋ ସାଙ୍ଗରେ ରହିବୁ। ହଁ ଭରିଲା ରାକେଶ।

ସାହସ ସଞ୍ଚୟ କରି ସମ୍ୱିତ ସ୍ମିତାକୁ ଆସନ୍ତା ମାସରେ ପାଖ ଗାଆଁକୁ ଯିବାପାଇଁ ରାଜି କରାଇନେଲା।ରାକେଶ କହିଲା, ଶୁଣ ସାଙ୍ଗ ମୁଁ ଜାଣେ ସ୍ମିତାକୁ ଦେଖାହେଲେ ତୋ ପାଟି ଖନିମାରିଯିବ। ସମ୍ୱିତ କହିଲା ହଁ ରେ ସାଙ୍ଗ ତୁ ଠିକ୍ କହୁଛୁ।

ରାକେଶ କହିଲା ଶୁଣ ମୁଁ ଯେମିତି କହୁଛି ସେମିତି କରିବୁ। ସ୍ମିତାକୁ କଥାଅଛି କହି ଝାଉଁବଣକୁ ଆସିବାପାଇଁ କହିବୁ। ମୁଁ ତୋର ହାତଗୋଡ ବାନ୍ଧିଦେଇ ଲୁଚିଯିବି। ସ୍ମିତା ,ସ୍ମିତା କହି ତୁ ଚିଲ୍ଲେଇବୁ। ସ୍ମିତା ଆସି ତତେ ମୁକ୍ତ କରିବ। ବାସ୍ ,ସେଇଠି ହିଁ ପ୍ରେମର ଅଙ୍କୁରୋଦଗମ ହେବ।

  କିଛି ବୁଝିନପାରି ହଁ ଭରିଲା ସମ୍ୱିତ୍। ଉପଯୁକ୍ତ ସମୟ ଉପନୀତ ହେଲା। ଯୋଜନା ଅନୁଯାୟୀ ସମ୍ୱିତର ହାତଗୋଡ ବାନ୍ଧିଦେଇ ଲୁଚିଗଲା ରାକେଶ।

ସମ୍ୱିତ ପାଟି କରୁଥିଲା, ସ୍ମିତା ...,ସ୍ମିତା......

ପହଞ୍ଚିଗଲା ସ୍ମିତା , ପଚାରିଲା ସମ୍ୱିତ ତମର ଏପରି ଅବସ୍ଥା କିଏ କଲା ? ଗଛ ଆଢୁଆଳରୁ ବାହାରୁଥିଲା ରାକେଶ। ଠୋ ଠୋ ହସିଉଠି କହିଲା ''ଏ ମୋର ପାଗଳପ୍ରେମୀ, ଆଜି ମୋତେ ମିଳନର ସୁଯୋଗ ଦେଇଥିବାରୁ ଉଭୟଙ୍କୁ ଧନ୍ୟବାଦ।''

କିଛିକ୍ଷଣ ଭିତରେ ସମ୍ୱିତ ସାମ୍ନାରେ ସମ୍ପୁର୍ଣ୍ଣ ଉଲଗ୍ନ କରି ଖିନଭିନ କରିଦେଲା ସ୍ମିତାର ଶରୀରକୁ ଓ ସେହି ସ୍ଥାନ ପରିତ୍ଯାଗ କଲା।

କଷ୍ଟ ଯନ୍ତ୍ରଣାରେ ଘୋଷାରି ହୋଇ ଆସି ସମ୍ୱିତକୁ ମୁକ୍ତ କଲା ସ୍ମିତା ।ବହୁତ ଚିନ୍ତା କଲେ ଦୁହେଁ। ସ୍ମିତା କହିଲା ଗାଆଁରେ ଏହି ବିଷୟ ପ୍ରଘଟ ହେଲେ ତମର ବଦନାମ ହେବ ତାଛଡା ମୋତେ ରାକେଶ ସହ ବାହା କରିଦେବେ। ଅଭିଆଡି ରହିବା ପସନ୍ଦ କରିବି କିନ୍ତୁ ରାକେଶର ଜୀବନସଙ୍ଗିନୀ କଦାପି ନୁହଁ। ଶୁଣ ସମ୍ୱିତ, ମୁଁ ଏଇଠି ବସିଛି ତମେ ମେଳାରୁ ଜାମା ହଳେ ନେଇଆସ ଗାଆଁକୁ ଚାଲିଯିବା କାରଣ ଏଇ ଜାମାଟା ଠାଁ ଠାଁ ଫାଟିଯାଇଛି।

ନିଜର ଭୁଲ ପାଇଁ ଲଜ୍ଜିତ ଅନୁଭବ କରୁଥିଲା ସମ୍ୱିତ୍। ସ୍ମିତାର ଦୁଇଟୋପା ଲୁହ ତା ହୃଦୟକୁ କୋରି ଦେଉଥିଲା, ବିବେକ ଚିତ୍କାର କରୁଥିଲା, ଏ... ସମ୍ୱିତ, ବଳାତ୍କାରୀ ରାକେଶ ନୁହଁ ତୁ..ତୁ...ତୁ... !

ମୁଣ୍ଡଟାକୁ ଚାପିଧରିଥିଲା ସମ୍ୱିତ। ସାହସ ଦେଲା ସ୍ମିତା ଓ ଜଲ୍ଦି ମେଳାରୁ ଜାମା ଆଣିବାକୁ କହିଲା। ଦୁହେଁ ଗାଆଁକୁ ଫେରିଗଲେ।

କିଛିଦିନ ପରେ.....

ସମ୍ୱିତ ଲକ୍ଷ୍ୟ କଲା ଉଦୁଉଦିଆ ଦ୍ୱିପ୍ରହରରେ ସ୍ମିତା ପୋଖରୀପାଖକୁ ଦୌଡୁଛି। ଦେଖୁଦେଖୁ ପୋଖରୀକୁ ଲମ୍ଫ ପ୍ରଦାନ କଲା ସ୍ମିତା ।ଉଦ୍ଧାର କରି ହିଡକୁ ଆଣିଲା ସମ୍ୱିତ। ଏମିତି କାହିଁକି କରୁଥିଲ ସ୍ମିତା ? ପଚାରିବସିଲା ସମ୍ୱିତ।

ସ୍ମିତା କହିଲା ସମ୍ୱିତ ମୁଁ ମାଆ ହେବାକୁ ଯାଉଛି। ସେଦିନ ସିନା ଜାମା ବଦଳାଇ ସତୀ ହୋଇଗଲି ହେଲେ ଆଜି ଏହି ଅବାଞ୍ଛିତ ମାତୃତ୍ୱ ବଦଳାଇବି କେମିତି ?

ସମ୍ୱିତ କହିଲା ସେଦିନ ଯେମିତି ଜାମା ଆଣିଦେଇଥିଲି ଆଜି ସେମିତି ପିତୃତ୍ବ ଆଣିଦେବି। କିନ୍ତୁ...

ହେ ଦେବୀ ! ଜୀବନସାରା ତମପରି ସତୀର ପାଦରେ ମଥାନତ କରିବାର ଅନୁମତି ଚାହୁଁଛି। ତମକୁ ଠାକୁରଙ୍କ ନିୟମ ମନା କରନାହିଁ।

 ଗାଆଁଲୋକ ଜାଣିବା ପୁର୍ବରୁ ସ୍ମିତାକୁ ନେଇ ସମ୍ୱିତ ସହର ଆସିଗଲେ ଓ ମନ୍ଦିରରେ ବାହାଘର ପରେ ଆଉ କେହି ପଛକୁ ଫେରି ଚାହିଁ ନାହାନ୍ତି।

ସ୍ମିତାର ଧ୍ୟାନଭଙ୍ଗ କରି ସନତ ପଚାରିଲା ଆଚ୍ଛା ମାଆ, ସେ ନରମାଂସଲୋଭୀ ରାକେଶ ? କାନ୍ଦୁ କାନ୍ଦୁ ସ୍ମିତା କହିଲେ ଏଇ ତ ରାଜ୍ୟର ବିଡମ୍ବନା ।ରାକେଶ ଆଜି ପ୍ରଚୁର ଧନସମ୍ପତ୍ତିର ମାଲିକ ସହ ରାଜନେତା।

ହସିହସି ସନତ କହିଲା, ମାଆ ମୁଁ ଏହି ସହରର ଏସ୍ ପି। ବର୍ତ୍ତମାନ ସେ କାମୁକ ରକ୍ତବୀର୍ଯ୍ୟ କୋର୍ଟ କଚେରୀ ଦୌଡି ପୁଣି ମୁକୁଳିବାର ସୁଯୋଗ ପାଇବନାହିଁ ମାଆ। ଆଜି ସେହି ରାବଣର ଅନ୍ତ କରି ମୁଁ ଫେରିବି।

ଆବଶ୍ୟକୀୟ ସଉଦା ଧରି ଫେରିଲେ ସମ୍ୱିତ। ପଚାରିଲେ ସନତ କାହିଁ ? ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ ସ୍ମିତା ।ପାଦତଳେ ଲମ୍ବ ହୋଇ ପଡୁପଡୁ ସମ୍ୱିତ କହୁଥିଲେ ହେ ଦେବୀ ! ନାରୀ ନୁହେଁ ଅବଳା ଦୁର୍ବଳା। କିନ୍ତୁ ତାହା ପ୍ରତିପାଦନ କରିବା ପାଇଁ ଦରକାର ସାହସ, ଧୈର୍ଯ୍ଯ, ସହନଶୀଳତା, ବିଶେଷ କରି ସମୟ !!

ଦେଖିବ ତମ ପରି ଦେବୀମାନଙ୍କ ପାଦତଳେ ନିଶ୍ଚୟ ମୋ ପରି ସମ୍ୱିତ ମାନଙ୍କର ମଥାନତ ହେବ ହିଁ ହେବ।।

     ପରିବର୍ତ୍ତନ ଅସମ୍ଭବାବୀ। ବର୍ତ୍ତମାନ ହୁଏତ ଏହା କ୍ୟାମେରା ପଛର ଚେହେରା। କିନ୍ତୁ ପୁରୁଷ, ସ୍ତ୍ରୀ ପରିପୁରକ ସୁତ୍ରରେ ଚିନ୍ତା କରିବା ସହ ନାରୀକୁ ସମ୍ମାନ ଦେଲେ ପୌରୁଷତ୍ବ କ୍ଷୁର୍ଣ୍ଣ ହେବନାହିଁ ବରଂ ଜାଜୁଲ୍ୟମାନ ତାରକା ସଦୃଶ ଦୃଶ୍ୟମାନ ହେବ। ନାରୀ ହିଁ ପୁରୁଷର ପଦସ୍ପର୍ଶ କରିବ, ଏହା ଆମ ଚିନ୍ତାଧାରା ।ମାଆ ବି ତ ନାରୀ। ଆମେ ପୁରୁଷ କଣ ପଦ ସ୍ପର୍ଶ କରୁନା ? ତାହେଲେ ? ପରିବର୍ତ୍ତନ ଦରକାର ମାନସିକତାର। ଦମନ ଦରକାର ଅହମିକାର।



Rate this content
Log in

Similar oriya story from Romance