STORYMIRROR

Chandrakanta Jena

Romance Tragedy

3  

Chandrakanta Jena

Romance Tragedy

ମୁଁ ତୁମ ପୂର୍ଣ୍ଣିମା

ମୁଁ ତୁମ ପୂର୍ଣ୍ଣିମା

2 mins
169


ସେ କହୁଥିଲେ ମୁଁ କାଳେ ଭାରି ସୁନ୍ଦର, ଗାଲର ଭଉଁରୀ କାଳେ ବେଶ୍ ମାନେ ମୋ ହସକୁ, କୋଇଲି ଠାରୁ ସୁମଧୁର ଆଉ ଚଞ୍ଚଳ ଲାଗେ ମୋର କଥା, ମୃଗୁଣୀ ପରି ଚଞ୍ଚଳ ଆଖି ସାଙ୍ଗକୁ ରେଶମୀ ଘନ କେଶ ଆକର୍ଷଣ କରେ ତାଙ୍କ ମନକୁ ଠିକ୍ ପୂର୍ଣ୍ଣିମାର ଚାନ୍ଦ ପରି, ସେଥିପାଇଁ ସ୍ନେହରେ ନାଁ ଦେଇଥିଲେ ମୋର ପୂର୍ଣ୍ଣିମା ।


  ଦିନ ଯାଇ ସଞ୍ଜ ନଇଁ ଆସିଲାଣି, କାହା ଭାବନାର ମୁଁ ନିଜକୁ ମଗ୍ନ କରି ଦେଇଛି ? କଥାରେ ଅଛି, କଳ୍ପନା ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳର ଫରକ ଗାଁ ମୁଣ୍ଡ ଦେବୀ ମନ୍ଦିରରେ ସଞ୍ଜ ଆଳତିର ଘଣ୍ଟ ଘଣ୍ଟା ତାହା ସୂଚାଇ ଦେଉଥାନ୍ତି, କେବଳ କଳ୍ପନାରେ ହିଁ ଆକାଶର ଚାନ୍ଦକୁ ତୋଳି ଆଣି ହୁଏ କିନ୍ତୁ ବାସ୍ତବରେ ନୁହେଁ, ହଁ ସେ ମୋର ଭାବନାର ଅନ୍ତ ଦେଶରେ ଚାନ୍ଦ ହୋଇ ଉଇଁ ଆସିଥିଲେ ଏବଂ ମୁଁ ସାଜିଥିଲି ସେ ପୂର୍ଣ୍ଣଚାନ୍ଦର ପୂର୍ଣ୍ଣିମା, କାମ୍ୟ ଭାବନାର ବିନ୍ଦୁ ଭିତରୁ ସେ ସିନା ବାହାରି ଯାଇ ବାସ୍ତବତାର ଅମାବାସ୍ୟା ଅନ୍ଧକାରରେ ନିଜକୁ ଲୀନ କରିଦେଲେ ମୁଁ କିନ୍ତୁ ଆଜୀବନ ଚିରକାଳ ତାଙ୍କ ପୂର୍ଣ୍ଣିମା ହୋଇ ରହିଗଲି ।


   ମୋତେ ଫେରିବାକୁ ହେବ, ହେଲେ କେଉଁ ବାଟ ଦେଇ ଫେରିବି ? ଯେଉଁ ବାଟରେ ତାଙ୍କ ସହଚରୀ, ସହଧର୍ମିଣୀ ହୋଇ ହାତରେ ହାତ ରଖି ଚାଲିବାକୁ ମନସ୍ଥ କରିଥିଲି ସେ ବାଟ ଆଜି ଲୁହର ସ୍ରୋତରେ ଘେର ବନ୍ଦୀ, କିଏ ବା ଜାଣିଥିଲା ପ୍ରେମ ଋତୁ ଏମିତି ବିଭୀଷିକା ପ୍ରଳୟ ରଚି ଉତ୍ତାଳ କରିଦେବ ଭାବନାର ନଦୀ ତଟକୁ, ଆଖିର ବନ୍ଧ ଡେଇଁ ଯନ୍ତ୍ରଣାର ଲୁହ ସବୁ ହୃଦୟର ସ୍ଥଳ ଭାଗରେ ରଚିଦେବେ ବିରହର ବନ୍ୟା ।


 କାମନା, ବାସନା, ଜିଜ୍ଞାସା ଠାରୁ ଉର୍ଦ୍ଧରେ ଆମ ପ୍ରେମ, କେବଳ ଦୁଇଟି ଶରୀରର ମିଳନକୁ ପ୍ରେମ କୁହା ଯାଇ ପାରେନା, ଦୁଇଟି ହୃଦୟର ମିଳନକୁ ହିଁ ପ୍ରେମ କୁହାଯାଏ, ଏ ମାଟିର ଶରୀର ଅବା କଣ..? ଆଜି ଅଛି କାଲି ସେ ନାହିଁ, ତୁମ ମନ ସହ ମୋ ମନର ମିଳନ ହୋଇ ସାରିଛି, କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ ଜନ୍ମ ଜନ୍ମାନ୍ତର ପାଇଁ ।


  କୃଷ୍ଣପକ୍ଷର ଆଗମନ ପରେ ଶୁକ୍ଳପକ୍ଷ ଅପସରି ଯାଇଛି ଧରାପୃଷ୍ଠରୁ, ଅପସରି ଯାଇଛି ନଦୀ ଗର୍ଭରେ ମୋତି ପରି ଚିକ୍ ମିକ୍ କରୁଥିବା ଜଳଧାରର ଢେଉ ସବୁ, ଅପସରି ଯାଇଛି ନୀଳକଇଁ ପାଖୁଡ଼ାର ସୁନୀଳିମା, ଅପସରି ଯାଇଛି ଚକୋରର ରୋଦଶୀ ଭ୍ରମଣର ଚମକତା, କିନ୍ତୁ ତୁମେ କେବେବି ଅପସରି ଯାଇନ ମୋ ମନ ଆକାଶରୁ, ଏବେବି ଶ୍ରୀ ବର୍ଦ୍ଧନ କରୁଛ କୋଟିଏ ତାରା ମେଳରେ ମୋର ଗୋଟିଏ ଏକାନ୍ତ ଚାନ୍ଦ ହୋଇ, ଏହାହିଁ ସତ୍ୟ...ଚାନ୍ଦ କେବଳ ପୂର୍ଣ୍ଣିମାର, କାରଣ ପୂର୍ଣ୍ଣିମା ବିନା ଚାନ୍ଦର ପୂର୍ଣ୍ଣତା ଲଭିବା ଅସମ୍ଭବ ତେଣୁ ଯୁଗ ଯୁଗ ପର୍ଯ୍ୟନ୍ତ ତୁମେ ମୋର କେବଳ... ମୋର ଏହି ପୂର୍ଣ୍ଣିମାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance