Seetaram Dash

Inspirational

3.9  

Seetaram Dash

Inspirational

ଭିଟାମାଟିର ମୋହ

ଭିଟାମାଟିର ମୋହ

8 mins
274


ସୁନିତା ଦେବୀ ସହରରେ ନୂଆ କରି ତୋଳା ହୋଇଥିବା ଘରକୁ ଖୁସିରେ ତନ୍ନତନ୍ନ କରି ଦେଖୁଥିଲେ । ମୁଖ୍ୟ ଫାଟକରେ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି, 'ମାତୃକୃପା ଭବନ' । ଖୁବ୍ ସୁନ୍ଦର ବଙ୍ଗଳା ପରି ଘର । ଘର ଆଗରେ ଲନ ପାଇଁ ପ୍ରଶସ୍ତ ଜାଗା । ଗୋଟାଏ କଡ଼କୁ ଲିଲି ପଣ୍ଡ୍ ପାଇଁ ସିମେଣ୍ଟରେ ତିଆରି କୁଣ୍ଡ । ବାହାର ପଟ କାନ୍ଥରେ ଦାମିକିଆ ମେଟାଲିକ ୱାଲ ଟାଇଲ । ବଡ଼ ବଡ଼ ବେଡ଼ରୁମ, ଲମ୍ବା ଡାଇନିଂ ସହ ଠାକୁର ଘର ଆଉ ଅତ୍ୟାଧୁନିକ କିଚେନ୍ । ଘରର ପ୍ରତିଟି କୋଣ ଅନୁକୋଣରେ ଇଣ୍ଟେରିଅର ଡେକୋରେଟରଙ୍କ ଅଭିଜ୍ଞ ହାତର ଛାପ ବାରି ହୋଇ ପଡୁଛି । ଡ୍ରଇଂ ରୁମକୁ ପ୍ରବେଶ ପଥର ଦୁଇପଟେ ସୁନ୍ଦର ସବୁଜ ଏରିକା ପାମ ଗଛ ଦୁଇଟି । ଦୁଇଟି ଫ୍ୟାମିଲି ଚଳିବା ପାଇଁ ସବୁ ପ୍ରକାର ଅଲଗା ଅଲଗା ବ୍ୟବସ୍ଥା । ବିରାଟ ଓ ବିସ୍ମୟ, ଦୁଇଜଣ ଯାଆଁଳା ଭାଇ । ନାଁ ଯେମିତି, ବ୍ୟକ୍ତିତ୍ୱ ବି ଠିକ ସେହି ଭଳି । ଦୁହିଁଙ୍କ ଚେହେରାରେ ଅସାମାନ୍ୟ ସମାନତା । ଘରଲୋକଙ୍କ ବ୍ୟତୀତ ଅନ୍ୟ କେହି ସହଜରେ ପ୍ରଭେଦ ଜାଣି ପାରନ୍ତିନି । ଉଭୟ ଏବେ ପ୍ରତିଷ୍ଠିତ କମ୍ପାନୀରେ ମ୍ୟାନେଜର । ପିଲା ଦୁହିଁଙ୍କୁ ନେଇ ସୁନିତା ଦେବୀ ସଂସାରରେ ସବୁଠୁ ସୁଖୀ ମଣିଷ।


ପୁଅ ବିସ୍ମୟ ସୁନିତା ଦେବୀଙ୍କ ଉଦ୍ଦେଶ୍ୟରେ କହିଲା, "ବୋଉ, ପୁରୁଣା ଘରୁ ଯାହା ଆଣିବା କଥା ସବୁ ଲିଷ୍ଟ କରିଦେ । ମୁଁ ଆଜି ଯାଇ ନେଇ ଆସିବି । ଆଜିଠୁ ଆମେ ଏହି ଘରେ ରହିବା । ତୋର ଦେହ ମୁଣ୍ଡ ସୁବିଧା ଅସୁବିଧାରେ ଆଉ ହଇରାଣ ହେବାକୁ ପଡିବନି । ସବୁ ସୁବିଧା ଏବେ ହାତ ପାହାନ୍ତାରେ।" ସୁନିତା ଦେବୀ ନିରବରେ ଭାବୁଥିଲେ, " ଘର କରି ତ ଅନେକ ଜିନିଷ, ସବୁ କିଛି ତ ମୋ ପାଇଁ ଦୁର୍ଲ୍ଲଭ । କାହାକୁ ଛାଡିବି କାହାକୁ ଆଣିବି" । ପୁଅ କଥାରେ ତାଙ୍କ ମନ ମାନିଲା ନାହିଁ । ଶେଷରେ ସେ କହିଲେ, "ମତେ ସାଙ୍ଗରେ ନେଇ ଚାଲ । ତୁ ପିଲାଲୋକ, କେଉଁଠି କଣ ଥିବ, ତୁ କଣ ସବୁ ପାଇବୁ?"


ବିସ୍ମୟ ବୋଉଙ୍କୁ ଗାଡ଼ିରେ ଆଣି ଗାଁ ଘରେ ଛାଡ଼ି କହିଲା, "ବୋଉ' ଘର ପାଇଁ ଗୁଡାଏ ଜିନିଷପତ୍ର ଆଣିବାର ଅଛି । ଯାହା ସବୁ ନେବା କଥା, ବାହାର କରି ଅଲଗା ରଖି ଥିବୁ । ମୁଁ ଆସିଲେ ସାଥି ହୋଇ ସମସ୍ତେ ଯିବା । ହଁ, ଆଉ ଗୋଟେ କଥା । ଅନାବଶ୍ୟକ ଜିନିଷ ଆଦୌ ନେବାନି, ଖାଲି ଖାଲି ଘର ଅପରିଷ୍କାର ହେବ" । ବୋଉ ହଇରାଣ ହୋଇ ରୋଷେଇ ନ କରିବା ପାଇଁ, ବିସ୍ମୟ ସାଙ୍ଗରେ ଖାଇବା ବି ଆଣି ଆସିଥିଲା । ଟିଫିନ ବକ୍ସଟି ବୋଉ ହାତରେ ଧରାଇ ଦେଇ କହିଲା, "ବୋଉ, ମନେକରି ଖାଇବୁ । ସବୁ କାମ ଶୀଘ୍ର ସାରି ଦେବୁ, ଡେରି କରିବୁନି । ସନ୍ଧ୍ୟା ପୂର୍ବରୁ ଆମେ ବାହାରି ଯିବା" । ଏତକ କହି ତର ତର ହୋଇ ବାହାରି ଗଲା । 


ଦୁଇ ବଖରା ପୁରୁଣା ଘର । କାନ୍ଥର ଅନେକ ଜାଗାରୁ ସିମେଣ୍ଟ ଛାଡି ଗଲାଣି । ଘରକୁ ଲାଗି ଛୋଟ ବାରି । ଗଲାସନ ବାତ୍ୟାରେ ଅନେକ ଡାଳ ଭାଙ୍ଗି ପଡିଥିଲେ ମଧ୍ୟ ପଣସ ଗଛରେ କଠା ଭର୍ତ୍ତି ହୋଇଛି । ଘର ଚାରିପଟେ କନିଅର, ମନ୍ଦାର, ଓ ବାସଙ୍ଗ ଗଛର କଞ୍ଚା ବାଡ଼ । ସୁନିତା ଦେବୀ ବାରିପଟ ପଣସ ଗଛ ମୂଳରେ ଛିଡା ହୋଇ ଶେଷ ଥର ପାଇଁ ମନ ପୂରାଇ ଦେଖୁଥିଲେ ଅତି ଆପଣାର ଭିଟାମାଟିକୁ । ବର୍ଷ ବର୍ଷର ମୋହ ମାୟାକୁ କଣ ଏତେ ସହଜରେ ନିଜ ଠୁ ଦୂରେଇ ଦେଇ ହୁଏ? ଅତୀତର ଅନେକ ସ୍ମୃତି ଆଜି ପୁଣି ଥରେ ଜୀବନ୍ତ ହୋଇ ଉଠୁଥିଲା । ଛାତି ତଳର ଅନେକ କଥା, ଅନେକ ବ୍ୟଥା ତାଙ୍କ ମାନସ ପଟରେ ଉଙ୍କି ମାରୁଥିଲା...।


ସୁଜିତ ତାଙ୍କୁ, ନିଜ ପସନ୍ଦରେ ବାହା ହୋଇ ଥିବାରୁ ଏବଂ ମନମୁତାବକ ଯୌତୁକ ଆଣିନଥିବାରୁ ତାଙ୍କୁ ଘରେ କେହି ଗ୍ରହଣ କରିନଥିଲେ । ଏପରିକି ଘରେ ଦିନକ ପାଇଁ ବି ରହିବାକୁ ଅନୁମତି ମିଳିନଥିଲା । ଶେଷରେ ବାଧ୍ୟ ହୋଇ ସେମାନେ ବାହାରେ ଘର ଭଡା କରି ରହିଲେ । ଭାବିଥିଲେ, କିଛି ଦିନ ବିତିଗଲା ପରେ ସବୁ ଠିକ ହୋଇ ଯିବ । କିନ୍ତୁ ସେମିତି କିଛି ହେଲା ନାହିଁ । ୟା ଭିତରେ ବିତିଗଲା ତିନି ବର୍ଷ । ସୁନିତା ଦେବୀଙ୍କ କୋଳକୁ ଆସିଲେ ଦୁଇଟି ଯମଜ ପୁତ୍ର ସନ୍ତାନ । ଜନ୍ମ ସମୟରେ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଢେର ଦିନ ରହିବାକୁ ପଡିଲା ମା ଛୁଆଙ୍କୁ ଆଇ ସି ୟୁରେ । ସ୍ୱାମୀ ସ୍ତ୍ରୀ ଭାବୁଥିଲେ, ଏବେ ବାପା ବୋଉ ନିଶ୍ଚୟ ଆସିବେ ତାଙ୍କର ଦୁଇ ନାତିକୁ ଦେଖିବାକୁ । କିନ୍ତୁ କେହି ଆସିଲେ ନାହିଁ । ଅନେକ ଟଙ୍କା ଖର୍ଚ୍ଚ ହେଲା । ଅନେକ ସମସ୍ୟାକୁ ସାମ୍ନା କରି ଶେଷରେ ମେଡ଼ିକାଲରୁ ପିଲାମାନେ ସୁସ୍ଥ ହୋଇ ଫେରିଲେ।


ଏକା ସାଙ୍ଗରେ ଦୁଇଟା ପିଲାଙ୍କ ଯତ୍ନ ନେବା ଜଣେ ମା ପାଇଁ ବହୁତ କଷ୍ଟକର ହେଉଥାଏ । ନ ଖାଇ ନ ପିଇ ଅନେକ ରାତି, ଅନିଦ୍ରାରେ କଟିଯାଏ । ଦୁଃଖେ ସୁଖେ ବିତିଯାଏ ଆଉ ବର୍ଷେ । ପିଲାଛୁଆଙ୍କୁ ଧରି ବାହାରେ କେତେ ଦିନ ପଡି ରହିବେ? ଶେଷରେ ସ୍ୱାମୀ ସ୍ତ୍ରୀ ଚିନ୍ତା କରନ୍ତି, ଯାହା ବି ହେଉ ଗାଁ'କୁ ଫେରିଯିବେ । ଚାରି ବର୍ଷ ହେଲା ଡରି ମରି ଭଡା ଘରେ ରହୁଛନ୍ତି । ପୁଅ ବୋହୂ ହିସାବରେ ନିଜ ପୈତୃକ ସମ୍ପତ୍ତିରେ ତାଙ୍କର ବି ତ ଅଧିକାର ଅଛି । ଶେଷରେ ସେମାନେ ନିଜ ଘରକୁ ଫେରି ଆସିଲେ । କିନ୍ତୁ ସେମାନଙ୍କ ପ୍ରତି କାହାର ସ୍ନେହ ଆଦର ନଥିଲା । ଦୁଇଟି ଛୁଆଙ୍କ ଯତ୍ନ, ଘରର ଯାବତୀୟ କାମ ତା ସହିତ ଶାଶୁଙ୍କ ନାନା ଗଞ୍ଜଣା । ମାସେ ବିତିଗଲା । ଇଚ୍ଛା ନ ଥାଇ ମଧ୍ୟ ସୁଜିତ ସ୍ତ୍ରୀ ପିଲାଙ୍କୁ ଗାଁ'ରେ ଛାଡି କର୍ମକ୍ଷେତ୍ରକୁ ଚାଲିଗଲେ । ଏବେ ଶାଶୁଙ୍କର ନିର୍ଯ୍ୟାତନା ବଢି ଚାଲିଥାଏ । ଏପରିକି ଘର ସବୁ ପିଲାମାନଙ୍କ ଝାଡା ପରିଶ୍ରା ଯୋଗୁ ଦୁର୍ଗନ୍ଧ ହେଉଛି, ବୋଲି ସେ ବାରମ୍ବାର କହୁଥିଲେ । ଜଣେ କେତେ ସହିବ? ସେ ବି ଏ ଘରର ବୋହୂ । ଘରେ ତାଙ୍କର ବି ଅଧିକାର ଅଛି । ପରିସ୍ଥିତି ଅଣାୟତ୍ତ ହେବାରୁ ସୁନିତା ଦେବୀ ଅନ୍ୟାୟର ପ୍ରତିରୋଧ କଲେ । ଭାବିଥିଲେ ଟିକେ ଦୃଢ଼ ହେଲେ ପରିସ୍ଥିତି ସୁଧୁରି ଯିବ । କିନ୍ତୁ ଶାଶୁ ସହଜ ଜନ୍ତୁ ନୁହଁନ୍ତି ବିନା କାରଣରେ ଝଗଡା କରି ଗାଁରେ କାନ୍ଦି ବୋବେଇ କହିଲେ, "ମୁଁ ତିନି ଦିନ ହେବ ଉପାସ । ବୋହୂ ଖାଇବା ବନ୍ଦ କରିଛି, ଆମ ବୁଢା ବୁଢ଼ୀଙ୍କର । ତା ସହିତ ମାଡ଼ ବି ମାରୁଛି।" ଶଶୁର ବି ଶାଶୁଙ୍କ ହଁ ରେ ହଁ ଭରିଲେ । ସେଦିନ ହାଟ ବାଟରୁ ଆରମ୍ଭ କରି ଗାଧୁଆ ତୁଠ ପର୍ଯ୍ୟନ୍ତ ସବୁଠି ସେହି ଗୋଟିଏ ଚର୍ଚ୍ଚା । ଶେଷରେ ଗାଁରେ ପଞ୍ଚାୟତ ବସିଲା । ଗାଁର ବଡ ବଡ ମୁଖିଆ ମାନେ ସୁନିତା ଦେବୀଙ୍କୁ ଘଟଣା ବିଷୟରେ ପଦୁଟିଏ ବି ନ ପଚାରି ନିଷ୍ପତ୍ତି ନେଲେ, ଏ ବୋହୂ ଏବେ ଗାଁ ଛାଡି ଚାଲିଯାଉ । ଶାଶୁକୁ ହାତ ଉଠାଇ ମାରି ଥିବା ବୋହୂର ଆମ ଗାଁରେ କୌଣସି ସ୍ଥାନ ନାହିଁ । ସେ ଦିନ ସୁଜିତଙ୍କ ଅନୁପସ୍ଥିତିରେ ସୁନିତା ଦେବୀ, ସବୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଓ ଅପମାନ କୁ ଛାତିରେ ଚାପି ଧରି ଦୁଇ ପିଲାଙ୍କ ସହ ସବୁଦିନ ପାଇଁ ସେ ଗାଁ ଛାଡିଲେ।


 ଏବେ ତାଙ୍କ ପାଇଁ ଜୀବନ ଥିଲା ଏକ ଅଗ୍ନି ପରୀକ୍ଷା । ସୁଜିତ ସକାଳୁ ଅଫିସ ଗଲେ ଫେରୁ ଫେରୁ ସନ୍ଧ୍ୟା । ଦେହ ମୁଣ୍ଡ ହେଲେ, ଆହା ପଦେ କହିବାକୁ ପାଖରେ କେହି ନାହିଁ । ଯାଆଁଳା ପିଲା, ଆଜି ୟା ଦେହ ଖରାପ ହେଲେ କାଲି ତା ଦେହ ଖରାପ । ଜଣେ ୟା ଯତ୍ନ ନେଲେ, ଜଣେ ତା ଯତ୍ନ ନେଉ ଥାଏ । ପିଲାମାନଙ୍କ ପାଇଁ ଅନେକ ଥର ସୁଜିତ ଅଫିସ ଯାଇ ପାରନ୍ତି ନାହିଁ । ଯେତେବେଳେ ସୁନିତାଙ୍କ ଦେହ ଖରାପ ହୋଇଯାଏ ପରିସ୍ଥିତି ଅଣାୟତ୍ତ ହୁଏ । ପିଲାମାନଙ୍କ ମୁହଁ ଚାହିଁ ଆଖିରୁ ଲୁହ ଗଡାଇବା ବ୍ୟତୀତ ଆଉ କିଛି ଉପାୟ ନ ଥାଏ । କେତେ କେତେ ବିନିଦ୍ର ରଜନୀ ଲୁହ ହୋଇ ବହିଯାଏ, ତାର ହିସାବ ନ ଥାଏ।


ଧୀରେ ଧୀରେ ପିଲାମାନେ ବଡ଼ ହେବାକୁ ଲାଗିଲେ । ଈଶ୍ୱରଙ୍କ କୃପାରୁ ପିଲା ଦୁଇଟି ଥିଲେ ବିଚିକ୍ଷଣ ବୁଦ୍ଧିସମ୍ପନ୍ନ । ପିଲାଦିନରୁ ଶିକ୍ଷା ସଂସ୍କାର ଦେଇ ସୁନିତା ଦେବୀ ପିଲା ମାନଙ୍କୁ ସୁଯୋଗ୍ୟ କରି ଗଢି ତୋଳୁଥିଲେ । ପିଲାମାନେ ଯୋଗ୍ୟ ହେଲେ, ତାହା ହିଁ ହେବ ନିଜ ପ୍ରତି ହୋଇଥିଲା ଅନ୍ୟାୟ ଓ ଅପମାନର ପ୍ରକୃତ ପ୍ରତିଶୋଧ । ନିଜ ଦୁଇ ସନ୍ତାନଙ୍କୁ ସୁଯୋଗ୍ୟ କରି ଗଢି ତୋଳିବା ଥିଲା, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନର ମୂଳ ଲକ୍ଷ୍ୟ ଏବଂ ସାଧନା । ବିରାଟ ଓ ବିସ୍ମୟ ହୋଇଥିଲେ ଶୃଙ୍ଖଳିତ, ସଭ୍ୟ ଏବଂ ମେଧାବୀ।


ଦୁଇଟି ପିଲାଙ୍କୁ ପାଠ ପଢ଼ାଇ ସହରରେ ଘର ଖଣ୍ଡେ କରିବା ସ୍ୱପ୍ନ ଭଳି ଥିଲା । ତେଣୁ ସହରରୁ ଅନେକ ଦୂରରେ ଶସ୍ତାରେ ଜାଗା ଖଣ୍ଡେ କିଣିଲେ । ଘର ଖଣ୍ଡେ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଛି ସ୍ୱାମୀ ସୁଜିତଙ୍କୁ । ଅଫିସ ପରେ ବି ପାର୍ଟ ଟାଇମ ଜବ କରନ୍ତି । ଘର ତୋଳିବା ପାଇଁ ସ୍ତ୍ରୀଙ୍କର ସବୁ ଗହଣା ବିକିବା ସହ ହୋମ ଲୋନ କରି ଘର ତୋଳା ଆରମ୍ଭ କଲେ । ଖର୍ଚ୍ଚ କମ ହେବା ପାଇଁ ଇଟା, ସିମେଣ୍ଟ ଓ ବାଲି ସାଇକେଲରେ ଦୁଇ କିଲୋମିଟର ଦୂରରୁ ବୋହି ଆଣନ୍ତି । ଘର ମଜଭୁତ ହେବା ପାଇଁ ସାରା ରାତି କୂଅରୁ ପାଣି ହାତରେ ବୋହି ଆଣି ଢାଳନ୍ତି । ଅନଭ୍ୟସ୍ତ ହାତରେ ଇଟା ପଥର ବୋହି ସ୍ୱାମୀ ସ୍ତ୍ରୀଙ୍କ ପାପୁଲିରେ ଫୋଟକା ସବୁ ବାହାରି ପଡିଥାଏ।


ଏବେ ମୁଣ୍ଡ ଗୁଞ୍ଜିବାକୁ ନିଜସ୍ଵ ଛାତଟିଏ ଥିଲା । ଶାଗ ମୁଗ ପାଇଁ ଓ ଫୁଲ ଗଛଟିଏ ଲଗାଇବା ପାଇଁ ବାଡ଼ିଟିଏ ମଧ୍ୟ । ସୁନିତା ଦେବୀ ଦିନ ରାତି ଲାଗିଥିଲେ ଘର ଏବଂ ବାଡ଼ି ସଜାଇବାରେ । ମାର୍ଗଶିର ମାସ ଗୁରୁବାର ମାନଙ୍କରେ ମାଣବସା ଲୁଗା ପିନ୍ଧି ଘର ବାହାର ଲକ୍ଷ୍ମୀ ପାଦର ଚିତା ପକାଉଥିଲେ । ଦୀପାବଳୀ ଅମାବାସ୍ୟାରେ ସାରା ଅଗଣାକୁ ଦୀପରେ ସଜାଉ ଥିଲେ । ସ୍ୱାମୀଙ୍କ ଫେରିବା ଡେରି ହେଲେ, ଫାଟକ ପାଖର କନିଅର ଗଛ ମୂଳେ ଛିଡା ହୋଇ ରାତିର ଅନ୍ଧକାରରେ ଫେରିବା ବାଟକୁ ଅପେକ୍ଷା କରି ରହୁଥିଲେ। । 


ପଣସ ଗଛରେ ଦୌଡା ଦୌଡ଼ି କରୁଥିବା ଦୁଇଟି ଗୁଣ୍ଡୁଚି ମୂଷାଙ୍କ ଚିଂ ଚିଂ ଶବ୍ଦରେ ସୁନିତା ଦେବୀଙ୍କ ସ୍ୱପ୍ନ ଭଙ୍ଗ ହେଲା । ଆଖିର ଲୁହକୁ ପଣତରେ ପୋଛି ସେ ଘର ଭିତରକୁ ଆସିଲେ । ଚାରିଆଡେ କେବଳ ନିରବ, ନିସ୍ତବ୍ଧ ଓ ନିକାଞ୍ଚନ । ତାଙ୍କୁ ଲାଗିଲା, ସତେ ଯେମିତି କେହି ଜଣେ ଅଦୃଶ୍ୟରେ ତାଙ୍କ ପାଖେ ପାଖେ ଅଛନ୍ତି । ରୋଷେଇ ଘର ଫ୍ରିଜରୁ ପାଣି ଗ୍ଲାସ ଆଣି ପିଇବା ପାଇଁ ବସି ପଡିଲେ ଖଟ ଉପରେ । ବାରିପଟ ଝରକା ଦେଇ ଦଲକାଏ ପବନ ଘର ଭିତରକୁ ପଶି ଆସିଲା, ଆଉ ତା ସହିତ ପଣସ ଫୁଲର ମହ ମହ ବାସ୍ନା । ପଣସ କଠା ତରକାରୀ ସ୍ୱାମୀ ସୁଜିତଙ୍କର ଭାରି ପ୍ରିୟ । ଘର ତୋଳା ହେବାର କିଛି ଦିନ ପରେ ନିଜ ହାତରେ ବଡ଼ ଯତ୍ନରେ ସେ ଗଛଟିକୁ ଲଗାଇ ଥିଲେ । ଯେଉଁଦିନ ପ୍ରଥମ ଥର ଗଛରୁ ପଣସ କଠା ତୋଳା ହେଲା, ଅତି ଆଗ୍ରହରେ ନିଜ ହାତରେ ରାନ୍ଧି ସୁନିତା ଦେବୀଙ୍କୁ ବଳାଇ ବଳାଇ ଖୁଆଇ ଥିଲେ । ଭଲ ମନ୍ଦ ହେଲେ ପ୍ରାୟ ସୁଜିତ ରୋଷେଇ କରନ୍ତି । ସୁନିତା ଦେବୀ ବାରଣ କଲେ ହସି ଦେଇ କହିବେ, "ସବୁ ତ ସମ୍ଭାଳିଚ, କେତେ ଆଉ କରିବ?" 


ସେଦିନ ଥିଲା ଫଗୁଣର ଅପରାହ୍ନ । ସୁଜିତଙ୍କର ଛାତିରେ ହଠାତ ଯନ୍ତ୍ରଣା ଆରମ୍ଭ ହେଲା । ତାଙ୍କୁ ଏହି ଖଟ ଉପରେ ଶୁଆଇ ଦେଇ ସୁନିତା ଦେବୀ ଛାତିକୁ ଚାପି ଧରିଥାନ୍ତି । ଦୁଇ ପୁଅ ବି ଥାଆନ୍ତି ଦୂର ସହରରେ । କିଛି ବୁଝିବା ପୂର୍ବରୁ ସୁଜିତ ହାର୍ଟ ଆଟାକ୍ ରେ ସବୁଦିନ ପାଇଁ ଆଖି ବୁଜିଲେ । ଏହା ଥିଲା ସୁନିତା ଦେବୀଙ୍କ ଜୀବନରେ ସବୁଠୁ ବଡ଼ ନିଷ୍ଠୁର ଆଘାତ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ତାଙ୍କ ମନ ପ୍ରାଣ । ତାଙ୍କର ସବୁ କିଛି ଶେଷ ହୋଇ ଯାଇଥିଲା । ସେହି ଦିନୁ ସେ ପାଲଟି ଯାଇଥିଲେ ପଥର ପ୍ରତିମା । ମୋବାଇଲଟି ହଠାତ୍ ବାଜି ଉଠିଲା । ସୁନିତା ଦେବୀ ଭାବନା ରାଜ୍ୟରୁ ଫେରି ଫୋନ ଉଠାଇଲେ । ସେପଟୁ ବିସ୍ମୟ ପଚାରୁ ଥିଲା, "ବୋଉ ତୁ ଖାଇଲୁ କି ନାହିଁ" । ପୁଅ କାଳେ ବ୍ୟସ୍ତ ହେବ, ଧୀର ସ୍ୱରରେ ସୁନିତା ଦେବୀ କହିଲେ, "ହଁ, ମୁଁ ଏବେ ଖାଇ ସାରି ଉଠିଲି" । ଦିନ ତିନିଟା ହେଲାଣି କିନ୍ତୁ ତାଙ୍କୁ ଟିକେ ବି ଭୋକନଥିଲା।


କାନ୍ଥରେ ଟଙ୍ଗା ହୋଇଥିଲା, ବିବାହ ବେଳର ପୁରୁଣା ଫଟୋ । ବିରାଟ ଓ ବିସ୍ମୟ ଦୁଇ ବର୍ଷର ହୋଇଥାନ୍ତି । ଜଣେ ସୁଜିତଙ୍କ କୋଳରେ ଆଉ ଜଣେ ସୁନିତା ଦେବୀଙ୍କ କୋଳରେ । ମନେ ପଡୁଥିଲା, ସେ ଦିନ ଫଟୋ ଉଠାଇଲା ବେଳେ, ଦୁଇ ପୁଅ ବାପାଙ୍କ କୋଳରେ ବସିବା ପାଇଁ କେତେ କାନ୍ଦି ଥିଲେ । କ୍ଲାନ୍ତ ଅବଶ ମନ ନେଇ ଫଟୋଟିକୁ ଆଣି ଛାତିରେ ଚାପି ଧରିଲେ ଖୁବ ନିବିଡ଼ ଭାବରେ । କୋହ ଭରା କଣ୍ଠରେ କହିଲେ, "ତୁମକୁ, ଆଉ ଏ ଘରକୁ ଛାଡି ମୁଁ କୁଆଡେ ଯିବି? ଏତ ଘର ନୁହେଁ, ଆମ ପାଇଁ ଏକ ସ୍ୱପ୍ନ ଥିଲା । ଯେଉଁ ସ୍ୱପ୍ନକୁ ସତ କରିବାକୁ ଆମେ କେତେ କେତେ ରାତି ଉଜାଗରେ କାଟିଛେ । ଯଦି ଆଜି ମୁଁ ଏଠୁ ଚାଲିଯାଏ, ତୁମ ପ୍ରତି ବହୁତ ବଡ଼ ଅନ୍ୟାୟ ହେବ।"


 ସୁନିତା ଦେବୀଙ୍କ ମନ ତଳର କୋହ ସବୁ ଲୁହ ହୋଇ ଆଖି ଝରକାରୁ ଅଦିନର ବର୍ଷା ଭଳି ଝରି ପଡୁଥିଲା । ଘର ଭିତରଟା ପଣସ କଠା ବାସ୍ନାରେ ମହକୁ ଥିଲା । ଲୁହ ଛଳଛଳ ଆଖିରେ ତାଙ୍କୁ ଝାପ୍ସା ଦିଶିଲା, ସୁଜିତ ରୋଷେଇ ଘରେ ପଣସ କଠା ମସଲା ଦେଇ ରାନ୍ଧୁଛନ୍ତି । ଝାଳରେ ଦେହ ମୁଣ୍ଡ ଓଦା ଜୁଡୁବୁଡୁ । ତାଙ୍କର ଏ ଅବସ୍ଥା ଦେଖି, ସୁନିତା ଦେବୀ ମନେ ମନେ ବିରକ୍ତ ହେଉଥିଲେ । ସୁଜିତ କଷା ପଣସ ଖଣ୍ଡେ ବାଧ୍ୟ କରି ନିଜ ହାତରେ ସୁନିତା ଦେବୀଙ୍କୁ ଖୁଆଇ ଦେଲେ । ସୁନିତା ଦେବୀଙ୍କ ଓଠରେ ଖେଳି ଯାଇଥିଲା ଲାଜ ମିଶା ଧାରେ ହସ । ତା ପରେ ଧୀରେ ଧୀରେ ସୁଜିତ ଚାଲିଗଲେ ଦୂରକୁ ଦୂରକୁ । ଡାକିବା ପାଇଁ ଯେତେ ଚେଷ୍ଟା କଲେ ବି ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନ ଥାଏ । କିଛି ସମୟ ପରେ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଉଠି ଯାଇଥିବା ହାତଟି ଖଟ ଉପରକୁ ଖସି ଆସିଲା । ମୁହଁ ଗୋଟିଏ ପଟକୁ ଧୀରେ ଧୀରେ ଢଳିଗଲା । ଚାରିଆଡେ ଭୟଙ୍କର ନିରବତା।


ଫଗୁଣର ଆଗତ ସନ୍ଧ୍ୟାରେ ଆଦିନିଆ ମେଘ ସବୁ ଆକାଶକୁ ଢାଙ୍କି ରଖିଥିଲା । ଦୁଇ ପୁଅ ବୋଉ ପାଖରେ ମୁଣ୍ଡ ପିଟି କାନ୍ଦୁଥିଲେ । କିନ୍ତୁ ସୁନିତା ଦେବୀ ସ୍ୱାମୀଙ୍କ ଫଟୋକୁ ଛାତିରେ ଚାପି ଧରି ଶାନ୍ତିରେ ଶୋଇଯାଇ ଥିଲେ, ଚିରନିଦ୍ରାରେ।



Rate this content
Log in

Similar oriya story from Inspirational