STORYMIRROR

Seetaram Dash

Tragedy

4  

Seetaram Dash

Tragedy

ବନ ଫୁଲ

ବନ ଫୁଲ

4 mins
241


ଅଫିସ ଯିବାବେଳେ ଗାଡି ଚାବି ନ ମିଳିବାରୁ ସମ୍ବିତ ଖୁବ୍ ବିରକ୍ତ ହେଉଥିଲେ। ଜଣେ ଦାୟିତ୍ୱହୀନ ସ୍ତ୍ରୀ ଜୀବନକୁ କିପରି ନର୍କ କରିଦିଏ, ସ୍ନେହା ଉଦ୍ଦେଶ୍ୟରେ ସେ ବାରମ୍ବାର କହୁଥିଲେ। ତା ସହିତ କହୁଥିଲେ, "କେବଳ ଶିକ୍ଷିତ ହୋଇଗଲେ ଜଣେ ସୁଗୃହିଣୀ ହୋଇ ପାରେନି। ସ୍ତ୍ରୀ ଲୋକଟିଏ ଦାୟିତ୍ୱବାନ ନ ହେଲେ, ସେ ଘର କେବେ ଉନ୍ନତି କରିବ ନାହିଁ।"


ସମ୍ବିତ ଓ ସ୍ନେହା ଆମ ଘରେ ଦୁଇ ବର୍ଷ ହେବ ଭଡାରେ ରହୁଛନ୍ତି। ଉଭୟ ସରକାରୀ କର୍ମଚାରୀ। ସାଥିରେ ଦୁଇ ବର୍ଷର ଝିଅ ଓ ବୃଦ୍ଧ ଶାଶୁ ମା'। କର୍ମଜୀବି ମହିଳାଟିର ଜୀବନ କେତେ ଯେ କଷ୍ଟଦାୟକ ତାହାର ସାକ୍ଷୀ ଆମେ ସ୍ୱାମୀ, ସ୍ତ୍ରୀ। ସ୍ନେହା ବଡ଼ି ଭୋରରୁ ଉଠି ଲାଗିଯାଏ ତା କାମରେ। ସକାଳର ନିତ୍ୟ କର୍ମ, ଛୋଟ ପିଲାର ଝାଡା ପରିସ୍ରା, ସକାଳର ଚା, ଟିଫିନ, ମଧ୍ୟାହ୍ନର ଲଞ୍ଚ, ଶାଶୁଙ୍କ ପାଇଁ ଗରମ ପାଣିଠୁ ଆରମ୍ଭ କରି ସମସ୍ତ କାମ ସାରିଲା ବେଳକୁ ସମୟ କେଉଁ ଆଡେ ଚାଲିଯାଏ। ଅନେକ ଥର ସମୟ ଅଭାବରୁ ସେ ଉପାସରେ ଅଫିସ ଯାଏ। ସମ୍ବିତ ଖୁବ୍ ଶୃଙ୍ଖଳିତ ଓ ରାଗି ମଣିଷ। କୌଣସି କାମରେ ଟିକେ ଡେରି ସହଳ ହେଲେ ଭାରି ବିରକ୍ତ ହୋଇ ସ୍ନେହାକୁ ଅନେକ କଥା କୁହନ୍ତି। ଅନେକ ସମୟରେ ତାଙ୍କ ବିରକ୍ତିକର ଶବ୍ଦ ସବୁ ଇଚ୍ଛା ନ ଥାଇ ବି ଆମକୁ ଶୁଭାଯାଏ।


ରବିବାରଟି ସମସ୍ତଙ୍କ ପାଇଁ ଆଣିଦିଏ ଢେର୍ ଖୁସି କିନ୍ତୁ ସ୍ନେହା ପାଇଁ, ସେ ଦିନଟି ବେଶୀ ଯନ୍ତ୍ରଣା ଦାୟକ। ଘର ଦ୍ଵାର, ଲୁଗାପଟା, ସମ୍ବିତଙ୍କ ଡ୍ରେସ ସଫା କରି ଇସ୍ତ୍ରୀ ଦେବା, ସହ ବନ୍ଧୁବାନ୍ଧବ ଚର୍ଚ୍ଚା ବି କରିବାକୁ ପଡେ। ପ୍ରାୟତଃ ସବୁ ଛୁଟିରେ କେହିନା କେହି ବନ୍ଧୁଙ୍କୁ ସମ୍ବିତ ଘରକୁ ଆଗ୍ରହ କରି ଡାକନ୍ତି। ବନ୍ଧୁ ବାନ୍ଧବଙ୍କ ପାଇଁ ଆମିଷ, ସମ୍ବିତ ପାଇଁ ନିରାମିଷ ଏବଂ ଛୋଟ ଝିଅର ଅଲଗା ଖାଦ୍ୟ। ବିଚାରି ସବୁ କରିଯାଏ ନୀରବରେ। କିନ୍ତୁ ଅଗଣିତ ତ୍ୟାଗ ସହ ଛାତିର କୋହ ଆଉ ଆଖିର ତତଲା ଲୁହ ସବୁ, ମନର ମଣିଷ ପାଇଁ ଆଦେଖା ଓ ଅବୁଝା ରହିଯାଏ ଚିର ଦିନ ପାଇଁ। ସମ୍ବିତ ଅଧିକାଂଶ କୁହନ୍ତି, "ଆମ ଘରେ କି କାମ। ସମସ୍ତଙ୍କ ଘରେ ସବୁ ସ୍ତ୍ରୀ ମାନେ କରୁଛନ୍ତି ନା ନାହିଁ।"


ସମ୍ବିତ ପ୍ରାୟତଃ ଅପରାହ୍ନରେ ଘରେ ରୁହନ୍ତି ନାହିଁ। ସାଙ୍ଗ ସାଥି ଭଲ ତ ସେ ଭଲ। ବେଳେବେଳେ ଘରକୁ ଫେରିଲା ବେଳକୁ ରାତି ଅନେକ ହୋଇଥାଏ। ମୁଁ ଦେଖେ ଅନେକ ସମୟରେ ସ୍ନେହା ନୀରବ ନିର୍ଜନ ରାତିରେ ଛାତ ଉପରେ ଅପେକ୍ଷା କରିଥାଏ ଉଦାସରେ। ସତେ ଯେମିତି ସେ ଖୁବ୍ ଅସହାୟ ଓ ବିପନ୍ନ। ମୁଁ ନିଜକୁ ପ୍ରଶ୍ନ କରେ, "ଜଣେ ଏତେ ସ୍ୱାର୍ଥପର କିପରି ହୋଇ ପାରେ?"


ସ୍ନେହା, ମୋ ଝିଅ ବୟସର। ତାର ଉଦାସ ମୁହଁ ଦେଖି, ମନେପଡେ ମୋ ଝିଅ ଦୀପା କଥା। ଗଭୀର ବେଦନା ଓ ଅଶ୍ରୁରେ ମୋ ଦେହ ମନ ଭାରାକ୍ରାନ୍ତ ହୋଇ ଉଠେ। ଦୀପା ଥିଲା ଖୁବ୍ ଭାବପ୍ରବଣ ଓ ସ୍ୱାଭିମାନି। ସାମାନ୍ୟ କଥାରେ ଅଭିମାନ କରି ଲୁହ ଝରାଏ। ଜ୍ୱାଇଁ ଏବଂ ଶାଶୂ ଶଶୁରଙ୍କ ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣା ସହି ନ ପାରି ସେ ବି ଦିନେ ଆତ୍ମହତ୍ୟା କରିଥିଲା। ସେ ଦୁଃଖ ତ ମୁଁ ଏ ଜନ୍ମରେ ଭୁଲି ପାରିବିନି। ଆଳିକାଲି ସ୍ନେହାକୁ ଦେଖିଲେ ଦୀପା ମନେପଡେ। ଏକ ଅଜଣା ଡର ମତେ ସବୁବେଳେ ଖାଇ ଗୋଡାଏ। ମୁଁ ସବୁବେଳେ ଇଶ୍ୱରଙ୍କ ନିକଟରେ ପାର୍ଥନା କରେ, "ହେ ପ୍ରଭୁ ସ୍ନେହାକୁ ସହିବାର ଶକ୍ତି ଦିଅ, ଧୈର୍ଯ୍ୟ ଦିଅ, ସାହସ ଦିଅ ଓ ଆୟୁଷ ଦିଅ।"


ସମ୍ବିତଙ୍କର ଅନ୍ୟ ଜାଗାକୁ ବଦଳି ହୋଇ ଗଲା। କିଛି ବର୍ଷ ରହିବା ପରେ ସେମାନେ ଆମ ଘର ଛାଡ଼ି ଅନ୍ୟତ୍ର ଚାଲିଗଲେ। ସେମାନଙ୍କର ପ୍ରଥମେ ପ୍ରଥମେ ଆମ ସହ ଫୋନରେ ଯୋଗାଯୋଗ ଥିଲା। କିନ୍ତୁ ଧୀରେ ଧୀରେ ଫୋନ ଆସିବା କମ ହୋଇଗଲା। ଶେଷରେ ସେମାନଙ୍କ ସହ ସବୁ ସମ୍ପର୍କ ବନ୍ଦ ହୋଇଗଲା।


ସ୍ନେହା ଆମର ଖୁବ୍ ମନେପଡେ। ତାର ମମତା ବୋଳା କଥା,

ସ୍ନେହ ଆଦର ସବୁ ଆମେ ସ୍ୱାମୀ ସ୍ତ୍ରୀ ଝୁରି ହେଉ। ଜୀବନର ଚଲାପଥରେ ଅନେକ ଆସନ୍ତି ପୁଣି ଚାଲିଯାଆନ୍ତି। କିନ୍ତୁ ମନ ତଳେ ଛାଡି ଯାଆନ୍ତି ଅନେକ ପାଦ ଚିହ୍ନ। ବିଚାରୀ କେଉଁଠି ଥିବ? କିପରି ଥିବ?


ଅନେକ ବର୍ଷ ପରେ ସ୍ନେହା ମୋର ହଠାତ ଭେଟ ହେଲା ଗୋଟେ ଘରୋଇ ମେଡ଼ିକାଲରେ। ଆମ ପାଦ ଧୂଳି ନେଇ ସାରି ତା ମାଉସୀକୁ (ମୋ ସ୍ତ୍ରୀ) କୁଣ୍ଢେଇ ଧରିଲା। ଆଖିରୁ ଝରି ଯାଉଥାଏ ଦୁଇ ଧାର ଲୁହ। ତାକୁ ଦେଖି ଆମେ ସ୍ୱାମୀ ସ୍ତ୍ରୀ ସହଜରେ ଚିହ୍ନି ପାରିଲୁ ନାହିଁ। ଚେହେରା ଅଧାରୁ ଅଧିକ କମିଯାଇଛି। ମୁଣ୍ଡର ଗହଳ ଲମ୍ବା କେଶ ଆଉ ନାହିଁ। ଶରୀର କ୍ଲାନ୍ତ ଓ ନିରସ। ଅବେଳାରେ ତାର ଏ ପରିବର୍ତ୍ତନ ଆମକୁ ଆଶ୍ଚର୍ଯ୍ୟ ଓ ଚକିତ କଲା।


ମୋ ମନର ସନ୍ଦେହ ଦୂର କରିବାକୁ ଯାଇ, ସମ୍ବିତ କହିଲେ ସ୍ନେହା ଏବେ ମାନସିକ ରୋଗୀ। କିଛି ମାସ ହେବ ତାର ଏହି ମେଡ଼ିକାଲରେ ଚିକିତ୍ସା ହେଉଛି। ମୁଁ ଅଧିର ହୋଇ ପଚାରିଲି, " ଏବେ ତାର ଅସୁବିଧା କଣ ହେଉଛି? ସମ୍ବିତ ବିରକ୍ତ ହୋଇ କହିଲେ, ତାର ମୁଣ୍ଡ ସମ୍ପୂର୍ଣ୍ଣ ଖରାପ। ବିନା କାରଣରେ ହସିବ, କାନ୍ଦିବ, ଅନ୍ୟମାନଙ୍କ ଉପରେ ଚିଡିଚିଡି ହେବ। କେତେବେଳେ କଣ କରିବ ନିଜେ ଜାଣି ନ ଥିବ। ସାମାନ୍ୟ କଥାରେ ଅଧର୍ଯ୍ୟ ଓ ବିରକ୍ତ ହେବ। ମୁଁ ସମବେଦନା ଜଣାଇ କହିଲି, "ଏବେ ଘରେ ଅନେକ ସମସ୍ୟା ହେଉଥିବ"। ସମ୍ବିତ ଧୀର ସ୍ୱରରେ କହିଲେ, "ଯଦି ଚିକିତ୍ସା ପରେ ତା ଅବସ୍ଥାରେ ପରିବର୍ତ୍ତନ ନ ଆସେ ମତେ ଆଉ କିଛି ଭାବିବାକୁ ପଡିବ"।


ସ୍ନେହା ଭଳି ଝିଅ ପାଗଳ ହୋଇ ପାରନ୍ତି। ନା...କେବେ ନୁହେଁ...। ମୋ ଅନ୍ତର ଆତ୍ମା କେବେ ମାନୁ ନ ଥାଏ। ଦିନ ସାରା ମୁଁ ଚୁପଚାପ ରହିଲି। ମତେ କିଛି ଭଲ ଲାଗୁ ନ ଥାଏ। ସନ୍ଧ୍ୟାରେ ସ୍ନେହା ଛିଡା ହେଉଥିବା ମୋ ଛାତର ସେ ଜାଗାରେ ଛିଡା ହୋଇ, ମୁଁ ଚାହିଁଥିଲି ଆକାଶର ଫିକା ଜହ୍ନଟା ଆଡକୁ। ମୋ ସ୍ତ୍ରୀ ପୁଷ୍ପା ଆସି ପଚାରିଲା, "ଏକୁଟିଆ ଏ ଛାତ ଉପରେ ଛିଡା ହୋଇ କଣ ଭାବୁଛ।" ମୁଁ ଅନ୍ୟମନସ୍କ ଭାବରେ ଉତ୍ତର ଦେଲି, ସ୍ନେହା କଣ ସତରେ ପାଗଳ ହୋଇ ଯାଇଛି।


 ପୁଷ୍ପା ଧୀର ସ୍ୱରରେ କହିଲା, "ନା ସ୍ନେହା କେବେ ବି ପାଗଳ ନୁହେଁ। ସମ୍ବିତ ଆମକୁ କିଛି ଅଧିକ କରି କହିଛି। ସମ୍ବିତ ସହ ତୁମେ କଥା ହେବା ଭିତରେ ସ୍ନେହା ମତେ ତା ବିଷୟରେ ସବୁ କଥା କହିଛି। ପରିସ୍ଥିତି ତାକୁ ଟିକେ ଅଧିକ ଅଧର୍ଯ୍ୟ କରି ଦେଇଛି। ସେ ବି କଣ କରିବ? ବିଚାରୀ ସହ ବହୁତ ଅନ୍ୟାୟ ହେଇଛି! ମହିଳା ମାନଙ୍କର ଚିଡି ଛିଡା ସ୍ଵଭାଵ ପାଇଁ ଗୋଟେ ନୁହେଁ, ଅନେକ କାରଣ ଥାଏ। ବର୍ଷ ବର୍ଷ ଧରି ମନରେ ଥିବା ଅପୂର୍ଣ୍ଣ ଇଛା, ଆକାଂକ୍ଷା ଓ ନିଜ ସହ ହୋଇଥିବା ଅନ୍ୟାୟ ହିଁ ମୁଖ୍ୟ କାରଣ।


କନ୍ୟାଟିକୁ ଛୋଟ ବେଳୁ ଅନେକ ପ୍ରତିବନ୍ଧ ଲଦି ଦିଆଯାଏ। ଯାହାକୁ ସେ ବୁଝିବାରେ ଅକ୍ଷମ ହୋଇଥାଏ। ତାର ଚାଲି ଚଳଣୀ, ଖାଦ୍ୟପେୟ, ପୋଷାକ ପତ୍ର ସବୁ କିଛି ମାତାପିତାଙ୍କ ଆଦେଶରେ ହୋଇଥାଏ। ବିବାହ ପରେ ଶାଶୁଘର ନିୟମ କାନୁନ ଓ ବେଳେବେଳେ ଅନେକ ନିର୍ଯ୍ୟାତନା ବି ସହ୍ୟ କରିବାକୁ ପଡେ। ପରିବାର, ପତି ଏବଂ ସନ୍ତାନ ପାଇଁ ସେ ନିଜର ସବୁ ଇଚ୍ଛା, ନିଜ ପସନ୍ଦ, ନିଜ ପ୍ରତିଭା ଓ ମନ ତଳର ସବୁ ସ୍ବପ୍ନକୁ ସଂସାର ସଜାଇବାକୁ ଯାଇ ଜଳାଞ୍ଜଳି ଦିଏ। ଏହା ପରେ ବି ତାକୁ ଟିକେ ବି ଆଦର, ସମ୍ମାନ, ପ୍ରେମ ଆଉ ଭଲ ପାଇବା ମିଳେ ନାହିଁ। ବର୍ଷ ବର୍ଷ ଧରି ଅବିରତ ଏହିସବୁ ସହି ସହି ଅନେକ ମହିଳା ସାମାନ୍ୟ କଥାରେ ବିରକ୍ତ, ଅଧୈର୍ଯ୍ୟ ଏବଂ ଚିଡିଚିଡା ସ୍ୱଭାବର ହୋଇ ଉଠନ୍ତି। ଖାଲି ସ୍ନେହା ନୁହେଁ ଦୁନିଆରେ ଅନେକ ଝିଅଙ୍କ ଜୀବନ ଏମିତି!


 ଆଉ କିଛି ଶୁଣିବାକୁ ମୋର ଧୈର୍ଯ୍ୟ ନ ଥିଲା। ପୁଷ୍ପାକୁ ମୁଁ ଖୁବ୍ ଜୋରରେ କୁଣ୍ଢେଇ ଧରିଲି। ମତେ ଲାଗୁଥିଲା ଦୀପା କେଉଁଠି ଅଦୃଶ୍ୟରେ ମତେ ରହି ରହି ଡାକୁଛି, 'ବାପା'।


Rate this content
Log in

Similar oriya story from Tragedy