Seetaram Dash

Classics

3  

Seetaram Dash

Classics

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

3 mins
71


କାଲି ସାବିତ୍ରୀ। ଲକ ଡାଉନ ପାଇଁ ଭଉଣୀ ଘରକୁ ଯାଇ ହେବନି, ତା ସାଙ୍ଗକୁ ବାହାରୁ ଲୁଗାପଟା ଫଳମୂଳ କିଣି ନେବା ବି ବିପଦ। ତେଣୁ ସୋନୁ ଭଉଣୀକୁ ଫୋନ କରି ଜଣାଇଲା, ଏ ଥର ଶାଢ଼ୀ ବଦଳରେ ଟଙ୍କା ପଠାଇ ଦେବ। ସାନ ଭଉଣୀ ସୋନାଲି ଏ କଥା ଶୁଣି ବହୁତ ବ୍ୟସ୍ତ। ଦୁଇ ମାସ ହେଲା ଭାଇ ଘରେ ବସିଛି। ଟଙ୍କାଟିଏ ରୋଜଗାର ନାହିଁ। ତା ସାଙ୍ଗରେ ଘରେ ଦୁଇଟି ଛୋଟ ପିଲା। ତେଣୁ ସେ ଟଙ୍କା ନ ପଠାଇବା ପାଇଁ ଭାଇକୁ ବାରମ୍ବାର ମନା କଲା। କିନ୍ତୁ ସୋନୁ ନିଜ ନିଷ୍ପତ୍ତିରେ ଅଟଳ। ସେ ଭଉଣୀକୁ କହିଲା, "ଟଙ୍କା କେଇଟାରେ ତୋ ଭାଇ କଣ ଗରିବ ହୋଇଯିବ? କେଇଟା ଟଙ୍କା ପାଇଁ ମୁଁ ତୋ ସାବିତ୍ରୀ ବନ୍ଦ କରି, ଆଉ ଗୋଟେ ବର୍ଷକୁ ଅପେକ୍ଷା କରିବି। ତୁ କଣ ଚାହୁଁଚୁ, ତୋ ଭାଇ ତାର କର୍ତ୍ତବ୍ୟ କୁ ଭୁଲିଯାଉ। ସମସ୍ତଙ୍କ ଆଖିରେ ଛୋଟ ହେଉ। ତତେ ଲୁଗା ଖଣ୍ଡେ ନ ଦେଇ ପାରିଲେ, ମୋ ମନକୁ କେତେ କଷ୍ଟ ହେବ ତୁ ବୁଝି ପାରିବୁନି"


ଏଇ କେଇ ପଦ କଥାରେ ସୋନାଲିର ମନ ଖୁସିରେ ନାଚି ଉଠିଲା। ତାର ପାଦ ତଳେ ଲାଗୁ ନ ଥିଲା। ତାର ଇଚ୍ଛା ହେଉଥିଲା ଭାଇକୁ ଖୁସିରେ କୁଣ୍ଡେଇ ପକାଇବାକୁ। ସେ ହସି ହସି କହିଲା, "ହଉ, ତୁ ଶହେ ଟଙ୍କା ପଠା ମୋ ଆକାଉଣ୍ଟ କୁ। ବେଶୀ ଦବୁନୁ, ସାବିତ୍ରୀ ପାଇଁ ମୋର ସବୁ କିଣା ସରିଛି"। ଏ ସବୁ ଶୁଣି ସୋନାଲିର ସ୍ୱାମୀ ଅରୁଣ ବାବୁ ହସି ଦେଇ କହିଲେ, "ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ"।

........


ମୋନାଲି ଜଣେ ସରକାରୀ କର୍ମଚାରୀ। ଚାକିରୀ ଅନ୍ୟ ସହରରେ ହୋଇ ଥିବାରୁ ସେଠାରେ ଘର ଭଡା ନେଇ ରୁହନ୍ତି। ଏ ବର୍ଷ ସାବିତ୍ରୀ ଭାର ଶାଶୁ ଘରକୁ ନ ପଠାଇ, ଝିଅକୁ କିଛି ଟଙ୍କା ଦେଇ ଦେବା ପାଇଁ ବୋଉ ସ୍ଥିର କଲେ। ଚାରି ଦିନ ଆଗରୁ ଝିଅ ପାଖକୁ ଟଙ୍କା ପଠାଇ ଦେଲେ। ସାବିତ୍ରୀ ପୂର୍ବଦିନ ମୋନାଲିର ଶାଶୂଘରେ ମହାଭାରତ। ଶାଶୂଘର ଲୋକମାନେ କହୁଥିଲେ, "ଏ କେମିତି ଘରର ଝିଅ? ଭଲ ମନ୍ଦ ଓଷା ବାହାରେ ଭାର ଟିକେ ଦେଉ ନାହାଁନ୍ତି। ଆମେ ସିନା ଚଳେଇ ନେବୁ, ହେଲେ ସାହି ଭାଇ କ'ଣ ବୁଝିବେ। ଖାଇଲା ବେଳକୁ ସମସ୍ତଙ୍କର ଖାଇବ, ହେଲେ ଦେଲା ବେଳକ କାହାକୁ ଦେବନି। ଏ ବୋହୂ ଟା ପାଇଁ ସବୁବେଳେ ଆମ ମୁଣ୍ଡ ତଳକୁ ହେଲା"।


ଶେଷରେ କଥା ଏତେ ଜଟିଳ ହେଲା, ମୋନାଲିର ବାପା ବୋଉ ରାତାରାତି ଭରା ପଠାଇଲେ। ସେ ଭାର କିନ୍ତୁ ସାହି ଭାଇରେ ବଣ୍ଟା ହେଲାନି, ସିଧା ଯାଇଥିଲା ମୋନାଲିର ବଡ଼ ନଣନ୍ଦ ଘରକୁ। ମୋନାଲି ଆଖିରୁ ନୀରବରେ ଝରିଥିଲା ଗୁଡାଏ ଲୁହ।

.........


ମାମାଲି +୩ ର ଶେଷ ବର୍ଷ ଛାତ୍ରୀ। ହଷ୍ଟେଲ ରହି ପାଠ ପଢେ। ସେ ଆଜି ଡିନର ହଷ୍ଟେଲର ଡ଼ାଇନିଂରେ ନ କରି ମିଲ ରୁମକୁ ନେଇ ଆସିଲା। ସନ୍ଧ୍ୟାରେ ମୁନା ଆଉ ମାମାଲି ଏକ ପାର୍କରେ ବସିଥିଲେ। ପ୍ରାୟ ସବୁ ଦିନ ଏହି ଜାଗାରେ ଦୁହେଁ ବସନ୍ତି। ଉଭୟ ଉଭୟଙ୍କୁ ଖୁବ ଭଲ ପାଆନ୍ତି। ମାମାଲିର ଶୁଖିଲା ମୁହଁ ଦେଖି ମୁନା ବ୍ୟସ୍ତ ହୋଇ ପଚାରିଲା, "ଡାର୍ଲିଂଗ, ଆଜି କଣ ହୋଇଛି ତୁମର। ମୋ ଧନର ଚନ୍ଦ୍ର ବଦନ ଆଜି କଣ ପାଇଁ ଶୁଖିଯାଇଛି"। ମାମାଲି କିନ୍ତୁ କହି ପାରିଲା ନାହିଁ, "ସେ, ତାଙ୍କ ପାଇଁ ଆଜି ସାବିତ୍ରୀ ବ୍ରତ କରିଛି"।


.......


ଆର ସାହିର ଭଗିଆ ଅଜା, ବୟସ ସତୁରି ଟପିଲାଣି।କେବେ ଠୁ ପଡିଛନ୍ତି ବିଛଣାରେ। ଗେଲ୍ଲୀ ଆଇ ତାଙ୍କର ସାହା ଭରସା। ପୁଅ ବୋହୂ ଉଭୟ ଚାକିରିଆ, ସହରରେ ରୁହନ୍ତି। ଜଣେ କାମବାଲୀ ଆସି ରୋଷେଇ କରି ଦେଇ ଯାଏ। ଅଜାଙ୍କର ଦେହ ମୁଣ୍ଡ ଭଲ ମନ୍ଦ ସବୁ ଆଇ କରେ। ହାତରେ ଖୁଆଇ ଦେବା ଠୁ ଆରମ୍ଭ କରି ଝାଡା ଗାଧୁଆ ପର୍ଯ୍ୟନ୍ତ ସବୁ କିଛି।


ଅନେକ ଦିନୁ ଭଗିଆ ଅଜା ଶେଜରେ ପଡି ପଡି ଦେହରେ ଘା ହୋଇ ଗଲାଣି। ବହୁତ କଷ୍ଟ ପାଉଛନ୍ତି। ଏକ ପ୍ରକାର ଦୂର୍ଗନ୍ଧ ହେଉଛି ପାଖାପାଖି ପରିବେଶ। ଲୋକେ ଛି ଛା କରି କେତେ କଥା କହୁଛନ୍ତି। ଆର ସାହିର ନରି ଦାସ ମୁହେଁ ମୁହେଁ କହି ବୁଲୁଛି, "ବୁଢା ଗୁଡ଼ାଏ ପାପ କରିଥିଲା, ତେଣୁ ଭୋଗୁଛି"। ଜୀବନରେ ଅନେକ ସାହାଯ୍ୟ ସହଯୋଗ ଏବଂ ଦାନ ଧର୍ମ କରିଥିବା ଲୋକର ଆଜି ଏ ଅବସ୍ଥା!


ଆଇ' ଅଜାଙ୍କୁ, ନିଜ ଜୀବନ ଠୁ ଅଧିକ ଭଲ ପାଏ। ବୈବାହିକ ଜୀବନ କାଳ ମଧ୍ୟରେ ଦୁହିଁଙ୍କର କଳି ଝଗଡା କେବେ ହୋଇନି। ବୟସ ବେଳେ ସକାଳର ନିତ୍ୟକର୍ମ ଠୁ ଆରମ୍ଭ କରି ସନ୍ଧ୍ୟାରେ ଭାଗବତ ଟୁଙ୍ଗିକୁ ଯିବା ପର୍ଯ୍ୟନ୍ତ ସବୁ କାମ ସାଙ୍ଗ ହୋଇ କରନ୍ତି। ସେଥିପାଇଁ ସାହି ଭାଇର ଲୋକେ କେତେ କଣ ଟାହି ଟାପରା କରୁ ଥିଲେ। ଏପରିକି ଅଜା ଆଈଙ୍କ ନା ଦିଆ ଯାଇଥିଲା "ଦା ଧାନକେଣ୍ଡା"।


 ଆଜି ସାବିତ୍ରୀ ବ୍ରତ। ଆଜି ଆଇ' ଏ ବୟସରେ ବି ସାବିତ୍ରୀ ବ୍ରତ କରିଛି। ଖୁବ ନିଷ୍ଠାରେ ଆଜି ଘର ବାହାର ଲିପା ପୋଛା କରି ନିର୍ଜଳା ଉପବାସ ରଖିଛି। ହେଲେ ଅଜାଙ୍କର ଦୀର୍ଘ ଆୟୁଷ ପାଇଁ ନୁହେଁ, ଏ ଯନ୍ତ୍ରଣା ରୁ ମୁକ୍ତି ପାଇଁ। ଭକ୍ତିର ସହ ଯମରାଜଙ୍କ ନିକଟରେ ନେହୁରା ହୋଇ କହୁଥିଲେ, "ମୁକ୍ତି ଦିଅ ପ୍ରଭୁ, ତାଙ୍କୁ ଏ ଯନ୍ତ୍ରଣାରୁ ମୁକ୍ତି ଦିଅ।


Rate this content
Log in

Similar oriya story from Classics