Lopamudra Mishra

Romance

3  

Lopamudra Mishra

Romance

ନୋକିଆ ଷୋଳଶହ

ନୋକିଆ ଷୋଳଶହ

11 mins
669


  

 ସେ ଯେତେବେଳେ ବି ତା' ବଡ଼ ଭଉଣୀ ଘରକୁ ବାଙ୍ଗାଲୋର୍ ଆସେ ସେହି ଗୋଟାଏ କଥା ଅପାକୁ ଦିନରେ ଆଠରୁ ଦଶ ଥର ନକହିଲେ ତା'ର ମନ ବୁଝେନାହିଁ l ନୀଳିମା ବେଳେ ବେଳେ ଚିଡ଼ି ଯାଆନ୍ତି ଆଉ କହନ୍ତି, "ଯୁଗ ଆସି କୋଉଠି ପହଂଚିଲାଣି, ତୁ କିନ୍ତୁ ସେହି ରିଲାଏନ୍ସ୍, ୟୁନିନର୍,ଏୟାରସେଲ୍,ଟାଟା ଡୋକୋମୋ ସିମ୍ ର ଫ୍ରି କଲ୍ ଭିତରୁ ବାହାରି ପାରୁନୁ l 'ଫୋର୍ ଜି ', 'ଫାଇଭ୍ ଜି' ର ଜମାନାରେ ତୁ ସେହି ମରହଟ୍ଟିୟା ନୋକିଆ ଷୋଳଶହକୁ ଝୁରି ହେଉଛୁ ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି l ଆରେ ଛାଡନା ସେ କଥା" l 


 ବିଜନ୍ କିନ୍ତୁ ଛାଡ଼ି ପାରେନି l ପୁଣି କିଛି ସମୟ ଛାଡ଼ି ପଚାରେ, "ଅପା, ତୁ କ'ଣ କିଛି ଖବର ରଖିଛୁ ତୁମ ପୁରୁଣା ହଷ୍ଟେଲ୍ ରେ ଏବେ କିଏ ସୁପାରିନଟେଣ୍ଡେଣ୍ଟ୍ ଅଛନ୍ତି ? ତୁମ ମେଟ୍ରୋନ୍ ଝରଣା ମାଉସୀଙ୍କ ନମ୍ବର୍ କାହା ପାଖରେ ଅଛି ଟିକେ ପଚାରି ବୁଝୁନୁ l ମୁଁ ନିଜେ ଯାଇ ତୁମ ମେଟ୍ରୋନ୍ କୁ କହିକି, ମୋ ମୋବାଇଲର ବିଲ୍ ଦେଖେଇକରି ତାଙ୍କ ଠାରୁ ମୋ ମୋବାଇଲଟା ଆଣିଆସିବି l ଜାଣିଛୁ ନା ଅପା ସେଇଟା ମୋ ଜୀବନର ପ୍ରଥମ ମୋବାଇଲ୍ ? ତାକୁ ମୁଁ ଯେମିତି ହେଲେ ପାଇବାକୁ ଚାହୁଁଛି l"


   ନୀଳିମା ସାନ ଭାଇର କଥାରେ ଯେତିକି ବିରକ୍ତ ହୁଅନ୍ତି ସେତିକି ଆଶ୍ଚର୍ଯ୍ୟ ବି ହୁଅନ୍ତି l ଯେକୌଣସି ମୋବାଇଲ୍ ତ ଦିନେ ନା ଦିନେ ଖରାପ ହେବ ନିଶ୍ଚୟ l ଖରାପ ହେଉ ବା ନହେଉ ଲାଟେଷ୍ଟ୍ ମଡେଲ୍ ଆସିଲେ ଲୋକେ ପୁରୁଣାକୁ ଛାଡ଼ି ନୂଆ ଟେକ୍ନୋଲୋଜି ଥିବା ଡିଭାଇସ୍ କୁ ଆପଣେଇ ନିଅନ୍ତି l ପୁରୁଣା ମୋବାଇଲ୍ ଟେକୁ କିଏ ଏତେ ମନେ ରଖେ ଯେ ? କେହି କେହି ତ ଚୋରି ଯାଇଥିବା ବା ହଜେଇ ଦେଇଥିବା ମୋବାଇଲ୍ କୁ ମାସକରେ ଭୁଲି ଯାଆନ୍ତି ସେଥିରେ ନିଜର ଯେତେ ବ୍ୟକ୍ତିଗତ ଫୋଟୋ ବା ଡାଟା ଥିଲେ ମଧ୍ୟ l କିନ୍ତୁ ଏ ବିଜନ୍ କାହିଁକି ଭୁଲିପାରୁନି ? କଣ ଏମିତି ଥିଲା ଯେ ସେ ପୁରୁଣା ମଡେଲ୍ ମୋବାଇଲ୍ ଟାରେ ? ସାମାନ୍ୟ ରେଡ଼ିଓ କି କ୍ୟାମେରା ବି ନଥିଲା ସେଥିରେ l କେବଳ ଗୋଟିଏ ସାପ ଗେମ୍ ଥିଲା ଯେଉଁଥିପାଇଁ ଘରେ ଥିଲାବେଳେ ଭାଇ ଭଉଣୀ ଦୁଇଜଣ ଅନେକ ଥର ଝଗଡା ବି ଲାଗିଛନ୍ତି, କିଏ ଫୋନ୍ ଟାକୁ ବେଶି ୟୁଜ୍ କରିଦେଉଛି ସେହି କଥାକୁ ନେଇ l 


    ବିଜନ୍ ଏଥର ଅପା ପାଖକୁ ଆସିଛି ଗୋଟେ ଖୁସି ଖବର ସହ l ପୋଷ୍ଟ୍ ଗ୍ରାଜୁଏସନ୍ ପରେ ଦୁଇବର୍ଷ ହେଲା ସେ ଓଡିଶାରେ ଚାକିରୀ ପାଇଁ ଚେଷ୍ଟା କରୁଥିଲା l ଦୁଇଟା ଜବ୍ ରେ ସିଲେକ୍ଟ୍ ହେଇ ମଧ୍ୟ ଥିଲା କିନ୍ତୁ ତୃତୀୟ ଶ୍ରେଣୀ ଚାକିରୀ ହେଇଥିବା ହେତୁ ବାପା ଆଦୌ ରାଜିହେଇନଥିଲେ l "ତୋର ଏତେ ଭଲ କ୍ୟାରିୟର୍, ତୁ ଏତେ ମେଧାବୀ, କାହିଁକି ଏ ଜବ୍ କରିବୁ ? ବୟସ କ'ଣ ଏମିତି ଚାଲିଯାଇଛି ? ଆଉ ବର୍ଷେ ଚେଷ୍ଟା କର l", ବାପା ବିଜନ୍ କୁ ସେ ଜବ୍ ନକରି ଆଗକୁ ଦେଖିବାକୁ କହିଥିଲେ l ବିଜନ୍ ବାପାଙ୍କ କଥାକୁ କେବେ ବି ଅମାନ୍ୟ କରିନାହିଁ l ଯାହା ହେଉ ବାପାଙ୍କ କଥା ମାନିଥିବାରୁ ଆଜି ଭଲ ଚାକିରୀଟେ ତା'କୁ ମିଳିପାରିଲା l ରେଲୱେରେ ଅଫିସର୍ ପୋଷ୍ଟ୍, କିଛି କମ୍ କଥା ନୁହେଁ l କ୍ଲାସ୍ ୱାନ୍ ଅଫିସର୍, ଦରମା ଖୁବ୍ ଭଲ l ଅପା, ଭାଇ ବହୁତ ଖୁସି ହେଲେ ଜାଣିକି l ତା' ନୀଳିମା ଅପାର ଆଖିରେ ତ ଲୁହ ଆସିଗଲା l 


 ନୀଳିମା, ବିଜନ୍ ଠାରୁ ମାତ୍ର ଦୁଇବର୍ଷ ବଡ l ପାଞ୍ଚ ବର୍ଷ ତଳୁ ସେ ବାହା ହେଇ ଇଞ୍ଜିନିଅର୍ ସ୍ୱାମୀଙ୍କ ସହ ବାଙ୍ଗାଲୋର୍ ଚାଲି ଆସିଛନ୍ତି l ନୀଳିମା ଗ୍ରାଜୁଏସନ୍ ପରେ ଅଧିକ ପଢିବାକୁ ଚାହୁଁଥିଲେ କିନ୍ତୁ ବିଜନ୍ ର ପଢା ଖର୍ଚ୍ଚ ସାଙ୍ଗକୁ ନୀଳିମାଙ୍କର ଖର୍ଚ୍ଚ ଉଠେଇବା ଆଉ ବାପାଙ୍କ ପକ୍ଷେ ସମ୍ଭବ ହେଲାନାହିଁ l ଭାଗ୍ୟକୁ ସେହିସମୟରେ ଭଲ ପ୍ରସ୍ତାବଟିଏ ଆପେ ଆସି ଜୁଟିଲା l ନୀଳିମାଙ୍କୁ ବାହା କରେଇଦିଆଗଲା l ପିଲାବେଳୁ ଅପାକୁ ହିଁ ବେଷ୍ଟ୍ ଫ୍ରେଣ୍ଡ୍ ଭାବି ଆସିଥିବା ବିଜନ୍ କଲେଜ୍ ରୁ ଛୁଟି ପାଇଲେ ଅପା ପାଖକୁ ବାଙ୍ଗାଲୋର୍ ଚାଲିଆସେ l ଅପା ପାଖରେ ସବୁ କଥା କହେ ଓ ନିଜ ପ୍ରଥମ ମୋବାଇଲ୍ ଫୋନ୍ ଟି କିପରି ଆଉଥରେ ପାଇପାରିବ ସେହି କଥା ପଚାରି ପଚାରି ଅପାର ମୁଣ୍ଡ ଖରାପ କରିଦିଏ l


  ନୀଳିମା ଭାବିଥିଲେ ଏଥର ଚାକିରୀ ପାଇଥିବାରୁ ଖୁସିରେ ବିଜନ୍ ସେ ମୋବାଇଲ୍ କଥା ଭୁଲିଯାଇଥିବ, ଆଉ ପଚାରିବନାହିଁ l କିନ୍ତୁ ସେ ଭୁଲ୍ ଭାବିଥିଲେ, ବରଂ ଏଥର ତା'ର ମୋବାଇଲ୍ ପାଇବାର ଆଗ୍ରହ ଆହୁରି ବେଶି ବଢ଼ିଯାଇଥିଲା l କହିଲା, "ଅପା ତୁ ଖାଲି ବୁଉଝେ ତୁମ ମେଟ୍ରୋନ୍ ମୋ ମୋବାଇଲ୍ ରଖିଛି କି ନାହିଁ l ଏବେ ତ ମୋର ଜବ୍ ହେଇଗଲାଣି, ସେ ଯେତେ ଟଙ୍କା କହିବ ମୁଁ ତାକୁ ଦେଇକରି ମୋ ମୋବାଇଲ୍ ନେଇଆସିବି l "


--"ଆରେ କ'ଣ ଏମିତି ଅଛି ସେ ମୋବାଇଲ୍ ଟାରେ ଯେ ତୁ ଏମିତି ବାୟା ପରି ହେଉଛୁ ? ", ନୀଳିମା ବିଜନ୍ କୁ ଯେତେ କହିଲେ ଓ ବୁଝେଇଲେ ହେଲା ନାହିଁ, ତାର ଜିଦି ନୀଳିମା ସେ ମୋବାଇଲ୍ ବିଷୟରେ ଖବର ନେବେ l ନୀଳିମାଙ୍କୁ ଖରାପ ଲାଗୁଥିଲା ହଷ୍ଟେଲ୍ ମେଟ୍ରୋନ୍ ଝରଣା ମାଉସୀଙ୍କୁ ଫୋନ୍ କରି ପୁରୁଣା ମୋବାଇଲ୍ ବିଷୟରେ ପଚାରିବା ପାଇଁ l ସେହି ସମୟରେ ଯେତେବେଳେ ମୋବାଇଲ୍ ଟି ହଜିଯାଇଥିଲା, ଝରଣା ମାଉସୀ ସଫା ସଫା ମନାକରିଦେଇଥିଲେ ଫେରେଇବାକୁ l ବଡ଼ ଅଜବ ଲୋକ ସେ ଓ ତାଙ୍କ ପୁରୁଣା ହଷ୍ଟେଲ୍ ସୁପରିନଟେଣ୍ଡେଣ୍ଟ୍ l 


   ସେତେବେଳେ ବିଜନ୍ ର ଜିଦିରେ ବାପା ତା'କୁ ମୋବାଇଲ୍ ଟେ କିଣିକି ଦେଇଦେଲେ କିନ୍ତୁ ନୀଳିମାଙ୍କ ପାଖରେ କୌଣସି ମୋବାଇଲ୍ ଫୋନ୍ ନଥିଲା l ନୀଳିମା ପଢୁଥିବା ଓ଼ମେନ୍ସ୍ କଲେଜ୍ ର ଲେଡ଼ିଜ୍ ହଷ୍ଟେଲ୍ ରେ ବି ମୋବାଇଲ୍ ରଖିବା ନିଷେଧ ଥିଲା l ଯେମିତି ସେଇଟି ମୋବାଇଲ୍ ନୁହେଁ ପରମାଣୁ ବୋମା ବା ଆଉ କିଛି ନିଷିଦ୍ଧ ପଦାର୍ଥ, ହଷ୍ଟେଲ୍ ସୁପରିନଟେଣ୍ଡେଣ୍ଟ୍ ସାଦିୟା ମାଡାମ୍ ସେମିତି ହିଁ ନଜରରେ ମୋବାଇଲ୍ ଫୋନ୍ କୁ ଦେଖୁଥିଲେ l ମୋବାଇଲ୍ ବ୍ୟବହାରକାରୀଙ୍କୁ ମାମ୍ କୌଣସି ଅପରାଧୀଠାରୁ କମ୍ ବୋଲି ଭାବୁନଥିଲେ l ତଥାପି ଝିଅମାନେ ଲୁଚେଇ ଚୋରେଇ ମୋବାଇଲ୍ ରଖୁଥିଲେ ଓ ରାତିରେ ଚୁପଚାପ୍ ଭିତରୁ କବାଟ ବନ୍ଦ କରି କଥାବାର୍ତ୍ତା ହେଉଥିଲେ l ମୋବାଇଲ୍ ରଖିବାରେ ସବୁଠାରୁ ବଡ଼ ଅସୁବିଧା ଥିଲା ତାର ବ୍ୟାଟେରୀ ଚାର୍ଜ୍ କରିବା l ହଷ୍ଟେଲ୍ ରୁମ୍ ରେ କୌଣସି ପ୍ଲଗ୍ ପଏଂଟ୍ ନଥିଲା l ଯିଏ ମୋବାଇଲ୍ ରଖୁଥିଲା ସେ କଲେଜ୍ ରେ ବା ନିକଟସ୍ଥ ଅନ୍ୟ ଏକ ଛାତ୍ରୀନିବସରେ ଦିନ ବେଳେ ଯାଇ ବ୍ୟାଟେରୀ ଚାର୍ଜ୍ କରେଇ ଆଣୁଥିଲା l ନୀଳିମା ଅନେକଥର ସାଦିୟା ମାମ୍ ଙ୍କୁ ମୋବାଇଲ୍ ଉପରୁ ନିଷେଧାଦେଶ ଉଠେଇଦେବାକୁ ଅନୁରୋଧ କରିଛନ୍ତି କିନ୍ତୁ ମାମ୍ ଆହୁରି ବେଶି ଉତ୍କ୍ଷିପ୍ତ ହୋଇଛନ୍ତି ବରଂ ଅନୁରୋଧ କିନ୍ତୁ ରକ୍ଷା କରିନାହାଁନ୍ତି l ଚୋରି ଛୁପି ମୋବାଇଲ୍ ରଖିବାକୁ ନୀଳିମା ପସନ୍ଦ କରୁନଥିଲେ ସେଥିପାଇଁ ସେ ମୋବାଇଲ୍ ଟେ ରଖିବେନାହିଁ କହି ବାପାଙ୍କୁ ମନାକରିଦେଇଥିଲେ l 


    ନୀଳିମା ବି.ଏସ୍ ସି ଫାର୍ଷ୍ଟ୍ ଇୟର୍ ରେ ଥିଲେ ବିଜନ୍ ମାଟ୍ରିକ୍ ରେ ୯୧ ପ୍ରତିଶତ ମାର୍କ୍ ରଖି ପ୍ଲସ୍ ଟୁ ପଢିବାକୁ ଗାଁରୁ ସହରକୁ ଆସିଲା l ନୀଳିମାଙ୍କ ଓ଼ମେନ୍ସ୍ କଲେଜ୍ ଠାରୁ ବିଜନର କଲେଜ୍ ପାଞ୍ଚ କିଲୋମିଟର୍ ଦୂର ଥିଲା l ବିଜନ୍ ପ୍ରାୟ ସବୁଦିନ ସାଇକେଲ୍ ଚଲେଇ ଅପା ପାଖକୁ ଚାଲିଆସେ l ବିଜନର ହଷ୍ଟେଲରେ ମୋବାଇଲକୁ ନେଇ କୌଣସି ନିଷେଧାଦେଶ,ଅସୁବିଧା ନଥିଲା l ସେଥିପାଇଁ ସେ ବାପାଙ୍କୁ କହି ତା ଜୀବନର ପ୍ରଥମ ମୋବାଇଲ୍ 'ନୋକିଆ ଷୋଳଶହ' କିଣିଥିଲା l ଯେତେବେଳେ ବି ସେ ନୀଳିମାଙ୍କ ପାଖକୁ ଆସୁଥିଲା ନୀଳିମା ଆଗ ଦଶ ପନ୍ଦର ମିନିଟ୍ ବିଜନର ମୋବାଇଲରେ ସାପ ଖେଳ ଖେଳୁଥିଲେ ଓ ପରେ ବାପାଙ୍କୁ ଫୋନ୍ କରି କଥାହେଉଥିଲେ l 


     ବିଜନ ବଡ଼ ଯତ୍ନରେ ନିଜ ମୋବାଇଲ୍ ଟି ରଖିଥିଲା l ଏ ଭିତରେ ଏଫ୍.ଏମ୍ ରେଡ଼ିଓ, ବ୍ଲୁଟୁଥ୍,କ୍ୟାମେରା ଵାଲା ମୋବାଇଲ୍ ଆସିଯାଇଥିଲେ ମଧ୍ୟ ବିଜନ୍ ତା' ନୋକିଆ ଷୋଳଶହ ସହ ବେଶ୍ ଖୁସି ଥିଲା l ତା' ମୋବାଇଲ୍ ରେ ସେ ବ୍ୟବହାର କରୁଥିବା ଏୟାରସେଲ୍ ସିମ୍ ର ନମ୍ବର୍ ଟି ବି ତାକୁ ବହୁତ ପସନ୍ଦ ଥିଲା l କିନ୍ତୁ କ'ଣ ହେଲା କେଜାଣି ହଠାତ୍ ଦିନେ ବିଜନ୍ ନୀଳିମାଙ୍କ ହଷ୍ଟେଲ୍ କୁ ଆସି ଗୋଟେ ଜରିରେ ଗୁଡେଇ ମୋବାଇଲ୍ ଟି ଅପା ହାତକୁ ଟେକିଦେଲା l ନୀଳିମା ବି ଆଶ୍ଚର୍ଯ୍ୟ ହେଇ ପଚାରିଥିଲେ --କିରେ କ'ଣ ହେଲା ? ଆମ ହଷ୍ଟେଲରେ ପରା ମୋବାଇଲ୍ ଆଲାଉଡ୍ ନୁହେଁ, ତୁ କ'ଣ ଜାଣିନୁ ? 


--ତଥାପି ତ ସମସ୍ତେ ଲୁଚେଇ ରଖୁଛନ୍ତି ନା ? ତୁ ବି ନେ ଲୁଚେଇ ରଖିବୁ l ମୋର ଆଗକୁ ଫାଇନାଲ୍ ପରୀକ୍ଷା l ଏ ମୋବାଇଲ୍ ମୋତେ ଡିଷ୍ଟର୍ବ୍ କରୁଛି l ତୁ ନେ ରଖିଥା l ପରୀକ୍ଷା ସରିଲେ ନେଇଯିବି l 

  ନୀଳିମା ଭାବିଲେ ପ୍ଲସ୍ ଟୁ ପରୀକ୍ଷା ପାଇଁ ବିଜୁ ଚିନ୍ତିତ ରହୁଥିବ l ମୋବାଇଲଟି ବି ସତରେ ରହିଲେ ଅସୁବିଧା, କିଏ କିଏ ସବୁ ଫୋନ୍ କରି ସମୟ ନଷ୍ଟ କରିପାରନ୍ତି l ତେଣୁ ସେ ମୋବାଇଲଟି ନିଜ ପାଖରେ ରଖିଦେଲେ l 

   ନୀଳିମା ମୋବାଇଲ ବହୁତ କମ୍ ବ୍ୟବହାର କରନ୍ତି l ଦିନେ ରାତିରେ ସେ ପଢୁଥିଲେ, ତାଙ୍କ ରୁମମେଟ୍ ସ୍ୱାତୀର ମୋବାଇଲରୁ ଚାର୍ଜ୍ ସରିଗଲା l ସେ ତା ବୟଫ୍ରେଣ୍ଡ୍ ସହ କଥା ହେଉଥିଲା ଆଉ କିଛି କଥା ଅଧା ରହିଯାଇଥିଲା l ସେହି ଅଧୁରା କଥାକୁ ପୁରା କରିବା ପାଇଁ ସ୍ୱାତୀ ପାଗଳୀ ପ୍ରାୟ ହେଇଗଲା l ନୀଳିମାଙ୍କୁ ଅନୁରୋଧ କଲା ତାଙ୍କ ନୋକିଆ ଷୋଳଶହଟିକୁ ଟିକେ ଦେବା ପାଇଁ l ନୀଳିମା ପ୍ରଥମେ ମନା କରିଦେଲେ l କିନ୍ତୁ ପରେ ପରେ ସ୍ୱାତୀର ଦୁଃଖ ସହି ନପାରି ମୋବାଇଲରୁ ବ୍ୟାଟେରୀ କାଢି ସ୍ୱାତୀକୁ ଦେଲେ l ସେହି ସମୟରେ ସ୍ୱାତୀ ନୀଳିମାଙ୍କ ମୋବାଇଲରେ ନିଜ ବ୍ୟାଟେରୀ ଭର୍ତ୍ତି କରି ନେଇ ହଷ୍ଟେଲ୍ ଆକ୍ବାଗାର୍ଡ୍ ପାଖରେ ଚାର୍ଜ ବସେଇଦେଇ ଆସିଲା l ରାତି ବେଶି ଥିଲା, ସେଥିପାଇଁ ମୋବାଇଲ ଚାର୍ଜ ବସିବା କଥା କେହି ଜାଣିପାରିବେନି ବୋଲି ସେମାନେ ଭାବିଥିଲେ l କିନ୍ତୁ ଠିକ ଦୁଇଘଣ୍ଟା ପରେ ନୀଳିମା ଓ ସ୍ୱାତୀ ଯେତେବେଳେ ମୋବାଇଲଲ୍ ଆଣିବାକୁ ଗଲେ ସେତେବେଳେ ସେଠାରେ ଆଉ ମୋବାଇଲଟି ନଥିଲା l 


   ସକାଳୁ ସାଦିୟା ମାମ୍ ଆସି କହିଲେ, "କାଲି ରାତିରେ ଝରଣା ମାଉସୀ ଗୋଟେ ମୋବାଇଲ୍ ଜବତ କରିଛନ୍ତି l ଫୋନ୍ ଟା ଯାହାର ହେଇଥିବ ସେ ହଷ୍ଟେଲରୁ ରଷ୍ଟିକେଟେଡ୍ ହେବ "l ନୀଳିମା ଡରରେ କହିଲେନି ମୋବାଇଲଟି ତାଙ୍କର l କାରଣ ସେ ଜାଣିଥିଲେ ଥରେ ହଷ୍ଟେଲରୁ ବହିଷ୍କାର ହେବାର ପରିଣାମ କ'ଣ l ତାଙ୍କୁ ଆଉ କୋଉଠି ରହିବାକୁ ଜାଗା ମିଳିନଥାନ୍ତା, ପଢା ବି କମ୍ପ୍ଲିଟ୍ ହେଇପାରିନଥାନ୍ତା l ବିଜନ୍ ସେତେବେଳେ ସବୁ ଜାଣିଲା ପରେ ବହୁତ ମନ ଦୁଃଖ କରିଥିଲା l କିନ୍ତୁ ସେ ମୋବାଇଲ୍ ଆଉ ତା'କୁ ମିଳିନଥିଲା l ନୀଳିମା ଜାଣିଥିଲେ ମୋବାଇଲ୍ ସାଦିୟା ମାମ୍ ନୁହଁ ଝରଣା ମାଉସୀ ରଖିଛନ୍ତି l ସେଇଟି ତାଙ୍କ ଭାଇର ମୋବାଇଲ୍ ଓ ସେ ତାକୁ ଫେରେଇଦେବେ କହି ତାଙ୍କୁ ଯେତେ ଅନୁରୋଧ କଲେ ବି ଝରଣା ମାଉସୀ ଦେବାକୁ ରାଜିହେଲେନି l କହିଲେ, 'ମାଡାମଙ୍କ ପାଖରେ ଯାଇ କୁହ ସେଇଟା ତୁମର, ତାପରେ ମିଳିବ କି ନମିଳିଵ ମାଡାମ କହିବେ' l ନୀଳିମା ନିରୁପାୟ ହେଇ ଚୁପଚାପ୍ ରହିଲେ କିନ୍ତୁ ମାମ୍ ଙ୍କ ପାଖକୁ ଗଲେନାହିଁ l 


   ବିଜନ ଏଥର ବି ପୁଣି ସେହି ମୋବାଇଲ୍ କଥା ଉଠେଇଲା ବେଳେ ନୀଳିମା ବହୁତ ଚିଡ଼ିଗଲେ l ଏଥର ସେ ସଫା ମନାକରିଦେଲେ ଯେ ସେ ବାଜେ ସ୍ତ୍ରୀଲୋକକୁ ସେ ଫୋନ୍ କରିପାରିବେନାହିଁ l ଅପାର କଥାରେ ବିଜନ୍ ବଡ଼ ବିବ୍ରତ ଦେଖାଗଲା l ଦୁଇଦିନ ପାଇଁ ଆସିଥିଲା, ଚୁପଚାପ ରହି ତୃତୀୟ ଦିନ ଓଡିଶା ପାଇଁ ଟ୍ରେନ୍ ଧରିଲା l 


    ବିଜନ୍ ଚାକିରୀ ପାଇବାର ମାସଟାଏ ହେଇନାହିଁ ତାର ବିବାହ ପାଇଁ ତାଙ୍କ ଘରକୁ ପ୍ରସ୍ତାବର ସୁଅ ଛୁଟିଆସିଲା l ବିଜନ୍ କିନ୍ତୁ ଘରେ କହିଦେଇଥିଲା ସେ ଏବେ ଆଦୌ ବିବାହ କରିବ ନାହିଁ l ଝିଅମାନଙ୍କର ଫୋଟୋ କିମ୍ବା ବାଇଓଡାଟା ସେ ଆଦୌ ଦେଖୁନଥିଲା l କାମରେ ବହୁତ ବ୍ୟସ୍ତ ରହୁଥିଲା l ଅପା ଘରକୁ ମଧ୍ୟ ସେବେଠୁ ଆଉ ଯାଇନଥିଲା l ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ସୋସିଆଲ୍ ମିଡ଼ିଆରୁ ନିଜକୁ ଦୂରେଇ ରଖିଥିଲା l କିନ୍ତୁ ଚାକିରୀ ପାଇବା ପରେ ସେ ଏଇ କିଛି ଦିନ ହେବ ରାତିରେ କାମ ସାରି ସ୍ମାର୍ଟ୍ ଫୋନ୍ ଧରି ବସିଯାଉଥିଲା l ଫେସବୁକ୍ ଖୋଲି କେତେଗୁଡ଼ାଏ ନାଁ ସର୍ଚ୍ଚ୍ କରୁଥିଲା l ଆଉ ଘଣ୍ଟେ ଦୁଇଘଣ୍ଟା ଖେଳାଖେଳି କଲା ପରେ ରାଗରେ ମୋବାଇଲ୍ କଚାଡ଼ି ଦେଇ ଶୋଇପଡ଼ୁଥିଲା l ତା'ର ଏମିତି ହାବଭାବରୁ ଲାଗୁଥିଲା ଯେ ତାର ସର୍ଚ୍ଚ କରିବା ପ୍ରତିଦିନ ବିଫଳ ହେଉଛି l 

   ଦୁର୍ଗାପୂଜା ଛୁଟି ହେଲା l ନୀଳିମା ଫୋନ୍ କରି ବହୁତ ଅନୁରୋଧ କଲେ ବିଜନକୁ ବାଙ୍ଗାଲୋର ଆସିଯିବା ପାଇଁ l ବିଜନ୍ ଗଲା l ନୀଳିମା ଦୁଇଟି ସରପ୍ରାଇଜ୍ ରଖିଥିଲେ ବିଜନ୍ ପାଇଁ l ଗୋଟେ ହେଲା ଏକ ପୁରୁଣା ନୋକିଆ ଷୋଳଶହ ମଡେଲ୍ ମୋବାଇଲ୍ ଆଉ ଗୋଟେ ହେଲା ତାଙ୍କ ପାଇଁ ନୀଳିମାଙ୍କର ନଣନ୍ଦ ହିସାବ ହେଉଥିବା ଏକ ଦିବ୍ୟ ସୁନ୍ଦରୀ ଝିଅର ପ୍ରସ୍ତାବ l ବିଜନ୍ କିନ୍ତୁ କୋଉଥିରେ ବି ଖୁସି ହେଇପାରିଲାନି l ସେ ହସିଲା ଗୋଟେ ଫିକା ଫିକା ହସ l 


--ଅପା ତୁ ମୋତେ କୁନିପିଲା ଭାବିଲୁ କି ? ମୁଁ ମୋ ନିଜ ଫୋନଟା ପାଇବାକୁ ଚାହୁଁଥିଲି l ଇଏ ଗୋଟେ କ'ଣ ? ଆଉ ମୁଁ କହିଛି ନାଁ ବାହା ହେବିନି ଏବେ l 

--କିନ୍ତୁ କାହିଁକି ବିଜୁ ? ତୋର କ'ଣ କେହି ପସନ୍ଦ ହେଇଛନ୍ତି ? 

--ହଁ ହେଇଥିଲା, ବହୁତ ଆଗରୁ l କିନ୍ତୁ ମୁଁ ତାକୁ ହଜେଇ ଦେଇଛି l ସେ ମୋବାଇଲ୍ ଟା ମିଳିଯାଇଥିଲେ ମୁଁ ତାକୁ ପାଇଯାଇଥାନ୍ତି l 

--କିଏ ସେ ବିଜୁ ? କୋଉଠି ତାର ଘର ? ମୋତେ କହ ମୁଁ ଖୋଜିଦେବି l


    ବିଜନ୍ ଏଥର କାନ୍ଦ କାନ୍ଦ ଦିଶିଲା l ଦୁଇ ଆଖିର ଦୁଇ କୋଣକୁ ଆଙ୍ଗୁଠି ଦୁଇର ଟିପରେ ଚାପି ଧରିଲା ଓ ଅନେକ ଦିନରୁ ଛାତି ତଳେ ଚାପି ରଖିଥିବା କଥାକୁ ପ୍ରଥମ କରି ଅପା ପାଖରେ ଖୋଲିକହିବାକୁ ଚେଷ୍ଟା କଲା l 

--ଅପା ତୋର ମନେ ଅଛି ମୁଁ ମୋ ସେକେଣ୍ଡ୍ ଇୟର୍ ରେ କହୁଥିଲି ଆମ ଫିଜିକ୍ସ୍ ସାର୍ ଙ୍କ ସାଙ୍ଗ ଜଣେ ନନ୍ ଓଡ଼ିଆ ଗଭମେଣ୍ଟ୍ ଅଫିସର୍ ଥିଲେ ଓ ତାଙ୍କ ଝିଅକୁ ନେଇ ଆମ କଲେଜ୍ କୁ ଆସିଥିଲେ ? 

--ଆରେ ହଁ ହଁ.. କହୁଥିଲୁ l ତୁମର ପ୍ରାଇଭେଟ୍ ରେସିଡେନ୍ସିଆଲ୍ କଲେଜ୍ ହେଇଥିବାରୁ ଓ ଫିଜିକ୍ସ୍ ସାରଙ୍କ ଚିହ୍ନାଜଣା ହେଇଥିବାରୁ ଝିଅଟାକୁ ସହଜରେ ଆଡ଼ମିସନ୍ ମିଳିଗଲା l କ'ଣ ହେଲା ସେଇଠୁ ? 

-- ସେହି ଝିଅ ଅପା,କୃତ୍ତିକା l ଏମ୍.କୃତ୍ତିକା ରାଓ l ତାକୁ ହିଁ ମୁଁ ଭଲପାଉଥିଲି ଆଉ ଆଜି ବି ଭଲପାଏ l ବାହା ହେବି ଯଦି ତେବେ କୃତ୍ତିକାକୁ ବାହାହେବି l

--ଠିକ୍ ଅଛି, ତା'କୁ ହିଁ ବାହା ହେବୁ l କୋଉଠି ତା' ଘର ଠିକଣା କହ, ତା' ପରିବାର ଲୋକଙ୍କ ସହ କଥା ହେବା l

--ସେଇ ତ ଅସୁବିଧା ଅପା, ମୁଁ ତା ଘର ଠିକଣା କି ତା ବାପାଙ୍କ ନାଁ,ସେମାନେ ଏବେ ରହୁଛନ୍ତି କୋଉଠି କିଛି ବି ଜାଣିନି l ସେହି ମୋବାଇଲ୍ ରେ ସବୁ ଥିଲା ଯାହା ଆଉ କେବେ ମିଳିବନି l

   ନୀଳିମା ଆଶ୍ଚର୍ଯ୍ୟ ହେଲେ ଜାଣିକି ଯେ ସେ ମୋବାଇଲ୍ ରେ ସବୁ କେମିତି ଥିଲା l ବିଜନ୍ ବୁଝେଇ କହିଲା ଯେ ସେ ମୋବାଇଲରେ ସେତେବେଳେ ଗୋଟେ ସ୍କ୍ରିନ୍ଡ୍ ଲିଷ୍ଟ୍ ଅପ୍ସନ୍ ଥିଲା l କୃତ୍ତିକାର ମେସେଜ୍ ସବୁ ସ୍କ୍ରିନ୍ଡ୍ ମେସେଜ୍ ହେଇ ସେଇଥିରେ ଅନରିଡ୍ ହେଇ ରହିଯାଇଥିବ ଯୋଉଟା ସେ କିମ୍ବା ନୀଳିମା କେହି ଦେଖିପାରି ନାହାଁନ୍ତି l 

--କିନ୍ତୁ ବିଜୁ ତୁ ତାକୁ ସ୍କ୍ରିନ୍ଡ୍ ଲିଷ୍ଟ୍ ରେ କାହିଁକି ରଖିଥିଲୁ ? 

--ଅପା, କୃତ୍ତିକା ମୋତେ ଯେତେବେଳେ କହିଲା ସେ ମୋତେ ଭଲପାଏ, ମୁଁ ବିଶ୍ୱାସ କରିପାରିନଥିଲି l ସେ ଏତେ ସୁନ୍ଦରୀ,ଏତେ ବଡ଼ ଅଫିସରଙ୍କ ଝିଅ ମୋତେ କାହିଁକି ଭଲ ପାଇବ? କିନ୍ତୁ ତା'ର ମୋତେ ବହୁତ ବେଶି ଭଲ ପାଇବା ମୋତେ ବାଧ୍ୟ କରିଦେଲା ତା'କୁ ବିଶ୍ୱାସ କରିବା ପାଇଁ l ସେ ଭଲ ଓଡ଼ିଆ କହିପାରୁନଥିଲା, ମୁଁ ତା'କୁ ଶିଖାଏ l ସେ ନିଷ୍ଠାର ସହ ଏଇଥିପାଇଁ ଶିଖେ ଯେ ଭବିଷ୍ୟତରେ ସେ ମୋତେ ବାହାହୋଇ ମୋ ସହ ରହିବ l ସେହି କିଶୋରୀ ବୟସରୁ ହିଁ ତା'ର ଏମିତି ନିଷ୍ପତ୍ତି ମୋତେ ଆଶ୍ଚର୍ଯ୍ୟ କରେ l ମୁଁ ଭୟରେ ତୋତେ କିଛି କହୁନଥିଲି ସିନା କିନ୍ତୁ କିଛିଦିନ ପାଇଁ ତୋ ଠାରୁ ଟିକେ ଦୂରେଇଯିବାର କାରଣ ହିଁ ଥିଲା ସେହି କୃତ୍ତିକା l ସେ ଭଲ ପାଠ ବି ପଢୁଥିଲା l ମୋତେ ମଧ୍ୟ କେହି ଝିଅ ଭଲପାଇପାରେ, ପୁଣି ଏତେ ବେଶି ଭଲପାଇ ପାରେ ଭାବିକି ମୁଁ ସବୁବେଳେ ତା'ରି ଚିନ୍ତାରେ ବୁଡି ରହୁଥିଲି l ସେ କିନ୍ତୁ ମୋତେ ସବୁବେଳେ ପଢିବାକୁ ପରାମର୍ଶ ଦେଉଥିଲା l କୃତ୍ତିକା ମୋତେ ଏତେ ଭଲପାଇବା ବୋଧେ ଆମ ବ୍ୟାଚ୍ ର କିଛି ପିଲାଙ୍କୁ ସହ୍ୟ ହେଲାନାହିଁ l ସେମାନେ ସବୁବେଳେ ମୋତେ କୃତ୍ତିକା ବିରୁଦ୍ଧରେ କହିବା ଆରମ୍ଭ କରିଦେଲେ l ମୁଁ ସେମାନଙ୍କୁ ବିଶ୍ୱାସ କରୁନଥିଲି l କିନ୍ତୁ ଥରେ ଏମିତି କିଛି ଦେଖିଲି ଯେ କୃତ୍ତିକା ସହ ସେହିଦିନ ହିଁ ସବୁ ସମ୍ପର୍କ ଚ୍ଛିନ୍ନ କରି ମୋବାଇଲ୍ ଟା ଆଣି ତତେ ଦେଇଗଲି l

--କ'ଣ ଦେଖିଲୁ ? 

--କୃତ୍ତିକାକୁ କେମିଷ୍ଟ୍ରି ଡିପାର୍ଟମେଣ୍ଟ୍ ପଛପାଖେ ଗୋଟେ ପୁଅ ସହ ଦେଖିଲି l ସେମାନେ ହାତ ଧରାଧରି ହେଇ ପରଷ୍ପରର ଖୁବ୍ ନିକଟରେ ବସିଥିଲେ l କୃତ୍ତିକା ତା କାନ୍ଧରେ ମୁଣ୍ଡବି ରଖିଥିଲା l 

--ଆରେ ସତରେ କି ? ଛିଃ.. ତାହେଲେ ପୁଣି ଏବେ ତାକୁ କାହିଁକି ଖୋଜୁଛୁ ? 

--ଅପା ସେ ପୁଅ କୃତ୍ତିକାର ସାନଭାଇ ଥିଲା l ତା ମାମୁଁଙ୍କ ପୁଅ l କୃତ୍ତିକାର ଆଈ ମରିଯାଇଥିଲେ, ସେଦିନ ସେମାନେ ସେହି କଥା ପାଇଁ ପରଷ୍ପର ପରଷ୍ପରର ହାତ ଧରାଧରି ହେଇ କାନ୍ଦୁଥିଲେ l 

--ତୁ ଏକଥା କେମିତି ଜାଣିଲୁ? 

--ଆମ ଶେଷ ପରୀକ୍ଷାଦିନ ତା ସାନଭାଇ ସହ ମୋର ଦେଖା ହେଲା, ସେ କହିଲା l ସେ ଆହୁରି ବି କହିଲା ସେମାନଙ୍କର ବଦଳି ହେଇଯାଇଛି, ସେମାନେ ଓଡିଶା ଛାଡ଼ି ଚାଲିଯାଉଛନ୍ତି l ମୁଁ ପାଗଳ ପରି କୃତ୍ତିକା ପାଖକୁ ଦୌଡ଼ିଗଲି l ସେଦିନ ତା'ସହ ତା' ବାପା ଥିଲେ l ସେ କିଛି କହିପାରିଲାନି l କେବଳ ଏତିକି କହିଲା ସେ ସବୁ କଥା ଓ ତା'ର ଠିକଣା ମୋତେ ମେସେଜ୍ କରିଦେଇଛି l ମୁଁ ତାକୁ ସ୍କ୍ରିନ୍ଡ୍ ଲିଷ୍ଟ୍ ରେ ପକେଇ ଦେଇଥିଲି ସେଥିପାଇଁ ତାର କଲ୍ ଆସିଲେ ରିଙ୍ଗ୍ ହୁଏନି l ତୁ ବି ସହଜରେ ଜାଣିପାରୁନା l ଆଉ ମେସେଜ୍ ବି ସବୁ ଅଲଗା ହେଇକି ସ୍କ୍ରିନ୍ଡ୍ ମେସେଜ୍ ଫୋଲ୍ଡର୍ ରେ ରହିଯାଏ l ମୁଁ ଆଦୌ ଦେଖିପାରିନି l ଅପା, ସେ ମୋବାଇଲ୍ ଟା ହଜିଗଲାନି ଯେ କୃତ୍ତିକାକୁ ମୁଁ ହଜେଇଦେଲି l କାରଣ ତା' ନୂଆ ଠିକଣା ଆମ ବ୍ୟାଚ୍ ର ଆଉ କୋଉ ପିଲା ପାଖରେ ନଥିଲା l କୃତ୍ତିକା କାହା ସହ ଏତେ ମିଶୁ ବି ନଥିଲା l ସେ ହଷ୍ଟେଲରେ ରହୁନଥିଲା, ଡେ ସ୍କଲାର୍ ଥିଲା l ଆଉ ଫିଜିକ୍ସ୍ ସାର୍ ବି ସେହିବର୍ଷ ଓ.ଏ.ଏସ୍ ପାଇ କଲେଜ୍ ଛାଡ଼ି ଚାଲିଗଲେ l ଅପା କୃତ୍ତିକାକୁ ପୁଣିଥରେ ଫେରିପାଇବାର ଏକମାତ୍ର ଓ ଶେଷ ଉପାୟ ମୋ ପାଇଁ ଥିଲା ସେ ମୋବାଇଲ୍ l ମୁଁ ଆଜି ବି କୃତ୍ତିକାକୁ ସେତିକି ଚାହେଁ ଅପା, ଯେତିକି ୯ବର୍ଷ ତଳେ ଚାହୁଁଥିଲି l ସେ ନମିଳିଲେ ମୁଁ କ'ଣ ବାହା ହେଇପାରିବି? 

    ବିଜନ୍ ପୁରୁଣା କଥା ସବୁ କହୁ କହୁ କାନ୍ଦି ପକେଇଲା l ନୀଳିମା ବି ଲୁହ ଅଟକେଇ ପାରିଲେନି l ଏତିକି ବେଳେ ତାଙ୍କ ଘରେ କାମ କରୁଥିବା ସ୍ତ୍ରୀଲୋକ ଜଣଙ୍କ ଆସି ଟିଭି ଖୋଲି ନିୟୁଜ୍ ଚାନେଲ୍ ଦେଖିବାକୁ ନୀଳିମାଙ୍କୁ କହିଲେ l ନୀଳିମା ଟିଭି ଖୋଲିଲେ l ବ୍ରେକିଂ ନିୟୁଜ୍ ରେ ଦେଖାଉଥିଲା -ପତ୍ନୀଙ୍କ ପରକୀୟା ପ୍ରେମକୁ ସନ୍ଦେହ କରି ସ୍ୱାମୀ ରଚିଲେ ହତ୍ୟାକାଣ୍ଡ l ଗଳାକାଟି ପତ୍ନୀଙ୍କୁ ହତ୍ୟାକଲେ l ବାଙ୍ଗାଲୋର୍ ର ଜଣେ ସୁପ୍ରତିଷ୍ଠିତ ବିଜନେସ୍ ମ୍ୟାନ୍ ତାଙ୍କ ପତ୍ନୀଙ୍କୁ ସବୁ ସମୟରେ ମୋବାଇଲରେ ଏକ ନିର୍ଦ୍ଧିଷ୍ଟ ନମ୍ବର୍ କୁ ମେସେଜ୍ ପଠାଉଥିବାର ଦେଖୁଥିଲେ ଓ ଫେସବୁକ୍ ରେ ମଧ୍ୟ କାହା ସହ ଚାଟିଂ କରି ମେସେଜ୍ ଡିଲିଟ୍ କରିଦେଉଥିବାର ଅନେକଦିନ ହେବ ଲକ୍ଷ କରୁଥିଲେ l ଗତ ରାତିରେ ସେହି ବିଷୟକୁ ନେଇ ତାଙ୍କର ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହେଲା ଓ ବ୍ୟକ୍ତିଜଣଙ୍କ ନିଜର ମାନସିକ ଭାରସାମ୍ୟ ହରେଇ ପରିବାକଟା ଛୁରୀରେ ପତ୍ନୀଙ୍କ ଗଳା କାଟିଦେଲେ l ଅଧିକ ତଥ୍ୟ ପାଇଁ ପୁଲିସ୍ ଛାନଭିନ୍ କରୁଛି l  

  ନୀଳିମା ଓ ବିଜନ୍ ନିୟୁଜ୍ ଟି ଦେଖୁଥିଲେ, ସେମାନେ ବହୁତ ବେଶି ବିବ୍ରତ ଓ ବିଚଳିତ ସେତେବେଳେ ହେଲେ ଯେତେବେଳେ ଜାଣିଲେ ସେ ହତ୍ୟାକାରୀ ବ୍ୟକ୍ତିଙ୍କ ପତ୍ନୀଙ୍କର ନାମ -କୃତ୍ତିକା l ବିଜନକୁ ନୀଳିମା ତାଙ୍କ ଫେସବୁକ୍ ଆକାଉଣ୍ଟ୍ ଖୋଲିବାକୁ କହିଲେ l ବିଜନ୍ ଏବେ ଏବେ ବ୍ୟବହାର କରୁଥିବା ନିଜ ଫେସବୁକ୍ ମେସେଞ୍ଜର୍ ଖୋଲିଲେ l ଅନେକ ଗୁଡ଼ାଏ ମେସେଜ୍ ସ୍ପାମ୍ ହେଇ ରହିଥିଲା l ସେହିଟି ଖୋଲି ଦେଖିଲେ କେହି ଜଣେ 'ବିଜୁକୀର୍ତ୍ତି' ନାମକ ୟୁଜର୍ ଓଡ଼ିଆରେ କିଛି ମେସେଜ୍ ଦେଇଛି -ବିଜୁ ମୁଁ କୃତ୍ତିକା l ଏବେ ଓଡ଼ିଆ ଭଲକରି ଶିଖିଗଲିଣି l ତୁମେ କେମିତି ଅଛ ? 

   ବିଜନ୍ ମେସେଜଟା ନୀଳିମାଙ୍କୁ ଦେଖେଇଲା ଓ କାନ୍ଦି କାନ୍ଦି କହିଲେ, "ଅପା,ମୁଁ ତା'କୁ କୀର୍ତ୍ତି ଡାକୁଥିଲି" l ନୀଳିମା କିଛି କହିପାରୁନଥିଲେ କିନ୍ତୁ ଧିରେ ଧିରେ ବିଜନର କାନ୍ଦର ସ୍ୱର ଉଚ୍ଚ ହେବାକୁ ଲାଗିଲା l ସେ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା l ହାତରେ ଧରିଥିବା ମୋବାଇଲ୍ ଟାକୁ ତଳେ କଚାଡ଼ି ଦେଇ ପାଗଳ ପରି ତଳେ ଗଡିଗଲା l କାନ୍ଦୁ କାନ୍ଦୁ କହୁଥିଲା, "କୀର୍ତ୍ତି, ମୋ ସ୍ବିଟ୍ କୃତ୍ତିକା, ଫେରିଆସ ତୁମେ .. ମୁଁ ଆଉ କେବେ ତୁମ ନମ୍ବର୍ ସ୍କ୍ରୀନ୍ଡ୍ ଲିଷ୍ଟରେ ପକେଇବିନି କି ବ୍ଳକ୍ କରିବିନି l ଫେରିଆସ ତୁମେ.... "



Rate this content
Log in

Similar oriya story from Romance