Goutam Mohanty

Romance Inspirational

3  

Goutam Mohanty

Romance Inspirational

#ନିଶବ୍ଦ#ବିଳାପ#

#ନିଶବ୍ଦ#ବିଳାପ#

6 mins
181



ଆଜି ସକାଳୁ ଆକାଶରେ କଳା ବାଦଲର ଲୁଚକାଳି ଖେଳ । ସୁଲୁସୁଲିଆ କୋହଲା ଥଣ୍ଡା ପବନରୁ ମିଳୁଛି ଆସନ୍ନ ବର୍ଷାର ସୂଚନା । ଅଫିସକୁ ବାହାରିଥିବା ସଂକେତର ହ୍ୟାଣ୍ଡବ୍ୟାଗରେ ସ୍ମୃତି ରଖିଦେଲା ରେନ୍ କୋଟ୍ ଟା । ଯେହେତୁ ଖାମ୍ ଖିଆଲି ପ୍ରକୃତିର ସଂକେତ କେବେ ମଧ୍ୟ ନିଜର ଆବଶ୍ୟକୀୟ କିଛି ଜିନିଷ ନିଅନ୍ତି

 ନାହିଁ । ପତ୍ନୀଙ୍କୁ ମଧ୍ୟ କୌଣସି କଥାରେ କିଛି ପଚାରନ୍ତି ନାହିଁ । ପଚାରିବେ ମଧ୍ୟ କେମିତି ? କାରଣ ସ୍ଵାମୀ ସ୍ତ୍ରୀ ହୋଇ ମଧ୍ୟ ନଦୀର ଦୁଇ ପାଖ ପରି ସେମାନଙ୍କ ସମ୍ପର୍କ । ଗତ ଦୁଇ ବର୍ଷ ଧରି ନଦାରଦ୍ । ଗୋଟିଏ ଛାତ ତଳେ ରହିଥିଲେ ମଧ୍ୟ ଦୁହେଁ ଦୁହିଁଙ୍କ ପାଇଁ ଯେପରି ଜଣେ ଜଣେ ଭିନ୍ନ ମଣିଷ । ଉଭୟେ ଉଭୟଙ୍କ ଦେଖାଶୁଣା କରିବାରେ କିନ୍ତୁ କେବେ ଅବହେଳା କରିନାହାନ୍ତି । ବିବାହ ବାର୍ଷିକୀ ହେଉ ଅଥବା ଝିଅ ସ୍ନିଗ୍ଧାର ଜନ୍ମଦିନ ହେଉ ଦୁହେଁ ସର୍ବଦା ସଚେତନ ଦାୟିତ୍ଵ ନିର୍ବାହ କରିବାରେ । ଏଣୁ ସଂକେତ କିଛି ନ କହିଥିଲେ ମଧ୍ୟ ରେନକୋଟ୍ ବ୍ୟାଗରେ ଭରିଦେଇଛି ସ୍ମୃତି।

ସଙ୍କେତକୁ ଛାଡ଼ିଦେଇ ଆସି ଝରକା ପାଖରେ ପଡିଥିବା ସୋଫା ଉପରେ ବସି ପ୍ରକୃତିର ତାଣ୍ଡବ ଲୀଳାକୁ ସ୍ମୃତି ଦେଖୁଥିଲା ନିବିଷ୍ଟ ଚିତ୍ତରେ । ଅଚାନକ ପ୍ରବଳ ଘଡ଼ଘଡ଼ି ସହ ମୃଦୁ ବର୍ଷାର ଛିଟାକୁ ଅନୁଭବ କରୁଥିଲା । ବର୍ଷା ବିନ୍ଦୁ ସବୁ ଝରକା ଦେଇ କୋଠରୀରେ ଛିଟିକି ପଡୁଥିଲେ । ସେଥିରେ ତାର ଅସ୍ତବ୍ୟସ୍ତ ଚୂର୍ଣ୍ଣ କୁନ୍ତଳ ଗଣ୍ଡାକ ଓଦା ହୋଇ ଯାଇଥିବାର ସେ ଅନୁଭବ କଲା । ହଠାତ୍ ସ୍ମୃତିର ତନ୍ଦ୍ରାଭଙ୍ଗ ହୋଇ ଝରକା ସେ ପଟକୁ ଆଖି ପାଇଲା ପର୍ଯ୍ୟନ୍ତ ଚାହିଁ ରହିଲା । ସଂକେତ ଚିନ୍ତାରେ ସ୍ମୃତି ବିଶେଷ ମର୍ମାହତ । କାରଣ ସଙ୍କେତକୁ ହଠାତ୍ ଥଣ୍ଡା ଧରେ । ସଂକେତ ଅଫିସ୍ ରେ ପହଞ୍ଚିଥିବେ କି ନା ? ଯଦି ରାସ୍ତାରେ ଓଦା ହୋଇଥିବେ ତେବେ ସେ ନିଶ୍ଚୟ ଜ୍ୱରରେ ପଡିବେ । ଏ କଥା ସ୍ମୃତି ଜାଣିଛି ସଂକେତ ସହ ତାର ପ୍ରଥମ ଦେଖାରୁ ସଂକେତ ଚାଲିଯିବା ପରେ ଅତୀତର ଅଭୁଲା ମୀନାର ଭିତରକୁ ଧସେଇ ପଶିଯାଇଛି ସ୍ମୃତି ଅଭିମନ୍ୟୁ ଚକ୍ରବ୍ୟୁହ ଭିତରକୁ ପଶି ଯାଇଥିବା ପରି । ଆଜି ଭଳି ସେଦିନ ମଧ୍ୟ ରେଭେନ୍ସା କଲେଜ ପରିସରରେ ଲାଗି ରହିଥାଏ ପ୍ରବଳ ବର୍ଷା । ଘରକୁ ଯିବାପାଇଁ କଲେଜ୍ ଗେଟ୍

ପାଖରେ ଅପେକ୍ଷାରତା ସ୍ମୃତିର ମନରେ ବ୍ୟାକୁଳତା । ବର୍ଷା ଆସିବା ଦେଖି ପ୍ରାୟ ସବୁ ପିଲା ଚାଲି ଯାଇଥିଲେ । କାଁ ଭାଁ କିଛି ପିଲା କ୍ୟାଣ୍ଟିନ୍ ଚାହାର ମଜା ଉଠାଉଥିଲେ । କିନ୍ତୁ ସ୍ମୃତିର ସେ ଆଡ଼କୁ ନଜର ନାହିଁ । ସେ ଭାରି ବ୍ୟସ୍ତ ହେଉଥିଲା ଘରକୁ ଫେରିବା ପାଇଁ । କାରଣ ମାଆ ଘରେ ଏକୁଟିଆ । କିନ୍ତୁ ବର୍ଷା କମିବାର ସୂଚନା ହିଁ ମିଳୁ ନ ଥିଲା । ଏପରି ପରିସ୍ଥିତିରେ ରିକ୍ସା କୁ ଅପେକ୍ଷା କରିବା ବୋକମୀ । ତେଣୁ ବର୍ଷାରେ ମଧ୍ୟ ସେ ଚାଲି ଚାଲି ଘର ମୁହାଁ ହେବାକୁ ପ୍ରସ୍ତୁତ ହୋଇଗଲା କଲେଜ୍ ଡାଏରୀଟିକୁ ଛାତିରେ ଜାକି।


ବର୍ଷାହେତୁ ରାସ୍ତା ଶୁନ୍ ସାନ୍ । ରହି ରହି ବିଜୁଳି କିନ୍ତୁ ମାରୁଥିଲା ଚିକ୍ ଚିକ୍ କରି।ମନେ ମନେ ଭଗବାନଙ୍କୁ ଡ଼ାକି ଚାଲିଲାବେଳେ ହଠାତ୍ କାହାର ଡ଼ାକରେ ଚମକି ପଡ଼ିଲା ସ୍ମୃତି । ପାଖକୁ ଆସି ତା' ଶ୍ରେଣୀରେ ପଢୁଥିବା ସଂକେତ ଆସି ଦେଇଗଲା ଛତାଟିଏ । ସ୍ମୃତି କିଛି ବୁଝି ପାରିଲାନି । ଛତାଟି ଗ୍ରହଣ କରିବ କି ନା ? ସ୍ମୃତିର ଏହି ମାନସିକତା କୁ ଲକ୍ଷ୍ୟକରି ସଂକେତ କହିଲା -- ବହୁତ ସମୟ ହେଲା ମୁଁ କଲେଜ୍ ହଷ୍ଟେଲ ବାରଣ୍ଡାରେ ଠିଆ ହୋଇ ତୁମକୁ ଲକ୍ଷ୍ୟ କରୁଥିଲି, କିନ୍ତୁ କଣ କରିବି ଭାବିପା ରୁନ ଥିଲି । ଯେତେବେଳେ ମୁଁ ଛତା ଆଣିବାକୁ ଗଲି ସେତେବେଳେ ତୁମେ ଚାଲି ଆସିଥିଲ । ସଂକେତର ସରଳତାରେ ସ୍ମୃତି ମୁଗ୍ଧ ହୋଇ ଯାଇଥିଲା । ଲାଜୁଆ ପିଲାଟି ସହ ଶ୍ରେଣୀରେ ଯଦିଓ ପ୍ରତିଦିନ ଦେଖା ସାକ୍ଷାତ ହୁଏ କିନ୍ତୁ ତା' ସହ କେବେ କଥା ହୋଇ ନ ଥିଲା।


ମୁଁ ଯଦି ଛତା ନିଏ ତେବେ ତମେ ତ ପୁଣି ଓଦା ହୋଇଯିବ । ତମେ ହଷ୍ଟେଲ ଫେରିବ କେମିତି ? ସ୍ମୃତିକୁ ଉତ୍ତର ଦେବାକୁ ଯାଇ ସଂକେତ କହିଲା -- ଯଦି ଛତା ନ ନିଅ ତେବେ ତୁମ ଦେହ ଖରାପ ହୋଇଯିବ ଯେ । ମୋର କିନ୍ତୁ କୌଣସି କ୍ଷତି ହେବନି । ଏ ଖରା,ବର୍ଷା ଓ ଶୀତ ସହଜରେ ମୋର କିଛି କ୍ଷତି କରି ପାରିବନି । ସଂକେତର ଏହି କଥାରେ ସ୍ମୃତି ଧନ୍ୟବାଦ ଦେଇ ଛତା ଧରି ଘରକୁ ଆଗେଇ ଚାଲିଲା।


ସେଦିନ ରାତିରେ ନିରୋଳା ମୁହୂର୍ତ୍ତରେ ସଂକେତର ପ୍ରତ୍ୟେକ କଥା ସ୍ମୃତିର ବାରମ୍ବାର ମନେ ପଡୁଥିଲା । ତାର ନିରୀହତା , ସରଳତା ସତରେ ଭାରି ଆକର୍ଷଣୀୟ । ତା ପର ଦିନ ସେମିନାର ଥିବାରୁ ରାତିସାରା ସ୍ମୃତି ନିଜକୁ ପ୍ରସ୍ତୁତ କରିନେଲା । ସେ ଭାବୁଥିଲା ଆଜି ଯଦି ସଂକେତ ଛତା ସାହାଯ୍ୟ କରି ନ ଥାଆ ନ୍ତା, ତେବେ ତାର ଅବସ୍ଥା କଣ ହୋଇଥାନ୍ତା ? ତା ପରଦିନ କିନ୍ତୁ ସଂକେତର ଶ୍ରେଣୀରେ ଦେଖା ନ ଥିଲା । ବିଭିନ୍ନ ଆଶା ଓ ଆକାଂକ୍ଷା ମଧ୍ୟରେ କ୍ଲାସ୍ ସରିଲା । ସଂକେତର ଖବର ବୁଝିବା ପାଇଁ

ମନ ବ୍ୟାକୁଳ ହୋଇ ଉଠିଲା । ଛତା ଫେରେଇବା ବାହାନାରେ ସେମିନାର ପରେ ସ୍ମୃତି ହଷ୍ଟେଲ ଯାଇ ଦେଖିଲା ଯେ, ସଂକେତ ଜ୍ୱରରେ ଥରୁଛି । ତା ଦେହରେ

ଖଇଫୁଟା ତାତି । ସେ ହଷ୍ଟେଲ ସୁପରି ଟେନ୍ଡେଣ୍ଟଙ୍କୁ କହି ଡ଼ାକ୍ତରଙ୍କୁ ଡକେଇଲା।


ଡାକ୍ତରଙ୍କ ପରାମର୍ଶ କ୍ରମେ ତିନିଚାରି ଦିନବିଶ୍ରାମ ନେଲେ 

ଠିକ୍ ହୋଇଯିବ କହି ଔଷଧ ଦେଲା । ସଂକେତର ଏହି ଅବସ୍ଥା ପାଇଁ ସ୍ମୃତି ନିଜକୁ ଦୋଷୀ ମନେ କରୁଥିଲା । ସଂକେତ ମୁଣ୍ଡରେ ଓଦାପଟି ଦେଉ ଦେଉ ସ୍ମୃତିର ଆଖିରେ ଲୁହ ଜକେଇ ଆସିଲା । ସ୍ମୃତିର ଗରମ ଲୁହ ଟୋପା ସଂକେତ ଉପରେ ପଡ଼ିବାରୁ ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା -- ସ୍ମୃତି, ତମେ ଏଠି ..? ସ୍ମୃତି ଦୁଃଖଭରା ସ୍ଵରରେ କହିଲା ସରି ସଂକେତ, ମୋ ଯୋଗୁଁ ଆଜି ତମର ଏ ଅବସ୍ଥା । Please ବିଶ୍ରାମ ନିଅ । ଜ୍ୱରରେ ମଧ୍ୟ ସଂକେତ ହସିଦେଇ କହିଲା - ଯାହାହେଉ ଜ୍ଵର ବାହାନାରେ କିଛି ଆରାମ ମିଳିଲା । ଯଦି ମୋତେ ଜ୍ଵର ନ ହୁଅନ୍ତା ତେବେ ତୁମେ କେବେ ମୋ ପାଖକୁ ଆସିନଥାନ୍ତ । ତେଣୁ ଯାହା ହୋଇଛି ଭଲ ହୋଇଛି ଏହା କହି ଯେତେବେଳେ ସ୍ମୃତି ମଧ୍ୟ ବାରଣ କରିନ ଥିଲା।

ଏମିତି ଦିନ ଯେତେ ସବୁ ବିତିବାରେ ଲାଗିଲା ସ୍ମୃତି ଏବଂ ସଂକେତର ସେତେ ନିକଟତର ହେବାକୁ ଲାଗିଲା । ଏ ମଧ୍ୟରେ ସଂକେତ ଅଫିସର ପଦବୀରେ ଯୋଗ ଦେଇଥିଲା ଓ ସ୍ମୃତି ନିକଟସ୍ଥ ଗୋଟିଏ କଲେଜରେ କରୁଥିଲା ଅଧ୍ୟାପନା । ଉଭୟ ପରିବାରର ସମ୍ମତି କ୍ରମେ ଉଭୟଙ୍କ ବିବାହ ମଧ୍ୟ ହୋଇଗଲା । ସ୍ମୃତି ବର୍ତ୍ତମାନ ପ୍ରେମିକାରୁ ଦାୟିତ୍ଵ ସମ୍ପନ୍ନ ଗୃହିଣୀଟିଏ ବନିଗଲା । ସ୍ନିଗ୍ଧା ଭଳି ସୁନ୍ଦରୀ ଝିଅଟିଏର ମାଆ ହେବାରୁ ସ୍ମୃତିର ଖୁସି କହିଲେ ନ ସରେ । କାରଣ ମାଆ ହେବାର ହିଁ ନାରୀ ଜୀବନ ସାର୍ଥକ । କିନ୍ତୁ ଦୁର୍ଭାଗ୍ୟବଶତଃ ପ୍ରଥମ ପ୍ରସବରେ ହିଁ ସ୍ମୃତି ହରେଇ ବସିଥିଲା ନିଜ ପ୍ରଜଜନ କ୍ଷମତା । ପୁଣି ଥରେ ମାଆ ହୋଇନପାରିବାର ଦୁର୍ଭାଗ୍ୟକୁ ସେ ସହଜରେ ସ୍ଵୀକାର କରୁନ ଥିଲା । ଭାରତୀୟ ମାନସିକତାରେ ସେ ଉବୁଟୁବୁ । ପୁତ୍ର ପ୍ରାପ୍ତିର ଲାଳସାରେ ସେ ଛଟପଟ । ମନ ତାର ସର୍ବଦା ଭାରାକ୍ରାନ୍ତ । ଭବିଷ୍ୟତ ବଂଶଧରକୁ ଆଗେଇ ନେବାରେ ସେ ଅସମର୍ଥ ବୋଲି ଅନୁଭବ କରି ନିଜକୁ ମଣୁଥିଲା ଅତି ନିଃସହାୟ।


ସଂକେତର ପ୍ରରୋଚନରେ ସ୍ନିଗ୍ଧାର ଉପଯୁକ୍ତ ଦେଖାଶୁଣା ପାଇଁ ସ୍ମୃତି ଛାଡ଼ିଦେଲା ନିଜ ଚାକିରୀ । କିନ୍ତୁ ସଙ୍କେତକୁ ସେ ବାରମ୍ବାର ବୁଝାଉଥିଲା ଯେ ଏ ମହଙ୍ଗା ଯୁଗରେ ଚାକିରୀ ଛାଡ଼ିବା ଠିକ୍ ନୁହେଁ । ପୁଣି ସ୍ନିଗ୍ଧାକୁ ପାଞ୍ଚ ବର୍ଷ ହେଲାପରେ ତାକୁ ଭଲ ପଢ଼େଇବା ଆଶାରେ ବୋର୍ଡିଂରେ ଭର୍ତ୍ତି କରି ଦିଆଗଲା । ବର୍ତ୍ତମାନ ସ୍ମୃତିର ନିଃସଙ୍ଗତା ତୀବ୍ରରୁ ତୀବ୍ରତର । ସେ ନିଜକୁ ଅନୁଭବ କରୁଥିଲା ଖୁବ୍ ଏକୁଟିଆ । ତେଣୁ ପୁଣିଥରେ ସେ ଚାକିରୀ ପାଇଁ ଆବେଦନ କରିଥିଲା ଓ ପାଇଲା ମଧ୍ୟ।

ଦିନେ ସ୍ମୃତି କଲେଜ୍ ପିଲାଙ୍କ ସହ ଷ୍ଟଡ଼ି ଟୁରରେ ଯାଇଥିଲା ଗୋଟିଏ ଅନାଥାଶ୍ରମକୁ । ସେଠାରେ ସେ ପାଞ୍ଚ ଦିନର ଛୋଟିଆ ଅନାଥ ଶିଶୁଟିକୁ ଦେଖି କୋଳେଇ ନେବାର ଆଗ୍ରହ ପ୍ରକାଶ କଲା । ପ୍ରଥମରୁ ତ ସ୍ମୃତିର ପୁତ୍ର ପ୍ରତି ଅହେତୁକ ଦୁର୍ବଳତା ଥିଲା । ପୁଣି ସହଜରେ ପୁତ୍ର ପ୍ରାପ୍ତି ଆଶା ତାକୁ ମାନସିକ ସ୍ତରରେ କରୁଥିଲା ଭାବପ୍ରବଣା। 

ଘରେ ପହଞ୍ଚି ସେ ଯେତେବେଳେ ସଂକେତ ଆଗରେ ଦେଖିଥିବା ପିଲାଟାକୁ ଆପଣେଇ ନେବାର ଇଚ୍ଛା ପ୍ରକାଶ କଲା । ସେତେବେଳେ ଅନ୍ୟର ରକ୍ତକୁ ନିଜର ଭବିଷ୍ୟତ ବଂଶଧର ଭାବେ ସ୍ଵୀକାର କରିବାକୁ ସଂକେତ ରାଜି ହୋଇ ନ ଥିଲେ । ଛୋଟ ପିଲାଟାରେ ଧର୍ମ ଅଧର୍ମ, ଜାତି ଗୋତ୍ରର ବାଛ ବିଚାର ରଖିବା ଅନୁଚିତ୍ ବୋଲି ସ୍ମୃତି ଯେତେ ବୁଝାଇଲେ ମଧ୍ୟ ସଂକେତ ବୁଝିବାକୁ ନାରାଜ । ତେଣୁ ସ୍ମୃତିର ଇଚ୍ଛା ଇଚ୍ଛାରେ ହିଁ ରହିଗଲା । କିନ୍ତୁ ଅନ୍ତବେର୍ଦନା ହେତୁ ଦିନକୁ ଦିନ ସ୍ମୃତିର ଚଳ ଚଞ୍ଚଳ ଭାବ ଲୋପ ପାଇଲା । ଯେଉଁ ଘରେ ଦିନେ ହସ ଖୁସିରେ ଭରି ଉଠୁଥିଲା ତାହା ଆସ୍ତେ ଆସ୍ତେ ହୋଇଗଲା ନିରବ ନିଶ୍ଚଳ।

ସଂକେତର ଦାୟିତ୍ଵ ଦିନକୁ ଦିନ ଅଫିସରେ ବଢ଼ିବାକୁ ଲାଗିଲା । ଯେତେଦିନ ସ୍ନିଗ୍ଧା ବୋର୍ଡିଂରୁ ଘରକୁ ଆସେ ସେତିକି ଦିନ ଘରେ ହସଖୁସିର ମାହୋଲ୍ ଦେଖାଦିଏ । ସ୍ମୃତି ଚାହୁଁଥିଲା ପୁଣିଥରେ ଘର ହସ ଖୁସିରେ ଭରିଉଠୁ । କିନ୍ତୁ ସଂକେତର ପୌରୁଷତ୍ଵର ଅହଙ୍କାରକୁ ଭାବିଦେଲେ ପୁଣିଥରେ ସ୍ମୃତି ନିଜ ଆତ୍ମସମ୍ମାନ ରକ୍ଷା ପାଇଁ ନିରବତାକୁ ଶ୍ରେୟ ମଣୁଥିଲା । ସଂକେତ ହୁଏତ ପଶି ପାରୁନଥିଲା ଜଣେ ନାରୀ ମନର ନିଭୃତ ଇଲାକାକୁ । ଭଲ ଖାଇବା ପିଇବାରେ କେବଳ ତାର ମନ ସନ୍ତୁଷ୍ଟ ହୁଏ ନାହିଁ । ଲୋଡ଼ିବା ପଣର ଦରଦୀ ମନଟିଏ ତାର ଏକାନ୍ତ ଜରୁରୀ।

 ଏମିତି ସବୁ ଅଛିଣ୍ଡା ସୂତାର ଖିଅ ପରି ଅତୀତ ଅନୁଭୂତିକୁ ରୋମନ୍ଥନ କଲାବେଳେ ହଠାତ୍ କାହାର ପାଦଶଦ୍ଦ ଶୁଣି ପଛକୁ ଫେରି ଦେଖିଲା ସଂକେତ । ସେ ଅଫିସ୍ ନ ଯାଇ ପୁଣି ଘରକୁ ଫେରିଛନ୍ତି । କିଛି କ୍ଷଣ ସଂକେତ ସ୍ମୃତିକୁ ଚାହିଁ ରହି ' ଆଜି ମୁଁ ଅଫିସ୍ ଯିବିନି , ଦେହଟା ଭଲ ଲାଗୁନି ' -- କହି ବେଡରୁମକୁ ଚାଲିଗଲେ । ସ୍ମୃତି ସଂକେତର ପଛେ ପଛେ ଯାଇ ଦେଖିଲା -- ସଂକେତ ଦେହରେ ଖଇଫୁଟା ତାତି । ଏହି ଜ୍ଵର ଦେଖିବାକୁ ଯାଇ ହିଁ ସଂକେତ ସହ ପ୍ରଥମ ପ୍ରେମ । ଏହା ଭାବି ଆଖିରୁ ତାର ଧାର ଧାର ଲୁହ ବୋହିବାରେ ଲାଗିଲା । କିନ୍ତୁ ଏ ଦୁଇ ବର୍ଷ ମଧ୍ୟରେ ସମ୍ପର୍କ ହୋଇ ଯାଇଛି ଆକାଶ ପାତାଳ ତଫାତ୍ ।


ସ୍ମୃତି ପାଣି ପଟି ସଂକେତ ମୁଣ୍ଡରେ ରଖି ଡ଼ାକ୍ତରଙ୍କୁ ଫୋନ କରି ଚିକିତ୍ସା ବ୍ୟବସ୍ଥା କଲା । ରାତିସାରା ସଙ୍କେତକୁ ସ୍ମୃତି ଜଗି ବସିଛି । ପାହାନ୍ତିଆ ପହରକୁ ତା' ଆଖି ଲାଗି ଯାଇଛି ହଠାତ୍ ସଂକେତ ଦେଖିଛି ସାରାରାତି ସ୍ମୃତି ଜଗି ବସିଛି କିନ୍ତୁ ସେ ସ୍ମୃତି ପାଇଁ କେତେ ନିଷ୍ଠୁର ହୋଇ ପଡ଼ିଛି । ହେ ଭଗବାନ ! ମୋତେ କ୍ଷମା କରିଦିଅ । ସଂକେତର ଆଖିରେ ଲୁହ ଦେଖି ସ୍ମୃତି ବିଚଳିତ ହୋଇ ନିଜର ଅବରୁଦ୍ଧ କୋହକୁ ରୋକି ପାରିନି । ସଂକେତ ମୋର ପୁଅ ଦରକାର ନାହିଁ । ମୋର ଦରକାର କେବଳ ତୁମେ । ତୁମର ଭଲ ପାଇବା ଓ ଆମର ପୂର୍ବ ଖୁସି । ସଂକେତ ମଧ୍ୟ ଅନୁତାପରେ ବିଗଳିତ । ସେ ସ୍ମୃତିର କେଶ ସଞ୍ଚାଳି କହିଲା -- ଆମେ ଉଭୟେ ଉଭୟଙ୍କୁ ଭଲ ପାଉ । ସ୍ଵାମୀ ସ୍ତ୍ରୀ ସମ୍ପର୍କରେ କିଏ ସାନ,କିଏ ବଡ଼ ? କେବଳ ମିଛ ଅଭିମାନ ହିଁ ଆମ ଦୁଇ ହୃଦୟକୁ ଏକ କରିଥିଲା ଏବଂ ଏବେ ମଧ୍ୟ ଏହା ଆମ ମିଥ୍ୟା ଅଭିମାନକୁ ଦୂର କରିଛି । 

ସ୍ମୃତି, ତୁମ ପୁତ୍ର ପ୍ରାପ୍ତି ଇଚ୍ଛାକୁ ମୁଁ ନିଶ୍ଚୟ ପୂର୍ଣ୍ଣ କରିବି । ସ୍ମୃତିର ଅଭିମାନର ହିମାଳୟ ଆଜି ସଂକେତର ପ୍ରେମମୟ ଆଶ୍ୱାସନାରେ ତରଳି ଲୁହ ହୋଇ ବହିବାରେ ଲାଗିଛି।



Rate this content
Log in

Similar oriya story from Romance