Click here for New Arrivals! Titles you should read this August.
Click here for New Arrivals! Titles you should read this August.

Seetaram Dash

Classics


4.3  

Seetaram Dash

Classics


ଭଉଣୀ'କୁ ଚିଠି ଖଣ୍ଡେ

ଭଉଣୀ'କୁ ଚିଠି ଖଣ୍ଡେ

5 mins 344 5 mins 344

ଅଫିସରୁ ଫେରୁଥାଏ । ସାମ୍ନାପଟୁ ଅତର୍କିତ ଭାବରେ କାରଟିଏ ଆସି, ମତେ ଧକ୍କା ଦେଲା । ମୁଁ ଛିଟିକି ପଡିଲି ଗାଡି ସହ । ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁଥାନ୍ତି, କିନ୍ତୁ ମୋ ଉପରେ କାହାର ନଜର ନ ଥାଏ । କେହି ଜଣେ ବି ଟିକେ ସାହାଯ୍ୟ କରିବା ପାଇଁ ଆସୁ ନ ଥାନ୍ତି । ଈଶ୍ୱରଙ୍କ ଅପାର କରୁଣା ଓ ହେଲମେଟ୍ ପିନ୍ଧିଥିବାରୁ ବଞ୍ଚିଗଲା ମୋ ଜୀବନ। ମୋର ଠିକ ମନେ ଅଛି, ତଳେ ପଡିବା ସମୟରେ ପିଚୁ ରାସ୍ତାରେ ମୋ ମୁଣ୍ଡ ଖୁବ ଜୋରରେ ପିଟି ହୋଇଯାଇ ଥିଲା । ଯଦି ହେଲମେଣ୍ଟ ନଥାନ୍ତା, ଆଜି ମୋର କଣ ହୋଇଥାନ୍ତା ? କିଛି ସମୟ ପରେ ମୁଁ ଉଠି ବସିଲି। ଜଣେ ପଦଚାରୀ ସାହାଯ୍ୟରେ ଗାଡି ରାସ୍ତାକଡ଼କୁ ରଖି ଜଣେ ସାଙ୍ଗକୁ ଫୋନ କରି ଡକେଇଲି । ହାତରେ ଭୀଷଣ ଆଘାତ ଲାଗି ଢେର ଫୁଲି ଖୁବ ଯନ୍ତ୍ରଣା ହେଉଥାଏ । ତୁରନ୍ତ ହସ୍ପିଟାଲରେ ମୁଁ ଭର୍ତ୍ତି ହେଲି । ପରେ ଜଣା ପଡିଲା, ବାମ ହାତଟି ଦୁଇ ଜାଗାରେ ଭାଙ୍ଗିଛି । ଅନେକ ଦିନ ପର୍ଯ୍ୟନ୍ତ ମତେ ମେଡ଼ିକାଲରେ ରହିବାକୁ ପଡିଲା । ମୁଁ ଧୀରେ ଧୀରେ ସୁସ୍ଥ ହେଉଥାଏ । ଅନେକ ରୋଗୀ ଆସୁଥାନ୍ତି ଅନେକ ଯାଉଥାନ୍ତି । ମୁଁ ଅପେକ୍ଷା କରିଥାଏ ମୋ ଡିସଚାର୍ଜ ଦିନକୁ । କେବେ ମୁକ୍ତି ମିଳିବ ଏ ଯମପୁରରୁ?


ଦିନେ ସକାଳୁ ସକାଳୁ ଜଣେ ତରୁଣୀ, ମୋ ପାଖ ବେଡ଼ରେ ଆଡ଼ମିଟ ହେଲେ । ମୁଣ୍ଡର କ୍ଷତରେ ପଟି ବନ୍ଧା ଯାଇଥାଏ ଓ ହାତରେ ବ୍ୟଣ୍ଡେଜ । ଦେଖିବାକୁ ଖୁବ ଶାନ୍ତ ସରଳ ଚେହେରା । ପ୍ରଥମ ଦେଖାରେ କାହିଁକି କେଜାଣି, ସେ ଅତି ଆପଣାର ମଣିଷ ଭଳି ଲାଗୁଥାଏ । ତାର ବେଶ ପୋଷାକ ଓ ବ୍ୟବହାରରୁ ଜଣା ପଡୁଥାଏ, ସେ ନବ ବିବାହିତା । ଅନେକ ସମୟରେ ମୁଁ ଲକ୍ଷ୍ୟ କରେ, ତା ପ୍ରତି ତା ସ୍ୱାମୀର ରୁକ୍ଷ ବ୍ୟବହାରକୁ । କେଉଁ ଏକ ଅଜଣା ଯନ୍ତ୍ରଣା ମୋ ଦେହ ମନକୁ ଅସ୍ତବ୍ୟସ୍ତ କରିଦିଏ । ମନେମନେ ମୁଁ ତା ବିଷୟରେ ଅନେକ କଥା ଚିନ୍ତା କରେ । ମୁଁ ଭାବେ ନୂଆ ବୋହୂଟି ସହ କଣ ଘଟିଥାଇ ପାରେ ।

ଅପରାହ୍ନରେ ମୋ କୋଠରୀ ବାରଣ୍ଡାରେ ଥିବା ଷ୍ଟିଲ ବେଞ୍ଚ ଉପରେ ମୁଁ ବସିଥାଏ । ଜଣେ ଶିକ୍ଷିତ ଓ ସୌମ୍ୟଦର୍ଶୀ ଯୁବକ ଆସି ମୋ ପାଖରେ ବସିଲେ । ଆମ ଭିତରେ କିଛି ଔପଚାରିକ କଥାବାର୍ତ୍ତା ଚାଲିଲା । କିଛି ସମୟ ପରେ ଯୁବକ ଜଣକ ପାଖ କ୍ୟାଣ୍ଟିନରୁ ଦୁଇ କପ ଚା ଆଣି ଗୋଟେ କପ ମତେ ଧରେଇ ଦେଇ ଆଉ ଗୋଟେ କପ ସେ ପିଇଲେ । କିଛି ସମୟ କଥାବାର୍ତ୍ତା ପରେ ଯୁବକ ଜଣକ ଚିଠି ଖଣ୍ଡେ ପକେଟରୁ କାଢି ମୋ ପାଖ ବେଡ଼ର ତରୁଣୀ ଜଣକୁ ଦେବା ପାଇଁ କହିଲେ । ମୁଁ ଆଶ୍ଚର୍ଯ୍ୟ ଚକିତ ହେବା ସହ ବିରକ୍ତ ହୋଇ କହିଲି, " ଏସବୁ ବାଜେ କାମ ମୋ ଦ୍ଵାରା ହେବ ନାହିଁ"। ମୋ କଥା ଶୁଣି ଯୁବକ ଜଣକ କିଛି ସମୟ ପାଇଁ ବିଚଳିତ ହୋଇ ଉଠିଲା । ଆଖିରେ ତାର ଲୁହ ଟଳମଳ । ସେ ଅଶ୍ରୁସଜଳ କଣ୍ଠରେ କହିଲା, "ମୋ ପ୍ରତି ଦୟା କରନ୍ତୁ । ଏ ଛୋଟ କାମଟିକୁ କରିବାକୁ ମନା କରନ୍ତୁନି"। ତା ପରେ ସେ ମୁଣ୍ଡ ପୋତି ବସି ରହିଲା ପାଖ ବେଞ୍ଚରେ । ସ୍ଥିର, ନିଶ୍ଚଳ । ସତେ ଯେମିତି ତା ଦେହରେ ପ୍ରାଣ ନାହିଁ । ମୁଁ ଆଶ୍ୱାସନା ଦେଇ କହିଲି, "ସେ ଝିଅ ତୁମର, ସମ୍ପର୍କରେ କଣ ହେବ ? ଚିଠିଟି ତୁମେ ନିଜେ କଣ ପାଇଁ ଦେଉନ ?"

ଏକ ବାଷ୍ପରୁଦ୍ଧ କମ୍ପିତ ସ୍ୱରରେ ସେ କହିଲା, "ମୁଁ ତାର ଅଭାଗା ଭାଇ । ଭଉଣୀକୁ ଶାଶୁଘରର ଇଚ୍ଛା ମୁତାବକ ଯୌତୁକ ଦେଇ ପାରି ନଥିବାରୁ, ତାଙ୍କ ଘର ଲୋକେ ଆମ ସହିତ ସବୁ ସମ୍ପର୍କ କାଟି ଦେଇଛନ୍ତି । ତା ପାଇଁ ଆମେ ସମସ୍ତେ କେତେ ଲୁଚାଇ ଲୁଚାଇ କାନ୍ଦୁ । ବାପା, ବୋଉ ଓ ମୁଁ... ମନା କରନ୍ତୁନି। ଏମିତି ନ ହେଉ, ଦୁଃଖ ଯନ୍ତ୍ରଣା ଓ ଅପମାନ ସହି ନ ପାରି, ମୋ ଭଉଣୀଟା ସବୁଦିନ ପାଇଁ ଆର ପାରିକୁ ଚାଲି ନଯାଉ । ନିଷ୍ପଲକ ଦୃଷ୍ଟିରେ ମୁଁ ଚାହିଁଥିଲି ସେ ଯୁବକଟିର ମୁହଁକୁ । ତା ଆଖି ଓଦା ହୋଇ ଆସୁଥିଲା । ନୀରବରେ ସେ ଦୀର୍ଘଶ୍ଵାସ ପକାଇ ଆଖି ବୁଜିଲା । ଟୋପାଏ ଲୁହ ଗଡ଼ି ଆସିଲା ତା ଆଖିରୁ । ମୁଁ ଧୀର ସ୍ୱରରେ କହିଲି, "ହଉ, ଚିଠିଟି ଦିଅ"। ଚିଠିଟି ମୋ ହାତକୁ ଦେଇ ଚାଲିଗଲା ସେ ଯୁବକ । ସେ ଯିବାପରେ ଚିଠିଟି ପଢିବାକୁ ମୋର ଉତ୍କଣ୍ଠା ବଢ଼ିଲା। ମନରେ ସୃଷ୍ଟିହେଲା ଅନେକ ପ୍ରଶ୍ନ। ସତରେ କଣ ଏମାନେ ଭାଇ ଭଉଣୀ ? ଯୁବକ ଜଣଙ୍କ ଯାହା କହିଗଲେ ସେସବୁ କଣ ସତ ? ଆଜିକାଲି ପୁରୁଣା ପ୍ରେମ ସମ୍ପର୍କ ପାଇଁ ଅନେକ ନବ ଦମ୍ପତିଙ୍କ ସଂସାର ଭାଙ୍ଗି ଯାଉଛି । ଏମାନଙ୍କ ସମ୍ପର୍କ ସେମିତି କିଛି ନୁହେଁତ । ଚିଠିଟିରେ କଣ ଲେଖା ହୋଇଥିବ ଜାଣିବାକୁ ମୋ ମନ ବ୍ୟାକୁଳ ହେଲା । ଜଣଙ୍କର ବିଶ୍ୱାସରେ ବିଷ ଦେଇ, ମୁଁ ଚିଠିଟିକୁ ଖୋଲି ପଢ଼ିଲି । ଚିଠିଟିର ସାରାଂଶ ଥିଲା...


ସ୍ନେହର ମିତାଲି,

ଢେର ସାରା ଭଲ ପାଇବା ତୋ ପାଇଁ । ସମୟ ଓ ପରିସ୍ଥିତି ଆଜି ଆମକୁ ତୋ ଠାରୁ ବହୁତ ଦୂରକୁ ଠେଲି ଦେଇଛି । କିନ୍ତୁ ଏସବୁ ପାଇଁ ତୁ ଆଦୌ ବ୍ୟସ୍ତ ହେବୁନି । ଦୁନିଆରେ କୌଣସି ସମସ୍ୟା ଚିରସ୍ଥାୟୀ ନୁହେଁ । ଏ ସମୟ ବି ଚାଲିଯିବ । ହଁ, ନିଶ୍ଚୟ ଚାଲିଯିବ । ହୋଇପାରେ, ଭଗବାନ ଆମର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି । ଫୁଲର ସୁଗନ୍ଧ ଭଳି ତୋର ସୁଗୁଣ ସବୁ ଚାରିଆଡକୁ ଦିନେ ନା ଦିନେ ନିଶ୍ଚୟ ବ୍ୟାପିବ । କେବଳ ସମୟକୁ ଅପେକ୍ଷା । ଆଜି ଶୁଣିବାକୁ ପାଇଲି ତୁ ଆତ୍ମହତ୍ୟା କରିବାକୁ ପ୍ରୟାସ କରି ମେଡିକାଲରେ ଭର୍ତ୍ତି ହେଉଛୁ । ମୁଁ ଜାଣିଛି, ତୋ ସହିତ ଦେଖା ହୋଇ ପାରିବନି ତେଣୁ ଚିଠି ଖଣ୍ଡେ ଲେଖିଲି । ଜାଣିନି ଏ ଚିଠି ତୋ ପାଖରେ ପହଞ୍ଚି ପାରିବ କି ନାହିଁ । ଟିକେ ଭାବିଲୁ, ତୋର ଯଦି କିଛି ହୋଇଯାଏ ଆମେ କେମିତି ବଞ୍ଚିବୁ । ତତେ ବଞ୍ଚିବାକୁ ହେବ, ଆମମାନଙ୍କ ପାଇଁ, ତୋ ନିଜ ପାଇଁ । ଜୀବନରେ ଯେତେବେଳେ ବିରକ୍ତି, କ୍ରୋଧ ଏବଂ ଅଶାନ୍ତିରେ ନିଜ ଉପରୁ ନିୟନ୍ତ୍ରଣ ହରାଇବୁ, ଯେତେବେଳେ ଅନୁଭବ କରିବୁ, ତତେ କେହି ବୁଝିପାରୁ ନାହାନ୍ତି, ତୋର କେହି ଆପଣାର ନାହାନ୍ତି, ଏ ସଂସାରରୁ ତୋ ପାଇଁ ସ୍ନେହ, ଆଦର, ଭଲ ପାଇବା ସରିଯାଇଛି, ଛାତିର କୋହ, ଆଖିର ଲୁହ ତତେ ବ୍ୟତିବ୍ୟସ୍ତ କରୁଥିବ, ସେତେବେଳେ ଏତିକି ଅନୁରୋଧ, " ମୁହୂର୍ତ୍ତକ ପାଇଁ ମନେ ପକାଇବୁ, ଏ ପୃଥିବୀରେ ଅନ୍ତତଃ କେହି ଜଣେ ଅଛି, ଯେ ତତେ ନିଜ ଜୀବନଠୁ ଅଧିକ ଭଲ ପାଉଛି। ତାର ସ୍ନେହ ମମତା ଅଦୃଶ୍ୟରେ ତୋ ଚାରିପଟେ ଘୁରି ବୁଲୁଛି । ଦେଖିବୁ, ତୋ ମନକୁ ତୋ ଅନ୍ତର ଆତ୍ମାକୁ କେତେ ଶାନ୍ତି ଓ ତୃପ୍ତି ମିଳିବ । ପରିଶେଷରେ, ତତେ ତୋ ଭାଈର ନିୟମ, ଯଦି ତୁ ଅନୁଭବ କରୁଥାଉ ମୁଁ ତତେ ଭଲ ପାଉଥାଏ, ଭରସା କରୁଥାଏ, ଏତିକି କରିବୁ, "ଆଜିଠୁ ଦୁଃଖରେ, ରାଗରେ କେବେ ଜୀବନ ହାରିଦେବା କଥା ଭାବିବୁନି। ଜୀବନରେ କେବେ ବି ମୁଣ୍ଡକୁ କି ଦେହକୁ ଆଘାତ କରିବୁନି । ତତେ ତୋ ଭାଇର ରାଣ । ମୋ ପାଇଁ ଏତିକି ପ୍ରତିଜ୍ଞା କର । ଆଜି ମୋ ଦେହ ଛୁଇଁ ଶପଥ କର, "ହେ ଭଗବାନ, ତୁମେ ମତେ ଯେତେ ଦୁଃଖ ଦେଉଛ ଦିଅ, ଯେତେ କଷ୍ଟ ଦେଉଛ ଦିଅ, ଯେତେ ଅପମାନ ଦେଉଛ ଦିଅ । ମୁଁ କେବେ ଜୀବନ ହାରିବି ନି, ମୁଣ୍ଡକୁ ଆଘାତ କରି ଲହୁ ଲୁହାଣ କରିବିନି ।"

ଇତି,    ଆଶିଷ


ଚିଠିଟି ପଢି ସାରି ମୁଁ ସ୍ତବ୍ଧ ହୋଇ ବସିଥିଲି । ବିଷାଦର ଏକ ବଳୟ ଘେରି ଯାଇଥିଲା ମୋ ଚାରିପାଖର ପୃଥିବୀକୁ । ସମୟ ସୁବିଧା ଦେଖି ବଡ଼ ସନ୍ତର୍ପଣରେ ମୁଁ ପାଖ ବେଡ଼ର ତରୁଣୀକୁ ସେ ଚିଠିଟି ଦେଲି । ଜଣେ ଅଜଣା ବ୍ୟକ୍ତିର ଏପରି ଆଚରଣ, ତାକୁ କିଛି ସମୟ ପାଇଁ ବ୍ୟସ୍ତ ଓ ବିବ୍ରତ କରିଥିଲା । କିଛି ସମୟ ପାଇଁ ଏକ ଭିନ୍ନ ନଜରରେ ସେ ମତେ ଚାହିଁ ରହିଲା । ତା ମନ କଥା ବୁଝିପାରି ମୁଁ କହିଲି, "ଚିଠିଟି ତୁମ ଭାଇ ଆଶିଷ, ତୁମକୁ ଦେବା ପାଇଁ ମତେ ଦେଇଛନ୍ତି । ମୋ କଥା ଶୁଣି, ସେ ଚିଠିଟିକୁ ନେଇ ଖୋଲି ଦେଖିଲା । ବୋଧେ ଅକ୍ଷରରୁ ଜାଣି ପାରିଲା, ଚିଠିଟି ତା ଭାଇର । ତା ପରେ ସେ, ଚିଠିକୁ ଛାତିରେ ଚାପି ଧରିଲା ଅମୂଲ୍ୟ ନିଧି ପାଇଲା ପରି । ତା ଜୀବନର ଇପ୍ସିତ ସ୍ବପ୍ନକୁ ଫେରି ପାଇଲା ପରି।



Rate this content
Log in

More oriya story from Seetaram Dash

Similar oriya story from Classics