STORYMIRROR

Amrita Dash

Romance

3  

Amrita Dash

Romance

ଶ୍ରାବଣର ଶ୍ରାବଣୀ

ଶ୍ରାବଣର ଶ୍ରାବଣୀ

5 mins
128

ସକାଳୁ ସକାଳୁ ବର୍ଷା ଟା ଏତେ ଜୋର୍ ରେ ହେଉଛି ଯେ ଘରୁ ବାହାରିବା ଅସମ୍ଭବ।ସତେ ଯେପରି ଆକାଶ ନିଜ ମନରେ ଅନେକ ଦିନରୁ ଚାପି ରଖିଥିବା ଅଭିମାନ ସବୁକୁ ବର୍ଷାର ରୂପ ଦେଇ ଝରାଇ ଚାଲିଛି ଧରଣୀ ବକ୍ଷରେ।ଗଛଲତା ସବୁ ଶାଗୁଆ ରଙ୍ଗରେ ରଙ୍ଗାୟିତ।ସତେ ଅବା ପୃଥିବୀ ଦେହେ କେହି ଜଣେ ଶାଗୁଆ ରଙ୍ଗର ଚାଦର ଢାଙ୍କି ଦେଇଛି।ଏଇ ବର୍ଷା ତ ଶ୍ରାବଣ ଆସିବାର ବାର୍ତ୍ତା ବହନ କରି ଅବିରତ ଝରି ଚାଲିଛି ସକାଳୁ।ଝରକା ରେଲିଂ ଡେଇଁ ଭିତରକୁ ପ୍ରବେଶ କରୁଥିବା ବର୍ଷା ଛିଟାକୁ ରୋକିବାର ପ୍ରୟାସ କରୁ କରୁ ସୀମାକୁ ଫୋନ୍ ଲଗାଇ ଅଫିସ୍ ଯିବାକୁ ମନା କରିଦେଲା ଶ୍ରାବଣୀ।ଏକୁଟିଆ ମଣିଷଟା ସେ।ଘରେ ଅବା କେତେ ଜା କାମ।ସବୁ ସାରିଦେଇ ବସି ପଡିଲା ବାଲକୋନୀ ଚେୟାରରେ।

           ବର୍ଷା ସେମିତି ଅବିରତ ବରଷି ଚାଲିଥାଏ।ବର୍ଷାର ରିମ୍ ଝିମ ଶବ୍ଦରେ ହଜି ଯାଇଥାଏ ଶ୍ରାବଣୀ ନିଜ ଭାବନା ଦୁନିଆଁରେ।ଦିନ ଥିଲା ଏଇ ଶ୍ରାବଣୀ ଶ୍ରାବଣ ଆସିଲେ ପାଗଳି ପ୍ରେମିକା ସାଜି ଯାଏ। ଖୁବ୍ ଭିଯାଏ ନିଜକୁ ଶ୍ରାବଣର ବାରିଧାରା ରେ।କିନ୍ତୁ ବର୍ଷାକୁ ଭଲ ପାଉଥିବା ଝିଅଟିଏ ନିଜକୁ ବର୍ଷା ଠାରୁ ଦୂରେଇ ରଖିଛି ଦୀର୍ଘ ୩ବର୍ଷ ହେଲାଣି। ଅନ୍ତରର କୋହକୁ ଅଟକାଇ ରଖିବାର ବେଶ୍ ପ୍ରୟାସ ଜାରି ରଖିଛି ଶ୍ରାବଣୀ ଆଜକୁ ଦୀର୍ଘ ୩ ବର୍ଷ ହେଲା। ଛାତରୁ ଟପ୍ ଟପ୍ ଶବ୍ଦ କରି ଝରି ଚାଲିଥାଏ ଶ୍ରାବଣର ବର୍ଷା ଆଉ ଶ୍ରାବଣୀ ଓଲଟାଇ ଚାଲିଥିଲା ଅତୀତର ପୃଷ୍ଠା ପରେ ପୃଷ୍ଠା।

        ପିଲା ଦିନରୁ ହିଁ ଶ୍ରାବଣୀ ମନରେ ଶ୍ରାବଣ ପାଇଁ ଏକ ନିଆରା ଆବେଗ। ତା ପାଗଳାମି ଦେଖି ପରିବାର ଲୋକେ ସାହି ପଡିଶା ସଭିଏଁ କୁହନ୍ତି ଏ ଝିଅ ଶ୍ରାବଣରେ ଜନ୍ମ ହେଲାନି ଯେ ଶ୍ରାବଣର ପାଗଳି ପ୍ରେୟସୀ ସାଜି ଜନ୍ମ ହେଲା।ନିଜ ନାଁ କୁ ଶ୍ରାବଣ ସହ ଯୋଡ଼ି ହେବାର ଶୁଣି ଦେଲେ ହିଁ ଶ୍ରାବଣୀ ମନରେ ଏକ ଭିନ୍ନ ଭାବନା ଜାଗ୍ରତ ହୁଏ।ବର୍ଷ ତମାମ ଚାତକ ପରି ଅନାଇ ବସେ ଶ୍ରାବଣୀ ଶ୍ରାବଣର ଆସିବା ବାଟକୁ।ଶ୍ରାବଣ ଆସିଗଲେ ସତେ ଯେପରି ନିଜ ପ୍ରିୟ ମଣିଷକୁ ଅତି ନିକଟରେ ପାଇବା ପରି ଖୁସି ହୋଇଯାଏ ଶ୍ରାବଣୀ। ମେଘାଛନ୍ନ ଆକାଶ ଦେଖି ମୟୂର ନାଚିବା ପରି ଶ୍ରାବଣୀ ବି ଝୁମି ଉଠେ ଶ୍ରାବଣର ବାରି ଧାରାରେ। ନୃତ୍ୟରତ ନର୍ତ୍ତକୀ ଯେପରି ଘୁଙ୍ଗୁର ଦେଖି ନିଜ ଉତ୍କଣ୍ଠାକୁ ଅଟକାଇ ପାରେ ନାହିଁ ଠିକ୍ ସେମିତି ଶ୍ରାବଣ ଆସିଲେ ଶ୍ରାବଣୀ ନିଜ ଭାବନା ନିଜ ଆବେଗ କୁ ରୋକି ପାରେନା।ଖୁବ୍ ଭିଜେ।ତନୁ ମନ ଭିଜେଇ ଦେଇ ଏକ ଅଜଣା ପୁଲକ ଅନୁଭବ କରେ ଶ୍ରାବଣୀ।ସିକ୍ତ ମାଟିର ବାସ୍ନାରେ ନିଜକୁ ହଜାଇ ଦିଏ ଶ୍ରାବଣୀ।

        ବାପା ବୋଉ ସାଙ୍ଗ ସାଥି ସାହି ପଡିଶା ସମସ୍ତେ ବେଳେବେଳେ ରାଗି ଯାଆନ୍ତି ଶ୍ରାବଣୀ ଉପରେ କେବଳ ଏଥି ପାଇଁ।ଯେବେବି ଶ୍ରାବଣର ବାରି ଧାରା ଝରିଯାଏ ପୃଥିବୀ ଦେହରେ ଶ୍ରାବଣୀ ଭିଜି ଚାଲେ ସେଇ ସମୟରେ।ଦେହ ଖରାପ ରେ ପଡେ।ବାବା ବୋଉଙ୍କ ଠାରୁ ଖୁବ୍ ଗାଳି ବି ଶୁଣେ କିନ୍ତୁ ନିଜକୁ ବଦଳାଇ ପାରେନି ଶ୍ରାବଣୀ।ସାଙ୍ଗ ମହଲରେ ତ ସେ ଶ୍ରାବଣର ପ୍ରିୟା ନାମରେ ଖ୍ୟାତ।କାହିଁକି କେଜାଣି ତାକୁ ଭାରି ଭଲ ଲାଗେ ସାଙ୍ଗ ମାନଙ୍କର ଏପରି ଥଟ୍ଟା ତାମସା।ଈଶ୍ୱର ବୋଧହୁଏ ତାକୁ ଶ୍ରାବଣରେ ଏଇ ଧରାକୁ ଆଣି ତା ମନରେ ଜାତ କରିଦେଇଥିଲେ ଶ୍ରାବଣ ପ୍ରତି ଅହେତୁକ ଦୁର୍ବଳତା।ଶ୍ରାବଣ ବି ତାକୁ ଖୁବ୍ ଭଲ ପାଏ।ଶ୍ରାବଣୀ ଭିଜିବାର ଦେଖିଲେ ଖୁବ୍ ଜୋରରେ ବର୍ଷା କୁ ଝରାଇ ଚାଲେ।ସତେ ଯେମିତି ଏକ ନିଆରା ସମ୍ପର୍କ ଗଢ଼ିଥିଲା ଦୁହିଁଙ୍କ ଭିତରେ।

      ଶ୍ରାବଣକୁ ଭଲ ପାଇ ଜୀବନ ବାଟରେ ଆଗକୁ ବଢ଼ି ଚାଲିଥାଏ ଶ୍ରାବଣୀ। ୨୦ଟି ଶ୍ରାବଣ ଅତିକ୍ରମ କରି ଯେଉଁ ବର୍ଷ ସେ ୨୧ତମ ଶ୍ରାବଣରେ ଭିଜିବାକୁ ମନ ବଳେଇ ଥିଲା ଠିକ୍ ସେଇ ବର୍ଷ ତା ଜୀବନ ପରିଧି ଡେଇଁ ସମୀର ପ୍ରବେଶ କରିଥିଲା।ସମୀର ର ପ୍ରେମ ବର୍ଷାରେ ଭିଜି ଭିଜି ଶ୍ରାବଣୀ ଦୂରେଇ ଯାଉଥିଲା ଶ୍ରାବଣର ପ୍ରେମ ଠାରୁ।ସେ ବର୍ଷ ଶ୍ରାବଣର ବର୍ଷା ଧାରାରେ ଭିଜିବା ଅପେକ୍ଷା ଶ୍ରାବଣୀ ବେଶୀ ଭିଜିଥିଲା ସମୀର ର ପ୍ରେମ ବର୍ଷାରେ।ଶ୍ରାବଣୀ ଜାଣି ପାରି ନଥିଲା କେତେବେଳେ ତା ହୃଦୟରେ ସମୀର ସମସ୍ତ ସ୍ଥାନ ଅକ୍ତିଆର କରି ନେଲା।ସବୁ ବର୍ଷ ପରି ସେ ବର୍ଷ ବି ଶ୍ରାବଣ ଫେରିଗଲା ଯଥା ସମୟରେ କିନ୍ତୁ ଶ୍ରାବଣୀ ସବୁଥର ପରି ଦୁଃଖୀ ନହୋଇ ଭିଜି ଚାଲିଥିଲା ସମୀର ର ପ୍ରେମ ବାରି ଧାରାରେ।କିନ୍ତୁ ଶ୍ରାବଣ ରେ ଆସିଥିବା ପ୍ରେମିକ ସମୀର ବଦଳି ଗଲା ଫଗୁଣରେ।

      ବଡ ଘର ପୁଅ ସେ।ଚାକିରି ବି କରିଥିଲା।ସେ ବା କାହିଁ ଶ୍ରାବଣୀ ପରି ଗରିବ ସହ ବେଶୀ ଦିନ ସମ୍ପର୍କର ଡୋରି ବାନ୍ଧି ରଖିଥାଆନ୍ତା।ତାକୁ ମିଳିଗଲା କେହି ବଡ ଘର ଝିଅ ଆଉ ତାପରେ ଶ୍ରାବଣୀର ଅନାବିଳ ପ୍ରେମକୁ ପାଦରେ ଆଡେଇ ସେ ଚାଲିଗଲା ତା ବାଟରେ ସ୍ଵଳ୍ପ ସମୟ ଭିତରେ ଶ୍ରାବଣୀ ହୃଦୟରେ ଅସଂଖ୍ୟ ଆଶା ଭରି ଦେଇ।ଫଗୁଣର ଅବିର ବୋଳି ହୋଇଥିଲା ଧରଣୀ କିନ୍ତୁ ଶ୍ରାବଣୀର ଜୀବନ ବେରଙ୍ଗ ହୋଇ ଯାଇଥିଲା।ସେ ବର୍ଷ ବି ଶ୍ରାବଣ ଆସିଲା ସାଙ୍ଗରେ ଆଣିଥିଲା ବର୍ଷାର ଜୁଆର।ନିଜ ପ୍ରେୟସୀ ଶ୍ରାବଣୀ ଆଖିରୁ ଝରି ଯାଇଥିବା ଲୁହର ଦାଗ ଲିଭାଇ ଦେବା ପାଇଁ ଖୁବ୍ ବରଷି ଦେଲା ନିଜ ବାରି ଧାରାକୁ।ଶ୍ରାବଣୀ ମନରେ କିନ୍ତୁ ଆଉ ପୂର୍ବ ପରି ଉନ୍ମାଦ ନଥିଲା।ଆଉ ସେ ଶିହରୀଉଠୁ ନଥିଲା ଶ୍ରାବଣର ବାରି ଧାରା ଛୁଆଁରେ।ସଦା ଚୁଲବୁଲି ଝିଅଟି କେମିତି ଏକ ନୀରବତାକୁ ଆପଣେଇ ନେଉଥିଲା।

      ଶ୍ରାବଣୀକୁ ଖୁସି କରିବା ପାଇଁ ଶ୍ରାବଣ ଖୁବ୍ ପ୍ରୟାସ କରୁଥିଲା।ବେଶ୍ ଭିଜାଉଥିଲା ଧରଣୀ ରାଣୀକୁ।ଲାଲ ଟୁକୁଟୁକୁ ସାଧବ ବୋହୂ ମାନଙ୍କର ଧାଡ଼ି ବି ଲାଗୁଥିଲା ଯାହାକୁ ଧରିବାକୁ ଦିନେ ଶ୍ରାବଣୀ ତିନ୍ତି ତିନ୍ତୀ ବୁଲୁଥିଲା ଗାଁ ସାରା,ପୋଖରୀ କୂଳ ସାରା।ଶ୍ରାବଣର ଏତେ ସବୁ ପ୍ରୟାସ ଦେଖି ଦେଖି ଶ୍ରାବଣୀ ନିଜକୁ କିଛି ମାତ୍ରାରେ ବଦଳାଇବାକୁ ପ୍ରଚେଷ୍ଟା କରିବା ବେଳେ ସେଦିନ ଶ୍ରାବଣର ମେଘ ଅନ୍ଧାର ରାତ୍ରୀ ତା ଜୀବନର କାଳ ରାତ୍ରି ସାଜିଲା।ବାଟରେ ଏକ ସଡ଼କ ଦୁର୍ଘଟଣାରେ ବାପା ବୋଉ ଉଭୟ ଚାଲି ଗଲେ ଆରପାରିକୁ ଶ୍ରାବଣୀକୁ ସବୁଦିନ ପାଇଁ ଅନାଥିନୀ କରିଦେଇ।ଯେଉଁ ଶ୍ରାବଣକୁ ସେ ଭଲ ପାଉଥିଲା ସେ ଶ୍ରାବଣ ଯେ କେବେ ତା ଜୀବନରେ ଏତେ ବଡ ଦୁଃଖ ଆଣିଦେବ କଳ୍ପନାତୀତ ଥିଲା ତାହା ଶ୍ରାବଣୀ ପାଇଁ। ବାସ୍ ସେବେ ଠାରୁ ଶ୍ରାବଣୀ ନିଜକୁ ସଂପୂର୍ଣ୍ଣ ଦୂରେଇ ଦେଲା ଶ୍ରାବଣର ଛୁଆଁରୁ।ବଦଳାଇ ଦେଲା ସହର ଅତୀତର ତିକ୍ତ ଅନୁଭୂତିରୁ ଦୂରେଇ ଯିବା ପାଇଁ।

      କେବେ ଦିନେ ଶ୍ରାବଣର ପାଗଳି ପ୍ରିୟତମା ସାଜିଥିବା ଶ୍ରାବଣୀ କିନ୍ତୁ ଏଥର ଦୂରେଇ ରହୁଥିଲା ଶ୍ରାବଣ ପାଖରୁ।ନିଜ ପ୍ରେୟସୀକୁ ମନାଇବା ପାଇଁ ଶ୍ରାବଣ ପ୍ରତି ବର୍ଷ ଆସୁଥିଲା କିନ୍ତୁ ଶ୍ରାବଣୀକୁ ଭିଜେଇ ନପାରି ଫେରି ଯାଇଥିଲା ଏକ ଭାରାକ୍ରାନ୍ତ ମନ ନେଇ।ଶ୍ରାବଣୀକୁ ନିଜ ବାରି ଧାରାରେ ଭିଜେଇବା ପାଇଁ ଶ୍ରାବଣ ଅତିଷ୍ଠ ହୋଇ ଉଠୁଥିଲା।ଖୁବ୍ ବରଷି ଯାଉଥିଲା ନିଜ ପ୍ରିୟାର ବିରହରେ।ଶ୍ରାବଣୀ କିନ୍ତୁ ଯଥା ସାଧ୍ୟ ପ୍ରୟାସ କରୁଥାଏ ନିଜକୁ ଦୂରେଇ ରଖିବାକୁ ଶ୍ରାବଣର ପ୍ରେମ ସ୍ପର୍ଶରୁ।ଅତୀତର ରୋମନ୍ଥନରେ ଶ୍ରାବଣୀ ଆଖିରୁ ଝରି ଯାଉଥିବା ଲୋତକ ବିନ୍ଦୁକୁ ପୋଛି ଦେବା ପାଇଁ ହଠାତ୍ ଦଲକାଏ ଶୀତଳ ପବନ ସହ କିଛି ବର୍ଷା ଛିଟା ମାଡ଼ ହେଲା ଆସି ତା ମୁହଁରେ।ଲାଗୁଥିଲା ସତେ ଯେମିତି ଶ୍ରାବଣ ତା ପ୍ରିୟା ଆଖିରୁ ଲୋତକର ଧାର ଲିଭାଇ ଦେବାର ପ୍ରୟାସ କରୁଥାଏ।ଶିହରୀ ଉଠିଲା ଶ୍ରାବଣୀ ଦୀର୍ଘ ବ୍ୟବଧାନରେ ଶ୍ରାବଣର ସ୍ପର୍ଶ ପାଇ।

      ହଠାତ୍ ଲାଗିଲା କେହି ଯେପରି ଶ୍ରାବଣୀର କାନ ପାଖରେ ଆସି କହି ଯାଉଥାଏ ଆଉ କେତେ ଦିନ ନିଜକୁ ଦୂରେଇ ରଖିବୁ ମୋ ଠାରୁ।ଆଉ କେତେ ଦିନ ଅତୀତକୁ ଜାବୁଡ଼ି ରଖିବୁ।ଆଉ କେତେ ଦିନ ପର୍ଯ୍ୟନ୍ତ ନିଜ ଓଠରେ ମିଛ ହସର ଧାର ଖେଳାଇ ଅଭିନୟ କରିବୁ। ଚମକି ଉଠିଲା ଶ୍ରାବଣୀ।କାହିଁ କେହି ତ ନାହିଁ ଏଠି! ପୁଣି ଶୁଭିଲା ତୁ ପରା ମୋର ପ୍ରେମିକା ମୁଁ ପରା ତୋର ପ୍ରଥମ ପ୍ରେମ ଥିଲି ଶ୍ରାବଣୀ ତାହେଲେ କାହିଁକି ସମୀରର ପ୍ରେମରେ ଭିଜି ମୋତେ ନିଜ ଠାରୁ ଦୂରେଇ ଦେଇଥିଲୁ ? ଚିତ୍କାର କରି ଉଠିଲା ଶ୍ରାବଣୀ।ହଁ ସେଥିପାଇଁ ତ ତୁ ମୋ ଠାରୁ ଦୂରେଇ ନେଲୁ ବାବା ବୋଉଙ୍କୁ।ତୋ ଠାରୁ ଦୂରେଇ ଯିବାର ପ୍ରତିଶୋଧ ତ ତୁ ନେଇ ସାରିଛୁ।ତାହେଲେ ଏବେ ଆଉ କାହିଁକି ମୋ ଲୁହ ଧୋଇବାର ପ୍ରୟାସ କରୁଛୁ ତୁ ? ମୋତେ ଏମିତି ଏକୁଟିଆ ଜଳିବାକୁ ଦେ ମରିବାକୁ ଦେ।ମୁଁ ତୋ ଠାରୁ ଦୂରେଇ ଯାଇଛି ତୁ ବି ମୋ ଠାରୁ ଦୂରେଇ ଯାଆ।

      ଧୀରେ ଧୀରେ ବର୍ଷାର ବେଗ ବଢ଼ିବାକୁ ଲାଗିଲା।ଶ୍ରାବଣ ଯେପରି ତାକୁ କହୁଥିଲା ମୁଁ ଆଉ ତୋ ଠାରୁ ଦୂରେଇ ରହିପାରୁ ନାହିଁ ଶ୍ରାବଣୀ।ତୁ ନ ଭିଜିଲେ ମୁଁ ଯେତେ ବରଷିଲେ ସୁଦ୍ଧା ଅଧୁରା ରହି ଯାଉଛି ଶ୍ରାବଣୀ।ଥରେ ଏଇ ଶ୍ରାବଣର ବାରି ଧାରାରେ ନିଜକୁ ଭିଜେଇ ଦେ ଆଗ ଭଳି।ଆଉ ନିଜକୁ ଅଟକାଇ ପାରିଲା ନାହିଁ ଶ୍ରାବଣୀ।ଧାଇଁ ଗଲା ଛାତ ଉପରକୁ।ଖୁବ୍ ଭିଜିଲା ବର୍ଷାରେ।ଶ୍ରାବଣର ବର୍ଷା ଧାରାରେ ଝରାଇ ଚାଲିଥିଲା ନିଜ ହୃଦୟର ସମସ୍ତ ଅକୁହା ବେଦନାକୁ ଲୁହର ରୂପ ଦେଇ।ଏତେ ଦିନ ପରେ ନିଜ ପ୍ରେୟସୀକୁ ଭିଜେଇବାର ସୁଯୋଗ ପାଇ ଶ୍ରାବଣର ବାରିଧାରା ବି ଝରି ଚାଲିଥିଲା ଅବିରତ।ପ୍ରତିଟି ବର୍ଷା ବିନ୍ଦୁ ଧୋଇ ଚାଲିଥିଲା ଶ୍ରାବଣୀ ନୟନରୁ ଝରି ଆସୁଥିବା ଅଶ୍ରୁକୁ।ବୋଧହୁଏ ପୁଣି ଥରେ ଜୀବନ ଫେରି ପାଉଥିଲା ଦୁହିଁଙ୍କ ଅନାବିଳ ଶାଶ୍ଵତ ବନ୍ଧନ।


Rate this content
Log in

Similar oriya story from Romance