ଏଲିୟନସ୍
ଏଲିୟନସ୍
କାନ୍ଧରେ ଅନ୍ୱେଷର ମୃଦୁ ସ୍ପର୍ଶ ପାଇଁ ବୁଲିଗଲା ଶ୍ରାବଣୀ । ନୀରବ ଥିଲେ ଦୁହେଁ ଆଉ କିଛି ମାତ୍ରା ରେ ଗର୍ବିତ ମଧ୍ୟ ବାଦଲ କୁ ନେଇ........
ବାଦଲ୍ ?
_______
ଶ୍ରାବଣର ବର୍ଷା ତୋତେ ଉତ୍ପୀଡନ ଦଉଛି ? ମୁର୍ଖ ନା କ୍ଳୀବ ତୁ। ଶ୍ରାବଣୀ ର ସ୍ରୋତ ରେ ଶ୍ମଶାନ ଆଘୋରୀ ମଧ୍ୟ ବସ୍ତ୍ର ପିନ୍ଧି ନେବ।
ଆଉ ତୁ ଫେରୁଛୁ ସେଇ ଦେବୀ ପ୍ରସାଦକୁ ଅଗ୍ରାହ୍ୟ କରି ! ଅନ୍ୱେଷ କଥା ନୁହେଁ ତୀର ମାରୁଥିଲା ବାଦଲ ମସ୍ତିଷ୍କ କୁ।
ବାଦଲ ର ଛଳ ଛଳ ଆଖିରେ ଉଜାଣୀ ଧାରା । ହେଲେ ଆଖି ପରିଧି ରେ ଲୁହ ସବୁ ବନ୍ଦୀ।
ବୋହି ଆସିଲେ ସମାଜ ପ୍ରଶ୍ନିବ ପୁରୁଷତ୍ଵ କୁ। ସତେ ଯେମିତି ଅଶ୍ରୁ ଉପରେ ଏକାନ୍ତ ଅଧିକାର ନାରୀ ର !
ପୁଣି କଳକଳ ତଟିନୀ କୁ ଚିରଦିନ ପାଇଁ ଜଉ ମୁଦ ଦେଇ ଫେରି ଆସିଥିବାର ପଶ୍ଚାତାପ। ଶ୍ରାବଣୀ କଣ ଆଉ କେବେ ବର୍ଷିବନି? ବାଦଲ ହେଲା ମେଘ ମନସ୍କ ।
ବାଦଲ ଆଖିରେ ଅପମାନ, କ୍ରୋଧ ଆଉ ହତଶାର ବାଦଲ ।
କେବେ ବାଦଲ ପାଇଁ ଶ୍ରାବଣୀ କୁ ଈର୍ଷା କରୁଥିବା ତାରା ମାନେ ଆଜି ଟିମ୍ ଟିମ୍ ଆଖି ମାରି ଛିଗୁଲେଇ ହଉଛନ୍ତି, ' ହୁଁ ! ସବୁ ଅତି ର କିଛି ଇତି ଥାଏ। '
ଶ୍ରାବଣୀ, ଏବେ ପାଷାଣୀ ! ବାଦଲ କୁ ନେଇ ଲେଖିଥିବା ସଂଜ୍ଞା ର ଇତିବୃତି ଖୋଜି ପାଉନି । ଅଶ୍ରୁ ସମୁଦ୍ର ରେ ଗାଧେଇ ପଡ଼ିଲା ପରେ ମଧ୍ୟ ଖୋଜି ପାରୁନି କାରଣ।
ତ୍ରିଂଶଙ୍କୁ ପରି ବସିଛି । ବାଦଲ ଚାଲିଗଲା ତାକୁ ପ୍ରତ୍ୟାଖାନ କରି ସେମାନଙ୍କ ପ୍ରଥମ ପ୍ରୀତି ରାତି ରେ।
- ଶ୍ରାବଣୀ ପ୍ରୀତି ର ଅର୍ଥ କଣ ଦେହ?
- ନା ବାଦଲ ! ହେଲେ ଦେହ ନଥିଲେ ବି ପ୍ରୀତି ର ଅର୍ଥ କଣ? ଖାଲି ମନ!!!!!
- ଜଣା ନାହିଁ। ତେବେ ତୁମେ ଅନ୍ୟ ଠୁ ନିଆରା ଭାବୁଥିଲି। କହିଥିଲି ପାର୍ଥିବତା ଦେଇ ପାରିବିନି। ଏତେ ଦିନର ସମ୍ପର୍କ ଭିତରେ କେବେ ପ୍ରବୃତ୍ତି ଆସି ନଥିଲା ।
ଭାବିଲି ତୁମ ପାଇଁ ସ୍ନେହ ହିଁ ସବୁକିଛି । କହି ଥିଲି ମଧ୍ୟ ମୋ ଠାରୁ ଏଇ ବୋକ ଟିକେ ରୁ ଅଧିକ କିଛି ଆଶା ନ କରିବା ପାଇଁ।
ଆଜି ପୁଣି ଏ ପ୍ରତ୍ୟାଶା? କ୍ଷମା କର। ଏମିତି ମୋ ଠାରୁ ଏ ପାଇଁ ଖାଲି ନିରାଶା ମିଳିବ।
ଶ୍ରାବଣୀ ଗୁମ୍ ମାରି ରହିଗଲା । ବାଦଲ ସହ ସମ୍ପର୍କ ରେ ଯୋଡ଼ି ହେବା ବେଳେ ବାଦଲ ସତରେ ତାକୁ କହିଥିଲା ଯେ ତା ପାଇଁ ସମ୍ପର୍କ ମାନେ ସବୁ କିଛି ।
କିନ୍ତୁ ସେଠି ଦେହର ସ୍ଥାନ ନଗଣ୍ୟ, ବା ନାହିଁ ।
ବାଦଲ ମନସ୍କ ଶ୍ରାବଣୀକୁ ଏହା ସାଧାରଣ ଲାଗିଥିଲା । ସମ୍ପର୍କ ମାନେ କଣ କି ?
ହୃଦୟ ଯୋଡ଼ିଲେ ସବୁ କିଛି ପରା। ବାଦଲ ର ହୃଦୟ ପାଇଁ ସବୁ ମାଫ୍......ହେଲେ ଆଖି ର ସ୍ବପ୍ନ ପୁରିଗଲା ପରେ, ହୃଦୟ ବି ଖୋଜେ ଏକାନ୍ତ ଅଧିକାର ।
ଗୋଟାପଣେ ମଣିଷ ଟି ଦରକାର ଏବେ ଶ୍ରାବଣୀ କୁ। ବାଦଲ ର ପ୍ରତ୍ୟେକ ଲୋମକୁପ ରେ ସିଏ ନିଜ ସ୍ପର୍ଶ ଛାଡ଼ି ଯିବାକୁ ଚାହେଁ ।
ପୃଥିବୀ ରେ କେହି ବି ପ୍ରେମୀ ୟାକୁ ଚାତକ ପରି ଅନେଇ ଥାଆନ୍ତି।
ଶ୍ରାବଣୀ ମଧ୍ୟ ଭାବୁଥିଲା ସ୍ଵାଭିମାନୀ ବାଦଲ କେବେ ମୁହଁ ଖୋଲିବନି । ଅତଏବ ଏକ ବର୍ଷା ରାତିରେ ବାଦଲ କୁ ନିମନ୍ତ୍ରଣ। ଆଶା ? ବାଦଲ ଖୁସି ରେ ତାକୁ କୋଳେଇ ନେବ ।
ମାତ୍ର ଏ କଣ ? ବାଦଲ ବିଶ୍ଵାମିତ୍ର ନୁହେଁ, କଚ୍ଚ ବାହାରିଲା । ଦେବଯାନୀ ପରି ତା ନାରୀତ୍ଵ ରେ କୁଠାରାଘାତ ପରି ଲାଗୁଛି ।
ନିଜ ଅସ୍ତିତ୍ଵ କୁ ନେଇ ସନ୍ଦିହାନ। ଇଚ୍ଛା ହେଉଛି ଦଉଡ଼ି ଯିବ ଅନ୍ୱେଷ ପାଖକୁ।
ଭୁଲ୍ ମାଗିବ କହି
- ତୁମକୁ ବାରମ୍ବାର ପ୍ରତ୍ୟାଖାନ କରି ଥିବାରୁ ମୋତେ କ୍ଷମା କର ଅନ୍ୱେଷ। ବାଦଲ ମୋତେ ପ୍ରତ୍ୟାଖ୍ୟାନ କରିଛି।
ଆଜି ପାଇଁ ନୁହେଁ, ସାରା ଜୀବନ ପାଇଁ । ସମ୍ପର୍କ ରେ ରହିବ କିନ୍ତୁ ନିଜର କରିବନି। ତାହେଲେ ସମ୍ପର୍କ ର ମାନେ କଣ?
କିନ୍ତୁ ପୁଣି ଶ୍ରାବଣୀ ର ପ୍ରେମିକା ହୃଦୟ ରେ ଫେରି ଯାଉଥିବା ବାଦଲ ର ଛଳ ଛଳ ଆଖି ଦିଶୁଥିଲା।
ଶ୍ରେଷ୍ଠ ପ୍ରେମିକ ହେବା ପାଇଁ ଯାହା ସର୍ତ୍ତ ବାଦଲ ସେ ସବୁ ପୂରଣ କରେ। ଆଜି ର ସମୟ ରେ ଏକନିଷ୍ଠ । ସମୟ ଅସମୟରେ ଶ୍ରାବଣୀ କୁ ଅଜସ୍ର ଵୋକ ରେ ଭରି ଦିଏ ।
କିନ୍ତୁ ଜୀବନ କଣ ଵୋକ କୁ ନେଇ ଚାଲିବ ! ସ୍ତ୍ରୀ ହେବା, ପୁଣି ଦିନେ ମାଆ ହେବାର ନାରୀ ସୁଲଭ ସ୍ବପ୍ନ ଶ୍ରାବଣୀ ମନ ରେ ଅଛି। ପ୍ରତି ମାସ
ବାଦଲ ର ସନ୍ତାନ ଚାହେଁ ସିଏ । କିଏ ନ ଚାହିଁବ ନିଜ ପ୍ରିୟ ପୁରୁଷ କୁ ବଂଶ ଉପହାର ନ ଦେବାକୁ। ଆଉ ବାଦଲ ! ସିଏ ତ ଏଇ ପ୍ରଶ୍ନ ରେ ଶ୍ରାବଣୀ କୁ ଛାଡ଼ିବାକୁ ପ୍ରସ୍ତୁତ।
ଅନ୍ୱେଷ ଠିକ୍ ଓଲଟା । ଶ୍ରାବଣୀ ବାଦଲ ର ଜାଣି ମଧ୍ୟ ନିଜ ପ୍ରେମ କୁ ଖୋଲାଖୋଲି ଜାହିର କରେ । ଏମିତି କି ବାଦଲ କୁ ମୃଦୁ ଧମକ ଦିଏ ଶ୍ରାବଣୀ ପ୍ରତି ଅବହେଳା ପାଇଁ।
ଦୁହିଁଙ୍କ ଭିତରେ ୟାକୁ ନେଇ ଏକ ଅକୁହା ଅବୁଝାମଣା । କିନ୍ତୁ ଦୁହେଁ ଅପୂର୍ବ ବନ୍ଧୁ।
_______
ଶ୍ରାବଣୀ କୁ ଏଭଳି ପ୍ରତ୍ୟାଖ୍ୟାନ କରି ଆସିଥିବା ବାଦଲ କୁ ଅନ୍ୱେଷ ଧିକ୍କାର କରି ଚାଲିଥିଲା। ବାଦଲ ଏକ ମୁହାଁ ଥିଲା ଦିଗ୍ ବଳୟ ଦିଗରେ । ସ୍ମୃତି ରେ ବିଚଳିତ।
ଅନେକ ରୋକିବା ସତ୍ତ୍ଵେ ଶ୍ରାବଣୀ ସଂଯୋଗ ରୁ ନିଜକୁ ଦୂରେଇ ପାରି ନଥିଲା । ନିଜକୁ ଅନେକ ଥର ସିଏ ଧିକ୍କାର କରିଛି।
କିନ୍ତୁ ସ୍ୱାର୍ଥପର ପରି ଜାବୁଡ଼ି ଧରିଛି ଶ୍ରାବଣୀ କୁ । ନିଜ କୁ ବୁଝେଇଛି ମଣିଷ ବୋଲି ତା ଭାଗ ରେ ମଧ୍ୟ ସ୍ନେହ ପ୍ରେମ ର ଏକାନ୍ତ ଅଧିକାର। ସିଏ ନାର୍ଶିଶିଷ୍ଟ୍, କିନ୍ତୁ ସୈତାନ୍ ନୁହେଁ ।
ବାଦଲ ଅନେଇଲା ରାଗ ରେ ଥରୁଥିବା ଅନ୍ୱେଷ କୁ। ତା ହାତ ଧରିଲା ଆଉ ଅନୁନୟ ଅନୁରୋଧ କରିଲା ଶେଷ ଥର ପାଇଁ ଶ୍ରାବଣୀ ପାଖକୁ ନେଇ ଯିବାକୁ।
ଦରଖୋଲା କବାଟ କଣ ରେ ଶ୍ରାବଣୀ ଲୁହ ଜଡ଼ସଡ..... ଚଉବନ୍ଧ ଏପାଖେ ଗୋଟିଏ ହତାଶ ବାଦଲ ଆଉ ଗୋଟିଏ ସ୍ତବ୍ଧ ଅନ୍ୱେଷ।
_________
ଆଠ ବର୍ଷ ର ଅବୋଧ ବାଦଲ ପଚାରୁଥିଲା ଶ୍ରାବଣୀ କୁ
- ମାମା ପ୍ରାଇଡ୍ ପାରେଡ୍ କଣ? ଏଇ ଅଙ୍କଲ ପାପାଙ୍କ ସାଙ୍ଗ ନା!
ସମ୍ବାଦ ପତ୍ର ର ପ୍ରଥମ ପୃଷ୍ଠା ରେ ଶ୍ରାବଣୀ ନିରେଖି ପଢ଼ୁଥିଲା ପ୍ରାଇଡ ପାରେଡ ର ମୁଖ୍ୟ ବାଦଲ ବିତ୍ତିହୋତ୍ତ୍ରଙ୍କ ସାକ୍ଷାତକାର ।
ଭାରତ ର ପ୍ରଥମ ଵିଦେହୀ ଭାବରେ କେମିତି ସିଏ ସମାଜ ଆଗକୁ ଆସିଥିଲେ । ଆଉ କେମିତି ତାଙ୍କ ପ୍ରେରଣା ତଥା ସାହସ ରେ ସାରା ଦେଶରେ ଅନେକ ଲୁଚି ରହିଥିବା ବିଦେହୀ ମାନେ ଆଗକୁ ଆସିଲେ । ଏସବୁ କୁ ନେଇ ଏକ ଲମ୍ବା ଯାତ୍ରା ର କାହାଣୀ !
ବିଦେହୀ ମାନେ ମଣିଷ, ଏଲୀୟନସ୍ ନୁହଁନ୍ତି। ସେମାନେ ଯେ ଅଲିଙ୍ଗି ନୁହଁନ୍ତି ବା ତୃତୀୟ ଲିଙ୍ଗ ନୁହଁନ୍ତି । ବାସ୍ କେବଳ ଦୈହିକ ଆବେଗ ରୁ ମୁକ୍ତ ବା ସଂକ୍ଷିପ୍ତ । ସେମାନେ ମଧ୍ୟ ସ୍ନେହ ପ୍ରେମ ସବୁ ଅନୁଭବ କରି ପାରନ୍ତି । ସେସବୁ ବିଷୟ ରେ ବିଶଦ ଭାବରେ ବୁଝେଇ ସେ ମଧ୍ୟ ବହି ଲେଖିଛନ୍ତି........
ଫୋଟୋ ରେ ସବୁ ବଦଳି ଯାଇଛି । କେବଳ ବଦଳିନି ବାଦଲ ର ଆଖି ଯୋଡ଼ିକ !!
ଚଉବନ୍ଧ ଆର ପାଖରୁ ଛଳ ଛଳ ହେଇ ପ୍ରେମିକା ଆଉ ବନ୍ଧୁ ସାମ୍ନା ରେ ନିଜ ବିଦେହୀ ପଣ ର ଆଦ୍ୟ ସ୍ଵୀକୋରୋକ୍ତି କରୁଥିବା ବାଦଲ ଆଜି ମଧ୍ୟ ସେଇ ଯୋଡ଼ିକ ଆଖି ଧରି ରଖିଛି ।
ଶ୍ରାବଣୀ- ଅନ୍ୱେଷ କୁ ନିଜ ଅସ୍ତିତ୍ଵ ପାଇଁ କ୍ଷମା ମାଗି ନିରୁଦ୍ଦିଷ୍ଟ ହେଇଥିବା ସେ ବାଦଲ.....?
ଆଜି ନିଜ ଅସ୍ତିତ୍ଵ ପଣ କୁ ନେଇ ଦେଶର ସବୁ ବିଦେହୀ ମାନଙ୍କୁ ସମାଜ ରେ ସ୍ଵୀକୃତି ଦେବାକୁ ଲଢ଼ୁଥିବା ବାଦଲ ବିତ୍ତିହୋତ୍ର କଣ ସତରେ ଜଣେ ମଣିଷ .........?
*************
ଜ୍ୟୋତିପୁଷ୍ପା ଦାସ
ବାଲେଶ୍ଵର ।

