Seetaram Dash

Romance Inspirational

4  

Seetaram Dash

Romance Inspirational

ନୂତନ ସୂର୍ଯ୍ୟଦୟ

ନୂତନ ସୂର୍ଯ୍ୟଦୟ

6 mins
277


ଢେର୍ ବର୍ଷ ପରେ ମେସେଞ୍ଜରରେ ନିତୁର ମେସେଜ ଦେଖି ନିଲେଶର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ଏତେ ସହଜରେ ଏସବୁକୁ ବିଶ୍ୱାସ କରି ପାରୁ ନ ଥିଲା । ସତରେ କଣ ନିତୁ ଆଜି ବି ତାକୁ ବିଶ୍ୱାସ କରେ? ଏତେ ପରେ ବି, ସେ କଣ ତା ସହିତ ସମ୍ପର୍କ ରଖିବାକୁ ଚାହୁଁଛି? ଆଜି ବି କଣ ସେ ତାକୁ ଭଲ ପାଉଛି? ମନରେ ତାର ଅନେକ ଅସମାହିତ ପ୍ରଶ୍ନପୁଞ୍ଜ । ସମଗ୍ର ଶରୀରରେ ଖେଳି ଯାଇଥିଲା ଏକ ଅଜଣା ପୁଲକ । ଆନନ୍ଦରେ ଅଧିର ହୋଇ ଯିବା ସହ, ସେ ମନେପକାଉ ଥିଲା, ଅତୀତର ସେହି ଅଭୁଲା କାହାଣୀକୁ...


ଯୌବନର ପ୍ରଥମ ପାହାଚରେ ନିତୁକୁ ନିଜର କରିବାରେ, ସେ ସଫଳ ହୋଇଥିଲା । ନିଲେଶ ଦେଖିବାକୁ ଶାନ୍ତ, ସରଳ ଓ ସୁଦର୍ଶନ । ମେଧାବୀ ଛାତ୍ର ହୋଇଥିବାରୁ ସମସ୍ତେ ତାକୁ ଖୁବ୍ ଆଦର କରୁଥିଲେ । ପାଖ ପଡୋଶୀ ହୋଇ ଥିବାରୁ ନିତୁ ଘରକୁ ତାର ଅବାଧ ପ୍ରଵେଶର ଅଧିକାର ଥିଲା । ଲୁଚେଇ ଲୁଚେଇ ସେ ତାକୁ ଅନେକ ପ୍ରେମ ପତ୍ର ଦେଉଥିଲା । କେତେ କେତେ ଭିନ୍ନ ଭିନ୍ନ ନାଁରେ ସମ୍ବୋଧନ କରି ସେ ଚିଠି ସବୁ ଲେଖୁଥିଲା । ଚିଠିରେ ନିତୁ ବଦଳରେ ସେ ଲେଖୁଥିଲା, "ଅଳପା, ଅଳି, ଅଲିଅଳି" । ପୁଣି କେବେ କେବେ ଲେଖୁ ଥିଲା, "ପ୍ରିୟା, ପ୍ରେୟସୀ, ପ୍ରିୟତମା" । ଆଉ କେବେ ଲେଖୁ ଥିଲା, "ଅଞ୍ଜଳି, ସ୍ୱପ୍ନା, ତାନିଆ, ଯସ୍ମିନ" । ଅନେକ ଥର ରକ୍ତରେ ବି ସେ ଅନେକ ଚିଠି ଲେଖି ଦେଇଛି । 

ଆଜିକାଲି କିଶୋରୀ ନିତୁର ମନ ପ୍ରାଣରେ କେବଳ ନିଲେଶ ହିଁ ନିଲେଶ । ନିଲେଶ ପାଇଁ ତା ମନରେ ଥିଲା ଅସୁମାରୀ ଆଶା, ହଜାର ହଜାର ସ୍ୱପ୍ନ । ନିଲେଶର ଉପସ୍ଥିତି ତାକୁ ଦେଉ ଥିଲା, ଅହେତୁକ ଆନନ୍ଦ । ତାର ସାମାନ୍ୟ ସାନ୍ନିଧ୍ୟ ଶରତର ଜ୍ୟୋତ୍ସ୍ନାବିଧୌତ ରଜନୀର ଶୀତଳତା ଭରି ଦେଉଥିଲା ତାର ମନ ପ୍ରାଣରେ । ପ୍ରିୟତମର ମିଠା ମିଠା କଥାରେ ତାର ହୃଦୟରେ ହେଉଥିଲା ମଧୁଧାରା ବର୍ଷା । ଜୀବନର ପ୍ରତ୍ୟେକଟି ସକାଳ ତା ପାଇଁ ହେଉଥିଲା, ସୁଖମୟ ମଧୁମୟ ଏବଂ ପ୍ରତ୍ୟେକ ରାତି ରଜନୀଗନ୍ଧାର ସୁଗନ୍ଧରେ ସୁଗନ୍ଧିତ । ଦିନ ସବୁ ଖୁବ୍ ଛୋଟ ଲାଗୁଥିଲା ଉଭୟଙ୍କୁ । 


ଏହା ଭିତରେ ବିତି ଗଲାଣି ଅନେକ ଋତୁ । ଆଜିକାଲି ନିଲେଶର ହାବଭାବରେ ଅନେକ ପରିବର୍ତ୍ତନ । ପାଗଳ ପ୍ରେମିକ ଆଜି ସାଜିଛି କ୍ରୂର କାମୁକ । ଆଜିକାଲି ତାର ପ୍ରେମରେ ପ୍ରଣୟର ସଙ୍ଗୀତ ବଦଳରେ ଭାସି ଆସୁଛି ଆଦିମ ତୃଷ୍ଣା । ମନ ଜିଣି ସାରିଲା ପରେ ଦେହକୁ ଜିତି ଯିବା ପାଇଁ ବାରମ୍ବାର ପ୍ରୟାସ । ଅନ୍ଧକାରର କଳା ଓଢଣୀ ତଳେ ହଜି ଯିବା ପାଇଁ ନିରନ୍ତର ନିବେଦନ । ମନ କବାଟ ଖୋଲି ସାରିବା ପରେ ଦେହ ଦେଉଳରେ ପୂଜକଟିଏ ସାଜିବାକୁ ସେ ପାଗଳ । ଦିବାରାତ୍ର ଶରୀର ରୂପକ ଆଟଲାଣ୍ଟିକର ନୀଳ ଜଳରାଶି ମଧ୍ୟରେ ନୀଳ ତିମି ସାଜି ଶିକାର କରିବାର ଦୁଃସାହସ । ତାର କାମନା ରୂପକ ବାରିଧାରରେ ପ୍ରେମିକାର ଯୌବନକୁ ଚେରାପୁଞ୍ଜି ଭଳି ଭିଜେଇ ଦେବାକୁ ସେ ଅହରହ ବ୍ୟାକୁଳିତ । କିନ୍ତୁ ଏସବୁ ସେ ଏତେ ସତର୍କତାର ସହ କରେ, ନିତୁ ତାର ପ୍ରକୃତ ଉଦ୍ଦେଶ୍ୟ ଜାଣି ପାରେନି । 


ନିଲେଶ ଅନେକ ଥର ଆବାହନ କରେ, ଆଦମ୍ ଓ ଇଭ୍ ସାଜି ସୁଖ ସାଉଁଟିବାକୁ । କିନ୍ତୁ ନିତୁ ହିମାଳୟ ଭଳି ସ୍ଥିର ଏବଂ ସ୍ଥିତପ୍ରଜ୍ଞ । ଦୈହିକ କ୍ରିୟାରୁ ସେ ଅନେକ ଦୂରରେ । ସେ ପ୍ରଶ୍ନ କରେ, ପ୍ରେମ କଣ କେବଳ ଦେହ ସର୍ବସ୍ୱ? ପ୍ରେମ ସତ୍ୟ ଶିବ ସୁନ୍ଦର । ଆମକୁ ମନର ଚଞ୍ଚଳତାକୁ ଦୂର କରି ସ୍ଥିରତା ଓ ଏକାଗ୍ରତାକୁ ଆପଣାଇବାକୁ ପଡିବ । ପ୍ରେମ ଅଜର ଅମର । ସେ କୁହେ, "ମୁଁ ଇନ୍ଦ୍ରିୟର ବଶବର୍ତ୍ତୀ ହୋଇ ଲଜ୍ଜା ଆଉ କଳଙ୍କକୁ ମୁଣ୍ଡେଇ ପାରିବିନି" । 


ନିଲେଶର ସବୁ ଚେଷ୍ଟା ବିଫଳ ହୁଏ । ଏବେ ସେ ଇଚ୍ଛା କରେ, ନିତୁ ପାଖରୁ ସବୁ ଦିନ ପାଇଁ ଦୂରେଇ ଯିବାକୁ । ଅପେକ୍ଷା ଥାଏ କେବଳ ଗୋଟେ ସୁଯୋଗ ପାଇଁ । ଉଭୟ ପରିବାର ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ସାମାନ୍ୟ ଉତ୍ତେଜନା ଓ କଳହ ସୃଷ୍ଟି ହୁଏ । ଏହି ସୁଯୋଗକୁ ଅସ୍ତ୍ର କରି ନିଲେଶ ନିତୁ ସହ ସବୁ ସମ୍ପର୍କ କାଟି ଦୂରେଇ ଯାଏ । ଫୋନର ସିମ କାର୍ଡ ବନ୍ଦ କରି ଦିଏ । ଯଦି ବି କେବେ ନିତୁ ତା ସାମ୍ନାକୁ ଆସେ, ସେ ବାଟ କାଟି ଅନ୍ୟ ଦିଗରେ ଚାଲିଯାଏ । 


ନିଲେଶ ପରିବର୍ତ୍ତନରେ ନିତୁ ବହୁତ କଷ୍ଟ ପାଏ । ଅନେକ ଥର ଚେଷ୍ଟା କରେ ଆପୋଷ ବୁଝାମଣା କରି ସମାଧାନର ବାଟ କାଢ଼ିବା ପାଇଁ କିନ୍ତୁ ସ୍ୱାର୍ଥପର ନିଲେଶ ସେ ସୁଯୋଗ ଦିଏ ନାହିଁ । 


ପ୍ରଥମ ପ୍ରେମର ପହିଲି ଫୁଲଟି ଫୁଟିବା ଆଗରୁ ଅବେଳରେ ଏମିତି ଝରିଯିବ, ନିତୁ କେବେ ସ୍ୱପ୍ନରେ ଭାବି ନ ଥିଲା । ସାମାନ୍ୟ କଳହ ଦୁଇ ପ୍ରେମୀ ଯୁଗଳଙ୍କ ଭିତରେ ମେଘନାଦ ପାଚେରୀଟେ ହୋଇ ଠିଆ ହେବ! ଏତେ ସୁନ୍ଦର ସମ୍ପର୍କକୁ ବିଚ୍ଛିନ୍ନ କରି ଖିନଭିନ କରିଦେବ! ପ୍ରେମ ବିନା ନିତୁର ଜୀବନ ଏବେ ବିବର୍ଣ୍ଣ ଓ ବିଭୀଷିକାମୟ । ଭାଗ୍ୟ ଆଜି ତା ସହ ଛାଇ ଆଲୁଅ ଲୁଚୁକାଳି ଖେଳ ଖେଳେ । ସୁଖ ତାର ସାତ ସପନ ଭଳି ହଜିଯାଏ ନୀଳ ଆକାଶର ନୀଳିମା ଭିତରେ । ସବୁ ପରେ ବି ତାର ବିଶ୍ୱାସ, ନିଲେଶ ନିଶ୍ଚୟ ଫେରିବେ । ନିଲେଶର ଯିବା ଆସିବା ବାଟକୁ ସେ ଚାତକ ଭଳି ଚାହିଁ ରହିଥାଏ, ଦୁଇ ପଦ କଥା ହେବା ପାଇଁ । ତାକୁ ପାଖରୁ ଭେଟିବାର ସୁଯୋଗ କେବେ ପାଏନି । ଯଦି ବି କେବେ ସାମ୍ନା ସାମ୍ନି ହୁଏ, ନିଲେଶ ବାଟ କାଟି ଚାଲିଯାଏ । ଅନେକ ଥର ନିତୁ ନିଲେଶକୁ ସୁବିଧା ସୁଯୋଗ ଦେଖି ଦୂରରୁ ହାତ ଠାରି ଡାକେ କିନ୍ତୁ ନିଲେଶ ଅନ୍ୟ ଦିଗକୁ ମୁହଁ ବୁଲେଇ ଦିଏ । 


ଏବେ ନିଲେଶ ଏକ ପ୍ରତିଷ୍ଠିତ କମ୍ପାନୀରେ କର୍ମଚାରୀ । ଅନେକ ଝିଅଙ୍କ ସହ ତାର ଅବୈଧ ସମ୍ପର୍କ । ଚେହେରା ସବୁବେଳେ ବ୍ୟକ୍ତିତ୍ୱର ମାପକାଠି ନୁହେଁ । ସରଳ ସୁନ୍ଦର ଚେହେରା ଭିତରେ ହଳାହଳ ବିଷ ଯେ ଭରି ହୋଇ ରହିଥାଏ, ନିଲେଶ ତାର ଉଦାହରଣ । 


ଆଜି ନିତୁର ମେସେଜ ଦେଖି ସେ ମନେ ମନେ ଭାବୁଥିଲା, "ଏ ନିଲେଶର ଅନେକ ରୂପ ଅନେକ ରଙ୍ଗ । କାହା ପାଇଁ ସେ ସ୍ୱପ୍ନ ତ କାହା ପାଇଁ ସେ ମରୀଚିକା । ତମେ କଣ ଏତେ ସହଜରେ ତାକୁ ହାତ ପାହାନ୍ତାରେ ପାଇ ପାରିବ । " ତା ମନରେ ଥିଲା ଖାଲି ଛଳନାର ଅଟ୍ଟହାସ୍ୟ । ସେ ନିତୁର ଏସ୍.ଏମ୍.ଏସ୍ର ଛୋଟ ଉତ୍ତର ରଖିଲା, 


ନିଲେଶ-- ସରି ନିତୁ, ସମୟ ଏବଂ ପରିସ୍ଥିତି ଆମକୁ ଆଜି ଅଲଗା କରି ଦେଇଛି । ଯାହା ସବୁ ହେବାର ଥିଲା ହୋଇ ଗଲା କିନ୍ତୁ ଏବେ ଆମେ ଭଲ ବନ୍ଧୁ ହୋଇ ରହି ପାରିବା । 


ନିତୁ-- ପ୍ରେମିକାଟିଏ କଣ ବନ୍ଧୁ ନୁହେଁ । ମୁଁ ଚାହେଁ ସାରା ଜୀବନ ତୁମର ସାଥି ହୋଇ ରହିବି । ସାମାନ୍ୟ କଥାରେ ତୁମେ ସବୁ କିଛି ଭୁଲିଗଲ ଏତେ ସହଜରେ । ଏତେ ବଡ଼ ଛଳନା କିପରି କରି ପାରିଲ ମୋ ସହ । 


ନିଲେଶ-- ସମସ୍ତେ ପରିସ୍ଥିତିର ଦାସ । ମୁଁ ନିରୂପାୟ ଥିଲି, ନିତୁ । ସବୁ ପରେ ବି, ତମେ ବି କୋଉ ମତେ ବିଶ୍ୱାସ କର କି? ତମର କଣ ମୋ ଉପରେ ଭରସା ଅଛି ନା ସେଦିନର ଭଲ ପାଇବା?


ନିତୁ- ତମେ ଏ କଥା କହି ପାରୁଛ । ଟିକିଏ କଥାରେ ମୁହଁ ଫେରାଇ ଦେଇ ଗଲ ଯେ ଗଲ । କେବେ ଥରେ ଭାବିଛ, ତୁମେ ଗଲା ପରେ ମୁଁ କେମିତି ବଞ୍ଚିଛି । ଆଖିରୁ କେତେ ଲୁହ ଝରାଇଛି । କୁହୁଡି କାକରର ମେଘୁଆ ଆକାଶ ତଳେ ତୁମକୁ ଖୋଜି ଖୋଜି କେତେ ଥର ବାଟବଣା ହୋଇଛି । କେତେ ରାତି ଉଜାଗରରେ କାଟିଛି । 


ଏବେ କିଛିଦିନ ହେବ ଉଭୟ ଖୁସି ଥିଲେ । ନିଲେଶ' ଛଳନାର ଜାଲ ବିଛେଇ ବିଛେଇ ଚାଲୁଥିବା ବେଳେ ନିତୁ ସୁନ୍ଦର ସ୍ୱପ୍ନକୁ ସାକାର କରିବାର ନିଶାରେ ମସଗୁଲ ଥିଲା । ଦିନେ ବିଳମ୍ବିତ ରାତିରେ ନିଲେଶର ଗୋଟେ ମେସେଜ ନିତୁର ସବୁ ସ୍ୱପ୍ନ, ସବୁ ଆଶା ଭରସାକୁ ଭାଙ୍ଗି ଚୁରମାର କରିଦେଲା । ନିତୁକୁ ସେ ମାଗିଥିଲା କିଛି ଆପତ୍ତିଜନକ ଫଟୋ । ସେ ଦେଖିବାକୁ ଚାହୁଁଥିଲା ଝିନ ବସ୍ତ୍ର ତଳର କମନୀୟ କାୟା । ଆଉ ବାଥରୁମର କିଛି ଜୀବନ୍ତ ମୁହୂର୍ତ୍ତ । 


ନିତୁ କାଳ ବିଳମ୍ବ ନ କରି ଉତ୍ତର ରଖିଲା, ତୁମ ଭଳି ଜଣେ ଅଭଦ୍ର, ନଷ୍ଟ ଚରିତ୍ର ଓ କାମୁକ ମଣିଷକୁ ଚିହ୍ନିବାକୁ ମୋର ଆଉ ବାକି ନାହିଁ । ତୁମ ଭଳି ଜଣେ ବାଜେ ଚରିତ୍ରର ମଣିଷକୁ ଭଲ ପାଇଥିବାରୁ ଆଜି ମତେ ନିଜ ଉପରେ ଘୃଣା ଆସୁଛି । ମଣିଷ ରୂପରେ ତମେ ଜଣେ ରାକ୍ଷସ । ଦେହଭୋଗର ଲାଳସା ତୁମକୁ ଅବିବେକୀ ଓ ନିର୍ଲ୍ଲଜ କରିଦେଇଛି । ମୁଁ ଭଲ ପାଉଥିବା ନିଲେଶ କେବେଠୁ ମରି ଯାଇଛି । 


ନିତୁ ଆଖିକୁ ଆଜି ନିଦ ନ ଥିଲା । ଯେଉଁ ସ୍ୱପ୍ନକୁ ପାଇବାକୁ ସେ ଅନେକ ରାତି ଉଜାଗରରେ କାଟିଥିଲା ତାହା ଆଜି ମାୟା ମହଲ ଭଳି ମୁହୂର୍ତ୍ତକରେ ମିଳାଇ ଗଲା । ଆଜି ତାର ବହୁତ ମନେ ପଡୁଥିଲା ଅଫିସର ସହକର୍ମୀ ଶୁଭ୍ରାଂଶୁଙ୍କ କଥା । ନୂଆ ନୂଆ ଚାକିରୀ କଲା ବେଳେ, ଅଫିସ କାମରେ ସେ କେତେ ସାହାଯ୍ୟ ସହଯୋଗ କରିଛନ୍ତି । କେବେ ବି ମୁହଁକୁ ସିଧାସଳଖ ଚାହିଁ ନାହାଁନ୍ତି । ସବୁବେଳେ ହସ ଖୁସିର ପରିତୃପ୍ତ ଓ ପରିପୂର୍ଣ୍ଣ ମଣିଷଟିଏ । ମାପଚୁପ କଥା । ପୁରା ଅଫିସରେ ସେ ଥିଲେ, ନିତୁର ଅତି ଅନ୍ତରଙ୍ଗ ବନ୍ଧୁ । କିନ୍ତୁ ଯେଉଁ ଦିନ ସେ ନିତୁକୁ ପ୍ରୋପୋଜ କଲେ, ସେବେ ଠୁ ନିତୁ ତାଙ୍କ ଠୁ ଦୁରେଇ ରୁହେ । ଅବଶ୍ୟ ସେଥିପାଇଁ ସେ ଥରେ ଦୁଇ ଥର କ୍ଷମା ମାଗି ନେଇଛନ୍ତି କିନ୍ତୁ ନିତୁ ଆଉ ସହଜ ହୋଇ ପାରେନି ତାଙ୍କ ପାଖରେ । 


ଡୋର ବେଲ୍ ବାରମ୍ବାର ବାଜିବାରୁ ନିଦ ମଳମଳ ଆଖିରେ ଶୁଭ୍ରାଂଶୁ କବାଟ ଖୋଲି ଦେଖିଲେ, ସାମ୍ନାରେ ନିତୁ ଛିଡା ହୋଇଛି । ଏତେ ସକାଳୁ ନିତୁକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମର ସବୁ ଭଲ ତ । ଏତେ ସକାଳୁ ଏଠି? ତାଙ୍କ କଣ୍ଠ ସ୍ୱରରେ ଥିଲା ଅହେତୁକ ଉତ୍କଣ୍ଠା । ଖୁଵ୍ ବ୍ୟସ୍ତ ଆଉ ବିବ୍ରତ ସେ । 


ନିତୁ ଶୁଭ୍ରାଂଶୁର ଆଖିରେ ଆଖି ମିଶାଇ କହିଲା, "ଗୋଟେ କଥା ପଚାରିବାକୁ ଆସିଛି । "


ଶୁଭ୍ରାଂଶୁ -- ହ୍ଵାଟ୍? ଏତେ ସକାଳୁ କୋଡିଏ କିଲୋମିଟର ଗାଡି ଚଳାଇ ଆସିଛ, ଫୋନ କରି ପାରିଥାନ୍ତ । 


ନିତୁ--ତୁମ ଫୋନ ସ୍ୱିଚ୍ ଅଫ ତ, ତେଣୁ ବାଧ୍ୟ ହୋଇ ଆସିଲି । ଲଭ୍ୟୁ ଶୁଭ୍ରାଂଶୁ । ଉଇଲ ୟୁ ମେରି ମି । 


ଶୁଭ୍ରାଂଶୁ -- ଅଫ୍ କୋର୍ସ । ଏହା ତ ମୋ ପାଇଁ ସୌଭାଗ୍ୟ । ତୁମକୁ ପାଇ ପାରିଲେ ମୋ ଜୀବନ ସ୍ୱପ୍ନମୟ, ରଙ୍ଗମୟ ହୋଇ ଉଠିବ । ଜୀବନର ସବୁ ଅଵଶୋଶ ମେଣ୍ଟିଯିବ । 


ନିତୁ-- କିନ୍ତୁ ନିଜ ବିଷୟରେ ମୋର କିଛି କହିବାର ଥିଲା । 


 କିନ୍ତୁ ଶୁଭ୍ରାଂଶୁ ନିତୁକୁ କୋଳେଇ ନେଇ କହିଲା, ନିଲେଶ କଥା ତ ? କିଛି ବର୍ଷ ପୂର୍ବେ ଆମେ ଏକାଠି କିଛି ଦିନ କାମ କରୁଥିଲୁ । ତା ଠୁ ତୁମ ବିଷୟରେ ମୁଁ ସବୁ କିଛି ଶୁଣିଛି । ସେ ଦିନଠୁ ମୁଁ ତୁମକୁ ଭଲ ପାଇ ବସିଛି । ମୁଁ ଜାଣିଥିଲି ସୁନା କେବେ ବି ତାର ଚମକ ହରେଇବନି । ନିତୁ ଶୁଭ୍ରାଂଶୁର ହାତକୁ ପାପୁଲିରେ ଧରି ଭାବୁଥିଲା, "ପ୍ରଥମ ପ୍ରେମ ବୋଧେ ସବୁବେଳେ ଭୁଲ ଜାଗାରେ ହୁଏ ଆଉ ତୁମକୁ ଭଲ ଲାଗୁଥିବା ମଣିଷ ଅପେକ୍ଷା ତୁମକୁ ଭଲ ପାଉଥିବା ମଣିଷ ହିଁ ଉପଯୁକ୍ତ ଜୀବନ ସାଥି । "


ପୂର୍ବ ଆକାଶରେ ନବୋଦିତ ଦିନମଣିଙ୍କ ରକ୍ତିମ କିରଣ ଚାରିଆଡେ ବିଛାଡି ହୋଇ ପଡ଼ିଥିଲା । ଅଦୂର ପୁଷ୍କରିଣୀରେ ଦୁଇଟି ହଂସ ଜଳ କ୍ରୀଡ଼ାରେ ମଗ୍ନ ଥିଲେ । ଅଜଣା ପକ୍ଷୀମାନଙ୍କର କକଳିରେ ଚାରିଆଡ଼ ମୁଖରିତ ହେଉଥାଏ । ନିତୁର ଶାନ୍ତ ସ୍ନିଗ୍ଧ ସୁନ୍ଦର ମୁହଁ ଓ ନିରୀହ ଚାହାଣୀରେ ଶୁଭ୍ରାଂଶୁ ଦେଖୁଥିଲା, ଭିନ୍ନ ଏକ ପୃଥିବୀର ମନଲୋଭା ଦୃଶ୍ୟ । 



Rate this content
Log in

Similar oriya story from Romance