Alhadini Panigrahi dash

Romance Inspirational

5.0  

Alhadini Panigrahi dash

Romance Inspirational

ନିଳାମ୍ବରୀ

ନିଳାମ୍ବରୀ

12 mins
419


ହଠାତ ଦେଖା ହୋଇଗଲା ତା ସହିତ ,ପନ୍ଦର ବର୍ଷର ଦୀର୍ଘ ବ୍ୟବଧାନ ପରେ ... ପନ୍ଦର ବର୍ଷ ..! କିଛି କମ୍ ନୁହେଁ, ମନୁଷ୍ୟର ଭାଗ୍ୟ ପରିବର୍ତ୍ତନ ପାଇଁ ... ପରନ୍ତୁ ..ସମୟ ଏତେବଡ଼ ଚିତ୍ରକର ଯେ ଗୋଟିଏ ସେକେଣ୍ଡରେ ଭାଗ୍ୟର ଚିତ୍ରପଟକୁ ଏପଟ ସେପଟ କରି ଥୋଇଦେବ ... ଏକଦା ଭାଗ୍ୟକୁ ବିଶ୍ୱାସ କରୁନଥିବା ବିଜ୍ଞାନର ଛାତ୍ର ଶୁଭଙ୍କର ବି ଆଜି ଭାଗ୍ୟ ଉପରେ ବିଶ୍ଳେଷଣ କରିବାକୁ ବାଧ୍ୟ ହୋଇ ପଡିଛି... ତାକୁ ଦେଖିବା ପରଠାରୁ ... ଏଇ ଭାଗ୍ୟ ନାମକ ଅଦୃଶ୍ୟ ଶକ୍ତିଟି ସତେ କଣ କାହାର ଭବିଷ୍ୟତକୁ ଏମିତି ଜୋରକରି ଫିଙ୍ଗି ଦେଇପାରେ ଦୁଃଖର ଅଥଳ ଦରିଆ ଗର୍ଭକୁ ?ବେଦନାର ଗ୍ରୀଷ୍ମ ଉତ୍ତାପରେ ସିଝାଇ ଦେଇପାରେ କାହାର ଦେହ ଆଉ ମନ ?? ସତରେ ..ସେ ତାକୁ ଶେଷଥର ଦେଖିଥିଲା କେଉଁ ରୂପରେ ,ଆଉ ଆଜି ଦେଖିଲା ... ..ଇସ୍ ... ! ଶିହରି ଉଠୁଥିଲା ଶୁଭଙ୍କର ... ବସାକୁ ଫେରିବା ପରଠାରୁ ସେଇମିତି ବସିଯାଇଛି ଥକ୍କା ହୋଇ ... ହୃଦୟର ରୁପେଲି ପରଦାରେ ଚଳଚ୍ଚିତ୍ର ପରି ଦୃଶ୍ୟମାନ ମାତ୍ର କେଇଘଣ୍ଟା ପୂର୍ବର ସ୍ମୁତି ... .

*** *** ***. *** **** **** ****

: "ଟିକିଏ ଶୁଣିବ " ... .ବୁଲି ପଡି ଅନାଇଲା ସେ ... ନା , କେହି ନୁହନ୍ତି ... ମନେ ମନେ ହସିଲା ନିଜର ନିର୍ବୋଧ ପଣିଆଁ ଦେଖି ... ଆଜି ତ ମୋଟେ ଦି' ଦିନ ହେଲା ଆସିଛି ଏଇ ସହରକୁ ବଦଳି ହୋଇ ... ଅପରିଚିତ ଜାଗାରେ କିଏ ବା ଚିହ୍ନେ ତାକୁ ! ଆଗକୁ ପାଦ ବଢାଇଲା ସେ ... କିନ୍ତୁ, ତାକୁ ଏଥର ପୁଣି ଛିଡା ହେବାକୁ ପଡିଲା, ଝିଅଟିଏ ତାରି ଆଡକୁ ଆସୁଥିବା ଦେଖି ... 

": ମୁଁ ଯଦି ଭୁଲ୍ ନୁହେଁ, ତୁମେ ଶୁଭଙ୍କର ନା "? ଝିଅଟି କଣ୍ଠରେ ତାର ନାଁ ଶୁଣି ଏଥର ତା ମୁହଁକୁ ଅନାଇଲା ସେ ... 

ଇସ୍... ପାଟିରୁ ବାହାରି ଆସୁଥିବା ଏ ଦୁଇଟି ଅକ୍ଷରକୁ ଛେପ ସାହାଯ୍ୟରେ ଢୋକିନେଲା ଶୁଭଙ୍କର ... କି ବୀଭତ୍ସ, କି ଭୟଙ୍କର ସେ ମୁହଁ ! ଗାଲର ଚମଡା ସବୁ ସିଝି କଳା ପଡିଯାଇଛି, ମୁହଁ ସାରା ପୋଡାଦାଗ ... ସେହି ମୁହଁରେ ଦପଦପ କରୁଥିବା ଆଖି ଦୁଇଟିରେ ଖୁସି ଥିଲା କି କଣ ବାରିପାରିଲା ନାହିଁ ସେ ... 

: " ଓ... ଆପଣ ଶୁଭଙ୍କର ନୁହନ୍ତି ତାହେଲେ ,sorry... "... ଶୁଭଙ୍କରର ନିରବତା ଦେଖି ଅପ୍ରତିଭ ହୋଇ ଚାଲି ଯାଉଥିଲା ଝିଅଟି ... 

: " ନା..ନା..ମୁଁ ହିଁ ଶୁଭଙ୍କର, ନିଜକୁ ପ୍ରକୃସ୍ଥିତ କରୁକରୁ କହିଉଠିଲା ... କିନ୍ତୁ ଆପଣଙ୍କ ପରି ଜଣେ ଅପରିଚିତା ଠାରୁ ମୋ ନାଁ ଶୁଣି ଦ୍ବନ୍ଦରେ ପଡିଯାଇଥିଲି ... " ଚତୁରତାର ସହ ଲୁଚାଇଦେଲା ସେ ମନର ଉଦବେଳନ ... 

: "ନା.. ମୁଁ ତୁମର ଅପରିଚିତା ନୁହେଁ ... ତୁମ ସହିତ collegeରେ ପଢୁଥିଲି ... ଆଉ ତୁମେ ବି ମୋତେ ଭଲ ଭାବରେ ଜାଣିଥିଲ ... " ବୋକାଙ୍କ ପରି ହାଁ କରି ଅନାଉଥିଲା ସେ ତାର ସହପାଠିନୀ କହୁଥିବା ଏଇ କୁତ୍ସିତ ଝିଅଟାକୁ ... 

: " ମୁଁ ପ୍ରୀତିଛନ୍ଦା ... ଓ... ଚିହ୍ନି ପାରିଲନି ବୋଧହୁଏ ... ହଁ,କିପରି ବା ଜାଣିବ ,ତୁମେମାନେ ତ ମୋ ନାଁ ରଖିଥିଲ *ନିଳାମ୍ବରୀ *... ମନେ ଅଛି ନା ,ମୋ ବିଷୟରେ କଥା ହେଲା ବେଳେ ଏଇ ନାଁ ହିଁ ବ୍ୟବହାର କରୁଥିଲ ... "

. ଆକାଶରୁ ପୃଥିବୀ ଉପରେ ନୁହେଁ, ସିଧା ପାତାଳରେ କଚାଡି ହେଲାଭଳି ଅବସ୍ଥା ଶୁଭଙ୍କରର ... 

: " ନା..ନା ..କେବେ ନୁହେଁ ... କେବେ ବି ନୁହେଁ ... ସେତ... .ସେତ... "ଅସ୍ପଷ୍ଟ ସ୍ୱର ଶୁଭଙ୍କରର... ... .

: "ସେତ ,ବହୁତ ସୁନ୍ଦର ଥିଲା, ଏୟା ନା... .. କାହିଁ ରାଣୀ... ଆଉ କାହିଁ ଏ ପୋଡାମୁହିଁ " ... ଶୁଭଙ୍କରର କଥାର ଶୂନ୍ୟସ୍ଥାନ ପୁରଣ କରୁକରୁ କହିଉଠିଲା ଝିଅଟି ... ଆଜିକାଲି କେହିବି ପୁରୁଣା ବନ୍ଧୁ ଚିହ୍ନି ପାରନ୍ତି ନାହିଁ ମୋର ଏ ଅବସ୍ଥା ଦେଖି ... ତା ଦପଦପ କରୁଥିବା ନୟନ ଯୁଗଳ ଥମଥମ ହୋଇଗଲା ... ସତେଅବା ଏଇନେ ବର୍ଷିଯିବ ... କିନ୍ତୁ ,ନା... ସେ ନୟନ ଯୁଗଳ ଯେ ଶିଖିଯାଇଥିଲେ ବର୍ଷାକୁ ଉଡେଇ ନେବାର କଳା ... 


ନିଳାମ୍ବରୀ ... ମନେ ପଡିଗଲା ଶୁଭଙ୍କରର ... ବହୁତ ଠାରୁ ବି ବହୁତ ସୁନ୍ଦରୀ ଥିଲା ସେ ... ତାର ନମ୍ର ସ୍ୱଭାବ ଓ ଭଲ ପଢୁଥିବାରୁ ସବୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପ୍ରୀୟ ଛାତ୍ରୀ ହୋଇଯାଇଥିଲା ସେ ,ଆଉ ତା ସହିତ ଛାତ୍ର, ଛାତ୍ରୀ ମାନଙ୍କର ଇର୍ଷାର ପାତ୍ରୀ ମଧ୍ୟ ... ନିଳାମ୍ବରୀ ସହିତ ତାର ବେଶୀ ଘନିଷ୍ଠତା ନ ଥିଲେ ମଧ୍ୟ ଏ ପନ୍ଦର ବର୍ଷ ମଧ୍ୟରେ ଅନେକ ଦୁର୍ବଳ ମୁହୂର୍ତ୍ତ ମାନଙ୍କରେ ସେ ମନେ ପକାଇଛି ସେଇ ଅନିନ୍ଦ୍ୟ ରୂପସୀକୁ ... ମନେ ପକାଇଛି କହିଲେ ହୁଏତ ଭୁଲ ହୋଇ ହୋଇଯିବ, ତା’ ଚେହେରା ଏତେଟା ଅପାସୋରା ଥିଲା ଯେ ,ସେ ଆପେ ଆପେ ଅନିମନ୍ତ୍ରିତ ଅତିଥିଟେ ପରି ପଶି ଆସୁଥିଲା ତା ସ୍ମୃତିର ପରିଧି ଭିତରକୁ ... ସ୍ୱୟଂ ଶ୍ରୀରେ ଉଦଭାସିତା ନିଳାମ୍ବରୀ ପୁଣି ଏତେ ଶ୍ରୀ ହୀନା ,କାହିଁକି ? କିପରି ?? ଅନେକ ପ୍ରଶ୍ନର ଢେଉ ସବୁ ମଥା ପିଟି ଫେରିଯାଉଥିଲେ ଶୁଭଙ୍କରର ହୃଦୟ ସାଗର ମଧ୍ୟକୁ ... ନିଳାମ୍ବରୀ କହି ଚାଲିଛି ... 

: "ମନେ ପଡୁଛି ନା... college ବେଳ କଥା ... ସେତେବେଳେ ମୋ ସହିତ କଥା ହେବାପାଇଁ ସମସ୍ତେ ବାହାନା ଖୋଜୁଥିଲେ ... ବନ୍ଧୁତା କରିବା ପାଇଁ ପ୍ରତିଯୋଗିତା କରୁଥିଲେ ... କିନ୍ତୁ ଆଜି... ? କେବେ କେମିତି କାହା ସହ ଦେଖା ହେଲେ ବାହାନା ଖୋଜନ୍ତି ମୋ ପାଖରୁ ଦୁରେଇ ଯିବାକୁ ... "ଭିଜା ଭିଜା କଣ୍ଠରେ ତାର ବେଦନାର ସ୍ୱର ... 

ତା ସହିତ ଚୁପଚାପ ଆଗକୁ ଚାଲୁ ଚାଲୁ ଶୁଭଙ୍କରର ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ ସବୁ ପାଟି ଦେଇ ଉଦଗାରି ହେବାକୁ ଚେଷ୍ଟା କରୁଥିଲେ ଯେମିତି... ... କିନ୍ତୁ ବିବେକ ସେଇ ପ୍ରଶ୍ନ ସବୁକୁ ଶାସନ କରି ପୁଣି ମନ ଭିତରକୁ ଠେଲି ଦେଉଥିଲେ, ଠିକ୍ ଯେପରି ରକ୍ଷଣଶୀଳ ଭାଇଟିଏ ଭଉଣୀକୁ ପଦାକୁ ବାହାରିବାକୁ ତାଗିଦ କରେ ,ଶାସନ କରେ ... ନା... ଅବିବେକୀ ପରି ଗୁଡାଏ ପ୍ରଶ୍ନ ପଚାରି ତା କଟାଘାରେ ଚୁନ ଛିଟା ଦେବାକୁ ଚାହୁଁ ନଥିଲା ସେ ... ସଂପୁର୍ଣ୍ଣ ନିରବ ଶୁଭଙ୍କର ... 

. ସାମ୍ନାରେ ଏକ ଚା' ଦୋକାନ ଦେଖି ସେଇଠି ଅଟକିଗଲା ସେ ... ଦୁଇଟି ଚା'ର ବରାଦ ଦେଇ ,ପଡିଥିବା କାଠପଟାରେ ନିଳାମ୍ବରୀକୁ ବସିବାକୁ କହି ନିଜେବି ବସିପଡିଲା ସେ ... 

: " କଣ ଭାବୁଛ ?"ଅସହ୍ୟ ନିରବତା ଭାଙ୍ଗି ପୁଣି ଥରେ ନିଜଆଡୁ କଥା ଆରମ୍ଭ କଲା ନିଳାମ୍ବରୀ ... 

: "ସେ କିଛି ନୁହେଁ ... "ଏତକ କହିଦେଲା ସିନା ହେଲେ ମନ ଭିତରେ ପ୍ରଶ୍ନ ଗୁଡିକ ପ୍ରସ୍ତୁତ କରୁଥଲା ,ଠିକ୍ ଯେପରି ଶିକ୍ଷକମାନେ ପରିକ୍ଷା... ପାଇଁ ପ୍ରଶ୍ନପତ୍ର ସବୁ ତିଆରି କରନ୍ତି... .କାଳେ ଭୁଲହୋଇ ଯିବକି ଆଉ... .! "

ପୁଣି ନିରବତା ,ଖାଲି କେଟଲି, ଗ୍ଲାସ, କପ୍ର ଠନଠାନ୍ ଶବ୍ଦ ... ... ଏଭିତରେ ନିଜକୁ ପ୍ରସ୍ତୁତ କରିନେଇଥିଲା ଶୁଭଙ୍କର ... ପଚାରି ବସିଲା : "ଗୋଟିଏ କଥା ପଚାରିବି ନିଳାମ୍ବରୀ, ତୁମର... ଏଅବସ୍ଥା ... ,"ପୁଣି ଅଟକିଗଲା ସେ ,କାଳେ ନିଳାମ୍ବରୀ ଖରାପ ଭାବିବ ,ଧିର ସ୍ୱରରେ ପୁଣି କହିଉଠିଲା "ନା..ନା ,ଯଦି ତମର ଆପତ୍ତି ଅଛି ମୁଁ ବାଧ୍ୟ କରିବିନି ,I am sorry. "

: "ନା..ନା ,ଏଥିରେ ଖରାପ ଭାବିବା କଣ ଅଛି ... ଏତେଦିନ ପରେ ତ ଆଜି ଏମିତି ବନ୍ଧୁଟିଏ ପାଇଛି ,ଯିଏ ମୁହଁ ବୁଲାଇ ଚାଲିନଯାଇ ,ମୋ ଅବସ୍ଥା ବିଷୟରେ ଜାଣିବାକୁ ଚାହୁଁଛି ... ବରଂ ମୁଁ ଖୁସି ସେ ,ଏପରି ଜଣେ ଦରଦୀବନ୍ଧୁ ଆଗରେ ମୋର ଦୁଃଖର ବୋଝକୁ ଉତ୍ତାରି ଦେଇ ଟିକେ ହାଲୁକା ହୋଇଯିବି ... " ନିଳାମ୍ବରୀର କଣ୍ଠ ସାମାନ୍ୟ ଥିଲା ... 

ଏହି ସମୟରେ ପିଲାଟି ଚା ଆଣି ଦୁହିଙ୍କୁ ଦେଇଗଲା ... ଚା... 'କପରେ ଓଠ ଲଗାଇ ତା ବାମ୍ଫର ଆଢୁଆଳରୁ ,ଅସ୍ତମିତ ସୂର୍ଯ୍ୟଙ୍କୁ ଦେଖିଦେଖି ଆରମ୍ଭ କଲା ନିଳାମ୍ବରୀ ତା ଅସ୍ତମିତ ସୌନ୍ଦର୍ଯ୍ୟର ସତ୍ୟ କାହାଣୀ ... 

*******

: " +2 ପରେ ପରେ ମୋର ଆଉ କାହାସହିତ ଦେଖା ହୋଇନାହିଁ ... କେମିତି ବା ହୁଅନ୍ତା !! ତୁମେମାନେ ତ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଚାଲିଗଲ ଆଉ ମୁଁ ପଢିବା ହିଁ ଛାଡିଦେଲି ... "

: "କାହିଁକି? ତୁମେ ତ ବହୁତ ଭଲ ପଢୁଥିଲ ?ପ୍ରଶ୍ନିଳ ସ୍ୱର ଶୁଭଙ୍କରର ... : " ଶୁଣ ,ତୁମ ପ୍ରଶ୍ନର ଉତ୍ତର ମୋ କଥାରୁ ପାଇଯିବ ... ତୁମର ମନେ ଅଛି ନା ? ମୁଁ ସବୁବେଳେ ନୀଳ ରଙ୍ଗର ଡ୍ରେସ ହିଁ ପିନ୍ଧୁଥିଲି ଆଉ... ..": " ଆଉ ସେଥିପାଇଁ ତ ଆମେ ସବୁ ତୁମକୁ ନିଳାମ୍ବରୀ ବୋଲି କହୁଥିଲୁ,ତୁମର ନୀଳ ରଙ୍ଗ ବହୁତ ପସନ୍ଦ ନା... "ଏକରକମ କଥା ଛଡେଇ ନେଇ ଏକ ନିଃଶ୍ୱାସରେ କହି ପକାଇଲା ଶୁଭଙ୍କର ... 

: " କଥାଟା ଠିକ୍ ସେୟା ନୁହେଁ, ଦୀର୍ଘଶ୍ୱାସକୁ ଚାପି ଦେଉଦେଉ କହିଲା ନିଳାମ୍ବରୀ ... ନୀଳରଙ୍ଗର ଡ୍ରେସ ମୁଁ ସଉକ ପାଇଁ ପିନ୍ଧୁନଥିଲି ଶୁଭଙ୍କର, ପିନ୍ଧିବାକୁ ପଡୁଥିଲା ... ଗରିବ ଝିଅର ପୁଣି ସଉକ କଣ ,ଇଚ୍ଛା କଣ ?ବିଧବା ମାର ଝିଅ ମୁଁ ... ମା... ସିଲାଇକରି ମୋ ପଢାଖର୍ଚ୍ଚ, ଓ ଘରଖର୍ଚ୍ଚ ଚଳାଉଥିଲା ... ... ତାର ପୁରୁଣା ନୀଳରଙ୍ଗ ଶାଢିରେ ମୋ ପାଇଁ ଦୁଇଟି ଡ୍ରେସ ସିଲାଇକରି ଦେଇଥିଲା ... ଯାହା ପିନ୍ଧି ମୁଁ ପ୍ରତିଦିନ କଲେଜ ଯାଉଥିଲି ... ଶୁଭଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲା, ନିଳାମ୍ବରୀର ନୀଳ ଡ୍ରେସର ରହସ୍ୟ ଶୁଣି ... କେଉଁ ଦୃଷ୍ଟିରୁ ବି ସେ ଗରିବ ବୋଲି ଜଣାପଡୁନଥିଲା ... ତା...ର ରୂପ,ଗୁଣ,ସର୍ବୋପରି ତାର ବ୍ୟକ୍ତିତ୍ଵ ହିଁ ତାକୁ ସମ୍ଭ୍ରାନ୍ତ କରି ଗଢିତୋଳିଥିଲା... ... 

. ସତରେ ଆମେ ଅନ୍ୟଜଣକୁ ଉପରଠାଉରିଆ ଭାବରେ ଭାବିନେଉ ସେ କେତେ ସୁଖି ... କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ସହିତ କିଛି ନା କିଛି ଦୁଃଖ ରହିଥାଏ ନିଶ୍ଚୟ ... ବାସ୍ତବତା ନ ଜାଣି ତାହାକୁ ପଛରେ ନିଳାମ୍ବରୀ କହୁଥିବାରୁ ଆଜି ନିଜକୁ କିପରି ଦୋଷୀ ଦୋଷୀ ମନେକଲା ଶୁଭଙ୍କର ... 

: " କଣ ,ଭାବୁଛ କି "ଟିକେ ସଙ୍କୁଚିତ ହୋଇଗଲା ନିଳାମ୍ବରୀ ... 

: " ନା,ସେ କିଛି ନୁହେଁ, ତୁମେ କହ "କହିଲା ଶୁଭଙ୍କର ... 

: " ସେ ବହୁତ କଥା ଶୁଭଙ୍କର, ମୁଁ +2 ପାଶ୍ କଲାପରେ ଘରର ପରିସ୍ଥିତିକୁ ଚାହିଁ ଯେ କୌଣସି ଚାକିରି କରିବାକୁ ମନସ୍ଥ କଲି ... ଆଉ ମୋର ଜଣେ ଆତ୍ମିୟଙ୍କ ସହାୟତାରେ ଏକ ପାଇଭେଟ କମ୍ପାନୀରେ ସୁପରଭାଇଜର ଚାକିରି ଖଣ୍ଡେ ମିଳିଗଲା ... ମା... ସକୁ ମାତ୍ର ଦଶହଜାର ... ବୁଡିଯିବାର ଲୋକକୁ କୁଟାଖିଏ ଆଶ୍ରା ପରି ମୁଁ ବି ସେପରି ଆଶ୍ରା ପାଇଗଲି ... ଧିରେ ଧିରେ ମୋ ଦରମା ବଢିବା ସାଙ୍ଗକୁ ମା ମୋର ବିବାହ କଥା ଚିନ୍ତା କରରୁଥିଲା ... ଦିନେ ଏକଥା ମୋତେ କହିବାରୁ ଆଗପଛ ନ ବିତାରି ମୁଁ କହିଦେଲି ," ହାତରେ ନଥାଇ ଧନ,ଝିଅ ବାହା ପାଇଁ ମନ "... ଦେଖିଲି ମା ମୁହଁରେ ଯନ୍ତ୍ରଣାର ବାଦଲଟିଏ ଛାଇଗଲା ... ତା ଦେଖି ତା ମନରେ ଟିକେ ଖୁସି ଦେବାପାଇଁ କହିଲି ," ମୁଁ ବାହାହେବି ଏଇ ସର୍ତ୍ତରେ ଯେ ମୋ ବାହାପରେ ମୋ ମା ମୋ ସହିତ, ମୋ ପାଖରେ ରହିବ,ଏକଥାରେ ବରପକ୍ଷ ରାଜି ହେବା ଦରକାର ... ସେଇଟା ମୋ ସୌଭାଗ୍ୟ କି ଦୁର୍ଭାଗ୍ୟ ଜାଣେନା ,ମୋ ବିବାହ ଶୀଘ୍ର ଠିକ୍ ହୋଇଗଲା ... ସୁନେଲି ସ୍ୱପ୍ନରେ ବିଭୋର ହୋଇଗଲି ମୁଁ ... 

. ମୋର ଭାବି ସ୍ୱାମୀ ଥିଲେ କଲେଜର ଅଧ୍ୟାପକ ... ସେ ଓ ତାଙ୍କ ଘରେ ମୋ ରୂପ,ଗୁଣ ଦେଖି ମୋ ସବୁ ସର୍ତ୍ତ ମାନି ମୋତେ ବୋହୁ କରିନେବାକୁ ରାଜି ହୋଇଗଲେ ... ଅଧ୍ୟାପକ ଜୋଇଁ ପାଇ ମାର ଗୋଡ ତଳେ ଲା... ଗୁନଥିଲା ... ମିଛ କହିବିନି ଶୁଭଙ୍କର, ସବୁଝିଅଙ୍କ ପରି ମୁଁ ମଧ୍ୟ ଖୁସି ହୋଇଯାଇଥିଲି ସେଦିନ, ଯେଉଁଦିନ ମୋ ଭାବିସ୍ୱାମୀ କଥାଛଳରେ କହିଲେ "ବୁଝିଲ ପ୍ରୀତି ତୁମପରି ,ରୂପବତୀ, ଗୁଣବତୀ ଝିଅ ଭାଗ୍ୟରେ ଥିଲେ ମିଳେ ... ସତରେ ମୁଁ ବହୁତ ଭାଗ୍ୟବାନ ... "ତାଙ୍କ କଥା ଶୁଣି ମୋ ହୃଦସରୋବରେ ସତେକି ସହସ୍ର ପୁଳିନ ପ୍ରସ୍ପୁଟିତ ହୋଇଗଲା ... ଏତେବଡ ଅଧ୍ୟାପକଙ୍କ କଣ୍ଠରୁ ମୋ ରୂପ, ଗୁଣର ପ୍ରଶଂସା ଶୁଣି କେଉଁଠି ନା କେଉଁଠି ମୋ ମନରେ ଟିକିଏ ଗର୍ବ, ଅହଂକାର ଫେଣ୍ଟି ହୋଇଗଲା ... ଫୁଲେଇ ହୋଇ କହିଲି ,: " ଆପଣ ତ କହୁଛନ୍ତି, ମୋ ରୂପ ,ଗୁଣ ଉଭୟକୁ ଭଲପାଆନ୍ତି ,ଯଦି କୌଣସି କାରଣରୁ ମୋ ଚେହେରା ଖରାପ ହୋଇଯାଏ ?ମୁଁ ଅସୁନ୍ଦରୀ ହୋଇଯାଏ ?? ତାହେଲେ ଆପଣ ମୋତେ ମୋ ଗୁଣ ଦେଖି ମୋତେ ଗ୍ରହଣ କରିପାରିବେତ ? ମୋ ଫୁଲେଇ ପଣକୁ ମନଭରି ଉପଭୋଗ କରି ମୃଦୁମୃଦୁ ହସୁଥିଲେ ସେ ... କହିଲେ ସେ -"ସେପରି ତ ଘଟିବାର ନାହିଁ, ତଥାପି ଯଦି ପଚାରିଛ ଶୁଣ,ମୁଁ ତୁମ ବାହ୍ୟ ସୌନ୍ଦର୍ଯ୍ୟ ଠାରୁ ଅନ୍ତ8ସୌନ୍ଦର୍ଯ୍ୟକୁ ବେଶୀ ଭଲପାଏ ... କେବଳ ତୁମ ଗୁଣକୁ ନେଇବି ତୁମସହିତ ସାରାଜୀବନ କଟାଇ ପାରିବି ... 

. ପିଲାବେଳେ ମା ଠାରୁ ଶୁଣିଥିଲି "କେବେବି ଅମଙ୍ଗଳିଆ କଥା ପାଟିରେ ଧରିବୁନିରେ ମା , ଆକାଶରେ ଆସ୍ତିକ ,ନାସ୍ତିକ ଦୁଇଭାଇ ବୁଲୁଥାନ୍ତି ... ଯଦି ସେ ସମୟରେ ଆସ୍ତିକ ,ଅସ୍ତୁ କହିଦିଅନ୍ତି ତାହେଲେ ସେଇ ଅମଙ୍ଗଳ ନିଜକୁ ଲାଗିସାଏ ... ମା...ର କଥାକୁ ବିଶ୍ୱାସ କରିନି କେବେ ... ଯାର ଭାଗ୍ୟରେ ଦୁଃଖର ପାହାଡ ଲଦା ହୋଇଛି, କିଏ କଣ ତାକୁ ଘୁଂଚାଇ ପାରିବ ... ତା... ନହେଲେ ସେଦିନ ମୋ ପାଟିରୁ ମୋ ସୌନ୍ଦର୍ଯ୍ୟ ନଷ୍ଟ ହେବା କଥାଟା ସତ୍ୟ ହୋଇପାରିଲା ... ଅଥଚ ମୋ ଭାବିସ୍ୱାମୀଙ୍କର ମୋ ଅନ୍ତ8ସୌନ୍ଦର୍ଯ୍ୟକୁ ଭଲପାଇବା କଥାଟା

ମିଛ ହୋଇଗଲା କେମିତି ... ପୁଣି କେମିତି ମିଛ ହୋଇଗଲା ମୋ ଗୁଣକୁ ନେଇ ସାରାଜୀବନ ସାଥୀ ହୋଇ ରହିବାର ପ୍ରତିଶ୍ରୁତି ... "ଛାତି ଥରା଼ ଦୀର୍ଘଶ୍ୱାସଟିଏ ଶୂନ୍ୟକୁ ଫିଙ୍ଗିଦେଲା ନିଳାମ୍ବରୀ ... 

ଅନୁଭବ କରିପାରିଲା ଶୁଭଙ୍କର, ସେ ଖାଲି ଦୀର୍ଘଶ୍ୱାସ ତ ନଥିଲା... ବରଂ ଥିଲା ପୁଳାଏ ବ୍ୟଥା, ଓ ବେଦନାକୁ ପବନରେ ଉଡେଇ ଦେବାର ବ୍ୟର୍ଥ ପ୍ରଚେଷ୍ଟା ମାତ୍ର ... ନିଳାମ୍ବରୀର କଥା ଯେତେ ଶୁଣୁଥିଲା ,ତା ମନରେ ସେତେ ଉତ୍କଣ୍ଠା ଜାତ ହେଉଥିଲା, ତା ଅବସ୍ଥାର କାରଣ ଜାଣିବାପାଇଁ ... 

ନିଜକୁ ସମ୍ଭାଳି ନେଇ କହଉଠିଲା ନିଳାମ୍ବରୀ: " ମୋ ଦୁଃଖ କାହାଣୀ ଶୁଣାଇବାକୁ ଯାଇ ତୁମର ସମୟ ନଷ୍ଟ କରୁନି ତ ଶୁଭଙ୍କର "... !: ନା... ମା ବରଂ ମୁଁ ଜାଣିବାକୁ ଚାହୁଁଛି ତୁମର ଏ ଅବସ୍ଥା କାହିଁକି ... କିପରି... ?? "

ସିନେମାର କାହାଣୀ ଶୁଣିଲାପରି ଚୁପଚାପ ଶୁଣୁଥିଲା ଶୁଭଙ୍କର, ଆଉ... ନିଳାମ୍ବରୀ କହିଚାଲିଥିଲା ତାର ଆତ୍ମକାହାଣୀ ... 

. : "ମୁଁ ତୁମକୁ କହିଥିଲିନା ଶୁଭଙ୍କର, ମୁଁ ଏକ କମ୍ପାନୀରେ ସୁପରଭାଇଜର ଥିଲି ... ସେଇ କମ୍ପାନୀରେ କାମ କରୁଥିଲା ଶ୍ୟାମସୁନ୍ଦର ... ତାର ନାଁଟା ସୁନ୍ଦର ହେଲେବି ସେ ଆଦୌ ସୁନ୍ଦର ନଥିଲା ... ସବୁବେଳେ ଦାଦାଗିରି କରିବ ,ଅଫିସ ସମୟରେ ବି ମଦ ପିଇବ ... ତା ପ୍ରକୃତି ଯୋଗୁଁ ,ଭୟରେ କେହି ତା ନାଁରେ ଅଭିଯୋଗ ମଧ୍ୟ କରିଯାଆନ୍ତି ନାହିଁ ... ବେଳେ ବେଳେ ତା ସ୍ତ୍ରୀ ଅଫିସକୁ ଆସେ ,ତା ସ୍ୱାମୀ ନଥିଲାବେଳେ ମୋ ଆଗରେ ତା ଦୁଃଖ କହେ ... ଶ୍ୟାମସୁନ୍ଦରର ତା ପ୍ରତି ଅମାନୁଷିକ ଅତ୍ୟାଚାର ଶୁଣି ,ମୁଁ ଭାବେ ଭାରତୀୟା ନାରୀ ଏତେ ସହନଶିଳା ହୋଇପାରେ ,ଏତେ ନିର୍ଯ୍ୟାତନା ପରେ ବି ସ୍ୱାମୀର ନାମ ସୁଦ୍ଧା ଧରିବାକୁ ପାପ ମନେକରେ ... ସ୍ତ୍ରୀକୁ ଅଫିସରେ ଦେଖିଲେ କିନ୍ତୁ ଭିଷଣ ରାଗେ ଶ୍ୟାମସୁନ୍ଦର ... ସେଦିନ ଅଫିସ ଛୁଟି ହେବାର ବେଳ ... ଛୋଟ ଝିଅଟିକୁ କାଖେଇ ଅଫିସ ଗେଟ୍ ପାଖରେ ଶ୍ୟାମସୁନ୍ଦରକୁ ଜଗିଥାଏ ତା ସ୍ତ୍ରୀ ... ମୋତେ ଦେଖିବାରୁ ମୋ ଠାରୁ ତା ସ୍ୱାମୀ ବିଷୟରେ ପଚାରି ବୁଝୁଥାଏ ... ମୁଁ କହିଲି ସେତ ଏଠିକୁ ଆସିବାକୁ ତୋତେ ମନାକରେ ,ତୁ କାହିଁକି ଆସିଲୁ ... ସେ କହିଲା " - କଣ କରିବି ଦିଦି ? ଅଫିସରୁ ଫେରି ସେ ସିଧା ଘରକୁ ଯାଏନି ... ଏଣେ ଝିଅକୁ ଜ୍ଜର ,ଡାକ୍ତର ପାଖକୁ ନେବାକୁ ପଡିବ ... ସେଥିପାଇଁ ତ ସିଧା ଅଫିସକୁ ଆସିଛି ଝିଅକୁ ନେଇ ... ଏତିକିବେଳେ କେଉଁଠି ଥିଲା କେଜାଣି ଶ୍ୟାମସୁନ୍ଦର ସୁନ୍ଦର ଆସିଲା ପେଟେ ମଦପିଇ ... ତା... ସ୍ତ୍ରୀକୁ ଦେଖି ତା ମୁଣ୍ଡରେ ଯେପରି ପିତ୍ତ ଚଢିଗଲା ... 

: " ତୋତେ କେତେଥର ମନାକରିଛି ଏଠିକୁ ଆସିବୁନି ... ପୁଣି ଚାଲିଆସିଲୁ ?ବଜ୍ଜାତ ମାଇକିନା ,ଡରିଡରି ତା ସ୍ତ୍ରୀ କହିଲା " ଝିଅକୁ ଜ୍ଜର ଚାଲ ଡାକ୍ତର ପାଖକୁ ଯିବା "... କଥାରେ ଅଛି ପରା ମଦ ପିଇଲେ ପଦ ବାହାରେ ,ମନୁଷ୍ୟ କାଣ୍ଡଜ୍ଞାନ ହରାଇ ବସେ ... ତାପାଇଁ ଅଫିସ କଣ ,ଘର କଣ ... ଶ୍ୟାମସୁନ୍ଦର ବା ବାଦଯାଆନ୍ତା କିପରି ... " ଶାଳୀ ,କଣ ଟିକେ ହେବ କି ନାଇଁ ଡାକ୍ତର ଖାନା ନେବ ... ତୋ ବାପା ଟଙ୍କା ପଠଉଛି ନା କଣ ବେ ? ତା ସ୍ତ୍ରୀ କିଛି କହିବାକୁ ଯାଇ କିଛି କହିପାରୁନଥିଲା ... ଖା... ଲି ଯାହା ଓଠ ଟିକେ ଟିକେ ଥରଥିଲା କିଛି କହିବାକୁ ... ପା...ଟି କିନ୍ତୁ ବନ୍ଦ ହେଉନଥିଲା ଶ୍ୟାମସୁନ୍ଦରର ... "ଯୋଉ ତ ପୁଅ ଜନ୍ମ କରିଦେଇଛୁ ,ଝିଅଟେ ପାଇଁ ଏତେ ଦରଦ ... " କହି ଠେଲି ଦେଲା, ଜରୁଆ ଛୁଆ ଓ ମା ଦୁଇଜଣ ଙ୍କୁ ... ମନ ମୋର ବିଦ୍ରୋହ କରିଉଠୁଥିଲା ... କିନ୍ତୁ ଚୁପ ଥିଲି ଅନ୍ୟ ସମସ୍ତଙ୍କ ପରି ... ମୁଁ ଫେରି ଆସିବା ଉଦ୍ୟତ ହେଉଥାଏ ,ଏସମୟରେ ତଳେ କଚାଡି ହୋଇ ପଡି ଛୁଆଟି ଭେଁ କରି କାନ୍ଦି ଉଠିଲା ... "ପୁଣି କାନ୍ଦ " ରାଗରେ ଅଶ୍ରାବ୍ୟ ଭାଷାରେ ଗାଳିକରି ପୁଣି ମାରିବାକୁ ତାଙ୍କ ଆଡକୁ ଧାଇଁଯାଉଥିଲା ସେ ,ମା,ଛୁଆ ଦି,ଜଣ ରଡି ଛାଡୁଥାନ୍ତି ... ଏତେ ଭୟରେ ମଧ୍ୟ ମାଟି ଛୁଆଟିକୁ ତା କାନି ପଣତରେ ଛୁଆଟିକୁ ଘୋଡାଇବାକୁ ଚେଷ୍ଟା କରୁଥାଏ ... ମୁଁ ଆଉ ସହିପାରିଲିନି ଶୁଭଙ୍କର, ଆଉ କେମିତି ବା ସହି ପାରିଥାନ୍ତି ... ଗୋଟିଏ ନାରୀ ହୋଇ ଆଉ ଗୋଟିଏ ନାରୀ ଉପରେ ଅତ୍ୟାଚାର ହେବା ଦେଖି, ଗୋଟିଏ ଝିଅ ହୋଇ ଝିଅ ଜାତି ପ୍ରତି ଘ୍ରୁଣାଭାବ ଦେଖି ... ମୋ ଦେହରେ କେମିତି ବଳ ଆସିଲା ଜାଣି ପାରିଲିନି ଦୌଡିଯାଇ ଶ୍ୟାମସୁନ୍ଦରକୁ ଠେଲିଦେଇ ତା ଗାଲରେ ଶକ୍ତ ଚାପୁଡାଟେ ବସେଇ ଦେଲି ... ... ତା ସ୍ତ୍ରୀ ଝିଅକୁ ଡାକ୍ତର ପାଖକୁ ନେଇଗଲି ... ପଛରୁ ଆହାତ ବାଘ ପରି ଶ୍ୟାମସୁନ୍ଦର ଚିତ୍କାର କରୁଥିଲା-" ମୋ ଦେହରେ ହାତ ଲଗାଇଦେଲୁ ,ସାପ ଲାଙ୍ଗୁଡରେ ହାତ ମାରିଛୁ ,ଦେଖିବୁ ଯେତେବେଳେ ଏଇ ସାପ ଯେବେ ତୋତେ ଚୋଟ ମାରିବ ... ମଦୁଆର ପ୍ରଳାପ ମନେକରି ତା କଥାକୁ ମୁଁ ଗୁରୁତ୍ଵ ଦେଇନଥିଲି ,ସେଇ ଦିନଠାରୁ ଯେବେ ତା ସଙ୍ଗେ ମୁହାଁମୁହିଁ ହୋଇଯାଏ, ସେ କେମିତି ମୋତେ ହିଂସ୍ର ଆଖିରେ ଅନାଏ ... ମୁଁ ମନେ ମନେ ଡରିଗଲେ ବି ବାହାରକୁ ପ୍ରକାଶ କରେନି ... କେତେ ଦିନ ପରେ ହୋଲି ଆସିଲା ... ହୋୋଲି ପରେ ମୋ ବାହାଘର ... ମୁଁ ଜିନିଷ ପତ୍ର କିଣାକିଣିରେ ବ୍ୟସ୍ତ ଥାଏ ... ଆମ ଷ୍ଟାଫ୍ ଠିକ୍ କଲେ, ଅଫିସ ସାମ୍ନା ପଡିଆରେ ଏଥର ହୋଲି ଖେଳହେବ ,ତାପରେ ଭୋଜି ... ଗୋଟିଏ ମାତ୍ର ଛୁଟିଦିନ ,କାମ ଅନେକ ,ତେଣୁ ମୁଁ ମନା କରିଦେଲି ... କିନ୍ତୁ ଭାଗ୍ୟର ଲିଖନ ତ ଅନ୍ୟ ପ୍ରକାର... ... 

. ସମସ୍ତଙ୍କ ଅନୁରୋଧ ଏଡାଇ ନପାରି ସେଠାକୁ ଗଲି ... ହୋଲିର ରଙ୍ଗରେ ବସନ୍ତକୁ ଉପଭୋଗ କରିବାରେ ସମସ୍ତେ ବ୍ୟସ୍ତ ... 

ହଠାତ ମୋ ମୁହଁ ଜଳିଗଲା ,ଯନ୍ତ୍ରଣାରେ ଚିତ୍କାର କରି ଚେତା ହରାଇ ତଳେ ପଡିଗଲି ... ଚେତା... ଫେରିଲା ପରେ ନିଜକୁ ଆବିଷ୍କାର କଲି ଡାକ୍ତରଖାନା ବେଡରେ ... ମା... ପାଖରେ ବସି ,କାନ୍ଦୁଛି ,ଯେତେ ପଚାରିଲି କିଛି କହୁନି ... ମୋ ବିକଳ ଦେଖି ନର୍ସ କହିଲେ ,ତୁମ ଉପରକୁ ଶ୍ୟାମସୁନ୍ଦର ବୋଲି ଜଣେଲୋକ ଏସିଡ୍ ଫଙ୍ଗିଛି ... ସେ ଏବେ ଜେଲରେ ... ... ମୁଁ ମୋ ଭାବିସ୍ୱାମୀ ଙ୍କୁ ମନେ ମନେ ଖୋଜିଲି ବହୁତ ... ମା...କୁ ପଚାରିବାରୁ ମା ପୁଣି କାନ୍ଦିଲା, କହିଲା ସେମାନେ ମୋ ଚେହେରା ଦେଖି ମନାକରି ଦେଲେ ବିବାହ ପାଇଁ ... ... ତିନିମାସ ପରେ ଘରକୁ ଫେରିଲି ,ଦର୍ପଣରେ ନିଜମୁହଁ ନିଜକୁ ଡରାଇଲା ... ଦର୍ପଣକୁ ଫିଙ୍ଗିଦେଇ ଅନେକ କାନ୍ଦିଲି ... 

ଅଟକିଗଲା ନିଳାମ୍ବରୀ ଓରଫ ପ୍ରୀତି, କଣ୍ଠ ତାର ବାଷ୍ପ ରୁଦ୍ଧ ... ଶୁଭଙ୍କରର ଆଖିପତା ବି ଓଦାହୋଇଯାଇଥିଲା ତା ଅଜାଣତରେ ... ପଚାରି ଦେଲା : " ଆଉ ତୁମର ବିବାହ ..?

ଏ ଭିତରେ ନିଜକୁ ସମ୍ଭାଳି ନେଇ ସାରିଥିଲା ନିଳାମ୍ବରୀ ... କହିଲା : " ଯିଏ ଦିନେ ମୋ ଅନ୍ତ8ସୌନ୍ଦର୍ଯ୍ୟକୁ ଭଲପାଇବାର ଦ୍ବାହି ଦେଇଥିଲେ ,ସେ ମୋର କୁତ୍ସିତ ବାହ୍ୟ ସୌନ୍ଦର୍ଯ୍ୟକୁ ଘ୍ରୁଣା କରି ମୁହଁ ଫେରାଇନେଲେ,... ମା... ମୋର ଯନ୍ତ୍ରଣା ସହି ନପାରି ପାଗଳୀ ହୋଇ ଗତବର୍ଷ ଚାଲିଗଲା ମୋତେ ଏକାକରି ... 

. ଏବେ କିନ୍ତୁ ମୁଁ, ମୋ ନିଜକୁ ବୁଝାଇ ଦେଇଛି ଶୁଭଙ୍କର, ମୁଁ ଏ ଦୂନିଆଁକୁ ଏକା ଆସିଛି, ଏକା ଯିବି ... ମୋ ଜୀବନ କାଳ ଭିତରେ ମୋ ପରି ଝିଅ ମାନଙ୍କ ପାଇଁ,ଅବହେଳିତ ବ୍ରୁଦ୍ଧ,ବ୍ରୁଦ୍ଧାଙ୍କ ପାଇଁ କିଛି କରିବି ... 

ମୁଁ ଜିଇଁବି ତ ନିଶ୍ଚୟ, କିନ୍ତୁ ଯନ୍ତ୍ରଣା ଜୁଇରେ ଜଳି ଜଳି ପାଉଁଶ ହେବାପାଇଁ ନୁହେଁ, ବରଂ ନିଜେ ଜଳି ସେଇ ସେଇ ଜ୍ୟୋତିରେ ସଂସାରର କିଛିଟା ଅଞାନ ଅନ୍ଧକାର ଦୂର କରିବାର ଚେଷ୍ଟା କରି ... ଆସ୍ତେ ଆସ୍ତେ ଦୃଢ ହୋଇଆସୁଥିଲା ନିଳାମ୍ବରୀର କଣ୍ଠ ସ୍ୱର ... 

: "ତାହେଲେ ସାରାଜୀବନ କଣ ଏମିତି ରହିଯିବ ? ବିବାହ କରିବନି ??ଶୁଭଙ୍କରର ଜିଞାସୁ ସ୍ୱର ... 

କ୍ଷୀଣ ହସଧାରେ ନିଳାମ୍ବରୀର ପୋଡାଓଠ ଫାଙ୍କେ ଚହଟି ଉଠିଲା ... ଶୁଷ୍କ କଣ୍ଠରେ କହିଲା ": ମୋତେ ଆଉ ଉପହାସ କରୁନତ ଶୁଭଙ୍କର ?ଏ ଦୁର୍ଘଟଣା ପରେ କଣ ମୋ ସ୍ୱପ୍ନର କିଛି ମାନେ ଅଛି ?

... ହଁ ,ତଥାପି ଯଦି କିଏ ମୋତେ ମୋ ଚେହେରା, ଆଉ ମୋ ସଂକଳ୍ପ ସହିତ ମୋତେ ଆପଣେଇ ନିଏ ତାହେଲେ ମୁଁ ନିଶ୍ଚୟ ବିବାହ କରିବି ... କିନ୍ତୁ ମୁଁ ଜାଣିଛି ଏହା କେହିବି କରି ପାରିବେ ନାହିଁ ... ତାହେଲେ ତୁମେ କୁହ ଶୁଭଙ୍କର, ମୁଁ ଅଯଥା ସ୍ୱପ୍ନ କାହିଁକି ଦେଖିବି ?

. ଟିକିଏ ହସି ଦେଲା ସେ ... ଏଥର କିନ୍ତୁ ସେ ହସରେ ନଥିଲା ଦୁଃଖ, ଯନ୍ତ୍ରଣା ... ସତେ ଯେପରି ସେ ତା ସବୁତକ ଯାତନା,ଯନ୍ତ୍ରଣାକୁ ଶୁଭଙ୍କର ସମ୍ମୁଖରେ ଥୋଇଦେଇ ନିଶ୍ଚିନ୍ତ ହୋଇଯାଇଛି ... 

ନିଳାମ୍ବରୀ ଠାରୁ ତା ମୋବାଇଲ ନମ୍ବରଟି ନେଇ ବସାକୁ ଫେରିବା ବେଳେ ଅଭିଭୁତ ହୋଇ ପଡୁଥିଲା ଶୁଭଙ୍କର ... 

. ଏତେ ଦୁଃଖରେ ବି ଯେ ହସିପାରେ ,... ସେ ନାରୀ ହିଁ ହୋଇପାରେ ... 

ପ୍ରତ୍ୟେକ ପ୍ରତିକୁଳ ପରିସ୍ଥିତିରେ ଅନୁକୁଳ ବାଟଟିଏ ଖୋଜି ଆଗକୁ ବଢିବାର ସାହାସ କେବଳ ନାରୀ ହିଁ ତ କରିପାରେ ... 

ଧନ୍ୟ ତୁମେ ନାରୀ ... ଧନ୍ୟ ତୁମ ସ୍ରଷ୍ଟା ... 

. ହଠାତ ମୋବାଇଲ ଫୋନର ଚିତ୍କାରରେ ତାର ଧ୍ୟାନ ଭଙ୍ଗ ହେଲା -- " ହାଲୋ " ଶୁଭଙ୍କରର ଅନ୍ୟମନସ୍କ ସ୍ୱର ... 

ଆରପଟରୁ ମାଙ୍କ ବିଚଳିତ କଣ୍ଠ-" - କଣ ହେଇଛି କି ଶୁଭ ,ତୋ ସୁରଟା ଆଜି କାଇଁ ଅବାଗିଆ ଶୁଭୁଛି ? କଣ ହେଇଛି ଧନ ..? ମନ ଭଲ ନାଇଁ କି !!ଚମକି ପଡିଲା ଶୁଭଙ୍କର ... ଏତେଦୁରରୁ ଥାଇ ବି ମା ଜାଣିପାରେ ତା ସନ୍ତାନର ମନୋ8ସ୍ଥିତି ... ସବୁ ମା ମାନଙ୍କ ଏମିତି ତ୍ରୁତୀୟ ନେତ୍ରଟିଏ ଥାଏ କି ?-ଆରପଟରୁ ଲେଇମିତି ଶୁଭୁଛି _"ହାଲୋ ... ହାଲୋ କଣ ହେଲା ବାପା, କିଛି କହୁନୁ ,ଦେହ ବେଶୀ ଖରାପ ଲାଗିଲା କି ? ପ୍ରକୃସ୍ଥିତ ହେଲା ସେ ... 

: " ନା... ମା,... ମୁଁ ଭଲ ଅଛି ... ତୁମେ କିପରି ଅଛ... ?ଆଉ ଘରେ ସମସ୍ତେ କିପରି ଅଛନ୍ତି ମା ... " କହ ମା କାହିଁକି ଫୋନ୍ କରିଥଲ ... ମାଙ୍କ ସହିତ କଥା ହୋଇ ନିଜକୁ ହାଲୁକା ଅନୁଭବ କଲା ସେ ... ସତରେ... ମାର ମମତାବୋଳା ପଦିଏ କଥାରେ ହିଁ ଧୋଇଯାଏ ଯେତେ ଦୁଃଖ, କଷ୍ଟ ,ମାନସିକ, ଶାରୀରିକ ଯନ୍ତ୍ରଣା ... 

ସନ୍ତାନର ଶାନ୍ତ ସ୍ୱର ଶୁଣି ,ସ୍ୱସ୍ତିର ନିଃଶ୍ୱାସ ମାରି ମା କହିଲେ... 

: " ହଁ, ମୁଁ କଣ କହୁଥିଲି କି ବାପା ,ତୁ ଦି'ଦିନ ଛୁଟି ନେଇ ଘରକୁ ଆସ ... ଝିଅ ଦେଖିଯିବା ତୋ ପାଇଁ ... ବୟସ କଣ ଆଉ ଆସୁଛି କି ଧନ ... ନରମ ସ୍ୱରରେ ମାଙ୍କ ଅନୁରୋଧ ମିଶା ଆଦେଶ ... 

ହଠାତ ଆଗରୁ କିଛି ଭାବି ନଥିବା କଥାଟିଏ ବାହାରି ଆସିଲା ଶୁଭଙ୍କରର ପାଟିରୁ ... 

: " ନା... ମା , ଝିଅ ଦେଖି ଯିବା ଆଉ ଦରକାର ନାହିଁ, ବରଂ ତୁମେ ମାନେ ମୋ ପାଖକୁ ଚାଲିଆସ ... ଆଉ... ହଁ ମା ... ଆସିଲା ବେଳେ ତୁମ ବୋହୁ ପାଇଁ ନୀଳରଙ୍ଗର ପାଟ ଶାଢୀଟିଏ ଆଣିଥିବ ନିଶ୍ଚୟ ... "ତା ମୁହଁରେ ବର୍ତ୍ତମାନ ଗାଢ ପ୍ରଶାନ୍ତି ... 

ମା କିଛି କହିବା ପୂର୍ବରୁ ମୋବାଇଲ ସୁଇଚ୍ ଅଫ୍ କରିଦେଲା ଶୁଭଙ୍କର ... 



Rate this content
Log in

Similar oriya story from Romance