ମୁଁ ସପନର ସୌଦାଗର
ମୁଁ ସପନର ସୌଦାଗର
ଟ୍ରେନରେ ଝରକା ଦେଇ କେତେ କଣ ଭାବି ଚାଲିଥିଲା କାକଳୀ, ଆରବର୍ଷ ଏଇ କୁମାର ପୂର୍ଣ୍ଣମୀ ଦିନ ରାତିରେ ମନର ମଣିଷ ଭାବି ହୃଦୟ ଦେଇ ଭଲପାଉଥିବା ସୋମେଶ ସହ ଘରର ସମସ୍ତଙ୍କ ଅଜଣାତରେ ଚାଲିଯାଇଥିଲା ଏମିତି ଗୋଟେ ଟ୍ରେନରେ l
କୁଆଡେ ଯାଉଛି, କୋଉ ଟ୍ରେନ କିଛି ବି ଜାଣିନଥିଲା କାକଳୀ. ଦୃଢ଼ ବିଶ୍ୱାସ ଓ ଭରସାରେ ଏମିତି ଝରକା ରେଲିଂକୁ ଧରି ଶୋଇଯାଇଥିଲା, ଆଉ ରାତି ପାହି ଦିନର ଆଲୋକରେ ନିଜକୁ ଯୋଉଠି ଆବିଷ୍କାର କଲା, ତାହା ନର୍କପୁରୀ ଥିଲା, କିନ୍ତୁ ପ୍ରଥମ ଗରାଖ ରୂପେ ସନ୍ତୋଷ ଆଗରେ ସେ ଯେବେ ନିଜର ସମସ୍ତ ଅସହାୟତା ବଖାଣିଥିଲା, ସନ୍ତୋଷ ତାକୁ ଅଭୟ ଦେଲା, ସେ ପ୍ରକୃତରେ ତାର ଗବେଷଣା ପାଇଁ ସାହିତ୍ୟ ଏକାଡେମୀରୁ ମନୋନୀତ ହୋଇ ଆସିଥିଲା ପ୍ରଥମ ଥର ଏଇ ନର୍କପୁରୀକୁ, ଆଉ ସନ୍ତୋଷ ଯେ ପ୍ରକୃତ ଦେବତା ଏହା ବୁଝିବାକୁ କାକଳୀକୁ ବେଶୀ ସମୟ ଲାଗିନଥିଲା l
ସେହି ଦିନ ପରଠୁ ପ୍ରତି ରାତିରେ ସନ୍ତୋଷ ଆସେ ତା କକ୍ଷକୁ ଆଉ ଆଶ୍ୱାସନା ଦେଇ ଉପାୟ ବାହାର କରନ୍ତି ଦୁହେଁ, ଖସିଯିବାର ଉପାୟ ଖୋଜି ବୁଲନ୍ତି ଦୁହେଁ, କାକଳୀ ପାଇଁ ସବୁକିଛି ଅର୍ଥାତ ଥେସିସ ଲେଖା ପରିତ୍ୟାଗ କରେ ସନ୍ତୋଷ ଆଉ ସଫଳ ହୁଏ କାକଳୀକୁ ସେହି ନର୍କପୁରୀରୁ ଉଦ୍ଧାର କରିବାକୁ l
କାକଳୀ ଭାବୁଥିଲା ବର୍ତ୍ତମାନ ସେ କୁଆଡେ ଯିବ, ନିଜ ପରିବାରକୁ ଫେରିଯିବାର ଦୁଃସାହସ କି ସନ୍ତୋଷ ଉପରେ ଗଳଗ୍ରହ ସାଜିବାକୁ ନ ଚାହିଁ ସେ ଟ୍ରେନରୁ କୁଦି ପଡ଼ିବାକୁ ଯାଉଛି ସନ୍ତୋଷ ତାକୁ ପୁଣି ନୂଆଜୀବନ ଦେଲା, ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଷ୍ଟେସନରେ ତା ନିଜ ପରିବାର ତାକୁ ଅପେକ୍ଷା କରିଥିଲେ, ତାଙ୍କ ସହ ଫେରିଗଲା ପୁର୍ବରୁ ସନ୍ତୋଷର ପାଦ ଦୁଇ ସେ ଲୁହରେ ଧୋଇବାକୁ ଭୁଲିନଥିବା ବେଳେ ସନ୍ତୋଷ ତାକୁ ପ୍ରବୋଧନା ଦେଇ ଆଗାମୀ ଭବିଷ୍ୟତର ସୁନେଲି ସ୍ୱପ୍ନ ସବୁକୁ ତା ହାତମୁଠାରେ ଅଜାଡ଼ିଦେଇ ପୂର୍ଣ୍ଣମୀ ଶଶୀଙ୍କୁ ଦେଖାଇ ବିଶ୍ୱାସ ଓ ଭରସା ରଖିବାକୁ କହି ଦୁରେଇ ଯାଉଥିଲା, କାକଳୀ କାନରେ ଗୁଂଜରିତ ହେଉଥିଲା, "ମୁଁ ସପନର ସୌଦାଗର"l

