STORYMIRROR

Chandrakanta Jena

Tragedy Thriller Children

4  

Chandrakanta Jena

Tragedy Thriller Children

ବନା ମାଷ୍ଟ୍ରେଙ୍କ ଚାଟଶାଳୀ

ବନା ମାଷ୍ଟ୍ରେଙ୍କ ଚାଟଶାଳୀ

3 mins
278

ସଞ୍ଜ ନଇଁ ଯାଇଥାଏ ଗାଁ ଦାଣ୍ଡ ଧୂଳି ଖେଳ ସରିଲା ପରେ ବୋଉ ମୋର ହାତ ଗୋଡ ଧୁଆ ଧୁଇ କରି ପାଖରେ ବସାଇଛି ହାତରେ ଖଡ଼ି ସିଲଟ ଧରେଇ ପାଖକୁ ବଡ଼ ଭଉଣୀ ସେହ୍ନା, ସବୁ ଦିନ ପରି ବଡ଼ ଭଉଣୀ ପଢ଼ିବା ପାଇଁ ତାର ଖାତା ବହି ଧରି ବସି ଯାଇଛି ହେଲେ ମୁଁ ଏବେ ନୂଆ ନୂଆ ସିଲଟରେ ଅକ୍ଷର ଲେଖିବା ଆରମ୍ଭ କରୁଛି, ଏଇତ ଗଲା ଗଣେଷ ପୂଜାରେ ଗାଁଆ ସ୍କୁଲରେ ମୋର ଖଡ଼ି ଛୁଆଁ ହୋଇଛି ସେହି ଦିନଠାରୁ ସନ୍ଧ୍ୟାବେଳେ ବୋଉ ମୋତେ ପାଖରେ ବସେଇ ଗୋଟିଏ ଗୋଟିଏ ଅକ୍ଷର ସିଖାଉଛ ।

      ଏମିତି ଦିନେ ସନ୍ଧ୍ୟାବେଳେ ଆମେ ଭାଇ ଭଉଣୀ ବୋଉ ପାଖରେ ପଢ଼ିବା ପାଇଁ ବସିଥାଉ, ହଠାତ୍ ଜେଜେମା ଆସି ବାପାଙ୍କୁ କହିଲା ଆରେ ପୁଅ ବନା ମାଷ୍ଟ୍ରେ ମୋତେ କହୁଥିଲେ ବାବୁକୁ ଆମର ତାଙ୍କ ଚାଟଶାଳୀକୁ ଛାଡ଼ିବା ପାଇଁ, ତାଙ୍କ ଚାଟଶାଳୀକୁ ଗଲେ ଛୁଆଟା ଆମର ଶୀଘ୍ର ପାଠ ଧରନ୍ତା, କିଛି ନହେଲେ ସ୍କୁଲରେ ନାମ ଲେଖା ହେବା ପୂର୍ବରୁ ସବୁ ଅକ୍ଷର ଭଲ ଭାବରେ ଶିଖି ଯାଆନ୍ତା, ଘରେ କୋଉ ପଢୁଛି କହୁନୁ ? ଜେଜେମା କଥାରେ ବାପା ହୁଁ ମାରି ମୁଣ୍ଡ ଟୁଙ୍ଗାରି କହିଲେ ଠିକ୍ ଅଛି ପିଲାଟା ଯାଇ ତେବେ ପଢା ପଢ଼ି ଆରମ୍ଭ କରୁ ବାପାଙ୍କ ମୁହଁରୁ ଏହିପରି କଥା ଶୁଣି ମୋ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା, ପାଠ ପଢା କୁ ନେଇ ମନରେ ଯେତିକି ଭୟ ନଥିଲା ଭୟ ଥିଲା ଭୟ ଥିଲା ବନା ମାଷ୍ଟ୍ରେଙ୍କ ଚାଟଶାଳୀକୁ ଆଉ ତାଙ୍କ ବେତ ମାଡ଼କୁ, ଶୁଣିଥିଲି ତାଙ୍କ ଚାଟଶାଳୀକୁ ଯେଉଁ ପିଲା ସବୁ ପାଠ ପଢିବାକୁ ଯାଆନ୍ତି ସେମାନଙ୍କୁ କୁଆଡେ ସେ ବହୁତ ମାରନ୍ତି ଆଉ ନାଲି ଆଖି ଦେଖାଇ ଶାସନ କରନ୍ତି, ଗାଁଆର ସବୁ ପିଲା ତାଙ୍କୁ ଭୟ କରନ୍ତି ମୁଁ ଅବା ସେଥିରୁ ବାଦ୍ ଯିବି କେମିତି, ଜେଜେମା ଆଉ ବାପାଙ୍କ ଆଲୋଚନାରେ ବନା ସାର୍ ଙ୍କ ଚାଟଶାଳୀକୁ ମୋର ପାଠ ପଢି ଯିବାଟା ସ୍ଥିର ହୋଇଗଲା, ମନେ ମନେ ଭାବୁଥାଏ ଜମଶାଳ କୁ ଯିବାର ବାଟ ଫାଟିଗଲା ମୋ ପାଇଁ, ମନରେ କୋକୁଆ ଭୟ ହେଲେ କହିବି କାହାକୁ ? ବୋଉ ଆଗେ ଯଦି ମନା କରେ ପଢିବାକୁ ଯିବିନି ବୋଲି ତେବେ ବନା ସାର୍ ଙ୍କ ବେତ ମାଡ଼ ଠାରୁ ଭାରି ପଡ଼ିଯିବ ବାପାଙ୍କ ଗାଳି ତେଣୁ ମନର ଭୟକୁ ମନ ଭିତରେ ଚାପି ରଖି ଅପେକ୍ଷାରେ ରହିଲି ଆସନ୍ତା କାଲିର ସକାଳକୁ ।

       ସବୁ ରାତି ପରି ଆଜି ରାତିରେ ବି ଘରେ ସମସ୍ତେ ରାତ୍ରୀ ଭୋଜନ ସାରି ଶୋଇଗଲେ , ହେଲେ ମୋ ଆଖିରେ ନିଦ ନାହିଁ ମନରେ ଅନେକ ଭାବନା ପ୍ରଶ୍ନବାଚୀ ସୃଷ୍ଟି କରିଥାଏ, ଆଖି ଆଗରେ ବନା ସାର୍ ଙ୍କ ରାଗ ରାଗ ମୁହଁ ଦେଖା ଯାଉଥାଏ, ଏମିତି ଭାବନା ଭିତରେ ଆଖିରେ କେତେ ବେଳେ ନିଦ ଚାଲି ଆସିଲା ତାହା ଜଣା ନାହିଁ, ସକାଳର ପ୍ରଥମ ପ୍ରହର ବୋଉ ଡାକରେ ନିଦ ଭାଙ୍ଗିଲା, ଶେଯ ଛାଡ଼ି ବାହାରକୁ ଆସିଲି ସେତେବେଳକୁ ସକାଳର ପ୍ରଥମ କିରଣ ମାଟି ଛୁଇଁ ସାରିଲାଣି କାଉଙ୍କ ରାବରେ ପରିବେଶ କମ୍ପି ଉଠୁଥାଏ, ଜେଜେମା ଦାଣ୍ଡ ବାରଣ୍ଡାରେ ବସି ରହିଥାଏ ମୋ ଅପେକ୍ଷାରେ କେତେ ବେଳେ ମୁଁ ନିତ୍ୟକର୍ମ ସାରି ବାହାରିବି ଆଉ ସେ ମୋତେ ନେଇ ଛାଡ଼ି ଆସିବ ବନା ମାଷ୍ଟ୍ରେଙ୍କ ଚାଟଶାଳୀରେ ପାଠ ପଢ଼ିବା ପାଇଁ, ବାହାନା କରିବା ପାଇଁ କୌଣସି ରାସ୍ତା ନାହିଁ ଯେମିତି ହେଲେବି ମୋତେ ଯିବାକୁ ପଡିବ ଚାଟଶାଳୀକୁ ତେଣୁ ଭୟ କାହିଁକି କରିବି, ମନର ଭୟାନତା ଭିତରେ ସଅଳ ବସ୍ତାନି ସଜାଡି ଜେଜେମା ସାଥିରେ ବାହାରି ଗଲି ବନା ମାଷ୍ଟ୍ରେଙ୍କ ଚାଟଶାଳୀକୁ, ପାଠ ପଢାକୁ ନେଇ ମନରେ ଯେତିକି ଉତ୍କଣ୍ଠା ସେତିକି ଭୟ ସଂଚାର ହେଉଥାଏ , ଏମିତି ଭାବନା ଭିତରେ ଚାଟଶାଳୀରେ ପାଦ ରଖିଥିଲି ଚାଟଶାଳୀରେ ମୋତେ ଛାଡ଼ି ଦେଇ ଜେଜେମା ଘରକୁ ଫେରି ଆସିଥିଲା , ଜେଜେମା ଫେରି ଆସିଲା ପରେ ମୋ ହାତ ଥରିବାକୁ ଲାଗିଥିଲା ଟେବୁଲ୍ ଉପରେ ବନା ସାର୍ ଙ୍କ ବେତ ଦେଖି କିଏ ଜାଣେ କେବେ ମୋ ଠାରେ ଏହି ବେତ ପ୍ରହାର ପଡ଼ିବ , କିନ୍ତୁ ଏହିପରି ଭ୍ରମ ମୋ ମୁଣ୍ଡରୁ ଅଳ୍ପ ସମୟ ମଧ୍ୟରେ ବାହାରି ଯାଇଥିଲା ଯେତେବେଳେ ବନା ସାର୍ ମୋତେ ପାଖକୁ ଡାକି ମିଠା ମିଠା କଥା କହି ରାଗ ବଦଳରେ ହସ ହସ ମୁହଁରେ ମୋ ମୁଣ୍ଡକୁ ଆଉଁସି ଗେଲ କରିଥିଲେ, ସେତେବେଳେ ଭାବିଥିଲି କିଭଳି ଭ୍ରମରେ ଭ୍ରମିତ ହୋଇ ଅନ୍ଧକାରର ବଶୀଭୂତ ହୋଇଥିଲି, ବନା ସାର୍ ଙ୍କ ଚାଟଶାଳୀରେ ପାଦ ଦେଲା ପରେ ସବୁ ଦ୍ଵନ୍ଦ ସବୁ ଭୟ ଦୂର ହୋଇଥିଲା ଆଉ ମନ ଖୁସିରେ ଚାଟଶାଳୀରେ ପ୍ରଥମ ଦିନର ପାଠ ପଢା ସାରି ଫେରିଥିଲି ଘରକୁ ଆଉ ଅପେକ୍ଷାରେ ରହିଥଲି ଆଗାମୀ କାଲିର ସକାଳକୁ ପୁଣି ଯିବା ପାଇଁ ବନା ମାଷ୍ଟ୍ରେଙ୍କ ଚାଟଶାଳୀକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy