STORYMIRROR

Seetaram Dash

Abstract Drama

4  

Seetaram Dash

Abstract Drama

କାଗଜ ଫୁଲ

କାଗଜ ଫୁଲ

6 mins
165


ଡ୍ରଇଂ ରୁମର କୃତ୍ରିମ ଫୁଲ ସବୁ ସଫା କରୁ କରୁ ଋତୁପର୍ଣ୍ଣା ନିଜକୁ ନିଜେ ପ୍ରଶ୍ନ କଲା, "ଏ କୃତ୍ରିମ ଫୁଲ ଗୁଚ୍ଛ ଆଉ ମୋ ଜୀବନ ଭିତରେ କଣ ବା ଫରକ? କାଗଜ ଫୁଲ ଭଳି ନା ମୋର ମନ ଅଛି ନା ମହକ।"


ଋତୁପର୍ଣ୍ଣା ରାଉତରାୟ' ଡାକ ନାଁ ରୂପା। ଅପରୂପ ସୌନ୍ଦର୍ଯ୍ୟର ଅଧିକାରୀ ସେ। ଉଚ୍ଚ ଶିକ୍ଷିତା, ସ୍ୱାମୀ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଟଙ୍କାପାଇସା, ଘରଦ୍ଵାର, ଗାଡିଘୋଡା କେଉଁଥିରେ କମ ନାହିଁ। ସବୁ ଦୃଷ୍ଟିରୁ ସମୃଦ୍ଧ କିନ୍ତୁ ସବୁ ପରେ ବି ଦୁଃଖ ତାର ଚିର ସହଚର। ସତେ ଯେମିତି ଅଭିଶପ୍ତ ଜୀବନ। କାହିଁକି ତା ସହିତ ଏତେ ଅନ୍ୟାୟ? କଣ ତାର ଦୋଷ? କାହିଁକି ତାର ସବୁ ସ୍ବପ୍ନ ଅଧା ଗଢ଼ା କୋଣାର୍କ! 


ଏକ ନୀରବ ଅପରାହ୍ନରେ, ଡ୍ରଇଂ ରୁମର କାଚ ଝରକା ସବୁକୁ ସଫା କରୁ କରୁ ଦୂର ଦିଗବଳୟର ମେଘ ମୁକ୍ତ ଆକାଶକୁ ଚାହିଁ ରୂପା ମନେ ମନେ କେତେ କଣ ଭାବି ଚାଲିଛି...। ସେ ଥିଲା, ବାପାଙ୍କର ଅତି ଅଲିଅଳି ସାନ ଝିଅ। ଖୁବ ମେଧାବୀ। ଆଦ୍ୟ ଯୌବନର ପ୍ରଥମ ପାହାଚରେ ପ୍ରତୀକ ଆଚାର୍ଯ୍ୟର ପ୍ରେମ ନିବେଦନରେ ସେ ବନ୍ଧା ପଡିଥିଲା। ବୟସ ମାତ୍ର ପନ୍ଦର। ପ୍ରତୀକ ପୁରା ସ୍କୁଲରେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। ତାର ବାପା ଥିଲେ ଜଣେ ସରକାରୀ ଇଞ୍ଜିନିୟର। ତାର ଚାଲି ଚଳଣି, ପୋଷାକ ପତ୍ର ଓ ଢଙ୍ଗରଙ୍ଗ ସମସ୍ତଙ୍କ ଠାରୁ ଭିନ୍ନ। ସେ ଜଣେ ମେଧାବୀ ଛାତ୍ର ହୋଇ ଥିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅତି ପ୍ରିୟ ଥିଲା। ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଦୁଇଜଣ ଭଲ ପଢୁଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ଘନିଷ୍ଠ ହେବାକୁ ଲାଗିଲା। ଅନେକ ସମୟରେ ପାଠ ପଢ଼ାର ବାହାନାରେ ଉଭୟ ଉଭୟଙ୍କ ଘରକୁ ଯିବା ଆସିବା କରୁଥିଲେ। ବହି, ଖାତା, ପେନ, ପେନସିଲ ସହ ଚିଠି ପତ୍ର, ଚକଲେଟ ଓ ଗୋଲାପ ଫୁଲ ବି ଦିଆନିଆ ଚାଲୁଥିଲା ଦୁହିଁଙ୍କ ମଧ୍ୟରେ, ଲୁଚା ଛପାରେ। ରୂପା ପାଇଁ କେତେ ସୁନ୍ଦର ଥିଲା ସେ ଦିନ ସବୁ! ଜୀବନ ଥିଲା ଖାଲି ସ୍ୱପ୍ନମୟ। ଦିନରାତି ସେ ତାର ପ୍ରିୟତମଙ୍କ ସହ ପକ୍ଷୀରାଜ ଘୋଡାରେ ଚଢି ସ୍ବପ୍ନ ରାଜ୍ୟରେ ଘୁରି ବୁଲୁଥିଲା। ବୋର୍ଡ ପରୀକ୍ଷାରେ ଦୁଇଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍କୁଲରେ ଉଭୟଙ୍କୁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ଅଭିବାଦନ ଜଣାଇଥିଲେ। ବିଦାୟ ବେଳାରେ ପ୍ରତୀକ ସମସ୍ତଙ୍କ ଅଲକ୍ଷ୍ୟରେ ରୂପାର ଚିବୁକରେ ଭରି ଦେଇଥିଲା ଏକ ଉଷ୍ମ ଚୁମ୍ବନ। ଉଭୟଙ୍କ ତନୁ ମନରେ ଖେଳି ଯାଇଥିଲା ଏକ ଅପୂର୍ବ ଶିହରଣ। 


ସ୍କୁଲ ପରେ ପ୍ରତୀକ ଭୁବନେଶ୍ୱରରେ ଡାକ୍ତରୀ ପଡିଲା ଆଉ ରୂପା କଟକର ମହିଳା କଲେଜରେ। ଏବେ ଦୁଇଜଣଙ୍କ ଦୂରତ୍ୱ ବଢି ଯାଇଥିଲା, ତା ସହିତ ବଢି ଯାଇଥିଲା ମନ ତଳର ଅକୁହା ଆବେଗ ସବୁ। ଟେଲିଫୋନ ସାହାଯ୍ୟରେ ଉଭୟ ଢେର ସାରା କଥା ହେଉ ଥିଲେ। ଅନେକ ସମୟରେ କଲେଜ ନାଁରେ ରୂପା ଭୁବନେଶ୍ୱର ଯାଇ ପ୍ରତୀକକୁ ଦେଖା କରୁଥିଲା ଏବଂ ପ୍ରତୀକ ବି କଲେଜ ବନ୍ଦ କରି କଟକରେ ରୂପାକୁ ଭେଟୁଥିଲା। ସବୁପରେ ବି ଉଭୟ ପାଠ ପଢ଼ାରେ ଟିକେ ବି ଅବହେଳା କରୁ ନ ଥିଲେ। 


ଦିନ ସବୁ ପାଣି ଭଳି ବହି ଯାଉଥିଲା, ତା ସହିତ ରୂପାର ଅନେକ ଅପାସୋରା ସ୍ମୁତି କଲେଜ କ୍ୟାମ୍ପସ ଠୁ ଆରମ୍ଭ କରି ମହା ନଦୀର ବାଲି ପଠା, ସାଗରର ବେଳାଭୂମି ସହିତ କୁଆଁର ପୁନେଇର ଜହ୍ନ ରାତିର ସ୍ବାକ୍ଷର ବହନ କରି ଚାଲିଥିଲା। ଅନେକ ସମୟରେ ସାଗରର ନିର୍ଜନ ବେଳାଭୂମିରେ ରୂପାକୁ ବାହୁ ବନ୍ଧନରେ ଆବଦ୍ଧ କରି ପ୍ରତୀକ କହୁଥିଲା, "ଦେଖିଲ, ତମ ଆଗରେ ଆକାଶର ରୂପା ଜହ୍ନ ବି କେତେ ଫିକା ଲାଗୁଛି"। ମନର ମଣିଷ ମୁହଁରୁ ଦୁଇ ପଦ ମିଠା କଥା ରୂପାକୁ ଢେର ସାରା ଖୁସି ଦେଉଥିଲା। ଆଲିଙ୍ଗନକୁ ଆହୁରି ଦୃଢ଼ କରି ରୂପା ହଜି ଯାଉଥିଲା, କେଉଁ ଏକ ଅଜଣା ଦୁନିଆରେ।


ଏହା ଭିତରେ ବିତି ଗଲାଣି ନ'ଟି ବସନ୍ତ। ପ୍ରତୀକ ନାଁ ପଛରେ ଏବେ ଡ଼. ଉପାଧି ଲାଗି ଗଲାଣି। ତା ଦେହ ମନରେ ଅନେକ ପରିବର୍ତ୍ତନ। ଆଜିକାଲି, ରୂପା ପାଇଁ ତା ପାଖରେ ସମୟ ନାହିଁ। ସବୁବେଳେ କାମ ବାହାନା। କିନ୍ତୁ ରୂପା ଅତୁଟ ବିଶ୍ୱାସ, ମନରେ ରାଶି ରାଶି ଭଲ ପାଇବା। ସେ ନିରନ୍ତର ଅପେକ୍ଷା କରିଥାଏ ତା ପ୍ରେମକୁ, ତା ଭଲ ପାଇବାକୁ ତାର ପ୍ରିୟତମ ପ୍ରତୀକକୁ।


ଅନେକ ଦିନ ପରେ ରୂପା ସହ ପ୍ରତୀକର ଭେଟ ହେଲା। ପ୍ରତୀକ ମନରେ ପୂର୍ବର ଆଗ୍ରହ, ଆକାଂକ୍ଷା ଆଉ ଆଦର ନ ଥିଲା। ହୃଦୟରେ ପ୍ରେମ ନ ଥିଲା, ଥିଲା ଖାଲି ପ୍ରତାରଣା, ଆଉ ଅନେକ ବାହାନା। ଶେଷରେ ପ୍ରତୀକ ରୂପାକୁ ସଫା ସଫା କହିଲା, "ବ୍ରାହ୍ମଣ ଘର ପୁଅ ହୋଇ ମୁଁ କେବେ ଅନ୍ୟ ଜାତିର ଝିଅଙ୍କୁ ବାହା ହୋଇ ପାରିବିନି, କାରଣ ଆମ ଘରେ କେବେ ବି ରାଜି ହେବେନି। ଆମ ଘରର ଯେଉଁ ଷ୍ଟାଟସ, ତୁମକୁ ସ୍ତ୍ରୀ ରୂପେ ଗ୍ରହଣ କରିବା ଅସମ୍ଭବ। ଆମ ସମ୍ପର୍କକୁ ଏକ ଦୁଃସ୍ୱପ୍ନ ଭାବି ଭୁଲି ଯାଅ। ଏସବୁ ମୋ ପାଇଁ କେବଳ ଟାଇମ ପାସ ଥିଲା"। ପାଦ ତଳୁ ମାଟି ଖସି ଗଲା ରୂପାର। ଭାଙ୍ଗିଗଲା ସ୍ୱପ୍ନର ତାଜମହଲ। ତାର ମନ ଆକାଶରେ ଘୋଟି ଗଲା ଅଦିନିଆ କଳା ହାଣ୍ଡିଆ ମେଘ। ଆଶା ବୈତରଣୀ ଆଜି ମରୁଭୂମିର ମରୀଚିକା ସାଜି ଦୂରେଇ ଯାଉଥିଲା ଦୂରକୁ ଦୂରକୁ।


ପ୍ରତୀକର ବିଶ୍ୱାସଘାତକତା ରୂପା ମନରେ ଗଭୀର ଆଘାତ ସୃଷ୍ଟି କଲା। ଅବସାଦ ଓ ଅଶାନ୍ତିରେ ସେ ନିଜକୁ ହଜେଇ ଦେଲା। ତା ଆଖିରେ ନିଦ ଥିଲା, ନା ତା ପେଟରେ ଭୋକ। ଦିନ ରାତି ତାର ଏକାକାର। ଏବେ ଲୁହ ଲହୁର ଜୀବନ। ଏ

ତେ ଭରସା ଏତେ ଭଲ ପାଇବାର ପ୍ରତିଦାନ କଣ, ଖାଲି ଦୁଃଖ ଆଉ ଯନ୍ତ୍ରଣା? ନ ଖାଇ ନ ପିଇ ରୂପା ଝଡି କଣ୍ଟା ହୋଇ ଗଲା।


ରୂପାର ମାନସିକ ଅବସ୍ଥା ଦେଖି ବାପା ରୂପାକୁ ସାଥିରେ ଖାଇବା ପାଇଁ ଡାଇନିଂ କୁ ଡାକିଲେ। "ଭୋକ ନାହିଁ, ମୁଁ ପରେ ଖାଇ ନେବି" କହି ରୂପା ତାର ବେଡ଼ ରୁମକୁ ଚାଲିଗଲା। ବାପା ଅତି ଆଦରରେ ରୂପାକୁ ଡାକି ଡାଇନିଂରେ ବସାଇଲେ, ମୁଣ୍ଡକୁ ଆଉଁସି ଦେଇ କହିଲେ, "ମା, ଯାହା ହେଲା ଭଲ ହେଲା। ଅତୀତରେ ଯାହା ହୋଇଯାଇଛି, ଭଲ ହୋଇଛି। ଭବିଷ୍ୟତରେ ଯାହା ହେବ ଭଲ ହେବ। ସବୁ ସେହି ଈଶ୍ୱରଙ୍କ ଇଚ୍ଛା, ସେସବୁ କୁ ମାନି ନେଲେ ଭଲ"। ରୂପା ବାପାଙ୍କୁ ଧରି ଭୋ ଭୋ ହୋଇ କାନ୍ଦି ଉଠିଲା। ସେଦିନ ବାପ ଝିଅ ଅନେକ ଦିନ ପରେ ସାଙ୍ଗ ହୋଇ ଖାଇଲେ। ରୂପା ପ୍ରତୀକ କୁ ଧୀରେ ଧୀରେ ଭୁଲିବାକୁ ଲାଗିଲା।


ରୂପାର ଜୀବନ ଶୈଳୀ ଏବେ ସମ୍ପୂର୍ଣ୍ଣ ବଦଳିଗଲା। ପ୍ରେମ ଆଉ ଭଲ ପାଇବା ଠୁ ସେ ରହୁଥିଲା ଅନେକ ଦୂରରେ। ପୁରୁଷ ଜାତି ଉପରୁ ତାର ବିଶ୍ୱାସ ଉଠି ଯାଇଥିଲା। ଅନେକ ପୁଅ ତାକୁ ପ୍ରପୋଜ କରୁଥିଲେ। ସେ କିନ୍ତୁ ଏସବୁ ଠୁ ଅନେକ ଦୂରରେ ଥିଲା। କିନ୍ତୁ ସମସ୍ତଙ୍କ ମଧ୍ୟରେ ରୋହିତ ଥିଲା ସମ୍ପୂର୍ଣ୍ଣ ଭିନ୍ନ।


ରୂପରେ ସେ କୌଣସି କନ୍ଦପ ଠୁ କମ ନ ଥିଲା। ଖୁବ ଶାନ୍ତ ସରଳ ସ୍ଵଭାଵ। ଇଣ୍ଡିଆନ ବ୍ୟାଙ୍କରେ ସେ ଥିଲା ମ୍ୟାନେଜର। ରୋହିତ ରୂପାକୁ ମନ ପ୍ରାଣ ଦେଇ ଭଲ ପାଉଥିଲା। ସେ ଭଲ ପାଇବାରେ ନ ଥିଲା ତିଳେ ହେଲେ ଆବିଳତା। କିନ୍ତୁ ରୋହିତର ପବିତ୍ର ପ୍ରେମକୁ ବିଶ୍ୱାସ କରି ପାରୁ ନ ଥିଲା ରୂପା। ରୋହିତର ଆବେଗ ଓ ଅନୁରୋଧ କୁ ଏଡାଇ ନ ପାରି ରୂପା ସିଧା ସିଧା ଜଣାଇଲା, "ଯଦି ମତେ ଭଲ ପାଉଛ, ବାହା ହୋଇଯାଅ। ଆମ ସଂପର୍କ ବାହାଘର ପରେ ଆରମ୍ଭ ହେବ"। ବାହାଘରର ପୂର୍ବ ପ୍ରସ୍ତୁତି ପାଇଁ ଚାରିମାସ ସମୟ ମାଗିଥିଲା ରୋହିତ। ଭାଗ୍ୟର ବିଡମ୍ବନା ଦୁଇ ମାସ ପରେ ଏକ ସଡକ ଦୁର୍ଘଟଣାରେ ରୋହିତ ଆହତ ହେଲା। ଭଲ ହେବାପାଇଁ ଅନେକ ଦିନ ଲାଗିଲା। ମଝିରେ ମଝିରେ ଉଭୟ ଫୋନରେ କଥାବାର୍ତ୍ତା ହେଉଥାନ୍ତି। ରୂପାର ବାପା ବି ଝିଅ ବାହାଘର କରି ଚିନ୍ତା ମୁକ୍ତ ହେବାକୁ ଚାହୁଁଥିଲେ। ଝିଅର ଖୁସି ପାଇଁ ବାପା ରୂପାର ମଉସା ପୁଅ ଭାଇ ମନୋଜ କୁ ବାହାଘର ପକ୍କା କରିବା ପାଇଁ ପଠାଇଲେ। ରୋହିତ ପାଖରୁ ଫେରି ମନୋଜ ରୂପାକୁ କହିଲା, "ରୋହିତ ନାମରେ କୌଣସି ବ୍ୟକ୍ତି ସେ ଜାଗାରେ ନାହାଁନ୍ତି। ମୁଁ ଅନେକ ଖୋଜିଲି। ହେଲେ ରୋହିତର ପତା ମିଳିଲାନି"। ଭାଙ୍ଗିଗଲା ରୂପାର ମନ। ରୋହିତ ଉପରୁ ତାର ବିଶ୍ୱାସ ହଜିଗଲା। ମନୋଜ ରୂପାର ବାପାଙ୍କୁ ଜଣାଇଲା, ରୋହିତ ଜଣେ ମଦ୍ୟପ। ତା ନାଁରେ ଅନେକ ପୋଲିସ କେସ। ସୁନ୍ଦର ଝିଅ ମାନଙ୍କୁ ବ୍ଲାକ ମେଲିଙ୍ଗ କରିବା ତାର କାମ। ବାପାଙ୍କ ପାଦ ତଳୁ ମାଟି ଖସି ଗଲା। ମନୋଜର କଥାରେ ଭାସିଯାଇ ବାପା ରୂପାର ବାହାଘର ତରବରିଆ ଭାବରେ ଅନ୍ୟ ଜାଗାରେ କରିଦେଲେ। କିନ୍ତୁ ରୋହିତ ଠକ ନ ଥିଲା। ମନୋଜ ଇର୍ଷାରେ ସମସ୍ତଙ୍କୁ ମିଛ କହିଥିଲା। ସେ ଚାହୁଁ ନ ଥିଲା ରୂପା ରୋହିତକୁ ବାହା ହୋଇ ଭଲରେ ରହୁ। ରୂପା ଜାଗାରେ ନିଜ ଭଉଣୀକୁ ବାହା ଦେବାକୁ ସେ ଚାହୁଁଥିଲା। କିନ୍ତୁ ମନୋଜର ସବୁ ଆଶା ଆଶାରେ ରହିଗଲା।


ଅଳ୍ପ ଦିନ ଭିତରେ ରୂପାର ବାହାଘର ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସଞ୍ଜିତଙ୍କ ସହ ଅତି ଆଡମ୍ବରରେ ହେଲା। ସଞ୍ଜିତ ଜଣେ ବ୍ୟସ୍ତ ମଣିଷ। ଘରେ ବାହାରେ ଏବଂ ଅଫିସରେ ଖାଲି କାମ ଆଉ କାମ। ଗୋଟିଏ ଛାତ ତଳେ ଥାଇ ବି ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ଠୁ ଅନେକ ଦୂରରେ। ସ୍ତ୍ରୀ ପ୍ରତି ସାମାନ୍ୟତମ କର୍ତ୍ତବ୍ୟ ବି ସେ କରନ୍ତି ନାହିଁ। ଏପରିକି ଦେହ ମୁଣ୍ଡ ହେଲେ ବି ଆନ୍ତରିକତା ସହ ଥରେ ବି ଭଲ ମନ୍ଦ ପଚାରନ୍ତି ନାହିଁ। ଛୁଟିଦିନ ମାନଙ୍କରେ ଗୋଟିଏ ଛାତ ତଳେ ରହିବି ଦୁଇ ପଦ କଥା ଶୁଣିବା ରୂପା ଭାଗ୍ୟରେ ନ ଥାଏ। ତା ସହିତ ଶାଶୂ ଘରେ ଅନେକ ନିର୍ଯ୍ୟାତନା। ସଞ୍ଜିତ ସବୁ ଜାଣି ନୀରବ ରୁହନ୍ତି। ରୂପା ସ୍ୱାମୀଙ୍କ ଆଗରେ ଅଭିଯୋଗ କଲେ, ସଞ୍ଜିତ ଶାଶୂ ଶଶୁରଙ୍କ ମନ ନେଇ ଚଳିବା ହିଁ ତାର କର୍ତ୍ତବ୍ୟ, ବୋଲି ତାଗିଦ କରି କୁହନ୍ତି। ବାହାର ଦୁନିଆ ପାଇଁ , ବାପା ମାଙ୍କ ପାଇଁ ନିଷ୍ଠାବାନ ମଣିଷ ନିଜ ସ୍ତ୍ରୀ ପ୍ରତି କାହିଁକି ଏତେ ଉଦାସୀନ, ବୁଝି ପାରେନି ରୂପା। ଏକ ଭାରାକ୍ରାନ୍ତ ଜୀବନ ତାର। ଓଜନିଆ ମନ ନେଇ ତାକୁ ବଞ୍ଚିବାକୁ ହେଉଥିଲା ଜୀବନର ପ୍ରତି କ୍ଷଣ। ତାର ଉଦାସ ମନରେ ଅନେକ ପ୍ରଶ୍ନ, ଯାହାର କୂଳ କିନାରା ପାଇବା ତା ପକ୍ଷରେ ଅସମ୍ଭବ ଥିଲା। କଣ ଥିଲା ତାର ଦୋଷ? ତାର ରୂପ, ଗୁଣ, ଶିକ୍ଷା, ଓ ସଂସ୍କାର ସବୁ ଆଜି ନିରର୍ଥକ। ମହାକାଳ ଫଳ ଭଳି ତାର ଜୀବନ। ବାହାରକୁ ଯେତିକି ଚିକମିକ ଭିତରେ ସେତିକି ଧୂଆଁ, ଧୂଳି ଆଉ ଦୁଃଖ। ଘର ଲୋକଙ୍କୁ ଦୁଃଖି ନ କରିବା ପାଇଁ, ସେ ମନ କଥା ମନରେ ରଖୁଥିଲା। ରୂପାର ଘର ଲୋକେ ସଞ୍ଜିତ ନେଇ ଗର୍ବ କରୁଥିଲେ କିନ୍ତୁ ଜୀବନଟା ତା ପାଇଁ ଥିଲା ଏକ "ଅବୁଝା ଗଣିତ"। ବୁଝାମଣା ର ଅଭାଵ ଏବଂ ବିବେକହୀନ ବ୍ୟକ୍ତି, କେବଳ ନିଜ ଜୀବନ ନୁହେଁ ଆଖ ପାଖର ସମସ୍ତ ମଣିଷ ଏବଂ ପ୍ରିୟ ପରିଜନଙ୍କ ଜୀବନରେ ସମସ୍ୟା ସୃଷ୍ଟି କରି ଦୁଃଖ ଦେଇଥାଏ। ଯୁଗ ଯୁଗରୁ ହିଁ ଏହା ରହି ଆସିଛି। ପୃଥିବୀର ଅନ୍ତ ପର୍ଯ୍ୟନ୍ତ ବି ଥିବ।


ସବୁ ପରେ ବି ଈଶ୍ୱରଙ୍କ ଉପରେ ତାର ଅଖଣ୍ଡ ବିଶ୍ୱାସ ଥିଲା। ହଁ' ସବୁକିଛିର ମୂଳାଧାର ତ ବିଶ୍ୱାସ। ସେ ନିଜ ମନକୁ ନିଜେ ବୁଝାଉ ଥିଲା ଏ ସମୟ ବି ଚାଲିଯିବ।


Rate this content
Log in

Similar oriya story from Abstract