suchitra pradhan

Inspirational

3  

suchitra pradhan

Inspirational

ମାଷ୍ଟ୍ରେ ଗାଁ ଫେରିଲେନି !******

ମାଷ୍ଟ୍ରେ ଗାଁ ଫେରିଲେନି !******

4 mins
152


ରାଷ୍ଟ୍ରପତି ପଦକ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଘୁନାଥ ପ୍ରସାଦ ମହାନ୍ତି।ସେ ଜଣେ ଏମିତି ବ୍ୟକ୍ତିତ୍ଵ ଥିଲେ ଯେ ପିଲା ଠାରୁ ଆରମ୍ଭ କରି ବୁଢ଼ା ଯାଏଁ ସମସ୍ତଙ୍କ ମନରେ ତାଙ୍କ ପାଇଁ ଜାଗାଟିଏ ନିଶ୍ଚିତ ଭାବେ ଥାଏ। ରଘୁ ମାଷ୍ଟ୍ରେ ନାଁ ଶୁଣିଲେ ସମସ୍ତଙ୍କ ମୁଣ୍ଡ ସମ୍ମାନ ସହ ତଳକୁ ନଇଁ ଯାଏ । ରଘୁନାଥ ପ୍ରସାଦ ମହାନ୍ତି ନାଁ ଠାରୁ ରଘୁ ମାଷ୍ଟ୍ରେ ନାଁରେ ସେ ବେଶି ପରିଚିତ ଥିଲେ ନିଜ ଗାଁ ଠାରୁ ଆରମ୍ଭ କରି ସାରା ରାଜ୍ୟ ଯାଏ କାରଣ ସେ ଦେଖିବାକୁ ପୁରା ସାଧା ସିଧା ମଣିଷଟିଏ ,ଧାର୍ମିକ ଓ ପରୋପକାରୀ ବ୍ୟକ୍ତି ମଧ୍ୟ ଥିଲେ । ଚାଲି ଚଳନ କଥା ବାର୍ତ୍ତାରେ ସେ ଭାରି ଭଦ୍ର ଓ ନମ୍ର ଅଟନ୍ତି । ପାଦରେ ତାଙ୍କର ହାୱାଇ ଚପଲ ଥାଏ । ଧଳା ଧୂତି ସହ ବାର ଭାଙ୍ଗ ହୋଇଥିବା ସାର୍ଟଟିଏ ପିନ୍ଧିଥାନ୍ତି। ସ୍କୁଲ ଖୋଲିବା ପୂର୍ବରୁ ହିଁ ପ୍ରଥମେ ରଘୁ ସାର୍ ସାଇକେଲ ଆସି ପହଞ୍ଚି ଯାଇଥିବେ। କାରଣ ସେ ନିଜର କର୍ମ ଓ କର୍ତ୍ତବ୍ୟକୁ ଭଗବାନ ବୋଲି ମାନନ୍ତି । ଆଖ ପାଖ ଗାଆଁରେ କିଛି ବି ହେଲେ ପ୍ରଥମରେ ଖୋଜା ପଡେ ରଘୁସାର୍ । କାହା ଝିଅ ଟଙ୍କା ଅଭାବରୁ ଶାଶୁ ଘର ଯାଇ ପାରୁନି, କାହା ପୁଅ ଟଙ୍କା ଅଭାବରୁ ପାଠ ଛାଡି ଦେଉଛି। ତା ଛଡ଼ା ଝଗଡ଼ା ହେଉ କି ଗଣ୍ଡ ଗୋଳ ସବୁ ସ୍ଥାନରେ ସମାଧାନ ପାଇଁ ଲୋକ କେବଳ ରଘୁ ସାରଙ୍କୁ ଖୋଜନ୍ତି। ଏମିତି ଲାଗେ ତାଙ୍କ ବିନା କିଛି କାମ କରିବା ଅସମ୍ଭବ। କ'ଣ କଳା ନେଇ ସେ ଜନ୍ମ ଲାଭ କରିଥିଲେ କେଜାଣି ପରକୁ ଆପଣା କରିବାକୁ ତାଙ୍କୁ ଗୋଟେ ମୁହୂର୍ତ୍ତ ବି ଲାଗେନି। ମୁଖ ମଣ୍ଡଳରେ ଥିବା ସେହି ହସକୁ ଦେଖିଲେ କାନ୍ଦୁଥିବା ଲୋକ ବି ହସି ଦେବ। ସତରେ ବେଳେବେଳେ ଏମିତି ଲାଗେ ଯେମିତି ସ୍ୱୟଂ ପ୍ରଭୁ ରଘୁନାଥ ଧରା ପୃଷ୍ଠରେ ରଘୁ ସାରଙ୍କ ରୂପରେ ଜନ୍ମ ନେଇଛନ୍ତି।

ସବୁଦିନ ଭଳି ସେଦିନ ବି ରଘୁ ମାଷ୍ଟ୍ରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିଜର ନିତ୍ୟକ୍ରମ ସାରି ନିଜର ଘର ପଛପଟେ ଥିବା ସୁନ୍ଦର୍ ବଗିଚାରେ ଘେରାଏ ବୁଲିଆସନ୍ତି । ତାଙ୍କୁ ଦେଖିଲେ ଏମିତି ଲଗେ ସତେ ଯେମିତି ବଗିଚାରେ ଥିବା ସବୁ ଗଛ ରଘୁ ବାବୁଙ୍କ ପୁଅ, ଝିଅ ଭଳି। ସବୁ ଫୁଲ ଗଛ ଗୁଡ଼ିକୁ ହାତରେ ଧରି ଗେହ୍ଲ କରନ୍ତି ଓ କଣ ଗୁଣୁ ଗୁଣୁ ହୋଇ କଥା ବି ହୁଅନ୍ତି। ପଚାରିଲେ କହନ୍ତି ଗଛ ବି ମଣିଷ କଥା ବୁଝେ। ସତରେ ରଘୁନାଥ ବାବୁ ଆସି ଗାଧୁଆ ପାଧୁଆ କରି ଠାକୁର ଘରେ ଜଗତର ନାଥ ଜଗନ୍ନାଥଙ୍କ ଆଗରେ ଫୁଲ ଦୀପ ଦେଇ ପୂଜା ସାରି ଖବର କାଗଜ ଧରି ଚେୟାର ଉପରେ ବସି ଖବର କାଗଜ ଉପରେ ଆଖି ପକେଇଛନ୍ତି କି ନାହିଁ କିଛି ଗୋଟେ ଶଦ୍ଦ ତାଙ୍କ ମନକୁ ବିଚଳିତ କରି ପକେଇଲା। ଓଃ ଏ ତ ପୋଲିସ୍ ଗାଡ଼ିର ସାଇରନ ଜିପ୍ର ଶଦ୍ଦ। ତା ପୁଣି ମୋ ଘର ପାଖରେ ? ମନେ ମନେ ଭାବିଲେ କି ବୋଧେ ପୁଣି ଗାଆଁରେ କିଛି ଝଗଡା ହେଲା କି? କାହିଁ ମୋତେ ତ ଗାଆଁ ଲୋକେ କିଛି ଜଣେଇ ନାହାନ୍ତି। ଏମିତି କିଛି ଭାବିବା ଆଗରୁ ହିଁ ହଠାତ୍ ! ପୋଲିସ୍ ଜିପ୍ ସାଇରନ୍ ବଜାଇ ଘରର ଫାଟକ ଆଗରେ ଆସି ଛିଡା ହୋଇଗଲା । ଆଉ ସେ ଗାଡ଼ି ଭିତରୁ ଜଣେ ପରେ ଜଣେ ଆଠ ଦଶ ଜଣ ପୋଲିସ୍ ବାବୁ ଓହ୍ଲାଇ ପଡ଼ି ଗେଟ୍ ର ଫାଟକକୁ ଖୋଲିବାକୁ ଲାଗିଲେ । ଏହା ଦେଖି ରଘୁ ମାଷ୍ଟ୍ରେ କିଛି ବୁଝି ପାରୁ ନଥାନ୍ତି ! ଏତେ ସକାଳୁ ସକାଳୁ ହଠାତ୍ ଏତେ ଜଣ ପୋଲିସ୍ ତାଙ୍କ ଘରକୁ ଆସିଛନ୍ତି । କଥା କ'ଣ ! କ'ଣ ପାଇଁ ସେ ଆମ ଘରକୁ ଆସିଛନ୍ତି ସେ ପୁଣି ଏତେ ସକାଳୁ ସକାଳୁ ଏହା ମନରେ ଭାବି ଭାବି ବିଚଳିତ ହୋଇ ପଡ଼ିଲେ । ତଥାପି ! ମନରେ ଅନେକ ଗୁଡ଼ିଏ ଶଙ୍କା ଘାରୁଥାଏ । କଉଠି କିଛି ଅସୁବିଧା ହେଇ ଯାଇଛି କି ? ନହେଲେ ନିଜର ଏଇ ଷାଠିଏ ବର୍ଷର ଜୀବନ କାଳ ମଧ୍ୟରେ କେବେ ଥାନା ,କୋର୍ଟ କଚେରୀ ଯିବାକୁ ପଡ଼ିନି କି ପୋଲିସ୍ ଗାଡ଼ି କେବେ ତାଙ୍କ ଦୁଆର ମୁହଁରେ ଛିଡ଼ା ହେବାର ଦେଖି ନାହାନ୍ତି । ଏହା ଭାବୁ ଭାବୁ ପୋଲିସ୍ ବାବୁ ଗୁଡ଼ାକ ଫାଟକ ଖୋଲି ରଘୁ ମାଷ୍ଟ୍ରେ ଙ୍କ ଦୁଆର ମୁହଁ ରେ ଆସି ପହଁଚିଗଲେ । ଆଉ ଇନ୍ସପେକ୍ଟର ବାବୁ ଜଣଙ୍କ ରଘୁ ମାଷ୍ଟ୍ରେ ଙ୍କୁ ପଚାରିଲେ ଏଇଟା ରଘୁ ମାଷ୍ଟ୍ରେ ଙ୍କ ଘର !ଆଉ ଆପଣ ରଘୁ ମାଷ୍ଟ୍ରେ ନା । ପୋଲିସ ବାବୁଙ୍କ ଏ କଥା ଶୁଣି ଭାବନା ରାଇଜରୁ ଦୂରେଇ ଆସିଲେ ରଘୁ ମାଷ୍ଟ୍ରେ । ଆଉ ଧିର ସ୍ୱରରେ କହିଲେ ହଁ ମୁଁ ରଘୁମାଷ୍ଟ୍ରେ । କ'ଣ କିଛି ଅସୁବିଧା ହେଇଛି କି ବାବୁ ଏତେ ସକାଳୁ ସକାଳୁ ଆସି ଆମ ଘରେ ପହଞ୍ଚିଲେ । ପୋଲିସ ଅଧିକାରୀଙ୍କ ଭିତରୁ ଜଣେ କହିଲେ ଦେଖିବାକୁ ତ ଆପଣ ପୂରା ସାଧା ସିଧା ଲୋକ ତଥାପି ଆପଣଙ୍କ ନାଆଁରେ ଏମିତି କେସ୍ ହେଲା ? ଆପଣ କ'ଣ କହୁଛନ୍ତି କି କେସ ମୁଁ ତ କିଛି ଜାଣିନି। ଯାହା କହିବା କଥା ଦୟାକରି ମୋତେ ସିଧାସଳଖ କୁହନ୍ତୁ। ଆଜି ଯାଏଁ ଜେଲ୍ ପିଣ୍ଡାକୁ ଚଢ଼ି ନଥିବା ରଘୁ ମାଷ୍ଟ୍ରେ ନାଆଁରେ ପୁଣି କିଏ କେସ କରିଛି ?

ପୋଲିସ ବାବୁ ଜଣଙ୍କ ସାର ଙ୍କୁ କହିଲେ ସାର ଆପଣଙ୍କ ନାଁରେ ଆପଣଙ୍କ ସ୍କୁଲ ର ଜଣେ ଛାତ୍ରୀ ଏବଂ ତାଙ୍କ ଅଭିଭାବକ ଥାନା ରେ ଅଭିଯୋଗ କରିଛନ୍ତି ଯେ ଆପଣଙ୍କ ସ୍କୁଲର ଛାତ୍ରୀ ସହ ଅସଦାଚରଣ କରିଛନ୍ତି ! ପୋଲିସ୍ ବାବୁଙ୍କ କଥା ସରିଛି କି ନାହିଁ ସେପଟୁ କିଛି ଭାଙ୍ଗି ଯିବାର ଶବ୍ଦ ଶୁଣାଗଲା। ରଘୁ ବାବୁଙ୍କ ସ୍ତ୍ରୀଙ୍କ ହାତରୁ ଗରମ ଚାହା କପ୍ ତଳେ ପଡି ଭାଙ୍ଗି ଯାଇ ହାତ ଏବଂ ଗୋଡରେ ପଡି ଫୋଟକା ହୋଇଗଲା। ଏ କ'ଣ କହୁଛନ୍ତି ପୋଲିସ ବାବୁ ? ମୋ ସ୍ବାମୀ ସେମିତି କେବେ ବି କିଛି କରି ପାରିବେନି। କରିବା ତ ଦୂରର କଥା ସେ ଧାରଣା କେବେ ତାଙ୍କ ମନକୁ ବି ଆସିବନି। ତା ହେଲେ ଆମେ ସବୁ ମିଛ କହୁଛୁ ? ଆପଣ ହିଁ ସତ କହୁଛନ୍ତି ? ମୋର କହିବାର ମାନେ ଏୟା କି ?


କ୍ରମଶଃ......


Rate this content
Log in

Similar oriya story from Inspirational