STORYMIRROR

Bimala Sankar Dash

Romance

3  

Bimala Sankar Dash

Romance

ମଉଳାଫୁଲ

ମଉଳାଫୁଲ

3 mins
310


କୌଣସି ଏକ ଅଫିସରେ ନୂଆକରି ଜଏନ୍ କରିଥିବା ମନ୍ଦାକିନୀ ଖୁବ୍ କମ୍ ଦିନରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । ଖାଲି ଯେ ତାଙ୍କ ତନୁ ପାତଳୀ ଚେହେରା, ଲହରା କେଶ ଓ ରୂପଲାବଣ୍ୟ ଏଥିପାଇଁ ଦାୟୀ ନ ଥିଲା । ଶାନ୍ତ ,ସରଳ, ମିଷ୍ଟଭାଷୀ ଓ ମାର୍ଜିତ ବ୍ୟବହାର ପାଇଁ ତାଙ୍କ ଆଡକୁ ଯେ କେହି ବି ଢଳିଯିବା ଖୁବ୍ ସ୍ୱାଭାବିକ ଥିଲା । ଏମିତି ସ୍ୱଭାବର ଝିଅଟିକୁ ପତ୍ନୀ ରୂପେ ପାଇଲେ ଜୀବନ ଧନ୍ୟ ହୋଇଯିବ । ସେଇ ଅଫିସରେ ଚାକିରୀ କରୁଥିଲେ ତପନ ଓ ଶଶାଙ୍କ । ଦୁହେଁ ଣଲ ବନ୍ଧୁ ଥିଲେ ବି ସଂଯୋଗକ୍ରମେ ଦୁହେଁ ପ୍ରଥମଦିନରୁ ମନ୍ଦାକିନୀର ପ୍ରେମରେ ପଡି ଯାଇଥିଲେ । ମନ୍ଦାକିନୀର ମନ ଜିଣିବାକୁ ଦୁହିଁଙ୍କ ଭିତରେ ରୀତିମତ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା । ଧିରେ ଧିରେ ଏଇ ପ୍ରତିଯୋଗିତା ଦୁହିଁଙ୍କ ଭିତରେ ଥିବା ବନ୍ଧୁତାକୁ କ୍ଷତବିକ୍ଷତ କରୁଥିଲା । ଦିନେ ତପନ ଓ ଶଶାଙ୍କ ସ୍ଥିର କଲେ ମନ୍ଦାକିନୀକୁ ମୁହଁ ଖୋଲି ସେମାନଙ୍କ ମନର କଥା ଜଣାଇଦେବେ । ମନ୍ଦାକିନୀର ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି । ମନ୍ଦାକିନୀକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ତପନ ଓ ଶଶାଙ୍କ ଦୁହେଁ ନିଜ ନିଜର ପ୍ରେମ ଇସ୍ତାହାର ଶୁଣାଇବା ଆରମ୍ଭ କରି ଦେଇଥିଲେ ।


ତପନ କହିଲା: 

     ---"ମୁଁ ତମ ପାଇଁ ନିଶୀଥର ସୂର୍ଯ୍ୟ ! ତମ ନିଃସଙ୍ଗ ଜୀବନର ଘନଘଟା ଅନ୍ଧକାର ଭିତରେ ତମକୁ ଆଲୋକ ଦେବାକୁ ସମର୍ଥ ..ତମେ ମୋ ପ୍ରେମକୁ ସ୍ୱୀକାର କରିନେବା ଉଚିତ୍ !!"


ଶଶାଙ୍କ ବି ମନ୍ଦାକିନୀ ଉଦ୍ଦେଶ୍ୟରେ କହିଲା :

     -- "ସେ ନିଶୀଥର ସୂର୍ଯ୍ୟ ହୋଇ ପାରନ୍ତି କିନ୍ତୁ ମୁଁ ତ ଉଆଁସ ରାତିର ଜହ୍ନ ..ତମେ ମୋ ପ୍ରେମକୁ ହିଁ ଗ୍ରହଣ କରିନେବା ଉଚିତ୍ !!"


 ମନ୍ଦାକିନୀ ଦୁହିଁଙ୍କ କଥା ଶୁଣି ନୀରବି ଗଲେ । ନିଷ୍ପତ୍ତି ନେଇ ପାରିଲେନି କାହାକୁ ପୁରସ୍କୃତ କରିବେ କାହାକୁ ତିରସ୍କୃତ କରିବେ । 


ଭାବରେ ନିମଗ୍ନ ହୋଇ ମନ୍ଦାକିନୀ ପଚାରିଲେ -  

     ରାତିରେ ସୂର୍ଯ୍ୟ ପ୍ରତିଭାତ ହେବା ଯେପରି ଅସମ୍ଭବ , ଉଆଁସ ରାତିର ଜହ୍ନ କଥା ଚିନ୍ତା କରିବା ବି ସେତିକି ଅମୂଳକ ଓ ହାସ୍ୟାସ୍ପଦ । ଦୁହିଁଙ୍କ କଥା ଶୁଣିବାକୁ ହୁଏତ ଭଲ ଲାଗିପାରେ କିନ୍ତୁ କଥାରେ ଆଦୌ ବାସ୍ତବତା ନାହିଁ ।


ଦୁହେଁ କିନ୍ତୁ ଥିଲେ ଖୁବ୍ ଚତୁର ଭ୍ରମର । ନିଜ ଯୁକ୍ତିର ସତ୍ୟତାକୁ ପ୍ରମାଣିତ କରିବା ପାଇଁ କହିଲେ--

_ ନିଶୀଥରେ ସୂର୍ଯ୍ୟ ପ୍ରତୀୟମାନ ହେବା ବିରଳ ଘଟଣା ହୋଇଥିଲେ ବି କେତେକାଂଶରେ ଏହାର ବାସ୍ତବତା ରହିଛି । ନିଶୀଥ ବେଳରେ ଅନ୍ୟ ଗୋଲାର୍ଦ୍ଧରେ ସୂର୍ଯ୍ୟ ବିଦ୍ୟମାନ ।

-ସେଇପରି ଜହ୍ନ ବି ... ।

      

"ଗୋଟିଏ ପାଖରେ ଅନ୍ଧାର ତ ଆର ପାଖଟି ଆଲୁଅ ..ଅନ୍ଧାର ପରର ଆଲୋକ ପାଇଁ ତ ମଣିଷକୁ ଅପେକ୍ଷା କରିବାକୁ ପଡିବ, ଜିଇଁବାକୁ ପଡିବ ! ଦୁହିଁଙ୍କ ଭିତରୁ ଜଣକୁ ବାଛିବାକୁ ପଡିବ ।

     -ତପନ ଓ ଶଶାଙ୍କ ଦୁହେଁ ଏକା ସ୍ୱରରେ ବୁଝେଇବାକୁ ଲାଗିଲେ । ସତେ ଯେମିତି ମନ୍ଦାକିନୀ ହିଁ ସେମାନଙ୍କ ଜୀବନର ଶେଷ ଉପଲବ୍ଧି ।


ମନ୍ଦାକିନୀ କହିଲେ-

      ତମ ଦୁହିଁଙ୍କ ଯୁକ୍ତିରେ ସତ୍ଯତା ଅଛି ମୁଁ ମାନୁଛି ! କିନ୍ତୁ ମୋ ପାଇଁ ନିଷ୍ପତ୍ତି ନେବା ଟିକେ କଠିନ । କାହା ସପକ୍ଷରେ ବା ନିର୍ଣ୍ଣୟ ଶୁଣାଇବି ??? 

 ଶୁଭ୍ର ଦ୍ବୁତିଯୁକ୍ତ ସୂର୍ଯ୍ୟଙ୍କୁ ନା ଶୀତଳ ରମଣୀୟ ଜହ୍ନକୁ ...??


ଘଡିଏ ଚିନ୍ତାକରି ମନ୍ଦାକିନୀ ନିଷ୍ପତ୍ତି ଶୁଣାଇଲେ-

ଦୁହେଁ ନିଜ ନିଜ ରାସ୍ତାରେ ଫେରିଯିବା ଉଚିତ୍ । ଭାବିନିଅ ଅନ୍ଧାର ହିଁ ମୋର ଚିର ସହଚରୀ । ଚିର ଉପଲବ୍ଧି !!!


ଦୁହେଁ ବିସ୍ମୟ ହୋଇ ଏକାସ୍ୱରରେ ପ୍ରଶ୍ନ କଲେ --

     " ଅନ୍ଧାରକୁ ଏତେ ଭଲ ପାଇ ଆଲୋକକୁ ଏତେ ଅପମାନିତ କରିବାର କାରଣଟା ???"


ମନ୍ଦାକିନୀ ନମ୍ର ଗଳାରେ ଉତ୍ତର ରଖିଲେ---

    ତୁମେ ଦୁହେଁ ଏ ଯାଏଁ ଜାଣିନ ଯେ ମୁଁ ଆଲୁଅ ଦେଖିବାକୁ ଚାହିଁଲେ, ସମାଜ ତାହାକୁ କହିବ ପାପ । ମଲା ମନ ନେଇ ଅବଶିଷ୍ଟ ଜୀବନ ଜିଇଁବାକୁ ମୁଁ ପ୍ରତିଶ୍ରୁତିବଦ୍ଧ । ସ୍ୱପ୍ନ ଦେଖିବାର ଅଧିକାର ମୋର ନାହିଁ । ମଉଳା ଫୁଲ କେବେ କେଉଁ ଦେବତାଙ୍କ ମଥାରେ ଶୋଭିତ ହୋଇ ପାରେନା । ତୁମେ ଦୁହେଁ ହୁଏତ ଜାଣି ନଥିବ ମୁଁ ମହମହ ବାସୁଥିବା ଏକ ମଉଳାଫୁଲ । ମଉଳାଫୁଲ ଓ ଜଣେ ବୈଧବ୍ୟ ବିଧୁରାର ଜୀବନ ଠିକ୍ ଏକାପରି !!! 

 ତପନ ଓ ଶାଶାଙ୍କ ଦୁହେଁ ଆକର୍ଷଣ ହୀନ ଶାରୀରିକ ଭାଷାରେ ପ୍ରଶ୍ନ କଲେ - ତା'ହେଲେ, ଆପଣ ଜଣେ... 

ମନ୍ଦାକିନୀଙ୍କ ସ୍ପଷ୍ଟ ଉତ୍ତର- ହଁ... ମୁଁ ଜଣେ ବି..ଧ..ବା..

     

      --- ଏଇ ଶବ୍ଦ ଉଚ୍ଚାରିତ ହୋଇଯିବା ମାତ୍ରକେ ଆଉ ଦିନରେ ବି ସୂର୍ଯ୍ୟ ଦିଶିଲାନି କି ପୁନେଇରେ ବି ଜହ୍ନ ଦେଖାଗଲାନି । ମନ୍ଦାକିନୀଙ୍କ ପାଇଁ ବଳକା ରହିଗଲା କେବଳ ମେଘାଚ୍ଛନ୍ନ ଆକାଶ ଆଉ ଘନଘଟା ଉଆଁସ । ମଉଳାଫୁଲର ବାସ ଚହଟୁଥିଲା ଅଥଚ କାହା ମଥାରେ ଲାଗି ପାରିଲାନି ।



Rate this content
Log in

Similar oriya story from Romance