Jayashree Maharana

Romance

3.8  

Jayashree Maharana

Romance

ନୀରବ ପ୍ରେମ

ନୀରବ ପ୍ରେମ

3 mins
463


ଆଜି ସ୍ମୃତିର ମନରେ ଅସରନ୍ତି ଖୁସିର ଝଲକ । ଦୀର୍ଘଦିନ ଧରି ନୀରବରେ ଯାହା ପ୍ରେମରେ ସେ ହସୁଥିଲା, ଭିଜୁଥିଲା, ଗାଉଥିଲା, ନାଚୁଥିଲା ଆଉ ବଞ୍ଚୁଥିଲା ସେଇ ମନର ମଣିଷ ଆଜି ତାକୁ ପ୍ରେମର ଗୋଲାପ ବନରେ ହାତ ସହ ହାତ ମିଶାଇ ବୁଲାଇ ନେବାର ଅଧିକାର ମାଗି ବସିଥିଲେ । କେମିତି ଆଉ କାହିଁକି ଯେ ସ୍ମୃତି ମନା କରିଥାନ୍ତା ? ସଙ୍ଗେ ସଙ୍ଗେ ହଁ ଟିଏ ମାରିଦେଇ ଲାଜରେ ସରମି ଲତା ପରି ଝାଉଁଳି ଯାଉଥିଲା । ଆଉ ସୁମନ କୋଳେଇ ନେବାର ପ୍ରୟାସ କରୁଥିଲେ । ଦୁହିଁଙ୍କର ଏଇ ପ୍ରେମମୟ ମୁହୂର୍ତ୍ତକୁ ଅଧିକ ସ୍ମରଣୀୟ କରିବା ପାଇଁ ବର୍ଷା ଖୁବ ଆନନ୍ଦରେ ଝରି ଆସୁଥିଲା ଆକାଶ ବୁକୁରୁ ଯେମିତି ବରଷି ଯାଇଥିଲା ସେଦିନ ଦୁହିଁଙ୍କର ପ୍ରଥମ ଦେଖାରେ ।

ସେ ଦିନର ସ୍ମୃତି ହୁଏତ ତାଜା ହୋଇଉଠୁଥିଲା ଦୁହିଙ୍କ ଭିତରେ । ସେଦିନ କଲେଜରୁ ପରୀକ୍ଷା ଦେଇ ଖୁବ ଖୁସି ମନରେ ରାଜଧାନୀର ଓସାରିଆ ସଡକର ପାଦଚଲା ରାସ୍ତାରେ ଚାଲୁଥିଲା ସ୍ମୃତି । କଲେଜଠାରୁ ତାଙ୍କ ଘରଟି ମାତ୍ର ୨ କିମି । ସ୍ମୃତି ଏମିତି ଚାଲି ଚାଲି ଯିବ ଆସିବା କରେ । ହଟାତ୍ କୋଉଠି ଥିଲା କେଜାଣି ଏ ଅମାନିଆ ଶ୍ରାବଣର ଧାରା । ନିଜକୁ ବର୍ଷା ଧାରାରେ ଭିଜାଇ ଦେବାକୁ ଇଚ୍ଛା ଥିଲେ ବି ମାଆଙ୍କ ଡରରେ ସ୍ମୃତି ରାସ୍ତା କଡର ଏକ ଦୋକାନର ପ୍ରଶସ୍ତ ଟିଣ ଚାଦର ଆଚ୍ଛାଦିତ ବାରଣ୍ଡା ତଳେ ଆଶ୍ରୟ ନେଇଥିଲା । ନିଜ ବିରାଟ ଉପହାର ଦୋକାନର ଦାମୀ ଚେୟାରରେ ବସି ବସି ବର୍ଷାର ଏଇ ମୁହୂର୍ତ୍ତକୁ ଉପଭୋଗ କରୁଥିଲେ ସୁମନ । ଝିଅଟିକୁ ଦେଖି ସୌଜନ୍ୟ ବଶତଃ ଚେୟାରଟିଏ ଦେଇ ଭିତରକୁ ଆସି ବସିବା ପାଇଁ କହିଥିଲେ । ସ୍ମୃତି ପ୍ରଥମେ ଶଙ୍କୋଚ ଅନୁଭବ କରିଥିଲା କିନ୍ତୁ ସୁମନର ସରଳ, ଭଦ୍ର ଦୁଇପଦ କଥା ତାକୁ ଭଲ ଲାଗିଲା । ତେଣୁ ବର୍ଷା ଛାଡିବା ପାଇଁ ଅପେକ୍ଷା କରିଲା ସେଠାରେ ବସି ।


ସନ୍ଧ୍ୟା ସମୟ ପାଖେଇ ଆସିଲାଣି କିନ୍ତୁ ଏ ଅମାନିଆ ବର୍ଷା କାହିଁକି କେଜାଣି ଥମିବାର ନାଁ ନେଉନଥାଏ । ସ୍ମୃତି ମୁହଁରେ ଚିନ୍ତାର ଝଲକ । ସୁମନ ପ୍ରଶ୍ନ କଲେ ଆପଣ କୁଆଡେ ଯିବେ କି ମ୍ୟାଡାମ୍ ?

ଏଇଠାରୁ କିଛି ଦୂରରେ ଆମ ଘର । ସେଠାକୁ ଯିବି । କହିଉଠିଲେ ସ୍ମୃତି ।

ତେବେ ଆପଣ କଣ ପ୍ରତିଦିନ ଚାଲି ଚାଲି କଲେଜ ଆସନ୍ତି ?

ହଁ ଭରିଲେ ସ୍ମୃତି ।

କିନ୍ତୁ !

ସ୍ମୃତି ସୁମନଙ୍କ ମନର ଦ୍ବନ୍ଦ୍ୱ ବୁଝିପାରିଲେ ।

କହିଲେ, ମୋତେ ଚାଲିବାକୁ ଭଲ ଲାଗେ । ଆଜିକାଲି ବ୍ୟସ୍ତ ବହୁଳ ଆଉ ସୌଖିନ ଜୀବନରେ ମଣିଷ ଚାଲିବା ଛାଡ଼ି ଦେଇଛି । ତେଣୁ କଲେଜ ତ ନିକଟରେ ତେଣୁ ଚାଲି ଚାଲି ଆସିଯାଏ । କେବେକେବେ ଅଟୋ କିମ୍ବା ବସରେ ଆସିଯାଏ । ଆଜି କିନ୍ତୁ ବର୍ଷାଟା ..। ଏତିକି କହୁ କହୁ ସୁମନ କହିଲେ ମ୍ୟାଡାମ । ଆପଣଙ୍କ ଚିନ୍ତାଧାରା ମୋତେ ବହୁତ ଭଲ ଲାଗିଲା । ଏଇ ଛତାଟି ନେଇ ଯାଆନ୍ତୁ । ଆଗରେ ଅଟୋ ଦେଖି ଚାଲିଯିବେ ।ଏତେ ଭଦ୍ର ବ୍ୟବହାର ଜଣେ ଯୁବକ ଠାରୁ ପାଇଁ ସ୍ମୃତି ଖୁସି ଅନୁଭବ କରୁଥିଲା ।

ପରଦିନ ଛତା ଫେରାଇବା ପାଇଁ ଆସିବା ସମୟରେ ସୁମନ ସ୍ମିତହାସ୍ୟରେ ସ୍ୱାଗତ ଜଣାଇଲେ । ଯେହେତୁ ପୂର୍ବଦିନର ସାମାନ୍ୟ ଚିହ୍ନା ପରିଚୟ ତେଣୁ ଚା ଯାଚିଲେ । ସ୍ମୃତି ନାହିଁ କରିପାରିଲା ନାହିଁ ।

ଏମିତି କଥାବାର୍ତ୍ତା ଭିତରେ ସ୍ମୃତି ପଚାରିଥିଲା ଆପଣ କ’ଣ ଏହିଠାର ବାସିନ୍ଦା ?


ହଁ ମୋ ବାବା ଜଣେ ସରକାରୀ କର୍ମଚାରୀ । +୩ ସରିବା ପରେ ମୁଁ ନିଜ ସ୍ବାଧୀନତାରେ କିଛି କରିବାକୁ ଚାହୁଁଥିଲି । ତେଣୁ ଏଇ ଦୋକାନଟି ମୋର ସାମାନ୍ୟ ରୋଜଗାର ପନ୍ଥା ।

ଆଜିକାଲି ଯୁଗରେ ନିଜ ସ୍ୱାଧୀନତାକୁ ବଳି ନଦେଇ ଏତେ ଆତ୍ମସନ୍ତୋଷ ଲାଭ କରିପାରୁଥିବା ସୁମନଙ୍କ ପରି ଯୁବକଙ୍କ ପାଇଁ ଖୁସି ଅନୁଭବ କରୁଥିଲା ସ୍ମୃତି । ଏହା ପରଠୁ ଦୁହିଙ୍କ ବନ୍ଧୁତା ଦୃଢ଼ ହେଇଚି । ସୁମନଙ୍କ ବ୍ୟକ୍ତିତ୍ୱ, ବ୍ୟବହାର, ସରଳ ଚାଲିଚଳନ ପାଗଳ କରିଦେଇଛି ସ୍ମୃତିକୁ । ପ୍ରତି ମୁହୂର୍ତ୍ତରେ ସୁମନଙ୍କ କଣ୍ଠସ୍ୱର ଶୁଣିବାକୁ ଇଚ୍ଛା କରେ ସ୍ମୃତି । ଆଉ ସୁମନ ବି ଟିକିଏ ଫାଙ୍କା ସମୟ ପାଇଲେ ଗପି ଚାଲନ୍ତି । ଦୁହେଁ ଦୁହିଙ୍କ ମନରେ ଘର କରିସାରିଥିଲେ ବି କେହି କାହାକୁ କେବେ କୁହନ୍ତି ନାହିଁ । ସମାଜ ରୀତିନୀତି, ଭବିଷ୍ୟତର ସ୍ୱପ୍ନ,ବର୍ତ୍ତମାନର ସମୟକୁ ନେଇ ଅନେକ କଥାବାର୍ତ୍ତା ହୁଅନ୍ତି ।

କିନ୍ତୁ ଏଇ ଦୁଇଦିନ ତଳେ ସ୍ମୃତି ତାହାର ଥର ଥର କଣ୍ଠରେ ଯେତେବେଳେ ନିଜ ବାହାଘର ପାଇଁ ପୁଅ ଘର ଆସନ୍ତା କାଲି ଆସୁଛନ୍ତି ଶୁଣି ସୁମନ ତ କିଛି କ୍ଷଣ ଚୁପ୍ ରହିଯାଇଥିଲେ । ନୀରବରେ ସେ ବି ତ ସ୍ମୃତି ପାଇଁ ହୃଦୟରେ ଅଜସ୍ର ପ୍ରେମ ସାଇତି ଦେଇଛନ୍ତି । କଣ କହିବେ ବୁଝିପାରୁ ନଥିଲେ । ନିଜ ଦୁଃଖକୁ ଚାପି ସ୍ମୃତିଙ୍କୁ ଦେଖା କରିବା ପାଇଁ ଚାହିଁଥିଲେ । ସ୍ମୃତି ବି ଦୌଡ଼ି ଆସିଥିଲା ଆଜି ।

ଆଉ ସୁମନ ଆଉ ସ୍ମୃତିଙ୍କର ଏଇ ନୀରବ ପ୍ରେମ ଯେତେବେଳେ ବନ୍ଧବାଡ଼ ଡେଇଁ ମନ, ହୃଦୟ,ଆଖି ଡେଇଁ ଓଠ ପର୍ଯ୍ୟନ୍ତ ଆସିପାରିଛି ବର୍ଷା ବା କେମିତି ଚୁପ ରହିଥାନ୍ତା ଯେ ?


ସେଦିନ ଦୁହିଙ୍କର ମିଳନର କାହାଣୀ ରଚିଥିବା ବର୍ଷା ଆଜି ଦୁହିଁଙ୍କର ପ୍ରେମର ସାକ୍ଷୀ ହେଇ ଖୁସିରେ ରିମ୍ ଝିମ୍ ସୁରରେ ନାଚୁଛି । ସ୍ମୃତି ଆଉ ସୁମନଙ୍କ ନୀରବ ପ୍ରେମର ମହମହ ବାସ୍ନା ଖେଳିଯାଉଛି ପୃଥିବୀ ବକ୍ଷରେ । ଆଉ ସମୟଟା କିଛି କ୍ଷଣ ପାଇଁ ଅଟକି ଯାଉଥିଲା ସେମାନଙ୍କ ଏଇ ସୁନ୍ଦର ମୁହୂର୍ତ୍ତକୁ ଦେଖିବା ପାଇଁ । 


Rate this content
Log in

Similar oriya story from Romance