Amrita Dash

Fantasy

4.6  

Amrita Dash

Fantasy

ନିଆରା ସମ୍ପର୍କ

ନିଆରା ସମ୍ପର୍କ

5 mins
386


  ସମ୍ପର୍କ ଟିଏ କେବେ କାହା ସହ ଗଢି ହୋଇଯାଏ ସେ ତ ଭଗବାନଙ୍କ ଇଛା ଓ ସମୟର ଖେଳ। ବାସ୍ ଖାଲି ଖୋଲା ହୃଦୟ ଟିଏ ଦରକାର ସମ୍ପର୍କ ଯୋଡ଼ି ହେବ ପାଇଁ। ବେଳେବେଳେ ଅଜଣା ଅଚିହ୍ନା ମଣିଷ ମାନଙ୍କ ସହିତ ବି ଏମିତି ସମ୍ପର୍କ ଗଢି ଉଠେ ଖୁବ୍ କମ୍ ସମୟ ଭିତରେ ଯେ ସେ ସମ୍ପର୍କ ପାଖରେ ରକ୍ତ ସମ୍ପର୍କ ବି ହୀନ ଲାଗେ। ଆଜି ର ଏଇ ସ୍ୱାର୍ଥପର ଦୁନିଆଁରେ ଗୋଟେ ନିସ୍ୱାର୍ଥପର ସମ୍ପର୍କ ଟିଏ ସୃଷ୍ଟି ହେବା ଖୁବ୍ ବିରଳ। ସେଦିନ ଟ୍ରେନ ଯାତ୍ରା ରେ ଏମିତି ଏକ ନିଆରା ସମ୍ପର୍କ ଗଢି ଉଠି ଥିଲା ଦୁଇ ଜଣ ଅଚିହ୍ନା ମଣିଷ ଙ୍କ ଭିତରେ ଓ ସେଇ ସମ୍ପର୍କ ଯେ ସମୟ ଗତିରେ ଦୁହିଁଙ୍କ ବଞ୍ଚିବାର ପ୍ରେରଣା ରେ ପରିଣତ ହୋଇଥିଲା।

କଲେଜ ପଢ଼ା ସାରି ସୁଦୂର ଦିଲ୍ଲୀ ରୁ ପୁରୀ ଫେରୁ ଥାଏ ପ୍ରିୟା। ଟ୍ରେନ୍ ଯାତ୍ରା ରେ ଜଣେ କେହି ପରିଚିତ ବ୍ୟକ୍ତିତ୍ଵ ର ଉପସ୍ଥିତି ଖୁବ୍ ଖୁସି ଦିଏ।ଯାତ୍ରା ଜନିତ କଷ୍ଟ ଲାଘବ କରିବାକୁ ବାର୍ତ୍ତାଳାପ କରିବା ସୁଯୋଗ ର ଅପେକ୍ଷା ରେ ଥାଏ ପ୍ରିୟା।ସକାଳୁ ବାହାରି ଆସିଛି ଯେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି ତଥାପି ପ୍ରିୟା କୁ କେହି ଜଣେ ମିଳୁ ନ ଥାଆନ୍ତି କଥା ହେବାକୁ। ସଂରକ୍ଷିତ ବଗି ରେ ଅଳ୍ପ ଲୋକ ଙ୍କ ଉପସ୍ଥିତି ସେଥିରେ ପୁଣି ସମସ୍ତେ ନିଜ ନିଜ ପରିବାର ସହିତ ହସ ଖୁସି କରିବାରେ ବ୍ୟସ୍ତ।ବିଚାରି ପ୍ରିୟା କେତେ ସମୟ ବି ଏକୁଟିଆ ବସିବ।ଏଇ ନିଃସଙ୍ଗପଣ ଭାରି କଷ୍ଟ ଦିଏ।ପ୍ରିୟା ନିଜ ସମୟ ଅତିବାହିତ କରିବା ପାଇଁ କେବେ ଝରକା ଦେଇ ପ୍ରକୃତି ର ରୂପ କୁ ଉପଭୋଗ କରୁଥାଏ ତ କେତେବେଳେ ବହି ଖଣ୍ଡେ ଖୋଲି ବସୁଥାଏ ପୁଣି କେତେବେଳେ ମୋବାଇଲ ରେ ଗୀତ ଶୁଣିବାରେ ନିଜକୁ ବ୍ୟସ୍ତ ରଖି ଥାଏ। ହେଲେ ଏ ସବୁରେ ବି ତା ମନ ବୁଝୁ ନ ଥାଏ। ସେ ତ ଖୋଜି ହେଉଥାଏ କାହା ସହ ଟିକେ କଥା ହେବ। ସକାଳୁ ପାଟି ଚୁପ୍ କରି ବସି ବସି ବିରକ୍ତ ହୋଇ ଗଲାଣି ପ୍ରିୟା। ଏମିତି ନୀରବ ରହିବା ଏକ ପ୍ରକାର ଅସମ୍ଭବ କାର୍ଯ୍ୟ ତା ପାଇଁ।

       ସନ୍ଧ୍ୟା କୁ ସ୍ଵାଗତ ଜଣାଇ ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହେବାକୁ ଉଦ୍ୟତ।ଧରଣୀ ରାଣୀ ସେଇ ଅସ୍ତଗାମୀ ତପନ ର ଲେଲିହାନ ରଙ୍ଗରେ ରଙ୍ଗାୟିତ। ପକ୍ଷୀ ସବୁ ଦୂର ଗଗନ ରୁ ନୀଡ଼ ଫେରନ୍ତା ପଥିକ ସାଜିଥାନ୍ତି। ଗୋଧୂଳିର ଏଇ ବେଳାରେ ଟ୍ରେନ ଟି ଅଟକି ରହିଥାଏ ପ୍ରାକୃତିକ ଶୋଭାର ଗନ୍ତାଘର ଏକ ଅନାମଧେୟ ଷ୍ଟେସନରେ।କିଛି ଲୋକ ବାହାରିଗଲେ ପୁଣି କିଛି ଯାତ୍ରୀ ଟ୍ରେନରେ ପ୍ରବେଶ କରିଲେ କିନ୍ତୁ ଏଇ ପ୍ରବେଶ ପ୍ରସ୍ଥାନ ଯେ ପ୍ରିୟା ଉପରେ କୌଣସି ପ୍ରଭାବ ପକାଉ ନ ଥାଏ।ସେ ବ୍ୟସ୍ତ ଝରକା ଦେଇ ପ୍ରକୃତିର ସୌନ୍ଦର୍ଯ୍ୟ କୁ ଅବଲୋକନ କରିବାରେ।ହଠାତ୍ ନିଜ ଆଗ ସିଟରେ କାହାର ଉପସ୍ଥିତି ଅନୁଭବ କରିଲା ପ୍ରିୟା।ମୁହଁ ବୁଲେଇ ଦେଖିଲା ତା ଠାରୁ ୫/୬ବର୍ଷ ବଡ ଜଣେ ବିଦେଶିନୀଙ୍କୁ ।

          ରୂପ ରଙ୍ଗ ସିନା ବିଦେଶିନୀ ର ପରିଚୟ ଦେଉଥାଏ ହେଲେ ବେଶଭୂଷା, ହାବଭାବ ସବୁ ଭାରତୀୟ ତଥା ଓଡ଼ିଆ ଜାତିର ପ୍ରଭାବ ଅନୁଭୂତ ହେଉଥାଏ।।ଆଶ୍ଚର୍ଯ୍ୟ ହୋଇ ପ୍ରିୟା ପଚାରିଦେଲା ଇଂରାଜୀ ଭାଷାରେ ଆପଣ ଏତେ ସୁନ୍ଦର ଶାଢ଼ୀ ପିନ୍ଧା କେଉଁଠାରୁ ଶିଖିଲେ??ଉତ୍ତର ଆସିଲା :- ଓଡ଼ିଶା ରେ ରହି ମୁଁ ଶିଖିଛି।ପ୍ରିୟା ମନେ ମନେ ଭାବୁଥାଏ ଓଡ଼ିଆ ଝିଅ ହୋଇ ମୁଁ ବି ବୋଧ ହୁଏ ଏତେ ଭଲ କରି ଶାଢୀ ଟିଏ ପିନ୍ଧି ପାରିବି ନାହିଁ ।ଧୀରେ ଧୀରେ କଥା ବାର୍ତ୍ତା ର ମାତ୍ରା ବଢିବା ଭିତରେ ପ୍ରିୟା ଜାଣିବାକୁ ପାଇଲା ଝିଅ ଟିର ନାଁ ଇଭା।। ସାତ ଦରିଆ ପାରି ଜର୍ମାନୀ ଘର ତାର।।ହେଲେ ପ୍ରାଞ୍ଜଳ ଭାବରେ ଓଡ଼ିଆ କହୁଥାଏ।

              ନୀରବରେ ବିତିଗଲା ପୁଣି କିଛି ସମୟ। ପ୍ରିୟା ଲକ୍ଷ୍ୟ କରୁଥାଏ ବିଷାଦର କିଛି ସୁସ୍ପଷ୍ଟ ରେଖା ଇଭା ମୁହଁ ରେ।ପୁଣି କିଛି ଲେଖି ଦେଉଥାଏ ଝିଅ ଟି ବିଚଳିତ ହୋଇ ନିଜ ଡାଏରୀରେ।।ଅନେକ ସମୟ ଏପରି ଦେଖି ନିଜକୁ ଅଟକାଇ ନ ପାରି ପ୍ରିୟା ପଚାରିବାକୁ ଲାଗିଲା:- ଦିଦି କିଛି ଅସୁବିଧା ହୋଇଛି କି?ଆପଣ ଏତେ ବ୍ୟସ୍ତ ବିଚଳିତ ଜଣା ପଡ଼ୁଛନ୍ତି।ଅମାନିଆ ଲୁହ ଦୁଇ ଧାର ଝରି ଆସିଲା ଇଭା ଆଖିରୁ।ଏ ଦୁଃଖ ଗୁଡାକ ବି ଏମିତି କାହା ଠାରୁ ଆଶ୍ଵାସନା ଟିକେ ପାଇଲେ ଲୁହ ହୋଇ ଝରି ଯିବାକୁ ଟିକେ ବି ବିଳମ୍ବ କରନ୍ତି ନାହିଁ ।

          କହିବାକୁ ଆରମ୍ଭ କରିଲା ଇଭା ତାର ଜୀବନ କାହାଣୀ। ଆଜକୁ ପ୍ରାୟ ୧୫ବର୍ଷ ପୂର୍ବରୁ ନିଜ ପରିବାର ସହିତ ପୁରୀ ବୁଲିବାକୁ ଆସିଥିଲେ।ହେଲେ ବିଧିର ବିଧାନ ଥିଲା ଅଲଗା।କାଳିଆ ଠାକୁର ବୋଧ ହୁଏ ଇଭାର ଭକ୍ତି ରେ ସନ୍ତୁଷ୍ଟ ହୋଇ ତାକୁ ସବୁ ଦିନ ପାଇଁ ନିଜ ଧାମ ରେ ରଖିବାକୁ ଇଛା କରିଥିଲେ ସେଥିପାଇଁ ତ ସେଦିନ ଫେରିବାର କିଛି ସମୟ ଆଗରୁ ସଡ଼କ ଦୁର୍ଘଟଣା ରେ ଜୀବନ ଚାଲିଗଲା ତା ବାପା ମା ଭାଇ ଭଉଣୀ ଙ୍କର।ବଞ୍ଚିଗଲା କେବଳ ଇଭା।ହସ ଖୁସି ର ଜୀବନ ଭିତରକୁ ଦୁଃଖ ଅବସାଦ ର କଳା ବାଦଲ ପ୍ରବେଶ କରିଲା। ଅପରିଚିତ ଲୋକଙ୍କ ଗହଣ ରେ ଅନାଥ ଇଭା ରହିବାକୁ ନିରାପଦ ସ୍ଥାନ ଟିଏ ଖୋଜୁଥାଏ।ନା ଫେରି ପାରିବାର କ୍ଷମତା ତାର ଥାଏ ନା ଏଇ ଅଜଣା ସ୍ଥାନ ରେ ବଞ୍ଚି ରହିବାର ଆଶା। ତଥାପି କାଳିଆ ସାଆନ୍ତ ଉପରେ ସବୁ ଛାଡି ଇଭା ଅପେକ୍ଷା କରିଥାଏ ନିଜ ପାଇଁ ଠିକଣା ଟିଏ ପାଇବାକୁ।

    ସେ ମାୟାବୀ କାଳିଆ ର ଲୀଳା ପରା ତାକୁ ହିଁ ଜଣା।ଭକ୍ତ କୁ ଦୁଃଖ ରେ ଦେଖିଲେ ତା ଅନ୍ତର ବିଦାରି ହୁଏ ଶୁଣିଥିଲି ହେଲେ ସେଦିନ ବଡ଼ଦାଣ୍ଡ ରେ ଜଣେ ମା ର ମମତାର ଛୁଆଁ ପାଇ ବିଶ୍ବାସ ହେଇଗଲା ଏଇ କଥା ରେ ।ମୁଁ ପରଦେଶୀ ବୋଲି ମୋତେ ମନ୍ଦିର ଯିବାକୁ ମନା ଥିଲା।ମୋତେ ଆପଣେଇ ନେବାକୁ ସଭିଙ୍କୁ ମନା ଥିଲା ହେଲେ ସେଇ ମା ମୋତେ ଆପଣେଇ ନେଲେ ଆଉ ଏଇ ଇଭା ଚାଲିଗଲା ସେ ମା ଙ୍କ ସାଥେ ଜୀବନ ର ଆଗାମୀ ଭବିଷ୍ୟତ ଗଢ଼ିବାକୁ। ମା ଙ୍କ ପାଖରେ ରହି ଓଡ଼ିଶୀ ଶିଖିଲି।ଓଡ଼ିଆ ଭାଷା ଓଡ଼ିଆ ସଂସ୍କୃତି ଓଡ଼ିଆ ଚାଲିଚଳନ କୁ ଆପଣେଇ ନେଲି ହେଲେ ଏ ସମାଜ ମୋତେ ଆପଣେଇ ପାରିଲାନି ଓଡ଼ିଆ ବୋଲି।

          ତଥାପି ଆଶା ହରେଇ ନ ଥିଲି। ବିଶ୍ବାସ ଥିଲା ବଡ ସାଆନ୍ତ ଦିନେ ନା ଦିନେ ମୋତେ ନିଜର କରିବ। ମୋ ସଂଘର୍ଷ ତ ସେତେବେଳେ ଆରମ୍ଭ ହେଲା ଯେବେ ମା ମୋତେ ଛାଡ଼ି ଅସମୟ ରେ ସବୁଦିନ ପାଇଁ ଚାଲିଗଲେ ଆର ପାରି କୁ ଆଉ ମୁଁ ପୁଣି ଅନାଥ ହୋଇଗଲି। ଏକାକୀ ଜୀବନରେ ସମାଜ ର କୁ ନଜର ରୁ ନିଜକୁ ବଞ୍ଚାଇବା ବହୁତ୍ କଷ୍ଟ ପ୍ରିୟା। କଳା ଠାକୁର କୁ ଅନେକ ଡାକିଛି ଏମିତି ଜୀବନ ରୁ ମୁକ୍ତି ଦେଇ ତା ପାଖକୁ ନେଇଯିବାକୁ ହେଲେ ସେ ପରା ପରୀକ୍ଷା ବହୁତ୍ ନିଏ। ମୋର ଏଇ ସଂଘର୍ଷ ଭିତରେ ହଠାତ୍ ଦିନେ କିଛି ଇସ୍କନ ଭକ୍ତ ପୁରୀ ରେ ମୋତେ ଦେଖି ତାଙ୍କ ସହ ଯିବାକୁ କହିଲେ ମୁଁ ବି ଭାବି ନେଲି ବୋଧ ହୁଏ କାଳିଆ ର ଏଇ ଇଛା।ଚାଲିଗଲି ତାଙ୍କ ସହ କିନ୍ତୁ ମୁଁ ପରା ଆଜନ୍ମ ଦୁଃଖିନୀ ଆଉ ମୋ ଦୁଃଖ ଏତେ ଜଲଦି ସରି ଥାଆନ୍ତା କିପରି ! ସେଠି ମଧ୍ୟ ସେମିତି ଅନେକ ପରିସ୍ଥିତି ର ସମ୍ମୁଖୀନ ହୋଇ ଥକି ଗଲି। ବାରମ୍ବାର ମୋତେ କାଳିଆ ରକ୍ଷା କରୁଥାଏ ଶେଷ ରେ ନିଷ୍ପତି ନେଲି ତା ଧାମ କୁ ଫେରିଯିବି।ତରି ପାଖରେ ବଞ୍ଚିବି ନ ହେଲେ ମରିବି ହେଲେ ଆଉ କେବେ କୁଆଡେ ଯିବିନି ମୋ କଳା ଠାକୁର କୁ ଛାଡ଼ିକି।ଆଜି ଫେରି ଯାଉଛି ପୁରୀ ।ରହିବି ତା ପାଖରେ।

        ପ୍ରିୟା ନିଜ ଆଖି ଲୁହ ପୋଛି ଇଭା ଆଖିରୁ ଝରି ଆସୁଥିବା ଲୁହ ର ଦାଗ କୁ ଲିଭାଇ ଦେଇ ପୁଣି ଆଶା ର ମଞ୍ଜି ଲଗାଇ ଦେଲା ଇଭା ମନ ରେ। ମନ ଦୁଃଖ କରନି ଦିଦି ମୁଁ ପରା ସେଇ ପୁରୀ ଝିଅ। ତୁମେ ମୋ ସାଥେ ମୋ ପାଖରେ ରହିବ।ମୋର ତ ପରିବାର ବୋଲି କେହି ନାହିଁ। ପିଲା ଦିନ ରୁ ଅନାଥ ଆଶ୍ରମ ମୋ ବାସସ୍ଥଳୀ ସେଇ ଆଶ୍ରମ ର ବାବା ଙ୍କ ସାହାଯ୍ୟ ରେ ଦିଲ୍ଲୀ ରୁ ପିଜି ସାରି ଫେରୁଛି।ଚାକିରି ଜଲଦି ମିଳିଯିବ ବୋଲି ଆଶା। ତୁମେ ଅନାଥ କୁ ମୁଁ ଅନାଥ ବାସ୍ କାଳିଆ ଆମର ପରିବାର। ଚାଲ ଦିଦି ସେଇ କାଳିଆ ର ପାଦ ତଳେ ନିଜକୁ ସମର୍ପି ଦେଇ ଜୀବନ ର ସବୁ ସଂଘର୍ଷ କୁ ସାମ୍ନା କରିବା ପରସ୍ପର ସାଥିରେ ରହି।

        ଟ୍ରେନ କେତେବେଳେ ଆସି ପହଞ୍ଚି ଗଲା ପୁରୀ ରେ ଉଭୟ ଜାଣି ପାରି ନ ଥିଲେ।ଟ୍ରେନ ଯାତ୍ରା ଭିତରେ କାଳିଆ ବାନ୍ଧି ଦେଇଥିଲା ଦୁଇ ଅନାଥ ଭକ୍ତ ଙ୍କୁ ଏକ ନିଆରା ବନ୍ଧନ ରେ। ସମ୍ପର୍କ ର ନିବିଡ଼ତା ପାଖରେ ଏ ସମାଜ ର ଅପବାଦ ହାରି ଯାଏ।ଜଗନ୍ନାଥ ଚରଣ ରେ ନିଜ ସୁଖ ଦୁଃଖ କୁ ସମର୍ପି ଦେବା ପରେ ଇଭା ଓ ପ୍ରିୟା ଦୁଇ ଭଉଣୀ ହୋଇ ସମାଜ ରେ ନିଜ ଦକ୍ଷତା ବଳରେ ନିଜ ପରିଚୟ ଖୋଜି ପାଇଥିଲେ।ଇଭା ସାଜି ଥିଲା ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ।ଅଞ୍ଚଳର କୁନିକୁନି ପିଲାଙ୍କୁ ଏକତ୍ରିତ କରି ଶିଖାଉଥିଲା ଓଡ଼ିଶୀ ଓ ପ୍ରିୟା ସାଜି ଥିଲା ଏକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ।ଅଜଣା ଅଚିହ୍ନା ହୋଇ ମଧ୍ୟ ନିଆରା ସମ୍ପର୍କ ରେ ବାନ୍ଧି ହୋଇ ଯାଇଥିଲେ ଉଭୟ।ପରସ୍ପରର ସୁଖ ଦୁଃଖ ର ଭାଗିଦାରୀ ହୋଇ ଜୀବନ ଅତିବାହିତ କରିବାର ପ୍ରତିଜ୍ଞା କରିଥିଲେ ଉଭୟ।ପରସ୍ପର ର ପ୍ରେରଣା ସାଜି ଥିଲେ ଉଭୟ।ଜୀବନ ଝଡ କୁ ଖାତିର ନ କରି ସଂଘର୍ଷ ଜାରି ରଖି ଚାଲିଥିଲେ।କାଳିଆ ସାଆନ୍ତ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ି ଚାଲିଥିଲେ ଇଭା ଓ ପ୍ରିୟା ନିଜ ନିଜ ଉଦ୍ଦେଶ୍ୟ ସାଧନ କରିବାରେ। ଦେଖାଇ ଦେଇଥିଲେ ଏଇ ସମାଜ ଏଇ ଦୁନିଆ କୁ ସମ୍ପର୍କ ଯେ ଖାଲି ରକ୍ତ ର ହେବା ନିଜ ଜାତି ର ହେବା ନିଜ ବୟସର ହେବା ଜରୁରୀ ନୁହେଁ। ସମ୍ପର୍କ କେବଳ ହୃଦୟର ହେବା ଦରକାର, ନିଆରା ହେବା ଦରକାର। ସବୁ ପ୍ରତିଘାତ ରେ ସାଥିରେ ରହିବା ଦରକାର।


Rate this content
Log in

Similar oriya story from Fantasy