STORYMIRROR

Satyabati Swain

Fantasy Inspirational

4  

Satyabati Swain

Fantasy Inspirational

p- 4 ବୁଦ୍ଧି ହିଁ ବଳ

p- 4 ବୁଦ୍ଧି ହିଁ ବଳ

4 mins
388


ସମବେତ ଦର୍ଶକ ମଣ୍ଡଳୀ ସ୍ତମ୍ଭିଭୂତ। ମେଞ୍ଚଡ଼ ଆଖିକୁ ଦିଶୁ ନଥିବା ଟୋକା ଭୀମା ଷଣ୍ଢ ସଂଗେ ଲଢେଇ କରି ଜିତି ଗଲା !


   ଭୀମା ମୋ ନାଁ କିଏ ଦେଲା ! ହସ ଲାଗେ ନାଁ ସହ ଚେହେରା ଅମେଳକୁ ନେଇ।ଶରୀର ଏତେ ଦୁର୍ବଳ ଯେ ମୋତେ ଯେ କେହି ଫୁଙ୍କି ଦେଲେ ପଡିଯିବି । ଡେଙ୍ଗା ସର ସର ନଡ଼ିଆ ଗଛ ଚେହେରା। ଆଖି ଦୁଇଟି ପଶି ଯାଇଛି। ହନୁ ହାଡ଼ ଦିଶୁଛି । ଗୋଛାଏ କିନ୍ତୁ କହରା ବାଳ ମୁଣ୍ଡରେ ପଲମ ଉଗାଡ଼ିଲା ପରି ଥୁଆ ହୋଇଛି । ଦଶମ ପାସ୍ ପାଠ । ଭଲ ବଇଁଶୀ ବଜାଏ । ମୁଁ ପେଟରେ ଥିଲା ବେଳେ ହୋଇଛି ବାପ ଛେଉଣ୍ଡ।


  ଷଣ୍ଡ ଲଢେଇ ମୁଁ ରହୁଥିବା ଗାଁ ଓ ଆଖପାଖ ଗାଁ ର ଥିବା ବଡ଼ ବଡ଼ିଆଙ୍କର ଏକ ମନୋରଞ୍ଜନ ଖେଳ ।ଖୁଆଇ ପିଆଇ ଷଣ୍ଡକୁ ବଢ଼େଇ ହୃଷ୍ଟ ପୃଷ୍ଟ କରି ଛୁଆ ବେଳୁ ତାକୁ  ତାଲିମ ଦିଆଯାଏ ଲଢେଇ କାଟିବାକୁ। ଘୋଷଣା ହୁଏ ଯିଏ ଷଣ୍ଢକୁ ଲଢେ଼ଇରେ ହରେଇ ଦେବ ସେ ଦଶ ଲକ୍ଷ ଟଙ୍କା ପୁରସ୍କାର ପାଇବ।


   ଦଶ ଲକ୍ଷ ! ଲକ୍ଷରେ କେଇଟା ଶୁନ୍ । କେଇ ଖଣ୍ଡ ଦଶ ଟଙ୍କା ମିଶିଲେ ଲକ୍ଷ ହେବ! ଏକ ଦୁଇ ତିନି ଚାରି ପାଞ୍ଚ ପରି ଦଶ ଯାଏ ଗଣି କହିଲି ଦ ...ଶ ଲକ୍ଷ ! ମୋର ଏତେ କଣ ହେବ ପାଞ୍ଚ ଲକ୍ଷ ଦରକାର। ଡାକ୍ତର କହିଛନ୍ତି ମାଆ ର ହାର୍ଟ ଅପେରେସ ପାଞ୍ଚ ଲକ୍ଷ ଟଙ୍କା ହେଲେ ହେବ। ଏତେ ଟଙ୍କା ଆସିବ କେଉଁଠୁ । ଦୁଇ ମହଲା ଘରଟିକୁ ଭାଗ ଭାଗ କରି ତିନୋଟି ପରିବାରକୁ ଭଡା ଦିଆ ଯାଇଛି ।ମୁଖ୍ୟ ସହର ତଳି ଗାଁ ଟି ଆମର। ଆମ ଘର ଠାରୁ ତିନି କିଲୋ ମିଟର ଦୂରରେ ମୁଖ୍ୟ ସହର। ଅଳ୍ପ ଟଙ୍କା ଭଡା ଦେଇ ସହରରେ ଛୋଟ ମୋଟ କାମ କରୁଥିବା ଲୋକେ ଆମ ଆଖ ପାଖ ଗାଁ ରେ ଭଡା ନେବାକୁ ଧାଡ଼ି ଲାଗନ୍ତି । ତିନୋଟି ପରିବାର ଦିଅନ୍ତି ଦେଢ଼ ହଜାର ହିସାବରେ ଚାରି ହଜାର ପାଞ୍ଚଶହ ଟଙ୍କା। ସେଇତକ ଆମ ଜୀବନର ସମ୍ବଳ ।ସେଥିରେ ପ୍ରତିମାସରେ ଭଡା ମିଳି ପାରେନି । ତେଲଲୁଣ ଚାଉଳ ଡାଲି ସାଙ୍ଗକୁ ଲୁଗାପଟା ତଥା ଔଷଧ ଖର୍ଚ୍ଚ ସେଇଥିରୁ।ଏଣୁ ପେଟ ପୁରା ଭାତ ଡାଲି ଖାଇବା ଭାଗ୍ୟରେ ଜୁଟେ ନାହିଁ । ଅର୍ଥ ଅଭାବରୁ ଆଗକୁ ଆଉ ପଢି ହେଲାଣି ମୋର। ଏବେ ଗୋଟେ ଗ୍ରସରି ଦୋକାନରେ ଅଛି।ଦିନକୁ ଥରେ ଖାଇବାକୁ ଦେଇ ପାଞ୍ଚ ହଜାର ଦେଉଛି । ମାସକୁ ମାସ ମାଆର ଔଷଧ ଖର୍ଚ୍ଚ ଚାରିରୁ ପାଞ୍ଚ ହଜାର ଯାଏ ଲାଗୁଛି। ପ୍ରତି ମାସରେ ତାର ଚେକ୍ ଅପ୍ ହୁଏ ।ଏଥର ଡାକ୍ତର କହିଛନ୍ତି ଔଷଧ ଖାଇ ଆଉ କିଛି ଲାଭ ହେବନି।ତୁରନ୍ତ ଅପରେସନ ଲୋଡ଼ା। ନଚେତ୍ ପେସେଣ୍ଟ ବଞ୍ଚିବା ଅସମ୍ଭବ ।


  କେଉଁଠୁ ଆଣିବି ଏତେ ଟଙ୍କା ! ଏଇ କଥା ଭାବିଲା ବେଳେ ଗାଡି ଚହଳ ପକେଇ ଯାଉଥିଲା ,ଶୁଣନ୍ତୁ ଶୁଣନ୍ତୁ ।ଆଗାମୀ ଏଗାର ତାରିଖ ଦିନ ଷଣ୍ଡ ଲଢେଇ ଅନୁଷ୍ଠିତ ହେବାକୁ ଯାଉଛି।ଯିଏ ଶଣ୍ଢକୁ ଲଢେଇରେ ହରେଇ ଦେବ ତାକୁ ମିଳିବ ଦଶ ଲକ୍ଷ ଟଙ୍କା ପୁରସ୍କାର ରାଶି। ଯେଉଁମାନେ ଏ ଲଢେଇରେ ଭାଗ ଦେବେ ନିଜ ଘୋଷଣା ନାମା ପତ୍ର ସହ ଶହେ ଟଙ୍କା ଦାଖଲ କରିବାକୁ ପଡିବ ଦୁଇ ତାରିଖ ପୂର୍ବରୁ। ଘୋଷଣା ନାମାରେ ଲଢେ଼ଇ ରେ ସଂପୃକ୍ତଙ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲେ ସେଥିପାଇଁ ଆୟୋଜକ ବା ଅନ୍ୟ କେହି ଦାୟୀ ରହିବେ ନାହିଁ ସତ୍ୟ ପାଠ ସହ ନିଜ ଦସ୍ତଖତ ଥିବା ଜରୁରୀ।


   ଗରାଖଙ୍କୁ ଡାଲି ଚାଉଳ ଦେଉ ଦେଉ ମନେ ମନେ ଭାବିଲି ମୁଁ ଯଦି ଜିତି ଯାଆନ୍ତା ତେବେ ମୋ ମାଆର ଅପରେସନ ହୋଇ ପାରନ୍ତା। କିନ୍ତୁ ସାଧାରଣ ଷଣ୍ଡଟିଏ ଦେଖିଲେ ବି ମୋତେ ଡର ଲାଗେ । ସେ ଲଢୁଆ ଷଣ୍ଢ ସହ କେମିତି ଲଢ଼ିବି ! ସେ ଯାହା ହେଉ ଦେଖା ଯିବ। ନନ୍ଦ ବାବୁ ଶହେ ଟଙ୍କା ଦେଲେ ମୋ ଦରମାରୁ ?


କିରେ ଶହେ ଟଙ୍କା କଣ ହେବ ?


ଷଣ୍ଡ ଲଢେଇରେ ନାଁ ରେଜିଷ୍ଟ୍ରେସନ କରିବି।


ହସକୁ ରୋକି ନ ପାରି ନନ୍ଦ ବାବୁ କହିଲେ , କୁଟା ଖଣ୍ଡେ ହେବୁ ତୁ ପୁଣି ଷଣ୍ଡ ଲଢେଇ ! କାହିଁକି ପୈତୃକ ପ୍ରାଣଟି ଜାଣି ଜାଣି ହାରିବୁ କହିଲୁ ? ଦେଖିଛୁ ସେ ଶଣ୍ଢକୁ ? ତା ଖୁରାକୁ ସମାନ ହେବୁ ? ଇଲୋ ବୋପାଲୋ ତାର ଯେଉଁ ମୁନିଆଁ ମୁନିଆଁ ଶିଙ୍ଗ ! ଆର ବର୍ଷ ଏଗାର ଜଣ କୁସ୍ତି ଚମ୍ପିୟାନ ଯୋଦ୍ଧାଙ୍କ ଅନ୍ତ ବିଜୁଲା ବାହାର କରି ଦେଇଥିଲା ପରା । ଟଙ୍କା ଲୋଭରେ ମୃତ୍ୟୁ କିଣିବୁ ? ମାଆଟା ପୁତ୍ର ଛେଉଣ୍ଡ ହୋଇଯିବ।


    ଦେଉନ ଶହେ ଟଙ୍କା।ଭାଗ୍ୟ ପରୀକ୍ଷା କରେ। ମଲେ ମରିବି।ଯଦି ଜିତି ଗଲି ମାଆର ଅପରେସନଟା ହୋଇଯାଅନ୍ତା।


    ଆରେ ବୋକା କଥା ମାନେ। ମରଣକୁ ଗୁଆ ଦେଇ ନିମନ୍ତ୍ରଣ କରନା।


    ଚ ଅ ତୁମେ ତ ଶହେ ଟଙ୍କା ଦେବ। ଏତେ କଣ ଉପଦେଶ ଦେଉଛ ? ଟଙ୍କା ଅଭାବରୁ ମାଆ ଟା ମରିଗଲେ ମୁଁ ବଂଚିକି ମରିବା ସହ ସମାନ ହେବନି କି ?କିନ୍ତୁ ଏ କଥା କେହି ଯେପରି ନ୍ ଯାଆନ୍ତି। ବିଶେଷ କରି ମୋ ମାଆ।


   ଏଗାର ତାରିଖ ଆସି ପହଂଚିଗଲା । ମୃତ୍ୟୁକୁ ମୁଣ୍ଡରେ ବାନ୍ଧି ମାଆର ପାଦ ଧୂଳି ନେଇ ଗଲା ବେଳେ ମାଆକୁ କୁଣ୍ଢେଇ ପକେଇଲି। ମରିଗଲେ ଆଉ ଏ ଦେହ ଛୁଇଁ ପାରିବି କି ?


    ଭେଣ୍ଡା ପୁଅକୁ କୋଳେଇ ନେଇ ମାଆ କହିଲା ଏତେ ବଡ଼ ହେଲୁଣି ଛୁଆ ପରି ହେଉଛୁ ? ମୋ ଧନକୁ ଷଠିଦୁତି ମହଣେ ଆୟୁଷ ଦେଇଥାନ୍ତୁ। ଯୁଗ ରାଇଜ କରି ପୁଅ ନାତି କମା। 


    କୃତ୍ରିମ ହସ ଫୁଟେଇ ଭୀମା କହିଲା, ତୋ ଆଶୀର୍ବାଦ କଣ ବ୍ୟର୍ଥ ଯିବ ! ଦେଖିବୁ ଶହେ ବରଷ ସେପଟ ବଞ୍ଚିବି ବା।


 ସେଇଆ କଲ୍ୟାଣ କରନ୍ତୁ କାଳିଆ।


  ମାଆ ଟିକେ ଗେଲ କରି ମରିବାକୁ ଗଲି। ଲଢେଇ ପଡିଆ ଲୋକାରଣ୍ୟ ।ଲୋକେ ପହିଲିମାନଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଉ ଥାଆନ୍ତି। ଧୋବ ଫର ଫର ଷଣ୍ଢ ଦେହ ସଜେଇ ହୋଇ ଚମତ୍କାର ଦିଶୁଥାଏ । 

ଲଢେଇ ଆରମ୍ଭ ହେଲା । ହେ ଭଗବାନ ଦଶ ଜଣ ପହିଲମାନ ଧୂଳି ଚାଟିଲେ ଷଣ୍ଡ ସଂଗେ ଲଢ଼ି।ଶୁନ୍ୟେ ଶୁନ୍ୟେ ଶିଙ୍ଗରେ ଟେକି ଉପରକୁ ଫିଙ୍ଗି ଦେଉଥାଏ ପହିଲିମାନଙ୍କୁ । ସେମାନେ ପଡିଗଲେ ଦଉଡି ଯାଇ ଖୁରାରେ ଫଟେଇ ଦେଉଥାଏ ପେଟ।ତାପରେ ଦଳି ଚକଟି ଦେଉଥାଏ। ଏ ଦୃଶ୍ୟ ଦେଖି ମୋର ପିଳେହିଁ ପାଣି।


    ଏଗାର ନମ୍ବରରେ ଡକା ଗଲା ଭୀମା ନାୟକ,ଭୀମା ନାୟକ । ଦର୍ଶକ ମାନେ ଉତ୍ସୁକୁ ହୋଇ ଅନେଇ ଥାଆନ୍ତି କିଏ ଏହି ପହିଲିମାନ। ମୁଁ ମାଆକୁ ସ୍ମରଣ କରି ଯେତେବେଳେ ଯୁଦ୍ଧ ପଡ଼ିଆରେ ଅବତୀର୍ଣ୍ଣ ହେଲି ଦର୍ଶକଙ୍କ ହସ ଯେମିତି କାନ୍ଦରେ ପରିଣତ ହୋଇଗଲା। ଆହା କି ଦୁର୍ବୁଦ୍ଧି କରି ପିଲାଟି ମାରିବାକୁ ଆସିଛି କୁହା କୋହି ହେଉଥିଲେ ଲୋକେ।


   ମୁଁ କିନ୍ତି ଡରିଲି ନାହିଁ । ହାତ ଯୋଡି ଶିବଙ୍କୁ ସୁମରଣା କଲି। ଷଣ୍ଡ ପରା ତୁମ ବାହାନ ତାକୁ କୁହ ସେ ମୋଠାରୁ ହାରି ଯାଉ । ଟଙ୍କା ନେଲେ ମୋ ମାଆ ଅପରେସନ ହେବ।


   ମୋତେ ଦେଖି କ୍ଷିପ୍ର ବେଗରେ ଷଣ୍ଡଟି ଧାଇଁ ଆସିଲା। ମୁଁ ପ୍ରଥମେ ତା ଶିଙ୍ଗକୁ ଧରି ତା ସହ କଥା ହେଲି।ହେ ବାସୁଆ ବଳଦ ମୋ ମାଆ ଭାରି ଅସୁସ୍ଥ ।ତୁମ ସହ ଲଢ଼ି ପୁରସ୍କାର ରାଶି ନେଲେ ମାଆ ଭଲ ହେବ। ତୁମେ ମୋତେ ମାରିବ ନାହିଁ । ମୋତେ କେଉଁ ଲଢେଇ ଆସେ ନା ମୁଁ ସାହସ କରିବି ତୁମ ସହ ଲଢ଼ିବାକୁ। ପ୍ଲିଜ଼ ମୋତେ ଦୟା କର।


  ଦୟା ନା ଫୟା ଫଁ ଫଁ ହୋଇ ଶିଙ୍ଗରେ ଉଠେଇ କଚାଡି ଦେଲା ମୋତେ। ତୁଳା ପରି ଉଡି ଯାଇ ଚିତ ପଟା ହୋଇ ପଡିଲି ଖଣ୍ଡେ ଦୂରରେ ଥିବା ଗୋଟେ ବୁଦାରେ। ତୀବ୍ର ବେଗରେ ଷଣ୍ଡଟି ମୋ ଆଡ଼କୁ ମାଡି ଆସନ୍ତେ କିଛି ସରୁ ଘାସ ଛିଣ୍ଡେଇ ଷଣ୍ଡ ନାକରେ ପୁରେଇ ଏମିତି ସଲ ସଲ କରି ଦେଲି ଯେ ପଛେଇ ପଛେଇ ଯାଇ ଷଣ୍ଡଟି ପଡିଗଲା ଗୋଟେ ଖାତରେ । ବାସ୍ ! ଆଉ ଉଠି ପାରିଲା ନାହିଁ । 


    ଦର୍ଶକ ତାଳି ମାରି କହୁଥିଲେ ଭୀମା ଭୀମା।ଭୀମା ଜିତିଗଲାରେ।


   ଷଣ୍ଡଟି ଆଖିରେ କିନ୍ତୁ ଖୁସି ଲହଡା ମାରୁଥିଲା।


    


Rate this content
Log in

Similar oriya story from Fantasy