ଅନାଥ
ଅନାଥ
ମିତା ମନରେ ଉଠୁଥିବା କୋହ ସବୁକୁ ହୃଦୟର ଆବେଗ ସବୁକୁ ନିୟନ୍ତ୍ରିତ କରି ନିଜ ଅକ୍ତିଆରକୁ ଆଣିବାକୁ ବାରମ୍ବାର ପ୍ରୟାସ କରି ସୁଦ୍ଧା ବିଫଳ ହୋଇ ଚାଲିଥିଲା ସକାଳୁ ସକାଳୁ।ଜୀବନରେ ଏମିତି ବିଚଳିତ ପରିସ୍ଥିତି ଅନେକ ଥର ଆସିଛି କିନ୍ତୁ ସବୁଥର ସେ ନିଜକୁ ଯଥା ମତେ ସମ୍ଭାଳି ନିଏ।ଅନେକ ଦୁଃଖ ଅନେକ ସଂଘର୍ଷର ସାମ୍ନା କରିଛି ସେ କିନ୍ତୁ କାହିଁକି କେଜାଣି ଆଜି ହାତରେ ଚିଠିଟା ପଡ଼ିବା ପର ଠାରୁ ସତେ ଯେପରି ତା ମନ ଆକାଶରେ ଝଡ ଉଠିଛି। ଚିଠି ଉପରେ ଲେଖା ଥିବା ନାମ ଓ ଠିକଣା ଆଜି ଦୀର୍ଘ ବ୍ୟବଧାନରେ ପହଞ୍ଚାଇ ଦେଇଛି ମିତାକୁ ଅତୀତର ସେଇ ଅନ୍ଧକାର ଗଳିରେ ଯେଉଁ ବାଟକୁ ସେ ଭୁଲି ସାରିଥିଲା ଦୀର୍ଘ ବର୍ଷ ହେଲାଣି।
ଲେଖାଥିବା ନାମକୁ ଦେଖି ଚିଠି ଖୋଲିବାର ତିଳେ ହେଁ ଇଛା ନଥିଲେ ବି ଚିଠି ଉପରେ ଲେଖାଥିବା "ଜରୁରୀ" ଶବ୍ଦକୁ ଦେଖି ଚିଠି ଖୋଲିଲା ମିତା।ଦୀର୍ଘ ୧୦ବର୍ଷ ପରେ ସୁଧାକର ମଉସାଙ୍କ ଚିଠି ପୁଣି ମିତା ପାଖକୁ ବେଶ୍ ବିସ୍ମୟକର ଘଟଣା ଥିଲା ମିତା ପାଇଁ।ସଙ୍ଗେ ସଙ୍ଗେ ଯିବାକୁ ଲେଖିଛନ୍ତି ମଉସା।ମାନସୀ ମାଉସୀଙ୍କ ଦେହ ଖରାପ।ଖବରଟି ପଢି ଦେଇ ମିତାକୁ ଲାଗୁଥିଲା ଏଇ ଏବେ ଏବେ ଯେମିତି ସେ ଏକ ଉଲ୍କାପ୍ରାୟ ଖସି ପଡ଼ିବ ଆକାଶ କୋଳରୁ ଓ ପୃଥିବୀର କେଉଁ ଏକ ଅଜଣା ଅଂଶ ଦେଇଦେବ ତାକୁ ଆଶ୍ରୟ ସବୁଦିନ ପାଇଁ। ହଁ ସେ ତ ଏକ ଉଲ୍କାପରି ଥିଲା ସେ ଦୁହିଁଙ୍କ ପାଇଁ ଯାହାର ସମ୍ପର୍କ ନା ଥିଲା ସୁଧାକର ମଉସା ନାମ୍ନୀ ଆକାଶ ସହିତ ନା ମାନସୀ ମାଉସୀ ନାମ୍ନୀ ଧରଣୀ ସହିତ।ସେ ତ ଥିଲା ଏକ ଅଯାଚିତ ଯାତ୍ରୀ ଲକ୍ଷ୍ୟହୀନ ପଥିକ।
ବ୍ୟଗ୍ର ହୋଇଗଲା ମିତା ମାନସୀ ମାଉସୀ ପାଖକୁ ଯିବା ନିମନ୍ତେ। ୫ ବର୍ଷ ବୟସରେ ଅନାଥ ଆଶ୍ରମ ଛାଡି ଆସିଥିଲା ସେ ସୁଧାକର ମଉସାଙ୍କ ଘରକୁ ମାନସୀ ମାଉସୀ ସହିତ। ହେଲେ ଘରେ ପାଦ ଦେବା ଦିନଠାରୁ ଥରୁ ଟିଏ ବି ତ ସେ ପାଇ ନାହିଁ ସ୍ନେହ ଆଦର। ଯେତେବେଳେ ଯାହା ଖୋଜିଛି ପାଇଛି ହେଲେ ପାଇ ନାହିଁ କେବେ ମାଆର ମମତା ବୋଳା ଛୁଆଁ ଓ ପିତାର ସ୍ନେହ।ଆସିବା ଦିନରୁ ଲାଗେ ସେ ଯେପରି ଏକ ବୋଝ ଥିଲା ଦୁହିଁଙ୍କ ପାଇଁ।ଅନାଥ ଆଶ୍ରମରୁ ତାକୁ ଘର କହି ହେଉଥିବା ଚାରି କାନ୍ଥ ଘେରା ନିବୁଜ କୋଠରୀ ଭିତରକୁ ଆଣିବାରେ ମାନସୀ ମାଉସୀ ଓ ସୁଧାକର ମଉସାଙ୍କର ଯେ କେଉଁ ଗୁଢ଼ ରହସ୍ୟ ଲୁଚି ରହିଥିଲା ତା'ର ଉତ୍ତର ଆଜିଯାଏଁ ହୋଇଗଲା ପାଇ ପାରିନି ମିତା।
ଅନେକ ରାତି ଉଜାଗର ବିତି ଯାଇଛି।ଅନେକ ଦିନ ପ୍ରତୀକ୍ଷାରେ ବିତି ଯାଇଛି।ସୁରୂଜ ପୂରୁବ ଆକାଶେ ଉଇଁ ପଶ୍ଚିମ ଆକାଶେ ଡୁବି ଯାଇଛି ଅନେକ ଥର ହେଲେ ମିତା କିନ୍ତୁ ପାଇ ନାହିଁ ତା ମନରେ ଉଙ୍କି ମାରିଥିବା ପ୍ରଶ୍ନ ସବୁର ଉତ୍ତର। ମିତାର ଦୈନନ୍ଦିନ ପରିଚର୍ଯ୍ୟାରେ ସେ ଘରେ କେବେ ତିଳେ ହେଲେ ଅବହେଳା ହୋଇ ନାହିଁ କିନ୍ତୁ ଦୁନିଆଁ ଆଗରେ ତା'ର ବାପା ମାଆ ପରିଚୟ ନେଇଥିବା ଦୁଇ ଜଣ ମଣିଷଙ୍କ ସ୍ନେହ ସେ କେବେ ପାଇ ପାରି ନାହିଁ।କ'ଣ୍ ବା କାରଣ ଥାଇ ପାରେ ଏହା ପଛରେ ତାହା ଏବେବି ମିତାର କଳ୍ପନା ସୀମାରେଖା ବାହାରେ।
ତାକୁ ଉଚ୍ଚ ଶିକ୍ଷା ଲାଭ କରିବା ସହ ଡାକ୍ତରୀ ପାଠ ପଢିବାରେ ସମସ୍ତ ସହଯୋଗ ଦେଇଥିବା ଦୁଇଟି ମଣିଷଙ୍କ ପାଖରୁ ସେ କିନ୍ତୁ ପାଇ ପାରି ନାହିଁ କେବେ ହେଲେ ସ୍ନେହ ବୋଳା ହାତ ଦୁଇଟି ତା'ର ମଥା ଉପରେ।ପାଇ ପାରି ନାହିଁ କେବେ ହେଲେ ମମତା ବୋଳା ଚୁମ୍ବନଟିଏ। ଯେଉଁ ଦିନ ଡାକ୍ତରୀ ପାଠ ପଢିବା ପାଇଁ ଚାଲି ଯାଇଥିଲା ସେ ସୁଦୂର ମନାଲି ସହରକୁ ସେଦିନ କାହିଁ ସେ ଥରେ ବି ତ ଦେଖି ନଥିଲା ଦୁଇ ଯୋଡ଼ା ଆଖିରେ ଲୁହର ସାମାନ୍ୟ ଝଲକ ! କାହିଁ ଦେଖି ନଥିଲା ତ ଦୁଇଟି ଉଦାସ ଚେହେରା ବରଂ କେଉଁ ଏକ ଆତ୍ମତୃପ୍ତି ଦେଖୁଥିଲା ସେ ସେଇ ନିଜର ନିଜର ବୋଲାଉ ଥିବା ଚେହେରାରେ।
ଅତୀତର ରାଇଜରେ ଭାସି ବୁଲୁବୁଲୁ କେବେ ଯାଇ ପହଞ୍ଚିଗଲା ଗାଁ ପାଖରେ ଜାଣି ପାରିଲା ନାହିଁ ମିତା।ଓହ୍ଲାଇ ପଡ଼ି ପାଦ ବଢ଼ାଇଲା ପୁଣି ଥରେ ଅତୀତର ସେଇ ଗଳି ଭିତରକୁ।ବଦଳି ଯାଇଛି ତ ଏଠି ଅନେକ କିଛି। ସମ୍ପର୍କର ପରିଭାଷା ବି ବୋଧହୁଏ ବଦଳି ଯାଇଛି ଏଇ କିଛି ବର୍ଷ ଭିତରେ।ସେ କେମିତି ଅଛି ଥରେ ଜାଣିବାକୁ ଚାହିଁ ନଥିବା ମଣିଷ ମାନଙ୍କ ପାଖରୁ ଆଜି ଯେବେ ହଠାତ୍ ଚିଠି ଖଣ୍ଡେ ପାଇଲା ସେ କେମିତି ବୁଝାଇବ ନିଜ ଅବୁଝା ମନକୁ ! ସେ ତ କେବେ କହି ନଥିଲା ଅନାଥ ଆଶ୍ରମରୁ ଆସି ଘର ଖଣ୍ଡିଏକୁ ନିଜ ଠିକଣା କରିବାକୁ।ସେ କିନ୍ତୁ ଖୋଜୁଥିଲା ମାଆର ମମତା ବାପାଙ୍କର ସ୍ନେହ ପ୍ରତି ମୁହୂର୍ତ୍ତ।ସନ୍ତାନ ବୋଲି ଦୁନିଆଁ ଆଗରେ ପରିଚୟ ଦେଇ ସୁଦ୍ଧା ସନ୍ତାନକୁ ସ୍ନେହ ନ ଦେବାର କାରଣ କ'ଣ୍ ବା ହୋଇ ପାରେ !
ଓଃ ମୁଣ୍ଡଟା ଭାରି ଭାରି ଲାଗୁଥିଲା ମିତାର। ପ୍ରଶ୍ନ ସବୁ ର ଅଡ଼ୁଆ ସୂତା ଭିତରେ ଛନ୍ଦି ହେଉଥିଲା ସେ।ଭାବନା ସବୁ ଛଟପଟ ହେଉଥିଲେ ତା ହୃଦୟ ଦରଜା ଡେଇଁ ବାହାରି ଆସିବାକୁ।ଅଟକି ଗଲା ଦୁଇ ପାଦ ତା'ର ଏକ ଚିହ୍ନା ଘର ପାଖରେ।ଘର ତ ନୁହେଁ କେବଳ ଏକ ଅଟ୍ଟାଳିକା।ଆଲୁଅ ମାଳ ରେ ଝଲସି ଉଠୁଥିଲା କିନ୍ତୁ ଚାରିପାଖେ ଥିଲା ନିସ୍ତବ୍ଧତାର ଅନ୍ଧକାର।ନିର୍ଜନତା ଆବୋରି ନେଇ ଥିଲା ଘରକୁ।ଖାଲି କ'ଣ ଚାରି କାନ୍ଥ ଘେରା ଛାତ ଥିବା ନିବୁଜ କୋଠରୀ ଘରର ମାନ୍ୟତା ପାଇ ପାରେ ! ନା କେବେ ନୁହେଁ। ମିତାର ପିଲା ଦିନ ବିତି ଥିବା ଏଇ ମହଲ ଘର ନଥିଲା। ନଥିଲା ତ ସେଠି ସ୍ନେହ ଶ୍ରଦ୍ଧା ଆଦର ଭଲ ପାଇବା।ନଥିଲା ତ ସେଠି ଆତ୍ମୀୟତା।ଥିଲା କେବଳ ଯନ୍ତ୍ରବତ୍ ଚାଲୁଥିବା କେଇ ମଣିଷଙ୍କ ପଦ ଚିହ୍ନ।
ଅଜଣା ଆଶଙ୍କାରେ କିଛି ସମୟ ଛିଡ଼ା ହୋଇ ମିତା ଦେଖୁଥିଲା ଘରର ନାମ ପାଇଥିବା ସେଇ ନିର୍ଜୀବ କାନ୍ଥ ଘେରା ପରିବେଶକୁ ଯାହା କେବେ ଦୀର୍ଘ ସମୟ ପାଇଁ ତା'ର ଠିକଣା ସାଜି ଥିଲା।ହଠାତ୍ କାନ୍ଧରେ କାହାର ସ୍ପର୍ଶ ପାଇ ଫେରି ଆସିଲା ସେ ପୁଣିଥରେ ବାସ୍ତବତାର ଏଇ ଦୁନିଆଁକୁ।ବୁଲି ଦେଖେ ତ ଆଉ କେହି ନୁହେଁ ସୁଧାକର ମଉସା ହିଁ ଥିଲେ।ମୁହଁରେ ତାଙ୍କର ଏକ ଅଦ୍ଭୁତ ଶାନ୍ତି ସ୍ପଷ୍ଟ ଦେଖି ପାରିଲା ମିତା। ପାଦ ଧୂଳି ନେବାକୁ ବଢ଼ି ଯାଉଥିବା ହାତ ଦୁଇଟିକୁ ଅଟକାଇ ପାରିଲା ନାହିଁ ମିତା। ଘର ଭିତରକୁ ଡ଼ାକି ନେଲେ ସୁଧାକର ମଉସା।ମାନସୀ ମାଉସୀର ଅବସ୍ଥା ଜାଣିବା ପାଇଁ ବିଚଳିତ ମିତା ବାଧ୍ୟ ଶିଶୁଟିଏ ସାଜି ଅନୁକରଣ କରୁଥିଲା ସୁଧାକର ମଉସାଙ୍କୁ।
ଖଟ ଉପରେ ପଡ଼ି ରହି ଥାଆନ୍ତି ମାନସୀ ମାଉସୀ।ଜୀର୍ଣ୍ଣ ଶରୀର।ନଥାଏ ଆଉ ଆଗ ପରି ସୌନ୍ଦର୍ଯ୍ୟ।ଦୁଇ ଧାର ଲୁହ ଝରି ଆସିଲା ମିତା ଆଖିରୁ।ମନରେ ଉଙ୍କି ମାରିଥିବା ପ୍ରଶ୍ନ ସବୁ ବୋଧହୁଏ ତା' ମୁଖ ମଣ୍ଡଳରେ ସ୍ପଷ୍ଟ ଦୃଶ୍ୟମାନ ହେଉଥାଏ।ବୁଝିପାରିଲେ ମଉସା।କହିବାକୁ ଲାଗିଲେ ଝିଅରେ ମୋ ଭୁଲର ପରିଣାମ ଆଜି ଆମ ସଭିଙ୍କୁ ମିଳୁଛି।ଆଜି ନୁହେଁ ଅନେକ ବର୍ଷରୁ ମିଳି ଚାଲିଛି।ପିଲାଟି ଦିନରୁ ତୋତେ ସ୍ନେହରୁ ବଞ୍ଚିତ କରିଥିବା ଆମେ ଦୁହେଁ ହିଁ ତୋତେ ଏଇ ଦୁନିଆଁକୁ ଆଣି ସୁଦ୍ଧା ସନ୍ତାନର ପରିଚୟ ଦେବାକୁ ଡରି ଥିବା ଦୁଇଟି ଭୀରୁ।ଅବଶ୍ୟ ଭୁଲ ନଥିଲା ମାନସୀର।
ହଁ ଆମେ ଦୁହେଁ ହିଁ ତୋର ବାପା ମାଆ।ବିବାହ ପୂର୍ବରୁ ପ୍ରେମରେ ପଡ଼ି ଶାରୀରିକ ସୁଖ ପାଇଁ କେଇ ମୁହୂର୍ତ୍ତ ଗଢିଥିବା ସୁଖର ଅନୁଭବ ସୃଷ୍ଟି କରି ଦେଇଥିଲା ତୋ ପରି ଏକ କ୍ଷୁଦ୍ର କଳିକାକୁ ମାନସୀ ଭିତରେ।କିନ୍ତୁ ପ୍ରସ୍ତୁତ ନଥିଲୁ ଦୁହେଁ ତୋତେ ଗ୍ରହଣ କରିବାକୁ।ତୋର ଉପସ୍ଥିତି ଜାଣିବା ବେଳକୁ ହୋଇଯାଇଥିଲା ଅନେକ ବିଳମ୍ବ।ଭଗବାନଙ୍କ ଇଛା ଥିଲା ହୁଏତ ତୋତେ ଏ ଦୁନିଆଁର ଆଲୋକ ଦେଖାଇବାକୁ।ମାନସୀ ଥିଲା ଅନାଥ ତେଣୁ ତୋତେ ନିଜ ଗର୍ଭରେ ଧରି ସେ ବିତାଇ ଚାଲିଥିଲା ସମୟ।ମୁଁ ବି ମାନସୀକୁ ସବୁ ସାହାଯ୍ୟ ଦେଉଥିଲି।ତୁ ଆସିଲୁ ଏଇ ଦୁନିଆଁକୁ।ମୁଁ କିନ୍ତୁ ମୋ ପରିବାର ଲୋକ ଆମ ଦୁହିଁଙ୍କ ତୋ ସହ ଗ୍ରହଣ କରିବେ ନାହିଁ ବୋଲି ଭାବି ମାନସୀକୁ ଏକ ପ୍ରକାର ବାଧ୍ୟ କରିଥିଲି ତୋତେ ଅନାଥ ଆଶ୍ରମରେ ଛାଡି ଦେବାକୁ।ସେ ବିଚାରି ଇଛା ନଥାଇ ବି ବାଧ୍ୟ ହେଲା ତୋତେ ମାଆ ସ୍ନେହରୁ ବଞ୍ଚିତ କରିବା ପାଇଁ।ହେଲେ ନିୟମିତ ବ୍ୟବଧାନରେ ଯାଇ ବୁଝି ଆସୁଥିଲା ତୋର ଭଲ ମନ୍ଦ।
ତାପରେ ହାତ ଧରି ନେଲି ମାନସୀର ସେ କିନ୍ତୁ ଭୁଲି ପାରୁନଥିଲା ତୋତେ।ସମୟ ବିତି ଚାଲିଲା। ପୁନର୍ବାର ମାଆ ହେବାର କ୍ଷମତା ହରାଇ ସାରିଥିଲା ମାନସୀ ତୋ ଜନ୍ମ ବେଳେ।ପରିବାର ଲୋକଙ୍କ ବାରମ୍ବାର ପ୍ରଶ୍ନ ଭିତରେ ଅଣନିଃଶ୍ୱାସୀ ହୋଇ ଯାଇଥିଲା ମାନସୀ।ଅନୁରୋଧ କରିଥିଲା ଅନାଥ ଆଶ୍ରମରୁ ଛୁଆଟିଏ ଆଣିବା ପାଇଁ। ଅନେକ ଅନୁରୋଧ କରିଛି ସେ ମୁଁ କିନ୍ତୁ ଗର୍ବ ଅହଙ୍କାର ବଶବର୍ତ୍ତୀ ହୋଇ ଏଡାଇ ଯାଉଥିଲି ତାର ଅନୁରୋଧକୁ।ଯେବେ ସେ ମାନସିକ ଭାରସାମ୍ୟ ହରାଇବାର ପରିସ୍ଥିତି ଆସିଲା ମୁଁ ବାଧ୍ୟ ହେଲି ଅନାଥ ଆଶ୍ରମରୁ ପିଲାଟିଏ ଆଣିବାକୁ ମାନସୀକୁ ଅନୁମତି ଦେବା ପାଇଁ କାରଣ ମାନସୀକୁ ମୁଁ ମୋର ଜୀବନ ଠାରୁ ବି ବେଶୀ ଭଲ ପାଉଥିଲି।
ତୋତେ ତା' ପାଖକୁ ଆଣିବା ପାଇଁ ମୋର ପ୍ରତିଟି ସର୍ତ୍ତରେ ରାଜି ହୋଇ ଯାଇଥିଲା ସେ ନିର୍ଦ୍ଵନ୍ଦରେ।ବିନା ଦ୍ବିଧାରେ ଆପଣେଇ ନେଇଥିଲା ନିଜକୁ ଏକ ମମତା ବିହୀନ ମାଆ ଭାବରେ।ମୋର ହିଁ ସର୍ତ୍ତ ଥିଲା ସେ ତୋତେ କେବେ ମାଆର ସ୍ନେହ ଦେବ ନାହିଁ ବାସ୍ ତୁ ଖାଇ ପିଇ ପାଠ ପଢ଼ିବୁ।ସମସ୍ତ ଖର୍ଚ୍ଚ ନେବି ତୋର ମୁଁ କିନ୍ତୁ ତୋତେ ମିଳିବ ନାହିଁ ମାଆର ମମତା ପିତାର ସ୍ନେହ।ମୋ ଅହଙ୍କାର ବାନ୍ଧି ଦେଇଥିଲା ମୋ ବିବେକକୁ ଏକ ମାୟାଜାଲରେ।ମାନସୀର ଖୁବ୍ ଇଛା ଥିଲା ତୋତେ ଭଲ ପାଠ ପଢ଼ାଇବା ପାଇଁ ତେଣୁ ସେ ବି ବିନା ପ୍ରତିବାଦରେ ରାଜି ହୋଇଥିଲେ ମୋର ସବୁ ସର୍ତ୍ତରେ।ଜାଣି ନଥିଲି ଯାହାକୁ ଏତେ ହତାଦର କରୁଛି ସେ ମୋର ହିଁ ରକ୍ତ ଥିଲା।ମାନସୀ ପାଖରୁ ଏଇ ସତ ସେବେ ଜାଣିଲି ଯେବେ ଜଣା ଗଲା ମାନସୀ କ୍ୟାନ୍ସରର ଶେଷ ପର୍ଯ୍ୟାୟରେ। ପାରିଲି ନାହିଁ ଆଉ ସମ୍ଭାଳି ନିଜକୁ।ଏତେ ବର୍ଷ ଧରି ହାତ ପାହାନ୍ତରେ ନିଜ ରକ୍ତକୁ ପାଇ ବି କରିଥିବା ଅବହେଳା ମୋତେ ପ୍ରତି ମୁହୂର୍ତ୍ତ ଜାଳି ଚାଲିଥିଲା ମୋ ନିଜ ଭିତରେ।ବାଧ୍ୟ ହୋଇ ଚିଠି ଦେଲି ତୋତେ ତୁରନ୍ତ ଆସିବା ପାଇଁ।
ଜୀବନର ଏଇ ନିଷ୍ଠୁର ସତ୍ୟତା ସହ ପରିଚିତ ହେବା ପରେ ପାଦ ତଳୁ ମାଟି ଖସି ଗଲା ପରି ଲାଗିଲା ମିତାକୁ। ଲାଗିଲା ସତେ ଯେପରି ଏଇ ମୁହୂର୍ତ୍ତରେ ଅବା ସେ ଖସି ପଡ଼ିବ ଦୁଇ ମହଲା ସୁଉଚ୍ଚ ଅଟ୍ଟାଳିକା ତଳକୁ।ଦୁଇ ଭାଗ ହୋଇଯିବ ବସୁଧା ଓ କୋଳେଇ ନେବ ତାକୁ।କ'ଣ୍ ଭୁଲ ଥିଲା ତା'ର। ବାସ୍ ସେ ଖୋଜୁଥିଲା ମାଆର ସ୍ନେହ ବାପାର ଆଦର।କ୍ଷମା ମାଗି ଚାଲିଥିଲେ ସୁଧାକର ମଉସା।ଶୁଖି ଯାଇଥିବା ଆଖିରୁ ଲୁହ ଝରାଇ ଚାଲିଥିଲେ ମାନସୀ ମାଉସୀ। ଶୁଣା ଯାଉ ନଥିଲା ମିତା କୁ କୌଣସି କ୍ଷମା ପ୍ରାର୍ଥନାର ଶବ୍ଦ।ଦିଶୁ ନଥିଲା ତା ଆଖିକୁ କାହା ଆଖିର ଲୁହ।ସେ କେବଳ ଭାବି ଚାଲିଥିଲା ସେ ଏକ ଅନାଥ।ବାପା ମାଆ ବଞ୍ଚିଥାଇ ବି ସେ ଅନାଥ।ସ୍ନେହ ଆଦରରୁ ବଞ୍ଚିତ ହୋଇଥିବା ଅନାଥ।
