ରାକ୍ଷୀ (କେତୋଟି ସ୍କେଚ)
ରାକ୍ଷୀ (କେତୋଟି ସ୍କେଚ)
୧ମ:-
ଆଲୋ ହେ ପୋଡ଼ାମୁହିଁ ତୋର ସେ ଭିକାରୀ ଭାଇକୁ କହିଦେବୁ ଟିଭି , ପ୍ରିଜ୍ ନ ଦେବା ଯାଏଁ ତୁ ତୋ ବାପଘର ଦୁଆର ମାଡ଼ି ପାରିବୁନି କି ସେ ବି ଏ ଘର ଦୁଆରକୁ ଉଠି ପାରିବ ନାହିଁ । କହିଲା କଣ ନା ଆଜି ରାକ୍ଷୀ ପୂର୍ଣ୍ଣିମା.....! ଉଁ ସତେ ଯେମିତି ଭାଇ ପାଟ ଶାଢ଼ୀ ନହେଲେ ସୁନା ଚୁଡ଼ି ନହେଲେ ବିଡ଼ା ବିଡ଼ା ଟଙ୍କା ଦେଇ ଦେବ ! ରଖ ବେ ତୋ ରାକ୍ଷୀ । ମୋ ଝିଅ ମାନେ ଆସିବେ ସକେଇ ନ ହେଇ ଯାଆ ଭଲରେ ରନ୍ଧା ବଢ଼ା କର । ଆଲାଜୁକି କହିଲା କଣ ଭାଇ ହାତରେ ରାକ୍ଷୀ ବାନ୍ଧିବ ! ଆଖି ଲୁହକୁ ଚିରା କାନିରେ ପୋଛି ଦେଇ ରୋଷେଇ ଘରକୁ ଯିବା ବେଳକୁ ରୂପା ଭାବୁଥିଲା ଏଇ କେଇ ଖଣ୍ଡ ନିର୍ଜୀବ ଜିନିଷ କଣ୍ ଭାଇ ଭଉଣୀର ସ୍ନେହରେ ପ୍ରାଚୀର ଠିଆ କରିଦେଇ ପାରେ.....
୨ୟ:-
ହେଇଟି ଶୁଣୁଛ...ତୁମକୁ ଭଲରେ କହିଦେଉଛି ବାପା ସେ ରାସ୍ତା କଡ ଜମି ଆମ ନାଁ ରେ ନ କରିବା ପର୍ଯ୍ୟନ୍ତ ତୁମ ସୁନାନାକୀ ଭଉଣୀ ସହ ଆମର କୌଣସି ସମ୍ପର୍କ ନାହିଁ । ବୁଢ଼ାକୁ ଫୁସୁଲା ଫୁସୁଲି କରି ଜମି ଖଣ୍ଡକ ନିଜ ନାଁ ରେ କରି ଦେଇ ସକାଳୁ ଆଜି ଫୋନ୍ କରି କହୁଛି କଣ୍ ନା ଭାଇ ଆସିବେ କେତେବେଳେ ! ଆହା...ଭାଇ ପାଇଁ ସରାଗ ଝରି ଯାଉଛି ! ଏଇ ଦଶ କୋଡ଼ିଏ ଟଙ୍କିଆ ରାକ୍ଷୀ ପାଇଁ ମନ ଉଚ୍ଛନ୍ନ । ଦେଖୁନ ଏଠି ଗୋଟେ ମୂର୍ଖ ଲୋକ କେମିତି ସକାଳୁ ସେ ଘର ଭିତରେ ପଶିଛି ଯେ ପଶିଛି...ମୋ ପୋଡ଼ା ଭାଗ୍ୟ ଲୋ ମା..କାହାକୁ କହିବି ! ସୁଲୋଚନାଙ୍କ କଥା ଗୁଡାକ ତୀର ପରି ପଶୁଥିଲା ଶାନ୍ତନୁଙ୍କ ଛାତିରେ । ବନ୍ଦ କୋଠରୀ ଭିତରେ ନିଜ ଶୂନ୍ୟ ହାତକୁ ଦେଖି ଶାନ୍ତନୁ ଭାବୁଥିଲେ ସାମାନ୍ୟ ଖଣ୍ଡେ ଜମି କଣ୍ ଭାଇ ଭଉଣୀର ବନ୍ଧନ ଭିତରେ ଲକ୍ଷ୍ମଣରେଖା ଆଙ୍କି ପାରେ.....
୩ୟ:-
ଆଲୋ ରହ ରହ ଯାଉଛୁ କୁଆଡେ ! ଚିହ୍ନା ନାହିଁ ଜଣା ନାହିଁ....କଣ୍ ଏମିତି ଭିତରକୁ ଧାଇଁ ଆସୁଛୁ ! ମୋ ଚାକିରି ଖାଇବୁ ନା କଣ ! ଗେଟ୍ ଭିତରକୁ ଯାଉଥିବା ମିତାର ହାତ ଧରି ଅଟକାଇ ଦେଲା ଜଗୁଆଳୀ । ମୋ ଭାଇ....ମୋ ଭାଇ.... ବୋଲି ଡାକି ଡାକି ଥକ୍କା ମାରି ବସି ପଡ଼ିଲା ମିତା । ଅନେକ ସମୟ ବିତିଲା । ବାହାରେ ଦେଖେଣାହାରୀଙ୍କ ଭିଡ଼ ଲାଗିଥାଏ । ବନ୍ଦ କବାଟ ପାଖରୁ କେହି ଜଣେ କହିଲା "ହରିଆ ସେ ପାଗଳୀକୁ ଟଙ୍କା ଶହେ ଦେଇ ଦେଇ ଯିବାକୁ କହ...କେହି ଭାଇ ନାହିଁ ଏଠି ତାର...କୁଆଡୁ ଆସି ଏଠି ଗୋଟେ ତାମସା ଚଲେଇଛି । ମାନମହତ ସବୁ ଖାଇଲା ମୋର ।" ଫେରିଯିବାକୁ ବାହାରିବା ବେଳକୁ ଅଜଣା ହାତଟିଏ ଆଗେଇ ଆସିଲା ମିତା ପାଖକୁ । ତୁମେ ମୋ ହାତରେ ରାକ୍ଷୀ ବାନ୍ଧିବ ! ପାପୁଲି ଝାଳରେ ବତୁରି ଯାଇଥିବା ରାକ୍ଷୀକୁ ସେଇ ଅଜଣା ହାତରେ ବାନ୍ଧିବା ବେଳେ ମିତା ଭାବୁଥିଲା ଭାଇ କଣ୍ ଭଉଣୀକୁ ଭୁଲି ଯାଇ ପାରେ......
