ନୀଳ ଆଖି
ନୀଳ ଆଖି
ତାମିଲନାଡୁର ଗୋଟିଏ ଘରୋଇ କମ୍ପାନୀର ଚାକିରୀ କରି ପ୍ରତି ମାସରେ ଘରକୁ କିଛି କିଛି ଟଙ୍କା ଦେଉଥିଲି।କିନ୍ତୁ ବାପା ଯେବେ ଏ କରୋନା ବିଷୟରେ ଜାଣିଲେ ତୁରନ୍ତ ଫୋନ କରି କହିଲେ।କିରେ ସୁମନ ତୋ ବୋଉ ଏଠି ଖାଲି କାନ୍ଦୁଚି କେବେ ତୁ ଆସିବୁ ?ଆଉ ଗାଁ ଠାକୁରଙ୍କ ପାଖରେ ନଡ଼ିଆ ବି ସହିଲାଣି ମୋ ସୁମନ ଭଲ ଭଲରେ ଘରକୁ ଫେରିଆସୁ।ତୋ ବୋଉ ପୁରା ପାଗଳି ପରି ହେଲାଣି ରେ ତୁ ଶୀଘ୍ର ପଳିଆସେ।ମୁଁ ବାପାଙ୍କୁ ବହୁତ ବୁଝେଇଲି ।ବାପା, ମୁଁ ସେଠାରେ ଗଲେ କଣ କରିବି?ତୁମେ ଜମାରୁ ବ୍ୟସ୍ତ ହୁଅନି ମୁଁ ଏଠି ବହୁତ ଭଲରେ ଅଛି।କମ୍ପାନୀ ଖାଇବା ପିଇବା ସବୁ ସୁଵିଧା କରିଛି।କିନ୍ତୁ ବାପା ତାଙ୍କ ଜିଦରେ ପାହାଡ଼ ଭଳି ଅଟଳ ମେରୁ। ବାପାଙ୍କ ସେହି ସ୍ନେହ ଭରା ଗାଳି, ରାଗ, ଅଭିମାନରେ ମୁଁ ବାଧ୍ୟ ହୋଇ ଘରକୁ ଫେରିବାକୁ ଅନ ଲାଇନ ରେଜିଷ୍ଟ୍ରେସନ କଲି।
କିନ୍ତୁ ଘରକୁ ଆସିବାକୁ ମୋର ଆଦୌ ଇଛା ନଥିଲା।ଘରର ବଡ ପୁଅ ହିସାବରେ ବହୁତ ଦାୟିତ୍ୱ ମୋର କାନ୍ଧ ଉପରେ ଥିଲା।କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯୋଗୁଁ ମୁଁ ବାପାଙ୍କ କଥାରେ ହଁ ଭରିଲି।ରେଜିଷ୍ଟ୍ରେସନ କଲି ଓ ସଙ୍ଗେ ସଙ୍ଗେ ମେସଜ ବି ଆସିଗଲା।ବାପାଙ୍କୁ ଫୋନ କରି ଜଣେଇ ଦେଲି ମୁଁ ଗାଁକୁ ଆସୁଛି।ସେଦିନ ବାପାଙ୍କ ହାତରୁ ଫୋନ ଛଡେଇ ନେଇ ବୋଉ କେତେ କଣ କହି ପକେଇଲା।ସେଦିନ ବୁଝିଲି ମାର ମମତା।ସବୁବେଳେ ଗାଳି ଦେଉଥିବା ମାଆ ଆଜି କେତେ ଅଧିର ହୋଉଛି।
ସେ ଯାହା ହଉ ବେଗ ପ୍ୟାକ କଲି ଷ୍ଟେସନ ବାହାରି ପଡିଲି।ଷ୍ଟେସନରେ ପହଁଚି ଦେଖିଲି ଗାଁ ପାଖର ବି କେତେ ଜଣ ପିଲା ଅଛନ୍ତି।ଯାହା ହଉ ଜଣା ଶୁଣା ଲୋକ ଦେଖି ଖୁବ ଖୁସି ଲାଗିଲା।ତା ପର ଦିନ ଦିନ ୪ ରେ ଆମେ ଷ୍ଟେସନରେ ପହଁଚିଲୁ।ସମସ୍ତଙ୍କ ଥର୍ମାଲ ସ୍କନିଙ୍ଗ ପରେ ଆମକୁ ବସରେ ବସେଇଲେ। ଘରକୁ ମାଆକୁ ଫୋନ କରି ଜଣେଇଦେଲି ମୁଁ ଭଲ ଭାବରେ ପହଁଚି ଗଲି।
ଆମକୁ ବସରେ ବସେଇ ପାଖ ସ୍କୁଲରେ ନେଇ ଛାଡି ଦେଲେ।ସ୍କୁଲର ପହଁଚିଲା ବେଳକୁ ରାତି ୧୧ ବାଜି ସାରିଥିଲା।ସ୍କୁଲରେ ଥିବା ସାର କହିଲେ କାଲି ସକାଳେ ତୁମମାନଙ୍କର ସବୁ ରେଜିଷ୍ଟ୍ରେସନ ହବ।ଦିଦି ଆସିଲେ କରିବେ।ରାତିରେ ବଡ଼ ଶାନ୍ତିରେ ନିଦ ଆସିଗଲା।ସକାଳୁ ସକାଳୁ ସବୁ ନିତ୍ୟ କର୍ମ ସାରି ସମସ୍ତେ ରେଜିଷ୍ଟ୍ରେସନ ପାଇଁ ଲାଇନ ରେ ଥିଲା।ମୁଁ ଟିକେ ଅଳସୁଆଟା ମୁଁ କାମ ସାରି ଆସି ଦେଖିଲି ଜଣେ ମେମ ଆସି ଜଣକ ପରେ ଜଣଙ୍କ ସବୁ ଠିକଣା ପଚାରୁଥିଲେ।ମେମଙ୍କ ଆଖି ଉପରେ ମୋର ନଜର ପଡିଲା କି ସୁନ୍ଦର ଆଖି।ଚେହେରା ଦେଖି ନଥିଲି। ହାତରେ ଗ୍ଲୋବସ,ମୁହଁରେ ମାସ୍କ ,ଆଉ ତା ସହିତ ଫ୍ରେମଲେସ ଚଷମା ଭିତରେ ଥିବା ନୀଳ ନୀଳ ଦୁଇଟି ଆଖି । ଆଖିରେ ଲାଗିଥିବା କଳା ଆଖିର ସୁନ୍ଦରତାକୁ ଦ୍ଵି ଗୁଣିତ କରିଦେଉଥିଲା। ସେହି ଆଖି ଦୁଇଟିରୁ ମୋ ନଜର ହିଁ ହଟୁ ନଥିଲା।ହଠାତ ଜଣେ ପିଲା ମତେ ହଲାଇ କହିଲା ଆରେ ତତେ ସୁବୁନୁକି ? ମେମ ତୋର ଠିକଣା ପଚାରୁଚନ୍ତି।ଭାବନା ରାଇଜରୁ ଫେରି ଆସିଲି।
ସେ ଦିନ ଠାରୁ କାହିଁକି କେଜାଣି ମତେ ଶୋଇଲେ, ବସିଲେ ,ଉଠିଲେ ସେହି ଆଖି ଦିଟା ହିଁ ଦେଖା ଯାଉଥିଲା।ଦିନକୁ ଥରଟିଏ ଆସନ୍ତି ସେ ମେମ ଆଉ ମୁଁ ଠିକ ସେହି ସମୟକୁ ଜଗି ଥାଏ କେବେ ମେମ ଆସିବେ ଆଉ ସେହି ସମୁଦ୍ରର ନୀଳ ଢେଉ ଭଳି ଆଖି ଦୁଇଟିକୁ ଟିକେ ଦେଖିବି।କେଜାଣି କଣ ଯାଦୁ ଥିଲା ସେହି ଆଖି ଦିଟାରେ?
ଆଜି ମୁଁ ଘରେ ଅଛି। ତଥାପି ଇଛା ହଉଚି ଆଉ ଥରେ ସେହି କ୍ୱାରେଣ୍ଟାଇନ କୁ ଯାଇ ଆଖି ଦୁଇଟାକୁ ଦେଖିବାକୁ।ମେମଙ୍କର ଚେହେରା ତ ଦେଖି ପାରିନଥିଲି କିନ୍ତୁ ସେହି ଆଖି ଦିଟା ଆଜି ବି ମନ ଭିତରେ ନାଚି ଉଠୁଛି।।