Chandrakanta Jena

Drama Tragedy Fantasy

4  

Chandrakanta Jena

Drama Tragedy Fantasy

ପ୍ରିୟ ସଖୀ

ପ୍ରିୟ ସଖୀ

3 mins
388



    ''ପ୍ରିୟ ସଖୀ'' ଲାଗୁଛି ଯେମିତି ସବୁ ଇତି କଲା ପରେ ଆଉ କିଛି ବାକି ରହିଗଲା । ଭଗବାନ ଙ୍କର ଉପହାର ସ୍ବରୁପ ପାଇଥିଲି ତୁମ ବନ୍ଧୁତା ର ସ୍ନେହ ଓ ଭଲପାଇବାକୁ ଏବଂ ସେହି ବନ୍ଧୁତ୍ୱର ଡୋରିରେ ବାନ୍ଧି ହୋଇ ନିଜକୁ ଧନ୍ୟ ମଣୁ ଥିଲି । ହେଲେ ସେହି ଡୋରି ଆଜି କେଜାଣି କାହିଁକି ଅନିଚ୍ଛା ସତ୍ତ୍ବେ କେଉଁ ଏକ ଅଦୃଶ୍ୟ ଶକ୍ତିର ଦୃଷ୍ଟିରେ ଛିଣ୍ଡି ଗଲା । ଯାହା ଆଜି କ୍ଷତ ଦେଇ ଗଲା ମୋ ବାସ୍ତବତା ର ବର୍ତ୍ତମାନ କୁ ଯାହାର ଉପଶମ କୌଣସି ଉପଚାରରେ ନାହିଁ । ରକ୍ତ ମାଂସ ର ଶରୀର ରେ କ୍ଷତ ହେଲେ ତାହା ଧୀରେ ଧୀରେ ଶୁଖି ଯାଏ, ହେଲେ ହୃଦୟ ରେ ବର୍ଜିତ କ୍ଷତ ଯେ ଆଜୀବନ ଶୁଖେ ନାହିଁ ତାହା ମୋର ଚିନ୍ତା ଓ ଚେତନା ରୁ ବାହାରେ ଥିଲା । ସମୟ ଅପସରି ଯାଉଛି କିନ୍ତୁ ଅପସରି ପାରୁନି ସେହି ଉଦାସିନ ଯନ୍ତ୍ରଣା , ଯାହାର ଜ୍ୱାଳା ରେ ତିଳ ତିଳ ହୋଇ ଜଳି ଯାଏ ମୋର ଭାବନା ର ଗ୍ରନ୍ଥି ସବୁ ତୁମ ବିରାଗ ର ଘୃତ ସ୍ପର୍ଶ ପାଇ ।


     ଏବେ ବି ମନେ ପଡେ ତୁମ ସ୍ନେହ ଭରା କଥା ସବୁ , ଶରତ ଆକାଶ ର ଭସା ବାଦଲ ପରି ଭାସି ଉଠନ୍ତି ମୋର ଆଖି ପରଦାରେ । ମିଛ ନୁହେଁ,ସତ ପରି ଲାଗେ ତୁମେ ଏବେ ବି ମନ୍ତ୍ରଣା ଦେଉଛ କାନ ପାଖେ ମୋର ଏହି ଦୁର୍ବଳ ମନ କୁ ସୁଦୃଢ କରିବା ପାଇଁ , ଏହି ଦୁନିଆ ରେ ଜିଇଁବା ପାଇଁ ଓ ଜିତିବା ପାଇଁ । ନାରୀ ସର୍ବଂସହା ଓ ସର୍ବରୂପୀ ବୋଲି ଶୁଣିଥିଲି କାଳେ ବର୍ଣ୍ଣନା ହୋଇଛି ଅନେକ ପୁରାଣ ଶାସ୍ତ୍ରରେ କିନ୍ତୁ ତାହାର ଅନୁଭବ ତୁମେ ମୋତେ ଦେଇଥିଲ ମୋର ପ୍ରିୟ ସଖୀ ରୂପ ରେ । ବିପଦ ସମୟ ରେ ଦୁର୍ଗତିନାଶିନୀ ସାଜି ଦୂର କରିଥିଲ ମୋ ମନରେ ବସି ରହିଥିବା ଭୟ ନାମକ ଏକ ମହିଷାସୁର କୁ , ପର ନୁହେଁ ଆପଣାର ଭାବି ଦୂର କରିଥିଲ ମୋର ସବୁ ସମସ୍ୟାକୁ । ତୁମ ଠାରେ ଦେଖିଛି ଗୋଟିଏ ମାଆ କୁ , ଗୋଟିଏ ଭାଇ କୁ , ଏବଂ ଗୋଟିଏ ବନ୍ଧୁ କୁ , କେବେ ମାତୃ ପ୍ରେମ ଢାଳି ଆକଟ କର ତ ଆଉ କେବେ ଭାତୃ ପ୍ରେମ ଢାଳି ଶାସନ ପୁଣି କେବେ ବନ୍ଧୁ ପ୍ରେମ ଢାଳି ଚପଳାମି ଭରି ଦିଅ ମନ ସିନ୍ଦୁକ ରେ । ତୁମେ ସେହି ଯେ''କି ଦୂର ରେ ଥାଇ ବି ଜାଣି ପାର ମାଆ ଟିଏ ପରି ମୋ ପେଟରେ ଭୋକ ର ଗଭୀରତା କୁ । କଥାରେ ଅଛି ନିଜ ଦୃବଳତା ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ୍ , ହେଲେ ତୁମ ଆଗରେ ମୁଁ ଦୁର୍ବଳ ହୋଇ ଯାଏ , ଯେତେବେଳେ ତୁମେ ଭାତ୍ରୃ ସାଜି ସମାଧାନ କରିଥାଅ ମୋର ସବୁ ସମସ୍ୟାକୁ ।


        ପ୍ରକୃତ ବନ୍ଧୁ ଭାଗ୍ୟରେ ଥିଲେ ମିଳେ , ହେଲେ ବନ୍ଧୁତ୍ୱ କୁ ଆଜୀବନ ତୁଲାଇବା ଭାଗ୍ୟବାନ ର କାମ ଅଟେ । ଭାଗ୍ୟରେ ଥିଲା ବୋଲି ତୁମକୁ ବନ୍ଧୁ ରୂପେ ପାଇଥିଲି କିନ୍ତୁ ଭାଗ୍ୟହୀନ ହୋଇ ତୁମ ପରି ବନ୍ଧୁକୁ ହରାଇ ବସିଲି । ହୋଇ ପାରେ ତୁମ ସହ ମୋର ବନ୍ଧୁତା ଅଳ୍ପ ଦିନ ପାଇଁ , ହେଲେ ସେହି ଅଳ୍ପ ଦିନ ଭିତରେ ତୁମେ ଯେଉଁ ଶିକ୍ଷା ଦେଇ ଗଲ ତାହା ଆଜୀବନ ଗୁରୁବାଣୀ ହୋଇ ମୋତେ ସଠିକ୍ ବାଟ କଢାଇ ନେଉଛି । ବେଳେ ବେଳେ ନିଜକୁ ପ୍ରଶ୍ନ କରେ-ମୋ ବନ୍ଧୁପଣ ରେ କେଉଁ ଠାରେ ତ୍ରୁଟି ରହିଗଲା , ଯେଉଁଥିପାଇଁ ତୁମେ ମୁହଁ ଆଡ କରି ଚାଲିଗଲ ସମ୍ପର୍କ ର ଡୋରି ଛିଣ୍ଡାଇ । ସେହି ଡୋରି ସିନା ଛିଣ୍ଡି ଗଲା କିନ୍ତୁ ଚିହ୍ନ ଦେଇ ଗଲା ଅସହ୍ୟ ଯନ୍ତ୍ରଣା । ସ୍ମୃତି ହୋଇ ରହିଗଲା ବନ୍ଧୁତ୍ୱ ବହି ର ପ୍ରଥମ ଅଧ୍ୟାୟ , ଯାହାକୁ ଭୁଲି ହେବ ନାହିଁ କେବଳ

ଭୁଲିବା ର ବାହାନା କରାଯାଇ ପାରେ । ଲାଗୁଛି ଯେମିତି ଏହି ସମ୍ପର୍କକୁ ତୁମେବି ମୋ ପରି

ଭୁଲିବା ର ବାହାନା କରୁଥିବ କିନ୍ତୁ ଭୁଲି ପାରୁ ନଥିବ । ବିଚ୍ଛେଦ ର ମିଳନ ଥାଏ କିନ୍ତୁ ବିୟୋଗ ର ନଥାଏ , ହେ ପ୍ରିୟସଖୀ ,ମୋତେ ଏତିକି କହି ଯାଅ ଯାହା ବାକି ରହିଗଲା , ଏ ସମ୍ପର୍କ ର ଅନ୍ତିମ ପର୍ଯ୍ୟାୟ କୁ ମୁଁ କେଉଁ ନାମ ଦେବି - ବିଚ୍ଛେଦ ନା ବିୟୋଗ ? ତୁମ ଉତ୍ତର ଏ ସମ୍ପର୍କ ରେ ଆଜୀବନ ପୁର୍ଣ୍ଣଚ୍ଛେଦ ଟାଣୁଛି ନା ପୂର୍ଣ୍ଣତା ଭରୁଛି ସେହି ଅପେକ୍ଷା ରେ ରହିଲି ।


           


Rate this content
Log in

Similar oriya story from Drama