Seetaram Dash

Romance

4  

Seetaram Dash

Romance

ଅପୂର୍ଣ୍ଣ ଅଭିସାର

ଅପୂର୍ଣ୍ଣ ଅଭିସାର

8 mins
409



ବାହାରେ ଝୁରୁଝୁରିଆ ବର୍ଷା। ଥଣ୍ଡା ପବନ ଖୁବ୍ ଜୋରରେ ବହୁଥାଏ। ମୋନିକା ଦୁଇ ଦିନ ପାଇଁ ତାଙ୍କ ଘରକୁ ଯାଇଥାଏ। ଜଣେ ସାଙ୍ଗର ଏନଗେଜମେଣ୍ଟ ପାର୍ଟିରେ ଯୋଗ ଦେଇ ମୁଁ ଫେରିଥାଏ। ପିଆପିଇର ଅଭ୍ୟାସ ନ ଥିଲେ ବି ସାଙ୍ଗ ମାନେ ବାଧ୍ୟ କରି ଦୁଇ ପ୍ୟାଗ୍ ଜିନ୍ ପିଆଇ ଦେଇଥିଲେ। ବିନା ଅସୁବିଧାରେ ମୁଁ ଗାଡି ଚଳାଇ ମୋ ଫ୍ଲାଟ୍ ରେ ପହଞ୍ଚିଲି। କରେଣ୍ଟ ଚାଲି ଯାଇଥିବାରୁ ଚାରିଆଡ଼ ଅନ୍ଧକାର। ମୋବାଇଲରେ ଟର୍ଚ୍ଚ ଜଳାଇ, ମୁଁ ଉପରକୁ ଆସିଲି। ମୁଣ୍ଡ ଭାରି ଭାରି ଲାଗୁଥାଏ। କ୍ୟାଣ୍ଡେଲଟିଏ ଜଳାଇ ଘରକୁ ଆଲୋକିତ କଲି। ବାଥ୍ ରୁମ୍ ରେ ଫ୍ରେଶ ହୋଇ ଶୋଇବାକୁ ଚେଷ୍ଟା କଲି। ନିଦ ଆଦୌ ହେଲାନି। ପତଳା କମ୍ବଳଟିଏ ଘୋଡ଼ିହୋଇ ଆଖି ବୁଜି ପଡି ରହିଲି। ମୋନିକା ଖୁବ୍ ମନେ ପଡୁଥିଲା। ଏତେ ସୁନ୍ଦର ବର୍ଷା ରାତିଟା ଏକା ଏକା କିପରି କାଟିବି? ବାହାରେ କାହା ପାଉଁଜିର ଶବ୍ଦ ଶୁଭିଲା, ଠିକ ମୋ ଡୋର ଆଗରେ। ନିଦ ନ ହେବାରୁ ମୁଁ ଝରକା ଖୋଲି ଅନ୍ଧାର ଭିତରେ ବାହାରକୁ ଦେଖିବାକୁ ଚେଷ୍ଟା କଲି। ବିଜୁଳି ଆଲୋକରେ ମୁଁ ଦେଖି ପାରିଲି ଅଦୂରର ପାର୍କ ବେଞ୍ଚରେ ତରୁଣୀଟିଏ ବସିଛି। କ୍ଷଣକ ମଧ୍ୟରେ ଚାରିଆଡ଼ ପୁଣି ଅନ୍ଧକାର। କିଛି ସମୟ ପରେ ମୋ ଡୋରରେ କାହା ହାତର ମୃଦୁ ଆଘାତ। କଲିଂ ବେଲ ନ ମାରି କରାଘାତ କଣ ପାଇଁ? ମୁଁ ଚିନ୍ତାରେ ପଡ଼ିଲି। ଏତେ ରାତିରେ କିଏ ହୋଇ ପାରେ? ମୁଁ ଧୀରେ କବାଟ ଖୋଲି ଦେଖିଲି ବାହାରେ ରୂପାଲି ଛିଡା ହୋଇଛି। ବର୍ଷାରେ ସେ ଜୁଡୁବୁଡୁ ଓଦା। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, "ରୂପାଲି, ତମେ ଏତେ ରାତିରେ! ତମର ସବୁ ଭଲ ତ?" ରୂପାଲି ମୋ ପ୍ରଶ୍ନର ଉତ୍ତର ନ ଦେଇ ଘର ଭିତରକୁ ଆସି ଡ୍ରଇଂ ରୁମ୍ ମଝାମଝି ଛିଡା ହେଲା। ମୁଁ ବେଶି କିଛି ନ ପଚାରି, ମୋନିକାର ନାଇଟ୍ ଗାଉନ୍ ସହ ଶୁଖିଲା ଟାୱାଲ ଦେଇ ବାଥ୍ ରୁମ୍ କୁ ଯାଇ ଓଦା ଡ୍ରେସ ବଦଳାଇବାକୁ କହିଲି। ଜିନ୍ ର ନିଶା ଏବେ ଧୀରେ ଧୀରେ କମି କମି ଆସୁଥାଏ। ରୂପାଲି ପାଇଁ ଚା ତିଆରି କରିବା ପାଇଁ ସସ୍ ପ୍ୟାନ୍ ବସାଇଲି।

ମୋନିକା ମୋ ମାଉସୀଙ୍କ ଦୂର ସମ୍ପର୍କୀୟ। ଏକ ବିବାହ ଉତ୍ସବରେ, ମୋନିକା ପରିବାର ସହ ମୋ ମା'ଙ୍କର ପରିଚୟ ହୋଇଥିଲା। ପ୍ରଥମ ଦେଖାରେ ହିଁ ମୋ ମା' ମୋନିକାକୁ ବୋହୂ କରିବାକୁ ମନସ୍ଥ କରିଥିଲେ। ଧୀରେ ଧୀରେ ମୋ କାନକୁ ବି ଏ କଥା ଆସିଲା। ପ୍ରାୟ ସମସ୍ତ ବନ୍ଧୁ ବାନ୍ଧବଙ୍କ ମୁହଁରେ ମୋନିକାର ପ୍ରଶଂସା ଶୁଣି ଶୁଣି ଯୌବନର ଉଦ୍ଦାମ ମନ ମୋନିକାକୁ ଭଲ ପାଇ ବସିଲା, ଥରୁଟିଏ ବି ଦେଖିବାକୁ ଇଛା ନକରି। କିଛି ଦିନ ଭିତରେ ସାମାନ୍ୟ ଚେଷ୍ଟାରେ ମୋନିକାର ଫୋନ ନମ୍ବର ବି ମିଳିଗଲା। ଆମେ ବେଳେବେଳେ କଥା ହେଉ। ଧୀରେ ଧୀରେ ଉଭୟ ଉଭୟଙ୍କୁ ଭଲ ଲାଗିଲୁ। ଏକ ଅଦୃଶ୍ୟ ବନ୍ଧନରେ ଆମେ ବାନ୍ଧି ହୋଇ ଯାଇଥିଲୁ ଖୁବ୍ ନିବିଡ଼ ଭାବରେ। ପ୍ରଥମ ଥର ଆମେ ଗୋଟେ ମନ୍ଦିରରେ ଭେଟ ହୋଇଥିଲୁ। ଦେଖା କରିବାଟା ଥିଲା କେବଳ ଔପଚାରିକତା। ମୋନିକା ସହ ସେଦିନ ତା ମାମୁ ଝିଅ ଭଉଣୀ ରୂପାଲି ମଧ୍ୟ ଆସିଥିଲା। ମନ୍ଦିରରେ ଭୋଗ ଲଗାଇ ସାରି କିଛି ସମୟ ପାଇଁ ମନ୍ଦିରର ପ୍ରାଙ୍ଗଣରେ ଥିବା ଛୋଟ ବଡ଼ ଦେବା ଦେବୀଙ୍କୁ ଦେଖୁଥାଉ। ପ୍ରଥମ ଥର ଉଭୟ ଉଭୟଙ୍କୁ ଭେଟି ଥିବାରୁ, ମୋନିକା ମୋ ସହ ଏତେ ସହଜ ହୋଇ ପାରୁ ନ ଥାଏ। ଆମ ଭିତରେ ଥିବା ଦୂରତ୍ୱକୁ ଦୂରେଇବା ପାଇଁ ରୂପାଲି ଅବିରତ ଉଦ୍ୟମ କରି ଚାଲିଥାଏ। ସେଦିନ ରୂପାଲିର ପ୍ରତ୍ୟେକ କଥା ମନରେ ଏକ ଅଜଣା ଛାପ ଛାଡି ଯାଉଥାଏ। ସେଦିନ ସେ ଦୁହିଁଙ୍କୁ ମୁଁ ରୂପାଲିର ଘର ପାଖରେ ଛାଡି, ଫେରିଲି। ରୂପାଲି ତାଙ୍କ ଘରକୁ ଯିବା ପାଇଁ ଅନେକ ଅନୁରୋଧ କଲା କିନ୍ତୁ ମୋନିକା ଥିଲା ନିରବ ଓ ଉଦାସୀନ। ବୋଧେ ସେ ଚାହୁଁ ନଥିଲା ବିବାହ ପୂର୍ବରୁ ମୋତେ ନେଇ ତାକୁ କେହି କିଛି ଅପ୍ରୀତିକର କଥା କହୁ।

ମୋନିକା ଓ ରୂପାଲି ଥିଲେ ଏକା ବୟସର। ଦୁହେଁ ଦୁହିଁଙ୍କର ଥିଲେ ଖୁବ୍ ଆପଣାର। ଏମାନଙ୍କ ଘନିଷ୍ଠତା ଦେଖି ଅନ୍ୟମାନେ ଇର୍ଷାରେ ଜଳୁଥିଲେ। ଉଭୟଙ୍କ କଣ୍ଠ ସ୍ୱରରେ ଥିଲା ଅଦ୍ଭୂତ ସମାନତା। ଫୋନରେ କଥା ହେଲେ ମୁଁ କେବେ ଜାଣି ପାରେନି କିଏ ମୋନିକା, ଆଉ କିଏ ରୂପାଲି। ରୂପାଲି ବି କମ୍ ହଇରାଣ କରେନି ମୋତେ। ଅନେକ ସମୟରେ ସେ ମୋନିକା ହୋଇ ମୋ ସହ କଥା ହୁଏ। ମୁଁ ଅନେକ ଥର ଧୋକା ଖାଇଯାଏ। ମୋନିକା ଓ ରୂପାଲି ଉଭୟଙ୍କୁ ଜାଣିବା ପାଇଁ, ମୁଁ ଉପାୟଟିଏ ଚିନ୍ତା କଲି। ଉପାୟଟି ଅବଶ୍ୟ କାମ ଦେଲା। ଫୋନରେ କଥା ହେଲା ବେଳେ, ମୁଁ ଦୁଇ ଜଣଙ୍କୁ ଜାଣିବା ପାଇଁ କଥା ଛଳରେ କୁହେ, "ଲଭ୍ୟୁ ଜାନୁ"। ମୋନିକା ହୋଇଥିଲେ, ନିରବ ରୁହେ। କିନ୍ତୁ ରୂପାଲି ମୋ କଥା ଶୁଣୁ ଶୁଣୁ ହସେ। ହସି ହସି କୁହେ, 'ଭାଇନା, ମୁଁ ତମ ଜାନୁ ନୁହେଁ ମ...। ମୁଁ ରୂପାଲି"।

ମୋନିକା ଅପେକ୍ଷା ରୂପାଲି ମୋ ଭାବନାକୁ, ମୋ ମନ ଦଶାକୁ ଖୁବ୍ ସହଜରେ ପଢି ପାରୁଥିଲା। ନ କହିଲେ ବି ସେ ମୋ ପସନ୍ଦ ଅପସନ୍ଦ ଜାଣି ପାରୁଥିଲା। ମୋ ଭଳି ସେ ବି ଥିଲା ଅତ୍ୟନ୍ତ ଭାବପ୍ରବଣ। ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଦେଖି ସେ ଆତ୍ମ ବିଭୋର ହେଉଥିଲା, ଠିକ ମୋ ଭଳି। ପୂର୍ଣ୍ଣିମାର ରାତିରେ ସେ ଫୋନ କରି କହୁଥିଲା, ଛାତ ଉପରକୁ ଆସିବାକୁ। ଦୁହେଁ ଦୁହିଁଙ୍କଠୁ ଅନେକ ଦୂରରେ ଥାଇ ନୀଳ ଆକାଶର ଜହ୍ନକୁ ଘଣ୍ଟା ଘଣ୍ଟା ଧରି ଦେଖୁଥିଲୁ। ଆକାଶର ଭାସମାନ ମେଘ ଖଣ୍ଡର ଆକୃତି ସବୁକୁ ସେ ଫୋନରେ ବର୍ଣ୍ଣନା କରୁଥିଲା। ମୁଁ ମୁଗ୍ଧ ହୋଇ ଶୁଣିବା ସହ ଦେଖୁଥିଲି। ତାର ସୁଖ ଦୁଃଖ ଭଲ ମନ୍ଦ ସବୁ ମୋ ସହିତ ବାଣ୍ଟୁଥିଲା। ମୋର ଟିକେ ଟିକେ ଅସୁବିଧାରେ ସେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲା। ତାର ପ୍ରତି କଥାରେ ଥିଲା ଏକ ଅଦ୍ଭୁତ ଆପଣାପଣ। ଓଠ ଖୋଲି ନକହିଲେ ବି ସେ ମତେ ତାର ହୃଦୟରେ କେବେଠୁ ସ୍ଥାନ ଦେଇ ସାରିଥିଲା। ଆଉ ମୁଁ ବି, ସମ୍ଭବତଃ। ମୋନିକା ଅପେକ୍ଷା ରୂପାଲି ଥିଲା ମୋ ପାଇଁ ଉପଯୁକ୍ତ ଜୀବନସାଥି। କିନ୍ତୁ ମୋନିକା ସହ ମୁଁ ଛଳନା କରି ପାରି ନଥିଲି। ମୋ ବିବେକ ଏପରି କରିବାକୁ ସବୁବେଳେ ବାଧା ଦେଉଥିଲା। ମୋ ମନ ତଳର ଅକୁହା କଥା ସବୁ, ଚିରଦିନ ପାଇଁ ମନ ଭିତରେ ରହିଗଲା।

ମୋନିକା ସହ ମୋ ବାହାଘର ବଡ଼ ଧୁମଧାମରେ ହେଲା। ସେଦିନ ରୂପାଲିର ମୁହଁ ଉଦାସରେ ମଉଳା କଇଁ ଫୁଲ ଭଳି ମଳିନ ଦିଶୁଥିଲା। ଅନେକ ଥର ପଚାରିବା ପରେ ବି ମୁଁ ସନ୍ତୋଷଜନକ ଉତ୍ତର ପାଇ ନ ଥିଲି। ହାତ ଗଣ୍ଠି ଫିଟାଇଲା ବେଳେ ରୂପାଲି ନରମ ସ୍ୱରରେ ମୋନିକା ଉଦ୍ଦେଶ୍ୟରେ କହିଥିଲା, "ତୁ ବହୁତ ଭାଗ୍ୟବାନ। ଭାଇନାଙ୍କ ଭଳି ମଣିଷଟିଏ କଣ ସମସ୍ତଙ୍କୁ ମିଳେ? ମୁଁ ମନେ ମନେ କହିଲି, "ତୁମ ହାତ ଯିଏ ଧରିବ ସେ ବି କମ୍ ଭାଗ୍ୟବାନ ନୁହେଁ"

ବାହାଘର ପରେ ପରେ ଘର ସଂସାର, ଅଫିସର କର୍ମ ଜଞ୍ଜାଳ ଭିତରେ ରୂପାଲି ମୋ ମନରୁ ଧୀରେ ଧୀରେ ଦୂରେଇ ଗଲା। ବେଳେବେଳେ ସେ ଫୋନ କରେ କିନ୍ତୁ ଚେଷ୍ଟା କରି ମଧ୍ୟ ମୁଁ ତାକୁ ଆଗ ଭଳି ସମୟ ଦେଇ ପାରେ ନାହିଁ। ନ କହିଲେ ବି ଅନେକ କଥା ବୁଝି ହୁଏ। ବୋଧେ, ସେ ମୋ ଅସହାୟତାକୁ ବୁଝି ପାରୁଥିଲା, ତେଣୁ କେବେ ବି ଅଭିମାନ କରୁ ନଥିଲା। କିନ୍ତୁ ମୋନିକା ସହ ତା ସମ୍ପର୍କ ଥିଲା ପୂର୍ବ ଭଳି ଘନିଷ୍ଠ।

କିଛି ବର୍ଷ ପରେ ରୂପାଲିର ବାହାଘର ହେଲା, ତା ବାପମାଙ୍କ ଇଛା ଅନୁସାରେ। ବାହାଘର ପରେ ପରେ ବଦଳି ଯାଇଥିଲା ତା ଭାଗ୍ୟ। ତାର ସ୍ଵାମୀ ତ୍ରିଲୋଚନ ଥିଲା ଜଣେ ହୃଦୟହୀନ ଅମଣିଷ। ମଦ ନିଶାରେ ସବୁବେଳେ ଗାଳିମନ୍ଦ କରିବା ସହ ଅନେକ ଥର ହାତ ଉଠାଇ ମାରୁଥିଲା। ଏପରିକି ରୂପାଲିର ବାପଘର ସହ ସବୁ ସମ୍ପର୍କ କାଟି ଦେଇଥିଲା। ଭାବିଲେ ବହୁତ କଷ୍ଟ ଲାଗେ, ରୁପାଲି ଭଳି ଶାନ୍ତ ସରଳ ପିଲାକୁ ଶେଷରେ ଏପରି ନିର୍ଦ୍ଦୟୀ ସ୍ୱାମିଟିଏ ମିଳିଲା। ଧୀରେ ଧୀରେ ଆମ ସହିତ ବି ତାର ସବୁ ସମ୍ପର୍କ ଛିନ୍ନ ହେଲା। ଭାବି ବସିଲେ ସବୁ ସ୍ୱପ୍ନ ପରି ଲାଗେ। କେତେ ସହଜରେ ସରିଯାଏ ଗୋଟେ ସମ୍ପର୍କ।

"କଣ ଭାବୁଛ, ମତେ ଏଠି ଏ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହେଉଛ ନା।" ରୂପାଲିର ବସି ଯାଇଥିବା ଗଳାରୁ ଧୀରେ ଶୁଭିଲା। ମୁଁ ପ୍ରକୃତିସ୍ଥ ହେଲି। ସତେ ଯେମିତି ଏକ ପଥର ମୂର୍ତ୍ତି କାହା ସ୍ପର୍ଶରେ ଜୀବନ ପାଇଲା ଭଳି। ଚା କପଟେ ତା ହାତକୁ ବଢ଼ାଇ ଦେଇ, ମୁଁ ମୋ ଚା କପକୁ ଓଠ ପାଖକୁ ନେଲି। ଧୀର ସ୍ୱରରେ ପଚାରିଲି, ଏତେ ରାତିରେ ହଠାତ୍ କେମିତି ଆସିଲ? ଆଉ ତ୍ରିଲୋଚନ ଏବେ କେଉଁଠି? ତୁମର ସବୁ ଭଲ ତ? ଏକା ଥରକେ ଏତେ ଗୁଡ଼େ ପ୍ରଶ୍ନ, ମୁଁ ଗୋଟିଏ ନିଶ୍ଵାସରେ ପଚାରି ଦେଲି। ଅଦ୍ଭୁତ ମୋହସିକ୍ତ ଚାହାଣୀରେ ସେ ମତେ ଚାହିଁଲା, କିଛି ସମୟ ପାଇଁ। କୋହ ଭରା କଣ୍ଠରେ କହିଲା, "ଜୀବନରେ ଶେଷ ଥର ପାଇଁ, ମୁଁ ତୁମକୁ ଦେଖା କରିବାକୁ ଆସିଛି? ତୁମେ ତ ମତେ କେବେଠୁ ଭୁଲି ଗଲଣି। ତମର ମନେ ଅଛି, ପୂର୍ଣ୍ଣିମା ରାତିରେ ଆମେ ଜହ୍ନକୁ ସାକ୍ଷୀ ରଖି କେତେ କେତେ ସୁନ୍ଦର ମୁହୂର୍ତ୍ତ ସବୁ ଛାତ ଉପରେ ବିତାଇ ଥିଲେ। ସତରେ, ତୁମେ ଜହ୍ନକୁ ଭଲ ପାଇଥିଲ ବୋଲି ମୁଁ ବି ଜହ୍ନକୁ ଭଲ ପାଉଥିଲି। ତୁମେ ବର୍ଷାକୁ ଭଲ ପାଉଥିଲ ବୋଲି, ମୁଁ ବର୍ଷାରେ ଭିଜୁଥିଲି। ମୋ ଜୀବନରେ ତୁମେ ଆଉ ଟିକେ ଆଗରୁ ଆସି ନଥାନ୍ତ?" କିଛି ସମୟ ପାଇଁ ସେ ନିରବ ହୋଇ ଗଲା। ବୋଧହୁଏ ସେ ବୁଝି ସାରିଥିଲା ଆଉ କିଛି କହିବାର ପ୍ରୟୋଜନ ନାହିଁ।

କିଛି ସମୟ ନିରବ ରହି ରୁପାଲି ପୁଣି କହିବା ଆରମ୍ଭ କଲା, "ତମେ ଜାଣିଛ, କେତେ କଷ୍ଟରେ ମୁଁ ଚାରି ବର୍ଷ କାଟିଛି ସେଠି? ତୁମେ ଜାଣିଛ, ମୁଁ ସେଠି କେତେ କାନ୍ଦେ ଲୁଚେଇ ଲୁଚେଇ? ତମେ ଜାଣିଛ, ଥରେ ମୋ ଦେହ ବହୁତ ଖରାପ ହୋଇଥିଲା। ମରିଗଲା ଭଳି ଅବସ୍ଥା। ବହୁତ କଷ୍ଟ ଭୋଗିଲି। ଘର ନୁହେଁତ, ସେ ଜାଗା ମୋ ପାଇଁ ନର୍କ। ସେ ଅଗଣାରେ ମୋ ଆଖିର କେତେ କେତେ ଲୁହ ଝରିଛି ତାର ହିସାବ ନାହିଁ। କେଉଁ ଜନ୍ମରେ କି ପାପ କରିଥିଲି କେଜାଣି, ଭଗବାନ ମୋ ଭାଗ୍ୟରେ ଏମିତି ଜଣେ ନରରାକ୍ଷସକୁ ଛନ୍ଦି ଦେଲେ। ରାତିରେ ସେ, ସାଙ୍ଗମାନଙ୍କ ସହ ମଦ ପିଇ ଫେରନ୍ତି, - ତା'ପରେ ମୋ ଉପରେ ମନଇଚ୍ଛା ଦୁର୍ବ୍ୟବହାର। ରୋଗ ଶଯ୍ୟାରେ ବି ସେ ମୋ ଉପରେ ଟିକେ ବି ଦୟା କରନ୍ତିନି। ରାତିର ଅନ୍ଧକାରରେ ସେ ଜାନୁଆର ପାଲଟି ଯାଆନ୍ତି। ଅଦ୍ଭୁତ ତାର ଆବଶ୍ୟକତା, ଅପ୍ରାକୃତିକ ତାର ଇଚ୍ଛା ସବୁ। କେତେବେଳେ ହାତଗୋଡ଼ ସବୁ ବାନ୍ଧି ତ, କେତେବେଳେ ନଖ ଆଉ ଦାନ୍ତରେ ଲହୁ ଲୁହାଣ କରି। ସତେ ଯେମିତି ମୁଁ ଗୋଟେ ପଶୁ କିମ୍ବା ରବର କଣ୍ଢେଇ"। ରୂପାଲିର ଆଖିରୁ ଧାର ଧାର ଲୁହ ଝରି ପଡୁଥିଲା। ଆଉ ତା' ମୁହଁ ଦିଶୁଥିଲା, ଖୁବ୍ ବିପନ୍ନ ଓ ଅସହାୟ। 

ରୂପାଲିର କଥା ଶୁଣି ମୁଁ ନିର୍ବାକ। ଆଖି ମୋର ଲୁହ ଟଳମଳ। ଇଚ୍ଛା ହେଉଥାଏ ତାକୁ କୋଳେଇ ନେବାକୁ, କିନ୍ତୁ ସେତିକି ସାହସ ମୁଁ ଜୁଟେଇ ପାରିଲିନି। ମୁଁ ସେମିତି ଛିଡା ହୋଇଥାଏ ସ୍ଥିର, ନିଶ୍ଚଳ ହୋଇ। ସେ ଏବେ ଚାଲି ଆସିଲା ମୋ ଅତି ନିକଟକୁ। ଥରୁଟିଏ ମୋ ଆଖିରେ ଆଖି ମିଶାଇ ବୁଲି ପଡିଲା, ମତେ ପଛ କରି। ତା ପରେ ନାଇଟ୍ ଗାଉନ୍ କୁ ସମ୍ପୂର୍ଣ୍ଣ କାଢ଼ିଦେଲା ଦେହରୁ। ଅନ୍ତଃବସ୍ତ୍ରହୀନ ତା ଅନାଵରଣ ପିଠିରେ ମୁଁ ଦେଖି ପାରିଲି, ନିର୍ମମ ଲୋକଟାର ଅତ୍ୟାଚାରରେ ଅନେକ ତାଜା କ୍ଷତ। ଗଭୀର ବେଦନାରେ ମୋ ଛାତି ଥରି ଉଠିଲା। ପାଖରେ ଥିବା ଟାୱାଲ କୁ ତା ଅନାବୃତ ପିଠିରେ ଘୋଡାଇ, ତାକୁ ଦୁଇ ହାତରେ ଛାତିରେ ଚାପି ଧରିଲି। ଗଭୀର ଆବେଗ ଓ ଆବେଶରେ ସେ ମୋ ଗାଲରେ ଚୁମ୍ବନ ଦେଲା। କମ୍ପିତ ସ୍ୱରରେ କହିଲା, "ମୁଁ ତୁମକୁ ବହୁତ ଭଲ ପାଏ। ତମେ କଣ ମତେ ସତରେ ଭଲ ପାଅ?" ତା ପ୍ରଶ୍ନରେ ଥିଲା ଏକ ଅସହାୟ ନାରୀର କରୁଣ କ୍ରନ୍ଦନ। ସତେ ଯେମିତି ଯୁଗ ଯୁଗରୁ ସେ ଅପେକ୍ଷା କରିଥିଲା ଏଇ ମୁହୂର୍ତ୍ତକୁ। ରୂପାଲି ମୋ ନାଇଟ୍ ଗାଉନ୍ ର ସବୁ ତକ ବୋତାମ ଖୋଲି ସାରିଥିଲା ୟା ଭିତରେ। ତା ଘନ ସ୍ପନ୍ଦିତ ବକ୍ଷସ୍ଥଳକୁ ମୋ ଅଙ୍ଗରେ ଚାପି ଦେଇ ଦୁଇ ବାହୁରେ ନିବିଡ଼ ଭାବରେ ବାନ୍ଧିଦେଲା। ତା ଦେହ ଓ ମନରେ ଥିଲା, ବୁଝି ହେଉ ନଥିବା ଏକ ଭିନ୍ନ ଆବେଗ। ମୋ ଓଠରେ ଓଠ ଥାପି ସେ ମେଣ୍ଟାଉ ଥିଲା ଅୟୁତ ଯୁଗର ତୃଷ୍ଣା। ମୁଁ ଆଖି ବନ୍ଦକରି ପଢ଼ୁଥିଲି ତା ହୃଦୟର ଭାଷାକୁ। ତାର ଓଠରେ ଜିଭ ଦ୍ଵାରା ଲେଖୁଥିଲି, ତା ନାଁର ପ୍ରଥମ ଅକ୍ଷର। ପାପ ପୁଣ୍ୟ, ଉଚିତ ଅନୁଚିତ ଓ ଠିକ ଭୂଲର ବହୁ ଉର୍ଦ୍ଧ୍ବରେ ମୁଁ ଦେଖୁଥିଲି, ରୂପାଲିର ସୁନ୍ଦର ଆତ୍ମାକୁ। ସରି ଆସୁଥିବା କ୍ୟାଣ୍ଡେଲଟିରୁ ତରଳ ମହମ ସବୁ ବହି ଯାଉଥିଲା। ବାହାରେ ଥଣ୍ଡା ପବନ ସହ ଝୁରୁଝୁରିଆ ବର୍ଷା। ରୁପାଲି ମୋ ଛାତିରେ ମୁଣ୍ଡ ଗୁଞ୍ଜି ଗଭୀର ଆଲିଙ୍ଗନରେ ନିର୍ବୋଧ ଶିଶୁଟିଏ ଭଳି ଶୋଇଥିଲା, ଅନେକ ରାତି ପର୍ଯ୍ୟନ୍ତ।

ପାହାନ୍ତା ପ୍ରହରକୁ ବାହାରେ ବର୍ଷା ବୋଧହୁଏ ବନ୍ଦ ହୋଇଯାଇଥିଲା। ଆଉ ପବନର ଶବ୍ଦ ନଥିଲା। ଦେହ ଭାରି ଭାରି, ଆଖି ପତା ଦରଜ ଓ ପାଦ ଓଜନିଆ ଲାଗୁଥିଲା। ନିଦ ଭାଙ୍ଗିଲେ ବି ଆଖି ଖୋଲିବାକୁ ଇଚ୍ଛା ହେଉ ନ ଥିଲା। ବନ୍ଦ ଆଖିରେ ଚାରିପଟେ ହାତ ମାରି ମୁଁ ରୂପାଲିକୁ ଖୋଜୁଥିଲି। ରୂପାଲି ମୋ ବେଡ଼ରେ ନଥିଲା। ଏତେ ସକାଳୁ ସେ କୁଆଡେ ଯିବ? ମନେ ମନେ ଭାବିଲି, ରୁପାଲି ବାଥ୍ ରୁମ୍ ରେ ଥିବ। ମୋ ଫୋନ ବାଜି ଉଠିଲା। ମୁଁ ଫୋନ ଉଠାଇବାରୁ ସେପଟୁ କାନ୍ଦି କାନ୍ଦି ମୋନିକା କହିଲା, "ଜାଣିଛ, ଆମ ରୂପାଲି ଆଉ ଏ ଦୁନିଆରେ ନାହିଁ। କାଲି ରାତିରେ ରୂପାଲିକୁ ତା ସ୍ବାମୀ ତଣ୍ଟି ଚିପି ମାରିଦେଇଛି। ତୁମେ ଘରେ ଏକୁଟିଆ ଥିଲ, ତେଣୁ ଏତେ ରାତିରେ କହିବାକୁ ଇଚ୍ଛା ହେଲାନି। ତୁମେ ଜଲଦି ଆସ।" 

ଏ କଥା ଶୁଣି, ମୋ ପାଦ ତଳୁ ମାଟି ଖସିଗଲା ଭଳି ଅନୁଭୂତ ହେଲା। ମୁଁ ମୋ ରୁମ୍, କିଚେନ ଓ ବାଥ୍ ରୁମ୍ ଏବଂ ତାର ପ୍ରତି କୋଣ ଅନୁକୋଣ ସବୁଆଡେ ଖୋଜିଲି। ରୂପାଲି କେଉଁଠି ନଥିଲା। ସାରା ରାତି ତ ସେ ମୋ କୋଳରେ ଶୋଇଥିଲା, ହଠାତ୍ କେଉଁଆଡ଼େ ଉଭେଇ ଗଲା? ଏହି ସମୟରେ ମୋ ଘରର ବନ୍ଦ ଦରଜା ଖୋଲିଗଲା ଆପେଆପେ। ଅନୁଭବ ହେଲା ଛାଇଟିଏ ଘର ଭିତରୁ ବାହାରି ମିଳେଇଗଲା ପବନରେ। ଅଳ୍ପ ସମୟ ଭିତରେ ରୂପାଲିର ମୃତ୍ୟୁ ଖବର ସହର ସାରା ପବନ ବେଗରେ ବ୍ୟାପି ଗଲା।

ୟା ଭିତରେ ଅନେକ ବର୍ଷ ବିତିଗଲାଣି। ଭୂତ ପ୍ରେତରେ ମୁଁ କେବେ ବି ବିଶ୍ୱାସ କରେନା। ଏବେ ବି ନୁହେଁ। କିନ୍ତୁ ପ୍ରତ୍ୟେକ ରାତିର ଅନ୍ଧକାରରେ ମୁଁ ରୂପାଲିକୁ ଖୋଜେ। ବିଳମ୍ବିତ ରାତିରେ ଛାତ ଉପରେ ତ, କେବେ ନିର୍ଜନ ପ୍ରାନ୍ତରରେ ଆଉ କେବେ ଗଛ ଗହଳରେ ତ କେବେ ନଦୀ ପଠାରେ। ହେଲେ କେଉଁଠି ବି ତାକୁ ପାଏ ନାହିଁ। ଅନେକ ଥର ମୁଁ ଚିତ୍କାର କରି କହିଛି, "ରୂପାଲି ତୁମେ ଥରୁଟିଏ ମତେ ଦେଖା ଦିଅ। ମାତ୍ର ଥରୁଟିଏ। ମୁଁ ତୁମକୁ କେବଳ ଥରୁଟିଏ ଦେଖିବାକୁ ଚାହୁଁଛି"। କିନ୍ତୁ ମୋ କଥା ସବୁ, ରାତିର ଅନ୍ଧକାରରେ କେଉଁ ଆଡେ ମିଳାଇଯାଏ। ରୂପାଲି ବୋଧହୁଏ ଜୀବିତ ଅବସ୍ଥାରେ ମୋ ପାଖକୁ ଏମିତି ଆସିଥିଲେ, କେତେ କଣ୍ଟାଝଣ୍ଟା, ମାନ ଅପମାନ, ନିନ୍ଦା ଅପନିନ୍ଦା ଓ ପ୍ରତିବନ୍ଧକ ଆସିଥାନ୍ତା ଆମ ଉଭୟଙ୍କ ଜୀବନରେ। ତେଣୁ ସେ ତାର ସବୁତକ ସ୍ନେହ, ପ୍ରେମ ଓ ଭଲପାଇବା, ମୋ ପାଖରେ ସମସ୍ତଙ୍କ ଅଗୋଚରରେ ସମର୍ପି ଦେଇଗଲା। ହେଲେ ମୁଁ, ପ୍ରତି ବଦଳରେ କିଛି ବି କରି ପାରିଲିନି ତା ପାଇଁ।



 




Rate this content
Log in

Similar oriya story from Romance