ଲୁ_ମିନ୍_ହୋ
ଲୁ_ମିନ୍_ହୋ
ୟୁ ଟ୍ୟୁବ୍ ରେ '' ଅମାୟା'ସ୍ କୋରିଆ ସିକ୍ରେଟସ୍ '' ର ଭିଡ଼ିଓ ଭାଇରାଲ୍ ହେବାପରେ କୋରିଆକୁ ଅନ୍ଧ ଭାବେ ମାଡ଼ି ଆସୁଥିବା ଅନେକ ଅମାୟା କୋରିଆ_ବୁଝିଯାଇଥିଲେ ଲି_ମିନ୍_ହୋର ସତ !
ଲି_ମିନ୍_ହୋ କିଏ ,ପ୍ରଶ୍ନ ଭିତରେ ଉତ୍ତର ଖୋଜୁ ଖୋଜୁ ସମୟ ଗର୍ତ୍ତ କୁ ଅନିଚ୍ଛା ସହ ଟାଣି ହେଇ ଯାଉଥିଲା ଅମାୟା l
ଲାପଟପ୍ ଉପରେ ଠପ୍ ଠପ୍ ଲୁହ ଗଡ଼ି ପଡ଼ୁଥିଲା ଅତୀତର ଅନିଚ୍ଛାକୃତ ଆତ୍ମତୃପ୍ତିରେ l
ଅଲିଅଳି ଅମାୟା , ଅରବପତି ପିରାମଲଙ୍କ ଏକ ମାତ୍ର କନ୍ୟା ରୂପେ ବରଂ ଖୁସୀ ନଥିଲା,ଖୁସୀ ଥିଲା ସ୍ବପ୍ନଦେଖା କୋରିଆର ଜେଜୁ ଉପଦ୍ୱୀପର ଖଣ୍ଡିଉଡ଼ା ନିଳୀମା ସତରେ।
ମୁମ୍ବାଇର ବଡ଼ାପାଓ ତାକୁ ଆଜିକାଲି ଅରୁଚି ଲାଗୁଥିଲା, କିମ୍_ଚି (ବନ୍ଧା କୋବିରେ ତିଆରି ଡିସ୍)ରେ କିନ୍ତୁ ସ୍ଵାଦ।
ପସନ୍ଦ ଥିଲା ଯାଜଂଗ୍ମେୟୋ (କୋରିଆ ନଡୁଲ୍ସ)ଖାଇବା ଆଉ ସିଓଲ୍ ଗଳି ରେ ବୁଲି ତପୁକ୍କୀ (ଚାଉଳ କେକ୍)ର ମଜା ନେବା।
ପ୍ରତି ନେଟଫ୍ଲିକ୍ସ କେ - ଡ୍ରାମା (କୋରିଆ ଡ୍ରାମା) ରେ ସେ ଦେଖୁଥିଲା :କେମିତି ସାଧାରଣ ଝିଅଟି ଜୀବନରେ ଆଲୌକିକ ଭାବେ ଆସୁଛି ମନ ବୁଝି ପାରୁଥିବା କିମ୍ କିମ୍ବା ଜୁନ୍ ବଂଶଜ ପ୍ରେମିକଟିଏ ।
ଦରଭଙ୍ଗା ପୃଥିବୀ ବି ନିଜର ସ୍ଵେଦ ରକ୍ତ ଦେଇ ସଜାଡ଼ି ଦଉଛି ଶେଷ ନଥିବା ଅସମ୍ପୂର୍ଣ ପ୍ରେମ କାହାଣୀ । ଅପେକ୍ଷା କରୁଛି ତା ପାଇଁ ବର୍ଷ ବର୍ଷ, ଯୁଗ ଯୁଗ, ନହେଲେ ଜନ୍ମ....
ଆଉ ଏଠି, ମୁମ୍ବାଇରେ ପ୍ରେମ ନାଁ ରେ !!!!!
ଏକ ଭାବନାଗତ ଦୀର୍ଘଶ୍ଵାସ ସହ ଉବୁକି ଯାଉ ଥିଲା ଅମାୟା । ରହୁଥିବା ଦେଶଦୁନିଆ ବେରଙ୍ଗ ଲାଗୁଥିଲା ଆଉ ମନ ଉଡୁଥିଲା ଇପସିତ ସହର ସିଓଲ୍ (କୋରିଆ ରାଜଧାନୀ)ଆଡ଼େ ।
ୟୁ ଟ୍ୟୁବ୍ ଖୋଲି; ଅନ୍ୱେଷଣ କରୁଥିଲା ସେ କଣ କୋରିଆର ସଂସ୍କୃତି,ଲାଇଫ୍ ଷ୍ଟାଇଲ୍,ପ୍ରେମ (କୋରିଆନ୍ ଏବଂ ଅଣ କୋରିଆନ୍ ମଧ୍ୟରେ ଗଢ଼ି ଉଠୁଥିବା ପ୍ରୀତି ଫଲଗୁ )ବିଷୟ ରେ।
ସଂଯୋଗକୁ,ସିଓଲ୍ ବିଶ୍ୱବିଦ୍ୟାଳୟରେ ହାଙ୍ଗୁଲ୍ ଭାଷା ବିଜ୍ଞାନରେ ଏଣ୍ଟ୍ରାନ୍ସ ସିଟ୍ ମିଳି ଯାଇଥିଲା ଅମାୟାକୁ ଓ ଅରବପତି ପିତା ବି ଖୁସିରେ ପେଜ୍ ଥ୍ରୀ ପାର୍ଟି ଦେଇଥିଲେ ନିଜର ପଢ଼ା ମନ ଯୋଗୀ ଝିଅର ନିଷ୍ଠା ବା ଥରକ ଉଦ୍ୟମରେ ପଢ଼ା ସ୍ୱପ୍ନ ସାକାର ପାଇଁ।
ଅମାୟା କିନ୍ତୁ ଚାହୁଁଥିଲା ସିଓଲ୍ ରେ ପାଠପଢ଼ା ଭିତରେ ନିଜ ସ୍ବପ୍ନ ଖୋଜିବାକୁ, ସ୍ୱପ୍ନର ପ୍ରେମ ଖୋଜିବାକୁ ଓ ହାଙ୍ଗୁଲ୍ କହୁଥିବା ରାଜକୁମାରକୁ ଜୀବନସାଥୀ ରୂପେ ପାଇବାକୁ ।
ହାଙ୍ଗୁଲ୍ ; ୟୁ ଟ୍ୟୁବ୍ ଆଉ କେ_ ଡ୍ରାମାରୁ ଶିଖି ଥିବା ଆନ୍ୟାଗାସେୟୋ (ନମସ୍କାର), ଖାମ୍ସା ମିଦା (ଥ୍ୟାଙ୍କ ୟୁ )ଶିଖିବାର କାରଣ ସେ ନିଜକୁ ସମ୍ପୂର୍ଣ ରୂପରେ କୋରିଆ ରଙ୍ଗରେ ଢାଳି ନେବାକୁ ଚାହୁଁଛି ଓ ଭୁଲି ଯିବାକୁ ଚାହୁଁଛି ନିଜ ଅତୀତ ଓ ଅର୍ଥ ରାଜଧାନୀ ପୂର୍ବତ୍ଵକୁ।
ସିଓଲ୍ ରେ ଅମାୟାର ପ୍ରଥମ ମାସ ! ସ୍ଵପ୍ନ କୁ ଏମିତି ବଞ୍ଚା ଯାଏ ବୋଧେ । ଇପ୍ସିତ ରାସ୍ତା, ଲଗଜୁରୀ ବସ୍, କଫି ଚେନ୍, କୋରିଆ ବନ୍ ( ପାଉଁରୁଟି), ତାପୁକ୍କୀ (ରାଇସ୍ କେକ୍), ଫିଶ୍ କେକ୍ ସମାହାର।
ପ୍ରତି ସପ୍ତାହ ଅନ୍ତରେ କଲେଜ୍ ବନ୍ଧୁ ମାନଂକ ସହ ଜେଜୁୁ , ପ୍ୟୋଂ ଚାଙ୍ଗ ଓ ବୁସାନ୍ ପରି ପ୍ରସିଦ୍ଧ ସ୍ଥାନ ଭ୍ରମଣ l ଐତିହାସିକ ସ୍ଥଳୀମାନଙ୍କ ଭିତରେ ଗୋରେଓ ସାମ୍ରାଜ୍ୟ, ଜାସନ୍ ସମୟ ଖଣ୍ଡ କୁ ଭାସି ଯାଉଥିଲା ଅମାୟା।
ସାଥିରେ ଥିଲା ଗାଇଡ୍ ହା_ଜୁନ୍ .....ମାର୍ଗ ଦର୍ଶନ କରିବାକୁ ଓ ତାକୁ ସବିଶେଷ ବୁଝେଇବାକୁ l
ହା_ଜୁନର ଭଙ୍ଗା ଇଂରାଜୀ ଆଉ ଅମାୟାର ଭଙ୍ଗା ହାଙ୍ଗୁଲ୍ ରେ ଗଢ଼ି ଉଠୁଥିଲା ପୁଣି ଏକ ପ୍ରେମର ସିରିଜ୍ କେ_ଡ୍ରାମା।
ଅତଏବ,ଧୀରେ ଧୀରେ ହା_ଜୁନ୍ ଆଖିରେ ଅମାୟାକୁ ଲି_ମିନ୍_ହୋ ଦିଶୁଥିଲା ।
__________
ନିଜ ଇପସିତ ରାଜକୁମାର ହା_ଜୁନକୁ ପାଇବା ପରେ ମୁମ୍ବାଇ ନ ଫେରି ସବୁ ଦିନ ପାଇଁ ସିଓଲରେ ରହିବାକୁ ନିଷ୍ପତ୍ତି ନେଲା ଅମାୟା l
ଏ ବାବଦରେ ଅବଗତ ହେବା ପରେ ଅରବପତି ପିରାମିଲ୍, ମିଛ ସ୍ୱପ୍ନକୁ ସତ ଭାବି ବାଟହୁଡା ନିଜ ଏକମାତ୍ର ଝିଅକୁ ବାରମ୍ବାର ବୁଝେଇଥିଲେ l
ଶେଷର ଛିନ୍ନ ହେଇଥିଲା ବାପ ଝିଅ ଭିତରର ସମ୍ପର୍କ ବ୍ୟାକରଣ କ୍ରମଶଃ....କ୍ରମଶଃ l
ବୁଝି ସାରିଥିଲେ ପିରାମଲ୍ ; ଝିଅ ପଢ଼ିବା ପାଇଁ ନୁହେଁ, ବରଂ କେ_ଡ୍ରାମାକୁ ସତ ଭାବି ନିଜର ସ୍ୱପ୍ନ ନାୟକ ସନ୍ଧାନରେ ସିଓଲ୍ ଓ ହାଙ୍ଗୁଲ୍ ଚକ୍କରରେ।
ମାସେ ପରେ ଏକ ମେଲ୍ ଅମାୟା ପାଖକୁ...
ନିଜର ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତିରୁ ତେଜ୍ୟ କରିଛନ୍ତି ଅରବପତି ପିତା !
ଏବେ.....? ପ୍ରକୃତିସ୍ଥ ହେଲା ଅମାୟା .....
ଅମାୟା ବସିଥିଲା ତା ଛୋଟ ବଖୁରିକିଆ ଅପାର୍ଟ୍ ମେଣ୍ଟ୍ ରେ ,ବୁସାନ୍ ସହର ର ଏକ ଧୂସର ଅଞ୍ଚଳ ରେ। ସିଓଲ୍ ଛାଡ଼ି ସାରିଥିଲା କେବେ ଠାରୁ ସେ l
ଛାଡ଼ିଥିଲା କଣ ଛାଡ଼ିବାକୁ ବାଧ୍ୟ ହେଲା ?
ଏମିତିରେ,ଅର୍ଥ ନଥିଲେ ସିଓଲ୍ ରେ ପ୍ରତି ଅମାୟା ମାନଙ୍କ ପାଇଁ ଇଞ୍ଚେ ସ୍ଥାନ ମଧ୍ୟ ନାହିଁ । ମିଛପ୍ରେମ
ନିଶା ଉତୁରିସାରିଥିଲା....
ଅମାୟା ବୁଝି ସାରିଥିଲା ହା_ଜୁନ୍ ର ପ୍ରେମ ଆନ୍ତର୍ଜାତିକ ସୀମିତ ଥିଲା ତା ଅରବ୍ ଅରବ୍ ଅର୍ଥ ପର୍ଯ୍ୟନ୍ତ ।
ଏବେ ତେଜ୍ୟ ହେବା ପରେ ଯଦିଓ ସେ କେବଳ ସାମାନ୍ୟ ଝିଅ ଟିଏ, ଯିଏ କୋରିଆ ରେ ବଞ୍ଚିବାକୁ ସଂଘର୍ଷ କରୁଛି।
ହଁ,ମନ ପ୍ରାଣରେ ଅମାୟା କୋରିଆ ସଂସ୍କୃତି କୁ ଆପଣେଇ ନେଲେ ମଧ୍ୟ କୋରିଆ କେବେ ତାକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ର ବାଦାମୀ ଝିଅ ଛଡ଼ା ଆଉ କିଛି ଭାବେ ଗ୍ରହଣ କରିପାରିବନି।
ଡ୍ରାମା ଆଉ ବାସ୍ତବତା ମଧ୍ୟ ରେ ଏକ ଧୁଆଁଳିଆ ପରଦା ଏବେ ସ୍ପଷ୍ଟ।
ଅପ୍ରିୟ ସତ୍ୟ କଠୋର ସବୁବେଳେ .......
ଅଲିଅଳ ଅଝଟ ଅମାୟା ପାଇଁ ଗୋଟିଏ ଗୋଟିଏ ୱୋନ ( କୋରିଆ ମୁଦ୍ରା) ପାଇଁ ସଂଘର୍ଷ ପ୍ରାଣଘାତୀ ଥିଲା l ନିଜ ଅତୀତ ତାକୁ ରଙ୍ଗୀନ୍ ସ୍ବପ୍ନ ପରି ଲାଗୁଥିଲା ଓ ଫେରିଯିବାକୁ ମୁମ୍ବାଇ ଡାକୁଥିଲା ।
---------
ଅରବପତି ପିତାର ଦୀର୍ଘ ବର୍ଷବର୍ଷର ଅପେକ୍ଷା , କଣ ସତରେ ଫେରିବ ଅମାୟା ?
______
ହଠାତ୍ ବାହାରେ ଠକ୍ ଠକ୍ ଶବ୍ଦ ଶୁଣି ଅମାୟା କବାଟ ଖୋଲିଲା ।
ଛିଡ଼ା ହୋଇଥିଲେ ଜୀବନ ଯୁଦ୍ଧରେ ପରାହତ ତଥା କରୁଣ ମୁହଁଧାରୀ ଜଣେ ମ୍ରିୟମାଣ ପିତା ଯେ ନିଜ ଏକମାତ୍ର ଝିଅର ଏପରି ଦିନହୀନ ଦୈନ୍ୟତା ତଥା ଶରୀର କ୍ଷୀଣତା ଦେଖି ଭାଙ୍ଗି ପଡିଥିଲେ l
ଭାବନାର ହିସାବ ନିକାଶ ଓଲଟପାଲଟ ,ସବୁ ସ୍ବପ୍ନ ଧ୍ୱଂସ। ଜିଦ୍ କରିଲେ ବି ଝିଅକୁ ନିଜ ସାଥୀରେ ନେଇ ଯିବାକୁ ମୁମ୍ବାଇ, ଯେଉଁଠି ଏବେବି ଭୋଗ ବିଳାସ ବ୍ୟସନ ଅଲିଅଳୀ ରାଜକୁମାରୀ ବାଟ ଚାହିଁରହିଛି ।
ଅମାୟା ,ବାପାଙ୍କୁ ଧରି ଅନେକ ସମୟ ଯାଏଁ କାନ୍ଦିଲା ଓ ଶେଷରେ ଲୁହ ପୋଛି କହିଲା
- ଯିବିନି ଡାଡ୍ ! ମୁଁ ଯିବାକୁ ଚାହୁଁଚି । କିନ୍ତୁ ଗଲେ ମୋ ପରି ଅନେକ ଝିଅ ଏମିତି ହାର ମାନିଯିବେ।
ପୃଥିବୀ ସାରା ମୋ ପରି ଅନେକ ଝିଅ ଅଛନ୍ତି ଯେଉଁମାନେ ଏଇ ଡ୍ରାମା ମୋହ ରେ ପଡ଼ି କୋରିଆ ଆସୁଛନ୍ତି ।
ଅନେକ ଏଇଠି ଫସି ରହୁଛନ୍ତି ସହର ତଳି ଅଞ୍ଚଳ ରେ ନହେଲେ ଭିନ୍ନ ଯୌନ ରାକେଟ ମାନଙ୍କରେ।
ବହୁତ୍ ବିଦେଶୀ ଏଠାରେ ବର୍ଣବୈଷମ୍ୟବାଦ୍ ବା ରେସିଜିମ୍ ର ଶିକାର । ମୁଁ ସେମିତି ଝିଅପୁଅ ମାନଙ୍କୁ ନେଇ ଏକ ସଂଗଠନ " ଦ ରିୟଲ୍ ଫେସ୍ ଅଫ୍ ଫେଥ୍"ତିଆରି କରିଛି।
ସଂଗଠନର କାମ : ରେସିଜିମ୍ ଆଉ ମାନବ ଅଧିକାରକୁ ନେଇ ସଚେତନତା l
ମୁଁ କେ_ଡ୍ରାମା ରୁ ବାହାରି ଆସିଛି ସତ କିନ୍ତୁ ସେଇ ଡ୍ରାମା ମୋତେ ଶିଖେଇଚି ସାଧାରଣ ସଂଘର୍ଷ ଅସମ୍ଭବ ସମ୍ଭବ କରିପାରେ।
ଏଇ ନୂଆ ପରିଚୟ ମୋତେ ଅନେକ ସନ୍ତୁଷ୍ଟି ଦଉଛି ଡାଡ୍। ମୁଁ ଏବେ ଆପଣଙ୍କର ଲାସ୍ୟମୟୀ ରାଜକୁମାରୀ ହେବିନି ବରଂ ହେବି ଅସାଧାରଣ ଝିଅ ମାନଂକ କାହାଣୀ କହୁଥିବା ସାଧାରଣ ମୁହଁଟିଏ।
:- ହଁ ମୋ ମା.....
______
ଅମାୟା ନିକଟରୁ ଏତିକି ଶୁଣି ଅରବପତି ପିତା ଫେରିଗଲେ ମୁମ୍ବାଇ, ଅନନ୍ୟ ଅନୁଭୂତି ସହ ।
ନା ସେ ଶଙ୍କିତ ଥିଲେ ନା ଆତଙ୍କିତ l ଗୋଟିଏ ପୂରିଲାପଣ ,ପାରିବାପଣ ହସି ଉଠୁଥିଲା ମୁହଁରେ ତାଙ୍କର। ହା_ଜୁନ୍ ......?
___
ଅରବପତି କନ୍ୟାକୁ ସଂପତ୍ତି ଲୋଭରେ ଭଲ ପାଇଥିବା ହା_ଜୁନ୍ ଏବେ ଖୋଜୁଥିଲା ନିଜ ପାଇଁ ଏକ ଆଦର୍ଶ କୋରିଆ ଝିଅ ଯିଏ ହାଙ୍ଗୁଲ୍ ଅନର୍ଗଳ କହିବା ସହ ଘରେ ତା ଓମ୍ମା ଆବୁଜୀ ଙ୍କ ଧ୍ୟାନ ରଖୁଥିବ l
କୋରିଆ ଶୈଳୀ ର ସବୁ ରାନ୍ଧଣା ଶିଖି ଥିବ ଆଉ ଗୋରେୟୋ ପରମ୍ପରା ରକ୍ଷା କରୁଥିବ ।
-------
ଶେଷରେ ଅମାୟାର କେ_ସିରିଜ୍ "ଫେଥ୍"ର ଲି_ମିନ୍_ହୋ ?
ଗୋରେୟୋ( ଆଧୁନିକ କୋରିଆ)ରାଜକୁମାର ଆଉ ୟୁଆନ୍( ଅଧୁନା ଚୀନ୍) ରାଜକୁମାରୀ ପାଇଁ ନିଜ ଟାଇମ୍ ଟ୍ରାଭେଲ ପ୍ରେମକୁ ବଳିଦାନ ଦେଇଥିଲା ସେନାଧ୍ୟକ୍ଷ ଚୋଇ_ୟୋଂ।
ଜରୁରୀ ଜୀବନରକ୍ଷା ଚିକିତ୍ସା ପାଇଁ ଟାଇମ୍ ମେସିନରେ ଯାତ୍ରା କରି ବାହାରିଥିଲା ଆଧୁନିକ କୋରିଆର ସହରରେ, ଠିକ୍ ମୁଖ୍ୟ ଚିକିତ୍ସାଳୟ ସାମ୍ନା ରେ।
ଭିତରେ ପଶୁ ପଶୁ ଦିଶିଥିଲା ଚିକିତ୍ସା କରୁଥିବା ମହିଳା ଡକ୍ଟର ଅନନ୍ୟ ସୁନ୍ଦରୀ ୟୁନ୍_ଶୁ l
ଆଗ ପଛ ବିଚାର ନକରି ୟୁନ_ଶୁ ଙ୍କୁ ସେ ଦୈବୀ ଚିକିତ୍ସକ ଭାବି,ଜୋର୍ ଜବରଦସ୍ତ ନିଜ ସହ ନେଇ ଆସିଥିଲା ଚୋଇ_ୟୋଂ ଗୋରେୟୋ କାଳଖଣ୍ଡର ରାଜମହଲକୁ,ଭବିଷ୍ୟତରୁ ଅତୀତକୁ ସମୟ ଯାତ୍ରାରେ।
କିନ୍ତୁ ,କାଳ ଗତିପଥ ସରଳ ନୁହେଁ ଥିଲା ଜଟିଳ।
ୟୁନ୍_ଶୁ ନିଜ ଅପହରଣ କାରୀଙ୍କ ପ୍ରତି କ୍ରୋଧୀ ହେବା ପରିବର୍ତ୍ତେ .. ଚୋଇ_ୟୋଂ ଙ୍କୁ ଭଲ ପାଇ ବସିଲେ। ସମ ଭାବରେ ନିଷ୍ଠୁର ନିରାସକ୍ତ ଚୋଇ_ୟୋଂ ଙ୍କ ହୃଦୟ ରେ ପଲ୍ଲବିତ ହେଲା ୟୁନ୍ ଧାରା ।
ତା ପରେ କଣ?
ପୃଥିବୀ ର ଆଦିମ ଗଳ୍ପ...... ଜଣେ ସିଏ, ଜଣେ ଇୟେ, ଆଉ ଅଜଣା ଦୁନିଆ । ହେଲେ ସବୁ ପ୍ରସିଦ୍ଧ କାହାଣୀ ପରି ଏ କାହାଣୀ ମଧ୍ୟ ସରି ଆସୁଥିଲା ବିଚ୍ଛେଦ ଋତୁ ନେଇ ।
ଅତୀତକୁ ଧସେଇ ପଶିଥିଲେ ୟୁନ_ଶୁ ନିଜ ଅନିଚ୍ଛାରେ। ପୁଣି ସେଇ ଅତୀତରୁ ଫେରୁଥିଲେ ନିଜ ସମୟକୁ ନିଜ ଅନିଚ୍ଛାରେ।
ଦୈବୀ ଚିକିତ୍ସା କାର୍ଯ୍ୟ ସମ୍ପାଦନ ପରେ ଆଉ ଟାଇମ୍ ଟ୍ରାଭେଲର ଗୋରେୟୋ ସମୟରେ ଉତ୍ତର ପୀଢ଼ିର ଅସ୍ତିତ୍ଵ ସ୍ଥିତି ବିହୀନ।
କଣ ହେବ ୟୁନ_ଶୁ ଏବଂ ଚୋଇ_ୟୋଂଙ୍କ ପ୍ରେମ କାହାଣୀ ?
ସମୟ କୁ ହୃଦୟ ସହ ଖେଳିବାକୁ ଭଲ ଲାଗେ ପରା । ବିଚ୍ଛେଦ କୁ ଆଖିରେ ରଖି ବୋଧେ ମିଶାଏ ବାଛି ବାଛି ଯୋଡ଼ିଙ୍କୁ.......
କାହାଣୀର ଶେଷଦୃଶ୍ୟ ; ଅତୀତ ଭବିଷ୍ୟତ ଭିତରେ ପ୍ରେମ ସମ୍ଭବ ନୁହେଁ l ୟୁନ୍_ଶୁ ଆଖିରେ ଆଖି ମିଶାଇ ବିଦାୟ ପୂର୍ବ ଲୁହମିଶା ଚୁମ୍ବନ ପରେ ଚୁମ୍ବନ ଦେଉଥିଲା ଚୋଇ_ୟୋଂ l
ଅଭିନୟ ଶ୍ରେଷ୍ଠାଂଶେ :-
ୟୁନ୍_ଶୁ : ହି_ଶୁନ୍।
ଚୋଇ_ୟୋଂ : .........?

