Chandrakanta Jena

Drama Fantasy Inspirational

4.1  

Chandrakanta Jena

Drama Fantasy Inspirational

ଫଟା କପାଳ

ଫଟା କପାଳ

6 mins
850


ଦିନ ଯାଇ ରାତି ଘଡ଼ିଏ ହେଲାଣି, ରଇଜଳା ଟାର ଏ ପର୍ଯ୍ୟନ୍ତ ଦେଖା ନାହିଁ, ଗାତପଶା କୋଉଠି ମାରିଚି କେଜାଣି, ଜନମ ହଉ ହଉ ବୋପା ମାଆ କୁତ ଖାଇଲା ଆଉ ବାକି ରହିଲି ମୁଁ, ଏଇ ବୁଢ଼ୀ ବୟସରେ ମୋତେ ଯାହା ଖାଲି ଦହଗଞ୍ଜ କରି ମାରୁଚି, କଣ କରିବି କହିଲ ଭଲା, ଏଇ ମେଘୁଆ ଅନ୍ଧାର ରାତିରେ ତାକୁ କୁଆଡେ ଖୋଜିବାକୁ ଯିବି, ଏଇ ନିଆଁ ଲଗା ଆଖି ଦିଟାକୁ କୋଉ ଭଲରେ ଦିଶୁଥନ୍ତକି, ହଁ ଯାଇ ହାପୁସି ଆସନ୍ତି ଭାଟି ବାରଣ୍ଡାରୁ , ପୋକରା ମେଘଟାବି ଟିକେ ଛାଡିବାର ନାଁ ଗନ୍ଧ ଧରୁନି, ସେଇମିତି ଦିନ ଓଳିକରୁ ତୁହାକୁ ତୁହା ଗରଜୁଚି ଯେ ଗରଜୁଚି, କେଜାଣି କୋଉଠି ଏଇ ଆଳପେଇସିଆ ମେଘ ଲାଗି ବସି ଯାଇଥିବ କି ମାତାଲ ହେଇ ଗଡୁ ଥିବ ପର ଦୁଆରେ, କି କାହା ବାଡ଼ିରେ ପଶି କୋଉ କର ସାଦି କରୁଥିବ ତାହା ଭଗବାନେ ଜାଣିଥିବେ, ସାନିଆରେ ଏ ସାନିଆ ଆରେ କୋଉଠି ମରିଚୁ ତୋ ଚିନ୍ତାରେ ଆଉ କେତେଦିନ ଏମିତି ହନ୍ତସନ୍ତ ହେବିରେ ? ମୋତେ କାଳ ହେଇ ଯାଉନି କାହିଁକି, ଏଇ ଆଇଁଠୁ ପୁଅ ସହିତେ ଗୋତି ଖଟିବାକୁ ଗଲା ଦିନଠୁ ତା ମାତାଲି ନିଶା ବେଶି ବଢ଼ି ଗଲାଣି, କାଆଲି ଗାଁରେ ନିସାପ ବସେଇବି ବାଡିପଶା ଅଇଁଠୁ ପୁଅ ନାଁରେ ସେହି ମୋ ସନିଆକୁ ନେଇ ବେଶି ମାତାଲି କରୁଛି, ଅଇଁଠୁରତ ତା ଛୁଆ ପ୍ରତି ଟିକେ ଆକଟ ନାହିଁ, ନିଜେ ଆଜି ପର୍ଯ୍ୟନ୍ତ ପର ହାତରୁ ଫିଙ୍ଗା ଖାଇ ବୁଲୁଛି ସେ ପୁଣି ନିଜ ଛୁଆଙ୍କୁ ଆକଟ କରିବ କଣ, ହେ ମା ମଙ୍ଗଳା ମୋ ସାନିଆକୁ ଟିକେ ଭଲ ବୁଦ୍ଧି ଦେଲୋ, ହେ ମାଆ ମୁଁ ଦେଖି ଯାଏ ବରଷାରେ ତିନ୍ତିଲେ ପଛେ ତିନ୍ତିବି ଲାଲଣ୍ଠିନ୍ ଟାକୁ ଧରି ଘେରାଏ ମାରି ଆସେ କାଳେ କୋଉଠି ବସି ଯାଇଥିବ କି ନିଶାରେ କୋଉଠି ପଡ଼ିଥିବ   ।


     ପହଲା ଏ ପହଲା .l ହଁ ହଁ ଯାଉଚି ଯାଉଚି, ଆଲୋ ଚମ୍ପା ନାନୀ ତୁ ? ଏତେ ରାତିରେ ଏମିତି ପାଣି କାଦୁଅରେ ସରସର ହେଇ କୁଆଡେ ଯାଇଥିଲୁ, କଣ ହେଇଛି, ସାନିଆ ଏଯାଏଁ ଫେରିନି ? କ'ଣ କହିବି ରେ ପହଲା ଗୋଠ ବାହୁଡା଼ ବେଳୁ ଅନେଇ ବସିଛି ଯେ ରାତି ଆସି ଘଡିଏ ହେଲାଣି ଟୋକା ଟାର ଏପର୍ଯ୍ୟନ୍ତ ଦେଖାନାହିଁ, ମନଟା ସମ୍ଭଳା ପଡିଲାନି ବୋଲି ଭାଟି ମୁହଁ ଆଡୁ ଘେରାଏ ଆଖି ବୁଲେଇ ଆଣିବି ବୋଲି ଯାଇଥିଲି, ହେଲେ ଏଇ କଚଡା ଅସରାରେ ଲାଲଣ୍ଠିନ୍ କୋଉ ଜଳିବ କହିଲୁ, ଯୋରବି ଫୁଲିକି ଦିକୁଳ ଖାଉଛି ସେଥିପାଇଁ ସାହାସ ହେଲାନି ଏତେ ପାଣିରେ ଯୋରରେ ପଶିବାକୁ ସେଥିପାଇଁ ବାହୁଡ଼ି ଅଇଲି, ବୁଢ଼ାବର ହିଡରେ ପଡ଼ି ମୋର ଏଇ ଦଶା ଲଲଣ୍ଠିନ୍ କାଚଟା ବି ଭାଙ୍ଗିଗଲା ଯେନେ ତେନେ ଘୁସୁଡ଼ି ଚାମୁଟି ତୋ ପାଖକୁ ଆଇଚି, ମୋ ବାପାଟା ପା ଚାଇଲୁ ଚାଇଲୁ ସାନିଆ କୋଉଠି ଅଛି ତାକୁ ଟିକେ ଖୋଜି ଆସିବା, ଆଲୋ ଏଇ ମେଘୁଆ ଅନ୍ଧାର ରାତିରେ ତାକୁ କୁଆଡେ ଖୋଜିବାକୁ ଯିବୁ ? ଅନ୍ଧାରରେ ମୁହଁକୁ ମୁହଁ ଦିଶୁନି, ଏଭଳି ବାଦଲ ଫଟା ବରଷାରେ ଲାଲଣ୍ଠିନ୍ କି ଝାମ୍ପି କେହିତ ସମ୍ଭାଳା ପଡ଼ିବେନି ତେଣେ ଯୋରାବି ଫୁଲିକି ଦିକୁଳ ଖାଉଛି ସେପାଖକୁ ଗଲେ ସିନା ତାକୁ ଖୋଜିବୁ, ତୋ ଆଖିକୁତ ଭଲରେ ଦେଖାଯାଉନି ଆଉ ଏମିତି ପାଗରେ ତତେ ନେଇ ସନିଆ କୁ ମୁଁ କୁଆଡେ ଖୋଜିବି, ମୋତେ ଲାଗୁଛି ଏମିତି ବରଷା ଲାଗି ସେ କୋଉଠି ଅଟକି ଯାଇଥିବ, ବରଷା ଛାଡ଼ିଲେ ସେ ଆସିଯିବନି କି, ତୁ ଆଉ କାତର ହୁଅନା ସନିଆ ଆଉ ଛୋଟ ପିଲା ହୋଇ ନାହିଁ ଯେ ବାଟ ହୁଡ଼ି କୁଆଡେ ହଜିଯିବ, ତୁ ଘରକୁ ଚାଲେ ମୁଁ ତତେ ଛାଡ଼ିଦେଇ ଆସିବି, ନାଁ ରେ ପହଲା ମନଟା ଭଲ ଲାଗୁନି, କାତର ହେବିନି କେମିତି କହିଲୁ, ମାଆ ଆଖିରେ ବୁଢ଼ା ପୁଅବି ଛୋଟ ଲାଗିଥାଏ, ପିଲା ଯେତେ ବଡ଼ ହେଲେବି ମାଆ ଆଖିରେ ସବୁବେଳେ ଛୋଟ, ଆଉ ମୋ ସନିଆର ତ ବୁଦ୍ଧି ସୁଧି ବୋଲି କିଛି ନାହିଁ ବଡ଼ ହୁଣ୍ଡା ଟାଏ, ସେଥିପାଇଁ ବେଳ ଉଛୁଳ ହେଲେ ଆଖି ଛିଡ଼ା ହୋଇଥାଏ ତା ପାଖରେ, ଆଗରୁ ଯାହା ଯେମିତି ଥିଲା ଏବେ ଏଇ ଅଇଁଠୁ ପୁଅ ସହ ଘଣି ହେଲା ଦିନୁ ଛୁଆଟା ମୋର ପୁରା ବିଗିଡି ଗଲାଣି, ଆଲୋ ଆଇଁଠୁ ପୁଅକୁ ଦୋଷ ଦେଇ କି ଲାଭ କହିଲୁ, ସନିଆର କୋଉ ବହାପିଆ ଗୁଣ କମ୍ କି, ରାତି ଆସି କେତେ ହେଲାଣି ଘରେ ବୁଢ଼ୀ ମାଆ ଏକୁଟିଆ, କଣ କରୁଛି, କଣ ଖାଇଛି ବୋଲି ତାହାର ଟିକେ ନିଘା ଅଛି ? ତାହାର ମହୁଲି ଘଡା ଭଲତ ସିଏ ଭଲ, ବୁଢ଼ୀ ମାଆ କଥା ଭାବିବ କାହିଁକି, ତୁ ଆଉ ସାନିଆ କଥା ବେଶି ଭାବେ ନାହିଁ, ସେ ଯେଉଁଠି ଥିବ ନିଶା ଛାଡ଼ିଲେ ବଳେ ଘରକୁ ଫେରିବ, ତୁ ଆମର ଘରକୁ ଚାଲେ, ସଞ୍ଜ ରୁ କଣ ଖାଇ ଥିବୁକି ନ ଖାଇଥିବୁ କଣ ଗଣ୍ଡେ ଖାଇଦେଇ ଗଡପଡ ହେଉଥିବୁ, ତା କଥା ଆଉ ଚିନ୍ତା କରେ ନାହିଁ, କେମିତି ଚିନ୍ତା କରିବିନିରେ ପହଲା, ବାପ ମାଆ ଛେଉଣ୍ଡ ଛୁଆଟା ସେ, ମୋ ଛଡ଼ା ତାର ଆଉ କିଏ ଅଛି, ନା ତା ଛଡା ମୋର ଆଉ କିଏ, ଏଇ ବୟସରେ ମୋ ପରି ରାଣ୍ଡି ବୁଢ଼ୀର ସେହିତ ଏକା ସାହାରା, କରମ ଛୋଟ ବୋଲି ଯୁବା ବୟସରୁ ରାଣ୍ଡି ହେଲି, ଭେଣ୍ଡିଆ ପୁଅକୁ ହାରେଇଲି, ଖୋଜି ଖୋଜି ଜହ୍ନି ଫୁଲ ପରି ବୋହୂ ଟିଏ ଘରକୁ ଆଣିଥିଲି ହେଲେ ମୋ ଭାଗ୍ୟକୁ ଅଣ୍ଟିଲା କୋଉଠି, ଭଗବାନେ ସବୁ ଛଡେଇ ନେଲା ପରେ ଏଇ ସନିଆକୁ ଛାଡ଼ି ଯାଇଛନ୍ତି ମୋ ପାଖରେ, ଏଇ ବୁଢ଼ୀ ବୟସରେ ମୋ ସାହାରା ହେବା ପାଇଁ, ତେଣୁ ଭଲ ହେଉ ବା ଖରାପ ତାହାରି କାନ୍ଧରେ ଦିନେ ନା ଦିନେ ମଶାଣି କୁ ଯିବି, ସେହିତ ମୋ ମୁହଁରେ ନିଆଁ ଦେବରେ ପହଲା, କେମିତି ତା କଥା ଭାବିବିନି କହିଲୁ, କଥାରେ ଅଛି ଭାସି ଯାଉଥିବା ଲୋକର କୁଟା ଖଣ୍ଡକୁ ଭରସା, ତେଣୁ ମୋ ଜୀବନ ନଈ ସୁଅରେ ସେହି କୁଟା ଖଣ୍ଡକ ହେଉଛି ମୋ ସନିଆ, ଏ ଛାତି ବହୁତ ଦରଜ ସହିଚିରେ, ଏଇ ଆଖି ଆଗେ ମୋ ସବୁ ନିଜ ଲୋକ ମାନେ ଗୋଟି ଗୋଟି କରି ମୋତେ ଏକା କରି ଛାଡ଼ି ଦେଇ ଗଲେ, ଆଉ ଦମ୍ଭ ନାହିଁ କି ସାହସବି ନାହିଁ, ସେହିଭଳି ବିପଦକୁ ଆଖି ଆଗରେ ସାମ୍ନା କରିବା ପାଇଁ, ଏମିତି ସନିଆକୁ ଦେଖି ଦେଖି ମୋ ଜୀବନଟା ଚାଲିଯାଉ, ମୋର ଆଉ କିଛି ଦରକାର ନାହିଁ, ସନିଆ ଉପରେ ଧୂଳି ଟିକେ ପଡ଼ିଲେ ମୋ ଛାତି ଫାଟି ଉଠେ, ମା ମଙ୍ଗଳାକୁ ସବୁବେଳେ ଡାକୁଚି ମୋ ସନିଆକୁ ଘଣ୍ଟ ଘୋଡେଇ ରଖିଥାନ୍ତୁ, ହଉ ଲୋ ଚମ୍ପା ନାନୀ, ମୁ ତୋ କଥା ବୁଝି ପାରୁଛି, ତୁ ଆଉ ମନ ଛୋଟ ନକରି ନିଜ କରମକୁ ନିନ୍ଦା ନଦେଇ ଘରକୁ ଚାଲେ ମୁଁ ତତେ ଛାଡ଼ି ଆସିବି, ଯାହା ଗଉଣିରେ ଯେତିକି ଧାନ ଧରିବା କଥା ଧରିବ, ତୋର ସେତିକି ସହିବା ଶକ୍ତି ଅଛି ବୋଲି ଭଗବାନ ତତେ ଏତେ ପରୀକ୍ଷା ଦେଇ ଚାଲିଛନ୍ତି, ତୁ ଆଉ ମନ ଉଣା କରେନି, ସନିଆର କିଛି ହେବନି, ବର୍ଷା ଛାଡ଼ିଲେ ସେ ଯେଉଁଠି ଥିବ ଫେରି ଆସିବ, ଚାଲେ ମୁଁ ତତେ ନେଇ ଘରେ ଛାଡ଼ି ଆସିବି, ତୁ ଘଡ଼ିଏ ହେଲା ଘରୁ ବାହାରିକି ଆସିଲୁଣି, କାଳେ ସେହି ସମୟ ଭିତରେ ସନିଆ ଘରକୁ ଫେରିଥିବ, ତେଣୁ ଘରକୁ ଚାଲେ, ତୁ ଠିକ୍ କହୁଚୁ ରେ ପହଲା, କାଳେ ମୋ ସନିଆ ଆସି ତେଣେ ଆସି ଯିବଣି, ଚାଇଲୁ ଚାଇଲୁ ମେତେ ଟିକେ ଘରେ ଛାଡ଼ିଦେଇ ଆସିବୁ,ହଉ ଟିକେ ରହ ମୁଁ ଠେଙ୍ଗେଣି ଟା ଭିତରୁ ନେଇ ଆସେ ।


    ସନିଆରେ ଏ ସନିଆ, ଆରେ ପହଲା କାହିଁ ମୋ ଧନ ଏଯାଏଁ ଫେରିନିରେ, ତାର କିଛି ହେଇଯାଇନି ତ, ମୋ ମନ କାହିଁକି ପାପ ଛୁଉଁଚି, ତୁ ଖାଲି ଟାରେ ବେଶୀ ଚିନ୍ତା କରୁଚୁ ଲୋ ଚମ୍ପା ନାନୀ ,ସନିଆ କଣ ଆଉ ଛୋଟ ଛୁଆ ହେଇ ଅଛି, ତତେ ଏତେ କରି ବୁଝେଇ କହିଲା ପରେ ବି ତୁ ଅବୁଝା ହଉଛୁ, ମୁଁ କଣ କରିବି କହିଲୁ, ଦେଖୁଛୁ ମେଘ ଅନ୍ଧାରିଆ ପାଗ, ଏଥିରେ ସନିଆ କୁ କେମିତି କୁଆଡେ ଖୋଜିବି କହିଲୁ, ଯଦି ପାଗ ଭଲ ଥାନ୍ତା ତେବେ ତୁ କହିବା ପୂର୍ବରୁ ମୁଁ ତାକୁ ଖୋଜି ଆଣନ୍ତିଣି, ତେଣୁ ତୁ ବ୍ୟସ୍ତ ହୁଅନା, ସୁବିଧା ଅସୁବିଧା ସବୁ ଲାଗି ରହିଛି, ସେ କେଉଁଠି ଅସୁବିଧା ରେ ପଡ଼ି ଯାଇଛି ବୋଲି ଘରକୁ ଆସିପାରିନି, ତେଣୁ ତୁ କିଛି ନ ଭାବି କଣ ଗଣ୍ଡେ ଖାଇଦେଇ ଗଡପଡ଼ ହଉଥିବୁ ଯା, ମୁଁ ଯାଉଛି ତେଣେ ଫୁଲି ବୋଉ ଚାହିଁ ବସିଥିବ, ପୁଣି ବଡି ସକାଳୁ ସାହୁକାର ଜମିକୁ ହଳ ନେବାର ଅଛି, ତୁ ଘରକୁ ଯା, ମୁଁ ଏବେ ଆସୁଛି ।


ଭାଳି ଭାଳି ତତେ ରଜନୀ ପାହିଲା

ତମସା ଘେରରେ ମନ,

ଆରେ ବାବୁଧନ ମୋ କୁଳ ନନ୍ଦନ

ତୋ ବିନୁ ଛାଡେ ଜୀବନ  !

     

ଆରେ ଏ ପହଲା ଭାଇ, ପହଲା ଭାଇରେ, ଆରେ ଟିକେ ରହ ଟିକେ ରହ, ଆରେ ପହଲା ଭାଇ ଏତେ ବଡି ଅନ୍ଧାରୁ ଧଇଁ ସଇଁ ହୋଇ ଧାଇଁଚୁ ଯେ, କୁଆଡେ ଯାଇଥିଲୁ ? କୋହଲିଆ ଶୀତୁଆ ସକାଳରେ ଦେହରୁ ଚାଦର କାଢ଼ିବାକୁ ଇଚ୍ଛା ହେଉନି କିନ୍ତୁ ତୋ ଦେହରେ ଏତେ ଝାଳ, ମଣିଷ ମାରିକି ଫେରିଚୁ ନା କଣ ? ଆଇଁଠୁରେ ଆଇଁଠୁ.... ଆରେ ଟିକେ ଦମ୍ଭ ନେ, ବସିଲୁ ବସିଲୁ ଏଇ ପଥର ଉପରେ, ତା ପରେ କହିବୁ, କଣ କହିବି ରେ ଅଇଁଠୁ ସବୁ ସରିଗଲା, ଚମ୍ପା ନାନୀ ଟି କେମିତି ଜୀବନ ଧରିବ, ତା ସଂସାର ଉଚ୍ଛନ୍ନ ହେଇଗଲା, ଆରେ ଭାଇ କଣ ହେଇଛି ମତେ ଖୋଲିକି କହ ଚମ୍ପା ନାନୀ ସଂସାର କଣ ଉଚ୍ଛନ୍ନ ହେଇଗଲା, ତୁ ଏମିତି ବୁଲେଇ ବଙ୍କେଇ କହିଲେ ମୁଁ କଣ ଜାଣିବି, ଖୋଲିକି କଣ କହିବି ଅଇଁଠୁ, କାଲି ରାତିରେ ସନିଆ ଘରକୁ ଫେରିନଥିଲା ,ଚମ୍ପା ନାନୀ ବ୍ୟସ୍ତରେ ଡହଳ ବିକଳ ହୋଇ ଅନ୍ଧାରୁଆ ବରଷା ରାତିରେ ଘେରାଏ ଖୋଜିଥିଲା,ଏମିତିକି ମୋ ପାଖକୁ ବି ଯାଇଥିଲା ସାନିଆକୁ ଖୋଜି ଦେବା ପାଇଁ, ଅନ୍ଧାର ରାତିରେ ତାକୁ କୁଆଡେ ଖୋଜିବି କହି ବୁଝେଇ ସୁଝେଇ ତାକୁ ନେଇ ଘରେ ଛାଡ଼ିକି ଆସିଥିଲି ହେଲେ ,ହେଲେ ପୁଣି କଣ ? ଚମ୍ପା ନାନୀ କୁ ବୁଝେଇ ସୁଝେଇ ଘରେ ଛାଡିକି ଆସିଲୁ ଭଲ କଲୁ ,ଅସୁବିଧା ହେଲା କଣ ହେଲା ? 

ଏଇତ କାଲି ରାତି କଥା ,ସନିଆ ଘରକୁ ଫେରି ଆସିବଣି, ମହୁଲି ପିଇ କୋଉଠି ପଡ଼ିଥିବ ନିଶା ଛାଡ଼ିଲା ପରେ ଘରକୁ ଫେରିଥିବ ,ହେଲେ ତୁ ନଟା ଆଡ଼ୁ ଧଇଁ ସଇଁ ହୋଇ ଏତେ ଜୋରରେ ଧାଇଁଚୁ କାହିଁକି କହିଲୁ , ଯାଇଥିଲୁ କୁଆଡେ ? ଆରେ ହଁ ଇଏତ ଗଲା କାଲି କଥା, ମୁହଁ ଅନ୍ଧାରୁ ହଳ ଫିଟେଇ ଥିଲି, ଭାବିଥିଲି ବେଳ ମୁଣ୍ଡ ଉପରକୁ ହେବା ପୂର୍ବରୁ ସାହୁକାର ଜମିରୁ ବେଉଷଣ ସାରି ଫେରିବି ବୋଲି ସେଥିପାଇଁ ହଳ ନେଇ ଯାଇଥିଲି, ଜମିରେ ହଳ ଯୋଚି ଡେଭିରି ହାତ ଗୋଟେ ଓଚା ବି ଯାଇନି, ଦେଖିଲି ସେପଟ ବିଲ ମୁଣ୍ଡ ହିଡରେ କିଏ ଗୋଟିଏ ନଟେଇ ହୋଇ ପଡ଼ିଛି, ସେ ଦୃଶ୍ୟ ଦେଖି ଭାରି ଛାନିଆ ଲାଗିଲା, ହଳ ଅଟକାଇ ଖଣ୍ଡେ ଦୂରରୁ ଛିଡ଼ା ହୋଇ ଦେଖେତ ମଣିଷ ଲାସ୍ ଟିଏ ରେ, ମୋ ମନରେ ଛନକା ପଶିଲା ଆଉ ସାହସ ହେଲାନି ପାଖକୁ ଯିବାପାଇଁ, ସଅଳ ସଅଳ ବଳଦ କାନ୍ଧରୁ ଯୁଆଳି ଫିଟେଇ ସାହୁକାରକୁ ଜଣେଇବି ବୋଲି ଯାଉଛି, ତୁ ଗୋଟାଏ କାମ କରିବୁ ଅଇଁଠୁ, ଚମ୍ପା ନାନୀକୁ କିଛି ନକହି ତା ଘରେ ଟିକେ ମୁହଁ ମାରି ଆସନ୍ତୁ, ଦେଖିବୁ ସନିଆ ଅଛିକି ନାହିଁ, ମୁଁ ଯାଉଚି ସାହୁକାର ପାଖକୁ, ମୋ ମନକୁ ପାପ ଛୁଉଁଚି ରେ, କାଳେ ସେହି ଲାସ୍ ଟା ଆଉ ଆମ ସନିଆର ନୁହେଁ ତ ?


Rate this content
Log in

Similar oriya story from Drama