PRANATI MAHAPATRA

Romance

2  

PRANATI MAHAPATRA

Romance

ନିଛକ ଭଲପାଇବା

ନିଛକ ଭଲପାଇବା

7 mins
331


ଅଜବ ଦୁନିଆଁ। ଦୁନିଆଁ ର ରଙ୍ଗ ଉପରକୁ ଯେତେ ସୁନ୍ଦର ଦେଖାଗଲେ ଭିତରଟା କାହିଁ କେଜାଣି ଭାରି ବିଚିତ୍ର ଲାଗେ। ଏଠି ରକ୍ତକୁ ରକ୍ତ ଟାଣେ ତ,ସମ୍ପର୍କର ରଜ୍ଜୁରେ କାଳେ ସଭିଏଁ ବନ୍ଧା। ପୋଥି ପୁରାଣ ହେଉ ଅବା କବି ଲେଖକଙ୍କ କାଗଜ ତିଆରି ବହିରେ ହେଉ, ସେସବୁ ବହୁତ ରଙ୍ଗୀନ ଦିଶେ। ବାସ୍ତବରେ ତାହା ସେମିତି ନୁହେଁ ବୋଲି ଆଜି ମର୍ମେ ମର୍ମେ କେହି କେହି ଅନୁଭବ କରନ୍ତି। ଯେମିତି ଅନୁଭବ କରୁଛି ରାମୁଲୁ। ନା ତାର ଜନ୍ମ ବୃତାନ୍ତ ସେ ଜାଣିଛି, ନା କେହି ତାର ସମ୍ପର୍କୀୟ ଅଛନ୍ତି, ନା ଘର ଅଛି, ନା ଏ ଦୁନିଆଁ ତାକୁ ଆପଣାର କରି ପାରୁଛି। ସବୁବେଳେ ସେ ତ୍ରିଶଙ୍କୁ ଅବସ୍ଥାରେ ରହୁଛି। କିଏ କିଏ କହନ୍ତି ସେ କୁଆଡ଼େ ଷ୍ଟେସନ ପାଖରେ ଥିବା ବଡ଼ ଅଳିଆ ଗଦାରେ ପଡିଥିଲା। କୁକୁର ମାନଙ୍କର କାମୁଡାକାମୁଡି ଶବ୍ଦରେ ସେ ଚିତ୍କାର କରୁଥିଲା, ତା ଚିତ୍କାର କେହି ଜଣେ ସହୃଦୟ ବ୍ୟକ୍ତି ଶୁଣି ପାରି ଅଳିଆଗଦାରୁ ଉଠେଇ ଆଣିଥିଲେ। ଆଉ ସେହି ଗ୍ରାମର ନରିଆ ସ୍ତ୍ରୀ ,ଯାହାର ବିବାହର ତିରିଶି ବର୍ଷ ହେଲା କୌଣସି ପିଲା ଛୁଆ ନ ଥିଲେ। ସେହି ନରିଆ ସ୍ତ୍ରୀ ଆଜି ବିଧବା। ସେ ପିଲାଟିକୁ ତା ଶେଷ ସମୟରେ ଆସରା ଭାବି କୋଳକୁ ଉଠେଇ ନେଇଥିଲା। ରାମୁଲୁର ପାଞ୍ଚ ବର୍ଷ ବେଳକୁ ସେ ମଧ୍ୟ ଚାଲିଗଲା। ୟା ତା ଦୟାରେ କିଛି ଦିନ ଚାଲିଗଲା। ବଡ଼ ହେଲା ଯେମିତି ଯା ଘରେ ଗୁହାଳ ଗୋବର କାମ କରେ,ତାଙ୍କ ଘରେ ଖାଇପିଇ ରାତି ଟା କଟେଇ ଦିଏ। ଏମିତି ଏମିତି ସମୟ ଯାଏ। ଗାଁ ର ଭୋଜିଭାତରେ, ବାହା ପୁଆଣିରେ ଆଗ ରାମୁଲୁକୁ ଖୋଜା ପଡେ। ଭାରୀ କାମିକା ପିଲାଟିଏ ବି ସେ। ସବୁଥିରେ ପାରଙ୍ଗମ। ହେବନି ବା କେମିତି। ଶୈଶବରୁ କାମ କରିଛି ପରା। ଖେଳକୁଦ ବେଳରେ ହାତରେ କୋଡି ପାଛିଆ ଧରି କାମ କରିଛି। ହଠାତ ଦିନେ ରାମୁଲୁକୁ ଖୋଜା ପଡିବାରୁ ରାମୁଲୁ ଗାଆଁରେ ନାହିଁ। ସମସ୍ତେ ଖୋଜିଲେ, କେହି ଆଉ ପାଇଲେ ନାହିଁ। କେହି ଜଣେ କହିଲା କି,କାଲି ସଞ୍ଜବେଳେ ଜଣେ ସହରୀ ବାବୁ ଆସିଥିଲେ ଗାଆଁକୁ। ତାଙ୍କ କାରଖାନାରେ କାମ କରିବାକୁ ଲୋକ ଦରକାର। ଆଉ ରାମୁଲୁ ଆଗଭର ହୋଇ ଇସ୍ପାତ ନଗରକୁ ବାବୁଙ୍କ ସାଙ୍ଗରେ ଚାଲିଗଲା।


        ଏଇଠୁ ଆରମ୍ଭ....

ବାବୁଘର ଛୁଆ ଭଳି ଦେଖା ହୁଏ ରାମୁଲୁ। ଗୋରା ତକତଟ ଦେହ। ଯୁବ ସୁଲଭ ଠାଣୀ। ବଳିଷ୍ଠ ବାହା। ଓସାରିଆ ଛାତି। ସତେ ଯେମିତି ରାଜକୁମାର। କାରଖାନାରେ କାମ ସାରି କାରଖାନାର ଲୋକ ମାନେ ରହିବା ପାଇଁ ହୋଇଥିବା ଘରେ ରୁହେ। ଛୁଟି ଦିନରେ ବାବୁଘର ବୋଲ ହାକ କରେ। କମ୍ ପାଠ ପଢିଛି ତ। ଅକ୍ଷର ଚିହ୍ନି ପାରିବା ସହ ହିସାବ ପତ୍ର କରି ପାରେ। ବଜାର ଯାଇ ସଉଦା ପତ୍ର ଆଣେ ବାବୁଘର ପାଇଁ। ବାବୁଘର ପୁଅ ଝିଅକୁ ସ୍କୁଲ କଲେଜ ନିଏ। ନିର୍ଲୋଭୀ ପିଲାଟିଏ। ଟଙ୍କା ପଇସା ପ୍ରତି ଲୋଭ ନ ଥାଏ। ବାବୁ ଯାହା ଟଙ୍କା ଦିଅନ୍ତି ସେ ଟଙ୍କା ଜମା କଲାଣି ବ୍ୟାଙ୍କ ରେ,ବାବୁଙ୍କ ଚିହ୍ନା ହିସାବରେ। ବାବୁ କହିଛନ୍ତି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବାକୁ।


ଏଣିକି କିଛି ଟଙ୍କା ପଇସା ସଞ୍ଚୟ କଲାଣି, ଘର ଟିଏ କରିବ। ବାବୁ କହିଛନ୍ତି ତାର ବାହାଘର କରିଦେବେ। ରେଖା ଭାରି ସୁନ୍ଦରୀ। ଟଣାଟଣା ଆଖି। ହଳଦୀ ରଙ୍ଗର ଶରୀର। ରାମୁଲୁ ର ବଳିଷ୍ଠ ଶରୀର ଉପରେ ତାର ଲୋଭ। ସବୁବେଳେ ବାବୁଘରେ ଦେଖାଦେଖି। ବାବୁଙ୍କ ଗାଡ଼ିରେ ବସେଇ କଲେଜ ନେଇ ଯିବା ଭିତରେ ଉଭୟେ ଉଭୟଙ୍କ ପ୍ରେମରେ ପଡିଯାନ୍ତି। ଅସୁବିଧା ଯେଉଁଠି କିଛି ନାହିଁ, ଖୁଲମଖୁଲା କଥାବାର୍ତ୍ତା, ଯିବା ଆସିବା। ବାଧାବିଘ୍ନ ତ ନାହିଁ। ଏଥର ଧୀରେ ଧୀରେ ପାର୍କ,ନଦୀକୂଳରେ ବସିବା, ଉଠିବା, ହୋଟେଲ ରେଷ୍ଟୁରାଣ୍ଟରେ ଖାଇବା, ସିନେମା ଯିବା ସବୁ ଖୁଲମଖୁଲା। ଦୁହେଁ ଦୁହିଁଙ୍କ ପାଇଁ ଏତେ ପାଗଳ ଯେ ଦଣ୍ଡେ ଘଡିଏ ଛାଡ଼ି ରହି ପାରୁ ନ ଥିଲେ। ରାମୁଲୁ ଏବେ ଏବେ ଗୋଟିଏ ସ୍ମାର୍ଟଫୋନ କିଣିଛି। ସବୁବେଳେ ସେହି ଫୋନରେ ରେଖା ସହ କଥା ହୁଏ। ରେଖା କଲେଜ ବାହାରିବା ସମୟ ହେଲେ ,କାରଖାନା ରେ ବାବୁଙ୍କୁ କହି ହାଜର ହୋଇ ଯାଏ ବାବୁଘରେ। ବାଃ,ରାମୁଲୁ ଭୁଲି ଯାଇଛି ଯେ ତାର ଅସ୍ଥିତ୍ଵକୁ।

ରାମୁଲୁ ରେଖାର ମିଳାମିଶା ବାବୁଆଣୀଙ୍କ ଆଖିରେ ଠିକ୍ ଲାଗେ ନାହିଁ। ଏକଥା ବାବୁଙ୍କ କାନରେ ଅନେକ ଥର ପକେଇ ଥିଲେ ବି ଅଣଦେଖା କରି ବାବୁ ଏଡେଇ ଦେଇଥାନ୍ତି।

ହଠାତ ଦିନେ ବାବୁ କୌଣସି କାମରେ ଦିନ ଦୁଇଟା ବେଳେ ବଜାର ଯାଇଥାନ୍ତି। କଲେଜ ଠାରୁ କିଛି ଦୂରରେ ଥିବା ଗୋଟିଏ ଆମ୍ବଗଛ ମୂଳରେ ବସିଥିବା ପ୍ରେମୀଯୁଗଳଙ୍କ ଉପରେ ଆଖି ପଡିଗଲା ତାଙ୍କର। ସେ ଗଛ ମୂଳରେ ରାମୁଲୁ ବସିଥିଲା ଓ ରେଖା ରାମୁଲୁ କୋଡ଼ରେ ଶୋଇଥିଲା। ଓଃ ,ନିଆଁବାଣ ସଦୃଶ ବାବୁ ରାଗି ଗଲେ। କିନ୍ତୁ କିଛି ନ ଦେଖିବାର ଅଭିନୟ କରି ସେଠାରୁ ପଳେଇ ଆସିଲେ।

କାରଖାନାରେ ପହଞ୍ଚି ରାମୁଲୁକୁ ବହୁତ ବାଡେଇଲେ। ସଚ୍ଚୋଟ ପ୍ରକୃତିର ରାମୁଲୁ କିଛି କହିଲା ନାହିଁ ସତ,ହେଲେ ସବୁ କିଛି ଅନୁମାନ କରିପାରିଲା। ସେଦିନ ଠାରୁ ଆଉ ତାଙ୍କ ଘରର କୌଣସି କାମ ପାଇଁ ରାମୁଲୁ କୁ ଘରକୁ ପଠେଇଲେ ନାହିଁ। ଦୁହିଁଙ୍କର ଦେଖାସାକ୍ଷାତ ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା। ରେଖାର ବି କଲେଜ ଯିବା ବି ବନ୍ଦ କରିଦେଲେ ତା ବାପା। ବାପା ନ ଥିବା ବେଳେ ରାମୁଲୁ ସହ କଥା ହେଉଥଲା ରେଖା। ଏ ପଟେ ରାମୁଲୁ କାହାସହ କଥା ହେଉଛି ବୋଲି ବାବୁ ଥରେ ରାମୁଲୁ ହାତରୁ ମୋବାଇଲ ଛଡେଇ ସବୁ ଶୁଣି ନେଲେ। ସଙ୍ଗେ ସଙ୍ଗେ ରାମୁଲୁ ର ଟଙ୍କା ପଇସା ହିସାବ କରି କାରଖାନା ରୁ ଛଟେଇ କରିଦେଲେ। ଆଉ ଗାଆଁକୁ ଫେରି ଯିବାକୁକହି ପଠେଇ ଦେଲେ। ଦୁଇ ପ୍ରେମୀଯୁଗଳଙ୍କ ପ୍ରେମର କଣ ଅନ୍ତ ହୋଇଯିବ। ଦୁହେଁ ଦୁହିଁଙ୍କୁ କଣ ଛାଡ଼ି ରହି ପାରିବେ। ରାମୁଲୁ କଣ ସତରେ ରେଖା କୁ ଛାଡ଼ି ରହି ପାରିବ। ଦୁହିଁଙ୍କର ଶରୀର ଦୁଇଟି ଥିଲେ ସୁଦ୍ଧା ଆତ୍ମା ପରା ଏକ। ଅବାଧ ମିଳାମିଶା ଯେଉଁଠି ଥିଲା, ବର୍ତ୍ତମାନ କେଉଁ ବାଧା ଏମାନଙ୍କୁ ଅଟକାଇ ପାରିବ।

ଅନେକ ଦୁଃଖ ଲାଗୁଥିଲା ରାମୁଲୁକୁ। ଗାଆଁରେ ତାର କଣ ଅଛି ଯେ,ଘର ନା ପରିବାର, ବାପା ବୋଉ ନା ଆତ୍ମୀୟ ସ୍ଵଜନ। ଅଳିଆଗଦାରୁ ଉଠି ଆସିଥିବା ପିଲାର କି ପରିଚୟ ଅଛି ଯେ, କାହା ପାଖକୁ ଯିବ। ନା କିଏ ତାକୁ ଆପଣାର କରିବ। ମନମାରି ରହିଥାଏ। ଗୋଟିଏ ଛୋଟ ଭଡାଘର ଦେଖି ରହିଗଲା ସେହି ସହରରେ। ପାଖରେ ତ କିଛି ଟଙ୍କା ଥିଲା। ଜଣେ ଚଳିବା ଭଳି ଜିନିଷପତ୍ର ବଜାରରୁ ନେଇ ଆସିଲା। କହିବାକୁ ଗଲେ ଗୋଟିଏ ସୁନ୍ଦର ସୁଖର କୁଡିଆ ତିଆରି ହୋଇଗଲା ରାମୁଲୁ ର। ବଜାରକୁ ଗୋଟିଏ ବ୍ୟାଗ୍ ଧରି ଚାଲିଲା କିଛି ପରିବା ଆଣିବାକୁ। ବାଟରେ ଯାଉ ଯାଉ ଗୋଟିଏ ସୁନ୍ଦର ଗୋଲାପ ଗଛ ଉପରେ ନଜର ପଡିଗଲା ରାମୁଲୁର। କାହିଁକି କେଜାଣି ଆଜି ବହୁତ ମନେ ପଡିଲା ରେଖା। ଗୋଲାପ ଭଳି ସୁନ୍ଦର ଆଉ ନରମ ମୋ ରେଖାର ମନ ଓ ରୂପ। ଇଚ୍ଛା ହେଲା ଗୋଟିଏ ଚକୋଲେଟ୍ ସହ ଗୋଲାପ ଟିଏ ରେଖାକୁ ଦେବାକୁ। ଗୋଟିଏ ଚକୋଲେଟ୍ ଦୋକାନରୁ ବଡ଼ ଚକୋଲେଟ୍ ଟିଏ କିଣିଲା ଏବଂ ସୁନ୍ଦର ଗୋଲାପ ଟିଏ ବି। କିଣାକିଣି ଶେଷ କରି ଘରକୁ ଫେରିବା ବାଟରେ ହଠାତ ନିଜ ଆଖିକୁ ବିଶ୍ଵାସ କରି ପାରିଲା ନାହିଁ ରାମୁଲୁ। ଆରେ ଏ ତ ମୋ ସ୍ଵପ୍ନ ସୁନ୍ଦରୀ। ମାଆ ସହ ଚାଲିଛି। ଚିନ୍ତା କଲା ଡାକିବ କି,ନା ବଡ଼ ଅସୁବିଧା ହୋଇଯିବ। ଉଠେଇଲା ଫୋନ ରାମୁଲୁ, ଫୋନ ବି ସେପଟୁ ଉଠେଇଲା ରେଖା।

ହ୍ୟାଲୋ ଏପାଖକୁ ଚାହଁ,ଠିକ ତୁମ ବାମ ପାଖକୁ, ମୁଁ ଅଛି।

ହଁ,ଦେଖି ପାରୁଛି।

ତୁମ ଅତି ପ୍ରିୟ ଜିନିଷ ଟି ଧରିଛି, ଦୟାକରି ଆସିବ ୫ଟା ବେଳେ, ତୁମ ଘର ପାଖ ପାର୍କ। ମୁଁ ଅପେକ୍ଷା କରିଥିବି।

ଠିକ ଅଛି।

ଆଉ କିଛି କୁହ ନାହିଁ। ମୋ ନମ୍ବର ଟା ଡିଲେଟ କରିଦିଅ।

ମାଆ ର ଅଜାଣତରେ ସବୁ କିଛି ସରିଲା। ମାଆ ତ ଆଗରେ ଯାଉଥିଲେ।

ଯୋଜନା ମୁତାବକ ରେଖା ଆସି ପହଞ୍ଚି ଗଲା। ଉଭୟେ ଉଭୟଙ୍କୁ ଅନେକ ଦିନ ହେଲା ଦେଖି ନ ଥିଲେ। ସେଥିପାଇଁ ମୁକ୍ତ ମନରେ ଖୁବ୍ ଗପିଲେ।

ରାମୁଲୁ କହିଲା, ଜାଣିଛ ରେଖା, ଆଜି ହେଉଛି ଚକୋଲେଟ୍ ଦିବସ। ଏଇ ନିଅ। ରାମୁଲୁ ରେଖାକୁ ଚକୋଲେଟ୍ ଗୋଲାପ ଫୁଲ ଦେଲା।

ଚାଲ,ଆମେ ଦୁହେଁ ଅନ୍ୟ କେଉଁଠି କୁ ପଳେଇ ଯିବା। ମୋ ବାବା ତ ତୁମ ସହ ମୋ ବାହାଘର କରିବେ ନାହିଁ। ମୁଁ କିନ୍ତୁ ତୁମକୁ ଛାଡ଼ି ରହି ପାରିବି ନାହିଁ। ତୁମେ ତୁମ ପାଖକୁ ନେଇ ଯାଅ ରାମୁଲୁ। ତୁମ ବିନା ମୁଁ ମରିଯିବି। କହି ରାମୁଲୁ କୁ କୁଣ୍ଢେଇ ଧରିଲା ରେଖା।

ଦେଖ ରେଖା, ମୁଁ ଏଭଳି ଭାବରେ ତୁମକୁ ନେଇ ଗଲେ, ତୁମ ବାପା ମାଆ କେବେ ଆମକୁ ଭଲ ବୋଲି କହିବେ କି, ତାଙ୍କ ସହିତ ଆମର ଭଲ ସମ୍ପର୍କ ରହିବ କି। ତେଣୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ କିଛି ବି କରିପାରିବି ନାହିଁ। ଯେତେ ହେଲେ ବି ସେ ଆମ ଗୁରୁଜନ।

ସେମାନେ ଯେମିତି ଯେଉଁଠି ଇଚ୍ଛା ବିବାହ କରନ୍ତୁ, ତୁମେ ରାଜି ହୋଇଯାଅ। ପ୍ରେମରେ ମିଳନ ହେଲେ ଯେ ପ୍ରେମର ସାର୍ଥକତା ଥାଏ, ସେକଥା ଠିକ ନୁହେଁ।

ଏମିତି ସେମାନଙ୍କ କଥା ଚାଲିଥାଏ। ଏସବୁ କଥା କିଛି ଦୂରରେ ଗୋଟିଏ ଗଛ ପାଖରେ ଠିଆ ହୋଇ ରେଖାର ମାଆ ସବୁ ଦେଖୁଥାନ୍ତି। ତାଙ୍କ ଆଖି ଲୁହ ଛଳଛଳ ହୋଇଗଲା। ସେ ଆସି ଏମାନଙ୍କ ପାଖରେ ପହଞ୍ଚିଲେ। ଆଉ ପ୍ରବୋଧନା ଦେଇ କହିଲେ, ମୁଁ ଯେମିତି ହେଲେ ତୁମ ଦୁହିଁଙ୍କ ଇଚ୍ଛା ପୂର୍ଣ୍ଣ କରିବି। ଏଭଳି ମମତାର ବାରିଧାରା ବୁହାଇ ପିଲାମାନଙ୍କୁ ନିଜ ଘରକୁ ନେଇଗଲେ। ରାହୁଲୁକୁ ଭୁରି ଭୋଜନ ଦେଲେ। ରାହୁଲ ଖାଇ ସାରି ରେଖା ସହ କଥାବାର୍ତ୍ତା କରୁଥିବା ସମୟରେ ବାବୁ ଆସି ପହଞ୍ଚି ଗଲେ। ରାହୁଲୁକୁ ଦେଖି ରାଗରେ ପାଚି ଲାଲ୍ ପଡିଗଲେ। ତେଣେ ରେଖାର ମାଆ ବୁଝେଇ ସୁଝେଇ ଘର ଭିତରକୁ ନେଲେ। ଦୁହେଁ ଭିତରେ କଣ କଥା ହେଲେ କେଜାଣି, କିଛି ସମୟ ମଧ୍ୟରେ ପୋଲିସ ଗାଡ଼ି ଗୋଟିଏ ତାଙ୍କ ଦୁଆରେ ଲାଗିଲା। ପ ୧୦/୧୨ଜଣ ପୋଲିସ ବାହାରି ଆସିଲେ। କିଛି କହିବା ଆଗରୁ ରାହୁଲୁକୁ ବାଡେଇ ବାଡେଇ ହାତକଡି ପକେଇ ହାଜତକୁ ନେଇ ଗଲେ। ରେଖା ଯେତେ ଅନୁନୟ ବିନୟ ହେଲେ ବି କେହି ତା କଥା ଶୁଣିଲେ ନାହିଁ।

ଓହୋଃ ଏଥର ଗୋଟିଏ ବଡ଼ କଣ୍ଟା ହଟିଲା। ବହୁତ ଶୀଘ୍ର ଆମେ ଆମ ରେଖାର ବାହାଘର ସାରିଦେବା,କହିଲେ ରେଖାର ଭାଆ। ରେଖା ଜାଣିଗଲା ,ଏସବୁ ବାପା ମାଆ ଦୁହିଁଙ୍କର ଯୋଜନା ଥିଲା।

ମନକଥା ମନରେ ରଖି ରହିଲା। ରାତି ଯାଇ ସକାଳ ହେଲା। ହେଲେ ରେଖା ଘରେ ନାହିଁ। ଅନେକ ଖୋଜାଖୋଜି ପରେ ବି ଝିଅକୁ ପାଇଲେ ନାହିଁ। ଦିନ ଗଡି ଚାଲିଲା। ଏ ଭିତରେ ଦଶବର୍ଷ ଚାଲିଯାଇଛି। ଆଜି ଜେଲରୁ ମୁକୁଳିବ ରାମୁଲୁ। ଜେଲର ସାହେବ ରାମୁଲୁ ଉପରେ ଖୁସି। ନିର୍ଦ୍ଦୋଷ ବୋଲି ଜାଣିବି ବଳାତ୍କାର ଓ ହତ୍ୟା ଉଦ୍ୟମ ଅପରାଧରେ ସଶ୍ରମ କାରାଦଣ୍ଡ ଭୋଗିଥିବା ମଣିଷ ପାଇଁ କିଛି କରି ପାରି ନ ଥିଲେ। ହେଲେ ଆଜି ସେ ମୁକୁଳିବ। ସେ ବି ଖୁସି।

ଜେଲରୁ ବାହାରିଲା। ହେଲେ କୁଆଡ଼େ ବା ଯିବ। କିଏ ବା ତାର ଅଛି। ନା ପ୍ରେମ କରିବାର ବୟସ ଅଛି, ନା ତାକୁ କିଏ ପ୍ରେମ କରିବ। ନାନା ପ୍ରକାର ଚିନ୍ତା କରି କରି ବାଟ ଚାଲିଛି। ହଠାତ କାହାର ଡାକରେ ପ୍ରକୃତିସ୍ଥ ହେଲା ଆଉ ବୁଲି ଚାହିଁଲା ପଛକୁ। ଆଉ ପଚାରିଲା, ଆଜ୍ଞା ମୋତେ ଡାକିଲେ।

ତୁମେ ମୋତେ ଚିହ୍ନି ପାରୁନ।

ନାହିଁ ଆଜ୍ଞା, ଆଖିକୁ ଭଲକରି ଦେଖା ଯାଉନି। ବୟସ ସେମିତି ବେଶୀ ନୁହେଁ ଯେ, ହେଲେ ଟିକେ ଦୁର୍ବଳ ଲାଗୁଛି। ଦଶବର୍ଷ ଜେଲ ଭୋଗିଲି।

ଆପଣ କିଏ?

ମୋତେ କ୍ଷମା କରିଦିଅ। ତୁମ ପାଇଁ ମୁଁ କିଛି କରି ପାରିଲି ନାହିଁ।

ତୁମେ ରେଖା ନା। ମୁଁ ଚିହ୍ନି ପାରିଲିନି।

ତୁମେ କଣ କରି ପାରିବ। ମୁଁ ବି କାହିଁକି ତୁମ ଉପରେ ଅଭିମାନ କରିବି କୁହ। ମୋର ତ ସବୁ ଭୁଲ୍। ନିଜ ସ୍ଥିତି ନ ଜାଣି ଧାଇଁ ଥିଲି। ମୋ ଦଣ୍ଡ ମୁଁ ପାଇ ସାରିଛି। ଛାଡ଼,ମୁଁ ସେସବୁ ଭୁଲି ଯାଇଛି। ତୁମ କଥା କିଛି କୁହ। ତୁମେ କଣ ଏଯାବତ ବିବାହ କରି ନାହଁ?

ତୁମ ପାଇଁ ଅପେକ୍ଷା କରିଛି ରାମୁ। ମୁଁ ତୁମ ବିନା ଆଉ କାହାକୁ ବି ନିଜର କରି ପାରିବି ନାହିଁ।

ଆଉ ସେମିତି କୁହ ନାହିଁ। ସେହି ଟିକିଏ ଭୁଲ୍ ମୋ ଯୌବନ କୁ ଛଡେଇ ନେଲା। ଏବେ ପୁଣି ସେହି କଥା। ତୁମେ ଜଣେ ବଡ଼ଘରର ପୁଅ ଦେଖି ବାହା ହୋଇ ଯାଅ।

ନାହିଁ, ମୁଁ ବିବାହ କରିବି ତ ତୁମକୁ।

ହେଲେ, ତୁମ ବାବା ମାଆ ଏକଥା ଶୁଣିଲେ ଆଉ ଥରେ ଜେଲ ପଠେ ଦେବେ। ମୋତେ କ୍ଷମା କର। ମୁଁ ପାରିବନି।

ଶୁଣ,ପୋଲିସ ତୁମକୁ ନେଇଗଲା ପରେ ମୁଁ ଘର ଛାଡି ପଳେଇଲି। ଗୋଟିଏ କମ୍ପାନୀର କିରାଣୀ ଚାକିରୀରେ ଯୋଗ ଦେଲି। ଏପାଖରେ ବାପା ମାଆ ବୈଷ୍ଣବୀ ଦେବୀ ଦର୍ଶନ ପାଇଁ ଚାଲିଗଲେ। ଗୋଟିଏ ଗାଡ଼ି ଦୁର୍ଘଟଣା ରେ ଦୁହେଁ ଚାଲିଗଲେ। ସବୁ ଜାଣିବା ପରେ ମୁଁ ବାବାଙ୍କ ବେପାର ସମ୍ଭାଳି ତୁମ ଆସିବା ବାଟକୁ ଅନେଇ ରହିଛି। ଏଣିକି ଆମର କେହି ପ୍ରତିବନ୍ଧକ ନାହାଁନ୍ତି। ଆସ ମୋ ଗାଡ଼ିରେ ବସ। ଏକା ନିଶ୍ଵାସରେ ଏତକ ରେଖା କହିଦେଲା ରାମୁଲୁକୁ।

କିଂକର୍ତ୍ତବ୍ୟ ବିମୁଢ ରାମୁଲୁ କିଛି ସମୟ ଗୁମ୍ ମାରି ଠିଆ ହୋଇଗଲା। ଆଉ ଆପେଆପେ ହାତ ଦୁଇଟି ଯୋଡିଦେଲା ବାବୁ ମାଆଙ୍କ ପାଇଁ। ସ୍ଵଗୋତ୍ୟକ୍ତି କଲା,ହେ ପ୍ରଭୁ ବାବୁ ମାଆଙ୍କ ଆତ୍ମା ର ସଦଗତି ହେଉ।

କଣ ଭାବୁଛ।

ପ୍ରକୃତିସ୍ଥ ହେଲା ରେଖାର ଡାକରେ।

ନାହିଁ, ଭାବୁଥିଲି, ଯେଉଁ ମହାପୁରୁଷ ଙ୍କ ପାଇଁ ଆଜି ମୁଁ ମଣିଷ ସମାଜରେ ପରିଚିତ ହେଲି, ତାଙ୍କ ଶେଷ ସମୟରେ ତାଙ୍କ ପାଇଁ ବୁଡ଼ ଟିଏ ବି ପକେଇ ପାରିଲି ନାହିଁ।

ଆରେ ଆସନା,ଶୀଘ୍ର ଘରକୁ ଯିବା। ତେଣେ ବହୁତ କାମ କରିବା ପାଇଁ ଅଛି।

ବହୁତ କାମ ମାନେ।

ଆଜି ପରା ପ୍ରତିଜ୍ଞା ଦିବସ। ଆମେ ଆଜି ଆମର ବହୁ ପ୍ରତୀକ୍ଷିତ ବିବାହ ବନ୍ଧନରେ ବାନ୍ଧି ହେବା। ଆଉ ସାରାଜୀବନ ଏକାଠି ଦୁହେଁ ଦୁହିଁଙ୍କ ସୁଖଦୁଃଖରେ ସହଭାଗୀ ହେବାର ଶପଥ କରିବା। ଶୀଘ୍ର ଗାଡ଼ିରେ ବସ।

ନାହିଁ ରେଖା। ମୁଁ ଆଗ ବାବୁ ମାଆଙ୍କ ପାଇଁ ତିଳତର୍ପଣ କରିବାକୁ ତ୍ରିବେଣୀ ଯିବି। ତା ପରେ ଯାହା କରିବା। କଣ କହୁଛ। ମୋ କଥା ରଖିବନା।

ଠିକ ଅଛି ବାବା। ବସ। ଦୁହେଁ ଗାଡ଼ିରେ ବସି ଚାଲିଲେ ପ୍ରତିଜ୍ଞା ଦିବସରେ ଅନେକ କିଛି କଥା ପ୍ରତିଜ୍ଞା କରି ପୂରଣ କରିବାକୁ।


Rate this content
Log in

Similar oriya story from Romance