ଏକ ଅସମାହୀତ ପ୍ରଶ୍ନ
ଏକ ଅସମାହୀତ ପ୍ରଶ୍ନ
ପ୍ରକୃତିର ନିଆରା ସୌନ୍ଦର୍ଯ୍ୟକୁ ଉପଭୋଗ କରି ମୁଁ ଫେରୁଥିଲି ଘରକୁ। ଦୀର୍ଘ ବ୍ୟବଧାନରେ ପିଲା ଦିନର ଗୋଟେ ସାଙ୍ଗକୁ ଦେଖିବାକୁ ପାଇଲି।ତାକୁ ଦେଖି ବାଲ୍ୟ ସମୟର ସେଇ ଖଟା ମିଠା ସ୍ମୃତି ସବୁ ଦୃଶ୍ୟମାନ ହେଉଥିଲା।ବହୁତ୍ ଦିନ ପରେ ଜୀବନ୍ତ ହେଉଥିଲେ ପିଲା ଦିନର ସ୍ମୃତି ସବୁ।ମନରେ ଏକ ଅଫୁରନ୍ତ ଖୁସି।ଭିଡ ଆଡେଇ ଦୁଇ ପାଦ ମୋର ଆଗକୁ ବଢିଥିଲେ ତା ପାଖରେ ପହଞ୍ଚିବା ପାଇଁ।କିନ୍ତୁ ସେ ମୋତେ ଦେଖି ସୁଦ୍ଧା ଅଣଦେଖା କରି ଚାଲିଗଲା ତା ବାଟରେ।ଆଗକୁ ବଢ଼ୁଥିବା ପାଦ ଦୁଇଟି ମୋର ହଠାତ୍ ଅଟକି ଗଲେ କେଉଁ ଏକ ଅଜଣା ଆବେଗରେ।ମନ ପ୍ରଦେଶରେ ଉଙ୍କି ମାରୁ ଥିଲା ଅନେକ ପ୍ରଶ୍ନ।
ସେ କଣ ମୋତେ ଚିହ୍ନି ପାରିଲା ନାହିଁ?ନା ସେ ମୋତେ ଦେଖି ପାରିଲା ନାହିଁ?କିନ୍ତୁ ଏମିତି କେମିତି ହେବ ! ସେ ତ ମୋତେ ଅତିକ୍ରମ କରି ଚାଲିଗଲା।ସାମାନ୍ୟ ନଜର ବି ତ ପଡ଼ିଥିବ ତା'ର କାରଣ ମୁଁ ତ ତା'ର ଦୃଷ୍ଟିସୀମା ପରିସର ଭିତରେ ହିଁ ଥିଲି।ତାହେଲେ ସେ ମୋତେ ଦେଖି ସୁଦ୍ଧା ଅଣଦେଖା କରିବାର କାରଣ କଣ ହୋଇପାରେ?ଏମିତି ଅନେକ ପ୍ରଶ୍ନର ଅଡ଼ୁଆ ସୂତାରେ ଛନ୍ଦି ହୋଇ ଯାଉଥିଲି ମୁଁ।
ଭାରାକ୍ରାନ୍ତ ହୃଦୟକୁ ବୁଝାଇବା ପାଇଁ କିଛି ମୁହୂର୍ତ୍ତ ନିରୋଳାରେ ଯାଇ ବସି ପଡ଼ିଲି ଛାତର ଏକ କୋଣରେ।ପଶ୍ଚିମ ଆକାଶେ ସୂର୍ଯ୍ୟ ବୁଡି ସାରିଥିଲେ।ବାସ୍ ଦୂର ଦିଗବଳୟରେ କିଛି ଝାପ୍ସା ଝାପ୍ସା ପ୍ରତୀତ ହେଉଥିଲା ସୂର୍ଯ୍ୟଙ୍କର ଗେରୁଆ ବସ୍ତ୍ର।କିଛି ସମୟ ଆଗରୁ ଅପୂର୍ବ ଦୃଶ୍ୟମାନ ହେଉଥିବା ପ୍ରକୃତିର ସୌନ୍ଦର୍ଯ୍ୟ ଧୀରେ ଧୀରେ ଫିକା ପଡି ଆସୁଥିଲା।ମନ ଭିତରେ ଚାଲିଥିଲା ଭାବନା ମାନଙ୍କର ତୀବ୍ର ଆନ୍ଦୋଳନ। ବାହ୍ୟ ପରିବେଶରେ କିନ୍ତୁ ଏକ ଅସମ୍ଭବ ପ୍ରକାର ନୀରବତା।
ପ୍ରଶ୍ନ ସବୁର ଉତ୍ତର ପାଇବା ଉଦ୍ଦେଶ୍ୟରେ ଓଲଟାଇ ଚାଲିଥିଲି ଅତୀତର ପୃଷ୍ଠାକୁ ଗୋଟି ଗୋଟି କରି।ଖୋଜି ଦେଲି ସେ ସ୍ମୃତି ସବୁର କୋଣ ଅନୁକୋଣ।କାହିଁ କେଉଁଠାରେ ବି ତ ପ୍ରତୀତ ହେଲା ନାହିଁ ଏମିତି କିଛି ଘଟଣା ଯାହା ତା ସହ ମୋର ବନ୍ଧୁତାରେ ଫାଟ ଆଣି ଦେଲା।ବ୍ୟବହାରର କାରଣ ! ହଠାତ୍ ଭାବନା ମୋର ଅଟକି ଗଲା ସେତିକିରେ।ଖୋଜି ପାଇଗଲି ମୁଁ ସବୁ ପ୍ରଶ୍ନର ଉତ୍ତର। ମନେ ପଡିଗଲା ସେ ପରା ଏବେ ରାଜମହଲର ରାଣୀ।ସମୟ ସାଥେ ତାଳ ଦେଇ ବଦଳି ଯାଇଥିଲା ତାର ବେଶ ପରିପାଟୀ। ବ୍ୟବହାର ବି ଏତେ ବଦଳି ଯାଇଥିବ ତାହା ଥିଲା ମୋର ଆଶାତୀତ।
ଦେବଦାରୁ ଗଛ ଦେହେ ବୁଲୁଥିଲା ଏଣ୍ଡୁଅଟିଏ।ବଦଳାଇ ଦେଉଥିଲା ତା ଦେହର ରଙ୍ଗ ପରିବେଶ ଅନୁସାରେ।ଠିକ୍ ଏତିକିବେଳେ ମନ ମୋର କହୁଥିଲା ଦେଖ ଦେଖ ଏଠି ସମସ୍ତେ କେମିତି ସମୟ ଓ ପରିବେଶ ସହ ତାଳ ଦେଇ ବଦଳାଇ ଦିଅନ୍ତି ନିଜ ରଙ୍ଗ।କିନ୍ତୁ ତୁ ନିଜକୁ ବଦଳାଇ ପାରୁନୁ ବୋଲି ତ ଆଜି ଏକୁଟିଆ ରହିଛୁ।ଆଉ ମୁଁ ନୀରବରେ ଭାବୁଥିଲି ସତରେ କଣ ମୁଁ ଏଥର ସମୟ ସହ ବଦଳି ଯିବା ଆବଶ୍ୟକ....?
