Seetaram Dash

Drama

4  

Seetaram Dash

Drama

ପୃଥକ ପୃଥିବୀ

ପୃଥକ ପୃଥିବୀ

8 mins
338


ମାର୍ଚ୍ଚ ମାସର ଏକ ଅଳସ ଅପରାହ୍ଣ। ଏଥର ବସନ୍ତ ମୋ ପାଇଁ ଆଣିଥିଲା ମଳୟର ଭିନ୍ନ କିଛି ବାସ୍ନା ନେଇ। ମୋ ରୁମ୍ ବାହାରେ କିଛି ଲୋକଙ୍କ ପାଦ ଶବ୍ଦ ଶୁଣି ମୁଁ ବାହାରକୁ ଆସିଲି। ସ୍ୱାମୀ ସ୍ତ୍ରୀଙ୍କ ସହ ଛୋଟ ଝିଅଟିଏ। ମୁଁ ଘରୁ ବାହାରକୁ ଆସିବା ପୂର୍ବରୁ ସେମାନେ ମୋ ଘର ଅତିକ୍ରମ କରି ସାରିଥିଲେ। ତେଣୁ ସେମାନଙ୍କୁ ଭଲ ରୂପେ ଦେଖି ପାରିଲି ନାହିଁ। ଛିଡା ହୋଇ ଲକ୍ଷ୍ୟ କରିବା ଅଭଦ୍ରାମି ହେବ ଭାବି ରୁମ୍ ତାଲା ମାରିବା ବାହାନାରେ ସେମାନଙ୍କୁ ଦେଖି ନେଲି। ସ୍ତ୍ରୀ ଲୋକଟି ଉପରେ ମୋ ଦୃଷ୍ଟି କିଛି ସମୟ ପାଇଁ ସ୍ଥିର ହୋଇ ରହିଲା। ନୀଳ ଶାଢ଼ୀ ପରିହିତା, ତନୁପାତେଳୀ, ଚଷମା ଲଗା ଏବଂ ଲମ୍ବା ମଣିଷଟିଏ। ରୂପରେ ଅସାଧାରଣ ସୁନ୍ଦର। ଏତେ ସୁନ୍ଦର, ଏତେ ଅନୁପମ ନାରୀଟିଏ ମୋ ଜୀବନରେ କେଉଁଠି ଦେଖିବାରେ, ଏ ପ୍ରଥମ। କାହିଁକି କେଜାଣି ବିନା କାରଣରେ, କେଉଁ ଏକ ଅଜଣା ଆନନ୍ଦର ଲହରୀ ଖେଳିଗଲା ମୋ ଚାରିପଟର ପୃଥିବୀରେ। ମନରେ ଅନେକ ଅଜଣା ଆବେଗର କଳ୍ପିତ ଅନୁଭବ। ଅନେକ ଦିନରୁ ଖାଲି ପଡିଥିବା ପାଖ ରୁମ୍ କୁ ସେମାନେ ବୋଧେ ଭଡା ନେଇଥିଲେ। କିଛି ସମୟ ପରେ ସେ ଲୋକଟିକୁ ଚୌକିଦାର ଆଣି ମୋ ସହ ପରିଚୟ କରାଇ କହିଲା,ଯଦି କିଛି ଅସୁବିଧା ହୁଏ, ଟିକେ ସାହାଯ୍ୟ ସହଯୋଗ କରିବେ"। ମୁଁ ହସିଦେଇ ଅତ୍ୟନ୍ତ ଭଦ୍ରାମିର ସହ କହିଲି, "କିଛି ଅସୁବିଧା ନାହିଁ, ଯାହା ଦରକାର ହେବ କହିବେ।" ଅନେକ ରାତି ପର୍ଯ୍ୟନ୍ତ ସେମାନେ ଆସବାବପତ୍ର ସଜାଡ଼ିବାର ଶବ୍ଦ ଶୁଭୁଥିଲା। ରାତ୍ରି ଭୋଜନ ଶୀଘ୍ର ସାରିଦେଇ ମୁଁ ବିଛଣାରେ ଶୋଇ ଶୁଣୁଥିଲି, ତେରା ଚେହେରା ଆଲବମ୍ ର ମନଛୁଆଁ ଗୀତ, "ଭିଗି ଭିଗି ରାତୋମେ ଫିର୍ ତୁମ୍ ଆଓନା, ଐସି ବରୋଷାତ୍ ମେ ଆଓନା। ଅନେକ ରାତି ପର୍ଯ୍ୟନ୍ତ ମୋ ଘରୁ ଏ ସୁଲଳିତ, ବର୍ଷା ଭିଜା ଗୀତଟି ଶୁଭୁଥିଲା। ସକାଳେ ଖୁବ ଶୀଘ୍ର ମୋ ନିଦ ଭାଙ୍ଗିଗଲା। ସେ ନୀଳ ପରୀକୁ ଦେଖିବା ପାଇଁ ମୁଁ ବିନା କାରଣରେ ଚାରି ପାଞ୍ଚ ଥର ଘର ବାହାର ହେଲି। କିନ୍ତୁ ସେ ବା କାହିଁକି ବାହାରକୁ ଆସିବ। ଦୂର ଜାଗାରୁ ଆସି ସେମାନେ ବୋଧେ କ୍ଲାନ୍ତିରେ ଏପର୍ଯ୍ୟନ୍ତ ଉଠି ନଥିଲେ। ମୁଁ ସବୁ କାମ ସାରି ଅଫିସ ବାହାରିଲି। ନୀଳ ପରୀର ଗୋଟେ ଝଲକ ଦେଖିବା ପାଇଁ ମନ ଛଟପଟ ହେଉଥାଏ। ହଠାତ୍ ମନେ ପଡ଼ିଲା, ଛାତ ଉପରେ ବୋଧେ ସେ କପଡା ଶୁଖାଉଥିବ। ମୋର ଓଦା କପଡା ନେଇ ମୁଁ ଛାତ ଉପରକୁ ଗଲି। ସେ ସ୍ୱାମୀ ସ୍ତ୍ରୀ ଦୁହେଁ ଛାତ ଉପରେ ଥିଲେ। ସ୍ତ୍ରୀ' ଲୋକଟି ହାତରେ କିଛି ଓଦା ବସ୍ତ୍ର, ଯେଉଁଥିରୁ ଟୋପେ ଟୋପେ ପାଣି ଝରୁଥାଏ। ସେମାନଙ୍କ ଅଜାଣତରେ ମୁଁ ସ୍ତ୍ରୀ ଲୋକଟିକୁ ଲକ୍ଷ୍ୟ କଲି। ଆଜି ସେ ଫିକା ନୀଳ ରଙ୍ଗର ସାଲୁଆର ପିନ୍ଧିଥାଏ। ଓଦା ଓ ବହଳ କେଶରାଶି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥାଏ। ଡାହାଣ ହାତ ବାହୁରେ ବନ୍ଧା ହୋଇଥିବା ଧଳା ସୁଦଶା ବ୍ରତ ଦେହର ରଙ୍ଗ ସହ ମିଶି ଯାଉଥାଏ। ପୁରୁଷ ଲୋକଟି ଲୁଗା ଶୁଖାଇବା ପାଇଁ ଛାତର ଦୁଇ ପଟରେ ଥିବା ଲୁହା ଆଙ୍ଗେଲ୍ ରେ ଡୋରି ବାନ୍ଧୁଥାଏ। ସେମାନଙ୍କୁ ଆଉଟିକେ ମନ ଭରି ଦେଖିବାର ଇଚ୍ଛା ଥିଲେବି ମୁଁ ଭଦ୍ରାମି ଦୃଷ୍ଟିରୁ ତରତର ହୋଇ ତଳକୁ ଚାଲି ଆସିଲି।

ଅଫିସରେ ସେଦିନ କେଉଁ କାମରେ ମନ ଲାଗିଲା ନାହିଁ। ମୁଁ ମନେମନେ ବହୁତ ଖୁସି ହେଉଥାଏ, ଏତେ ସୁନ୍ଦର ପଡ଼ୋଶୀ ଟିଏ ପାଇ ଥିବାରୁ। ସେ ସ୍ତ୍ରୀ ଲୋକଟିର ମୁହଁ ସତେ ଯେମିତି ମୋ ଆଖି ଆଗରେ ନୀଳ ଆକାଶର ରୂପା ଜହ୍ନ ଭଳି ଭାସି ବୁଲୁଥିଲା। ସେହି କଳ୍ପିତ ଚନ୍ଦ୍ର କିରଣର ଶୀତଳତା, ମତେ ଦିନସାରା ଆଛନ୍ନ କରି ରଖିଲା। ସନ୍ଧ୍ୟାରେ ମୁଁ ଖୁଵ ଶୀଘ୍ର ଘରକୁ ଫେରି ଆସିଲି। ଘର ଭିତରେ ମୁଁ ସବୁବେଳେ କବାଟ ଦେଇ ରୁହେ। ଆଜି କିନ୍ତୁ ମୁଁ କବାଟ ଖୋଲା ରଖି ଡ୍ରଇଂ ରୁମ୍ ରେ ବସି କଫି ପିଇଲି। ଟିକେ ଅଧିକ ସାଉଣ୍ଡ ଦେଇ ପୁରୁଣା ହିନ୍ଦି ଗୀତ କିଛି ଶୁଣିଲି। ଦୁଇ ଚାରି ଥର ସେ ସ୍ତ୍ରୀ ଲୋକକୁ ଦେଖିବା ଉଦ୍ଦେଶ୍ୟରେ ଘର ବାହାର ହେଲି, କିନ୍ତୁ ମୋ ଇଚ୍ଛା ଇଚ୍ଛାରେ ହିଁ ରହିଗଲା। ଏହା ଭିତରେ ବିତିଗଲାଣି କେତେ ଗୁଡିଏ ଦିନ। ଆମର ଅନେକ ଥର ଭେଟ ହୋଇଛି। କେତେବେଳେ ପାଖ ବଜାରରୁ ପରିବା କିଣିବା ସମୟରେ ତ କେତେବେଳେ ଛାତ ଉପରେ ଓଦା କପଡା ଶୁଖାଇବା ସମୟରେ। ସାମ୍ନା ସାମ୍ନି ହେଲେ, ମୁଁ' ତାକୁ ମୁଣ୍ଡ ଟେକି ଆଦୌ ଚାହିଁ ପାରେନି। ତା'ର ଜହ୍ନ ଭଳି ଗୋଲ ମୁହଁକୁ ଦେଖିବାକୁ ଯେତେ ଚେଷ୍ଟା କଲେବି ମୋ ମୁହଁ ସହ ମୋ ଦୁଇ ଆଖି ତଳକୁ ହୋଇଯାଏ। କିନ୍ତୁ ତାର ସୁନ୍ଦର ଦୁଧ ଅଳତା ରଙ୍ଗର ଲକ୍ଷ୍ମୀପାଦରେ ମୋ ଆଖି ସ୍ଥିର ରହେ, ସେ ମତେ ଅତିକ୍ରମ କରିବା ପର୍ଯ୍ୟନ୍ତ, ବା ମୋ ଆଖିରୁ ଦୁରେଇ ଯିବା ପର୍ଯ୍ୟନ୍ତ। ଯଦି କେବେ ମୋ ଆଗରେ ଚାଲୁଥିବାର ଦେଖେ, ତା ଚାଲିବାର ଗତି ସହିତ ଅଳ୍ପ ବ୍ୟବଧାନ ରହି ମୁଁ ବି ସମାନ ଗତିରେ ତା ପଛେ ପଛେ ଚାଲେ। ପଛପଟୁ ତାର କମନୀୟ କାୟା ସହ ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ନିମଗ୍ନ ହୋଇ ଦେଖୁଥାଏ। ସତେ ଯେମିତି ସ୍ୱର୍ଗର କେଉଁ ଏକ ଅଭିଶପ୍ତା ଅପ୍ସରୀ ପୃଥିବୀରେ ଜନ୍ମ ନେଇଛି। ବେଳେବେଳେ ଲାଗେ ସେ ମଣିଷ ନୁହେଁ, ସତେ ଯେମିତି ମାର୍ବଲର ମୂର୍ତ୍ତି। ତାର ହସ ହସ ମୁହଁ ସତେଯେମିତି ପୂର୍ଣ୍ଣ ପ୍ରସ୍ଫୁଟିତ ପଦ୍ମ ଫୁଲ।  କିଛି ମାସ ପରେ, ତାଙ୍କ ଝିଅର ଜନ୍ମ ଦିନରେ ସେମାନେ ମୋତେ ନିମନ୍ତ୍ରଣ କରିଥିଲେ। ମୁଁ ସେ କୁନି ଝିଅ ପାଇଁ ଆବଶ୍ୟକ ଦୃଷ୍ଟିରୁ ଢେର ଅଧିକ ଉପହାର ଦେଇଥିଲି। ସେଦିନ ଜାଣିଥିଲି, ସ୍ୱାମୀ ସ୍ତ୍ରୀ ନାଁ, ପ୍ରଦୀପ ଓ ପ୍ରିୟଙ୍କା। ସେମାନେ ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହୋଇଥିଲେ। ଏବେ ସେମାନେ ଦେଖା ହେଲେ ଟିକେ ହସି ଦିଅନ୍ତି। କେହି ଆତ୍ମୀୟ ସ୍ୱଜନଙ୍କୁ ଭେଟିବା ଭଳି ମୋ ମନରେ ଆନନ୍ଦର ଲହରୀ ଖେଳିଯାଏ। ଧୀରେ ଧୀରେ ମୁଁ ସହଜ ହେଉଥିଲି। ପୂର୍ବର ମନୋଭାବ ମୋର ଆଉ ନଥାଏ। ଏବେ ସେମାନେ ମୋର ଉତ୍ତମ ପଡ଼ୋଶୀ ହୋଇ ସାରିଥିଲେ। ପୂଜା ପର୍ଵରେ ପିଠାପଣା ଭଲମନ୍ଦ ଆଣି ମୋ ଘରେ ଦେଇ ଯାଉଥିଲେ। ଦିନେ ସକାଳୁ ସକାଳୁ କାହାର କବାଟ ଠକ୍ ଠକ୍ ଶବ୍ଦରେ ମୋ ନିଦ ଭାଙ୍ଗିଗଲା। ମନେ ମନେ ବିରକ୍ତ ହୋଇ ମୁହଁ ମାଡି ପୁଣି ଶୋଇଲି। ଶବ୍ଦ ଆହୁରି ଜୋରରେ ଶୁଭିଲା। ମୁଁ ବନ୍ଦ ଆଖିରେ ମୋ ମୋବାଇଲ ଖୋଜିଲି। ସମୟ ସକାଳ ଛ'ଟା। କବାଟ ଖୋଲି ଦେଖିଲି ସାମ୍ନାରେ ସେ ସ୍ତ୍ରୀ ଲୋକଟି ଛିଡା ହୋଇଛି। ଦୁଇ ଆଖିରେ ଦୁଇ ଧାର ଲୁହ। ବ୍ୟସ୍ତ ବିବ୍ରତ ମୁଖଭଙ୍ଗୀ। ମୁଁ କିଛି ବୁଝିବା ଆଗରୁ ସେ ବିକଳ ହୋଇ କହିଲେ, "ଭାଇନା' ଏବେ କୁଆଡେ ଚାଲିଗଲେ। ତୁମେ ଟିକେ ଯାଇ ଦେଖିଲ। ନୂଆ ଜାଗା, ମୁଁ କୁଆଡେ ଯିବି କଣ କରିବି ମତେ କିଛି ବୁଦ୍ଧି ବାଟ ଦିଶୁନି"। ଏତିକି କହି ସେ ଭୋ ଭୋ ହୋଇ କାନ୍ଦିଲେ। ବୁଝୁ ବୁଝୁ ଜାଣିଲି ଦୁଇ ଦିନ ହେବ ତାଙ୍କ ଦେଖ ଖରାପ ଥିଲା। କାଲି ରାତିରେ ଦେହରେ ଭୀଷଣ ଜ୍ୱର ଆସିଥିଲା। ରାତିରେ ସେ ବାଉଳା ହୋଇ ୟାଡୁ ସ୍ୟାଡୁ କେତେ କଣ ଗପୁଥିଲେ। ପ୍ରିୟଙ୍କା ଭାଉଜ ସ୍ୱାମୀଙ୍କୁ ସାରା ରାତି ଅନିଦ୍ରା ହୋଇ ତାଙ୍କ ପାଖରେ ଜଗି ଥିଲେ। ଆଜି ସକାଳୁ ଭାଉଜ ଗାଧୋଇବା ସମୟରେ, ସେ କବାଟ ଖୋଲି କୁଆଡେ ଚାଲିଯାଇଛନ୍ତି। ୟା ଭିତରେ ସେ ବିକଳ ହୋଇ ମୋ ଗୋଡ଼ ହାତ ଧରି ସାରିଲେଣି। ମୁଁ ତାଙ୍କୁ ସାନ୍ତ୍ବନା ଦେଇ ପ୍ରଦୀପ ଭାଇଙ୍କୁ ଖୋଜିଵା ପାଇଁ ବାହାରିଲି। ମୁଁ ମନା କରିବା ସତ୍ତ୍ୱେ ସେ ଛୋଟ ଝିଅକୁ କୋଳରେ ଧରି ମୋ ସହିତ ଆପାର୍ଟମେଣ୍ଟ ତଳକୁ ଆସି ରୋଡ଼କୁ ଚାହିଁ ଛିଡା ହେଲେ। କି ଅସହାୟ, କି କରୁଣ ତାଙ୍କ ମୁହଁ। ଆଜି ଜଗୁଆଳି ବି ଆସି ନଥିଲା। ତାଠୁ କିଛି ଖବର ଅବଶ୍ୟ ମିଳିଥାନ୍ତା। ଏ ବିଷମ ପରିସ୍ଥିତିରେ ମୋ ମୁଣ୍ଡ କିଛି କାମ ଦେଉ ନଥାଏ। ଦୁଇ ଜଣ ସାଙ୍ଗକୁ ଡକେଇ ଆଖ ପାଖର ଗଳି କନ୍ଦି ଖୋଜିବାରେ ଲାଗିଲୁ। ଏତେ ବଡ଼ ସହରରେ ତାଙ୍କୁ କେଉଁଠୁ ଖୋଜିବୁ। ମୋ ମନରେ ଅନେକ ପାପ ଛୁଉଁଥାଏ। କିଛି ଅସୁବିଧା ହୋଇଯିବନି ତ! ଦୀର୍ଘ ଦୁଇ ଘଣ୍ଟା ଖୋଜି ନିରାଶ ହେବାପରେ ତାଙ୍କ ଭଳି ଜଣେ ଚାଲି ଚାଲି ଆସୁଥିବାର ଦୂରରୁ ଦେଖିଲି। ମୋ ଜଡ ପିଣ୍ଡରେ ପ୍ରାଣ ସଞ୍ଚାର ହେଲା। ସ୍ଥାନ କାଳ ପାତ୍ର ଭୁଲି ମୁଁ ଦୌଡ଼ିଲି ତାଙ୍କ ପାଖକୁ। ତାଙ୍କ ପାଖରେ ପହଞ୍ଚି ତାଙ୍କ ହାତକୁ ଖୁଵ ଜୋରରେ ଭିଡି ଧରିଲି। କେତେ କଣ ପଚାରିଗଲି। ତାଙ୍କୁ ପାଇବା ପାଇଁ ଆମେ କେତେ ବ୍ୟସ୍ତ ବିବ୍ରତ ହୋଇ ଖୋଜୁଛୁ, ଜଣାଇଲି। ସେ କୁଆଡେ ଯାଇଥିଲେ, କଣ କରିଥିଲେ, ତାଙ୍କର କିଛି ମନେ ନଥିଲା। ସେ କିଛି ଜାଣିପାରୁ ନଥିଲେ। ଦେହରେ ତାଙ୍କର ଭୀଷଣ ଜ୍ୱର। ତାଙ୍କୁ ମୁଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କଲି। ତାଙ୍କ ସହଧାର୍ମିଣୀ ଅଖିଆ ଅପିଆ ଛୋଟ ପିଲାଟିକୁ ଧରି ତାଙ୍କୁ ଜଗି ରହିଥାନ୍ତି। ଏ ଘୋର ଦୁର୍ଦ୍ଦିନରେ ତାଙ୍କୁ ଏକୁଟିଆ ଛାଡି ଯିବାକୁ ମୋ ବିବେକ ବାଧା ଦେଲା। ତାଙ୍କ କରୁଣ ଚାହାଣୀ ଦେଖିଲେ, ମୋ ହୃଦୟ ଥରି ଉଠୁଥିଲା। ଦିନ ଯାଇ ସନ୍ଧ୍ୟା ହେଲା। ସେ ଜଣେ ଦୁଇଜଣ ଆତ୍ମୀୟଙ୍କୁ ଡକେଇ ଥିଲେ। କିନ୍ତୁ କେହି ଆସିଲେ ନାହିଁ। ଶେଷରେ ମୁଁ ତାଙ୍କୁ ଅଭୟ ଦେଇ କହିଲି, "ବ୍ୟସ୍ତ ହେବା କିଛି ଦରକାର ନାହିଁ। ତୁମେ ଘରକୁ ଯାଅ। ମୁଁ ଏଠି ଅଛି। ତୁମେ ସକାଳୁ ଆସିବ। ନହେଲେ ମେଡ଼ିକାଲରେ ରହି ଛୋଟ ପିଲାଟା ବି ଅସୁସ୍ଥ ହୋଇ ପଡିବ। ପଦଟିଏ ବି କିଛି ନକହି, ନିରବ ଓ ନିର୍ବିକାର ହୋଇ ସେ କେବଳ ମତେ ଚାହିଁ ରହିଲେ। ଆଖିରେ ଧାର ଧାର ଲୁହ। ତାଙ୍କର ଏ ଅବସ୍ଥା ଦେଖି ମୋ ମନ ଭିତରେ ଖୁଵ କଷ୍ଟ ହେଉଥାଏ। ଇଚ୍ଛା ହେଉଥାଏ ତାଙ୍କ ଆଖିର ଲୁହ ସବୁକୁ ନିଜ ହାତରେ ପୋଛି ନେବାକୁ। ପକେଟରୁ ରୁମାଲ କାଢି ନିଜ ମୁହଁ ପୋଛିଲି। କୁନି ଝିଅକୁ କୋଳକୁ ଆଣି କାନ୍ଧରେ ପକାଇ ପିଠି ଥାପୁଡ଼େଇବାରେ ଲାଗିଲି। ମୋ ପାଦ ଦୁଇଟି ଆପେ ଆପେ ଟାଣି ହୋଇ ଆସିଲା ମେଡ଼ିକାଲ ବାହାରକୁ। ସେ ବି ନିରବରେ ମୋ ପଛେ ପଛେ ଆସିଲେ। ତାଙ୍କ ମୁହଁକୁ ନ ଚାହିଁ ମୁଁ କହିଲି, "ତୁମେ ଘରକୁ ଯାଅ।ମୁଁ ଅଛି, ଦେଖିବ କିଛି ଅସୁବିଧା ହେବ ନାହିଁ"। ମୋ ଇସାରାରେ, ଅଟୋରିକ୍ସା ଟିଏ ଆମ ଆଗରେ ଅଟକିଲା। କାହାକୁ କିଛି ନ କହି, ସେ କିଛି ସମୟ ନିରବରେ ମୋ ମୁହଁକୁ ଚାହିଁ ରହିଲେ। ତା'ପରେ ଝିଅକୁ ନେଇ ସେ ଅଟୋରେ ବସିଲେ। କିଛି ସମୟ ପରେ ଅଟୋଟି ମୋ ଆଖି ସାମ୍ନାରୁ ଅଦୃଶ୍ୟ ହୋଇଗଲା। ଓଜନିଆ ମନ ନେଇ ମୁଁ ପୁଣି ମେଡ଼ିକାଲକୁ ଫେରିଲି। ପ୍ରଦୀପ ଭାଇ ମେଡ଼ିସିନ ପ୍ରଭାବରୁ ନିସ୍ତେଜ ହୋଇ ଶୋଇଥାନ୍ତି। ମୁଁ ତାଙ୍କ ପାଖରେ ଯାଇ ବସିଲି। ସାରା ଦିନର କ୍ଲାନ୍ତିରେ ଆଖି ମାଡି ପଡୁଥାଏ। କିନ୍ତୁ ଜଣେ ରୋଗୀ ମଣିଷକୁ ଏକୁଟିଆ ଛାଡି ଶୋଇବାକୁ ମୋ ବିବେକ ବାଧା ଦେଉଥାଏ। ରାତି ଦୁଇଟା ସୁଦ୍ଧା ସେ ଆଖି ଖୋଲିଲେ। ମୁଁ ତାଙ୍କୁ ଟିକେ ଆଉଁସି ଦେବାପାଇଁ ଆଉ ଟିକେ ତାଙ୍କୁ ଲାଗି ବସିଲି। ଚାରିଆଡକୁ ଥରୁଟିଏ ଆଖି ବୁଲାଇ ଅତି ଧୀର ସ୍ୱରରେ ସେ ପଚାରିଲେ, "ମୁଁ ଏବେ କେଉଁଠି"। ମୁଁ କହିଲି, "ତୁମେ ଏବେ ହସ୍ପିଟାଲରେ"। କିଛି ବୁଝି ନପାରିବା ଭଳି ପୁଣି ସେ ଆଖି ବୁଜି ଶୋଇଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ଫୋନ କଲେ। ଅତି କରୁଣ ସ୍ୱରରେ ସ୍ୱାମୀଙ୍କ ଭଲ ମନ୍ଦ ପଚାରିଲେ। ମୁଁ କହିଲି, "ଏବେ ଆଉ ବିପଦ ନାହିଁ ବୋଲି ଡାକ୍ତର କହିଛନ୍ତି। ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ସକାଳୁ ସକାଳୁ ପ୍ରଦୀପ ଭାଇଙ୍କ ସ୍ତ୍ରୀ ମେଡ଼ିକାଲରେ ଆସି ପହଞ୍ଚିଲେ। ଗରମ କ୍ଷୀର, ପିଇବା ପାଣି ସହ ସବୁ ଆବଶ୍ୟକ ଜିନିଷ ସାଙ୍ଗରେ ଆଣି ଆସିଥାନ୍ତି। ଏତେ ସବୁ ଅସୁବିଧା ଭିତରେ ବି ସେ ମୋ ପାଇଁ ଜଳଖିଆ ତିଆରି କରି ଆଣିଥିଲେ। ତାଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ପରାୟଣତା ଦେଖି ମୋ ମନରେ ତାଙ୍କ ପ୍ରତି ଆଦର ଆହୁରି ବଢ଼ିଗଲା। ମତେ ରୁମ୍ କୁ ଫେରିଯାଇ ବିଶ୍ରାମ ନେବାକୁ ସେ ବାରମ୍ବାର କହୁଥାନ୍ତି କିନ୍ତୁ ମେଡ଼ିକାଲରେ ତାଙ୍କୁ ଏ ଅସୁବିଧାରେ ଏକୁଟିଆ ଛାଡି ଚାଲିଯିବାକୁ ମୁଁ ଉଚିତ ମଣିଲି ନାହିଁ। ଏବେ ସେ ସିଧା ଯାଇ ସ୍ୱାମୀଙ୍କ ପାଖରେ ବସିଲେ। ଗୋଟେ ଥର ଚାରିଆଡେ ଆଖି ବୁଲାଇ ଆଣି ମୁଣ୍ଡକୁ ଆଉଁସି ଦେଲେ। ସ୍ୱାମୀଙ୍କ ହାତକୁ ନିଜ ପାପୁଲିରେ ରଖି ଚୁମା ଦେଲେ। ଦୁଇ ଆଖିକୁ ବୁଝି ଧୀର ସ୍ୱରରେ କହିଲେ, "ତୁମର କିଛି ହେବ ନାହିଁ। ତୁମେ ଖୁଵ ଶୀଘ୍ର ଭଲ ହୋଇଯିବ।" ମତେ ଭାରି ବିକଳ ଦିଶିଲା ସେ ଦୃଶ୍ୟ। ଦୁଇଦିନ ବିତିଗଲା। ପ୍ରଦୀପ ଭାଇ ଧୀରେ ଧୀରେ ସୁସ୍ଥ ହେଉଥାନ୍ତି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଥାଏ, ଏତେବଡ଼ ଘଟଣା ପରେ ବି ସେମାନଙ୍କର ଘରୁ କେହି ଆସି ନଥାନ୍ତି। କିନ୍ତୁ ପ୍ରିୟଙ୍କା ଭାଉଜ ସବୁକିଛି ଆତ୍ମବିଶ୍ବାସର ସହ ସମ୍ଭାଳି ନେଉଥାନ୍ତି। ଏହା ଭିତରେ ଆମେ ଉଭୟ ଉଭୟଙ୍କ ପାଖରେ ଖୁଵ ସହଜ ହୋଇ ସାରିଥାଉ। ଅପରାହ୍ନ ସମୟରେ ମେଡ଼ିକାଲ ଲମ୍ବା ବାରଣ୍ଡାରେ ଆମର କିଛି ସମୟ ଗପସପରେ କଟିଯାଏ। ମନ କଥାକୁ ରୋକି ନପାରି ମୁଁ ପଚାରିଲି, ଏତେ ପରେ ବି ଉଭୟଙ୍କ ଘରୁ କେହି କାହିଁକି ଆସିଲେ ନି ମୋ କଥା ଶୁଣି ତାଙ୍କ ଆଖି ଛଳଛଳ ହୋଇଗଲା। କିଛି ସମୟ ପାଇଁ ସେ ନୀରବ ହୋଇଗଲେ। ବଡ଼ ଅପରାଧ କରିଦେବା ଭଳି ମୁଁ ନିଜକୁ ଦୋଷୀଟିଏ ବୋଲି ଭାବୁଥିଲି। ଟିକିଏ ସମୟର ନୀରବତା ପରେ ସେ କହିଲେ, "ନିଜର କିଏ ଥିଲେ ତ?" ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, "ମାନେ? ତମର କଣ। ମୁଁ ମୋ କଥାକୁ ପୁରା କରିପାରିଲି ନାହିଁ। ବଡ଼ ଉଦାସ କଣ୍ଠରେ ସେ କହିଲେ, " ମୁଁ ଜନ୍ମ ହେବାର ଅଳ୍ପ ଦିନ ପରେ ମୋ ମା' ମୋତେ ଏକା କରିଦେଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ବାପାଙ୍କର ଭଙ୍ଗା ସଂସାରକୁ ନୂଆକରି ଗଢିବା ପାଇଁ ନୂଆ ମା'ଟିଏ ଆସିଲେ। ସମୟକ୍ରମେ ପରେ କୁଆଁ କୁଆଁ ଡାକ ଦେଇ କୁନି ଭାଇଟିଏ ବି ଆସିଲା। କିନ୍ତୁ ସେମାନେ ନିଜର ହୋଇ ବି ନିଜର ନୁହନ୍ତି। ସେମାନଙ୍କୁ ସ୍ନେହ, ଆଦର ଓ ଭଲ ପାଇବା ଦେଇ ଯେତେ ନିଜର କଲି ସେମାନେ ମୋତେ ସେତେ ଦୂରକୁ ଦୂରକୁ ଠେଲି ଦେଲେ। ମୋ ଭଲ ପାଇବା ବଦଳରେ ସେମାନେ ଦେଲେ ଘୃଣା। ମୋ ସ୍ନେହ ଆଦରର ପ୍ରତିବଦଳରେ ସେମାନେ ଦେଲେ ଅପମାନ। ପିଲାଟି ଦିନରୁ ମୁଁ, ସମସ୍ତଙ୍କ ପାଇଁ ଅଲୋଡ଼ା ଅଖୋଜା ହୋଇଗଲି। ଏବେ ସେ ମୋ ପାଖକୁ ଆଉ ଟିକେ ଲାଗି ବସିଲେ। ଆଖିରୁ ଲୁହ ପୋଛି, ଖୁଵ ସହଜ ଭାବରେ ସେ କହିଲେ, "ତୁମର ଏ ନିରୋଳା ମଣିଷ ପଣିଆ ଆଗରେ ଆମେ ଚିର ୠଣୀ। ତୁମ ଋଣ ଆମେ ଏ ଜନ୍ମରେ କେବେ ବି ସୁଝି ପାରିବୁ ନାହିଁ। ଏତେ ସ୍ନେହ, ଶ୍ରଦ୍ଧା ବିନା ସ୍ୱାର୍ଥରେ କିଏ କଣ ଦେଇପାରେ।" ଏସବୁ ଶୁଣି ମୋ ଭିତରେ କେମିତି ଏକ କୋମଳ କଷ୍ଟ ଅନୁଭବ ହେଉଥିଲା। ସେ ନିଃଶବ୍ଦରେ ଗୋଟିଏ ହାତ ମୋ କାନ୍ଧ ଉପରେ ରଖି ଓଦା ଓଦା କଣ୍ଠରେ କହିଲେ, "ତୁମେ ମୋ ଭାଇ ହୋଇ ନଥାନ୍ତ। ସତରେ ତୁମ ଭଳି ଭାଇଟିଏ ଭାଗ୍ୟରେ ଥିଲେ ମିଳେ"। ମୁଁ ବିସ୍ମିତ ଆଖିରେ କିଛି ସମୟ ନିର୍ବାକ ହୋଇ ଚାହିଁଲି ସନ୍ଧ୍ୟାର ଘନକୃଷ୍ଣ ଆକାଶକୁ ଏବଂ ଜ୍ୟୋସ୍ନାଭିଜା ପୃଥିବୀକୁ। ତାଙ୍କ କୋମଳ, ମଧୁର ଏବଂ ସ୍ନିଗ୍ଧ ସ୍ପର୍ଶରେ ମୁଁ ଦେଖିପାରିଲି ଭିନ୍ନ ଏକ ପୃଥିବୀର ମାୟା । ଯେଉଁଠି ଥିଲେ କେବଳ ଦୁଇଟି କୁନି କୁନି ଭାଇ ଓ ଭଉଣୀ ଏବେ ତାଙ୍କ ମୁହଁକୁ ମୁଁ ଚାହିଁ ପାରୁ ନଥିଲି। କାରଣ ଏହି ଦୁଇ ପଦ କଥାରେ ତାଙ୍କ ଆଖିର ଲୁହ ସବୁ ମୋ ଆଖିକୁ ସଞ୍ଚରିତ ହୋଇ ସାରିଥିଲା। ଭଉଣୀଟିଏ ନଥିବାର ଦୁଃଖ ମୋ ନିଃସଙ୍ଗ ହୃଦୟରୁ କ୍ଷଣିକ ମଧ୍ୟରେ କେଉଁଆଡ଼େ ଅପସରି ଗଲା। ମୁଁ କହିବି କି ନକହିବି ଭାବୁ ଭାବୁ, ରହି ରହି କହିଲି, "ପିଲାଟି ଦିନରୁ ମୁଁ ମୋ ବାପାଙ୍କ ପାଖରେ ବଢିଛି। ଭଉଣୀର ସ୍ନେହ ଆଉ ମା"ର ମମତା ମୁଁ ପିଲାଦିନରୁ ହରାଇଛି। ଅନେକ ବର୍ଷ ତଳେ, ଗୋଟେ କାର ଆକ୍ସିଡେଣ୍ଟରେ।

ଫଗୁଣର ସେ କୋମଳ ସନ୍ଧ୍ୟାରେ ଦୁଇଟି ସ୍ନେହସିକ୍ତ ମଣିଷ ମମତା ବୋଳା ମନ ନେଇ, ଗଭୀର ଆଲିଙ୍ଗନରେ ଅନେକ କାନ୍ଦିଥିଲେ।


Rate this content
Log in

Similar oriya story from Drama