ଓମେଗଲ୍
ଓମେଗଲ୍
ପକ୍ଷ ଏକ ; ମୁଁ ଯେ ତାର ଏକକ ଅନୁଧାବକ, ଅଜ୍ଞ ସିଏ । ମୁଁ ନିଜ ସହ ଲଢ଼ିଲି ଅନେକ । ଅନେକ ଅଭିମାନ ମଧ୍ୟ କରିଲି ନିଜ ପାରିବାପଣିଆର ବିଫଳତା ନେଇ ।
ଅବଶେଷରେ ବାଧ୍ୟ ହେଲି ତା ପଛରେ ଭକ୍ତ ଅନ୍ଧ ଭାବେ ଗୋଡ଼ାଇବାକୁ ।
ସେ ବସୁଥିଲା ପ୍ରତିଦିନ ଏକ ଲୟରେ, ଏକ କୋଣରେ, କାଫେ “ହୁ” କର୍ଣ୍ଣରରେ ।
ହାଲକା ସୁନେଲୀ ନିୟନ୍ ବଲବ୍ ତା ଭ୍ରୁଲତା ଦୁଇ ମଝିରେ ପଡ଼ି ଆହୁରି ଦୀପ୍ତିମନ୍ତ ଦିଶୁଥିଲା ।
ଦିଶୁଥିଲା ଆଖିରେ ତା, ଷ୍ଟିଏଗ ଲାର୍ସନର ବହି, ନହେଲେ ଆଗାଥା କ୍ରିଷ୍ଟିର....ଅସ୍ପଷ୍ଟ ଦୂରରୁ ପ୍ରାୟ ଘଣ୍ଟାଘଣ୍ଟାର ନିରୁତା ପଠନ ।
ସେତକ ସମୟ,ଆତଙ୍କବାଦୀ ଗୁଇନ୍ଦା ପରି ମୁଁ, ମୁହଁ ଘୋଡ଼େଇ ବସୁଥିଲି କାହା ସ୍କୁଟି କିମ୍ବା ବାଇକ୍ ଉପରେ, ବାହାରେ । ନହେଲେ ଠିକ୍ ତା ପିଠି ପଛପଟେ ଥିବା ଅଗ୍ରୀମ ଟେବଲରେ ।
ସମାନ ପନ୍ଦର ଦିନ, ପନ୍ଦର ଘଣ୍ଟା ଆଉ ପନ୍ଦର ସନ୍ଧ୍ୟାରେ କିଛି ପରିବର୍ତ୍ତନ ନଥିଲା, ମୋ ଅପେକ୍ଷାର କି ତା ବହିପଢାରେ ।
ସେଇ ବହିଟିକୁ ସେମିତି ମେଲାଇ ବସୁଥିଲା ସେ ଜଡ଼ ପରି ଆଉ ମୁଁ ଛଟପଟ ହେଉଥିଲି ଭିତରୁ, ବାହାରେ ।
ଘଣ୍ଟାରେ ସନ୍ଧ୍ୟା ସାତ । ବୋଧହୁଏ ,ବାକି ଅଧଘଣ୍ଟା କାଳ ଏଇ ଜଡ଼ତା ଯୋଡ଼ି ରହିବ ମୋ ସହ ।
ସ୍ଥିର କଲି, କାଲି ଠାରୁ ମୋ ଧାବନ ଅନୁଧାବନ ସମାପ୍ତ । ଅଯଥାରେ ଯାହା ସମୟ ସାରୁଛି, ସନ୍ଦେହ କରୁଛି ।
ହଁ, ଆଜି ମୋ ସନ୍ଦେହ.......?
________
କାଉଣ୍ଟର୍ କଫି ପ୍ରାପ୍ୟ ସ୍କାନ୍ କରୁଥିଲା ବେଳେ ଅସ୍ତବ୍ୟସ୍ତ ହେଇ ପଶି ଆସିଲା ଇଭାନ୍ । ଝଡ଼ ପରି ଆବିର୍ଭାବ ତାହାର ସବୁ ବେଳେ ଏମିତି, ଅଚାନକ୍, ଅପ୍ରତ୍ୟାଶିତ ।
ହତବାକ୍ ହେଇଗଲି ମୁଁ ।
କଲେଜ୍ ପର ଠାରୁ ଦେଖା ନଥିଲେ ମଧ୍ୟ ସେ, ତାକୁ ଚିହ୍ନିନେଲି ଦୂରରୁ । ମୁଁ...
ମୋ ମୁହଁ କହିଲେ ଖାଲି ଉତ୍ସୁକତାର ଆଖି ଯୋଡ଼ିଏ, ବାକି ସବୁ କିଛି ସଯତ୍ନ ସଞ୍ଚିତ, କପଡ଼ାରେ ଲୁଚା ହସ ଓ ନିଃଶ୍ୱାସ ।
ଭୁଲିଗଲି, ମୋତେ ଲୁଚିବାର ଥିଲା । ଇଭାନର ଉଲକା ସମ କାଫେ ପ୍ରବେଶ ମୋତେ କଲେଜ୍ ଟେଲେପୋର୍ଟ୍ କରି ନେଇଥିଲା ।
ଇ.......!
_______
ରକ୍ ମ୍ୟୁଜିକ୍ ତାଳରେ ମୋ ସ୍ଵର ମିଲେଇଗଲା ଆଉ ଅଧା ଶବ୍ଦକୁ ନିଜକୁ ନିଜେ ଘୋଷାଡ଼ି ଆଣିଲି ଭିତରକୁ ।
ଇଭାନ୍, ସିଧା ଯାଇ ବସିଗଲା ସିଏ ବସିଥିବା ଟେବଲରେ ।
ମୋ ଆଖି ଏବେ ଲେନ୍ସ, କାର୍ଡ ନ ଦେଇ ମୁଁ ପୁଣି ଫେରି ଗଲି ପଛ କୋଣ ଟେବଲକୁ.....
- କେତେ ଦିନ ହେଲାଣି ଅପେକ୍ଷା କରିଛ?
- ପନ୍ଦର ଦିନ ହେବ । ଆପଣ ଆସୁ ନଥିଲେ କାହିଁକି ?
- ପରୀକ୍ଷା କରୁଥିଲି ତୁମେ କେତେ ଦୃଢ଼ ଦେଖିବା ପାଇଁ । ଘରେ ଜାଣିଛନ୍ତି ?
- ନା ଆପଣ ମନା କରିଥିଲେ ପରା ।
- ହଁ ! ଘରେ ବୁଝନ୍ତି ନାହିଁ । ସତ କଥା ହେଉଛି ମୁଁ ମଧ୍ୟ କହି ନାହିଁ ଘରେ । କେହି ବୁଝିବେନି ।
- ହଁ ... ଆପଣ ହିଁ ବୁଝି ପାରନ୍ତି ମୋତେ । ଆଉ କେହି ନୁହେଁ !
- ମୋତେ ଆପଣ କୁହ ନାହିଁ । କେତେ ଆଉ ବଡ଼ ହେବି ମୁଁ । ଆଚ୍ଛା ମୁଁ ଯାହା କହିଥିଲି ମନେ ରଖିଚ ? ଚାରି ଦିନ ପାଇଁ ପ୍ରୋଜେକ୍ଟ କାମ । ବାକି ମୁଁ ସବୁ ଦେଖି ଦେବି ।
- ମୋତେ ଡର ଲାଗୁଛି ।
- ଆରେ ଡରିବାର କଣ ଅଛି? ଆଗରୁ ପ୍ରୋଜେକ୍ଟ କାମ ପାଇଁ ଯାଇଛ ତ ।
- ହଁ କିନ୍ତୁ ସେତେବେଳେ ସତରେ ପ୍ରୋଜେକ୍ଟ କାମ ଥାଏ ।
- ଭାବି ନିଅ ମୁଁ ତୁମ ନୂଆ ପ୍ରୋଜେକ୍ଟ । କଣ ପିଇବ? କୋଲଡ୍ କଫି ନା ହଟ୍ ...........
________
ଘଣ୍ଟାରେ ସାଢେ଼ ଆଠ । ଅପେକ୍ଷା କରିଥିଲି ମୁଁ ଦିଭା କୁ । ନା,ଆଉ ବସି ହେବନି । ଲାଗୁଛି ଆସିବନି ସେ । ବରଂ ମୁଁ ନିଜେ ଯାଉଛି !
ପଛରୁ ମୋ ହାତ ଧରିନେଲା ସିଏ ।
କୁଣ୍ଡେଇ ପକେଇଲି ମୁଁ ଦିଭାକୁ । କଲେଜ୍ ସମୟରେ ସମସ୍ତ ଅସମୟ ଭାବିଥିଲି ସିଏ ସମୟରେ ଆସିବନି ବା ମୋତେ ଭୁଲ ବୁଝିବ।
କିନ୍ତୁ ମୁଁ ଭୁଲ ଦିଭା ଆସିଛି । ମୋତେ ବେଶୀ କିଛି କହିବାକୁ ନ ଦେଇ ସିଏ ନିଜେ ଆଗେଇ ଯାଇଛି.......
________
ପଛରୁ କାହା ହାତର ମୃଦୁ ସ୍ପର୍ଶ ପାଇ ଚମକି ପଡ଼ିଲା ଇଭାନ୍ । ସାମ୍ନାରେ ଦିଭା ।
ମୋ ମୁହଁ ଆଉ ଲୁଚିବାକୁ ଚାହିଁଲିନି । ଭୂତ ଦେଖି ଚମକି ପଡ଼ିବା ପରି ଚମକି ପଡ଼ିଲା ସିଏ । ବରଡ଼ା ପତ୍ର ପରି ଥରୁଥିଲା ଇଭାନ୍ ।
ସେ ଖାଲି ମୋତେ ଦେଖୁ ଥିଲା । ଆଖିରୁ ଠପ୍ ଠପ୍ ପଶ୍ଚାତାପ ଧାରା । ମୁଁ ଚାହିଁଥିଲି ତାକୁ କଠୋର, ସ୍ଥିର ଆଉ ଭୟଙ୍କର ଆଖିରେ ।
ଗୋଟିଏ ଶକ୍ତ ଚାପୁଡ଼ାରେ ପରିବେଶ ସ୍ତବ୍ଧ ହେଇ ଗଲା । ଦିଭା ନା ଦୁର୍ଗା ?
ଲଜ୍ଜ୍ୟା, ଅପମାନରେ ମରିଯିବ ଯେମିତି । ଛିଃ.......
ମୋତେ ଘୃଣାରେ ତା ଉପରେ ଛେପ ପକେଇବାକୁ ଇଚ୍ଛା ହେଉଥିଲା । ବେଶୀ ରାଗ ଲାଗୁଥିଲା ନିଜ .... ଯାହା ପଛରେ ଏତେ ଦିନ ଧରି କେବଳ ଏକ ସନ୍ଦେହରେ ଗୋଡ଼ାଇ ଚାଲିଥିଲି ।
________
ପନ୍ଦର ବର୍ଷର ଝିଅଟେ ! ସ୍କୁଲ୍ ଛାଡ଼ିବା ପାଇଁ ଆହୁରି ସମୟ । କହୁଛି କଣ ନା ଆମେ କେହି ତାକୁ ବୁଝୁନୁ, ତାକୁ ବୁଝି ପାରୁଛି କେବଳ ଏଇ..।
- କଣ ବୁଝି ପାରିଲିନି ତୋତେ ଝିଅ ? ତୁ ତୋ ବାପା ବୟସ ଚରିତ୍ର ସହ ଫେରାର୍ ହେବାକୁ ବାହାରିଛୁ?
- ସରି ମାଆ ! ମୁଁ ଭୁଲ କରିଛି । ( ଏକାକାର କରି ଝିଅ କାନ୍ଦୁଥିଲା ମୋ ହାତ ଧରି ? ।)
ମୁଁ ତାକୁ ଧରି ବସିଥିଲି ଗାଡ଼ି ପଛ ସିଟରେ, ନିଜକୁ ବି କାନ୍ଦିବାକୁ ଇଚ୍ଛା ହଉଥିଲା ।
ସିଏ ନିଜକୁ ମିଛ ସଇତାନ୍ ଦୁନିଆକୁ ସତ ଭାବି ହଜିବାକୁ ଯାଉଥିଲା !
ଭାବୁଥିଲି; ମାଆ ହିସାବରେ କଣ ଭୁଲ କଲି ମୁଁ? ସ୍ଵତନ୍ତ୍ର ରୁମଟିଏ ଦେଇ ତ ବ୍ୟକ୍ତିଗତ ସ୍ୱାଧୀନତା ଦେବା କଣ ଭୁଲ ଥିଲା !
ଆଉ ଇଭାନ୍ ?
କଲେଜରେ ଇଭାନ୍ ଦିଭାଙ୍କ ପ୍ରେମ କାହାଣୀ ମନେ ପଡ଼ି ଦୟା ହଉଥିଲା ମୋର ବାନ୍ଧବୀ ଉପରେ । କିଏ ଭାବିଥିଲା ; ଇଭାନ୍ ଶେଷରେ ପେଡୋଫିଲିକ୍ ହେବ !?
_________
ଘରେ ପହଞ୍ଚି ପ୍ରଥମେ ଝିଅ ଲାପଟପରୁ ସଇତାନ୍ ଆକାଉଣ୍ଟ୍ ଡିଲିଟ୍ କଲି । ବାଧ୍ୟ କରିଲି ସବୁ ଆପ୍ ଲକ୍ ଖୋଲିବାକୁ ଏବଂ ସମସ୍ତ ପାସ୍ ୱାର୍ଡ଼ କହିବାକୁ ।
ଆଖିରୁ ନିଆଁ ବର୍ଷୁ ଥିଲା ମୋର ।
ଦିଭାଠୁ ଅନୁମତି ବି ନେଇ ଆସିଥିଲି, ଇଭାନ୍ ନାଁରେ ସାଇବର ଷ୍ଟକିଂ ଅଭିଯୋଗ; ନାବାଳିକାକୁ ଖରାପ ଉଦ୍ଦେଶ୍ୟରେ ବାଟବଣା.......
