Amrita Dash

Classics

4  

Amrita Dash

Classics

ସିଂହଦ୍ୱାରେ ଶ୍ରୀପତିତପାବନ

ସିଂହଦ୍ୱାରେ ଶ୍ରୀପତିତପାବନ

5 mins
289


ସଚ୍ଚିଦାନନ୍ଦ ପରଂବ୍ରହ୍ମ ସ୍ଵୟଂ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ରୂପେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପ୍ରକଟିତ । ସେ ସ୍ଵୟଂ ପରମାତ୍ମା, ପରଂବ୍ରହ୍ମ, ନିରାକାର । ଶ୍ରୀଜଗନ୍ନାଥ ଜୀବର ଜୀବନ।ଦେହ ରୂପୀ ଜଗତ ମଧ୍ୟରେ ଆତ୍ମାରୁପୀ ଜଗନ୍ନାଥ ବିଦ୍ୟମାନ।ଶରୀର ଭିତରେ ସେ ମନ।ସେ ଭାବର ଠାକୁର । ଭାବଜଗତରେ ତାଙ୍କୁ ଅନୁଭବ କରିହୁଏ। ଜଗନ୍ନାଥ ଶବ୍ଦ ଉଚ୍ଚାରଣ ମାତ୍ରେ ହିଁ ମନୋରାଜ୍ୟରେ ଏକ ଚେତନା ସମ୍ପ୍ରସାରିତ ହୁଏ । ଏକ ମାର୍ମିକ ସମ୍ବେଦନ ଏହା । ସେଇ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ପତିତପାବନ ନାମ ନେଇ ପତିତଜନଙ୍କ ଉଦ୍ଧାର ପାଇଁ ଶ୍ରୀମନ୍ଦିରରେ ପ୍ରକଟିତ।

        ଶ୍ରୀମନ୍ଦିର ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ଵାର ଗୁମୁଟରେ ବିରାଜମାନ ହୋଇଛନ୍ତି ଶ୍ରୀଜଗନ୍ନାଥ ଶ୍ରୀପତିତପାବନ ରୂପ ନେଇ ପତିତ ଜନଙ୍କ ପାବନ ପାଇଁ । ଦୀନହୀନ ଜନଙ୍କ ମନରୁ ହୀନମନ୍ୟତା ଦୂର କରିବା ସକାଶେ ଶ୍ରୀପତିତପାବନ ଜାତି, ଧର୍ମ, ଲିଙ୍ଗ, ବୟସ, ରୋଗୀ, ଭୋଗୀ ନିର୍ବିଶେଷରେ ପତିତ ଜନଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାରରେ ବିରାଜିତ ଶ୍ରୀପତିତପାବନଙ୍କ ଦର୍ଶନ ପାଇ ଲକ୍ଷ ଲକ୍ଷ ଭକ୍ତ ନିଜକୁ ଗର୍ବିତ ମନେ କରନ୍ତି।

       ସିଂହଦ୍ଵାର ଗୁମୁଟର ଡାହାଣ ପାର୍ଶ୍ଵ ପିଣ୍ଡି ଉପର କାନ୍ଥରେ ପୂର୍ବକୁ ମୁଁହ କରି ଏକ ମନ୍ଦିର ଆକୃତି ଠଣାରେ ବିରାଜମାନ ହୋଇଥିବା ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ପ୍ରଭୁ ଶ୍ରୀପତିତପାବନ ବିଗ୍ରହ ଦୁଇ ବାହୁ ପ୍ରସାର କରି ବିଜେ କରି ନାହାଁନ୍ତି । ବିଗ୍ରହଙ୍କର କେବଳ ଶ୍ରୀମୁଖ ଦୃଶ୍ୟମାନ । ଏହି ପ୍ରଭୁ ଶ୍ରୀପତିତପାବନଙ୍କ ବିଗ୍ରହ ଦାରୁ ବିଗ୍ରହ ନୁହେଁ । ଝୁଣା ପ୍ରଭୃତି ପ୍ରଲେପରେ ନିର୍ମିତ ଏହି ବିଗ୍ରହ । ମହାପ୍ରଭୁ ଜଗନ୍ନାଥଙ୍କର ପ୍ରତୀକାତ୍ମକ ଏହି ଶ୍ରୀପତିତପାବନ ବିଗ୍ରହଙ୍କର ଉଚ୍ଚତା ପ୍ରାୟ ତିନି ଫୁଟ ହେବ । ପତିତପାବନ ବିଗ୍ରହଙ୍କର ଅଣସର ବିଧି ମଧ୍ୟ ପାଳନ କରାଯାଏ । ଅଣସର ସମୟରେ ଶ୍ରୀପତିତପାବନ ମନ୍ଦିର ସମ୍ମୁଖ ଦ୍ଵାର ବନ୍ଦ ରହେ ଓ ନାରାୟଣଙ୍କର ଏକ ପଟ୍ଟଚିତ୍ର ଦ୍ୱାରଦେଶରେ ପୂଜା ପାଆନ୍ତି । ପୂଜାପଣ୍ଡା ସେବକ ଏହି ପତିତପାବନ ବିଗ୍ରହଙ୍କର ସେବା କରନ୍ତି।ପ୍ରତ୍ୟହ ପ୍ରତ୍ୟୁଷରେ ସିଂହଦ୍ଵାର ଖୋଲା ଯିବା ପରେ ଶ୍ରୀପତିତପାବନଙ୍କ ମନ୍ଦିର ଦ୍ଵାର ଖୋଲାଯାଏ । ଦର୍ଶନାର୍ଥି ଅରୁଣ ସ୍ତମ୍ଭ ଚକଡା଼ରେ ଦଣ୍ଡାୟମାନ ହୋଇ ଶ୍ରୀପତିତପାବନଙ୍କ ଆଳତିର ଦର୍ଶନ ଲାଭ କରି ନିଜକୁ ଧନ୍ୟ ମନେ କରେ ।

      ନାନା ମୁନି ନାନା ମତ ନୀତିରେ ଶ୍ରୀପତିତପାବନ ମହାପ୍ରଭୁ କେଉଁ କାଳରୁ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ବିରାଜିତ ସେ ସମ୍ପର୍କରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଏ । ଶ୍ରୀଜଗନ୍ନାଥ ମନ୍ଦିରର ସ୍ଵତନ୍ତ୍ର ଅଧିକାରୀ ୧୯୫୬ ମସିହାରେ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ପୁରୀର ରାଜା ଗଜପତି ରାମଚନ୍ଦ୍ର ଦେବ (୧୭୨୭-୧୭୩୬)ବାଧ୍ୟ ହୋଇ ମୁସଲମାନ ସେନାପତି ମୂର୍ଶିଦ କୁଲ୍ଲି ଖାଁଙ୍କ କନ୍ୟା ଙ୍କୁ ବିବାହ କରିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅଧିକାରରୁ ବଞ୍ଚିତ ହୋଇଥିଲେ । ତେଣୁ ସେ କାଳିଆ ସାଆନ୍ତର ଦର୍ଶନ ଲାଭ କରିବା ନିମିତ୍ତ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ପ୍ରଭୁ ଶ୍ରୀପତିତପାବନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା ।

    ଅନ୍ୟ କେତେକ ଗବେଷକଙ୍କ ମତାନୁସାରେ ଭୋଇବଂଶର ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଶ୍ରୀମନ୍ଦିରର ସୁରକ୍ଷା ଉଦ୍ଦେଶ୍ୟରେ କଟକର ତତ୍କାଳୀନ ନାଏବ ନଜୀମ ତକ୍କି ଖାଁଙ୍କ ଭଉଣୀ ରେଜିୟାଙ୍କୁ ବିବାହ କରିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ତେଣୁ ତାଙ୍କୁ ମହାବାହୁଙ୍କ ଦର୍ଶନ ସୁଯୋଗ ନିମନ୍ତେ ସିଂହଦ୍ଵାର ଗୁମୁଟ ପ୍ରଦେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପତିତପାବନ ନାମ ଧାରଣ କରି ବିରାଜ କରିଛନ୍ତି । କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ଶ୍ରୀ ମହିମୋହନ ତ୍ରିପାଠୀ ତାଙ୍କର "ଏ ବ୍ରିଫ୍ ଲୁକ୍ ଆଟ ଜଗନ୍ନାଥ ଟେମ୍ପଲ" ପୁସ୍ତକରେ ପ୍ରଫେସର୍ ଜି. ଏନ୍.ଦାସଙ୍କ ମତକୁ ପୁନରୁଦ୍ଧାର କରି ଦର୍ଶାଇଛନ୍ତି ଯେ ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କର ଏକଶତ ବର୍ଷ ପୂର୍ବରୁ ପ୍ରଭୁ ଶ୍ରୀପତିତପାବନଙ୍କ ବିଗ୍ରହ ପ୍ରତିଷ୍ଠିତ ହୋଇଛନ୍ତି।

       ସେହିପରି ସାରଳା ଦାସଙ୍କ ମହାଭାରତ ରଚନା ସମୟରୁ ହିଁ ମହାବାହୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପତିତପାବନ ରୂପେ ଆରାଧନା କରାଯାଉଥିବା ଜଣାଯାଏ । ରାମଦାସକୃତ ଏକ ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ ଯବନ କବି ସାଲବେଗ ଶ୍ରୀମନ୍ଦିରରେ ଚକାନୟନର ଦର୍ଶନରୁ ବଞ୍ଚିତ ହେବାରୁ ସିଂହଦ୍ଵାର ଠାରେ ପ୍ରଭୁଙ୍କୁ ଆକୁଳ ଚିତ୍ତରେ ପ୍ରାର୍ଥନା କରିଥିଲେ । ତାଙ୍କ ଡାକ ଶୁଣି ଭକତର ବନ୍ଧୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଓହ୍ଲାଇ ଆସି ଭକ୍ତ ସାଲବେଗଙ୍କୁ ପତିତପାବନ ରୂପ ଧାରଣ କରି ଦର୍ଶନ ଦେଇଥିଲେ ସିଂହଦ୍ଵାର ଗୁମୁଟ ପ୍ରଦେଶରେ।ଏମିତି ଆଲୋଚନା କରିଲେ ନାନା ମତ ପ୍ରାପ୍ତ ହୁଏ।

      ହେଲେ ବାସ୍ତବିକ୍ କିଏ ସେଇ ପତିତ ଜନ ଯାହାଙ୍କୁ ଉଦ୍ଧାରିବା ପାଇଁ ଯାହାଙ୍କ ପାବନ ନିମିତ୍ତ ଜଗତରାନଥ ଜଗନ୍ନାଥ ନିଜ ନାମ ପରିବର୍ତ୍ତନ କରି ପତିତପାବନ ରୂପ ଧାରଣ କରି ବିରାଜ ହୋଇଛନ୍ତି ! ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଭିଏଁ ଏକତ୍ରିତ ହୋଇ ଏକ ପାତ୍ରରୁ ସ୍ଵହସ୍ତରେ ମହାପ୍ରସାଦ ସେବନ କରି ପରମ ତୃପ୍ତି ଲାଭ କରନ୍ତି,ସେଠାରେ ପତିତ ବା କିଏ ? ଯେଉଁ ମହାପ୍ରଭୁଙ୍କୁ ରାଷ୍ଟ୍ର ଦେବତା ରୂପେ ଉପାସିତ ହେବାର ସମସ୍ତ ବୈଭବ ଖଞ୍ଜି ଦେଇ ରାଷ୍ଟ୍ର ମୁଖ୍ୟ ଗଜପତି ମହାରାଜା ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ନିଜେ ସ୍ଵୟଂ ଖଡ଼ିକା ଧରି ମହାପ୍ରଭୁଙ୍କ ରଥ ମାର୍ଜନା କରନ୍ତି ସେଠାରେ ସେଇ ମହାପ୍ରଭୁଙ୍କ ଦୃଷ୍ଟିରେ ପତିତ ବା କିଏ ?

     କାହାକୁ ପତିତ ବୋଲି ମାନି ନେଇ ସେ ପତିତପାବନଙ୍କ ରୂପ ନେଇଛନ୍ତି ତାହା ଏବେବି ଅନ୍ଧକାର ଭିତରେ।ସେଇ କଳା ଠାକୁର ଦୃଷ୍ଟିରେ କଣ ଦାସିଆ ବାଉରୀ ପତିତ ନା ଶ୍ରୀୟା ଚଣ୍ଡାଳୁଣୀ ପତିତ ? ତାଙ୍କ ନଜରରେ ଭକ୍ତ ସାଲବେଗ, ଯବନ ହରି ଦାସ ନା ସନ୍ଥ କବୀର କିଏ ବା ପତିତ ? ଯାହାଙ୍କ ଦିବ୍ୟଦର୍ଶନ ଲାଭ ନିମନ୍ତେ ଆଦିଶଙ୍କରାଚାର୍ଯ୍ୟ, ରାମାନୁଜ, ବଲ୍ଲଭାଚାର୍ଯ୍ୟ ଓ ଶ୍ରୀଚୈତନ୍ୟ ଙ୍କ ପରି ମହାନ୍ ସାଧକଗଣ ଶ୍ରୀକ୍ଷେତ୍ର ମାଟିରେ ଅବସ୍ଥାନ ପୂର୍ବକ ନିଜ ସମୟ ଅତିବାହିତ କରିଦେଇଥିଲେ ସେ ମହାବାହୁ ମହାପ୍ରଭୁଙ୍କ ଦୃଷ୍ଟିରେ ପତିତ କିଏ ତାହା ଆଜିବି ଗୁଢ଼ ରହସ୍ୟମୟ।ଯେଉଁ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ରେ ରାଜା, ପ୍ରଜା, ଧନୀ, ଗରିବ, ଜାତି, ଅଜାତି, ସ୍ତ୍ରୀ, ପୁରୁଷ ସଭିଏଁ ସମାନ ସଭିଏଁ ଏକାକାର ସେଇ ପରଂବ୍ରହ୍ମ ପୁରୁଷୋତ୍ତମଙ୍କ ସମ୍ମୁଖରେ ପତିତ ବା କିଏ ଯାହାର ଉଦ୍ଧାର ପାଇଁ ଯାହାର ପାବନ ନିମିତ୍ତ ବର୍ଷ ବର୍ଷ ଧରି ସେ ପତିତପାବନ ରୂପ ନେଇଛନ୍ତି କାହିଁ କେଉଁ କାଳରୁ।7ଯେଉଁ ଠାକୁରଙ୍କ ପବିତ୍ର ରଥଯାତ୍ରାରେ ଧନ ମାନ ଆସନ ନିର୍ବିଶେଷରେ ଭକତଗଣ ଟାଣି ନିଅନ୍ତି ରଥକୁ ଅନୁଭବ କରନ୍ତି ନିଜକୁ ପ୍ରଭୁ ଜଗନ୍ନାଥଙ୍କ ସହ ନିଜକୁ ଜଡ଼ିତ କରି ନିଜ ଆରାଧ୍ୟ ଦେବଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଖ ଲାଭ କରନ୍ତି, ପୁଣ୍ୟ ପ୍ରାପ୍ତି କରନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କର ଦିବ୍ୟ ଦର୍ଶନ ଲାଭ କରି ସେଇ ମହାପ୍ରଭୁ କାହା ପାଇଁ ପତିତପାବନ ରୂପ ନେଇଥିଲେ ବାସ୍ତବିକ୍ ତାହା କେବଳ ତାଙ୍କୁ ହିଁ ଜଣା।

     ମନୀଷୀ ନୀଳକଣ୍ଠ ଦାଶ ତାଙ୍କ ରଚିତ ଏକ ପୁସ୍ତକରେ ସ୍ପଷ୍ଟ ରୂପେ ଦର୍ଶାଇଛନ୍ତି ମୈତ୍ରୀ ଭାବ ରଖିଥିବା ମହାପ୍ରଭୁଙ୍କ ଦୃଷ୍ଟିରେ କେହି ପତିତ ନୁହେଁ କେହି ଉନ୍ନତ ନୁହେଁ।ଯେଉଁ କାଳିଆ ଠାକୁର ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଥିଲେ ଯେଉଁ ପ୍ରଭୁ ଭକ୍ତ ସାଲବେଗର ଡାକରାରେ ରଥ ଅଟକାଇ ଦେଇଥିଲେ ସେ ଅବା କାହାକୁ ପତିତ ବୋଲି ଭାବିବେ ! ପ୍ରକୃତ ସତ୍ୟାସତ୍ୟକୁ ଅବଲୋକନ କଲେ ଏତିକି ବୁଝି ହୁଏ କାଳିଆର ଯେଉଁ ଭକ୍ତ ମାନେ ରତ୍ନ ସିଂହାସନ ଉପରେ କାଳିଆ ସାଆନ୍ତର ଦର୍ଶନରୁ ବଂଚିତ ସେଇ ମହାନ୍ ଭକ୍ତଗଣଙ୍କର ସୁବିଧା ସକାଶେ ସେମାନଙ୍କୁ କାଳିଆର ଦିବ୍ୟ ଦର୍ଶନ ଲାଭ କରିବାର ସୁଯୋଗ ପ୍ରଦାନ ନିମନ୍ତେ ପ୍ରଭୁ ଜଗନ୍ନାଥ ସିଂହଦ୍ଵାର ଗୁମୁଟରେ ପତିତପାବନ ରୂପ ନେଇ ବିରାଜିତ। ସିଂହଦ୍ଵାରରୁ ସେଇ ଶ୍ରୀପତିତପାବନଙ୍କୁ ମନ ଭରି ଦେଖି ନେଇ ଭକ୍ତଟିଏ ତାଙ୍କରି ସ୍ୱରୂପ ଭିତରେ ମହାବାହୁଙ୍କ ଦର୍ଶନ ପାଇଯାଏ।ଏ ତ କେବଳ ସେଇ କାଳିଆର ଲୀଳା।ଭକ୍ତର ମନୋବାଞ୍ଛା ପୁରା କରିବାକୁ ସେ ଯେ କେତେବେଳେ କେଉଁ ରୂପ ଧାରଣ କରେ ତାହା ସଭିଙ୍କ ଅଗୋଚର।

      ଦକ୍ଷିଣ ଭାରତର ଆଲବର ସମ୍ପ୍ରଦାୟର ଶ୍ରେଷ୍ଠ ସାଧକ ଶ୍ରୀମଦ୍ ମହଦଯୋଗୀ ଙ୍କ ମତାନୁସାରେ ମନ, ଆତ୍ମା, ବୁଦ୍ଧି ଯେତେବେଳେ ଯାହାର ନିମ୍ନଗାମୀ ହୁଏ ତାହାକୁ ପତିତ କୁହାଯାଏ।ସେଇ ନିମ୍ନଗାମୀ ପତିତ ଅବସ୍ଥାରୁ ଉଦ୍ଧରିବା ପାଇଁ ନିଳାଦ୍ରୀ କ୍ଷେତ୍ର ର ନିଳାଦ୍ରୀ ନାଥଙ୍କ ଶ୍ରୀଚରଣ ରେ ନିଷ୍ଠାର ସହ ନିଜକୁ ସମର୍ପଣ କରିଦେଲେ ହିଁ ଆତ୍ମା ବୁଦ୍ଧି ଉର୍ଦ୍ଧ୍ବଗାମୀ ହୋଇ ଚେତନା ଉନ୍ନତି ପଥରେ ଅଗ୍ରସର ହୁଏ।

      ବାସ୍ତବରେ ସାଧାରଣ ଭାଷାରେ କହିଲେ, ଯିଏ ନିଜକୁ ହୀନ ମନେ କରେ ସେ ହିଁ ତ ପତିତ।ସେଇ ପତିତ ଜନଙ୍କ ଉଦ୍ଧାର ପାଇଁ ସେମାନଙ୍କ ମନରୁ ହୀନମନ୍ୟତା ଦୂର କରିବା ନିମନ୍ତେ ଜଗତରନାଥ ଜଗନ୍ନାଥ ସିଂହଦ୍ଵାର ଗୁମୁଟରେ ପ୍ରଭୁ ଶ୍ରୀପତିତପାବନ ଅବତାର ଧାରଣ କରି ବିରାଜମାନ ହୋଇଛନ୍ତି । ଧନୀ ଓ ମାନୀ ମାନଙ୍କ ମନରୁ ଧନର ଅହଙ୍କାର, ବଡଲୋକ ପଣିଆର ଗର୍ବକୁ ଦୂରେଇ ଈଶ୍ୱରଙ୍କ ସୃଷ୍ଟିରେ ସଭିଏଁ ସମାନ ବୋଲି ବାର୍ତ୍ତା ପ୍ରଦାନ ନିମିତ୍ତ ସେଇ ମହାପ୍ରଭୁ ଧାରଣ କରିଛନ୍ତି ଶ୍ରୀପତିତପାବନ ନାମ।ଶ୍ରୀମନ୍ଦିରରେ ପ୍ରକଟିତ ମହାପ୍ରଭୁ ଦର୍ଶାଇ ଦିଅନ୍ତି କି ଧନୀ କି ଗରିବ ସଭିଏଁ ତ ଈଶ୍ୱର ଙ୍କ ସୃଷ୍ଟିରେ ସମାନ ଭାବରେ ବାସ କରନ୍ତି। ଯିଏ ଧନର ପ୍ରତିପତ୍ତି ଭିତରେ ବୁଡ଼ି ରୁହେ ସେ ବି ସେଇ ପତିତପାବନଙ୍କ ଚରଣରେ ହସ୍ତ ଯୋଡ଼ି ଦଣ୍ଡାୟମାନ ଯିଏ ଦାରିଦ୍ର୍ୟର କଷାଘାତରେ ସଂଗ୍ରାମରତ ସେ ବି ସେଇ ଶ୍ରୀଚରଣରେ ନିଜକୁ କରେ ସମର୍ପିତ।

     ମନର ସମସ୍ତ ଆବିଳତା ସମସ୍ତ ନ୍ୟୁନ ଭାବନାକୁ ଦୂର କରି ସେଇ ମହାପ୍ରଭୁଙ୍କ ଶ୍ରୀଚରଣରେ ନିଜକୁ ସମର୍ପିତ କରିଦେଲେ ହିଁ ତ ଯେଉଁ ଆତ୍ମ ଉପଲବ୍ଧି ମିଳେ ତାହା ନିଶ୍ଚିତ ନିଆରା।ସାଧାରଣ ଭାବରେ ବିଚାର କରିଲେ ଯେବେ ଯେବେ ଯେଉଁ ଭକ୍ତ ରତ୍ନ ବେଦୀର ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ ହୁଏ ତାକୁ ସେଇ ପରମ ତୃପ୍ତି ପ୍ରଦାନ ନିମିତ୍ତ ଶ୍ରୀପତିତପାବନ ରୂପେ ମହାପ୍ରଭୁ ବିରାଜିତ। କରୋନା ମହାମାରୀ କାଳରେ ଯେବେ ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ରେ ଭକ୍ତ ମାନଙ୍କ ପ୍ରବେଶ ବନ୍ଦ ରହିଥିଲା ଚକା ଆଖିର ସାମାନ୍ୟ ଝଲକ ପାଇଁ ଯେବେ ଭକ୍ତ ହୃଦୟ ବିଳାପ କରୁଥିଲା ସେବେ ଅରୁଣ ସ୍ତମ୍ଭ ଚକଡା଼ରେ ଦଣ୍ଡାୟମାନ ହୋଇ ସିଂହଦ୍ଵାରରୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶ୍ରୀ ପତିତପାବନ ରୂପରେ ଦର୍ଶନ ପାଇ ସେଇ ଭକ୍ତ ପ୍ରାଣର ଯନ୍ତ୍ରଣା ପ୍ରଶମିତ ହେଉଥିଲା।

      ଏ ଜଗତରେ ଯାହା ଅତି ପ୍ରାଚୀନ ଓ ଯାହା ନିତ୍ୟ ନୂତନ ସେ ସବୁର ସମାବେଶ ଓ ସମନ୍ଵୟ ଘଟିଛି ଶ୍ରୀଜଗନ୍ନାଥଙ୍କ ଠାରେ।ତାଙ୍କର ବହୁମୁଖୀ ସଂସ୍କୃତିରେ ବିକଶିତ ହୋଇଛି ମାନବତ୍ଵର ମହୋତ୍ସବ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରି ତାଙ୍କର ସଂସ୍କୃତି ମଧ୍ୟ ଚିରନ୍ତନ ଓ ତାଙ୍କର ଭାବ ମଧ୍ୟ ସନାତନ।ଏବେବି ଅନେକ ରହସ୍ୟ ଭିତରେ ରହିଯାଇଛି ଜଗନ୍ନାଥ ସଂସ୍କୃତି।ଜୟ ଜଗନ୍ନାଥ।

   



Rate this content
Log in

Similar oriya story from Classics