ଶବ୍ଦସିଦ୍ଧା
ଶବ୍ଦସିଦ୍ଧା
କଚେରୀ କାଗଜପତ୍ର , ଓକିଲର କଞ୍ଚା ଆଇନ୍ ଗତ ବ୍ୟାଖ୍ୟା କିମ୍ବା ସରକାରୀ ଜିଲାପି ରାସ୍ତାର ଶବ୍ଦ ଝୁଡି ହାସ୍ୟାସ୍ପଦ ଉପକ୍ରମଣିକା ମାତ୍ର ।
ମୋ ନାଁ ରେ ଦଫା ଲାଗିଥିଲା ଶବ୍ଦରୁ ଆତ୍ମା ଚୋରିର ! ବିକ୍ଷିପ୍ତ ଥିଲି ମୁଁ ଅନାହୁତ ଆବେଗ ରେ ,ସନ୍ତପ୍ତ ଓ ସ୍ତବ୍ଧ ମିଥ୍ୟାରୋପରେ।
ଆରୋପ ଲଗାଇଥିବା ଆହୃତ୍ କିନ୍ତୁ ନିଜର ଶବ୍ଦ ନଶ୍ୱରତାକୁ ନେଇ ନିଶ୍ଚିତ ଥିଲା ।
ତା ମାନେ କଣ ତାହାର ଶବ୍ଦ ସବୁ ଉପରେ ମାଲିକାନା ସତ୍ଵ ବା ଏକଚାଟିଆ ବୌଦ୍ଧିକ ଅଧିକାର !?
ଅଗତ୍ୟା ଚୁପ୍ ରହିଲି ।
ଆହୃତ୍ କୁ ଆକ୍ରମଣ କରିବାକୁ ଦେଲି,ପକ୍ଷ ରଖି ଲଢ଼ିବାକୁ ଦେଲି ଓ ଅପେକ୍ଷା କରିଲି ଶବ୍ଦର ନିଜସ୍ଵ ଚେତନାକୁ, ଯିଏ କାଳେ ସଚେତ ହେଇ କହି ଉଠିବ,
:- ମୁଁ ଚୋରି ହେବା ଦ୍ରବ୍ୟ ନୁହଁ । ମୋ ଉପରେ କାହାରି ଏକଚାଟିଆ ଅଧିକାର ନାହିଁ । ଆହୃତ୍ ମୋତେ ଆବିଷ୍କାର କରି ଥାଇପାରେ, କିନ୍ତୁ ସେ ମୋତେ ସୃଷ୍ଟି କରି ନାହିଁ ।
ଅତଃ ସେ ମୋ ଉପରେ ଏକାନ୍ତ ଅଧିକାର ରଖେ ନାହିଁ । ମୋ ସୃଷ୍ଟି ର ଉଦ୍ଦେଶ୍ୟ ଯେଉଁ ଭାବକୁ ପରି ପ୍ରକାଶ କରିବାକୁ, ସେ ଭାବ ପ୍ରତ୍ୟେକ ତନ୍ନତନ୍ନ ଚେତନାରେ ପ୍ରବାହିତ ।
ଯଦି ଜଣେ ଅକ୍ଷର ଯୋଡ଼ି ଶବ୍ଦ ରୂପ ଦେଲା ତେବେ ସେ ଖୋଜକ, କିନ୍ତୁ ଜନକ ନୁହେଁ ......
କିନ୍ତୁ ଏସବୁ କହିବା ପାଇଁ ବି ମୋ ଶବ୍ଦକୁ ଗୋଟିଏ ପାଟି ଦରକାର ଥିଲା ଓ ସେ ପାଟିଟି ବି ମୋର ହେବାର ଥିଲା , ଯିଏ ଏବେ ନୀରବ।
ଅତଏବ ଶବ୍ଦ ନିଜ ଶାବ୍ଦିକତାକୁ ବଖାଣିବ ବା କେମିତି ?
ଶବ୍ଦ କୋର୍ଟରୁ ନନବେଲେବଲ୍ ନୋଟିସ୍ ଆସିଛି ଆଜି ଉପସ୍ଥିତ ହେବାକୁ । ବିଚାର ହେବ ମୋ ଶବ୍ଦରୁ ଆତ୍ମା ଚୋରିର । ସେଠି ମୁଁ ଛିଡ଼ା ହେବି କାଠଗଡ଼ା ରେ । ବିଚାରରେ ଦୋଷୀ ହେବି, ଆକ୍ଷେପିତ ହେବି ସମାଜର ମୁଖ୍ୟ ସୃଜକ ବିଚାରପତି ସମୂହଙ୍କ ଠାରୁ ।
ନିଷ୍କର୍ଷ ?
ହୁଏତ ମୁଁ ଚିରଦିନ ପାଇଁ ସୃଜନରୁ ବାସନ୍ଦ ହେଇପାରେ ।
ନଚେତ୍ ମୋ ଲେଖା କୁ ବର୍ଚୁଆଲ୍ ନିଆଁ ରେ ଇ- ଅଗ୍ନି ଦେଇ ଜାଳି ଦିଆ ଯାଇ ପାରେ।
ନଚେତ୍ ସମୂହ ବାସନ୍ଦ ( ବ୍ଲକ୍) କରି ଦିଆ ଯାଇ ପାରେ ସୃଜନ- ବିଶ୍ଵ ରୁ ......
ସମ୍ଭାବନା ଅର୍ଥରେ,ବହୁତ କିଛି ହେଇପାରେ !
ମୁଁ ନିଜ ଭୟକୁ ଶେଷ ସମାଧି ଦେଇ ଉପସ୍ଥିତ ହେଲି ଦରବାରରେ ।
ଉପସ୍ଥିତ ଥିଲେ ସେଠାରେ ଅତୀତର କଥା ସମ୍ରାଟ୍ , ବର୍ତ୍ତମାନ ର କାବ୍ୟ ଦେବୀ , ଭବିଷ୍ୟତର ଶବ୍ଦ କୁମାର ତଥା ଅନ୍ୟ ସୃଜଶୀଳତାରେ ମୋହର ଲଗେଇଥିବା ପ୍ରସିଦ୍ଧ ପୁରୋଧା ମାନେ ।
ଆହୃତ୍ ର ଏକ ବକ୍ର ହାସ୍ୟ, ମୋତେ ସୁଚେଇ ଦେଲା ଆଜି ମୁଁ ଦ୍ରୌପଦୀ ଏଇ ସାହିତ୍ୟ କୁରୁସଭା ର ।
ମୁଁ ଡାକିବି କାହାକୁ ?
ଯୋଗେଶ୍ଵର ସବୁ ଯୁଗରେ ନଥାନ୍ତି ତଥା ମୁଁ ଯୋଗିନୀ ନୁହେଁ ମାନବୀ ମାତ୍ର ।
ମୁଁ ଆଗେଇ ଯାଉଥିଲି ଶବ୍ଦସଭା ମଧ୍ୟକୁ, ମଥାନତ ନଥିଲା ଲଜ୍ଜାରେ ବରଂ ବିଜୟ ଦର୍ପିନୀ ବେଶରେ ଅଗ୍ରସର ହେଉଥିଲି ବଳକା ଯତ କିଞ୍ଚିତ୍ ଅହଂ ଜାବୁଡ଼ି !
ଆହୃତ୍ ଲଗେଇ ଚାଲିଥିଲା ଲାଞ୍ଛନା । ସଭାସଦ୍ ମୂକ ହେଇ ଶୁଣୁ ଥିଲେ । ସମ୍ରାଟ୍ ବି ମୃଦୁ ହାସ୍ୟ ଦେଇ ମୋ ଆଗତ ସୂଚେଇ ଦେଉଥିଲେ ।
:- କାବ୍ୟ ଦେବୀ କହୁଥିଲେ ବୀଣା ଜୀଣା ସ୍ଵରରେ
ଶବ୍ଦ ଉପରେ ଅଧିକାର କେବଳ ଆବିଷ୍କାରକ ଏବଂ ତା ଅନୁଚରଙ୍କ । ସାମାନ୍ୟ ନାରୀର ଅଧିକାର ନାହିଁ ସେ ଚେତନାରେ ନିଜ ଅବସ୍ଥିତି ଜାହିର୍ କରିବା ପାଇଁ !!!"
ପାରିଷଦ ଚୁପ୍ । କହିଲେ ହୁଏତ ସେମାନେ ଭୋଗିବେ ମୋ ଭଳି ଲାଞ୍ଛନା । ହୁଏତ ସେମାନେ ବାସନ୍ଦ ହେବେ ସୃଜନରୁ, ସୃଜକ ସମାଜରୁ, ପର୍ବ, ସମ୍ମାନ ଏବଂ ଉପଢୌକନ ରୁ ।
ଅତଏବ ମୁଁ ନୀରବ ଥିଲି, ଶାନ୍ତ ଥିଲି ଆଉ ହେତୁ କୁ ସ୍ବୀକାର କରି ଶବ୍ଦ ଦୁନିଆରୁ ଦୂରେଇ ଯିବା ନିଷ୍ପତ୍ତି ରେ ପହଞ୍ଚିବାକୁ ଯାଉଥିଲି ।
ହଠାତ୍, କାହାର ମୁଖ ନିସୃତ ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପି ଉଠିଲା ସଭା ଗୃହ ! ପହଞ୍ଚିଲେ ଶବ୍ଦ ସନ୍ନ୍ୟାସୀ ସଭା ଭିତରକୁ ,ପ୍ରସାଦ ପ୍ରହରୀଙ୍କୁ ରକ୍ତାକ୍ତ କରି l
ଦୁଇ ପାଦ ଘୁଞ୍ଚିଗଲା ଆହୃତ୍ ! ସଭା ସ୍ତବ୍ଧ । ସଭା ବର୍ଗ ଥରହର..... ଏ କେମିତି ଆସିଲେ.....? ।
ତ୍ରାହି ତ୍ରାହି ଡାକ ପଡ଼ିଲା ଓ ଯିଏ ଯୁଆଡେ ପାରିଲେ ଲୁଚିବାରେ ଲାଗିଲେ ଯେମିତି ଶିବଙ୍କ ଆଗମନରେ ଦକ୍ଷ ଯଜ୍ଞରେ ଲୁଚିଥିଲେ ସମସ୍ତେ ତୃତୀୟ ନୟନ ଭୟରେ ।
ସନ୍ନ୍ୟାସୀ ମୋ ମୁଣ୍ଡ ରେ ଧୀରେ ହାତ ରଖି କହିଲେ :- " ଶବ୍ଦ କଲ୍ୟାଣୀ ଭବଃ ।"
ମୁଁ ନିଜକୁ ଆବିଷ୍କାର କରିଲି ଶବ୍ଦକୋର୍ଟରୁ ବାହାରି ସବୁଜିମା ପରିବେଷ୍ଟିତ ମୋ ପର୍ଣ୍ଣ କୁଟୀରରେ । ପାଖରେ ଥିଲା ଲାପଟପ୍ ଆଉ ଏକ ବୃହତ୍ ଭାଷାକୋଷ l
ଏବେ ମୁଁ ଶବ୍ଦସିଦ୍ଧା ଯଦିଓ ଆହୃତ୍ ର ସେ ତିଆରି ଶବ୍ଦ ମୋହରେ କିଛି ସମୟ ପାଇଁ ମୋହାଚ୍ଛନ୍ନ ଥିଲି !
ମୋ ପାଇଁ ଶବ୍ଦର ଅସ୍ତିତ୍ୱ ମାନେ ?
ନାଦ ! ବ୍ରହ୍ମ ! ନଚେତ୍ ଆତ୍ମିକ ବିବର୍ତ୍ତନ !
