କୋକେନ୍
କୋକେନ୍
ତିନି ଦିନ ତଳେ କଲେଜ୍ କ୍ୟାଣ୍ଟିନ୍ ପଛରେ ମୁଁହ ଯୋଡ଼ି ଅନ୍ୟମନସ୍କ ଥିଲେ ଦୁହେଁ, ତା ପରଠୁ ନିର୍ଦ୍ଦିଷ୍ଟ ଭାବେ ନିରୁଦ୍ଦିଷ୍ଟ ।
ଚାରି ହତାଶ ମାତା- ପିତାଙ୍କ କାକୁତି ମିନତି, ଅଥୟ ହେଇ ସହର ସାରା ଖୋଜୁଥିଲା ପୋଲିସ୍ ।
ଖୋଜୁଥିଲା....ସହର ଶେଷ ଭାଗରେ ଥିବା ଏକ ଦୁର୍ଗମ ଖଣ୍ଡରେ, ଯେଉଁଠି ଥିଲା ଗୋଟିଏ ତଥା କଥିତ କଟାକ୍ଷ କରୁଥିବା ଭୂତକୋଠି l
ପ୍ରଶିକ୍ଷିତ ଶ୍ୱାନମାନେ କ୍ଷେପି ଗଲେ ସେଇ ଆଡ଼କୁ....କୁଆଡେ଼ କିଛି ନାହିଁ ତ ।
ଭୁଲ ହେଇ ପାରନ୍ତି ବୋଧହୁଏ, ଖାଲି ହାତରେ ଫେରିବାକୁ ଭାବୁଥିଲା ତଦନ୍ତ ଟିମ୍।
ହଠାତ୍ ଜୀର୍ଣ୍ଣଶୀର୍ଣ୍ଣ କୋଠା ହତା ମଝିରେ ଜଳ ଫୁଆରାକୁ ଘେରି ଶ୍ୱାନମାନେ ଅଜବ ସ୍ୱରରେ କାନ୍ଦିବାରେ ଲାଗିଲେ।
ତଦନ୍ତକାରୀ ଅଫିସର୍ ଜଣକ ଚାରିଆଡେ ବୁଲି ଚାହିଁଲା। କାହିଁ, କୁଆଡେ଼ କିଛି ନାହିଁ ତ ! ତଥାପି ବନ୍ଦ ହେଉନଥିଲା ସେ କରୁଣ ସ୍ୱର.....
---------
- ଦେଖିଲ ! ୟା ତଳେ କିଛି ନାହିଁ ତ?
- ଆରେ ଇଏ କଣ? ୟେ ତ ଖୋଲି ଯିବ ସାର୍। ଢାଙ୍କୁଣି ଭଳି ଅଛି ଖାଲି।
ବିରିଚକି ଉପର ପଥର ପରି ମଝି ଖମ୍ବଟିକୁ ଘୁରେଇଦେବାରୁ ଖୋଲିଗଲା ଉପର ଫୁଆରା।
ଦୁଇଟି ମଣିଷ ଏକାଥରେ ପଶିଲା ପରି ମୁହଁ। ପାହାଚ ପରି କିଛି ଦିଶୁଛି, ତଳକୁ ତଳ। ୟେ କଣ ସୁଡ଼ଙ୍ଗ?
ପୋଲିସ୍ ହାତ ଗୋଟେ ପାହାଚରେ, ପାଦ ଗୋଟେ ପାହାଚରେ ଦେଇ ଧୀରେ ଧୀରେ ତଳକୁ ଯାଉଥିଲେ ।
ସୁଡ଼ଙ୍ଗ ନୁହେଁ, ଗୋଟିଏ ନୂଆ ଭୂତଳ ଭବନକୁ ରାସ୍ତା ଖୋଲୁ ଥିଲା।
ନିଅନ୍ ଲାଇଟର ଝାପ୍ସା ଆଲୁଅରେ ଦିଶି ଯାଉଥିଲା ସହରର କୁଖ୍ୟାତ ଡ୍ରଗସ୍ ବେପାରୀ ଆଉ ନିଶାସକ୍ତ ଚେହେରା ସମୂହ.......
_____
ପର ଦିନ ରାଜ୍ୟର ସବୁ ସମ୍ବାଦ ପତ୍ରରେ ପ୍ରଥମ ପୃଷ୍ଠାରେ ବାହାରିଥିବା ଖବର କିଛି ଏମିତି ଥିଲା -
କଲେଜ୍ ଛାତ୍ରଛାତ୍ରୀମାନଙ୍କୁ ଡ୍ରଗସ୍ କବଳରେ ଫସାଉ ଥିବା କୁଖ୍ୟାତ ବେପାରୀମାନଙ୍କ ଆଡ୍ଡା ସ୍ଥଳୀ ତଥା ବେପାର ପେଣ୍ଠ ପୋଲିସ୍ ଗତକାଲି ଏକ ଖଣ୍ଡର ତଳୁ ଠାବ କରିଛି ।
ମାଟି ତଳେ ଥିବା ଏକ ବଡ଼ ସୁଡ଼ଙ୍ଗରେ ଏହି କାରବାର ଚାଲିଥିଲା।
ସେଠାରୁ ବିପୁଳ ପରିମାଣରେ ଡ୍ରଗସ୍ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ ହେବା ସହ ସମସ୍ତଙ୍କୁ ଗିରଫ କରାଯାଇଛି।
ଧରା ହେଲେ ଡ୍ରଗସର ଶିକାର ହେଇ ପଇସା ନଦେଇପାରୁଥିବା କଲେଜ୍ ଛାତ୍ରଛାତ୍ରୀ, ଯେଉଁ ମାନେ ଡ୍ରଗସ୍ ମାଫିଆର ନିର୍ଯ୍ୟାତନା ଶିକାର ହେଉଥିଲେ।
ଭଙ୍ଗା ଖଟ ଉପରେ ହାତ ଗୋଡ଼ ବାନ୍ଧି ଶାରୀରିକ ନିର୍ଯ୍ୟାତନା, ଯୌନ ନିର୍ଯାତନା, ଗଣ ବଳାତ୍କାର ଏବଂ ଅନ୍ୟ ଶାରୀରିକ ନିର୍ଯାତନା ଦିଆ ହେବା ସହ ଡ୍ରଗସ୍ ଓଭର୍ ଡୋଜ୍ ପାଇଁ ମଧ୍ୟ ଇଞ୍ଜେକସନ ଦିଆ ଯାଉଥିଲା।
ଏବଂ ଶେଷରେ ନିଖୋଜ ଥିବା ପ୍ରେମୀ ଯୁଗଳ ?
ମିଳିଥିବା ରିପୋର୍ଟ ଅନୁସାରେ .....
ଯୋଉ ଦିନ ସେମାନଙ୍କୁ ଅଭିଶାପ ମିଳିଲା, ସେଦିନ ଅଧ ଘଣ୍ଟା ଧରି ଭୟଙ୍କର ବିତ୍ପାତ। ଝଡ଼ର ଏମିତି ତାଣ୍ଡବ କେବେ ଆଗରୁ ଦେଖି ନଥିଲେ ଦୁହେଁ ।
ବହୁ ଚେଷ୍ଟା କରିଲେ ମଧ୍ୟ କାୟାକଳ୍ପର ହାତ ଧରି ଉପରକୁ ଉଠି ପାରିଲା ନାହିଁ ବିଦ୍ୟୁତ୍ ଲତା । ଅତିଶୟ ବର୍ଷାରେ ହାତ ମାନେ ସ୍ପର୍ଶ କାତର ହେଇଯାଇଥିଲେ ।
ତଥାପି,ବିଦ୍ୟୁତ୍ ଲତାର ହାତକୁ ଖୁବ୍ ଜୋରରେ ଜାବୁଡ଼ି ଧରିଥିଲା କାୟାକଳ୍ପ।
ଆଖି ଖୋଲି ପାରୁନଥିଲା ଚାହିଁଲେ ବି। ଚାରି ପଟରୁ ଭଙ୍ଗା ଡ଼ାଳ, ନହେଲେ ନିରୀହ ପକ୍ଷୀମାନେ ଆସି ପିଟି ହେଇ ଯାଉଥିଲେ ତା ଦେହ ମୁହଁ ସାରା ।
ସେ ଘଡ଼ିସନ୍ଧି ମୁହୂର୍ତ୍ତରେ ଯନ୍ତ୍ରଣା ମଧ୍ୟ ଯନ୍ତ୍ରଣା ମୁକ୍ତ ହେଲା ପରି ଲାଗୁଥିଲା । ତାକୁ ବିଦ୍ୟୁତ୍ ଲତାର ହାତ ଛଡା ଆଉ କିଛି ଜଣା ପଡୁନଥିଲା।
ଅନେକ ଘୂର୍ଣ୍ଣି ସହ ଶବ୍ଦ ସବୁ ଚିତ୍କାରରେ ମିଳେଇ ଯାଉଥିଲା ।
ବାସ୍ ଏତିକି ସିଏ ଜାଣି ପାରୁଥିଲା ଯେ ଉର୍ଦ୍ଧ୍ୱକୁ ଉଠୁଛି ତା' ଦେହ । ଝଡ଼ ଭିତରେ ସିଏ ରହିଥିଲା କି ଝଡ଼ ତାକୁ ଉପରକୁ ଠେଲି ନେଉଥିଲା, କିଏ ଜାଣେ ?
ବାସ୍ ଉର୍ଦ୍ଧ୍ଵଗାମୀ ଶରୀର ଆଉ ଆଧୋଗାମୀ ହାତକୁ ଧରିଥିବା ବିଦ୍ୟୁତ୍ ଲତା ଉପରେ ନିଜକୁ ଛାଡ଼ି ଦେଇ ଚେତାଶୂନ୍ୟ ହେଲା ସେ..........
ବିଦ୍ୟୁତ୍ ଲତା ଆପ୍ରାଣ ଚେଷ୍ଟା କରି ବିଦ୍ୟୁତ୍ କଳ୍ପର ହାତ ଧରିଥିଲା । କିଛି ପାଦ ଆଗେଇ ଗଲା ପରେ ଝଡ଼ ତାକୁ ପଛକୁ ଠେଲି ନେଇଗଲା କେଉଁ ଏକ ଦାନବୀୟ ଧକ୍କାରେ ।
ଖୁବ୍ ଜୋର୍ ସେ ଚିତ୍କାର କରି ସିଏ ଡାକୁଥିଲା କାୟାକଳ୍ପକୁ କିନ୍ତୁ ତା ହାତକୁ ଜାବୁଡ଼ି ଧରିବି ସେ ତା ଡାକ ଶୁଣି ପାରୁ ନଥିଲା ।
ଖାଲି ତାକୁ ଜଣା ପଡୁଥିଲା ଯେ ତା ପାଦ ତଳେ ଆଉ ମାଟି ନାହିଁ। ହୁଏତ ସେ ଅଧୋଗାମୀ ହଉଛି।
ତଳକୁ ଅନେଇ ହଉନି କି ଉପରକୁ ଆଖି ଖୋଲି ଚାହିଁ ହଉନି। ଖାଲି ଶୁ ଶୁ ଶବ୍ଦର ବ୍ୟୁତ୍ପତ୍ତି ଆଉ କମ୍ପୁଥିବା ସର୍ବାଙ୍ଗ।
ଆଖି ଉପରେ ଯେମିତି କିଏ ପଥର ଛେଚୁଥିଲା । ବାସ୍ ଅଧୋଗାମୀ ଶରୀର ଆଉ ଉର୍ଦ୍ଧ୍ଵଗାମୀ ହାତକୁ ଧରିଥିବା କାୟାକଳ୍ପ ଉପରେ ନିଜକୁ ଛାଡ଼ି ଦେଇ ଚେତାଶୂନ୍ୟ ହେଲା ସେ........
କାୟାକଳ୍ପ ଉଡ଼ୁଥିଲା ଆକାଶରେ,ଖୋଜି ବୁଲୁଥିଲା ବିଦ୍ୟୁତ୍ ଲତାକୁ । ବିଦ୍ୟୁତ୍ ଲତା ବି ସମାନ ଭାବେ.....
ଦୁହିଁଙ୍କୁ ନିଷିଦ୍ଧ ଥିଲା ପୃଥିବୀ ।
ଯେମିତି, ଅଭିଶାପ ଥିଲା ମାଟି ଉପରେ ପାଦ ରଖି ଦୁହେଁ ଦୁହିଁଙ୍କୁ ଛୁଇଁ ଦେବା ମାତ୍ରେ ବିଦ୍ୟୁତ୍ ଲତା ଜଳିଯିବ ଓ ତାକୁ ଜଳିବା ଦେଖି ସ୍ତବ୍ଧ କାୟାକଳ୍ପର ଛାତି ଫାଟି ଯିବ। ଉଭୟେ ଅଜ୍ଞ ଥିଲେ ଦୁହେଁ ଦୁହିଁଙ୍କ ଅବସ୍ଥିତି ବିଷୟରେ ।
ଆକାଶ ସାରା ହନ୍ତାଳି ପକେଇଲା ପରେ ମଧ୍ୟ କାୟାକଳ୍ପକୁ ଲାଗୁଥିଲା ଆଉ କେଉଁ ଶୂନ୍ୟ ବାକି ରହିଗଲା ବୋଧହୁଏ ?
