Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Seetaram Dash

Tragedy

3  

Seetaram Dash

Tragedy

ତାରା ଶୂନ୍ୟ ଆକାଶ

ତାରା ଶୂନ୍ୟ ଆକାଶ

5 mins
27



ଛୋଟ ସହରଟି ବର୍ଷା ଦିନେ, ରାତି ସବୁ ଖୁବ ଶୀଘ୍ର ଶୂନଶାନ୍ ହୋଇଯାଏ। ମୁଁ କାମ ସାରି ଗ୍ୟାରେଜ ବନ୍ଦ କରୁ କରୁ ରାତି ସାଢ଼େ ନଟା ହେଲାଣି। ଘରୁ ଥରେ ଦୁଇଥର ଫୋନ ବି ଆସି ସାରିଲାଣି। ମନ ଭାରି ବ୍ୟସ୍ତ। ଯେଉଁ ଦିନ ମୋର ଘରକୁ ଫେରିବା ଡେରି ହୁଏ, ମୋ ତିନି ବର୍ଷର ଝିଅ, ମତେ ବ୍ୟସ୍ତ ହୋଇ ଖୋଜେ। ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଅଜିତ ସହ ମୁଁ ଚାଲିଥାଏ। ଅଜିତ, ମୋ ଗ୍ୟାରେଜରେ ଦୁଇ ମାସ ହେଲା କାମ ଶିଖୁଛି। ସତର, ଅଠର ବର୍ଷର ପିଲାଟିଏ। ପତଳା ନହକିଆ ଚେହେରା। ଅଭାଵ ଅସୁବିଧାରେ ପଡି, ସେ ଆଜି ଖେଳିବା ବୁଲିବା ବୟସରେ କାମ କରୁଛି। ଦିନ ନଟା ରୁ ରାତି ନ, ପୁରା ବାର ଘଣ୍ଟା କାମ। ତା ସହିତ କାମରେ ଛୋଟ ଛୋଟ ଭୁଲ ପାଇଁ ମୋଠୁ ଅନେକ ଗାଳି ଖାଏ। ଶୀଳ ଆଉ ଅଶ୍ଳୀଳ। ମୋ ଅଭାଵ, ଅନଟନ ଓ ଅସୁବିଧାର ସବୁ ବିରକ୍ତି ମୁଁ ତା ଉପରେ ସାରେ। ସେ ନୀରବରେ ସବୁ ସହେ। ତାର ବଡ଼ ଭଉଣୀର ବାହାଘର ପାଇଁ ସେ ଗାଁ ଛାଡି ଆସିଛି।


କିଛି ସମୟ ଆଗରୁ ବର୍ଷା ଛାଡି ଯାଇଛି। ଚାରିଆଡ଼ ନୀରବ, ନିର୍ଜନ। ରାସ୍ତାରେ କେବଳ କେତୋଟି ବୁଲା କୁକୁର ଓ ବୁଲା ଗାଈ ମାନଙ୍କ ବ୍ୟତୀତ କେହି କୁଆଡେ ନାହାନ୍ତି। ଗୋଟେ ଗଳି ପାର ହେଲା ପରେ, ଗରିବ ପରିବାରଟିଏ ଠେଲା ଗାଡି ସହ ଘରକୁ ଫେରୁଥିଲେ। ବୋଧେ ରାସ୍ତା କଡରେ ଛିଡା ହୋଇ ପରିବା ବିକନ୍ତି। ଠେଲା ଉପରେ କିଛି ବଳକା ପରିବା ସହ କୁନି ପିଲାଟିଏ ଶୋଇଛି। ସେ ବୋଧେ ସେମାନଙ୍କର କନିଷ୍ଠ ସନ୍ତାନ। ଆଉ ଜଣେ ଛୋଟ ପିଲା, ସ୍ତ୍ରୀ ଲୋକର କାଖରେ ଏବଂ ତାଠୁ ଆଉ ଟିକେ ବଡ଼ ପିଲା, ପୁରୁଷ ଲୋକଟିର କାନ୍ଧରେ ଓହଳିଛି। ସମସ୍ତଙ୍କର ଜୀର୍ଣ୍ଣ ଶୀର୍ଣ୍ଣ ଶରୀର। ଦେହରେ ମଇଳା ଚିରା ଫଟା ପୋଷାକ। ମୁଁ ସେମାନଙ୍କୁ ଟପି ଯିବା ପାଇଁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲୁ ଥାଏ। ରାତି ଦଶଟା ହେଲାଣି। ଝିଅର ମୋ ପାଇଁ ଅପେକ୍ଷା, ଓ ତାର କାନ୍ଦି କାନ୍ଦି ଶୋଇବାର ଚିନ୍ତା ମତେ ବ୍ୟସ୍ତ ବିବ୍ରତ କରୁଥାଏ।


ସେମାନଙ୍କୁ ଅତିକ୍ରମ କରିବା ସମୟରେ, ଅଜିତ ସେ ଗରିବ ପରିବାର ଆଡକୁ ଲକ୍ଷ୍ୟ କରି କହିଲା, "ଏ ପିଲାମାନେ ଯେତେବେଳେ ବଡ଼ ହୋଇଯିବେ, ତାଙ୍କ ମା ବାପଙ୍କୁ ବି କହିବେ, "ତମେ ଆମ ପାଇଁ କଣ କରିଛ।" ଏ କଥା ପଦକ, ମୋ ସାରା ଶରୀରରେ ବିଦ୍ୟୁତ ତରଙ୍ଗ ଖେଳାଇ ଦେଲା। କିଛି ସମୟ ପାଇଁ ମୁଁ ସ୍ତବ୍ଧ ହୋଇଗଲି। ମୋ ହୃଦୟର ସ୍ପନ୍ଦନ କିଛି ସମୟ ପାଇଁ ବନ୍ଦ ହୋଇ ଗଲା। ମନେ ପଡ଼ିଲା, ଏ କଥା ପଦକ ମୁଁ ଅନେକ ପିଲାଙ୍କ ମୁହଁରୁ ଶୁଣିଛି, ନିଜ ବାପାଙ୍କୁ କହିବାର। ପାଖ ପଡ଼ିଶା, ସାହି ଭାଇ, ବନ୍ଧୁବାନ୍ଧବ ଘରେ ପିଲାମାନଙ୍କର କେଉଁଥିରେ ଟିକେ ଊଣା ହେଲେ, କେତେ ସହଜରେ ସେମାନେ ତାଙ୍କ ବାପାମାନଙ୍କୁ ଏହି ପ୍ରଶ୍ନ ବାଣରେ ଆଘାତ କରନ୍ତି। ମୁଁ ବି ଅନେକ ଥର ଏ କଥା ଭାବି ବାପାଙ୍କ ଉପରେ ବିରକ୍ତ ହୋଇଛି। ଅନେକ ଥର ମୋ ପାଟିରୁ ଏ କଥା ବାହାରି ଆସି ଓଠ ପାଖରେ ଅଟକି ଯାଇଛି। ଆଜି ମତେ ନିଜ ଉପରେ ଧିକ୍କାର ଆସୁଥିଲା। ବୟସରେ ମୋଠୁ ସାତ ସାନ ଅଜିତ ଆଗରେ ମୁଁ ଲଜ୍ଜିତ ହୋଇ ଯାଇଥିଲି। ତଥାପି ମନ ଭିତରର ଝଡକୁ ଚାପି ରଖି, ତାଚ୍ଚଲ୍ୟ କରି କହିଲି, "ତୁ ବୋଧେ ଏ କଥା କେତେ ଥର କହିଛୁ, ତୋ ବାପାକୁ।" ସେ ନରମ ଗଳାରେ, ଦୁଃଖ ମନରେ କହିଲା, " ହଁ, କହିଛି। କିନ୍ତୁ ଘର ଛାଡ଼ି, ବାହାରକୁ ଆସି ନିଜେ ରୋଜଗାର କଲା ଦିବାରୁ ଆଉ କହୁନି"। ତା ପରେ, ଆମେ ଉଭୟ ନୀରବ। ଚାରିଆଡ଼ ଅଖଣ୍ତ ନୀରବତା।


କ୍ଳାନ୍ତ ଅବଶ ମନ ନେଇ ମୁଁ ଘରକୁ ଫେରିଲି। ଘରେ ପହଞ୍ଚୁ ପହଞ୍ଚୁ ସୁଭଦା ଆରମ୍ଭ କଲା, ଅନେକ ଅଭିଯୋଗ। ଝିଅର ଅମୁଲ୍ କେବେଠୁ ସରି ଯାଇଛି। କାଲି ସକାଳୁ ରୋଷେଇ କରିବାକୁ ପରିବାଟିଏ ନାହିଁ। ମୁଁ ଅପରାଧିଟିଏ ଭଳି କହିଲି, "ସକାଳ ହେଉ, ଦେଖିବା।" ସେ ବିରକ୍ତ ହୋଇ କହିଲା, "ସକାଳ ହେଲେ ତମେ ତମ ବାଟରେ ଯିବ। ମୁଁ ଯାହା ହଇରାଣ ହୋଇ ମରିବି।"


ଖାଇଲା ବେଳେ ବାପା ବହୁତ ମନେ ପଡୁଥିଲେ। ବାପାଙ୍କର ଅଗଣିତ ଉପକାର, ସ୍ନେହ, ପ୍ରେମ, ଭଲପାଇବା ମୋ ଆଖି ଆଗରେ ନାଚି ଯାଉଥିଲା। ବାପା ବନ୍ଧୁବାନ୍ଧବ, ଯାତ୍ରା ତୀର୍ଥ, ଭୋଜି ଭାତ, ଯୁଆଡେ ଯାଉଥିଲେ, ମତେ ସାଙ୍ଗରେ ନେଉଥିଲେ। ଛୋଟବେଳେ ସାରା ରାତି ମୁଁ ବାପାଙ୍କ ପେଟ ଉପରେ ଶୋଉଥିଲି। ଭଲ ମନ୍ଦ ହେଲେ ନିଜେ ନ ଖାଇ, ଆମ ଭାଇ ଭଉଣୀକୁ ବଳେଇ ବଳେଇ ଖୁଆଉ ଥିଲେ। ଆମ ମାନଙ୍କ ସୁଖ ସୁବିଧା ପାଇଁ ଦିନ ରାତି ଏକାକାର କରି ଦେଉଥିଲେ। ତାଙ୍କର ଜୀବନବ୍ୟାପୀ ଉତ୍ସର୍ଗୀକୃତ ସାଧନା ବଳରେ ଏତେ ବଡ଼ ପରିବାର ଜଣେ ଲୋକର ରୋଜଗାରରେ ଦୁଃଖେ କଷ୍ଟେ ଚଳି ଯାଉଥିଲା। ମୁଁ ଆଶ୍ଚର୍ଯ୍ୟ ହେଉଥିଲି, ଗୋଟିଏ ପିଲା ପାଇଁ ଆମେ ଏତେ ଦୁଃଖ କଷ୍ଟ ସହୁଛୁ, ଏତେ ହଇରାଣ ହେଉଛୁ। ବାପା ପାଞ୍ଚ ପାଞ୍ଚଟା ପିଲା ସହ ବୁଢା ବାପ ମା'ଙ୍କୁ କେମିତି ଚଳାଉ ଥିଲେ? ଆମ ହସ ଖୁସି ପାଇଁ କେତେ ଦୁଃଖ କଷ୍ଟ ସହି ନଥିବେ? କିନ୍ତୁ ଆମେ ମାନେ ସବୁବେଳେ ବାପାଙ୍କୁ ଦୋଷ ଦେଉଥିଲୁ। ଜୀବନରେ ସାମାନ୍ୟତମ ସୁଖ ଶାନ୍ତି ଦେଇ ନ ଥିବାର ଅଭିଯୋଗ କରୁଥିଲୁ। ଆଜି ଇଚ୍ଛା ହେଉଥିଲା, ମନ ଖୋଲି ଢେର କାନ୍ଦିବାକୁ। କିନ୍ତୁ ମୁଁ ପାରୁ ନ ଥିଲି।


ରାତିରେ ଶୋଇଲା ବେଳେ ଲାଗିଲା, ମୁଁ ବାପାଙ୍କ କୋଳରେ ଶୋଇଛି, ଛୋଟ ପିଲାଟିଏ ହୋଇ। ମନେ ପଡ଼ିଲା, ପିଲାଦିନେ ଖରା ଦିନ ସନ୍ଧ୍ୟାରେ ମୁଁ ବାପାଙ୍କ ସହ ଶୁଏ ଆମ ପୁରୁଣା ଚାଳ ଘରର ମାଟି ଅଗଣାରେ। ସନ୍ଧ୍ୟା ଆକାଶରେ ଜହ୍ନ ସହ ଅଗଣିତ ତାରା ଭର୍ତ୍ତି ହୋଇ ଚିକମିକ କରୁଥାନ୍ତି। ବୋଉ ପିଣ୍ଡା ଚୁଲିରେ ରୋଷେଇ କରିବା ସହ ବାପାଙ୍କ ପାଖରେ ଅନେକ ଅଭିଯୋଗ କରେ। ଘରେ ତେଲ ନାହିଁ, ଲୁଣ ନାହିଁ, ସଉଦା ନାହିଁ, ପରିବା ନାହିଁ। ବାପା ସେ କଥାକୁ ଧ୍ୟାନ ନ ଦେଇ, ମତେ ନାନାବାୟା ଗୀତ ଶୁଣାନ୍ତି। ରାଜା ପୁଅ, ବୁଢ଼ୀ ଅସୁରୁଣୀ, କୁହୁକ ପେଡି ଗପ କୁହନ୍ତି। ଆକାଶର ଚଳମାନ ତାରାକୁ ଦେଖାଇ କୁହନ୍ତି, "କେହି ଜଣେ ତାନ୍ତ୍ରିକ ତନ୍ତ୍ର ବିଦ୍ୟା ଦ୍ଵାରା ଆକାଶର ତାରାକୁ ନେଇ ଯାଉଛି, ନିଜ କୁହୁକ ମାଠିଆରେ ରଖିବା ପାଇଁ।" ଆକାଶରୁ ଖସୁଥିବା ଉଲ୍କା ପିଣ୍ଡକୁ ଦେଖାଇ କୁହନ୍ତି, "ଏହାକୁ ଦେଖି ଯାହା ମାଗିବ, ତାହା ନିଶ୍ଚୟ ମିଳିବ।" ମୁଁ ସବୁବେଳେ ରାତିର ଆକାଶରେ ଖସୁଥିବା ଉଲ୍କାକୁ ଖୋଜୁଥାଏ। ଯେତେବେଳେ ଦେଖେ ଭଗବାନଙ୍କ ଉଦ୍ଦେଶ୍ୟରେ କୁହେ, "ମୋ ବାପାଙ୍କୁ ଗୁଡ଼ାଏ ଟଙ୍କା ଦିଅ। ଆମେ ସବୁଠୁ ଧନୀ ହୋଉଯାଉ। ଆମର ସବୁ ଅଭାଵ ଅସୁବିଧା ଦୂର ହେଉ"। କିନ୍ତୁ ସେ ସ୍ବପ୍ନ ସବୁ ଉଲ୍କା ପିଣ୍ଡ ଭଳି କ୍ଷଣକ ମଧ୍ୟରେ କୁଆଡେ ଲିଭିଯାଏ। କିନ୍ତୁ ଆମମାନଙ୍କୁ ନେଇ ବାପାଙ୍କର ଅନେକ ସ୍ବପ୍ନ ଥାଏ। ଆମେ ବଡ଼ ହୋଇ ଗଲେ ସବୁ ଠିକ ହୋଇଯିବାର ଆଶା ଭରଷା ନେଇ ସେ ଦିନ କାଟୁଥାନ୍ତି।


ଯେଉଁଦିନ ଜେଜି ମା, ଆମକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲା, ବାପା ବହୁତ ଭାଙ୍ଗି ପଡିଲେ। ମୁଁ ମନେ ମନେ ମା'କୁ ବହୁତ ଖୋଜେ। ମୋର ବାଳୁତ ମନ ସବୁବେଳେ ବାପାଙ୍କୁ ପଚାରେ, "ମଣିଷ ମରିଗଲା ପରେ କୁଆଡେ ଚାଲିଯାଏ"। ବାପା ନିର୍ବିକାର ଭାବରେ ନିର୍ଲିପ୍ତ ସ୍ୱରରେ କୁହନ୍ତି, " ମଣିଷ ମଲା ପରେ ତାରା ହୋଇ ଯାଏ। ଆକାଶରେ ରହି, ନିଜ ଲୋକଙ୍କ ହସ ଖୁସି ଭଲ ମନ୍ଦ ସବୁ ଦେଖୁଥାଏ।" ବାହାରେ ବିଜୁଳି ଓ ଘଡଘଡିର ଶବ୍ଦ। ମୋ ସ୍ବପ୍ନ ଭାଙ୍ଗିଗଲା। ଆଖିରୁ ଲୁହ ପୋଛି, ପାଖରେ ଶୋଇଥିବା ଶୁଭଦାକୁ ମୁଁ ପ୍ରଶ୍ନ କଲି, "ମଣିଷ ମରିଗଲା ପରେ ସତରେ କଣ ତାରା ହୁଏ? ବାପା କଣ ତାରା ହୋଇ, ଆମ ଭଲ ମନ୍ଦ ସବୁ ଦେଖୁଥିବେ? କିନ୍ତୁ ସେ ନିଘୋଡ଼ ନିଦରେ ଶୋଇଥିଲା। ସାରା ଦିନର ପରିଶ୍ରମ ତାର ସୁନ୍ଦର ଛୋଟ ମୁହଁଟିକୁ ମଳିନ କରିଦେଇଥାଏ। ମୋ ମନ ଭିତରେ ବାପାଙ୍କର ଅଗଣିତ ସ୍ମୁତି ଉଙ୍କି ମାରୁଥିଲା। ଘର ସାରା ବାପାଙ୍କର ଦେହର ମିଠାଳିଆ ଝାଲୁଆ ବାସ୍ନା। ମନ ପୁରି ଯାଉଥିଲା.. ମୁଁ ଆସ୍ତେ କରି କବାଟ ଖୋଲି ବାହାରକୁ ଆସି ଆକାଶକୁ ଚାହିଁଲି। ବିଳମ୍ବିତ ରାତିର ମେଘୁଆ ଆକାଶ ଥିଲା ତାରା ଶୂନ୍ୟ। ଅନେକ ଖୋଜିଲା ପରେ ପୂର୍ବ ଆକାଶରେ ଟିକି ତାରଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା। ତା ଭିତରେ ମୁଁ ଦେଖୁଥିଲି, ବାପାଙ୍କର ଶାନ୍ତ ସ୍ନିଗ୍ଧ ଅତି ଆପଣାର ସେ ଅଭୁଲା ମୁହଁକୁ।



Rate this content
Log in