ପାରିବେନି କେହି ଅଲଗା କରି
ପାରିବେନି କେହି ଅଲଗା କରି


ଦୁହେଁ ଥିଲେ ଖୁବ ପାଖାପାଖି । କ୍ଷୀର ଓ ନୀର । ନିବିଡ଼ ତାଙ୍କର ସମ୍ପର୍କ । ସେମାନେ ପରସ୍ପରକୁ ଚାହିଁ ରହିଥିଲେ । ନୀରର ସ୍ୱଚ୍ଛତା କ୍ଷୀରକୁ ଅଭିଭୂତ କରି ପକାଉଥିଲା । କ୍ଷୀରର ତୁଷାର ଧବଳ ଆଭା ଦେଖି ନୀର ମଧ୍ୟ ବିମୋହିତ । ଦୁହେଁ ଯେପରି ମନ୍ତ୍ରମୁଗ୍ଧ ହୋଇ ନିଜକୁ ପରଖୁଛନ୍ତି ,ଜଣେ ଅନ୍ୟଜଣକ ଆଖିରେ । ସେମାନେ ନିଜର ସତ୍ତା ହରାଇ ଦେଇଛନ୍ତି । ଜଣେ ନିଜକୁ ନିଃସଂକୋଚରେ, ନିଃସର୍ତ୍ତ ଭାବେ ଅନ୍ୟ ପାଖରେ ସମର୍ପି ଦେଇଛି । ଏହା ହିଁ ସେମାନଙ୍କ ଶାଶ୍ୱତ ପ୍ରେମ, ଯାହା ଅନନ୍ତ ଓ ସଂଜ୍ଞାହୀନ ।
କ୍ଷୀର କହୁଥିଲା, "ନୀର, ତୋ ବିନା ମୋର ସ୍ଥିତି ନାହିଁ । ଯାହା ହେଉ ଆମ ଦୁହିଁଙ୍କୁ ଏକାଠି କରିବାରେ ଯେଉଁମାନଙ୍କ ଭୂମିକା ରହିଛି, ସେମାନଙ୍କୁ ଆମେ ପାଶୋରି ଦେବା କିପରି? ନୀର କହିଲା, " ଶୁଣ, ଆମେ ଦୁହେଁ ତ ଏକାଠି ହେଲେ ଓ ଏକାଠି ରହିଲେ । କିନ୍ତୁ ଆମକୁ ଏକାଠି କରିଥିବା ମଣିଷମାନଙ୍କୁ ଦେଖ । ସେମାନଙ୍କ ସମ୍ପର୍କକୁ ଦେଖ । ସ୍ନେହ, ପ୍ରେମ ସେମାନଙ୍କର ନକଲି ହୋଇ ଗଲାଣି । କେଦାରଗୌରୀଙ୍କ କାହାଣୀ କେବଳ ଆଜି ପୁସ୍ତକ ମଧ୍ୟରେ ସୀମିତ ହିଁ ରହି ଗଲାଣି । ବର୍ତ୍ତମାନ ସମୟରେ ତାହା ଆଉ ଦେଖିବାକୁ ମିଳିବ କି ନାହିଁ ତାହା କେବଳ ସମୟ କହିବ? ଟିକିଏ ସ୍ୱାର୍ଥରେ ଆଞ୍ଚ ଆସିଲେ ମଣିଷର ସବୁ ସ୍ନେହ, ଶ୍ରଦ୍ଧାର ରଙ୍ଗ ବଦଳି ଫିକା ହୋଇ ଯାଉଛି ।ସମୟ ଥିଲା ଯେଉଁଠି ଜଣେ ଅନ୍ୟ ଜଣକ ପାଇଁ ଜୀବନ ଦେବାକୁ ପଛାଉ ନ ଥିଲା । କିନ୍ତୁ ଏବେ? ଜଣେ ଅନ୍ୟ ଜଣକ ଖୁସି ଦେଖି ସୁୁଖୀ ହେବା ପରିବର୍ତ୍ତେ ଅସହିଷ୍ଣୁ ହୋଇପଡୁଛି । ଭଲ ପାଇବାର ମିଛିମିଛିକା ଅଭିନୟ କିପରି କିପରି ତଳିତଳାନ୍ତ କରି ପକାଉଛି ମଣିଷକୁ । ଆଉ ଏକପାଖିଆ ପ୍ରେମ କଥା ତ କହିଲେ ନ ସରେ । ଏହାର ହାତ ଏସିଡ୍ ମାଡ ଠାରୁ ଆରମ୍ଭ କରି ସର୍ବସ୍ବ ଲୁଣ୍ଠନ ଓ ହତ୍ୟା ପର୍ଯ୍ୟନ୍ତ ଲମ୍ବିଛି । କେତେ ହା ହୁତାଶରେ ଜଳୁଛନ୍ତି
ସେମାନେ !
ନୀର କହୁଥିଲା, " ତୁମେ, ମଣିଷମାନଙ୍କ କଥା ଚିନ୍ତା କରୁୁଛ, କାହିଁକି?
ଉତ୍ତମ ସମ୍ପର୍କର ଉଦାହରଣ ଦେବାକୁ ଯାଇ ସେମାନେ ଆମ ସମ୍ପର୍କକୁ ସବୁବେଳେ ଉଚ୍ଚ ସ୍ଥାନ ଦେଇଛନ୍ତି ଓ ଦେଉଥିବେ ବୋଲି ମୋର ଆଶା I
ସେମାନେ ଆଜି ସିନା ନିଜର ଭୁଲ ବୁଝି ପାରିନାହାନ୍ତି କାଲି କଥା କିଏ କହିବ ? ବରଂ ଭଗବାନଙ୍କ ଆଶୀର୍ବାଦ ଏପରି ଆମ ଉପରେ ଥାଉ, କେଉଁ ଅନାଦି କାଳରୁ ଆମେ ଏକାଠି ଥିଲେ ଓ ରହୁ I ଆମକୁ କେହି ଅଲଗା କରି ନ ପାରୁ I
ଏତିକିବେଳେ କ୍ଷୀର ଅନୁଭବ କରୁଥିଲା ଉତ୍ତାପର ସ୍ପର୍ଶ I ତା' ଦେହରେ ତାତି ଭର୍ତ୍ତି I କ୍ରମଶଃ ନୀର ତା ' ଠାରୁ ଦୁରେଇ ଯାଉଛି I ନୀରକୁ ପାଖରେ ପାଇବା ପାଇଁ ସେ ଫୁଲି ଉଠୁଥିଲା I