ପାଉଁଜୀ
ପାଉଁଜୀ
ଶ୍ରାବଣ ଅମାବାସ୍ୟାର ବିଳମ୍ବିତ ରାତ୍ରି |ବାହାରେ ଝିପିଝିପି ବର୍ଷା ଲାଗିରହିଛି |ବିଛଣାରେ ଶୋଇଛନ୍ତି ପୁଷ୍କର, ଛାଇନିଦ ଲାଗିଆସିଛି |କାହାର ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଣାଯାଉଥିଲା ତାଙ୍କୁ, ଦୂରରୁ ଧୀରେଧୀରେ ସେଇ ଶବ୍ଦ ନିକଟତର ହେଉଥିଲା ଯେମିତି |ବହୁତ ମଧୁର ଥିଲା ସେ ସ୍ୱର |ବିଭୋରୀତ ହୋଇଯାଇଥିଲେ ପୁଷ୍କର |ହଠାତ ଅତି ନିକଟରେ ବନ୍ଦ ହୋଇଗଲା, ଆଖିଖୋଲି ଦେଖିଲେ ତାଙ୍କ ପଲଙ୍କ ପାଖରେ ଛିଡ଼ାହୋଇଛନ୍ତି ଉତ୍ତରା, ତାଙ୍କ ମୃତା ପତ୍ନୀ, ଅନିନ୍ଦ୍ୟା ଉତ୍ତରା |ନୀରବରେ କିଛିସମୟ କଟିଲା ପରେ ପ୍ରଥମେ ମୁହଁ ଖୋଲିଲେ ଉତ୍ତରା, ହେ, ଶୋଇପଡୁଛ କଣ ମ, ମୋତେ ଦେଖି ତୁମେ କଣ ଖୁସି ହେଉନ ? ତୁମକୁ ଛାଡି ଅନେକ ଦିନହେଲା ମୁଁ ଶୋଇପାରିନି |ଚାଲିଆସିଲି ତୁମକୁ ଆଉ ଆମ ଝିଅକୁ ଦେଖିବାକୁ ଟିକେ |କେମିତି ଅଛି ସିଏ ? ଆଉ ମୋର ସେ ପାଉଁଜୀକୁ ଦେଖିବାକୁ ଭାରି ଇଛା, ଯାହାକୁ ତୁମେ ତୁମ ତକିଆତଳେ ରଖିଛ, ଆଉ ଲୁଚିଲୁଚି ଦେଖି ମୋତେ ମନେପକାଉଛ |ସତ କହିଲିନା? ତୁମେ ଜାଣ, ମୋର ସବୁ ଅଳଙ୍କାର ଭିତରେ ସେଇ ପାଉଁଜୀ ମୋର ଅତିପ୍ରିୟ |କାହିଁକି ଜାଣ, ଆମ ପ୍ରଥମ ପ୍ରେମର ସ୍ମାରକୀ ସେଇଟା, ତୁମେହିଁ ତାକୁ ମୋତେ ପ୍ରଥମ ଉପହାର ଦେଇଥିଲ |କିଛିଦିନ ପିନ୍ଧିବାପରେ ଖୋଲି ଯତ୍ନରେ ସାଇତି ରଖିଥିଲି ସ୍ମୃତିକରି |ତୁମେ ଜାଣ ପୁଷ୍କର, ମୁଁ ତୁମକୁ ଛାଡି ମୋଟେ ଯିବାକୁ ଚାହୁଁନଥିଲି, ବଞ୍ଚିବାକୁ ମୋର ବହୁତ ଇଛା ଥିଲା |ବୁଢୀହେବା ଯାଏ ତୁମ ସହିତ ରହିବାକୁ ଆଶା ବାନ୍ଧିଥିଲି |ମୋ ଝିଅ ଜନ୍ମ ପୂର୍ବରୁ ତା ପାଇଁ କେତେ ଖେଳନା କିଣିଥିଲି, ଜାଣିଛ ? ତା କୁନିଗୋଡ଼ ପାଇଁ ରୁପାର ପାଉଁଜୀ ବି କିଣିଛି |ସବୁ ମୋ ବାକ୍ସରେ ରଖିଛି, ତାକୁ ଖୋଲି ଦେବ ସବୁ |ତୁମେ ଜାଣ, ମୁଁ କେମିତି ମରିଗଲି ? ସେଦିନ ଡାକ୍ତରଖାନାରେ ଆମ ଝିଅ ଜନ୍ମନେଲା ସର୍ଜରୀରେ |ରାତିରେ ସେଇ ଡାକ୍ତରଖାନାରେ ଏକ କେବିନରେ ଆମେଦୁହେଁ ଥିଲେ, କେତେରାତି ହେବ କେଜାଣି, ତୁମେ ଦିନସାରା ଏପଟସେପଟ ହୋଇ କ୍ଲାନ୍ତରେ ଗଭୀର ନିଦରେ ଶୋଇପଡିଥିଲ, କିନ୍ତୁ ମୁଁ ମୋ ବେଡ଼ରେ ପଡି ଗଭୀର ଯନ୍ତ୍ରଣାରେ ଛଟପଟ ହେଉଥିଲି, ତୁମକୁ ଡାକିପାରୁନଥିଲି, କାରଣ କଥାପଦେ କହିବାକୁ ବଳନଥିଲା ମୋର ସେତେବେଳେ |ହଲଚଲ ହୋଇ ଧୀରେ ଧୀରେ ହାତ ହଲାଉଥିଲି |କିନ୍ତୁ ତୁମେ ଉଠିପାରିନଥିଲ |ଧୀରେଧୀରେ ମୋ ଆଖିଦୁଇଟା ନିସ୍ତେଜ ହୋଇଆସୁଥିଲା |ଝିଅଟାକୁ ଟିକେ ଦେଖିବିବୋଲି ଚାହୁଁଥିଲି, ପାରିନଥିଲି |ମୋର ଦେହଟା ଧୀରେ ଧୀରେ ଶୀତଳ ହୋଇଯାଉଥିଲା, ମୋତେ ପ୍ରବଳ ଶୀତ ବି ଲାଗୁଥିଲା |ଆଉ ତା ପର କଥା ମନେନାହିଁ ମୋର |ତୁମଦୁହିଁଙ୍କୁ ଛାଡି ଅନ୍ୟଏକ ଇଲାକାକୁ ଚାଲିଯାଇଥିଲି |ମୋର ମୃତ୍ୟୁପରେ ତୁମେ ବହୁତ କାନ୍ଦିଥିବ, ଝୁରିହେଉଥିବ ମୋତେ |ଜୀବନଠାରୁ ବି ମୋତେ ତୁମେ ଅଧିକ ଭଲ ପାଉଥିଲ |ମୁଁ ବି |ସବୁକଥା ମନେଅଛି ମୋର |ଶୁଣ, ମୁଁ ନଥିଲେବି ତମେ ନିଜର ଯତ୍ନ ନେବ, ଝିଅଟାର ବି, ମୋ କଥା କହୁଥିବ ତାକୁ |ହଁ ଶୁଣ, ସେ ବଡହେଲେ ମୋ ପାଉଁଜୀକୁ ତାକୁ ପିନ୍ଧାଇଦେବ, କହିବ ଏଗୁଡା ତୋ ମାମାର | ରାତି ଅନେକ ହେଲାଣି, ମୋତେ ଏଥର ଯିବାକୁ ହେବ |ପୁଷ୍କର ସବୁ ଶୁଣୁଥିଲେ, କିଛି କହିପାରୁନଥିଲେ
ବେଦନାରେ, କାନ୍ଦୁଥିଲେ ସିଏ |ଯିବା ପୂର୍ବରୁ ଉତ୍ତରା ପୁଣି କହିଲେ, ତୁମେ କାନ୍ଦୁଛ ନା, ମୋ ଧନଟା ପରା, ତୁନିହୋଇଯାଅ |ଶୁଣ, ମୋ କଥା ମନେ ପଡିଲେ, ମୋର ସେ ପାଉଁଜୀକୁ ଦେଖିବ, ହାତରେ ଧରି ରୁଣୁଝୁଣୁ କରି ବଜାଇବ, ଅନୁଭବ କରିବ, ମୁଁ ତୁମ ଚାରିପାଖରେ ହିଁ ଘୁରିବୁଲୁଛି ନାଚିନାଚି |କାନ୍ଦିକାନ୍ଦି ଧୀରେ ଧୀରେ ଦୂରେଇଯାଉଥିଲା ଉତ୍ତରା, ତାର ପାଉଁଜିର ରୁଣୁଝୁଣୁ ସ୍ୱର ଦୁରକୁ ଦୁରକୁ ଚାଲିଯାଉଥିଲା ଯେମିତି |ବିଛଣାରୁ ଉଠିପଡିଲେ ପୁସ୍କର, ତାଙ୍କ ପାଟିରୁ ବାହାରିଆସିଲା -ଉତ୍ତରା |ସେତେବେଳକୁ ଆଉ ନଥିଲେ ଉତ୍ତରା |
ପ୍ରକୃତିସ୍ଥ ହେଲେ ପୁଷ୍କର, ତକିଆତଳୁ ସେଇ ପାଉଁଜୀକୁ ଆଣି ଦେଖିଲେ, ରୁଣୁଝୁଣୁ କରି ବଜାଇଲେ |ହୃଦୟର କୋହ ବଢିଚାଲିଥିଲା ଯେମିତି |

