(ଶିଶୁ ଗଳ୍ପ)ପୂର୍ଣ୍ଣିମା ର ସ୍ବପ୍ନ ହେଲା ପୂରଣ ।
(ଶିଶୁ ଗଳ୍ପ)ପୂର୍ଣ୍ଣିମା ର ସ୍ବପ୍ନ ହେଲା ପୂରଣ ।
ସେ କେବେ କେବେ ଗାଁ ଦାଣ୍ଡ ରାସ୍ତା ଘାଟ ରେ ଏଣେ ତେଣେ ହୋଇ ପଡ଼ିଥିବା ଜରି ପ୍ଲାଷ୍ଟିକ ନିଜ ହାତରେ ଗୋଟେଇ ପକାଇ ଗାଁ ପରିବେଶ କୁ ସଫା କରି ଦିଏ ତ ଆଉ କେବେ କେବେ ସ୍କୁଲ ଛୁଟି ପରେ ଗାଁ ଓ ଗାଁ ବାହାରେ ଥିବା ଛୋଟ ଛୋଟ ଗଛରେ ପାଣି ଦେଇ ଗଛ ମାନଙ୍କର ଯତ୍ନ ନିଏ । ଏହି ବର୍ଷା ଦିନ ସମୟରେ ପ୍ରାୟ ଶହେ ରୁ ଅଧିକ ଆମ୍ବ ଗଛ ଏକାକୀ ଗାଁ ରାସ୍ତା କଡ଼ରେ ଲଗେଇଥିଲା ଏବଂ ପାଠ ପଢ଼ାରୁ ସମୟ ବାହାର କରି ସେ ସବୁ ଗଛ ମାନଙ୍କର ଯତ୍ନ ନିଏ । କେବେ କେବେ ତାହାର ଏହିପରି ନିଃସ୍ଵାର୍ଥ ପରିଶ୍ରମ ଦେଖି ଗାଁ ମୁଖିଆ ଗାଁ ର କିଛି ବ୍ୟକ୍ତି ମାନଙ୍କୁ ଧରି ସେହି କାମରେ ତାକୁ ସାହାର୍ଯ୍ୟ କରିଥାନ୍ତି । ତାହାର ଏହିପରି କର୍ମ ଦେଖି କିଏ ତାକୁ ପ୍ରକୃତି ପ୍ରେମୀ ପୁନି ବୋଲି କୁହେ ତ ଆଉ କେହି କେହି ପାଗେଳି ପୂର୍ଣ୍ଣିମା କହି ଡାକୁଥାନ୍ତି । ସେ ଯାହାବି ହେଉ ପୂର୍ଣ୍ଣିମା ଯେ ନିଜକୁ ପରିବେଶ ଓ ପ୍ରକୃତି ପାଇଁ ସେ ନିଜକୁ ଉତ୍ସର୍ଗ କରିଛି ତାହା କହିବା ଭୁଲ୍ ହେବ ନାହିଁ । ପୂର୍ଣ୍ଣିମାର କେବଳ ଗୋଟିଏ ସ୍ଵପ୍ନ ପ୍ଲାଷ୍ଟିକ ମୁକ୍ତ ପୃଥିବୀ ଏବଂ ପ୍ରଦୂଷଣ ମୁକ୍ତ ପରିବେଶ । ଏହି ସବୁ କାମ ଦେଖି ମାଆ ବି ତାକୁ ସବୁବେଳେ ବାରଣ କରିବା ସହିତ ବେଳେ ବେଳେ ଗାଳି ଗୁଲଜ ମଧ୍ୟ କରିଥାନ୍ତି । ତୋ ଚିନ୍ତା ମୋତେ ସବୁବେଳେ ଖାଇଲା , ଭୁଆସୁଣୀ ଟିଏ ହେଲୁଣି ଏମିତି ପାଗେଳି ଙ୍କ ପରି ବୁଲି ବୁଲି ରାସ୍ତା ଘାଟ ରୁ ଜରି ପ୍ଲାଷ୍ଟିକ ଗୋଟାଉଛୁ ତତେ ଟିକେ ସରମ ଲାଗୁନି , ଗାଁ ମୁଣ୍ଡ ଗଛ ମାନଙ୍କରେ ପାଣି ଦେଇ ତାହାର ଯତ୍ନ ନେଉଛୁ...., ତୁ କଣ ଏକୁଟିଆ ଠିକା ନେଇଛୁ ଏହି ଗାଁ ରେ , ତତେ ପୋଷିବେ ଏହି ଗାଁ ଲୋକ...? ୟା ଠାରୁ ମୋତେ ମରଣ ହେଉନି ଯାହା..., ଏହି ଟୋକି ପାଇଁ ମୁଁ ଦିନେ ବିଷ ଜହର ଖାଇ ଶୋଇବି , ଆଉ ଲୋକ ହସା ହେଇ ପାରିବିନି । ନିଇତି ଏମିତି କେତେ କଥା ଗାଳି ଶୁଣିବାକୁ ପଡେ ମାଆ ଙ୍କ ଠାରୁ । କିନ୍ତୁ ପୂର୍ଣ୍ଣିମା ନିଜ ସ୍ଵଭାବ ପରିବର୍ତ୍ତନ ର ନାଁ ଗନ୍ଧ ନେବାର ନାହିଁ , ମାଆ ଙ୍କ କଥା କୁ ଫୁ କରି ଉଡେଇ ଦେଇ ସେ ତାର କର୍ମପଥରେ ନିଇତି ଆଗେଇ ଚାଲେ । ସବୁଦିନ ପରି ସେଦିନ ସକାଳୁ ସକାଳୁ ନିଜ କାମରେ ଘରୁ ବାହାରି ଯାଇଥିଲା ପୂର୍ଣ୍ଣିମା , କିନ୍ତୁ ପରିସ୍ଥିତି ସେଦିନ ତା ପାଇଁ ଟିକିଏ ଗମ୍ଭୀର ହୋଇ ଯାଇଥିଲା ।
ସାନ ବୋହୁ ସାନ ବୋହୁ କହି ଯାଇ ଡାକ ପକାନ୍ତି ପୂର୍ଣ୍ଣିମାର ଘର ଆଗରେ ତାଙ୍କ ପଡୋଶୀ ବ୍ୟକ୍ତି ଜଣେ । ପଡୋଶୀଙ୍କ ଡାକ ଶୁଣି ଧଡପଡ ହୋଇ ଘରୁ ବାହାରି ଆସନ୍ତି ପୂର୍ଣ୍ଣିମାର ମାଆ କମଳା ଦେବୀ , ପଡୋଶୀଙ୍କ ବ୍ୟସ୍ତତା ଦେଖି କମଳା ଦେବୀ ପ୍ରଶ୍ନ କରନ୍ତି ।
କଣ ହୋଇଛି କି ଭାଇ , ଏତେ ବ୍ୟସ୍ତ ଲାଗିଛନ୍ତି ?
କଣ ଆଉ ହେବ ତମ ପୁନି କଥା ଆପତ୍ତି କରିବାକୁ ଆସିଛି ।
ମୋ ପୁନି ଏମିତି କଣ କରିଛି କି ଭାଇ ?
ମୋ ସହିତ ସଅଳ ଚାଲ ଦେଖିବ ଛକ ଉପରେ ସେ କେମିତି ଦୁର୍ଗା ବେଶ ସାଜିଛି , ତୁ ଗାଁ ପରିବେଶ କୁ ସଫା ରଖିବାକୁ ସବୁବେଳେ ପ୍ରୟାସ କରୁଚୁ ତାହା ବହୁତ ଭଲ କଥା , ହେଲେ ତା ବୋଲି ତୁ ଦୋକାନୀ ବେପାରୀ ଭାଇ ମାନଙ୍କ ସହ ଝଗଡା କରିବା କଣ ଦରକାର ।
ଦୋକାନୀ ମାନଙ୍କ ସହ ପୂର୍ଣ୍ଣିମା କାହିଁକି ଝଗଡା କରୁଛି ?
ତାହାର ଏକା ଜିଦ୍ କାଲିଠାରୁ ସମସ୍ତ ଦୋକାନୀ ଜରି ପ୍ଲାଷ୍ଟିକ ବନ୍ଦ କରିବେ , ଜରି ପ୍ଲାଷ୍ଟିକ ପାଇଁ କୁଆଡେ ପରିବେଶ ଦୂଷିତ ହେଉଛି ,ଏହା କୋଉ ନ୍ୟାୟ କଥା କହିବ ଭଲା , ଯଦି ଜରି ପ୍ଲାଷ୍ଟିକ ପାଇଁ ପରିବେଶ ଦୂଷିତ ହେଉଛି ତେବେ ସରକାର କାହିଁକି ଏ ସବୁ ବାହାର କରିଛନ୍ତି । ଭୁଆସୁଣୀ ଝିଅ ଟା ତୁ ଏମିତି ବଜାର ଘାଟ ରେ ପାଞ୍ଚ ଲୋକ ଙ୍କ ଆଗରେ ଝାମେଲା କରିବା କଣ ଠିକ୍ ହେଉଚି । ଗାଁ ମୁଖିଆ ବି ତାକୁ ବହୁତ ବୁଝା ସୁଝା କଲେଣି ହେଲେ ସେ ବୁଝିବାର ନାଁ ଧରୁନି , ଚାଇଲ ଚାଇଲ ତାକୁ ବୁଝେଇ ସୁଝେଇ କେମିତି ଘରକୁ ଆଣିବ ।
ଚାଲ ଚାଲ ଦେଖିବା କଣ କହୁଚି ସେ...,
ଆଜି ତାର ଦିନେ କୁ ମୋର ଦିନେ ।
ଛକ ଉପରେ ପୂର୍ଣ୍ଣିମାକୁ ମାଆ ଯାଇ ବହୁତ ଗାଳି କରି ଘରକୁ ଆଣିବାକୁ ଚେଷ୍ଟା କରୁଥାନ୍ତି । ପୂର୍ଣ୍ଣିମା କିନ୍ତୁ ମାଆ ଙ୍କ ଗାଳି କୁ ଖାତର ନକରି ଗାଁ ର ବ୍ୟବସାୟୀ ମାନଙ୍କୁ ବୁଝାଇବା ସହିତ କିଛି ଖଳ ସ୍ଵଭାବ ବ୍ୟକ୍ତି ଙ୍କ ସହିତ ଯୁକ୍ତି କରିବାରେ ଲାଗିଥାଏ ।
ତୁମେ ମାନେ ଯଦି ଜରି ପ୍ଲାଷ୍ଟିକ କିଣା ବିକା ବନ୍ଦ କରି ଦେବ ତାହେଲେ ଲୋକ ମାନେ ଧୀରେ ଧୀରେ ତାକୁ ବ୍ୟବହାର କରିବା ମଧ୍ୟ ବନ୍ଦ କରିଦେବ ।
ପ୍ଲାଷ୍ଟିକ ର କ୍ଷତିକାରକ ପ୍ରଭାବ ଯୋଗୁଁ ପ୍ରକୃତି ନଷ୍ଟ ହେବାରେ ଲାଗିଛି । ଏହା ମୃତ୍ତିକା ପ୍ରଦୂଷଣ ଠାରୁ ଆରମ୍ଭ କରି ଜଳ ମଧ୍ୟ ପ୍ରଦୂଷଣ କରୁଛି । ପ୍ଲାଷ୍ଟିକ ଥଳି ଚାରିଆଡ଼େ ପଡ଼ି ରହିଥିବାରୁ ପ୍ରଦୂଷଣ ମଧ୍ୟ କରୁଛି । ପଶୁ ମାନେ ସେମାନଙ୍କ ଖାଦ୍ୟ ସହିତ ଅଜାଣତ ରେ ପ୍ଲାଷ୍ଟିକ କଣିକା ଖାଇ ଦେଇ ଅନାଶୟ ରେ ମୃତ୍ୟୁ ବରଣ କରନ୍ତି । ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ ଅକାଳ ରେ ପଶୁ ମୃତ୍ୟ ପାଇଁ ବର୍ଜ୍ୟ ବସ୍ତୁ ପ୍ଲାଷ୍ଟିକ ବ୍ୟାଗ, ଜରି ଏକ ମୁଖ୍ୟ କାରଣ । ଏହି ସବୁ ପ୍ଲାଷ୍ଟିକ ପାଇଁ ସାମୁଦ୍ରିକ ଜୀବ ଜନ୍ତୁ ମାନେ ମୃତ୍ୟ ମୁଖରେ ପଡ଼ୁଛନ୍ତି । ପ୍ଲାଷ୍ଟିକ ବ୍ୟାଗ ର ଉତ୍ପାଦନ ସମୟ ରେ ଅନେକ ଦୂଷିତ ଗ୍ୟାସ ବାହାରି ବାୟୁ ମଣ୍ଡଳ କୁ ଦୂଷିତ କରିଥାଏ , ଯାହା କି ମନୁଷ୍ୟ ର ଅସୁସ୍ଥତା ର ମୁଖ୍ୟ କାରଣ ହୋଇ ସାଜିଛି । ପ୍ଲାଷ୍ଟିକ କୁ ବ୍ୟବହାର କରି ତାକୁ ଜାଳି ଦେଲା ସମୟ ରେ ବାୟୁ ପ୍ରଦୂଷିତ ହୋଇଥାଏ ଯାହା ପରିବେଶ ପ୍ରତି କୁ ପ୍ରଭାବ ପକାଇଥାଏ । ପ୍ଲାଷ୍ଟିକ ଏଣେତେଣେ ପଡ଼ି ଆମ ସବୁଜ ସୁନ୍ଦର ପରିବେଶ କୁ କଦର୍ଯ୍ୟ କରିଥାନ୍ତି । ବିଶେଷ କରି ସହରାଞ୍ଚଳ ରେ ପ୍ଲାଷ୍ଟିକ ଜରି ସମୂହ ଗୁଡ଼ିକ ଡ୍ରେନ ରେ ଲାଗି ରହିଯିବା ସମୟ ରେ ଏହା ଜଳ ନିଷ୍କାସନ ସମୟ ରେ ଅସୁବିଧା ର ସମ୍ମୁଖୀନ ହୋଇଥାଏ । ଫଳରେ ଏହା କୂତ୍ରିମ ବନ୍ୟା ସୃଷ୍ଟି କରିଥାଏ । ଏମିତି ଅନେକ ଉଦାହରଣ ଦେଇ ସମସ୍ତଙ୍କୁ ବୁଝାଇଲା ପରେ ମଧ୍ୟ କେହି ବୁଝନ୍ତି ନାହିଁ । ଆମେ ପ୍ଲାଷ୍ଟିକ ବ୍ୟବହାର କରୁଚୁ ଆଉ ଆଗକୁ କରିବୁ ମଧ୍ୟ । ତତେ ଗ୍ରାମବାସୀ କହୁନାହାନ୍ତି ତୁ ଝାଡୁଦାର ସାଜି ଗାଁ ଦାଣ୍ଡ ସଫା କରିବାକୁ ? ଏମିତି ଅନେକ କଟୁ କଥା କହି ପୂର୍ଣ୍ଣିମାକୁ ସମସ୍ତେ ଅପମାନିତ କରିଥିଲେ । ସର୍ବ ସମ୍ମୁଖରେ ଅପମାନ ସହ୍ୟ କରିପାରିନଥିଲା ପୂର୍ଣ୍ଣିମା ,ସେ ଭାଙ୍ଗି ପଡ଼ିଥିଲା , ତାର ସ୍ବପ୍ନ ଆଉ ପୂରଣ ହୋଇ ପାରିବନି , ସ୍ବପ୍ନ ସବୁ ସ୍ଵପ୍ନ ହୋଇ ରହିଯିବ । ଏମାନଙ୍କୁ ଆଉ କିପରି ବୁଝାଇଲେ ଏମାନେ ବୁଝିବେ ତାହା ମନେ ମନେ ଦୁଃଖରେ ଚିନ୍ତା କରୁଥାଏ । ଦୁଃଖରେ ମାଆ ଙ୍କ ସହ ଫେରିଥିଲା ଘରକୁ ଏବଂ ପଣ କରିଥିଲା ଆଉ କେବେବି ଗାଁ ପରିବେଶ କୁ ସଫା ରଖିବା ପାଇଁ ଜରି ପ୍ଲାଷ୍ଟିକ ଗୋଟାଇବ ନାହିଁ କି ଆଉ କୌଣସି ଗଛରେ ପାଣି ଦେବାକୁ ଯିବା ନାହିଁ ।
ଏମିତି ଅନେକ ଦିନ ବିତିଗଲା ପୂର୍ଣ୍ଣିମା ଆଉ ଗାଁ ଦାଣ୍ଡ ରୁ ଜରି ପ୍ଲାଷ୍ଟିକ ସଫା କରୁନାହିଁ କି ଗଛ ମାନଙ୍କରେ ପାଣି ଦେଇ ସେମାନଙ୍କର ଯତ୍ନ ନେଉ ନାହିଁ । କାରଣ ପୂର୍ଣ୍ଣିମା ଏବେ ଏହି ଦୁନିଆଁ ରେ ନାହିଁ ଏକ ସଡ଼କ ଦୃଘଟଣାରେ ନିଜ ମୂଲ୍ୟବାନ ଜୀବନ ହରାଇ ସେ ଏବେ ଆର ପାରିରେ । ଜରି ପ୍ଲାଷ୍ଟିକ ସଫା ନହେବାରୁ ଗାଁ ଚତୁପାର୍ଶ୍ଵ କୁଢ଼ କୁଢ଼ ଆବର୍ଜନା ଗଦେଇ ହୋଇ ଗନ୍ଧ ହେଲାଣି । ଗଛ ମାନଙ୍କର ଯତ୍ନ ନନେବାରୁ ଧୀରେ ଧୀରେ ସବୁ ଝାଉଁଳି ମରି ଗଲେଣି । ଆଉ କିଛି ଗଛ ଗାଁ ଲୋକେ କାଟି ନେଲେଣି ନିଜ ଆବଶ୍ୟକ ପାଇଁ । ଏମିତି ଧିରେ ଧିରେ ଗାଁ ପରିବେଶ ଦୂଷିତ ହେବାର ଲାଗିଲା , ଦୂଷିତ ପରିବେଶ ରେ ରହି ଗାଁ ଲୋକେ ନାନାଦି ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିବାକୁ ଲାଗିଲେ । ଗାଁ ରେ ଭାଳେଣି ପଡ଼ିଲା ସମସ୍ୟାର ସମାଧାନ ପାଇଁ । ଆଉ ସେତେବେଳେ ସମସ୍ତଙ୍କର ମନେ ପଡ଼ିଲା ସେହି ପାଗେଳୀ ପ୍ରକୃତି ପ୍ରେମୀ ପୂର୍ଣ୍ଣିମା କଥା । ଗାଁ ମୁଖିଆ ଆଜି ନିଶାପ ଡାକିଛନ୍ତି ସମାଧାନର ବାଟ ବାହାର କରିବା ପାଇଁ । ସମସ୍ତଙ୍କୁ ଆସିବାକୁ ହେବ ଏବଂ ନିଶାପ ରେ ଯାହା ନିଷ୍ପତି କରାଯିବ ତାହା ସମସ୍ତେ ମାନିବାକୁ ପଡ଼ିବ । ସନ୍ଧ୍ୟାରେ ନିଶାପ ରେ ନିଷ୍ପତି ହୁଏ ଗାଁ ଲୋକ ମାନେ ଆଜିଠାରୁ ଜରି ଓ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ସହିତ ଗାଁ ରେ ସମସ୍ତେ ଗୋଚର ଜମି ଏବଂ ରାସ୍ତା କଡ଼ରେ ଗଛ ଲଗାଇ ଗାଁ କୁ ପୁଣି ପୂର୍ବ ଭଳି ସବୁଜ ସୁନ୍ଦର କରିବେ । ଗାଁ ମୁଖିଆ ଙ୍କ କଥା ମାନି ସମସ୍ତେ ଗଛ ଲଗାଇବା ସହିତ ଜରି ଓ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଦେଲେ । ଧିରେ ଧିରେ ଗାଁ ବାତାବରଣ ସୁସ୍ଥ ହେବାରେ ଲାଗିଲା ଗାଁ ସବୁଜ ସୁନ୍ଦର ହୋଇ ହସି ଉଠିଲା , ଏବେ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଲା । ସମସ୍ତେ ଏବେ ପୂର୍ଣ୍ଣିମାର ନିଃସ୍ଵାର୍ଥ ସେବା ର ମୂଲ୍ୟ ବୁଝି ପାରିଲେ । ଆଉ ସେ ଯେଉଁ ପ୍ଲାଷ୍ଟିକ ମୁକ୍ତ ପୃଥିବୀ ପ୍ରଦୂଷଣ ମୁକ୍ତ ପରିବେଶ ର ସ୍ବପ୍ନ ଦେଖିଥିଲା ତାହା ଆଜି ସମସ୍ତ ଗ୍ରାମବାସୀ ନିଜ ହାତରେ ପୂରଣ କଲେ ।
