suchitra pradhan

Inspirational

3  

suchitra pradhan

Inspirational

ଦିଦି ମାଆ

ଦିଦି ମାଆ

5 mins
337


ଜଣେ ଝିଅର ପର୍ସରେ ନିଜ ବାପା, ମାଆ କିମ୍ବା ଭାଇ, ଭଉଣୀ ଫୋଟୋ ତ ସମସ୍ତେ ଦେଖିଥିବେ କିନ୍ତୁ ମୋ ପର୍ସରେ ଥିଲା କିଛି ଭିନ୍ନତା l ଏମାନଙ୍କ ଭିତରୁ କାହାର ବି ଫୋଟୋ ମୋ ପାଖରେ ନଥିଲା l ସତରେ ମୋ ପର୍ସ ଦେଖି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏ ଫୋଟୋଟି କାହାର ? ସବୁ ପ୍ରଶ୍ନର ଗୋଟିଏ ଉତ୍ତର ଥିଲା ମୋର ମୁହଁରେ ଥିବା ସେହି ହସ l ମୋର କ୍ୱାର୍ଟର୍ସରେ ହେଉ କିମ୍ବା ଅଫିସ ଚାମ୍ବର ସେହି ଫୋଟୋ l ନୂଆ ନୂଆ ମୋର ଟ୍ରାନ୍ସଫର ହୋଇ ଏଠିକି ଆସିଥିଲି l ସରକାରୀ ଚାକିରୀରେ ତା ପୁଣି ପୋଲିସର ଥ୍ରୀ ଷ୍ଟାର ଏନକାଉଣ୍ଟର ସ୍ପେଶାଲିଷ୍ଟ ଅଫିସର୍, ପ୍ରତି ବର୍ଷେ କି ଦି ବର୍ଷେ ଭିତରେ ହଵା ସୁନିଶ୍ଚିତ l ଆଜିର ଦୁନିଆରେ ସତ କହିବା ଓ ସଚ୍ଚୋଟ ହେବା ସତେ ଯେମିତି ଗୋଟେ ବଡ ଅପରାଧ l ତା ଠାରୁ ବଡ଼ ଅପରାଧ ମୋ ଭିତରେ ଥିବା ନ୍ୟାୟ ଭାବନା l ବୋଧହୁଏ ଏଥିପାଇଁ ମୋର ଟ୍ରାନ୍ସଫର ସୁନିଶ୍ଚିତ l କିନ୍ତୁ ଏ ସବୁ ଭିତରେ ମୋ ସହ ଥାଆନ୍ତି କମଳା ମାଉସୀ l ମୋ ପାଖେ ଆଖେ ସବୁବେଳେ l ଏତେ ବୟସରେ ବି କେବେ ମୁଁ ତାଙ୍କ ମୁହଁରେ କିଛି କିଛି ବିରକ୍ତିର ଭାବନା ଦେଖିନି l ସତେ ଯେମିତି ମୁଁ ତାଙ୍କ ନିଜ ଝିଅ l ସେ ଦିନ ନୂଆ ନୂଆ ଅଫିସରେ ଜଏନ ହବାର ଥିଲା l ଡ୍ରାଇଭର ଆସି ମତେ ଅଫିସରେ ଛାଡି ଦେଇଥିଲା l କିନ୍ତୁ ମୁଁ ମୋର ସବୁଠାରୁ ବଡ ଜିନିଷ ଆଣିବା ଭୁଲି ଯାଇଥିଲି l କେମିତି ଭୁଲିବି ସେହି ମଣିଷକୁ ? ଏତେ ବଡ଼ ଭୁଲ କେମିତି ହେଲା ? ସଙ୍ଗେ ସଙ୍ଗେ ଡ୍ରାଇଭରକୁ ପଠାଇ ଫୋଟୋଟି ଆଣିଲି l ଏହି ସମୟରେ ଚାମ୍ବର ଭିତରକୁ ପସି ଆସିଥିଲେ ସମ୍ବିତ l ସମ୍ବିତକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହଉଥିଲି l ମନେ ମନେ କମଳା ମାଉସୀକୁ ଗାଳି ଦେଉଥିଲି l ମୁଁ ଜାଣିଛି କମଳା ମାଉସୀ ହିଁ ଠିକଣା ଦେଇଥିବେ l କାରଣ ଏ କମଳା ମାଉସୀ ହିଁ ସମ୍ବିତ ସହ ମୋ ବାହାଘର ପ୍ରସ୍ତାବ ପକେଇଚି l ମୋ ହାତରେ ଫୋଟୋକୁ ଦେଖି ବହୁତ ରିକ୍ୱେଷ୍ଟ କରିଥିଲେ l ଫୋଟୋଟି କାହାର ମତେ କୁହ l ମୁଁ କହିଥିଲି ଦିଦି ମାଆ l ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏ ଦିଦି ମାଆ କିଏ ? ସମ୍ବିତର ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପୁଣି ଚାଲି ଯାଇଥିଲି ମୋ ଅତୀତକୁ l 


  ଆଜି ବି ମନେ ଅଛି ସେ ଦିନର କଥା l ସେ ମୋ ପାଇଁ ପରଶମଣି ଥିଲେ l ମୋ ପରି କୋଇଲା ତାଙ୍କ ସ୍ପର୍ଶରେ ଆସି ସୁନା ପାଲଟି ଯାଇଥିଲା l ମାଆ ଚାଲିଯିବା ପରେ ମୋର ପାଠରେ ଡୋରି ବାନ୍ଧିହୋଇଗଲା l ସବୁଦିନ ସ୍କୁଲ ଗେଟ ପାଖରେ ଠିଆ ହୋଇ ଭାବନା ରାଇଜରେ ହଜି ଯାଉଥିଲି l କଣ ଦୋଷ କରିଥିଲି ସବୁ ପିଲା ପରି ମୋର ବି ପଢ଼ିବାର ଇଚ୍ଛା ଥିଲା l କିନ୍ତୁ କାହିଁକି କେଜାଣି ପାଠ ମୋ ଭାଗ୍ୟରେ ନଥିଲା l ବୋଝ ଉପରେ ଲଳିତା ବିଡା ପରି ଗରିବ ଘରେ ତ ଜନ୍ମ ନେଇଥିଲି ତା ସହ ଅଛୁଆଁ ଜାତିରେ l ମାଆ ଥିଲେ ସବୁଦିନେ ଆସି ମୋତେ ଆଣି ସ୍କୁଲରେ ଛାଡି ଦେଇ ଯାଉଥିଲା l ନୀତି କହେ ଏ ସୁମି ଦେଖେ ମୁଁ ପାଠ ପଢିନି ବୋଲି କିଛି କରିପାରୁନି l ନହେଲେ ତୋ ବାପା ନିଇତି ମଦ ପିଇ ମୋତେ ଯେମିତି ବାଡ଼ିଆ ପିଟା କରୁଛି, ପାଠ ଦି ଅକ୍ଷର ପଢ଼ିଥିଲେ କୋଉଠି ହେଲେ କାମ ଖଣ୍ଡିଏ କରି ତୋତେ ଆରାମରେ ପାଠ ପଢାନ୍ତି l ମୂର୍ଖ ବୋଲି ସବୁ ଛାତି ପାତି ସହି ଯାଉଛି ଲୋ l ସୁମି କେବଳ ତୋରି ପାଇଁ ତୁ ଭଲ ପାଠ ପଢି ବଡ଼ ପୋଲିସି ଅଫିସର ହେବୁ l ତୋ ବାପା ପରି ଯିଏ ଏମିତି ମାର ପିଟା କରୁଥିବା ତାକୁ ଜମା ଛାଡ଼ିବୁନି l ମାଆ କଥା ଶୁଣି ମୁଁ ହଁ ଭରେ l 


 ବୋଧହୁଏ ମୋ ଖୁସିରେ ଗ୍ରହଣ ଲାଗିଯାଇଥିଲା l ହଠାତ ମାଆ ଆର ପାରିକୁ ଚାଲିଗଲା l ବାପା ପୁଣି ବାହା ହେଲେ ଘରକୁ ମାଆ ତ ଆସିଲେ କିନ୍ତୁ କାହିଁକି କେଜାଣି ମୋ ମାଆ ପରି ସେ ବିଲକୁଲ ନଥିଲେ l ମାଆ ନ ଖାଇଲେ ଗାଳି ଦେଉଥିଲା l କିନ୍ତୁ ଏ ମାଆ କେବେ ବି ଭଲରେ ଖାଇବକୁ ବି ଡାକନ୍ତିନି l ଦୁଃଖ କହିବି ତ କାହାକୁ କହିବି ? ବାପା ତ ଦିନ ରାତି ମଦ ନିଶାରେ ବୁଡି ରହୁଥିଲେ l ନୂଆ ମାଆ ଆସିବା ଦିନଠୁ ମୋର ସ୍କୁଲ ଯିବା ବନ୍ଦ ହେଇଗଲା l ନୂଆ ମାଆ କେବେ ବି ମୋତେ ସ୍କୁଲ ପଠାନ୍ତିନି l ସବୁବେଳେ ଘର କାମ କରେ,ନଦୀରୁ ପାଣି ଆଣେ l ଏ ସବୁ କାମରେ ଦିନ ଚାଲିଯାଉଥିଲା l 


ସବୁଦିନେ ନଈକୁ ପାଣି ଆଣି ଗଲା ବେଳେ ସ୍କୁଲ ଗେଟ ପାଖରେ ପାଦ ଦିଟା ଆପେ ଆପେ ଅଟକି ଯାଏ l ଏମିତି ଲାଗେ ସତେ ଯେମିତି ମୋ ଗୋଡ଼ ଦିଟାକୁ କୌଣସି ଅଜଣା ଅଦୃଶ୍ୟ ଶକ୍ତି ବାନ୍ଧି ରଖିଛି l ମୋର ଘର କାମରେ ମୋଟେ ମନ ଲାଗେନି ସବୁବେଳେ ଇଚ୍ଛା ହୁଏ ସ୍କୁଲ ଯାଇ ପାଠ ପଢିବାକୁ l ସବୁଦିନ ପରି ସେ ଦିନ ବି ମୁଁ ସ୍କୁଲ ଗେଟ ପାଖରେ କିଛି ସମୟ ଅଟକି ଯାଇଥିଲି l ଯେବେ ଦିଦିଙ୍କ ନଜର ପଡିଲା ମୁଁ ଦୌଡ଼ି ଆସିବାକୁ ଚେଷ୍ଟା କରୁଥିଲା ବେଳେ ମୁଁ ଝୁଣ୍ଟି ପଡିଲି l ଆଉ ଦୌଡିବି କଣ ? ଆଣ୍ଠୁରୁ ରକ୍ତ ଧାର ଧାର ହୋଇ ବହି ଚାଲୁଥିଲା l ଦିଦି ମୋ ପାଖକୁ ଆସି ମୋ ଘାଆରେ ଔଷଧ ଲଗେଇ ଧଳା କପଡା ବାନ୍ଧି ଦେଲେ l ସେ ଦିନ ଲାଗୁଥିଲା ସତେ ଯେମିତି ସେ ଦିଦି ନୁହଁନ୍ତି ମୋ ମାଆ l ମାଆ ଗଲାପରେ ପ୍ରଥମ ଥର ପାଇଁ ମୋତେ କିଏ ଏମିତି ସ୍ନେହ କରୁଛି l ଦିଦିଙ୍କ ଆଖି ଦୁଇଟି କିଛି ପ୍ରଶ୍ନ ପଚାରୁଥିଲେ l ସୁମି ତୁ ପରା ମୋତେ ଶପଥ କରି କହିଥିଲୁ ପାଠ ପଢି ପୋଲସି ହେବୁ କଣ ହେଲା ? ଏହି ସମୟରେ ମୋ ଆଖିରେ ଦି ଟୋପା ଲୁହ ଆସି ଯାଇଥିଲା l ଲୁହ ଦି ଟୋପା ପଡିବା ଆଗରୁ ଦିଦି ତାଙ୍କ ପଣତରେ ପୋଛିଦେଇଥିଲେ l ମୁଁ ସେ ଦିନ ଦିଦିଙ୍କ ପଣତରେ ମାଆର ବାସ୍ନା ପାଉଥିଲି l ମୋ ଠାରୁ ସବୁଶୁଣିଲା ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ l ସୁମି ପାଠ ପଢ଼ିବୁ ? ଦିଦିଙ୍କ କଥା ନ ସରୁଣୁ ମୁଁ ଦିଦିଙ୍କୁ ଜାବୁଡି ଧରି ହଁ କହିଲି l କିନ୍ତୁ ନୂଆ ମାଆ ? ଦିଦି କହିଲେ ସେ କଥା ଜମା ଚିନ୍ତା କରନା ଆଜିଠୁ ତୁ ମୋ ପାଖରେ ରହିବୁ l 


ମୁଁ ନିଜକୁ ବିଶ୍ୱାସ କରି ପାରୁନଥିଲି ସ୍ୱପ୍ନ ଦେଖୁଛି ନା ବାସ୍ତବରେ ଏ ସବୁ ହଉଚି l ବହୁତ ଖୁସିରେ ସେ ଦିନ ମୁଁ ଦିଦିଙ୍କ ଘରକୁ ଗଲି l ଦୁଆର ମୁହଁରେ ପାଦ ଦେଇଛି କି ନାହିଁ ଜଣେ ବୁଢୀ ଲୋକ ଆସି ଦିଦିଙ୍କୁ କହିଲେ ସବୁ ମାରା କରିଦେଲୁ l ବ୍ରାହ୍ମଣ ଘରର ବୋହୁ ହୋଇ ଛୋଟ ଜାତିର ଝିଅକୁ ନେଇ ମୋ ଦୁଆର ମୁହଁରେ କେମିତି ଠିଆ ହୋଇଛି l ତତେ ଲଜ୍ଜା ଲାଗୁନି l ଦିଦି କହୁଥାନ୍ତି ନାହିଁ ବୋଉ ମୋ କଥା ଟିକେ ଶୁଣ l କିନ୍ତୁ ସେ ଦିନ ଦିଦିଙ୍କ କଥା ଶୁଣିବାକୁ କିଏ ବିରାଜି ନଥିଲେ l ଦିଦି କହୁଥିଲେ ମୋତେ ସେ ଝିଅ କରିଛନ୍ତି ପୁଣି ଜାତି କଣ ? କିନ୍ତୁ ସେ ବୁଢ଼ୀ ଲୋକ ଦିଦିଙ୍କୁ ବହୁତ ଗାଳି ଦେଉଥିଲେ l ମୁଁ ଠିକ୍ ବୁଝିପାରୁଥିଲି ଏ ସବୁ ମୋରି ପାଇଁ ହଉଛି l ମାଆକୁ ତ ହାରିଥିଲି ଏବେ ମୋ ପାଇଁ ଦିଦିଙ୍କୁ ଏ ସବୁ ଶୁଣିବାକୁ ପଡୁଚି l ସେ କିଛି ଦୋଷ ନ କରି ବି ଦୋଷୀ ପରି ସବୁ ସହି ଯାଉଛନ୍ତି l ଦିଦିଙ୍କ ଆଗରେ ଦୁଇଟା କଥା ଥିଲା ପ୍ରଥମ ମୁଁ ଆଉ ଦ୍ୱିତୀୟ ଘର l ଦିଦି କିନ୍ତୁ ମୋତେ ବାଛିଥିଲେ l ଘର ଛାଡ଼ି ଚାଲି ଆସିଥିଲେ l ଘର ମାନେ ଶାଶୁ, ଶଶୁର ଓ ନଣନ୍ଦ l ସ୍ଵାମୀ ବହୁତ ଆଗରୁ ଆରପାରିକୁ ଚାଲି ଯାଇଥିଲେ l ସେ ଦିନ ଠାରୁ ମୋର ଦୁନିଆ ଦିଦି ମାଆ l ରକ୍ତ ସମ୍ପର୍କ ନ ଥାଇବି ଆମେ ଦୁହେଁ ଦୁହିଁଙ୍କ ପାଇଁ ଜୀବନ ଥିଲୁ l 


ଦିଦିମାଆ କେବେ ବି କୌଣସି ଜିନିଷରେ ଅଭାବ କରି ନଥିଲେ l ଧୀରେ ଧୀରେ ମୁଁ ବି ବଡ଼ ହେବାରେ ଲାଗିଲି l କଲେଜ ସରିବା ପରେ ପୋଲିସ ପାଇଁ ଦିନ ରାତି ପଢ଼ାରେ ମନ ଦେଲି l l ରାତି ରାତି ଦିଦିମାଆ ଉଜାଗର ରହି ମୋ ପାଖରେ ଜଗି ବସନ୍ତି l କମଳା ମାଉସୀ ବିମତେ ବହୁତ ଭଲ ପାଆନ୍ତି l ମାଆ କେବେ କମଳା ମାଉସୀକୁ ଚାକରାଣୀ ବୋଲି ଭାବନ୍ତିନି l ଶେଷରେ ମୋର ସ୍ୱପ୍ନ ପୂରଣ ହେଲା l ସେଦିନ ମୋର ଚାକରି କଥା ଶୁଣି ଦିଦିମାଆ ବହୁତ ଖୁସି ଥିଲେ l ପ୍ରଥମ ଥର ପାଇଁ ସେଦିନ ଦିଦି ମାଙ୍କ ଆଖିରେ ଲୁହ ଥିଲା l ସବୁ କିଛି ଠିକ ଚାଲିଥିଲା l କିନ୍ତୁ ଦିନେ ଦିଦିମାଆ ଆମକୁ ଛାଡି ଚାଲିଗଲେ l ଜୀବନର ସବୁ କିଛି ଚାଲିଗଲା l ସେ ଦିନ ଚାରିଆଡେ ଅନ୍ଧାର ଦେଖା ଯାଉଥିଲା l ଧୀରେ ଧୀରେ ମୁଁ ନିଜକୁ ସମ୍ଭାଳି ଚାକରିରେ ଜଏନ କଲି l ସେ ଦିନଠୁ କମଳା ମାଉସୀ ହିଁ ସବୁ କିଛି ମୋର l 


ଦିଦିମାଆ ଥିଲେ ମୋର ସବୁକିଛି l ମୋର ଜୀବନ,ମୋର ପ୍ରଥମ ଗୁରୁ,ମୋର ମାର୍ଗଦର୍ଶୀ, ମୋ ମାଆ l ସବୁକିଛି ଆଜି କେବଳ ତାଙ୍କରି ପାଇଁ l ମୋ କଥା ଶୁଣି ସମ୍ବିତ ଆଖିରେ ବି ଲୁହ ଆସିଗଲା l ସେ ଦିନ ଠାରୁ ଆଜି ଯାଏଁ ଦିଦିମାଆଙ୍କ ଫୋଟୋ ମୋ ପର୍ସରେ l ଯାହାଙ୍କ ଚେହାର ନ ଦେଖିଲେ ମୋର ଦିନ ଆରମ୍ଭ ହୁଏନି l 



Rate this content
Log in

Similar oriya story from Inspirational