The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Seetaram Dash

Classics

3.3  

Seetaram Dash

Classics

ମୋ ସୁନା ଭଉଣୀ

ମୋ ସୁନା ଭଉଣୀ

7 mins
26


ଭଉଣୀଟିଏ ଭାଇ ପାଇଁ ମମତାର ବନ୍ଧନ ଏବଂ ସ୍ନେହର ଶିକୁଳି। ବାପ ସହିତ ଭାଇ ଓ ମା ସହିତ ଭଉଣୀ ଶବ୍ଦ ଯୋଡ଼ା ଯାଇଥାଏ। ଏହା କେବଳ ଦୁଇଟି ଶବ୍ଦ ନୁହେଁ, ଦୁଇଟି ଅତି ନିକଟତମ ସମ୍ପର୍କ, ଯାହା ମଧ୍ୟରେ କେବଳ ଅତି ସୁକ୍ଷ୍ମ ପ୍ରଭେଦ। ଜଣେ ବାପାର ଗୁରୁ ଦାୟିତ୍ୱ ବହନ କରିବାକୁ ସର୍ବଦା ଦଣ୍ଡାୟମାନ ତ ଆଉ ଜଣେ ମା'ର ବିଶାଳ ପଣତ ସାଜି ସ୍ନେହ ପ୍ରେମ ଓ କରୁଣାର ବାରିଧାରା ବର୍ଷିବାକୁ ସଦା ତତ୍ପର। କିନ୍ତୁ କିଛି କିଛି କ୍ଷେତ୍ରରେ ସ୍ୱାର୍ଥର କଳା ବାଦଲ ଏ ମଧୁର ସମ୍ପର୍କର ମିଠାପଣକୁ ଫିକା କରି ଦେଇ ଥାଏ। ଦୁନିଆରେ ମା'ପରେ ଯଦି କିଏ ଅତି ଆପଣାର ଥାଏ ସେ ହେଉଛି ଭଉଣୀ। ପିଲାଟି ଦିନରୁ ଭଉଣୀଟିଏ ଭାଇ ପାଇଁ କେତେ କଣ କରିଥାଏ, ଲେଖିଲେ ତ ଗୋଟେ ପୋଥି ହେବ। ଭାଇଟିଏ ପାଇଁ ଭଉଣୀଟି ସାରା ସଂସାରରେ ସବୁ ଠୁ ସୁନ୍ଦର। ତା ଆଖିରେ ସାରା ଜଗତରେ ସେ ଅନନ୍ୟା, ଅନୁପମା ଓ ଅପରୂପା। 


ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ। ଏହି ପବିତ୍ର ଦିନରେ ଭଉଣୀଟିଏ, ଅତି ସରାଗରେ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ। ରାକ୍ଷୀ ତ କେବଳ ରେଶମୀ ଡୋର ନୁହେଁ। ସ୍ନେହ ପ୍ରେମ ଭଲ ପାଇବାର ମୂକସାକ୍ଷୀ। ତା ଭିତରେ ଭରି ରହିଥାଏ ଅନେକ ଅକୁହା ଆବେଗ। ଅନେକ ସ୍ମୁତି, ଅନେକ ପ୍ରତିଶ୍ରୁତି। ସାନ ଭଉଣୀ ମୋ ହାତରେ ବାନ୍ଧି ଥିବା ରାକ୍ଷୀ ଗୁଡ଼ିକ କାହିଁକି କେଜାଣି, ମୁଁ କେବେ ବି ଫିଙ୍ଗି ପାରେ ନାହିଁ। ଆଜି ପର୍ଯ୍ୟନ୍ତ ତା ପାଖରୁ ଆସିଥିବା ପ୍ରତ୍ୟେକ ରାକ୍ଷୀ ମୁଁ ସାଇତି ରଖିଛି ଖୁବ ଯତ୍ନରେ।


ଆମ ଘରେ ଝିଅଟିଏ ନ ଥିବାରୁ ଏବଂ ବୋଉର ଅସୁସ୍ଥତା ଲାଗି ରହୁଥିବାରୁ ମାଉସୀଙ୍କ ଝିଅ ଆମ ଘରେ ଛୋଟ ବେଳୁ ରୁହେ। ସେ ମୋ ଠୁ ଆଠ ବର୍ଷ ସାନ। ପିଲାଟି ଦିନରୁ ମୁଁ ତାକୁ ବହୁତ ଭଲ ପାଏ। ମୋ ଠୁ ଢେର ସାନ ହେଲେ ବି ଆମେ ସାଙ୍ଗ ଭଳି ଚଳୁ। ସବୁବେଳେ କଳି ଝଗଡା ମରାମରି। ଯଦି ସେ କେବେ ମୋ ସହ ବଡ଼ ଧରଣର କଳି ଝଗଡା କରେ ମା' କହେ, "ତାରି କୋଳରେ ତୁ ବଢିଛୁ। ତୋରି ଘୁଅ ମୁତରେ ଘାଣ୍ଟି ହୋଇ ତା ପିଲାଦିନ ସରିଛି। ଆଜି ତାରି ପଛରେ ପଡିଛୁ। ତତେ ମରଣ ହେଉନି"। ସେ ତେର ଚଉଦ ବର୍ଷର ହୋଇଥାଏ। ସେ ବର୍ଷ ମୋ ଦେହ ଭୀଷଣ ଖରାପ ହେଲା। ଦୀର୍ଘ ଏକ ମାସ ଜ୍ଵରରେ ପଡିଲି। ରୋଷେଇ ବାସ, ଗୋରୁ ଗାଈ, ଏମିତି ଘରେ ଗୁଡାଏ କାମ। ବୋଉ ଏକୁଟିଆ ମଣିଷ। ମୋର ସବୁ କାମ ଛୋଟ ପିଲାଟିଏ ହୋଇ ବି ସେ ଖୁବ୍ ଦାୟିତ୍ୱ ସହ କରେ। ମତେ ଔଷଧ ଖୁଆଇବା, ମୋ ଲୁଗାପଟା ସଫା କରିବା ଏବଂ ଗରମ ପାଣି କରି ସେହି ରୋଗ ଶଯ୍ୟାରେ ମୋ ଗୋଡ଼ ହାତ ଧୋଇ ପରିଷ୍କାର କରି ଦେବା ଇତ୍ୟାଦି ସବୁ କିଛି କରେ। ସତେ ଯେମିତି ସେ ମମତାମୟୀ ମା'ଟିଏ। ମୋ ଦେହ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା। ଏବେ ଆମର ଆଉ ଆଗ ଭଳି କଳି ଝଗଡା ହେଉ ନ ଥିଲା। ବଡ଼ ଭାଇରୁ ମୁଁ ଜଣେ ଦାୟିତ୍ୱବାନ ବାପ ପାଲଟି ଯାଇଥିଲି। ତାର ବହି, ଖାତା, କଲମ ପାଇଁ ଘରେ ଝଗଡା କରୁଥିଲି। ତାର ବେପାରୁଆ ସ୍ୱଭାବରୁ ବଢି ଯାଇଥିବା ନଖ ସବୁକୁ ନିଜ ହାତରେ କାଟୁଥିଲି। ତାର ସ୍କୁଲ ଡ୍ରେସ ଆଇରନ ଦେଇ ଦେଉ ଥିଲି। ମୋ ନିଜ ଖର୍ଚ୍ଚରୁ ପଇସା ବଞ୍ଚାଇ କ୍ରିମ୍ ପାଉଡର ନେଲ ପଲିସ କିଣି ଆଣୁଥିଲି। ସ୍କୁଲ ପରେ ସେ ହଷ୍ଟେଲରେ ରହି ପାଠ ପଢିଲା।


ଯେଉଁ ଦିନ ସେ ହଷ୍ଟେଲରୁ ଘରକୁ ଆସେ, ଆମର ସାରା ରାତି କଟିଯାଏ ଖୁସି ଗପରେ। ମୁଁ ଖଟ ଉପରେ ଶୁଏ। ଖଟ ତଳେ ଜେଜି ମା' ଆଉ ତା ପରେ ବବଲି। ମୁଁ ଖଟ ଉପରୁ ଅଧା ଓହଳି ତା ସହ ଗପୁଥିବି। ଦୁନିଆ ଯାକର କେତେ କେତେ କଥା। ଆମ ସାହିର କଳି କଜିଆ ଠୁ ତା କଲେଜ, ହଷ୍ଟେଲ, କଲେଜ ପିକନିକ, କଲେଜ ଡ୍ରାମା ଏମିତି ଅନେକ କଥା। ଯେତେବେଳେ ମା'ର ନିଦ ଭାଙ୍ଗେ, ସେ ମତେ ଗୁଡାଏ ଗାଳି କରେ। ଗାଳି କରି କୁହେ, "ଏ ଦୁଇଟାଙ୍କର କିଛି କାମ ନାହିଁ। କିଏ କୁଆଡେ ଗଲା, କିଏ କୋଉଠୁ ଆସିଲା, ବାରଆଡ଼ର ବାଜେ କଥା। କାଲି ଠାରୁ ତମେ ଦୁଇଟା ଅଲଗା ଶୋଇବ।" ବବଲି ରାଗିକି କୁହେ, "ତୁ ଯା ଆର ଘରେ ଶୋଇବୁ।"


ସାନ ଭଉଣୀଟି ପାଇଁ, ମୁଁ ବୋଉକୁ କେବେ ଖୋଜେ ନି। ସକାଳର ବ୍ରେକଫାଷ୍ଟ, ଲଞ୍ଚ ଏବଂ ଡିନର ସେ ବାଢିଦିଏ। ଆମେ ସାଙ୍ଗ ହୋଇ ଖାଉ। ତାକୁ ମୋର କପଡା ସଫା କରିବା ଆଇରନ ଦେବା କଥା କେବେ କହିବାକୁ ପଡେନି। ମୁଁ ଗାଧୋଇବା ସମୟରେ ସେ କଳ ମାରି ପାଣି କାଢ଼େ। ଖରା ଦିନ ମାନଙ୍କରେ ମୁଁ ଦଶ ବାର ବାଲ୍ଟି ପାଣିରେ ଗାଧାଏ। ଦେହ ମୁଣ୍ଡ ହେଲେ ଦିନ ରାତି ଜଗି ବସେ। ଗୋଡ଼ ମୋଡି ଦିଏ। ମୁଣ୍ଡ ଚିପି ଦିଏ। ଆମ ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କ ଦେଖି ସମସ୍ତଙ୍କର ଇର୍ଷା। ପଡ଼ିଶା ଘର ଖୁଡି ମା ମାନେ ଦେଖେଇ ଦେଖେଇ କୁହନ୍ତି, "ସବୁ ଭାଇମାନେ ବାଡୁଅ ବେଳେ ଏମିତି ଥାଆନ୍ତି। ଘରକୁ ସ୍ତ୍ରୀ ଟିଏ ଆସିଲେ କୋଉ ଭାଇ କାହାର।" ବବଲି ତ ମୁହଁ ମୁହେଁ ଜବାବ ଦିଏ କିନ୍ତୁ ମତେ ଭାରି କଷ୍ଟ ହୁଏ। 


ଦିନେ, ଗାଳିରୁ ରକ୍ଷା ପାଇବା ପାଇଁ ଛାତର ତାଜା ଉପରେ ମୁଁ ବସି ବନସି କଣ୍ଟାରେ ସୂତା ବାନ୍ଧୁଥିଲି।(ବନିସି ତିଆରି କଲେ ଘରେ ବହୁତ ଗାଳି ଦିଅନ୍ତି। ମୁଁ ସାଙ୍ଗ ସାଥୀଙ୍କ ପାଇଁ ବନସି ତିଆରି କରେ) ସୂତାଟି ତଳକୁ ଲମ୍ବି ଥିଲା। ବବଲି ସେ ସୂତାକୁ ଜୋରରେ ନିଜ ଆଡକୁ ଟାଣି ଦେଲା। ବନସି କଣ୍ଟାଟି ମୋ ଜଙ୍ଘରେ ସମ୍ପୂର୍ଣ୍ଣ ପଶିଗଲା। ଶେଷରେ ସେ ଜାଗା କାଟି କଣ୍ଟା ବାହାର କରିବାକୁ ପଡିଲା। ଏବେ ବି ସେ ଚିହ୍ନ ମୋ ଦେହରେ ତାର ସ୍ମୁତି ବହନ କରି ଚାଲିଛି। ବୋଧେ ମରିବା ଯାଏଁ ରହିବ। ସେ ଘଟଣାକୁ ମନେ ପକାଇ ସେ ଅନେକ ଦିନ ପର୍ଯ୍ୟନ୍ତ ମନ ଦୁଃଖ କରୁଥିଲା।


କ୍ରିକେଟ ଖେଳ ଦେଖିବାକୁ ଆମେ ଦୁଇ ଜଣ ପାଗଳ। ସଚିନ ତେନ୍ଦୁଲକର ପରେ ପରେ ବ୍ରେଟ ଲି, ସେର୍ଣ ୱାଟସନ, ଡ଼ି ବିଲିୟର୍ସ ଆମ ଦୁହିଁଙ୍କର ଅତି ପ୍ରିୟ। ମ୍ୟାଚ ଥିବା ଦିନ ଆମେ ଟିଭି କାହାକୁ ଦେଖାଇ ଦେଉ ନାହୁଁ। ବାପା ଗୁଡାଏ ଗାଳି କରନ୍ତି। ସେ କୁହନ୍ତି, "ତାର ପାଠ ପଢା ନ ଦେଖି ତାକୁ ଟିଭି ଦେଖାରେ ମତାଉଛି। ୟେ କୁଆଡେ ବଡ଼ ଭାଇ। ୟାରି ଯୋଗୁ ପିଲାଟା ନଷ୍ଟ ହେଲା।"


ବର୍ଷାରେ ଭିଜିବାକୁ ଆମେ ଦୁହେଁ ଖୁବ୍ ଭଲ ପାଉ। ବର୍ଷା ହେଲେ ଆମେ ଦୁହେଁ ଚାଲି ଯାଉ ଛାତକୁ ଓଦା ହେବାକୁ। ମୁଁ ଭିଜିବାକୁ ଭଲ ପାଏ କିନ୍ତୁ ସେ ଛତା ନେଇ ଯାଏ। ବର୍ଷାକୁ ଦେଖିବାରେ ତାର ଆନନ୍ଦ। ଆମ ଭିତରେ ଥିଲା ଅପୂର୍ବ ସାମଞ୍ଜସ୍ୟ! ଖାଦ୍ୟପେୟ ଠୁ ଆରମ୍ଭ କରି ରୁଚି, ଆଗ୍ରହ, ଚିନ୍ତା, ଚେତନା, ବିଚାର ଧାରା ସବୁଥିରେ ଅପୂର୍ବ ସମାନତା, ଅବିଶ୍ଵସନୀୟ ଅଭିନ୍ନତା। ଯାହା ପ୍ରତି ମୁହୂର୍ତ୍ତରେ ଆମ ସମ୍ପର୍କକୁ ଆହୁରି ଶାଣିତ ଓ ବଳିଷ୍ଠ କରୁଥିଲା। ପିଲାଦିନ ଆଜି ସ୍ବପ୍ନ ଭଳି ଲାଗେ। କେତେ ଶୀଘ୍ର ଚାଲିଗଲା

ହାତ ପାହାନ୍ତାରୁ। ଛୋଟ ବେଳୁ ସେ ପାଠରେ ଖୁବ ମେଧାବୀ। ସ୍କୁଲରେ ସବୁବେଳେ ସେ ପ୍ରଥମ ସ୍ଥାନ ଅଧିକାର କରେ। ଦଶମ ପରୀକ୍ଷାରେ ସେ ସେ ସ୍କୁଲରେ ଟପର୍ ହୋଇଥିଲା। ସେଦିନ ଆମ ଖୁସି କହିଲେ ନ ସରେ। +୩ ରେ ବି ପୁଣି ସେ କଲେଜ ଟପର୍ ହେଲା। ଘରେ ସମସ୍ତେ ଗର୍ବରେ ଫାଟି ପଡୁଥିିଲେ। ଆଜି ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ।


ମୋର ଦୁଇ ପୁଅଙ୍କ ଜନ୍ମ ପରେ ଲିପା(ମୋ ସ୍ତ୍ରୀ) କହିଲା, ସାନ ପୁଅଟି ବହୁତ ସୁନ୍ଦର ହୋଇଛି। ଝିଅଟିଏ ହୋଇ ନ ଥାନ୍ତା? ମୁଁ କିଛି ସମୟ ପାଇଁ ହଜିଗଲି ଭାବନା ରାଜ୍ୟରେ। ମନେ ପଡ଼ିଲା ବବଲିର ନବବଧୂ ସାଜି ବିଦା ହେବା ସମୟର କରୁଣ ଦୃଶ୍ୟ। ସେ ଦିନ ଭଉଣୀ ବିଦା ହେବାର ବ୍ୟଥା ବେଦନା ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲି। ବାପ ନ ହୋଇ ବି ନିବିଡ଼ ଭାବରେ ଅନୁଭବ କରିଥିଲି, ଝିଅକୁ ଶାଶୁ ଘରକୁ ବିଦା କରିବାର ସମୟର ଦୁଃଖ, ଯନ୍ତ୍ରଣାକୁ। ଆଖିର ଲୁହକୁ ରୁମାଲରେ ପୋଛି ମୁଁ କହିଲି, "ଭଗବାନ ବୋଧେ ଠିକ ଜାଣିଛନ୍ତି, ନିଜ ସନ୍ତାନକୁ ଛାଡି ମୁଁ ବଞ୍ଚି ପାରିବି ନାହିଁ"। ଲିପା ସେଦିନ, ସେ ମେଡ଼ିକାଲର ବାରଣ୍ଡାରେ ମତେ ଖୁବ୍ ଆବେଗରେ କୁଣ୍ଢାଇ ଧରିଥିଲା, କିଛି ସମୟ। 


ସେଦିନ ଅପରାହ୍ନରେ ବବଲି ଆସିଥିଲା, ପିଲାମାନଙ୍କୁ ଦେଖିବାକୁ। ଫଳମୂଳ ଠୁ ଆରମ୍ଭ କରି କେତେ କଣ ତା ଭାଉଜ ପାଇଁ ଆଣିଥିଲା। ପିଲାମାନଙ୍କ ପାଇଁ ବି ଅନେକ କିଛି। ସେଦିନ ଲିପା ବବଲିକୁ ହସି ହସି କହିଲା, "ତମ ପ୍ରତି କାଳେ ଭଲ ପାଇବା କମ ହୋଇଯିବ, ସେଥି ପାଇଁ ଭଗବାନ ଆମକୁ ଦୁଇଟି ପୁଅ ଦେଲେ(ଯାଆଁଳା ପୁଅ ମୋର)।" 


ଲିପା ଅନେକ ସମୟରେ ସାନ ପୁଅକୁ ଝିଅ ପିଲାଙ୍କ ଡ୍ରେସ ପିନ୍ଧାଏ। ଝିଅ ଭଳି ସଜ କରେ। ଲେହେଙ୍ଗା ପିନ୍ଧାଇ ସେଲ୍ଫି ନିଏ। ଏ ବୋଧେ ତାର ଅବଚେତନ ମନର ଅଭାଵବୋଧ ଦୂର କରିବାର ସାମାନ୍ୟତମ ପ୍ରୟାସ। ମୋ ସ୍ତ୍ରୀର ଅସୁସ୍ଥତା ସମୟରେ ବବଲି କଥା ବହୁତ ମନେପଡେ। ଯଦି ଆମର ଗୋଟେ ଝିଅ ଥାନ୍ତା ଆମକୁ ପ୍ରତି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥାନ୍ତା, ଠିକ ବବଲି ଭଳି। ମୋର ଅମୃତର ସନ୍ତାନଙ୍କୁ ନେଇ ଆମେ ସ୍ୱାମୀ ସ୍ତ୍ରୀ ଢେର ଖୁସି। କିନ୍ତୁ ଝିଅଟିଏ ନ ଥିବାର ଯନ୍ତ୍ରଣା କେଉଁଠି ନା କେଉଁଠି ଲୁଚି ରହିଛି। ଆଜିକାଲି ମୋର ସେହି ଯନ୍ତ୍ରଣାକୁ ବବଲିର ମିଠା ମିଠା ସ୍ମୁତି ଅନେକ ମାତ୍ରାରେ ଉପଶମ କରିବାରେ ସଫଳ ହୁଏ।


ଆଜିକାଲି ଛ ବର୍ଷର ଅଙ୍କିତା, ଆମ ଭାଇ ଭଉଣୀଙ୍କ ସମ୍ପର୍କକୁ ଆହୁରି ମଜଭୁତ କରିଦେଇଛି। ଅଙ୍କିତା ଦେଖିବାକୁ, ଠିକ ତା ମାମା ବବଲିର କାର୍ବନ କପି। ଗୁଣ ଓ ସ୍ଵଭାଵ ମଧ୍ୟ ମାମା ପାଖରୁ ଛଡ଼େଇ ଆଣିଛି। ସେ ଯେତିକି ଦିନ ମୋ ପାଖରେ ରହେ, କିମ୍ବା ମୁଁ ତା ପାଖରେ ରହେ, ତାର ସବୁ କାମ ମୋ ଦ୍ଵାରା କରାଇବା ପାଇଁ ଜିଦ କରେ। ମାମୁଁ ଗାଧୋଇ ଦେବେ, ମାମୁଁ ଖୁଏଇ ଦେବେ, ମାମୁଁ ମୁଣ୍ଡ କୁଣ୍ଡେଇ ଦେବେ, ମାମୁଁ ନେଲ ପଲିସ ଲଗେଇ ଦେବେ। ଠିକ ତା ମାମା ପିଲାଦିନେ ଯେମିତି ଅଝଟ ହୁଏ। ଅଙ୍କିତାର ଆବଶ୍ୟକ ସବୁ ଜିନିଷ ମୁଁ କିଣି ଦିଏ। ସାନ ଭାଇନା ଆଉ ବବଲି ବିରକ୍ତ ହୁଅନ୍ତି କିନ୍ତୁ ମୁଁ ମନେ ମନେ ଭାବେ, ମତେ ନେଇ ତା ମନରେ କୌଣସି ଅଭାବବୋଧ ନ ରହୁ।


ଜୀବନର ପ୍ରତ୍ୟେକ ଘଡିସନ୍ଧି ମୁହୂର୍ତ୍ତରେ ବବଲି ଛାଇଟିଏ ହୋଇ ମୋ ପାଖରେ ଛିଡା ହୋଇଛି। ସମୟର କରାଳ ଗତିରେ ମୁଁ ଭାସି ଯାଇଛି ଅନେକ ଦୂରକୁ। ଘର ପରିବାର, ବନ୍ଧୁ ବାନ୍ଧବ ସହ ମନାନ୍ତର ହୋଇଛି। ଯେତେବେଳେ ସାରା ଦୁନିଆ ମତେ ଆଉ ମୋ ପିଲାଛୁଆଙ୍କୁ ପର କରିଦେଇ ଥିଲା, ଯେତେବେଳେ ଚାରିଦିଗ ମୋ ପାଇଁ ଆନ୍ଧାର ହୋଇ ଯାଇଥିଲା , ଯେତେବେଳେ ସବୁ ସମ୍ପର୍କ ଉପରୁ ଭରସା ତୁଟି ଯାଇଥିଲା, ସେ ଭଉଣୀ ନୁହେଁ ଭାଇଟିଏ ହୋଇ ଛିଡା ହୋଇଥିଲା ମୋ ପାଖରେ। ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଥିଲା ସବୁ ପ୍ରତିକୂଳ ପରିସ୍ଥିତିରେ। ସବୁବେଳେ ସେ ଚେନାଏ ହସ ବୋଳି ଥିଲା ମୋ ଜୀବନରେ।


ନିଃସ୍ୱାର୍ଥପର ଭଲ ପାଇବାରେ ଏକ ଅଦ୍ଭୁତ ଶକ୍ତି ଥାଏ। ଯଦି କିଏ ତୁମକୁ ହୃଦୟ ଦେଇ ଭଲ ପାଏ, ଅହେତୁକ ସ୍ନେହ କରେ, ମନ ପ୍ରାଣରେ ତୁମ ମଙ୍ଗଳ କାମନା କରେ ତାର ପ୍ରଭାବ ଉଭୟଙ୍କ ଦେହ ମନରେ ଏକ ଅଦୃଶ୍ୟ ଆଲୋଡନ ସୃଷ୍ଟି କରେ। ଅନେକ ଥର ତାର ଟିକିଏ ଅସୁବିଧାରେ, ମାଇଲ ମାଇଲ ଦୂରରେ ଥାଇ ବି, ମୋର ମନ ଅସ୍ଥିର ହୋଇ ଉଠେ। ତାର ମନ ଦଶା, ଭାବାବେଗ, ତାର ମନ ଗହନର ଅନେକ ଅକୁହା କଥା, ମୁଁ ଅନୁଭବ କରେ ଅନେକ ଦୂରରୁ।


ଯଦି ଜନ୍ମ ଜନ୍ମାନ୍ତର ସତ। ଯଦି ପୂର୍ବ ଜନ୍ମ ପର ଜନ୍ମ ସତ, ଈଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା, ପ୍ରତି ଜନ୍ମରେ ତାକୁ ମୁଁ ଭଉଣୀ ରୂପରେ ହିଁ ପାଏ। ଈଶ୍ୱର କରନ୍ତୁ, ସାରା ଜୀବନ ମୁଁ ତାକୁ ଏମିତି ଭଲ ପାଉଥାଏ। କେତେବେଳେ ବାପଟିଏ ହୋଇ ତ କେତେବେଳେ ଭାଇଟିଏ ହୋଇ। ତା ହସରେ ମୋ ଦୁନିଆ ହସୁ ତା କାନ୍ଦରେ ମୋ ଅନ୍ତର କାନ୍ଦୁ। ବାସ ଏତିକି ଶେଷ ଇଚ୍ଛା। ଜୀବନର ଚଲାପଥରେ ଅଭାଵ ଅନଟନ, ଦୁଃଖ ଦାରିଦ୍ର୍ୟ, ସଂସାରର ଜଞ୍ଜାଳ ମଧ୍ୟରେ ଆମ ଭାଇ ଭଉଣୀଙ୍କ ସ୍ନେହ ପ୍ରେମ ଭଲ ପାଇବା କମି ନ ଯାଉ।



Rate this content
Log in

More oriya story from Seetaram Dash

Similar oriya story from Classics