STORYMIRROR

Jayashree Maharana

Romance Tragedy Others

3  

Jayashree Maharana

Romance Tragedy Others

ନିରବ ଝଡ଼

ନିରବ ଝଡ଼

2 mins
201

 ବହୁଦିନ ପରେ ଅଜଣାରୁ ଅତି ପରିଚିତ ହେଇଯାଇଥିବା ସହରରେ

ସମୀର କୁ ଦେଖି ସ୍ଥାଣୁ ପାଲଟି ଯାଇଥିଲା ଶିଖା ।ଯେଉଁ ନିରବ ଝଡ଼

ତାର ଜୀବନକୁ ଛୁଇଁ ଅସହାୟ କରିଦେଇଛି,ଆଜିଯାଏଁ ଅସ୍ତବ୍ୟସ୍ତ କରିପକାଉଛି ସେଇ ଝଡ଼ର ପ୍ରଭାବରେ ସେ ଯେମିତି ଆଜି ଧରାଶାୟୀ ହୋଇଯାଇଛି ।ଖୁବ ସନ୍ତର୍ପଣରେ ନିଜକୁ ସମୀରଠାରୁ ଲୁଚାଇ ଯିବାକୁ ଉଦ୍ୟତ ହେଉଥିବା ସମୟରେ ତା କଣ୍ଠସ୍ୱର ଶୁଣି ଚମକି ପଡିଲା ।ଏ କଣ ସମୀର ତାକୁ ଡାକୁଛନ୍ତି ।କଣ କରିବ ଜାଣିପାରିଲା ନାହିଁ କିନ୍ତୁ ପାଦ ଆପେ ଆପେ ଅଟକି ଗଲା ।ବୁଲି ଚାହିଁଲା ।


 ପାଞ୍ଚ ବର୍ଷ ତଳର ସମୀର ଆଉ ଆଜିର ସମୀର ମଧ୍ୟରେ ଆକାଶ ପାତାଳ ତଫାତ ।ମୁହଁ ବିଷର୍ଣ୍ଣ ।ଆଖି ଗୁଡିକ ଯେମିତି ଅନୁତାପରେ ଦଗ୍ଧ ।ଶରୀର ନିସ୍ତେଜ ପ୍ରାୟ ।


ଶିଖା ତୁମେ ମୋତେ ଚିହ୍ନିପାରୁନ ?କହି ଉଠିଲା ସମୀର ।


ଉପାୟ ନଥିଲା ଶିଖାର ଉତ୍ତର ଦେଲା ହଁ ତୁମକୁ କେମିତି ଭୁଲିବି କୁହ ?

ହଁ ଜାଣେ ଶିଖା ।ମୋ ଯୋଗୁଁ ଯୋଉ ଝଡ଼ ତୁମ ଜୀବନରେ ଘଟିଥିଲା ସେ ଝଡ଼ର ପ୍ରଭାବରେ ମୁଁ ବି ଆଜି କ୍ଷତବିକ୍ଷତ ।


ବାପା ବୋଉଙ୍କ ଚାପରେ ତୁମକୁ ବାହା ନହେବା ପାଇଁ ବାହାନା କରି ତୁମ କଳା ରଙ୍ଗ ପ୍ରତି ଆକ୍ଷେପ କରି ଶରୀର ମନପ୍ରାଣରେ ଯୋଡିଥିବା ସମ୍ପର୍କକୁ ପଦଘାତ କରି ଖୁସିର ମହଲ ଖୋଜିଥିଲି ।ମାତ୍ର ତୁମ ଆଖିର ଲୁହରେ ଆଜି ବି ଆକ୍ତାମାକ୍ତା ହୋଇଉଠୁଛି ।

  


ସେସବୁ ର ଆଲୋଚନା କାହିଁକି ?ସେଦିନର ସେଇ ଝଡ଼ ପ୍ରତି ମୁହୂର୍ତ୍ତରେ ମୋତେ ନିରବରେ କ୍ଷତବିକ୍ଷତ କରିଛି ସତ କିନ୍ତୁ ମୁଁ ସେ ଝଡରୁ ରକ୍ଷା ପାଇ ନୂଆ ବସାଟିଏ ଗଢ଼ିସାରିଛି ।ବେଶ ଖୁସି ଅଛି।ସୁରଜ ରୂପର ପୂଜାରୀ ନୁହଁନ୍ତି ଗୁଣର ।ଆଉ କାହିଁକି ସେଦିନ ମନେ ପକାଇବି ମୁଁ ।


ଜାଣେ ଶିଖା ସବୁ ଜାଣେ ।ତୁମକୁ ପ୍ରତାରଣା ଦେଇ ତୁମ ଜୀବନରେ ଯେଉଁ ଝଡ଼ ସୃଷ୍ଟି କରିଥିଲି ତୁମେ ନୀରବରେ ସହିଗଲ ।ତୁମେ ଚାହିଁଥିଲେ ମୋ ଜୀବନରେ ବି ଝଡ଼ ସୃଷ୍ଟି କରିପାରିଥାନ୍ତ ତୁମେ କରିନାହଁ ।


 ପ୍ରେମର ମାନେ ନୁହେଁ ପ୍ରତିଶୋଧ ।ପ୍ରତାରଣା ର ପାଉଣା ନୁହେଁ

ଆତ୍ମହତ୍ୟା ।ସେଇ ନିରବ ଝଡ଼କୁ ସାମ୍ନା କରି ମୁଁ ଆଜି ଶାନ୍ତ ।କହିଉଠିଲା ଶିଖା ।


ଜାଣେ ଶିଖା ।ତୁମକୁ ଦୁରେଇ ଗୋରା ସୁନ୍ଦର ଝିଅକୁ ଦେଖି ବିବାହ କଲି ବାବା ବୋଉଙ୍କ ଇଛାରେ ।ଧନ ପ୍ରତିପତ୍ତିର ପାହାଡ଼ରେ ଠିଆ ହୋଇ ନିଜକୁ ସୁଖୀ ବୋଲି ଭାବିଛି ।କିନ୍ତୁ ଯେଉଁଦିନ ଜାଣିଲି ସୀମା ଆଉ ଜଣଙ୍କୁ ପ୍ରେମ କରେ ।ବିବାହ ପୂର୍ବରୁ ତାଙ୍କର ସମ୍ପର୍କ ଥିଲା ସେଦିନ ମୋ ପାଦତଳୁ ମାଟି ଖସିଗଲା ।ଯେଉଁଦିନ ତୁମକୁ ପ୍ରଥମ ଛୁଇଁଥିଲି ସେଦିନ ଅନୁଭବ କରିଥିଲି ତୁମେ କେତେ ପବିତ୍ର ।ତୁମ ପଵିତ୍ରତାର ଅର୍ଘ୍ୟକୁ ମୋତେ ସମର୍ପିତ କରି ନିଜ ପ୍ରେମର ପ୍ରମାଣ ଦେଲା ପରେ ବି ମୁଁ ତୁମ ପ୍ରତି ଅନ୍ୟାୟ କରିପାରିଲି ।ସୀମା ଚାଲିଗଲାଣି ତାର ପୁରୁଣା ଦୁନିଆକୁ ।ନିଜ ପାପର ଗରଳରେ ମୁଁ ଆଜି ବିଷାକ୍ତ ।ଜୀବନର ମୂଲ୍ୟ ମୋ ପାଇଁ ଅର୍ଥହୀନ ।ବହୁତ କଷ୍ଟରେ ତୁମର ଠିକଣା ଖୋଜି ଏଇ ସହରକୁ ଆସିଥିଲି ।କେବଳ କ୍ଷମା ମାଗିବା ପାଇଁ ।ମୋତେ କ୍ଷମା କରିଦେବ ଶିଖା ।


 ବହୁଦିନର ନିରବ ଝଡ଼ ଶାନ୍ତ ହୋଇସାରିଥିଲା ।ଶିଖା ଏବେ ଆଶ୍ୱସ୍ତ ଅନୁଭବ କରୁଥିଲା ।ନିଜ ଆଖିରୁ ଝରିଯାଉଥିବା ଲୁହରେ ଦୁରେଇ ଯାଇଥିଲା ଛାତିତଳର ଅକୁହା ଯନ୍ତ୍ରଣା ଗୁଡିକ ।ଉଭେଇ ଯାଇଥିଲା ସବୁ ଘୃଣା ମନରୁ ।ହାତ ଯୋଡି ନତମସ୍ତକ ସମୀରକୁ ଦେଖି ଦୁର୍ବଳ ହୋଇଯାଉଥିଲା ସେ ।ତଥାପି ନିଜକୁ ଆୟତ୍ତ କରି କ୍ଷମା ଦେଇସାରିଥିଲା ସମୀରକୁ ।ଏବଂ ଫେରିଯାଉଥିଲା ନିଜ ବସାକୁ ।ମନଟା ହାଲୁକା ଲାଗୁଥିଲା ଆଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance